ଆଲୋକ ଜାଳି ଅନ୍ଧାର ଖୋଜିବା

ସରସ ରସ - ସୁଭାଷ ପଟ୍ଟନାୟକ

ଦିନେ ରାତିରେ ଆଲୋକ ଖୁଣ୍ଟ ନିକଟରେ ଲୋକଟିଏ ତା’ର ହଜି ଯାଇଥିବା ବଟୁଆ ଖୋଜୁଥିଲା। ଜଣେ ବାଟୋଇ ପଚାରିଲେ, ‘ତୁମେ ଏହିଠାରେ ହଜାଇଥିଲ ତ?’ ଲୋକଟି ଉତ୍ତର ଦେଲା, ‘ନା, ଏଠାରେ ତ ନୁହେଁ, କିନ୍ତୁ ଏ ଜାଗାରେ ଅନ୍ଧାର ନାହିଁ ବୋଲି ଏଇଠି ଖୋଜୁଛି।’ କଥାଟିର ତାତ୍ପର୍ଯ୍ୟ ହେଉଛି, ଆମେ ସମସ୍ତେ ଅନ୍ଧାରକୁ ଘୃଣା କରୁ, ଅଥଚ ଅନ୍ଧାର ଭିତରେ ହିଁ ଲୁଚିଥାଏ ଆମର ହଜିଲା ପଦାର୍ଥ।

ଏବେ ପାର୍ବଣର ଋତୁ ଆସିଯାଇଛି। ଦଶହରା ଠାରୁ ଦୀପାବଳି ପର୍ଯ୍ୟନ୍ତ ଏ ପୂଜା ଅବସରରେ ଜନ ମୁଖରେ ଯେଉଁ ତିନିଟି ବାକ୍ୟ ବାରମ୍ବାର ଉଚ୍ଚାରିତ ହେବ; ତାହା ହେଉଛି, ‘ଅନ୍ଧାର ଉପରେ ଆଲୋକର ବିଜୟ’, ‘ପାପ ଉପରେ ପୁଣ୍ୟର ବିଜୟ’ ଏବଂ ‘ମନ୍ଦ ଉପରେ ଭଲର ବିଜୟ।’ ବିଜୟା ଦଶମୀ ଓ ଦୀପାବଳିରେ ଆମମାନଙ୍କର ଭାବନା ମୋଟାମୋଟି ଏଇଆ। ଆଲୋକ ହେଉଛି ଅନ୍ଧାରର ଅନୁପସ୍ଥିତି। ପୁଣ୍ୟ ହେଉଛି ପାପର ଓ ଭଲ ହେଉଛି ମନ୍ଦର ଅବର୍ତ୍ତମାନ। ସାମଗ୍ରିକ ଭାବରେ ଆଲୋକ, ପୁଣ୍ୟ ଓ ଭଲ, ଏ ତିନିଟି ଗୋଟିଏ ପାଖରେ ଏବଂ ଅନ୍ଧାର, ପାପ ଓ ମନ୍ଦ, ଏ ତିନିଟି ଅପର ପାର୍ଶ୍ବରେ। ଆମେ ଆଲୋଚନା ପାଇଁ ଏହାକୁ ଭଲ ଓ ମନ୍ଦ ଅର୍ଥରେ ବିଚାର କରିବା।

ମନ୍ଦ ଉପରେ ଭଲର ବିଜୟ ସଂପୂର୍ଣ୍ଣ ଏକ ଅବାସ୍ତବ କଥା। କାରଣ ଭଲକୁ ତିଷ୍ଠି ରହିବା ପାଇଁ ମନ୍ଦ ମଧ୍ୟ ତିଷ୍ଠି ରହିବା ଦରକାର। ମନେ କରାଯାଉ, ପୃଥିବୀରୁ ସମସ୍ତ ମନ୍ଦ ଅପସରି ଗଲା। ତାହା ହେଲେ ‘ଭଲ’ ବି କୌଣସି ଅର୍ଥ ରଖିବ ନାହିଁ। ପୁଣି ସେଇ ଭଲଗୁଡ଼ିକ ଭିତରୁ ପୁଣି ଅତି ଭଲ, ମଧ୍ୟମ ଭଲ ଓ ସାମାନ୍ୟ ଭଲ ବାହାରିଯିବେ।

ଅବଶେଷରେ ସାମାନ୍ୟ ଭଲଗୁଡ଼ିକ ମନ୍ଦରେ ଗଣ୍ୟ ହୋଇ ପ୍ରତ୍ୟାଖ୍ୟାତ ହେବେ। ଏଇ ଧାରା ଲାଗି ରହିଥିବ। ଅତଏବ ସବୁ ମନ୍ଦକୁ ହଟାଇ ଦିଆଗଲେ ମଧ୍ୟ ମନ୍ଦ ତଥାପି ତିଷ୍ଠି ରହିବ। ସବୁ ଯଦି ଭଲ ହେଲା, ବା ଆଲୋକ ହେଲା ବା ପୁଣ୍ୟ ପାଲଟିଲା, ତା’ହେଲେ ମନ୍ଦ, ଅନ୍ଧାର ଓ ପାପର ଅନୁପସ୍ଥିତିରେ ଏସବୁ ନିଜସ୍ବ ଉତ୍କର୍ଷ ହରାଇ ଅର୍ଥହୀନ ହୋଇଯିବେ। କାରଣ, ଉତ୍କର୍ଷ ତୁଳନା କରିବାକୁ ସର୍ବଦା ଦୁଇଟି ପଦାର୍ଥର ଆବଶ୍ୟକତା ପଡ଼ିଥାଏ। ଗୋଟିଏ କଥାକୁ ବୁଝିବା ଅସମ୍ଭବ ଯଦି ତା’ର ବିପରୀତ କଥାଟି ନଥିବ। ଆମେ କେଉଁ କଥାକୁ କିପରି ଗ୍ରହଣ କରୁଛୁ ତା’ ଉପରେ ଭଲ ଓ ମନ୍ଦର ସଂଜ୍ଞା ନିର୍ଭର କରେ। ରାବଣ ପାଇଁ ଯାହା ଭଲ ଥିଲା, ରାମଙ୍କ ପାଇଁ ତାହା ଥିଲା ମନ୍ଦ। ମହିଷାସୁର ଯାହାକୁ ଭଲ ଭାବୁଥିଲା, ଦେବୀ ଦୁର୍ଗାଙ୍କ ଦୃଷ୍ଟିରେ ତାହା ଥିଲା ମନ୍ଦ। ଆଜି ଯାହା ମନ୍ଦରେ ଗଣା ହେଉଛି କାଲିକୁ ତାହା ହୁଏ’ତ ଭଲ ହୋଇ ଯାଇପାରେ। ଆରିଷ୍ଟୋଟଲଙ୍କ ‘ନିକୋମ୍ୟାକିୟନ୍ ଏଥିକସ୍’ ଅନୁସାରେ ପୁଣ୍ୟକୁ ସୀମାବଦ୍ଧ କରି ରଖିବା ଉଚିତ। ମାତ୍ରାଧିକ ପୁଣ୍ୟ ହୋଇପାରେ ପାପର ହେତୁ।

ପାପର ଉପସ୍ଥିତି ବିନା ପୁଣ୍ୟକୁ ବୁଝି ପାରିବା ଅସମ୍ଭବ। ସେହିପରି ମନ୍ଦର ଉପସ୍ଥିତି ବିନା ଭଲକୁ ଓ ଅନ୍ଧାର ବିନା ଆଲୋକକୁ ଅନୁଭବ କରିବା ଦୁଷ୍କର। ତା’ ହେଲେ କ’ଣ ପାପ-ପୁଣ୍ୟ, ଆଲୋକ-ଅନ୍ଧାର ଓ ଭଲ-ମନ୍ଦର ଏକ ସନ୍ଧି ସ୍ଥଳରେ ଆମେ ବଞ୍ଚିଛେ? ଦାର୍ଶନିକ ପ୍ଲାଟୋ ତାଙ୍କର ‘ଆଲିଗୋରି ଅଫ୍ କେଭ୍’ ବା ‘ଗୁମ୍ଫାର ରୂପକ’ ମାଧ୍ୟମରେ ଏ କଥାଟିକୁ ବୁଝାଇଛନ୍ତି। ଯଦି ଜଣେ ଦୀର୍ଘ ଦିନ ଧରି ଆଲୋକ ନ ଦେଖି ଏକ ଅନ୍ଧକାରମୟ ଗୁମ୍ଫା ମଧ୍ୟରେ ବାସ କରିବ; ତେବେ, ହଠାତ୍ ଆଲୋକକୁ ସାମନା କଲେ ତା’ର ଆଖି ତାହା ସହ୍ୟ କରିନପାରି ବନ୍ଦ ହୋଇଯିବ ଓ ଲୋକଟି ପୁନଶ୍ଚ ଗୁମ୍ଫାର ଅନ୍ଧାର ଭିତରକୁ ଚାଲିଯିବ। ତେଣୁ ପ୍ଲାଟୋଙ୍କ ମତରେ ଅନ୍ଧାରଟା ହିଁ ତା’ପାଇଁ ଆଲୋକ ଓ ଭଲ। ଆଲୋକ ତା’ର ଆଖିକୁ ପୀଡ଼ା ଦେଇ ଥିବାରୁ ଆଲୋକ ତାହା ପାଇଁ ଅନ୍ଧାର ତୁଲ୍ୟ, ତେଣୁ ମନ୍ଦ। ଅତଏବ ଆମେ ମନ୍ଦ ଉପରେ ଭଲର ବା ପାପ ଉପରେ ପୁଣ୍ୟର କିମ୍ବା ଅନ୍ଧାର ଉପରେ ଆଲୋକର ବିଜୟ କଥା ଭାବିବାରେ କିଛି ଅର୍ଥ ନାହିଁ। ପ୍ଲାଟୋଙ୍କ ପରୀକ୍ଷା ଅନୁସାରେ ଆମ ପାଇଁ ଭଲ କେଉଁଟି ଓ ମନ୍ଦ କେଉଁଟି? ଭଲ ଓ ମନ୍ଦ ଉଭୟର ଉପସ୍ଥିତିରେ ଜଣେ ନିଜ ରୁଚି ଅନୁସାରେ ପରୀକ୍ଷା ପୂର୍ବକ ଭଲକୁ ଆପଣେଇ ପାରିବ। ଚିନ୍ତା କରିପାରିବ ମନ୍ଦ ଅପେକ୍ଷା ଭଲକୁ କ’ଣ ପାଇଁ ଆପଣେଇବା ଉଚିତ ଓ ମନ୍ଦକୁ ଆପଣେଇଲେ କ’ଣ ସବୁ କ୍ଷତି ହେବ। ବୃହଦାରଣ୍ୟକ ଉପନିଷଦରେ କୁହାଯାଇଛି ‘ତମସୋ ମାଂ ଜ୍ୟୋତିର୍ଗମୟଃ’। ମତେ ଅନ୍ଧାରରୁ ଆଲୋକ ଆଡ଼କୁ ନେଇ ଚାଲ। ଅନ୍ଧାରର ବିନାଶ ଘଟିବା କଥା ଏଥିରେ କୁହାଯାଇନାହିଁ। ବୁଦ୍ଧଦେବ କହିଥିଲେ ‘ଆତ୍ମଦୀପୋ ଭବଃ’। ନିଜ ଆତ୍ମାର ଦୀପକୁ ଜଳାଅ, ଅନ୍ଧାର ଦୂର ହେବ। ପବିତ୍ର କୋରାନର ‘ଅଲ୍-ନୂର’ ଅଧ୍ୟାୟରେ କୁହାଯାଇଛି, ଆଲ୍ଲା ତୁମକୁ ଅନ୍ଧାରରୁ ଆଲୋକ ଆଡ଼କୁ ରାସ୍ତା ଦେଖାଇନେବେ।

ଯଦି ସବୁ ମନ୍ଦ ଉପରେ ଭଲର ବିଜୟ ହୋଇ ସାରିଛି, ଅନ୍ଧକାର ହଟିଯାଇଛି ଓ ପାପ ଉପରେ ପୁଣ୍ୟର ବିଜୟ ହୋଇସାରିଛି, ଏବେ ପୁଣି ତା’ର ଚିନ୍ତନର ଆବଶ୍ୟକତା କ’ଣ ପାଇଁ? ଏବେ ଆମେ ପୁଣ୍ୟର ଚଟାଣ ଉପରେ ଠିଆ ହୋଇ କ’ଣ ପାପକୁ ଖୋଜୁଛେ ନା ଆଲୋକରେ ଠିଆ ହୋଇ ଅନ୍ଧାରକୁ ଖୋଜୁଛେ? ପ୍ରଶ୍ନ ଏଠି ବିଜୟ ବା ପରାଜୟର ଆଉ ରହିଲା କି? ଆଲୋକ ପାଖରେ ଅନ୍ଧାର, ପୁଣ୍ୟ ପାଖରେ ପାପ ଓ ଭଲ ପାଖରେ ମନ୍ଦ ଲାଗି ଲାଗି ରହିଲେ ହିଁ ଜୀବନ ସୁନ୍ଦର ଓ ସରସ ହେବ।

ପ୍ରକୃତରେ ଭଲ ଓ ମନ୍ଦ ବୋଲି କିଛି ନାହିଁ। ନିଜର ଚିନ୍ତାଧାରାରୁ ଏହାର ସୃଷ୍ଟି। ଜେଜେ ନାତିକୁ କହିଲେ, ଜାଣିଛୁ, ଆମ ଭିତରେ ରହି ଦୁଇଟି ଗଧିଆ ସବୁବେଳେ ନିଜ ଭିତରେ ଲଢୁଛନ୍ତି। ଗୋଟିଏର ନାଆଁ ଭଲ ଓ ଅନ୍ୟଟି ହେଉଛି ମନ୍ଦ। ନାତି ପଚାରିଲା, ସେ ଲଢ଼େଇରେ ଜିତିବ କିଏ? ଜେଜେ ହସି ଦେଇ କହିଲେ, ଜିତିବ ସିଏ, ତୁ ଯାହାକୁ ଖୁଆଇପିଆଇ ବଳବାନ କରିବୁ।

ମୋ- ୯୩୩୭୬୪୮୬୩୮

ସମ୍ବନ୍ଧିତ ଖବର