ଆମ ସମସ୍ତଙ୍କର ପ୍ରିୟ ଜଣେ ବ୍ୟକ୍ତି ଆମର ଗଣତାନ୍ତ୍ରିକ ପ୍ରତିନିଧିତ୍ବ କରିପାରେ କି? ଆମେ ଯେଉଁମାନେ ସେ ବ୍ୟକ୍ତିଟିକୁ ଭଲ ପାଉ, ତାକୁ ଆମର ଗଣତାନ୍ତ୍ରିକ ଅଧିକାର ହସ୍ତାନ୍ତରିତ କରି ପାରୁଁ କି? ଆମର ମୌଳିକ ଗଣତାନ୍ତ୍ରିକ ଅଧିକାର ଶାସନରେ ଭାଗୀଦାରି। ଆମର ଏ ପ୍ରତିନିଧି ଜଣକ ଆମର ଅଭାବ, ଅସୁବିଧା, ଆବଶ୍ୟକତା, ଶଙ୍କା, ଦୃଷ୍ଟିକୋଣ, ଆପତ୍ତି, ଅଭିଯୋଗ ଓ ଅନୁରୋଧ ଏସବୁ ବୁଝେ କି? ଯଦି ବୁଝେ ୟାକୁ ସେ ବିଧାନସଭା ବା ସ˚ସଦରେ ବୁଝାଇ କହିପାରିବ କି? ନୀତି ପ୍ରଣୟନରେ ଆମ ତରଫରୁ ଅବଦାନ ଦେଇ ପାରିବ କି? ପାରିବ, ଯଦି ତା’ ପାଖରେ ଶିକ୍ଷା ସହିତ ଜ୍ଞାନ ଥାଏ, ଅର୍ଥାତ୍ ରାଷ୍ଟ୍ରନୀତି ଓ ବିକାଶ ପରିଚାଳନାରେ ଦର୍ଶନ ଥାଏ। ସୂଚନା ଯଥେଷ୍ଟ ନୁହେଁ, ପରିସଂଖ୍ୟାନ ଯଥେଷ୍ଟ ନୁହେଁ।
ଗଣତନ୍ତ୍ରରେ ଜ୍ଞାନର ଭୂମିକାକୁ ନେଇ ଏବେ ଚିନ୍ତା। ବର୍ତ୍ତମାନର ରାଜନୀତି ବିଜ୍ଞାନ ପାଇଁ ଏହା ସବୁଠୁ ସମସ୍ୟା ସ˚କୁଳିତ, କିନ୍ତୁ ଆକର୍ଷକ ଉଦୀୟମାନ ବିଷୟ। ବିଶ୍ବର ଚିନ୍ତା-କେନ୍ଦ୍ରମାନଙ୍କରେ, ବିଶେଷତଃ ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନୀମାନେ ଗଣତନ୍ତ୍ରକୁ ନେଇ ବିପୁଳ ଉପାଦାନ ଜମା କରିଚନ୍ତି, କିନ୍ତୁ ଜ୍ଞାନର ଭୂମିକାକୁ ନେଇ ତହିଁରେ ବିଶେଷ ଉପାଦାନ ନାହିଁ। ପୁଣି ଉପଲବ୍ଧ ଉପାଦାନମାନଙ୍କ ଭିତରେ ଆମେରିକାନ୍ ଗଣତନ୍ତ୍ରକୁ ନେଇ ସୂଚନା ଓ ବିଚାର ସର୍ବାଧିକ। ପୁଞ୍ଜି ରାଜନୀତି ଠାରୁ ବହୁ ଦୂରରେ ନୂଆ ସ୍ବାଧୀନ ହୋଇଥିବା ଏସିଆ ଓ ଆଫ୍ରିକାର ଅସହଜ ଓ ଲଡ଼ଖଡ଼ ଗଣତନ୍ତ୍ରଗୁଡ଼ିକରେ ଗଣତନ୍ତ୍ରର ସମସ୍ୟା ଓ ସ˚କଟ ସ˚ପୂର୍ଣ୍ଣ ଭିନ୍ନ। କିନ୍ତୁ ‘ଜ୍ଞାନ’ର ପ୍ରସଙ୍ଗ, ସମସ୍ତ ବିଭିନ୍ନତା ଓ ବୈଚିତ୍ର୍ୟ ସତ୍ତ୍ବେ ସବୁ ଗଣତନ୍ତ୍ରରେ ସମାନ। ସାଧାରଣ ଆମେରିକାନ୍ ନାଗରିକ ଜଣେ ଶିକ୍ଷିତ ଲୋକ ହୋଇଥିବ ବୋଲି ଆମର ଧାରଣା। କିନ୍ତୁ ଶିକ୍ଷାଗତ ଯୋଗ୍ୟତା ସତ୍ତ୍ବେ ନିମ୍ନ ବୌଦ୍ଧିକ ସ୍ତର ସେଠି ଗଣତନ୍ତ୍ର ପାଇଁ ସମସ୍ୟା। ଆମର ଏଠି ଶିକ୍ଷାଗତ ଯୋଗ୍ୟତାର ଅଭାବ, ବୌଦ୍ଧିକ ସ୍ତରର ଅଭାବ ସହିତ ପାର˚ପାରିକ ଜ୍ଞାନର ଅପ୍ରାସଙ୍ଗିକତାକୁ ନେଇ ଆମର ଚିନ୍ତା। ୟାର ତତ୍ତ୍ବାୟନ ପାଇଁ ଏ ଯାଏଁ ଭୂମି ମିଳୁନଥିଲା। ଦଶ ବର୍ଷ ତଳେ ପ୍ରିନ୍ସଟନ୍ ବିଶ୍ବବିଦ୍ୟାଳୟ ଜୋସିଆ ଓବେର୍ଙ୍କର ଏଥେନିଆନ୍ ଗଣତନ୍ତ୍ର ଉପରେ ଗୋଟିଏ ବହି ପ୍ରକାଶିତ କରି ଆମର ଚିନ୍ତାକୁ ସତେ ଅବା ଏକ ଉଡ଼ାଣ ଦେଇ ଦେଲେ। ଏ ବହି (ଡିମୋକ୍ରାସି ଆଣ୍ତ ନଲେଜ୍/ ପ୍ରିନ୍ସଟନ୍ ୟୁନିଭର୍ସିଟି ପ୍ରେସ୍/ ୨୦୧୦) ବିଶ୍ବକୁ ପ୍ରଥମ ଥର ପାଇଁ ଏଥେନିଆନ୍ ଡିମୋକ୍ରାସିର ପରିଚାଳନା ବିଷୟରେ ଅବଗତ କରାଇଲା।
ରାଜନୀତି ବିଜ୍ଞାନରେ ପାଠ ପଢ଼ାହେଲା ଯେ ଏଥେନ୍ସର ପ୍ରତିନିଧିମୂଳକ ବ୍ୟବସ୍ଥାର ସମତୁଲତା ଓ ବ୍ୟବସ୍ଥାପକ ଦକ୍ଷତା ଥିଲା ଏଠି ଗଣତନ୍ତ୍ରର ସଫଳ ହେବାର କାରଣ। କିନ୍ତୁ ଏଥେନ୍ସ ତ ଛୋଟ ନଗରଟିଏ। କଳ୍ପନା କରନ୍ତୁ ଏବର ଜନସ˚ଖ୍ୟା ହିସାବରେ। ଏବେ ଏଥେନ୍ସର ଜନସ˚ଖ୍ୟା ୩୧ ଲକ୍ଷ। କଟକର ଜନସ˚ଖ୍ୟା ୨୯ ଲକ୍ଷ, ଦିଲ୍ଲୀର ୩ କୋଟି ୫୦ ଲକ୍ଷ। ଏଥେନ୍ସର ଗଣତନ୍ତ୍ର ଏ ଦୃଷ୍ଟିରୁ ଗୋଟିଏ କ୍ଷୁଦ୍ର ମ୍ୟୁନିସିପାଲ୍ ପ୍ରଶାସନ ନୁହେଁ କି? ଖ୍ରୀଷ୍ଟପୂର୍ବ ପଞ୍ଚମରୁ ଚତୁର୍ଥ ଶତାଦ୍ଦୀ ମଧୢରେ ଏଥେନ୍ସର ଜନସ˚ଖ୍ୟା କେତେ ଥିବ? ହୋଇପାରେ ସେତେବେଳେ ଅନ୍ୟ ସହର ବିକଶିତ ହୋଇ ନ ଥିଲେ ଓ ତେଣୁ କ୍ଷୁଦ୍ର ଜନସ˚ଖ୍ୟା ବିଶିଷ୍ଟ ଗୋଟିଏ କ୍ଷୁଦ୍ର ସହରରେ ଗଣତନ୍ତ୍ରର ବ୍ୟବସ୍ଥା ସଫଳ ହୋଇଗଲା। ଅଥଚ, ଅଢ଼େଇ ହଜାର ବର୍ଷ ପରେ ଆମକୁ ଯେ ଏଥେନିଆନ୍ ମଡେଲରୁ ଶିକ୍ଷା ଗ୍ରହଣ କରିବାକୁ ପଡୁଚି ଏ କ’ଣ ବିସ୍ମୟକର ନୁହେଁ? ଏ କ’ଣ ପ୍ରମାଣ ନୁହେଁ ଯେ ଗଣତନ୍ତ୍ରକୁ ଏକ ଦତ୍ତ ପଦାର୍ଥ ଭାବରେ ବିଶ୍ବର ରାଷ୍ଟ୍ରମାନେ ଗ୍ରହଣ କରି ନେଇଚନ୍ତି ଓ ତେଣୁ ପ୍ରତିନିଧିମୂଳକ ବ୍ୟବସ୍ଥାକୁ ଧରି ଗଣତନ୍ତ୍ର ଚାଲିଚି? ଅଧିକ ଲଜ୍ଜାକର ଯେ ଭାରତୀୟ ସଭ୍ୟତାରେ ଜ୍ଞାନ ଆହରଣ, ଠୁଳୀକରଣ, ବିତରଣ ଓ ବ୍ୟାଖ୍ୟାନ ଅବଲୀଳା କ୍ରମେ କିଭଳି ଆମର ଜୀବନଧାରାର ଅଂଶ ହୋଇଯାଇଥିଲା ତା’ର ଆଧୁନିକ ଗଣତାନ୍ତ୍ରିକ ପ୍ରୟୋଗକୁ ନେଇ ଆମେ ଚିନ୍ତା ନ କରି ପଶ୍ଚିମା ବୋଝ ପିଠିରେ ଧରି ଏଯାଏଁ ଚାଲିଚେ।
ସେ ଯାହାହେଉ ଜୋସିଆ ଓବେର୍ଙ୍କ ଅନୁସନ୍ଧାନ ଗୁରୁତ୍ବପୂର୍ଣ୍ଣ ଏଇଥି ଯୋଗୁଁ ଯେ ଅଢ଼େଇ ହଜାର ବର୍ଷ ପରେ ଅସ˚ଖ୍ୟ ତଥ୍ୟ ଓ ପ୍ରମାଣ ଏକାଠି କରି ଓ ତା’ର ତର୍ଜମା କରି ସେ ଏ ନିଷ୍କର୍ଷରେ ପହଞ୍ଚିଚନ୍ତି ଯେ ଏଥେନିଆନ୍ ଗଣତନ୍ତ୍ରର ସଫଳତା ପ୍ରତିନିଧିମୂଳକ ବ୍ୟବସ୍ଥା ବା ବ୍ୟବସ୍ଥାପକ ଦକ୍ଷତା ଯୋଗୁ ନ ଥିଲା। ଗଣତନ୍ତ୍ର ସଫଳ ହୋଇଥିଲା ଏଥେନିଆନ୍ ନଗର ରାଜ୍ୟର ଜ୍ଞାନ ପରିଚାଳନାର ଦକ୍ଷତା ଯୋଗୁ। ଜ୍ଞାନ ପରିଚାଳନା ଅର୍ଥାତ୍ ରାଜ୍ୟ ବା ରାଷ୍ଟ୍ର ଦ୍ବାରା ଜ୍ଞାନର ଅନ୍ବେଷଣ, ଠୁଳୀକରଣ ଓ ବିତରଣର ନୀତି ହେତୁ। ଗଣତାନ୍ତ୍ରିକ ଜ୍ଞାନ-ପରିଚାଳନାରେ ଅନୁଷ୍ଠାନ, ସାମାଜିକ ନେଟ୍ଵାର୍କ, ସୂଚନା ସ˚ଗ୍ରହ, ପ୍ରଚାର ସହିତ ଲକ୍ଷ୍ୟ ଥିଲା ଜ୍ଞାନକୁ ସାର୍ବଜନୀନ କରିବାରେ। ଅର୍ଥାତ୍ ରାଷ୍ଟ୍ର ଏଭଳି ଭାବରେ ଜ୍ଞାନ-ପରିଚାଳନା କରିବ ଯେ ସବୁ ନାଗରିକ ଜ୍ଞାନକେନ୍ଦ୍ରମାନଙ୍କରୁ ନ୍ୟୂନତମ ମୂଲ୍ୟରେ ସୂଚନା ଓ ଜ୍ଞାନ ଆହରଣ କରିପାରିବେ। ଆମ ଦେଶରେ ସୂଚନାର ଅଧିକାର ବଳରେ ଜଣେ ସାଧାରଣ ନାଗରିକ ଗଣତାନ୍ତ୍ରିକ ସରକାରଙ୍କ ଠାରୁ ସୂଚନା ମାଗି ପାରିବ। କିନ୍ତୁ ଏଥେନିଆନ୍ ଗଣତନ୍ତ୍ରରେ ସମସ୍ତ ଗଣତାନ୍ତ୍ରିକ ସୂଚନା ଜ୍ଞାନକେନ୍ଦ୍ରମାନଙ୍କରେ ଉପଲବ୍ଧ ହେଉଥିଲା, ଯେଉଁ ଉତ୍ସରୁ ଜଣେ ନାଗରିକ ସିଧାସଳଖ କେବଳ ସୂଚନା ନୁହେଁ ଜ୍ଞାନ ପାଇପାରୁଥିଲା। ଭାରତରେ ସରକାରଙ୍କ ଠାରୁ ସୂଚନା ଅଧିକାର ବଳରେ କେହି କେବେ ଜ୍ଞାନ ମାଗିପାରିବ? ପଚାରି ପାରିବ ଭାରତ ସରକାରଙ୍କ ଲୋକମଙ୍ଗଳ ନୀତିର ଦର୍ଶନ କ’ଣ? ନା, କାରଣ ଇଏ ସୂଚନା ନୁହେଁ ପାଠ। ସୂଚନାର ଗଣତନ୍ତ୍ର ଅର୍ଥହୀନ।
ଓବେରଙ୍କୁ ଧନ୍ୟବାଦ ସେ ଏଥେନିଆନ୍ ଗଣତନ୍ତ୍ରର ସଫଳତାର ଏ ନୂଆ କାରଣ ଏତେ ବର୍ଷ ପରେ ଖୋଜି ପାଇଚନ୍ତି। କିନ୍ତୁ ଓବେର ଯେଉଁ କଥାଟିକୁ ଯଥେଷ୍ଟ ଗୁରୁତ୍ବ ଦେଇନାହାନ୍ତି, ତାହା ହେଲା ଗଣତନ୍ତ୍ରରେ ଜ୍ଞାନ ଓ ସୂଚନାର ବ୍ୟବହାରକାରୀ କିଏ? ପ୍ରାଚୀନ ଏଥେନ୍ସରେ ସାଧାରଣ ଲୋକେ ଯେ ସମସ୍ତେ ଜ୍ଞାନର ବ୍ୟବହାର କରି ଜାଣୁଥିଲେ ଏମିତି ନୁହେଁ। ତାଙ୍କ ଭିତରେ ବି ସରଳବିଶ୍ବାସୀ ଓ ମୂକ ଜନତା ଥିଲେ, କିନ୍ତୁ କ୍ଷୁଦ୍ର ଜନସ˚ଖ୍ୟା ହେତୁ କିଛି ଜ୍ଞାନୀ ଲୋକ ଲୋକ-ମଙ୍ଗଳ ଓ ଲୋକ-ଆବଶ୍ୟକତାକୁ ଲୋକ ପ୍ରତିନିଧିଙ୍କ ମାଧୢମରେ ଜାଗ୍ରତ କରାଇ ପାରୁଥିଲେ। ସେ ସ୍ଥିତି ଏବେ ନାହିଁ। ଏଥିପାଇଁ ଲୋଡ଼ା ଜ୍ଞାନ-ପରିଚାଳନାର ବ୍ୟବସ୍ଥା। ୟାକୁ ମୁଁ ତିନିଟି ସରଳ ସ୍ତରରେ ନିବଦ୍ଧ କରୁଚି (୧) ଜ୍ଞାନ ଉତ୍ପାଦନ, (୨) ଜ୍ଞାନ ଠୁଳୀକରଣ, (୩) ଜ୍ଞାନ-ବିତରଣ। ଏ କାର୍ଯ୍ୟ କିଏ କରିବ?
କହିବାରେ ଦ୍ବିଧା ନାହିଁ ଯେ ରାଷ୍ଟ୍ରୀୟ ସ୍ତରରେ ଭାରତର ଗଣତନ୍ତ୍ରରେ ଏ କାର୍ଯ୍ୟ କରିବେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ। ଗଣତନ୍ତ୍ରର ସଫଳତା ଯଦି ଆଜି ଜ୍ଞାନ-ପରିଚାଳନା ଉପରେ ନିର୍ଭର କରେ ବୋଲି କୁହାଯାଉଚି, ତେବେ ଭାରତ ସରକାରଙ୍କର ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଭାଗ ହେଉଚି ଶିକ୍ଷା। ଭାରତ ସରକାରଙ୍କ ପ୍ରତି ବିଭାଗରେ ଶିକ୍ଷା ଏକ ଅନ୍ତର୍ପାଠ। ସେ ଗୃହ ହେଉ କି ବୟନ ହେଉ କି ବାଣିଜ୍ୟ ବିଭାଗ, ସବୁଥିରେ ପାଠ ଅଛି, ତେଣୁ ଶିକ୍ଷା ଅଛି। ସେହିପରି ବିକାଶର ରାଷ୍ଟ୍ରନୀତିରେ ପ୍ରତି ଗ୍ରାମ ଏକ ଏକ ଶିକ୍ଷାଗ୍ରାମ। ଲୋକେ କେବଳ ହିତାଧିକାରୀ ନୁହନ୍ତି, ସେମାନେ ଜ୍ଞାନର େଭାକ୍ତା ବି! କହିପାରନ୍ତି ଶିକ୍ଷାବ୍ୟବସ୍ଥା ହିଁ ଭାରତୀୟ ଗଣତନ୍ତ୍ରର ଭବିଷ୍ୟତ ନିର୍ଦ୍ଧାରଣ କରିବ। ଶିକ୍ଷାକୁ ରୋଜଗାର-ଭିତ୍ତିକ କଲାବେଳେ ଉଚ୍ଚ ଶିକ୍ଷାର ଜ୍ଞାନ-ଉତ୍ପାଦକ ଶକ୍ତିକୁ ଅଣଦେଖା କରିବା ଗତ ସତୁରି ବର୍ଷର ଅଧିକ କାଳ ଭିତରେ ଗୋଟିଏ ବଡ଼ ରାଷ୍ଟ୍ରୀୟ ବିଫଳତା। ଏକଥା ଠିକ୍ ଯେ ଶିକ୍ଷିତ ବେରୋଜଗାରୀ ପ୍ରଶାସନ ପାଇଁ ମୁଣ୍ତବ୍ୟଥାର କାରଣ ହୋଇଚି, କିନ୍ତୁ, ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଜ୍ଞାନକେନ୍ଦ୍ର ନ ହୋଇପାରିବା ଓ ବିଶ୍ବବିଦ୍ୟାଳୟମାନଙ୍କର ଜ୍ଞାନ-ଉତ୍ପାଦକ ଶକ୍ତି ହ୍ରାସ ପାଇବା କ’ଣ ମୁଣ୍ତ ବ୍ୟଥା ଠାରୁ ଅଧିକ ବିପଜ୍ଜନକ ସମସ୍ୟା ସୃଷ୍ଟି କରିବ ନାହିଁ? ଭାରତୀୟ ଲୋକ ସମାଜରେ ଯାହାକୁ ଆମେ ଲୋକକ୍ଷେତ୍ର ବୋଲି କହୁଁ ତାହା ପରୋକ୍ଷ ଭାବରେ ଏକ ବିପୁଳାୟତନ ଜ୍ଞାନକେନ୍ଦ୍ର, ଅର୍ଥାତ୍ ବହୁ ଜ୍ଞାନୀ ଲୋକଙ୍କର ଜ୍ଞାନର ଉତ୍ସ ଲୋକକ୍ଷେତ୍ରରେ ବିଦ୍ୟମାନ କିନ୍ତୁ ତା’ର ବ୍ୟବହାର କୌଶଳ ଆମକୁ ଜଣାନାହିଁ। ଯେଉଁ ଜ୍ଞାନୀମାନେ ଲୋକକ୍ଷେତ୍ରର ଆଲୋକ, ସେମାନେ ଉଚ୍ଚଶିକ୍ଷା ପାଇଚନ୍ତି, ବିଶ୍ବବିଦ୍ୟାଳୟରେ ବିଭିନ୍ନ ବିଷୟ ପଢ଼ିଚନ୍ତି ଓ ସାମଗ୍ରିକ ଭାବରେ ଲୋକଜୀବନ ଓ ରାଷ୍ଟ୍ରକୁ ଦେଖିବାର ଏକ ଦୃଷ୍ଟିଭଙ୍ଗୀ ପାଇଚନ୍ତି। କିନ୍ତୁ ଯଦି ସୂକ୍ଷ୍ମ ଦୃଷ୍ଟିରେ ଦେଖାଯାଏ, ତେବେ ଦିଶିବ ଯେ ଗତ ଚାଳିଶ ପଚାଶ ବର୍ଷ ଭିତରେ ଅଧିକରୁ ଅଧିକ ଶିକ୍ଷିତ ଜ୍ଞାନୀ, ବାସ୍ତବତା ସହିତ ଜ୍ଞାନର ସ˚ପର୍କ ସ୍ଥାପନ କରିବାରେ ଅକ୍ଷମ ହୋଇପଡୁଚନ୍ତି ଓ ଫଳରେ ଲୋକକ୍ଷେତ୍ରକୁ ଜ୍ଞାନର ଆଧାରରେ ପରିଚାଳିତ କରିବାର ସାମାଜିକ ସ˚ପଦ ଏବେ ଦୁଷ୍ପ୍ରାପ୍ୟ। ସ୍ଥୂଳ ଭାବରେ ୟାର କାରଣ ବିଶ୍ବବିଦ୍ୟାଳୟ ଶିକ୍ଷାର ଭୂମିକା ବା ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କର ଭୂମିକା ଜ୍ଞାନ ପର˚ପରାରୁ ଆସି ରୋଜଗାର, ବ୍ୟବସାୟ, ପ୍ରଯୁକ୍ତି ବିଦ୍ୟା ବା ଟେକ୍ନୋଲୋଜିରେ ପହଞ୍ଚିଲାଣି। ବର୍ତ୍ତମାନ ପୁଞ୍ଜିବାଦୀ ଗଣତନ୍ତ୍ର ମାନଙ୍କରେ ବିଶ୍ବବିଦ୍ୟାଳୟଗୁଡ଼ିକ ଜ୍ଞାନମାର୍ଗରୁ ବିଚ୍ୟୁତ। ବର୍ଣ୍ଣାଡ୍ ଷ୍ଟିଗ୍ଲର୍ଙ୍କ ଭଳି ଖୁବ୍ କମ୍ ବିଦ୍ବାନ ଅଛନ୍ତି ଯେଉଁମାନେ ବିଶ୍ବବିଦ୍ୟାଳୟମାନଙ୍କରେ ଜ୍ଞାନର ଅବମୂଲ୍ୟାୟନ ବିଷୟରେ ଚିନ୍ତା କରିଚନ୍ତି। ‘ଟେକ୍ନିକ୍ସ ଆଣ୍ତ୍ ଟାଇମ୍’ ଓ ‘ଡିକାଡେନ୍ସ ଅଫ୍ ଇଣ୍ତଷ୍ଟ୍ରିଆଲ୍ ଡିମୋକ୍ରାସିଜ୍’ରେ ଷ୍ଟିଗ୍ଲର ଯୋଡ଼ିଏ ପ୍ରଶ୍ନର ବିଚାର କରିଚନ୍ତି: (୧) ଗଣତନ୍ତ୍ରର ଲୋକକ୍ଷେତ୍ରରେ ବିଶ୍ବବିଦ୍ୟାଳୟର ଭୂମିକା କ’ଣ? (୨) ପୁଞ୍ଜି ଓ ପ୍ରଯୁକ୍ତି କବଳିତ ବିଶ୍ବରେ ବିଶ୍ବବିଦ୍ୟାଳୟ ପାଖରେ ଜ୍ଞାନ-ଉତ୍ପାଦନର କି ସ୍ବାଧୀନତା ଅଛି? ବିଶ୍ବବିଦ୍ୟାଳୟର ଭୂମିକା ବିଷୟରେ ବିଶ୍ବର ବୃହତ୍ତମ ବିଶ୍ବବିଦ୍ୟାଳୟମାନଙ୍କରେ ଯେଉଁମାନେ ଚିନ୍ତା କରୁଚନ୍ତି ସେମାନେ ସମସ୍ତେ ଏକମତ ଯେ ଜ୍ଞାନର ବିଭାଗୀକରଣ, ଅର୍ଥାତ୍ ମାନବଶାସ୍ତ୍ର (ହ୍ୟୁମାନିଟିଜ୍), ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଅଲଗା ଅଲଗା କ୍ଷେତ୍ରରେ ବିତରିତ ହେବାର ପରିଣତି ଏହି ଯେ ଉଚ୍ଚଶିକ୍ଷା ତା’ର ମାନବ ଦର୍ଶନ ହରାଇଚି। ଷ୍ଟିଗ୍ଲର ଦେରିଦାଙ୍କ ଦୃଷ୍ଟିକୋଣର ସମର୍ଥନ କରି କହୁଚନ୍ତି ଯେ ଜ୍ଞାନ ମୁଖ୍ୟତଃ ମାନବ ଶାସ୍ତ୍ର ଓ ତାହା ହିଁ ବିଶ୍ବବିଦ୍ୟାଳୟର ଜ୍ଞାନ ଉତ୍ପାଦନର ମୂଳ ପିଣ୍ତ।
ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମାନବ ଶାସ୍ତ୍ରଠାରୁ ଅଲଗା ହେବାର ଅର୍ଥ ତାହା ମାନବ ମୂଲ୍ୟଠାରୁ ଅଲଗା ଏକ ଚଳନ୍ତି ନୈତିକତାର ନିର୍ମାଣ କରି ଚାଲିବ ଓ ସମୟ ଆସିବ ଯେତେବେଳେ ଜ୍ଞାନ ତା’ର ନିଜ ତାତ୍କାଳିକ ଉଦ୍ଦେଶ୍ୟରେ ଉତ୍ପାଦିତ ହେବ, ମୁଖ୍ୟତଃ ପୁଞ୍ଜି ଓ ପ୍ରଯୁକ୍ତିର ଆଧାରରେ। ଅନ୍ୟ ଭାବରେ କହିଲେ ଗଣତନ୍ତ୍ରରେ ଜ୍ଞାନ ପରିଚାଳନା ପାଇଁ ବିଶ୍ବବିଦ୍ୟାଳୟଗୁଡ଼ିକରେ ମାନବ ଜୀବନ, ମାନବ ସଭ୍ୟତା, ମାନବ ମୂଲ୍ୟ ଓ ମାନବୀୟ ଉତ୍କର୍ଷର ମୂଳପିଣ୍ତ ଜରୁରୀ। ଏ ମୂଳପିଣ୍ତ ସହିତ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଗୋଟିଏ ବିନିମୟ (କ୍ରିଟିକାଲ୍ ଏକ୍ସଚେଞ୍ଜ) ବରାବର ଚଳାଇ ରଖିବା ହେବ ଜ୍ଞାନର ବାସ୍ତବତା ସହିତ ବାର୍ତ୍ତାଳାପ। ବାସ୍ତବତା ସହିତ ବାର୍ତ୍ତାଳାପ ଓ ମଣିଷ ସହିତ ବିଜ୍ଞାନ ଓ ପ୍ରଯୁକ୍ତିର ବିନିମୟ ସମ୍ଭବ ନ ହେଲେ ସମସ୍ତ ଜ୍ଞାନ ବ୍ୟର୍ଥ ହୋଇଯିବ, କାରଣ ତାହା ମଣିଷର କାମରେ ଲାଗିବ ନାହିଁ। ଯାହା ମଣିଷର କାମରେ ଲାଗିବ ନାହିଁ ତାହା ଗଣତନ୍ତ୍ରକୁ ଜୀବନ ଦେବ କିପରି? ବିଶ୍ବବିଦ୍ୟାଳୟ ଗୁଡ଼ିକର ସ୍ବାଧୀନତା ବିଷୟରେ ଏ ଚିନ୍ତା କରାଯାଉଚି ଯେ ସ୍ବାଧୀନତାର ଅର୍ଥ ନୁହେଁ ଜ୍ଞାନର ଶକ୍ତିକୁ ପୁଞ୍ଜି ଓ ପ୍ରଯୁକ୍ତିର ବ୍ୟବସ୍ଥାରେ ବନ୍ଦୀ କରିବା। ମୋର ସୀମିତ ଅଧୢୟନରୁ ମୁଁ ଏଠି ଆଉ ଗୋଟିଏ ଦିଗ ଯୋଡ଼ିବି। ଏ ଦିଗଟି ହେଲା ବର୍ତ୍ତମାନର ବିଶ୍ବରେ ମୌଳିକ ବୈଜ୍ଞାନିକ ଅନୁସନ୍ଧାନ ଟେକ୍ନୋଲୋଜି ଦ୍ବାରା ପରିଚାଳିତ ହେବା। ଅର୍ଥାତ୍ ଟେକ୍ନୋଲୋଜିର ଆବଶ୍ୟକତା ପୂରଣ ପାଇଁ ବୈଜ୍ଞାନିକ ଅନୁସନ୍ଧାନ। ଏଠି ମଧୢ ବିଜ୍ଞାନ ତା’ର ଦାର୍ଶନିକ ଧରାତଳ ହରାଇଚି। ଏଭଳି ସ୍ଥିତିରେ ଗଣତନ୍ତ୍ରର ସଫଳତା ପାଇଁ କୋଉ ଜ୍ଞାନର ଉତ୍ପାଦନ ସମ୍ଭବ ହେବ? ଅର୍ଥାତ୍ ଆମର ସର୍ବୋଚ୍ଚ ଜ୍ଞାନ-ଉତ୍ପାଦନ କେନ୍ଦ୍ରଗୁଡ଼ିକ କେବଳ ରୋଜଗାର, ବ୍ୟବସାୟ ଓ ପ୍ରଯୁକ୍ତି ବିଦ୍ୟାର ସୂଚକାଙ୍କ ବଢ଼ାଇ ଚାଲିବେ, ଲୋକକ୍ଷେତ୍ରରେ ମୌଳିକ ମାନବୀୟ ସ୍ଥିତିର ଅନୁମାନ, ଅଧୢୟନ ଓ ବିନିମୟ ଅଲୋଡ଼ା ହୋଇଯିବ। ପରିଣତି ଏଇଆ ହେବ ଯେ ଲୋକେ ରାଷ୍ଟ୍ରୀୟ ନୀତି, ବିକାଶର ଲକ୍ଷ୍ୟ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ଭଳି ପ୍ରସଙ୍ଗଗୁଡ଼ିକ ବିଷୟରେ ଜ୍ଞାନ ନ ପାଇ କେବଳ ସୂଚନା ପାଇବେ। ୟାର ତର୍ଜମା, ବିଚାର, ପ୍ରାସଙ୍ଗିକତା ଓ ତର୍କ କ୍ରମେ ଲୋକକ୍ଷେତ୍ରରୁ ଅନ୍ତର୍ହିତ ହୋଇଯିବେ। ଲୋକକ୍ଷେତ୍ରର ଜ୍ଞାନୀଲୋକେ ବି ସେ ଜ୍ଞାନ ନ ପାଇ ବିଶ୍ବବିଦ୍ୟାଳୟରୁ କେବଳ କିଛି ସ˚କୀର୍ଣ୍ଣ ବିଶେଷ ଜ୍ଞାନ ନେଇ ଫେରିବେ। ସମାଜ ଜ୍ଞାନ-ସମାଜ (ନଲେଜ୍ ସୋସାଇଟି)ରେ ପରିବର୍ତ୍ତିତ ହୋଇପାରିବ ନାହିଁ।
ଜ୍ଞାନ ସବୁ ସଭ୍ୟତାର ମୂଳପିଣ୍ତ ଥିଲା। ଗଣତନ୍ତ୍ରର ମୂଳପିଣ୍ତ ମଧୢ ଜ୍ଞାନ ବୋଲି ଏବେ ହୃଦ୍ବୋଧ ହେବା ଆରମ୍ଭ ହୋଇଚି। ରାଷ୍ଟ୍ରର ଶିକ୍ଷାନୀତିରେ ଜ୍ଞାନର ଭୂମିକା କ’ଣ ତାହା ନିର୍ଣ୍ଣିତ ହୋଇନାହିଁ। ଭାରତ ସରକାରଙ୍କ ନୂଆ ଶିକ୍ଷା ନୀତିରେ ଜ୍ଞାନର ପ୍ରତ୍ୟାବର୍ତ୍ତନ ପାଇଁ କିଛି ଇ˚ଗିତ ଅଛି, କିନ୍ତୁ ଗଣତନ୍ତ୍ରର ଜୀବନ ପାଇଁ ଜ୍ଞାନ ଉତ୍ପାଦନ କେନ୍ଦ୍ର ଭାବରେ ଉଚ୍ଚ ଶିକ୍ଷା ଏତେ ଗୁରୁତ୍ବପୂର୍ଣ୍ଣ ହୋଇ ଉଠିଚି ଯେ, ଶିକ୍ଷାନୀତିର ଏକ ବିଶାଳ ‘ଜ୍ଞାନନୀତି’ ଭିତ୍ତିକ ଅନ୍ତର୍ପାଠ ଦରକାର। ଏଥିପାଇଁ ବିପୁଳ ପୁଞ୍ଜିଲଗାଣ ଓ ଅନ୍ତର୍ଦୃଷ୍ଟି ଦରକାର। ସୋ ହ୍ବାଟ୍ର ଏ ଅନ୍ତର୍ପାଠ, ଭାରତର ଗଣତନ୍ତ୍ରକୁ ସଂପୂର୍ଣ୍ଣ ବଦଳାଇ ଦେବ। ଶିକ୍ଷା ମନ୍ତ୍ରାଳୟ ହେବ ଗଣତନ୍ତ୍ରରେ ଜ୍ଞାନ-ପରିଚାଳନାର ନୀତିପୀଠ! ଗଣତନ୍ତ୍ର ସଭ୍ୟତାକୁ ଫେରିବ।
ମୋ-୯୪୩୭୦୩୯୮୫୮