ଏକ ହତ୍ୟାକାଣ୍ଡର ମନସ୍ତାତ୍ତ୍ବିକ ପୋଷ୍ଟମର୍ଟମ

ସୃଜନ ପ୍ରକାଶ ଦାସ

ଯେ କୌଣସି ପିତା-ମାତାଙ୍କ ପାଇଁ ସନ୍ତାନମାନଙ୍କର ମୃତ୍ୟୁ ଏକ ଦାରୁଣ ଧକ୍କା। ଏବଂ ତାହା ଯଦି ହତ୍ୟା କିମ୍ବା ଆତ୍ମହତ୍ୟା ଭଳି ଏକ ଅସ୍ୱାଭାବିକ ମୃତ୍ୟୁ ହୋଇଥାଏ, ତାହା ଏହି ଦୁଃଖକୁ ବହୁ ପରିମାଣରେ ବଢ଼ାଇ ଦିଏ। କିଛି ଦିନ ତଳେ ଭୁବନେଶ୍ୱରରେ ଜଣେ ଯୁବକଙ୍କୁ ତାଙ୍କର କେତେକ ବନ୍ଧୁ ମିଳିତ ଭାବରେ ହତ୍ୟା କରି ପ୍ରମାଣ ନଷ୍ଟ କରିବା ଉଦେଶ୍ୟରେ ନିକଟରେ ଥିବା ଏକ ପୋଖରୀ ଭିତରକୁ ଶବକୁ ଫୋପାଡ଼ି ଚାଲି ଯାଇଥିଲେ। ପ୍ରତ୍ୟେକ ଅପରାଧୀ ମନେ କରିଥାଏ ଯେ ସେ ଘଟାଇଥିବା ଅପରାଧ ଏକ ତ୍ରୁଟିହୀନ ଅପରାଧ (perfect crime)। ପୁଲିସ ତଦନ୍ତ ସେମାନଙ୍କ ପାଖରେ ପହଞ୍ଚି ପାରିବ ନାହିଁ। ମାତ୍ର ଏ କ୍ଷେତ୍ରରେ ତାହାର ଠିକ ବିପରୀତ ହିଁ ହୋଇଥିଲା। ଯାହା ସମ୍ବାଦପତ୍ର ଓ ଗଣମାଧ୍ୟମରୁ ଜାଣିବାକୁ ମିଳେ, ସେଦିନ ସନ୍ଧ୍ୟାରେ ଯୁବକ ଜଣକ ନିଜ ବିବାହ ପାଇଁ ଲୁଗାପଟା କିଣିବା ଲକ୍ଷ୍ୟରେ ଘରୁ ବାହାରିଥିଲେ। କିନ୍ତୁ, ବନ୍ଧୁମାନଙ୍କ ସହିତ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମଦ୍ୟପାନ କରିବା ପରେ ବିଲ୍‌ ପୈଠକୁ କେନ୍ଦ୍ର କରି ସେମାନଙ୍କ ମଧ୍ୟରେ ବଚସା ହୋଇଛି। ସକାଳ ୩ଟାରେ ଯୁବକ ଜଣକ ତାଙ୍କ ବାପାଙ୍କୁ ତାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ପାଇଁ ଅନୁରୋଧ ମଧ୍ୟ କରିଛନ୍ତି। ସେହି ସମୟରେ ବାପା-ମା’ଙ୍କର ମାନସିକ ଅବସ୍ଥା କିଭଳି ଥିବ, ତାହା ସହଜରେ ଅନୁମେୟ। ନିକଟସ୍ଥ ଥାନାରେ ଅପହରଣର ଅଭିଯୋଗ ଲେଖାଇବା ପରେ ପରଦିନ ଅପରାହ୍‌ଣରେ ଏକ ପୋଖରୀ ଭିତରୁ ପୁଅର ଶବ ଭାସମାନ ଅବସ୍ଥାରେ ମିଳିଥିଲା। ଏଥିରେ ଯାହା ଘୋର ବିଡ଼ମ୍ବନା ତାହା ହେଲା ସାମାନ୍ୟ ୭୦୦୦-୮୦୦୦ ଟଙ୍କା ପାଇଁ ଜଣେ ଯୁବକଙ୍କୁ ତାଙ୍କର ତଥାକଥିତ ବନ୍ଧୁମାନେ ହତ୍ୟା କଲେ! ଏହା ଆମ ଭିତରେ ଦେଖା ଦେଇଥିବା କ୍ରମ ନିମ୍ନଗାମୀ ନୈତିକତାକୁ ଦର୍ଶାଏ।

ଏଭଳି (ଦୁଃ) ଘଟଣା ଯେ ଆମ ସମାଜରେ ପୂର୍ବରୁ ଘଟି ନାହିଁ- ତାହା ନୁହଁ। ମାତ୍ର, ଏ ସବୁ ଘଟଣାରୁ ଯାହା ଶିକ୍ଷଣୀୟ ତାହା ହେଉଛି- ଏଭଳି ଦୁର୍ଘଟଣା ପ୍ରାକ୍‌ ସତର୍କବାଣୀ ବା ଚେତାବନୀ ବିନା ଆସେ ନାହିଁ। ସେମାନଙ୍କର ହାବଭାବ, କଥାବାର୍ତ୍ତା, ଚିନ୍ତାଧାରା- ଆସନ୍ନ ବିପଦର ସଂକେତ ନିଶ୍ଚୟ ଦେଇଥିବ। ହେଲେ, ଏଭଳି ଚେତାବନୀକୁ ଆମେ ନଜର ଅନ୍ଦାଜ କରିଦେଇଥାଉ; ଯାହାର ପରିଣାମ ଏଭଳି ଭୟଙ୍କର ହୋଇଥାଏ। ଯେମିତି କୌଣସି ଗୁରୁତର ବ୍ୟାଧି ଗ୍ରାସ କରିବା ପୂର୍ବରୁ, ତା’ର ପ୍ରାରମ୍ଭିକ ଲକ୍ଷଣ ଦେଖା ଦେଇଥାଏ; ୟେ ସେହି ଭଳି କଥା। ଯୁବ ଅବସ୍ଥାରେ ବ୍ୟକ୍ତି ଉପରେ ବନ୍ଧୁମାନଙ୍କର ପ୍ରଭାବ ପିତାମାତାଙ୍କ ତୁଳନାରେ ଯଥେଷ୍ଟ ଅଧିକ ଥାଏ। ତେଣୁ, ବନ୍ଧୁ ଯେ ପ୍ରକୃତ ବନ୍ଧୁ ନୁହନ୍ତି, ତାହା ଜାଣି ମଧ୍ୟ ସେ ପ୍ରଭାବରୁ ନିଜକୁ ଦୂରେଇ ରଖିବା ସହଜ ହୋଇ ନ ଥାଏ। ଏସବୁ କ୍ଷେତ୍ରରେ ଯଦି କାହାରି ଭୂମିକା ଗୁରୁତ୍ୱପୂର୍ଣ୍ଣ, ତାହା ହେଉଛି ବାପା-ମା’ଙ୍କର। କାରଣ, ସେମାନଙ୍କର ଅନୁଭବୀ ଦୃଷ୍ଟିକୁ ଧୋକା ଦେବା ସେତେଟା ସହଜ କଥା ନୁହଁ। ବନ୍ଧୁତ୍ୱ ଗଢ଼ିବା, ଭୋଜିଭାତ କରିବା ହେଉଛି ଏକ ସାଧାରଣ ପ୍ରକ୍ରିୟା। ମାତ୍ର, ଯଦି ତାହା ମାତ୍ରାଧିକ ହୋଇଯାଏ, ସେଥିରେ ଅସ୍ବାଭାବିକତା ଲକ୍ଷ୍ୟ କରି ହୁଏ। ହୁଏ’ତ ସେହି ଯୁବକ ଜଣକ ପୂର୍ବରୁ ବନ୍ଧୁମାନଙ୍କ ସହିତ ବିଳମ୍ବିତ ରାତିରେ ବୁଲି ବାହାରୁଥିବେ। କିନ୍ତୁ ସେଭଳି ଅଭ୍ୟାସକୁ ମୂଳରୁ ବନ୍ଦ କରି ଦିଆଯାଇ ପାରନ୍ତା। ଅଭିଭାବକମାନେ ସତର୍କ ରହିଲେ ଏଭଳି ଘଟଣାରେ ବିଳମ୍ବ ହେବା ମାତ୍ରକେ ଆବଶ୍ୟକ ସ୍ଥଳେ ପୁଲିସ ଏବଂ ବନ୍ଧୁ ବା ଆତ୍ମୀୟସ୍ବଜନଙ୍କ ସାହାଯ୍ୟ ନେଇ ନିଜ ସନ୍ତାନମାନଙ୍କୁ ଘରକୁ ଫେରାଇ ଆଣିବା ଉଚିତ। ତାହା ହେଲେ ଏଭଳି ଘଟଣା ଘଟିବା‌ର ଆଶଙ୍କା କମିବ।

ଏହି ଲେଖକର ରାଜ୍ୟ ଅପରାଧ ବିଧି ପ୍ରୟୋଗଶାଳାରେ ଅପରାଧ ମନସ୍ତତ୍ତ୍ବବିତ୍‌ ଭାବରେ ଦୀର୍ଘ ଦିନର ଅଭିଜ୍ଞତା ରହିଛି। ଅନେକ ଅପରାଧର ମନସ୍ତାତ୍ତ୍ବିକ ବିଶ୍ଳେଷଣ (psychological autopsy), ଅପରାଧୀମାନଙ୍କର ମନକୁ ଜାଣିବାର ସୁଯୋଗ ପାଇଛି। ମଣିଷ ମନର ଅପରାଧ ପ୍ରବଣତାକୁ କେନ୍ଦ୍ର କରି ବହୁ ଗବେଷଣା ହୋଇଛି ସତ, ମାତ୍ର ପାରିପାର୍ଶ୍ବିକ ଅବସ୍ଥା କିମ୍ବା ଆନୁବଂଶିକ ପ୍ରଭାବ- କାହାର ଭୂମିକା ଅଧିକ ତାହା ନିଶ୍ଚିତ ଭାବରେ କହିବା କଠିନ। ପୁଣି ପ୍ରତି ଅପରାଧ ସୁପରିକଳ୍ପିତ କିମ୍ବା ନିମିଷକ କ୍ରୋଧର ପରିପ୍ରକାଶ- ତାହା ମଧ୍ୟ ଆଲୋଚନାର ବିଷୟ। ମାତ୍ର, ଏ କଥା କ’ଣ ସତ ନୁହଁ ଯେ ଆଜିକାଲି ଆମ ବ୍ୟସ୍ତତା ବହୁଳ ଜୀବନ ମଧ୍ୟରେ ପରିବାରର ସଦସ୍ୟମାନଙ୍କ ମଧ୍ୟରେ ଥିବା ସମ୍ପର୍କ ପୂର୍ବ ଭଳି ସୁଦୃଢ଼ ନାହିଁ। କେହି କାହା ସହିତ କଥା ହେବା ପାଇଁ କିମ୍ବା ମନ କଥା ବାଣ୍ଟିବା ପାଇଁ ପ୍ରସ୍ତୁତ ନୁହଁ। ସମୟ ଥିଲେ ମଧ୍ୟ ପ୍ରତ୍ୟେକ ସଦସ୍ୟ ନିଜ ନିଜ ମୋବାଇଲ ଫୋନ୍‌ କିମ୍ବା ଲାପ୍‌ଟପ୍‌ରେ ଏଭଳି ଭାବରେ ନିମଗ୍ନ ଯେ କେହି କାହା ଦୁଃଖ କିମ୍ବା ସମସ୍ୟା ବାଣ୍ଟିବା ପାଇଁ ଚାହୁଁ ନାହିଁ। ଫଳ ସ୍ୱରୂପ, ଯୁବକ-ଯୁବତୀମାନଙ୍କର ବିପଥଗାମୀ ହେବା ବା କୁସଙ୍ଗରେ ନିଜ ସତ୍ତା ହରାଇବା ସ୍ୱାଭାବିକ ହୋଇଉଠେ।

ତେଣୁ, ମୂଳ କଥା ହେଲା ବେଳହୁଁ ସାବଧାନ ରହିବା ବୁଦ୍ଧିମାନର କାର୍ଯ୍ୟ। ସତର୍କ ରହିଲେ, ସାବଧାନ ରହିଲେ ଅନେକ ଦୁର୍ଘଟଣାକୁ ଆମେ ଏଡ଼େଇ ଦେଇ ପାରିବା। ସୁଖୀ, ସଫଳ, ନିର୍ବିବାଦୀୟ ଜୀବନ ଯାପନ ଆମ ରୁଚି, ଆମ ଦୃଷ୍ଟିକୋଣ ଉପରେ ହିଁ ନିର୍ଭର କରେ।

ମୋ- ୯୪୩୮୧୪୯୭୬୧
[email protected]

ସମ୍ବନ୍ଧିତ ଖବର