ମଣିଷ ଗାନ୍ଧୀ

କହିବାର ଅଛି - ଦାଶ ବେନହୁର

ସ୍ୱାଧୀନ ଗଣତାନ୍ତ୍ରିକ ଭାରତକୁ ପଞ୍ଚସ୍ତରି ବର୍ଷ ହେଲାଣି। ଏ ଭିତରେ ଭଲ ମନ୍ଦ କେତେ ଯେ ପରିବର୍ତ୍ତନ ଆସିଲାଣି ତା’ର ହିସାବ ନାହିଁ। ପରିବର୍ତ୍ତନ ଖୁବ୍‌ ଦ୍ରୁତ ଗତିରେ ଆଗେଇ ଚାଲିଛି। କେହି କ’ଣ ଅଟକି ଯାଇ ଭାବୁଛି ଯେ ଆମେ ଭଲ ଆଡ଼କୁ ଯାଉଛେ କି ମନ୍ଦ ଆଡ଼କୁ? ଏ ପ୍ରଶ୍ନ ପଚାରିବା ପାଇଁ ବେଳ ନାହିଁ କାହାର। ସମସ୍ତେ ନଈର ପାଣି। ବୋହିଯିବାକୁ ବ୍ୟଗ୍ର।

ଜୀବନ ତ ପରିବର୍ତ୍ତନଶୀଳ। ବୋହିଯିବା ତା’ର ଧର୍ମ। ହେଲେ ବୋହିଯିବା ପାଇଁ ହିଁ ବୋହିଯିବା ବା ଆପଣାର ପ୍ରଭୂତ କ୍ଷତିସାଧନ କରି ପରିବର୍ତ୍ତନକୁ ସ୍ବୀକାର କରିନେବା ଗୋଟାଏ ସୁସ୍ଥ ଏବ˚ ସୁସ˚ହତ ସମାଜ ଲାଗି ମୋଟେ ସ୍ପୃହଣୀୟ ନୁହେଁ।

ଗଣତନ୍ତ୍ର ପ୍ରକୃତରେ ନା ସମୟର, ନା କୌଣସି ସରକାରର ବା ରାଷ୍ଟ୍ରର। ଗଣତନ୍ତ୍ରଟି ଲୋକଙ୍କର। ଯେଉଁଠି ଏ ବ୍ୟବସ୍ଥା ସହିତ ଲୋକେ ନାହାନ୍ତି ସେଠାରେ ତାହାର ସ୍ବରୂପ ଆପେ ଭିନ୍ନ ହୋଇଯାଏ। ଲୋକମତ ହିଁ ଗଣତନ୍ତ୍ରର ଆଧାରଭୂମି। ଏ ଲୋକମତ ପୁଣି କେବଳ ଜାଣିବାର ମନୋଭାବ ହୋଇ ରହିଲେ ଚଳିବ ନାହିଁ। ଏହା ସହିତ ଜଣେଇବାର ଭାବବୋଧ ମଧୢ ଯୋଡ଼ି ହୋଇ ରହିବା ଦରକାର। ଜଣେଇବା ଅର୍ଥ ଭଲ ଠାରୁ ମନ୍ଦକୁ ଅଲଗା କରିବା। ଭଲ ପାଇଁ ମନ୍ଦ ବିରୋଧରେ ବିଦ୍ରୋହ କରିବା। ଯେଉଁଠାରେ ଭଲ ପାଇଁ ଲୋକ ପାଟି ନ ଫିଟାଇ ମନ୍ଦକୁ ସହି ନିଅନ୍ତି ସେଠାରେ ମନ୍ଦ ହିଁ ଭଲର ପଗଡ଼ି ପିନ୍ଧି ସି˚ହାସନରେ ବସିଯାଏ। ଭଲ ମରିଯାଏ ଓ ମନ୍ଦ ଶାସନ କରେ। ସମାଜ ଭୁଶୁଡ଼ି ଯାଏ।

ବର୍ତ୍ତମାନ ଭାରତ ମାନଚିତ୍ରକୁ ଚାହିଁ ଭାତହାଣ୍ତିରୁ ଗୋଟିଏ ଚିପିବା।

ଏବେ କିଛି ଲୋକ ହଠାତ୍‌ ଗାନ୍ଧୀଜୀଙ୍କୁ ତାଙ୍କର ଏକ ନମ୍ବର କାର୍ଯ୍ୟକ୍ରମ କରିଛନ୍ତି। କାର୍ଯ୍ୟକ୍ରମଟି ଗାନ୍ଧୀ ବିଚାରବୋଧର ପ୍ରଚାର ପ୍ରସାର ପାଇଁ ନୁହେଁ। ମୂଳ ଉଦ୍ଦେଶ୍ୟ ଗାନ୍ଧୀଙ୍କୁ ନେଇ ଅପପ୍ରଚାର। ଗାନ୍ଧୀଜୀ ନ କରିଥିବା କାମ, ନ କହିଥିବା କଥା ଓ ଗାନ୍ଧୀ ଭାବନାର ମହାର୍ଘ ବିଚାରଧାରାର ଅଶାଳୀନ ଅନୁଶୀଳନକୁ ଖୁବ୍‌ ଚତୁରତାର ସହ ବିଜ୍ଞାପିତ କରାଯାଉଛି। ସବୁଠାରୁ ବିଡ଼ମ୍ବନାର କଥା ହେଉଛି ଯେଉଁମାନେ ଗାନ୍ଧୀ ଜନ୍ମବାର୍ଷିକୀର ଦେଢ଼ଶହ ବର୍ଷ ପୂର୍ତ୍ତି ଲାଗି ବର୍ଷ ତମାମ ଶହ ଶହ କୋଟି ଖର୍ଚ୍ଚ କଲେ ସେଇମାନେ ହିଁ ଅନ୍ୟପଟେ ଏଭଳି ଗାନ୍ଧୀମାରଣ ନୀତିଟିକୁ କାର୍ଯ୍ୟକାରୀ କରୁଛନ୍ତି। ଗୋଟେ ପଟେ ରାମ ରାମ ଆଉ ଗୋଟେ ପଟେ ରାବଣ ରାବଣ। ମନା ନାଇଁ। ରାବଣ ମଧୢ ଅନେକ ବିଚକ୍ଷଣତାର ଅଧିକାରୀ ଥିଲେ। ଯଦି ରାବଣଙ୍କ ସହିତ ରହିବାକୁ ଚାହଁ ତେବେ ରାବଣଙ୍କର କଥା କୁହ, ରାମଙ୍କ ନାମରେ ମିଛ କହିବାର ଆବଶ୍ୟକତା କ’ଣ?

ଆବଶ୍ୟକତା ଅଛି। କାରଣ ସେମାନେ ଜାଣିଛନ୍ତି ରାମ ନାମଟି ଥିବା ଯାଏ ରାବଣ ରାଜ୍ୟ ପ୍ରତିଷ୍ଠିତ ହୋଇପାରିବ ନାହିଁ। ରାମ ନାମଟି ଉଡ଼େଇ ଦେଲେ ଆପେ ରାବଣ ଉପରେ ଆଲୁଅ ପଡ଼ିବ। ଟର୍ଚ୍ଚ ଚିପିବା କାମ ସେମାନଙ୍କର। ଲୋକେ ତ ଦେଖିବାକୁ ବାୟା। ଫୁଲଗଦାଟିଏ କରି ଦେଲେ ସେଠି ଲୋକଙ୍କର ଭିଡ଼ ହେବ ନାହିଁ। ଓଲଟି ଖପୁରି ଗଦାଟିଏ କରିଦେଲେ ତା’ ଚାରିପଟେ ଅସମ୍ଭବ ଭିଡ଼ ଲାଗିଯିବ।

ଭଲ ଅପେକ୍ଷା ମନ୍ଦ ଯେ ଅଧିକ ଲୋକଗ୍ରାହୀ ସେ କଥା ବୁଝାଇ କହିବା ଅନାବଶ୍ୟକ।

ରାମଙ୍କ କଥାରୁ ରାମ ମନ୍ଦିର କଥା ମନକୁ ଆସୁଛି। ରାମ ମନ୍ଦିର ନିର୍ମାଣ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି। ନାନା ବିଶ୍ବାସର ଦେଶ ଭାରତ। କେତେ ବିଶ୍ବାସ ଏଠାରେ ଜନ୍ମ ନେଇ ପୁଣି ମରିଯାଇଛି। ଆଜି ନୁହେଁ କେଉଁ ଅତୀତ କାଳରୁ ଭାରତ ସବୁ ବିଶ୍ବାସକୁ ସମ୍ମାନ ଦେଇ ଆସିଛି। ବିଦେଶୀ ଆସି ହୁକୁମତ୍‌ କଲାବେଳେ କେଉଁ ବିଶ୍ବାସକୁ ମାରିବାକୁ ଚାହିଁଲେ, କାହାକୁ ରଖିବାକୁ ମନ କଲେ ତାହା ଏଠାରେ ବିଚାର୍ଯ୍ୟ ନୁହେଁ। ଅସଲ କଥା ହେଉଛି ଭାରତୀୟମାନଙ୍କର ନାନା ବିଶ୍ବାସ ପ୍ରତି ଚିରାଚରିତ ସହନଶୀଳ ମନୋଭାବ। ରାମ, ବାନର ଭାବ ଓ ଅସୁର ଭାବକୁ ସହିଥିଲେ ବୋଲି କିଷ୍କିନ୍ଧ୍ୟାରେ ସୁଗ୍ରୀବଙ୍କୁ ଓ ଲଙ୍କାରେ ବିଭୀଷଣଙ୍କୁ ପ୍ରତିଷ୍ଠିତ କରି ଫେରିଥିଲେ ଅଯୋଧୢା। ରାବଣ ଅସୁର ବୋଲି ମରି ନ ଥିଲା। ତା’ର ମୃତ୍ୟୁର କାରଣ ଥିଲା ‘ଅହଙ୍କାର’।

ଆଜି ରାମ ମନ୍ଦିର ତିଆରି କଲାବେଳେ ଆମେ ରାମଭାବ ସହ କେତେ ମାତ୍ରାରେ ଅଛେ? ସାରା ଭାରତରେ ଶ୍ରୀରାମ ସର୍ବମାନ୍ୟ ମୂର୍ଦ୍ଧନ୍ୟ ପୁରୁଷ। ସେଇଥିପାଇଁ ଅନେକ ଅଞ୍ଚଳରେ ଜଣେ ଆଉ ଜଣକୁ ସୌହାର୍ଦ୍ଦ୍ୟ ବା ସମ୍ଭାଷଣ ଜଣାଇବା ବେଳେ କହେ ‘ରାମ’, ‘ରାମ’। ରାମର ଅର୍ଥ ‘ସୁନ୍ଦର’, ‘ଶୁଭ’। ରାମ ଭାବର ଅର୍ଥ ସତ୍ୟର ଭାବ। ପ୍ରଭୁ ଶ୍ରୀରାମ ଥିଲେ ସତ୍ୟର ସ୍ବରୂପ। ମୋହନ ଦାସ କରମଚାନ୍ଦ ଗାନ୍ଧୀଙ୍କ ଭଳି ରାମ ଭାବକୁ ନେଇ ବଞ୍ଚିଥିବା ବ୍ୟକ୍ତି ବିରଳ ନିଶ୍ଚୟ। ପିଲାଦିନରୁ ହେତୁ ପାଇଲାଦିନୁ ରମ୍ଭାଧାଈ ବାଟେ ସେ ପାଇଥିଲେ ରାମଙ୍କୁ। ଶେଷ ବେଳେ ବି ଗୁଳିମୁହଁରେ ସ˚ସାର ଛାଡ଼ିଲାବେଳେ ତାଙ୍କ ମୁହଁରେ ସେଇ ରାମ ହିଁ ଥିଲେ। ଯେଉଁ ସତ୍ୟରକ୍ଷା ପାଇଁ ଶ୍ରୀରାମ ବଣକୁ ଯାଇଥିଲେ ସେଇ ସତ୍ୟ ଥିଲା ତାଙ୍କ ଜୀବନର ପ୍ରୟୋଗ।

ହେ ରାମଭକ୍ତଗଣ! ଯେଉଁମାନେ ଆଜି ଗାନ୍ଧୀ-ମାରଣ ଯଜ୍ଞରେ ପ୍ରମତ୍ତ ନିଜକୁ ଟିକେ ଦୟାକରି ପଚାର ତୁମ ଭିତରୁ କିଏ ରାମଙ୍କୁ ରଖିପାରିଛ ଭିତରେ? କେତେ ତୁମେ ଜାଣିଛ ରାମଙ୍କୁ? ମୋହନ ଦାସ ଗାନ୍ଧୀଙ୍କ ଭଳି କେତେଜଣ ଭକ୍ତଙ୍କୁ ଜାଣିଛ ତୁମେ? ଅଥଚ ଚାରିଆଡ଼େ ସେଇ ଆପଣା ଗୁରୁଭାଇର ଅପପ୍ରଚାରରେ ଲାଗିଛ! ଗାନ୍ଧୀ ରାମଭକ୍ତ ଥିଲେ ନା ତୁମେ? ଗାନ୍ଧୀ ନାଆଁରେ କଳାବୋଳି କେଉଁ ରାମପଣିଆର ପୂଜା କରୁଛ ଭାଇ? ସେ ଭଳି ଜଣେ ରାମଭକ୍ତକୁ ଯେ ମାରିଲା ତା’ର ମୃତ୍ୟୁକାଳୀନ ଜମାନବନ୍ଦୀକୁ ବେଦ ମନେ କରି ପ୍ରଚାର କରୁଛ! କେଉଁ ହତ୍ୟାକାରୀ କହେ ଏ ହତ୍ୟା ମୁଁ ଅଯଥାର୍ଥ ଭାବେ କରିଛି? ନରସ˚ହାରକାରୀ ହିଟ୍‌ଲର‌୍‌, ଷ୍ଟାଲିନ୍‌, ପେରନ୍‌, ଇଦି ଅମିନ୍‌ ସମସ୍ତେ କହିଛନ୍ତି ଏ ହତ୍ୟା ଆବଶ୍ୟକ ଥିଲା। ହତ୍ୟାର ଯାଥାର୍ଥ୍ୟ ଏମାନେ ସମସ୍ତେ ପ୍ରତିପାଦିତ କରିଯାଇଛନ୍ତି।

ସବୁଠାରୁ ବଡ଼ କଥା ହେଉଛି ଗୋଟାଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ମୃତ୍ୟୁଦଣ୍ତ କେବଳ ଆଇନରେ ଥାଏ। ଆଇନ ଖିଲାପର ଗୁରୁତ୍ବ ଆଧାରରେ ଜଣକୁ ହତ୍ୟା କରିବାର ଅଧିକାର କେବଳ ରାଷ୍ଟ୍ରର ଅଛି। ଜଣେ ବ୍ୟକ୍ତିକୁ ଏ ଅଧିକାର ଦେଲା କିଏ? ସେ ହତ୍ୟାକାରୀ ପାଇଁ ମନ୍ଦିର କରି ଯେଉଁ ବିଲକ୍ଷଣର ଧାରା ସୃଷ୍ଟି କରାଯାଉଛି ତାହା ରାଷ୍ଟ୍ରର ଆଇନ ବ୍ୟବସ୍ଥା ପ୍ରତି ଅପମାନ, ରାଷ୍ଟ୍ର ପ୍ରତି ବିରୋଧୀ ମନୋଭାବ ଓ ରାଷ୍ଟ୍ରଦ୍ରୋହ। କୌଣସି ସୁସ୍ଥ ଗଣତାନ୍ତ୍ରିକ ମନ ଏହାକୁ କେବେ ବି ସମର୍ଥନ କରିପାରିବ ନାହିଁ।

ଗାନ୍ଧୀ-ହତ୍ୟାକୁ ସମର୍ଥନ, ଗଣତନ୍ତ୍ରର ହତ୍ୟା ଓ ରାଷ୍ଟ୍ରହତ୍ୟା ସହ ସମାନ କାରଣ ରାଷ୍ଟ୍ର ଦ୍ବାରା ମୃତ୍ୟୁଦଣ୍ତରେ ଦଣ୍ତିତ ଜଣେ ବ୍ୟକ୍ତିକୁ ନିର୍ଦ୍ଦୋଷ ଓ ସାଧୁ ଘୋଷଣା କରିବା ପଛର ମନୋଭାବ ହିଁ ଏକ ରାଷ୍ଟ୍ର ବିରୋଧୀ ମନୋଭାବ।

ସ˚ପ୍ରତି ଗାନ୍ଧୀ ବିଚାରଧାରାକୁ କଳୁଷିତ କରିବା ପାଇଁ ସାମାଜିକ ଗଣମାଧ୍ୟମରେ ନାନା ପ୍ରକାରର ଲେଖା ଓ ଚିତ୍ର ଆବଣ୍ଟିତ ହେଉଛି। କେଉଁଠି ଗାନ୍ଧୀ କେଉଁ ଲଳନା ସହ ନୃତ୍ୟ ପ୍ରମତ୍ତ ତ କେଉଁଠି କାହାକୁ ଗାନ୍ଧୀଜୀ ଲେଖିଥିବା ଅବାନ୍ତର ଚିଠି। ସବୁ ମନଗଢ଼ା। ଗାନ୍ଧୀ ବିଚାରରେ ଦୁର୍ଗନ୍ଧ ଭରି ଦେବାର ପ୍ରୟାସ। ସେ କୁଆଡ଼େ ଚିଠି ଲେଖିଥିଲେ ସହିଦ ଭଗତ ସି˚ହଙ୍କୁ ଫାଶୀ ହୋଇନଥା’ନ୍ତା। ସତେ ଯେମିତି ସେ ଥିଲେ ବ୍ରିଟିସ୍‌ ସମ୍ରାଟ୍‌। ତାଙ୍କ କଥାରେ ଚାଲୁଥିଲା ଗୋରା ଶାସନ। ଯେଉଁମାନେ ଗାନ୍ଧୀଙ୍କ କଥାରେ ବ୍ରିଟିସ୍‌ ଭାରତ ଛାଡ଼ି ଚାଲିଗଲେ ବୋଲି ଭାବନ୍ତି ତାଙ୍କ ଭଳି ନିର୍ବୋଧ କେହି ନାହାନ୍ତି। ନିଜ ଅଲକ୍ଷରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଅବଦାନକୁ ସେମାନେ ଏହାଦ୍ବାରା ନ୍ୟୂନ କରନ୍ତି। ଜାଣନ୍ତି ନାହିଁ ୧୯୪୫ର ପୃଥିବୀରେ ଓ ଇ˚ଲଣ୍ତରେ କେଉଁ ପରିବର୍ତ୍ତନ ଏ କଥାକୁ ଫଳବତୀ କଲା! କେତେ କେତେ ସ˚ଗ୍ରାମୀଙ୍କର ଅବଦାନ ହିଁ ଭାରତକୁ ସ୍ବାଧୀନତା ଆଣିଛି। ଗାନ୍ଧୀ କୁଆଡ଼େ କହିଲେ ବୋଲି ହିଁ ବୀର ସଭରକର‌୍‌ କ୍ଷମା ମାଗିଲେ। ସତେ ଯେମିତି ସଭରକର‌୍‌ ମହୋଦୟଙ୍କର ନିଜସ୍ବ ବିଚାରବୋଧ କିଛି ନ ଥିଲା, ସେ ଥିଲେ ଜଣେ ଚରମ ଗାନ୍ଧୀ ଭକ୍ତ, ସେଇଥିପାଇଁ ସେ ବିଲାତ ସରକାରଙ୍କ ପାଖକୁ କ୍ଷମାପତ୍ର ପଠାଇଥିଲେ ଗାନ୍ଧୀଜୀଙ୍କ ବୁଦ୍ଧିରେ। ଏ କଥାର ପ୍ରଚାର ଫଳରେ ସଭରକର‌୍‌ ମହୋଦୟ ବଡ଼ ହେଲେ ନା ଛୋଟ ହେଲେ?

ଗାନ୍ଧୀଜୀଙ୍କୁ ନେଇ ଅପପ୍ରଚାର କରୁଥିବା ଦିଗହରା କିଛି ମଣିଷ ଭାବନ୍ତି ସେ କେବଳ ଜଣେ ରାଜନୈତିକ ବ୍ୟକ୍ତିତ୍ବ ଥିଲେ। ତାଙ୍କରି ଯୋଗୁଁ ବ୍ରିଟିସ୍‌ ଭାରତ ଛାଡ଼ି ପଳେଇଲା; ଭାରତ ଗୋଟେ ଭୁଲ୍‌ ସ୍ବାଧୀନତା ପାଇଲା ନଚେତ୍‌ କୁଆଡ଼େ ଲଢ଼େଇ କରି ରକ୍ତପାତ ମାଧୢମରେ ଠିକ୍‌ ସ୍ବାଧୀନତା ପାଇଥା’ନ୍ତା; ତାଙ୍କରି ସକାଶେ କୁଆଡ଼େ ଭାରତ ଭାଗ ଭାଗ ହୋଇଗଲା; ତାଙ୍କରି ପାଇଁ ଲୌହମାନବ ସର୍ଦ୍ଦାର ପଟେଲ କାଦୁଅ-ଲୁତୁପୁତୁ-ମାନବ ହୋଇ ସହିଗଲେ ପଣ୍ତିତ ନେହରୁଙ୍କର ପ୍ରଧାନମନ୍ତ୍ରିତ୍ବକୁ; ରାଷ୍ଟ୍ର-ବିଧର୍ମୀଭାବର ଅସାଧୁତା କାରଣରୁ କୁଆଡ଼େ ଜଣେ ପରମ ଦେଶଭକ୍ତ ତାଙ୍କୁ ଗୁଳି କରି ହତ୍ୟା କଲେ। ଭାରତୀୟ ରାଜନୀତି ଖସଡ଼ାରେ ଗାନ୍ଧୀ କୁଆଡ଼େ ସର୍ବଶ୍ରେଷ୍ଠ ଖଳନାୟକ? ଧନ୍ୟ କହିବ ଏମାନଙ୍କ ଥିଏଟରବାଜିକୁ।

ଗାନ୍ଧୀଜୀ ବା ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ପ୍ରକୃତରେ କ’ଣ ଥିଲେ? ରାଜନେତା ନା ରାଜା? ଧର୍ମଧ୍ବଜାଧାରୀ ନା ସନ୍ନ୍ୟାସୀ? ଏ ମାଟିର ସର୍ବଶ୍ରେଷ୍ଠ ଶିଳ୍ପପତି ନା ମିଲିଟାରି ଜେନେରାଲ୍‌? କେଉଁ କ୍ଷମତା ଥିଲା ତାଙ୍କର? କିଏ ସି˚ହାସନରେ ବସାଇ ରାଜ୍ୟାଭିଷେକ କରିଥିଲା ନା ଶପଥ ପାଠ କରେଇ କ୍ଷମତା ଗାଦିରେ ବସେଇ ଦେଇଥିଲା ତାଙ୍କୁ? ଆଜି ଏ ଅପପ୍ରଚାରକାରୀମାନେ ବିଭିନ୍ନ ବାଟ କରି କ୍ଷମତା ଆବୋରିଛନ୍ତି ଏବ˚ କ୍ଷମତା ଆବୋରିଛନ୍ତି ବୋଲି ଭଲକୁ ହଟେଇ ମନ୍ଦର ଯଶଗାନ କରିବାକୁ ପ୍ରୟାସ କରୁଛନ୍ତି। କିଏ କେଉଁ ଆସନ ବା କ୍ଷମତା ଦେଇଥିଲା ଗାନ୍ଧୀଙ୍କୁ ନା ସେ ନିଜେ ମସୁଧା କରି କ୍ଷମତା ହାସଲ କରିଥିଲେ? ଗାନ୍ଧୀପଣର ବଡ଼ କଥା ହେଲା କିଛି ନ ଥାଇ ସେ ଥିଲେ ଭାରତର ସବୁକିଛି। ଅଗଣିତ ଭାରତୀୟ ଜନତା ଆପେ ତାଙ୍କୁ ସାରା ରାଷ୍ଟ୍ରର ପ୍ରତିନିଧି କରିଥିଲେ। ସେ ଥିଲେ ଅସଲ ଗଣତାନ୍ତ୍ରିକ ପ୍ରତିନିଧି। ଭୋଟ୍‌ ନାଇଁ, ପ୍ରଚାର ନାଇଁ, ଗଣନା ନାଇଁ, ଚଉକି ନାଇଁ, ଶପଥ ପତ୍ର ନାଇଁ ଅଥଚ ସେ ଥିଲେ ଅକଳ୍ପନୀୟ ଜନସମୁଦ୍ରର ନେତା। ସେଇଥିପାଇଁ ତ ତାଙ୍କ ମାର୍ଗରେ ବିଶ୍ବାସ ରଖି ନ ଥିବା ପରମବନ୍ଦନୀୟ ନେତାଜୀ ସୁଭାଷ ବି ତାଙ୍କୁ ମାନିଥିଲେ ‘‘ଜାତିର ପିତା’’ ବୋଲି। କବିତା ରାଜ୍ୟର ଚରଣ ସ୍ବପ୍ନ-ବିଳାସୀ ବିଶ୍ବଗୁରୁ ରବୀନ୍ଦ୍ରନାଥ ସମ୍ବୋଧନ କରିଥିଲେ ‘ମହାତ୍ମା’।

ଗାନ୍ଧୀ ଥିଲେ ସୁଦୁ ମଣିଷ। ସାଦା ମଣିଷ ଭଳି ବଞ୍ଚିଥିଲେ ଓ ଅସହାୟ ମଣିଷ ଭଳି ମଲେ। ଅବତାରମାନଙ୍କୁ ବା ସାଧୁସନ୍ଥଙ୍କୁ ନେଇ ଯେଉଁ ସବୁକଥା କୁହାଯାଏ ଯେ ସେ ଏମିତି ଜନ୍ମ ହୋଇଥିଲେ, ଏମିତି ବ୍ରହ୍ମବିଲୀନ ହୋଇଗଲେ ସେ ଭଳି ଅଲୌକିକ ଘଟଣା ସହ ଗାନ୍ଧୀ ଜୀବନର ସାଦୃଶ୍ୟ ଟିକେ ବୋଲି ନାହିଁ। ସେ ଥିଲେ ଗୋଟାଏ ସାଧାରଣ ବାସ୍ତବ ଜୀବନର ସମ୍ମାନାସ୍ପଦ ତଥା ଅନୁକରଣୀୟ ମଣିଷ-ପ୍ରତିନିଧି। ରାଜନୀତି ସହ ତାଙ୍କର ସମ୍ପୃକ୍ତି ଯେମିତି ଥିଲା ସେମିତି ବି ଥିଲା ବା ତା’ଠାରୁ ଅଧିକ ଥିଲା ସମାଜନୀତି ଓ ଆଧୢାତ୍ମିକତା ସହ।

ଅପପ୍ରଚାରକାରୀମାନେ ଛୋଟମନ ନେଇ କିଛି କିଛି ମିଛ ସତ ଘଟଣା ଉଖାରି ସେଥିରେ ପୁଟ ଦେବାରେ ଲାଗିଛନ୍ତି ଏବେ। ସତ୍ୟ, ଅହି˚ସା, ସ୍ବରାଜ, ସ୍ବଦେଶୀ, ସର୍ବୋଦୟ, ସତ୍ୟାଗ୍ରହ, ନାରୀଶିକ୍ଷା, ସ୍ବାବଲମ୍ବନଶୀଳତା, ନ୍ୟାସ ବ୍ୟବସ୍ଥା, ସହିଷ୍ଣୁତା, ଅପରିଗ୍ରହ ଭଳି ମହନୀୟ ଗାନ୍ଧୀ ବିଚାରଗୁଡ଼ିକ ସମ୍ପର୍କରେ ସେମାନଙ୍କର କିଛି କହିବାର ନାହିଁ ଅଥଚ ସେମାନେ ଲାଗିଛନ୍ତି ଗାନ୍ଧୀଜୀ ଏ ଚିଠି କାହିଁକି ଲେଖିଲେ, ସେ ଚିଠି ସେମିତି କାହିଁକି ଲେଖିଲେ ନାହିଁ। କାହିଁକି କାହା କାନ୍ଧରେ ହାତ ପକେଇଲେ, କାହିଁକି ସେଠି ସେମିତି ଶୋଇଲେ?

ମଣିଷ ଭିତରେ ଥିବା ସମ୍ଭାବ୍ୟ ମହାତ୍ମାଭାବକୁ ଗାନ୍ଧୀଜୀ ସମସ୍ତଙ୍କ ପାଇଁ ଉଦାହରଣ କରି ଛାଡ଼ିଗଲେ। ସେ କଥାର ଆଲୋଚନା ନାଇଁ କେଉଁଠି। ନିଜର ଧନ, ସମ୍ପତ୍ତି, ବଳ, ବୀର୍ଯ୍ୟ, ବ˚ଶଲତା, କ୍ଷମତା ନ ଥାଇ ଯେ ଜଣେ ଗୋଟାଏ ଜନସମୂହ ପାଇଁ ଏକକ ସୁରକ୍ଷା ବାହିନୀ ପାଲଟି ପାରେ ସେ କଥାର ତର୍ଜମା ନାହିଁ ଏ ମୂଢ଼ମାନଙ୍କ ଭିତରେ।
କେତେ ଅବତାର କେତେ ମହାପୁରୁଷ ଜନ୍ମ ହୋଇଛନ୍ତି ଭାରତରେ। ହେଲେ କେହି ମଣିଷ, ସେମାନଙ୍କ ପରି ହେବାକୁ ଚେଷ୍ଟା କରିପାରିନାହାନ୍ତି। ଜଣେ ଶ୍ରୀରାମ, ଜଣେ ଶ୍ରୀକୃଷ୍ଣ, ଜଣେ ବୁଦ୍ଧ, ଶଙ୍କରାଚାର୍ଯ୍ୟ କି ଶ୍ରୀଚୈତନ୍ୟ ହେବା ପାଇଁ କଳ୍ପନା କରିପାରିନାହାନ୍ତି କେହି। ମାତ୍ର ଭାରତ କାହିଁକି ଭାରତ ବାହାରେ ବି ଅଗଣିତ ମଣିଷ ଗାନ୍ଧୀ ହେବା ପାଇଁ ମନ କରିଛନ୍ତି। ଏ ଗାଆଁ ଗାନ୍ଧୀ, ସେ ଗାଆଁ ଗାନ୍ଧୀ। ଏ ଦେଶ ଗାନ୍ଧୀ, ସେ ଦେଶ ଗାନ୍ଧୀ।

କହିବାର ଅଛି ଗାନ୍ଧୀଜୀଙ୍କ ସ˚ପର୍କରେ ଏ ଅପପ୍ରଚାର ଆମକୁ ଭଲରୁ ମନ୍ଦ ଆଡ଼କୁ ମୁହାଁଇବାରେ ଲାଗିଛି। ସାଧାରଣ ଲୋକଟି ବିଭ୍ରାନ୍ତିରେ ପଡ଼ିଛି। ମନ୍ଦଟାକୁ ଭଲ ଭାବୁଛି। ହେ ପ୍ରଭୁ ଶ୍ରୀରାମ, ଏମାନଙ୍କୁ ସଦ୍‌ବୁଦ୍ଧି ଦିଅ।

[email protected]

ସମ୍ବନ୍ଧିତ ଖବର