ଦେଶରେ ଥିବା କେନ୍ଦ୍ର-ନିୟନ୍ତ୍ରିତ ୧୩୫ଟି ତାପଜ ବିଦ୍ୟୁତ୍ କେନ୍ଦ୍ର ମଧ୍ୟରୁ ୧୧୫ଟି କେନ୍ଦ୍ର ‘ସଙ୍କଟପୂର୍ଣ୍ଣ ଓ ଅତି ସଙ୍କଟପୂର୍ଣ୍ଣ’ କୋଇଲା ଅଭାବର ସମ୍ମୁଖୀନ ହେବା ଓ ତନ୍ମଧ୍ୟରୁ ୭୦ଟି କେନ୍ଦ୍ରରେ ମାତ୍ର ୪ ଦିନ ଲାଗି କୋଇଲା ଗଚ୍ଛିତ ଥିବା ସରକାରୀ ଭାବେ ଜଣାପଡ଼ିବା ପରେ ଦେଶରେ କୋଇଲା ଉତ୍ପାଦନ ଓ ଯୋଗାଣର ବ୍ୟବସ୍ଥିତ ପରିଚାଳନା ନେଇ ଶଙ୍କା ସୃଷ୍ଟି ହେଲା। ଏହାର ସିଧାସଳଖ ପ୍ରଭାବ ବିଦ୍ୟୁତ୍ ଉତ୍ପାଦନ ଓ ଯୋଗାଣ ଉପରେ ପଡ଼ିବାକୁ ଲାଗିଲା। ଅନେକ ରାଜ୍ୟରେ ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକ ଯଥେଷ୍ଟ କମ୍ କ୍ଷମତାରେ ଚାଲିବା ସହ କେତେକ କେନ୍ଦ୍ରରେ କିଛି ୟୁନିଟ୍ରେ ଉତ୍ପାଦନ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ଦିଆଗଲା। ବିଦ୍ୟୁତ୍ ଯୋଗାଣର ଆସନ୍ନ ସଙ୍କଟ ସମ୍ପର୍କରେ ଦିଲ୍ଲୀ, ମହାରାଷ୍ଟ୍ର, କେରଳ, ପଞ୍ଜାବ, ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ, ବିହାର ଓ ତାମିଲନାଡୁ ଭଳି ରାଜ୍ୟ କେନ୍ଦ୍ର ସରକାରଙ୍କୁ ଜଣାଇ ସାରିଥିବା ବେଳେ ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ଭଳି ବିଜେପି ଶାସିତ ରାଜ୍ୟର ଗ୍ରାମାଞ୍ଚଳରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ୍ ହେଉଥିବାରୁ ସଙ୍କଟର ଗମ୍ଭୀରତା ଜାଣି ହେଉଛି। ଦେଶରେ ଦୁଇ ତୃତୀୟାଂଶ ବିଦ୍ୟୁତ୍ ଉତ୍ପାଦନ କୋଇଲାରୁ ହେଉଥିବାରୁ ଏ କ୍ଷେତ୍ରରେ ସଙ୍କଟ ଲାଗି ରହିଲେ ତାହା ବିଦ୍ୟୁତ୍ ଦରକୁ କିପରି ପ୍ରଭାବିତ କରିବ, ତାହା ବୁଝିବାର ଆବଶ୍ୟକତା ରହିଛି।
ଦେଶରେ କୋଇଲା ଉତ୍ପାଦନର ସ୍ଥିତିକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ୨୦୧୯-୨୦ରେ ୭୩.୦୯ କୋଟି ଟନ୍ ଉତ୍ପାଦନ ହୋଇଥିବା ବେଳେ ୨୦୨୦-୨୧ରେ ତାହା ସାମାନ୍ୟ ହ୍ରାସ ପାଇ ୭୧.୬୦ କୋଟି ଟନ୍ ହୋଇଥିଲା। ଏଥି ମଧ୍ୟରୁ କୋଲ୍ ଇଣ୍ଡିଆ ଓ ତା’ର ସହଯୋଗୀ କମ୍ପାନିଗୁଡିକ ଦ୍ୱାରା ୫୯.୬୨ କୋଟି ଟନ୍ ବା ପ୍ରାୟ ୮୩ ପ୍ରତିଶତ ଉତ୍ପାଦନ ହୋଇଥିଲା ଓ ଦକ୍ଷିଣ ଭାରତରେ କୋଇଲା ଯୋଗାଉଥିବା ସିଙ୍ଗାରେନୀ କୋଲିଏରିଜ୍ ଦ୍ୱାରା ୫.୦୬ କୋଟି ଟନ୍ ଉତ୍ପାଦିତ ହୋଇଥିଲା। ଟିସ୍କୋ, ଇସ୍କୋ, ଡିଭିସି ପରି ନିଜସ୍ୱ ଖଣି ଥିବା କମ୍ପାନି ଓ ଅନ୍ୟମାନଙ୍କ ଦ୍ୱାରା ମାତ୍ର ୬.୯୩ କୋଟି ଟନ୍ କୋଇଲା ଉତ୍ପାଦିତ ହୋଇଥିବା ଜଣାପଡ଼େ। ତେବେ ୨୦୨୧-୨୨ରେ କୋଇଲା ଉତ୍ପାଦନକୁ ୮୪.୮୦ କୋଟି ଟନ୍ରେ ପହଞ୍ଚାଇବାର ଲକ୍ଷ୍ୟ ଧାର୍ଯ୍ୟ ହୋଇ ପ୍ରଥମ ଛଅ ମାସରେ ୩୧.୫୭ କୋଟି ଟନ୍ ବା ପ୍ରାୟ ୩୭ ପ୍ରତିଶତ ଲକ୍ଷ୍ୟ ହାସଲ ହୋଇପାରିଛି। ସାଧାରଣତଃ ଅପ୍ରେଲରୁ ସେପ୍ଟେମ୍ୱର ମଧ୍ୟରେ ୪୦ ପ୍ରତିଶତ କୋଇଲା ଉତ୍ପାଦିତ ହେଉଥିବା ବେଳେ ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ ୬୦ ପ୍ରତିଶତ ଉତ୍ପାଦିତ ହୋଇଥାଏ। ଏ ଥର ସେପ୍ଟେମ୍ୱର ପର୍ଯ୍ୟନ୍ତ ଅନେକ କୋଇଲା ଖଣି ଅଞ୍ଚଳରେ ବର୍ଷା ଓ ବନ୍ୟା ପରିସ୍ଥିତି ଲାଗି ରହିବାରୁ ଜଳମଗ୍ନ ଖଣିରୁ ଉତ୍ତୋଳନ ଓ ପରିବହନ ବାଧାପ୍ରାପ୍ତ ହୋଇଛି ବୋଲି କୁହାଯାଉଛି। ତେବେ ପୂର୍ବ ବର୍ଷ ପ୍ରଥମ ଛଅ ମାସରେ କୋଇଲା ଉତ୍ପାଦନ ୨୮.୨୩ କୋଟି ଟନ୍ ହୋଇଥିବାରୁ ଲଗାତାର ବର୍ଷା ଯୋଗୁ ଏ ବର୍ଷ ଯେ ଉତ୍ପାଦନ ସେପରି ପ୍ରଭାବିତ ହୋଇନାହିଁ, ତାହା ବୁଝାପଡ଼େ। ସେହିପରି ଏ ବର୍ଷ କୋଇଲା ପରିବହନ ମଧ୍ୟ ୩୭.୭୮ କୋଟି ଟନ୍ ହୋଇଛି, ଯାହା ପୂର୍ବ ବର୍ଷର ଏହି ସମୟ ମଧ୍ୟରେ ମାତ୍ର ୩୦.୩ କୋଟି ଟନ୍ ଥିଲା। ତେଣୁ କୋଇଲା ସଙ୍କଟର ପ୍ରକୃତ କାରଣ କିଛି ଭିନ୍ନ।
ଗଚ୍ଛିତ କୋଇଲା ପରିମାଣ ଦୃଷ୍ଟିରୁ ଭାରତ ବିଶ୍ୱର ପଞ୍ଚମ ସ୍ଥାନରେ ଥିଲେ ମଧ୍ୟ ଏହା ଚୀନ ପଛକୁ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ କୋଇଲା ଆମଦାନିକାରୀ ଦେଶ ଅଟେ। ଭାରତ ଆମଦାନି କରୁଥିବା କୋଇଲାର ପ୍ରାୟ ୮୯ ପ୍ରତିଶତ ଇଣ୍ଡୋନେସିଆ (୪୩), ଅଷ୍ଟ୍ରେଲିଆ (୨୬), ଦକ୍ଷିଣ ଆଫ୍ରିକା (୧୪) ଓ ଆମେରିକା (୬) ପରି ଚାରିଟି ଦେଶରୁ ଆସିଥାଏ। ବିଦେଶରେ କୋଇଲାର ଦର ଅପେକ୍ଷାକୃତ ଶସ୍ତା ଥିଲା ବେଳେ ଅନେକ ଘରୋଇ କମ୍ପାନି ବିଦେଶରୁ କୋଇଲା ଆମଦାନି କରିବାକୁ ବେଶୀ ପସନ୍ଦ କରୁଥିଲେ ଓ ଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଅଧିକାଂଶ ତାପଜ ବିଦ୍ୟୁତ୍ କେନ୍ଦ୍ର ବିଦେଶୀ କୋଇଲା ଉପରେ ନିର୍ଭର କରି ଚାଲୁଥିଲା। ବିଦେଶରେ ଅଗଷ୍ଟ ୨୦୨୦ରେ କୋଇଲାର ଦର ଟନ୍ ପିଛା ୫୦ ଡଲାର୍ ଥିବା ବେଳେ ଏବେ ତାହା ଚାରିଗୁଣ ବଢ଼ି ୨୦୦ ଡଲାର୍ ହୋଇ ସାରିଲାଣି। କୋଭିଡ୍ ପରବର୍ତ୍ତୀ ସମୟରେ ଚୀନ, ୟୁରୋପ ଓ ଅନ୍ୟାନ୍ୟ ଦେଶମାନଙ୍କରେ ବିଦ୍ୟୁତ୍ ଚାହିଦାରେ ହଠାତ୍ ବୃଦ୍ଧି ପାଇବା ବିଦେଶରେ କୋଇଲାର ଦର ବୃଦ୍ଧିର ଅନ୍ୟତମ କାରଣ। ଏଥି ସହ ଜାହାଜରେ କୋଇଲା ପରିବହନ ଖର୍ଚ୍ଚ ମଧ୍ୟ ବେଶ ବୃଦ୍ଧି ପାଇଛି। ତେଣୁ ଅତ୍ୟଧିକ ଦରରେ ବିଦେଶରୁ କୋଇଲା ଆମଦାନି କରି ଉତ୍ପାଦିତ ବିଦ୍ୟୁତ୍କୁ କମ୍ ଦରରେ ଯୋଗାଇଲେ କ୍ଷତି ସୁନିଶ୍ଚିତ ହେବା ଜାଣି ଏହି ଧରଣର ଅଧିକାଂଶ ତାପଜ ବିଦ୍ୟୁତ୍ କେନ୍ଦ୍ର ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ କରି ଦେଲେଣି ନତୁବା ଉତ୍ପାଦନକୁ ଯଥେଷ୍ଟ କମ୍ କରି ସାରିଲେଣି। ୨୦୧୯-୨୦ରେ ବିଦେଶରୁ ୨୪.୮୫ କୋଟି ଟନ୍ କୋଇଲା ଆମଦାନି ହୋଇଥିବା ବେଳେ ୨୦୨୦-୨୧ରେ ତାହା ହ୍ରାସ ପାଇ ୨୧.୫୩ କୋଟି ଟନ୍ ହୋଇଥିଲା। ତେବେ ଏ ବର୍ଷ ସେପ୍ଟେମ୍ୱର ସୁଦ୍ଧା ପ୍ରଥମ ୬ ମାସରେ ତାହା ଯଥେଷ୍ଟ କମ୍ ହୋଇ ୬.୨୪ କୋଟି ଟନ୍ରେ ପହଞ୍ଚିଛି। ଗତ ବର୍ଷ ଜୁଲାଇ ଓ ଅଗଷ୍ଟ ତୁଳନାରେ ଏ ବର୍ଷ ସେହି ସମୟରେ କୋଇଲା ଆମଦାନି ୪୫ ପ୍ରତିଶତ ହ୍ରାସ ପାଇଛି।
କୋଇଲା ପାଇଁ ବିଦେଶରୁ ଆମଦାନି ନିର୍ଭରଶୀଳତା ହ୍ରାସ ପାଇବା ସ୍ୱାଗତଯୋଗ୍ୟ ହୋଇଥିଲେ ବି ଦେଶ ଭିତରେ ଉତ୍ପାଦନ ସେହି ଅନୁପାତରେ ବୃଦ୍ଧି ନ ପାଇ ଆମଦାନି ହ୍ରାସ ପାଇବା ନିଶ୍ଚିତ ଭାବେ ଉଦ୍ବେଗଜନକ। ଅଗଷ୍ଟ ଓ ସେପ୍ଟେମ୍ୱର ୨୦୧୯ ତୁଳନାରେ ଏ ବର୍ଷ ସେହି ସମୟରେ ବିଦ୍ୟୁତ୍ ବ୍ୟବହାର ପ୍ରାୟ ୧୭ ପ୍ରତିଶତ ବଢ଼ିଯାଇଛି। ଏକ ପକ୍ଷରେ ଉପକୂଳବର୍ତ୍ତୀ ଅଞ୍ଚଳମାନଙ୍କରେ ଅବସ୍ଥିତ ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକରେ ବିଦ୍ୟୁତ୍ ଉତ୍ପାଦନ ଯଥେଷ୍ଟ ହ୍ରାସ ପାଇବା ଓ ଅନ୍ୟ ପକ୍ଷରେ ବିଦ୍ୟୁତ୍ ଚାହିଦା ଅଗଷ୍ଟ ୨୦୧୯ରେ ଥିବା ୧୦୬୦୦ କୋଟି ୟୁନିଟ୍ ତୁଳନାରେ ଅଗଷ୍ଟ ୨୦୨୧ରେ ୧୨୪୦୦ କୋଟି ୟୁନିଟ୍କୁ ବୃଦ୍ଧି ପାଇଥିବାରୁ ସେହି ବର୍ଦ୍ଧିତ ବିଦ୍ୟୁତ୍ ଚାହିଦାକୁ ପୂରଣ କରିବା ଲାଗି ଘରୋଇ କୋଇଲାରେ ବିଦ୍ୟୁତ୍ ଉତ୍ପାଦନ କରୁଥିବା ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକ ଉପରେ ଅଧିକ ଚାପ ପଡ଼ିବା ସ୍ୱାଭାବିକ। ତେଣୁ ସେଗୁଡ଼ିକୁ ନିରବଚ୍ଛିନ୍ନ ଭାବେ ଅଧିକ ମାତ୍ରାରେ କୋଇଲା ଯୋଗାଇ ଦେବାକୁ ହେବ। ୨୦୧୯ରେ ଦେଶରେ କୋଇଲା ଆଧାରିତ ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକରୁ ୬୨ ପ୍ରତିଶତ ବିଦ୍ୟୁତ୍ ଉତ୍ପାଦନ ହେଉଥିବା ବେଳେ ତାହା ୨୦୨୧ରେ ୬୬ ପ୍ରତିଶତକୁ ବଢ଼ିଯିବାରୁ କୋଇଲାର ଚାହିଦା ବି ୨୦୧୯ ତୁଳନାରେ ପ୍ରାୟ ୧୮ ପ୍ରତିଶତ ବଢ଼ିଯାଇଛି। ତା’ଛଡା ଇସ୍ପାତ, ସିମେଣ୍ଟ, ଆଲୁମିନିଅମ ଆଦି କାରଖାନାଗୁଡ଼ିକରେ ମଧ୍ୟ କୋଇଲା ବହୁ ପରିମାଣରେ ଆବଶ୍ୟକ ହୋଇଥାଏ। କୋଇଲା ଉତ୍ପାଦନ ବଢ଼ିଥିଲେ ବି ଚାହିଦା ଓ ଯୋଗାଣ ମଧ୍ୟରେ ଥିବା ତାରତମ୍ୟ ହିଁ ବର୍ତ୍ତମାନ ସଙ୍କଟର ମୁଖ୍ୟ କାରଣ। ଏତିକିବେଳେ ସବୁ ଧ୍ୟାନ କୋଲ ଇଣ୍ଡିଆର ପ୍ରଦର୍ଶନ ଉପରେ ନିବଦ୍ଧ ହେଉଥିଲେ ବି ୨୦୨୦ରେ ହୋଇଥିବା କୋଇଲା କ୍ଷେତ୍ରରେ ସଂସ୍କାର କାର୍ଯ୍ୟକ୍ରମ ପରେ ଯେଉଁ ସବୁ ଘରୋଇ କମ୍ପାନିକୁ କୋଇଲା ଖଣି ଆବଣ୍ଟିତ ହୋଇଛି, ଏହି ସଙ୍କଟ ସମୟରେ ସେମାନଙ୍କ ଉତ୍ପାଦନ ବୃଦ୍ଧି ପାଇଁ ଭୂମିକା କ’ଣ, ତା’ ଉପରେ ବି ଦୃଷ୍ଟି ନିବଦ୍ଧ ରହିବା ଆବଶ୍ୟକ।
ସାରା ବିଶ୍ୱ ଏବେ ଶକ୍ତି ସଙ୍କଟ ଭିତର ଦେଇ ଗତି କରୁଛି ଓ ତା’ର ତରଙ୍ଗ ପ୍ରଭାବ ଭାରତରେ ଅନୁଭୂତ ହେବା କିଛି ବିଚିତ୍ର ନୁହେଁ। ତେବେ ଭାରତରେ ବିପୁଳ ପରିମାଣରେ କୋଇଲା ଗଚ୍ଛିତ ଥିବାରୁ ସରକାରୀ ସ୍ତରରେ ସମ୍ଭାବ୍ୟ ସ୍ଥିତିର ପୂର୍ବାନୁମାନ ଓ ଆକଳନ ପୂର୍ବକ ପୂର୍ବ ପ୍ରସ୍ତୁତି କରାଯାଇ ପାରିଥିଲେ ସ୍ଥିତି ସଙ୍କଟ ଆଡ଼କୁ ମୁହାଁଇ ନ ଥାଆନ୍ତା। କୋଭିଡ୍ ପରବର୍ତ୍ତୀ କାଳରେ ଅର୍ଥନୈତିକ ଗତିବିଧି ଗତିଶୀଳ ହେବାକୁ ଆରମ୍ଭ କଲେ ଶକ୍ତିର ଆବଶ୍ୟକତା ବୃଦ୍ଧି ପାଇ କୋଇଲାର ଅାନ୍ତର୍ଜାତିକ ମୂଲ୍ୟ ବୃଦ୍ଧି ପାଇବ ବୋଲି ପୂର୍ବରୁ ଜଣାଥିଲା। ଖଣି ଅଞ୍ଚଳ ଜଳମଗ୍ନ ହୋଇ ମାଇନିଂ କାର୍ଯ୍ୟ ଓ ପରିବହନ କିଛି ଦିନ ଲାଗି ବାଧାପ୍ରାପ୍ତ ହେବା ବି କିଛି ନୂଆ କଥା ନୁହେଁ। ସେଭଳି ସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତିର ଅଭାବ ହିଁ ସଙ୍କଟକୁ ଅଧିକ ଗମ୍ଭୀର କରିଥିଲା ପରି ମନେହୁଏ। ଖଣି ସଂଲଗ୍ନ ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକ କ୍ଷେତ୍ରରେ କୋଇଲା ଉପଲବ୍ଧତାରେ ବିଳମ୍ୱ ହେବାର ଆଶଙ୍କା ନ ଥାଏ। ତେବେ ଅନେକ କ୍ଷେତ୍ରରେ ୧୦୦୦ରୁ ୧୫୦୦ କିଲୋମିଟର ଦୂରରୁ କୋଇଲା ବୋହି ଆଣିବାକୁ ପଡୁଥିବାରୁ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକରେ ଅନ୍ତତଃ ୧୪ ଦିନର କୋଇଲା ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଥିବା ସତ୍ତ୍ୱେ କିଛି ତାପଜ ବିଦ୍ୟୁତ୍ କେନ୍ଦ୍ର ଅପ୍ରେଲରୁ ଜୁନ୍ ମାସ ମଧ୍ୟରେ ଆବଶ୍ୟକ ପରିମାଣର କୋଇଲା ଗଚ୍ଛିତ ନ ରଖିବା ଓ କିଛି କେନ୍ଦ୍ରରେ ତାହା କମ୍ ହୋଇ ୪ ଦିନ ସ୍ତର ପର୍ଯ୍ୟନ୍ତ ଖସି ଆସିବା ନିରୀକ୍ଷଣ ବ୍ୟବସ୍ଥାର ବିଫଳତାକୁ ସୂଚାଇବା ସହ ଶକ୍ତି, କୋଇଲା ଓ ରେଳ ମନ୍ତ୍ରାଳୟ ମଧ୍ୟରେ ସମନ୍ୱୟର ଅଭାବକୁ ହିଁ ଦର୍ଶାଉଛି। ବର୍ତ୍ତମାନର ସଙ୍କଟ ଅନେକଟା ପରିଚାଳନାଗତ ବିଫଳତାରୁ ହୋଇଥିବାରୁ ତାକୁ ସୁଧାରି ନେଲେ ଏହାର ପ୍ରଭାବ ସାମୟିକ ଭାବେ ଅନୁଭୂତ ହୋଇପାରେ। ହେଲେ ୨୦୩୦ ସୁଦ୍ଧା ଜୀବାଶ୍ମ ଇନ୍ଧନର ବ୍ୟବହାରକୁ ଅଧା କରିବାକୁ ଭାରତ ପ୍ରତିବଦ୍ଧ ହୋଇଥିବାରୁ ଆଗାମୀ ଦିନମାନଙ୍କରେ ବିଦ୍ୟୁତ୍ ଦର ବୃଦ୍ଧି ସ୍ଥାୟୀ ହୋଇପାରେ।
ଦେଶରେ ବିଦ୍ୟୁତ୍ ବିତରଣ ସରକାରୀ ନିୟନ୍ତ୍ରଣରେ ଥିବାରୁ ହଠାତ୍ ହୁଏ’ତ ଉପଭୋକ୍ତାଙ୍କ ଉପରେ ତା’ର ବୋଝ ପଡ଼ି ନ ପାରେ। ତେବେ ଇତିମଧ୍ୟରେ ଘଟିଥିବା କିଛି ଘଟଣା ଓ ସରକାରୀ ନିଷ୍ପତ୍ତିରୁ ବିଦ୍ୟୁତ୍ ଦର ବୃଦ୍ଧିର ଇଙ୍ଗିତ ମିଳୁଛି। ଇକ୍ରା ରେଟିଂ ସଂସ୍ଥାର ଆକଳନ ଅନୁସାରେ ବିଦେଶରୁ କୋଇଲା ଆମଦାନି କରି ବିଦ୍ୟୁତ୍ ଉତ୍ପାଦନ କରୁଥିବା କେନ୍ଦ୍ରଗୁଡ଼ିକର ଉତ୍ପାଦନ ଖର୍ଚ୍ଚ ଅପ୍ରେଲ ପର ଠାରୁ ପ୍ରାୟ ୪୫-୫୦ ପ୍ରତିଶତ ବଢ଼ି ସାରିଛି। ଅକ୍ଟୋବର ୧୪, ୨୦୨୧ରେ ଇଣ୍ଡିଆନ ଏନର୍ଜି ଏକ୍ସଚେଞ୍ଜରେ ବିଦ୍ୟୁତ୍ର ୟୁନିଟ୍ ପିଛା ସ୍ପଟ୍ ଏକ୍ସଚେଞ୍ଜ ଦର ୧୩.୮୭ ଟଙ୍କା ଥିଲା। ଅର୍ଥାତ୍ ବିଦ୍ୟୁତ୍ ସଙ୍କଟର ସମ୍ମୁଖୀନ ହୋଇଥିବା କିଛି ରାଜ୍ୟ ଏହି ଦରରେ ବିଦ୍ୟୁତ୍ କିଣି ନିଜ ଉପଭୋକ୍ତାମାନଙ୍କୁ ଯୋଗାଇବାକୁ ବାଧ୍ୟ ହୋଇଥିଲେ। ଅବଶ୍ୟ ଇତିମଧ୍ୟରେ ସ୍ଥିତି ସୁଧୁରିବା ଆରମ୍ଭ କରିଛି। ତେବେ ବିଦ୍ୟୁତ୍ ଉତ୍ପାଦନ ନ ବଢ଼ିଲେ ଓ ଉତ୍ପାଦନ ଖର୍ଚ୍ଚ କମ୍ ନ ହେଲେ ବିଦ୍ୟୁତ୍ ଦର କମ୍ ହେବା ସମ୍ଭାବନା କ୍ଷୀଣ। ଘରୋଇ କୋଇଲା ଗୁଣାତ୍ମକ ଦୃଷ୍ଟିରୁ ଅପେକ୍ଷାକୃତ ନିମ୍ନମାନର ହୋଇଥିବାରୁ ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକୁ ତୁରନ୍ତ ବିଦେଶରୁ କୋଇଲା ଆମଦାନି କରି ଘରୋଇ କୋଇଲା ସହ ମିଶାଇ ବିଦ୍ୟୁତ୍ ଉତ୍ପାଦନ ବଢ଼ାଇବାକୁ ସରକାର ଅନୁମତି ପ୍ରଦାନ କରିଛନ୍ତି।
ବିଦେଶରୁ ଅଧିକ ଦରରେ କୋଇଲା କିଣା ହୋଇ ବିଦ୍ୟୁତ୍ ଉତ୍ପାଦନ କରାଗଲେ, ତା’ ପ୍ରଭାବରେ ବିଦ୍ୟୁତ୍ ଦର ଯେ ନିଶ୍ଚିତ ରୂପେ ବଢ଼ିବ ଏଥିରେ ସନ୍ଦେହ ନାହିଁ। ପ୍ରାକୃତିକ ଗ୍ୟାସ୍ର ଦର ପ୍ରାୟ ଦୁଇ ଗୁଣ ବଢ଼ି ସାରିଥିବାରୁ ତାକୁ ବ୍ୟବହାର କରି ହେଉଥିବା ବିଦ୍ୟୁତ୍ ଉତ୍ପାଦନ ଆଉ ଏକ ବ୍ୟବହାର୍ଯ୍ୟ ବିକଳ୍ପ ହୋଇ ରହିନାହିଁ। ବିଭିନ୍ନ କାରଣରୁ ଏ ଯାଏଁ ଅକ୍ଷୟ ଶକ୍ତିର ଉପଯୋଗରେ ବିଦ୍ୟୁତ୍ ଉତ୍ପାଦନ ଉଲ୍ଲେଖନୀୟ ସଫଳତା ହାସଲ କରିପାରିନାହିଁ। ସାରା ବିଶ୍ୱରେ ଦେଖା ଦେଇଥିବା ଶକ୍ତି ସଙ୍କଟ ଆସନ୍ତା ଛଅ ମାସ ଭିତରେ ସ୍ୱାଭାବିକ ଅବସ୍ଥାକୁ ଫେରିବା ଆଶା କ୍ଷୀଣ। ତେଣୁ ଏହି ପରିସ୍ଥିତିରେ ଦେଶର ଶକ୍ତି ଆବଶ୍ୟକତାକୁ ପରିପୂରଣ କରିବା ସହିତ ଖାଉଟିଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖି କିପରି ସେମାନଙ୍କୁ ବିଜୁଳି ଦର ବୃଦ୍ଧିର ପ୍ରଭାବରୁ ରକ୍ଷା କରି ହେବ, ତାହା ସୁନିଶ୍ଚିତ କରିବା ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ ହେବ। ୟୁନିଟ୍ ପିଛା ୩୦ ପଇସା ଦର ବୃଦ୍ଧିକୁ ବହନ କରି ପାରୁ ନ ଥିବା ଖାଉଟିକୁ ସ୍ପଟ୍ ଏକ୍ସଚେଞ୍ଜର ୟୁନିଟ୍ ପିଛା ୧୩ ଟଙ୍କା ଦରରେ ବିଦ୍ୟୁତ୍ ଉପଲବ୍ଧ କରାଗଲେ ସେ ହୁଏ’ତ ପ୍ରସ୍ତର ଯୁଗକୁ ଫେରିଯିବାକୁ ଅଧିକ ପସନ୍ଦ କରିପାରେ। କାରଣ ପେଟ୍ରୋଲ, ଡିଜେଲ, ଗ୍ୟାସ୍ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଅହେତୁକ ଦର ବୃଦ୍ଧିରେ ଅଣ୍ଟା ଭାଙ୍ଗି ପନିଥିବା ସାଧାରଣ ଜନତା ଆଉ ବିଜୁଳି ଦର ବୃଦ୍ଧିର ବୋଝକୁ ବହନ କରିବା ଅବସ୍ଥାରେ ନାହାନ୍ତି।
ମୋ-୯୪୩୭୦୩୮୦୧୫
www.SaralJatil.com