ଘର ଭିତରର ଯୁଦ୍ଧ

ହିରଣ୍ମୟୀ ମିଶ୍ର

ଇଟାଲି ସିସିଲିର ପାଂଭାରା ସହରରେ ଜଣେ ସତେଇଶ ବର୍ଷ ବୟସ୍କା ଡାକ୍ତରୀ ଛାତ୍ରୀ ଲୋରିନାଙ୍କର ମାର୍ଚ୍ଚ ତିରିଶ ତାରିଖରେ ମୃତ୍ୟୁ ହେବା ଖବର ପ୍ରଚ‌ାରିତ ହେବା ପରେ ତାଙ୍କର ସହରର ଲୋକମାନେ ସେମାନଙ୍କ ବାଲକୋନିରୁ ଧଳା ଚାଦର ହଲେଇ ତାଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ। ଅଳ୍ପଦିନ ପରେ ଲୋରିନା ଡାକ୍ତର ଭାବେ ଯୋଗ୍ୟତା ହାସଲ କରିଥାଆନ୍ତେ। କିନ୍ତୁ କଥା ହେଲା, ତାଙ୍କର ମୃତ୍ୟୁ କୋଭିଡ-୧୯ ର ଭୂତାଣୁ ଦ୍ବାରା ନୁହେଁ, ବରଂ ତାଙ୍କ ଘର ଭିତରର ଭୂତାଣୁ, ତାଙ୍କର ପୁରୁଷବନ୍ଧୁ ଆଣ୍ଟୋନିଓଙ୍କ ଦ୍ବାରା ହୋଇଥିଲା। ସେହିପରି ସ୍ପେନ୍‌ର ଆଲମାସୋରା ସହରରେ ପଞ୍ଚତିରିଶ ବର୍ଷ ବୟସ୍କା କାରିନାଙ୍କୁ ତାଙ୍କ ପିଲାମାନଙ୍କ ସାମନାରେ ତାଙ୍କ ସ୍ବାମୀ ଜୋସ୍‌ ହତ୍ୟା କରିବା ପରେ ସ୍ଥାନୀୟ ପୁଲିସ ପାଖରେ ଆତ୍ମସମର୍ପଣ କରିଥିଲେ। ସ୍ପେନ୍‌ର ଲିଙ୍ଗଗତ ହିଂସା ବିରୋଧରେ ଥିବା ଆଇନ ଖୁବ୍ କଠୋର ଏବଂ ଘରୋଇ ହିଂସାରେ ମୃତ୍ୟୁବରଣ କରୁଥିବା ମହିଳାମାନଙ୍କ ପାଇଁ ଏଠାରେ ସର୍ବସାଧାରଣରେ ଶୋକପ୍ରକାଶ କରାଯାଏ। ସ୍ପେନ୍‌ର ଜାତୀୟ ପତାକାକୁ କାରିନାଙ୍କ ମୃତ୍ୟୁରେ ତାଙ୍କ ସହରରେ ତିନି ଦିନ ପାଇଁ ଅଧା ନୁଆଁଇ ରଖାଯାଇଥିଲା ଓ ଆଲମାସୋରାରେ ତିନି ଦିନ ଯାଏଁ ଶୋକ ପାଳନ କରା ଯାଇଥିଲା। ଉ‌େଲଖେନୀୟ ଯେ ଲକ୍-ଡାଉନ୍ ପର ଠାରୁ କାରିନା ଘରୋଇ ହିଂସାର ସେଠାରେ ସତରତମ ଶିକାର।

ବ୍ରିଟେନ୍‌ର ସଂଭ୍ରାନ୍ତ ଖବରକାଗଜ ‘ଦ ଗାର୍ଡିଆନ୍’ର ସୂଚନା ଅନୁସାରେ ଗତ କିଛି ସପ୍ତାହର ଲକ୍‌ଡାଉନ୍ ସମୟ ଭିତରେ ପ୍ରାୟ କୋଡ଼ିଏଟି ଘରୋଇ ହିଂସା ଜନିତ ମହିଳାଙ୍କର ହତ୍ୟାର ଖବର ଆସିଛି। ଅନ୍ୟ ବର୍ଷର ଏହି ସମୟରେ ଏହି ପ୍ରକାର ଘଟଣାଠାରୁ ଏହା ଖୁବ୍ ଅଧିକ। ତୁର୍କୀରେ ମାର୍ଚ୍ଚରେ ଲକ୍‌ଡାଉନ୍‌ ସମୟରେ ଅଠର ଜଣ ଓ ଆର୍ଜେଣ୍ଟିନାରେ ଚବିଶ ଜଣ ମହିଳା ଘରୋଇ ହିଂସାରେ ମୃତ୍ୟୁବରଣ କରିଛନ୍ତି। ଏ ସବୁ ତ ଘରୋଇ ହିଂସା ଜନିତ ହତ୍ୟାକାଣ୍ଡର ସଂଖ୍ୟା; ଏହାକୁ ବାଦ ଦେଲେ ସାରା ବିଶ୍ବର କରୋନା ଆକ୍ରାନ୍ତ ପ୍ରାୟ ସବୁ ଦେଶ ମାନଙ୍କରେ ଏହି ଲକ୍‌ଡାଉନ୍‌ ସମୟରେ ହେଲ୍‌ପଲାଇନ ଗୁଡ଼ିକୁ ଆସୁଥିବା ଘରୋଇ ହିଂସାର ଅଭିଯୋଗ ଖୁବ୍ ବେଶି। ଘରୋଇ ହିଂସା ବିରୋଧରେ କାମ କରୁଥିବା ବ୍ରିଟେନର ବୃହତ୍ତମ ସଂସ୍ଥା ‘ରେଫ୍ୟୁଜ୍’ର ତଥ୍ୟ ଅନୁସାରେ ବର୍ତ୍ତମାନ ସମୟରେ ଏହି ସଂସ୍ଥାର ହେଲ୍‌ପଲାଇନ୍ ଗୁଡ଼ିକୁ ଆସୁଥିବା ଫୋନ୍‌କଲ୍‌ର ସଂଖ୍ୟା ପୂର୍ବର ସାଧାରଣ ସମୟର କଲ୍ ଠାରୁ ସାତ ଶହ ପ୍ରତିଶତ ଅଧିକ।

ଆମେରିକା ଓ ୟୁରୋପ ବର୍ତ୍ତମାନ କରୋନା ଦ୍ବାରା ସବୁଠୁ ବେଶି କ୍ଷତିଗ୍ରସ୍ତ। ଏହି ସମୟରେ ‘ଲକ୍‌ଡାଉନ୍‌’କୁ ସାରା ପୃଥିବୀରେ କରୋନାକୁ ପ୍ରତିହତ କରିବାର ଏକ ମୁଖ୍ୟ ମାଧ୍ୟମ ଭାବେ ଗ୍ରହଣ କରାଯାଇଛି। କରୋନାର ଆକ୍ରମଣ ବିରୋଧରେ ବିଶ୍ବବ୍ୟାପୀ ଏଇ ଯୁଦ୍ଧରେ ମହିଳାମାନଙ୍କୁ ଘର ଭିତରର ଏ ଯୁଦ୍ଧରୁ ରକ୍ଷା କରିବା ଏକ ବଡ଼ ଆହ୍ବାନ ଭାବେ ଦେଖା ଦେଇଛି। ଯୁକ୍ତରାଷ୍ଟ୍ର ଆମେରିକାର ବିଭିନ୍ନ ଅଞ୍ଚଳରୁ ମହିଳାମାନେ ଘରୋଇ ହିଂସା ବିରୋଧରେ ଅଭିଯୋଗ ଜଣାଉଛନ୍ତି।

ଘରୋଇ ହିଂସା ପିତୃକୈନ୍ଦ୍ରିକ ବ୍ୟବସ୍ଥାର ଅନ୍ତର୍ନିହିତ କ୍ଷମତା ଖେଳର ଏକ ନିକୃଷ୍ଟତମ ପ୍ରତିଫଳନ। ଏସୀୟ ଦେଶ ଗୁଡ଼ିକରେ ଘର ଭିତରେ ଆତ୍ମୀୟ ସ୍ବଜନଙ୍କ ଦ୍ବାରା ଦୁଷ୍କର୍ମ, ଯୌତୁକ ଜନିତ ହିଂସା ଓ ହତ୍ୟା, ଘରର ସମ୍ମାନ ପାଇଁ ହତ୍ୟା ବା ଅନର କିଲିଂ, ବିଭିନ୍ନ କାରଣରୁ ବଧୂ ନିର୍ଯାତନା ଇତ୍ୟାଦି ଘରୋଇ ହିଂସାର ବିଭିନ୍ନ ରୂପ ଦେଖିବାକୁ ମିଳେ। କିନ୍ତୁ ପୃଥିବୀର ପ୍ରଗତିଶୀଳ ଦେଶଗୁଡ଼ିକରେ ଏହାର ରୂପ ଭିନ୍ନ। ଘର ଭିତରେ ଏକାଠି ରହୁଥିବା ନାରୀ ଓ ପୁରୁଷଙ୍କ ଭିତରେ ସମ୍ପର୍କର ବହୁବିଧ ରୂପ ସହ ବହୁବିଧ ଆକାଂକ୍ଷା ବି ସମ୍ପୃକ୍ତ। ତେଣୁ ଉନ୍ନତ ରାଷ୍ଟ୍ର ଗୁଡ଼ିକରେ ସଂପ୍ରସାରିତ ପାରିବାରିକ ବ୍ୟବସ୍ଥା ଭିତରେ ନ ରହି ଚୁକ୍ତିବଦ୍ଧ ସହଭାଗୀ (ପାର୍ଟନର), ପୁରୁଷ ବନ୍ଧୁ (ବୟଫ୍ରେଣ୍ଡ) ବା ସ୍ବାମୀଙ୍କ ସହ ରହୁଥିବା ମହିଳାମାନେ ଏବେ ଏହି ‘ଲକ୍‌ଡାଉନ୍’ ସମୟରେ ଅଧିକ ବର୍ବର ଘରୋଇ ହିଂସାର ଶିକାର ହେବା ଲକ୍ଷ୍ୟ କରା ଯାଇଛି। ଆମ ଦେଶରେ ବି ଏ ନେଇ ବିଭିନ୍ନ ସ୍ତରରେ ଚିନ୍ତା ବ୍ୟକ୍ତ କରାଯାଉଛି। ଦିଲ୍ଲୀ ଓ ମୁମ୍ବାଇ ଭଳି ସହରରେ ଘରୋଇ ହିଂସା ବିରୋଧରେ କାମ କରୁଥିବା ସଂଗଠନମାନଙ୍କ ପାଖକୁ ହିଂସାର ଶିକାର ହେଉଥିବା ମହିଳାମାନଙ୍କର ଫୋନ୍‌ ଆସୁଛି।

ଆମର ଜାତୀୟ ମହିଳା କମିସନ୍ ସବୁ ରାଜ୍ୟର ମହିଳା କମିସନ୍‌ ଗୁଡ଼ିକୁ ଏ ସମ୍ପର୍କରେ ସଚେତନ କରାଇଛନ୍ତି। ଆମ ଦେଶରେ ଏହି ପ୍ରକାରର ଘରୋଇ ହିଂସାର ଶିକାର ହେଉଥିବା ମହିଳାମାନଙ୍କ ଅବସ୍ଥା ଅଧିକ ଶୋଚନୀୟ। ବିଭିନ୍ନ ପ୍ରକାର ସାମାଜିକ କଟକଣା ଯୋଗୁଁ ଘର ଭିତରେ ନିକଟ ସମ୍ପର୍କୀୟମାନଙ୍କ ଦ୍ବାରା ହେଉଥିବା ହିଂସା ଆମ ଦେଶରେ ଖୁବ୍ କମ୍ ପଞ୍ଜିକୃତ ହୋଇଥାଏ। ଜାତୀୟ ପରିବାର ସ୍ବାସ୍ଥ୍ୟ ସଂସ୍ଥାର ମତ ଅନୁସାରେ ଭାରତରେ ପ୍ରାୟ ୯୯% ଘରୋଇ ହିଂସା ପୁଲିସ ଥାନାକୁ ଆସେ ନାହିଁ ବା ପଞ୍ଜିକୃତ ହୋଇ ନଥାଏ। ଏବେ ପୁଣି ‘ଲକ୍‌ଡାଉନ୍‌’ ସମୟରେ ହିଂସାର ଶିକାର ହେଉଥିବା ମହିଳାମାନଙ୍କର ବିଭିନ୍ନ ଆଇନ ସଂସ୍ଥା ବା ସହାୟକ ସଂସ୍ଥା ଗୁଡ଼ିକ ପାଖରେ ପହଞ୍ଚିବାର ମାଧ୍ୟମକୁ ସୀମିତ, ସଂକୁଚିତ ଓ ପ୍ରାୟ ବନ୍ଦ କରି ଦେଇଛି। ପୁଲିସ ବାହିନୀର ଏକ ବିରାଟ ଅଂଶ ତାଲାବନ୍ଦର ନିୟମ ପାଳନ ପାଇଁ ବ‌ାହାରେ ଜନତାଙ୍କ ଚଳପ୍ରଚଳକୁ ରୋକିବା ସମୟରେ ଘର ଭିତରର ପରିସ୍ଥିତି ଉଦ୍‌ବେଗଜନକ ହେବାରେ ଲାଗିଛି।

‘ଲକ୍‌ଡାଉନ୍‌’ର ପ୍ରଥମ ପର୍ଯ୍ୟାୟ ଆରମ୍ଭ ବେଳେ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଘରର ମା’, ଭଉଣୀମାନଙ୍କୁ ତାଲାବନ୍ଦ ସମୟରେ ଅଧିକ ଚାପ ନ ଦେବାକୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ ‘ମା’, ଭଉଣୀମାନେ ଭାଙ୍ଗି ପଡ଼ିଲେ ସମାଜ ଭାଙ୍ଗି ପଡ଼ିବ।’ ସେତେବେଳର ସମୟରେ ଅନେକେ ଏହାକୁ ଖୁବ୍‌ ହାଲୁକା ଭାବେ ଗ୍ରହଣ କରିଥିଲେ। ଏବେ କିଛି ଦିନ ତଳେ ସାରା ବିଶ୍ବରେ ଓ ଆମ ଦେଶରେ ତାଲାବନ୍ଦ ସମୟରେ ଘର ଭିତରେ ମହିଳାମାନଙ୍କ ଉପରେ ହେଉଥିବା ହିଂସାତ୍ମକ ଆଚରଣର ବୃଦ୍ଧି ଦେଖି ପୁଣି ଆମ ମୁଖ୍ୟମନ୍ତ୍ରୀ ରାଜ୍ୟର ପୁଲିସ ମହାନିର୍ଦ୍ଦେଶକଙ୍କୁ ଏଭଳି ହିଂସା ଆଚରଣ କରୁଥିବା ଅପରାଧୀମାନଙ୍କୁ କଠୋର ଦଣ୍ଡ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ସ୍ଥାୟୀ ହେଲ୍‌ପଲାଇନ୍ ନମ୍ବର ସହ ଆପାତକାଳୀନ ଫୋନ୍‌ ନମ୍ବର ଓ ଏଭଳି ମହିଳାମାନଙ୍କର ସହାୟତ‌ା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏକ ହ୍ବାଟ୍‌ସଆପ୍‌ ନମ୍ବର ଜାରି କରାଯାଇଛି। ଓଡ଼ିଶା ପୁଲିସ ତରଫରୁ କୁହାଯାଇଛି ଯେ ଘରୋଇ ହିଂସାର ଶିକାର ହେଉଥିବା ମହିଳା ପୁଲିସ ଷ୍ଟେସନ୍‌କୁ ଆସିବାର ଆବଶ୍ୟକତା ନାହିଁ, କେବଳ ସରକାରଙ୍କ ଦ୍ବାରା ଜାରି ହୋଇଥିବା ନମ୍ବରଟିରେ ଜଣେଇଲେ ପୁଲିସ୍‌ ସଂପୃକ୍ତ ମହିଳାଙ୍କ ଘରେ ଯାଇ ପହଞ୍ଚିଯିବ।

ଜାତିସଂଘର ମହିଳା ଶାଖା ବା ‘ୟୁ.ଏନ୍‌. ଉମେନ୍’ ଏହାକୁ ଏକ ‘ଛାୟା ମହାମାରୀ’ ଭାବେ ଅଭିହିତ କରିଛନ୍ତି। ଜାତିସଂଘର ମହାସଚିବ ଏପ୍ରିଲ୍‌ ୫ ତାରିଖରେ ଘର ଭିତରେ ଶାନ୍ତି ପ୍ରତିଷ୍ଠା ପାଇଁ ବିଶ୍ବବାସୀଙ୍କୁ ଆହ୍ବାନ ଦେଇ କହିଥିଲେ ଯେ ‘ହିଂସା କେବଳ ଯୁଦ୍ଧକ୍ଷେତ୍ରରେ ନଥାଏ। ବର୍ତ୍ତମାନ ସମୟରେ ସଂଖ୍ୟାଧିକ ମହିଳା ଓ ଝିଅଙ୍କ ପାଇଁ ସବୁଠୁ ବଡ଼ ଯୁଦ୍ଧର ଆଶଙ୍କା ସେମାନଙ୍କ ଘର ଭିତରେ ଦେଖାଯାଇଛି।’ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ମଧ୍ୟ ଘରୋଇ ହିଂସାକୁ ନିୟନ୍ତ୍ରଣରେ ଆଣିବାକୁ କରୋନା ପୀଡ଼ିତ ରାଷ୍ଟ୍ରମାନଙ୍କୁ ଅନୁରୋଧ ଜଣାଇଛନ୍ତି। ସ୍ପେନ୍‌ର କାନାରି ଦ୍ବୀପରେ ‘ସମାନତା ଅନୁଷ୍ଠାନ’ ନାମକ ବେସରକାରୀ ସଂସ୍ଥା ‘ମାସ୍‌କାରିଲା-୧୯’ ନାମରେ ଗୋଟିଏ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସେଠି ଘରୋଇ ହିଂସାର ଶିକାର ହେଉଥିବା ମହିଳାମାନେ ଏକ ସ୍ବତନ୍ତ୍ର ମାସ୍କ୍‌ ବା ମୁଖା ପାଇଁ ତ‌ାଲାବନ୍ଦ ନିୟମ ଭାଙ୍ଗି ନିକଟସ୍ଥ ‌ଓୗଷଧ ଦୋକାନ ଯାଏଁ ଯାଇ ପାରିବେ। ଓୗଷଧ ଦୋକାନୀ ଏହି ମୁଖା ଦେବା ସହ ସଂପୃକ୍ତ ମହିଳାଙ୍କୁ ଘରୋଇ ହିଂସାରୁ ରକ୍ଷା କରିବା ପାଇଁ ବିଭିନ୍ନ ସ୍ତରରେ ସାହାଯ୍ୟ ଯୋଗାଇ ଦେ‌େବ। ଆମର ଜାତୀୟ ମହିଳା କମିସନର୍ ରେଖା ଶର୍ମାଙ୍କ ବକ୍ତବ୍ୟ ଅନୁସାରେ ମାର୍ଚ୍ଚ ୨୩ ତାରିଖରୁ ଏପ୍ରିଲ୍ ୧୦ ଭିତରେ ସେମାନେ ଘରୋଇ ହିଂସାର ୩୭୦ଟି ଫୋନ୍‌ କଲ୍ ପାଇଛନ୍ତି ଏବଂ ୪୭୬ ଇ-ମେଲ୍ ପାଇଛନ୍ତି। ଏହାର ଅର୍ଥ ଇ-ମେଲ୍ ବ୍ୟବହାର କରୁଥିବା ଉଚ୍ଚ ଶିକ୍ଷିତ ମହିଳାମାନେ ବି ଏ ପ୍ରକାର ଘରୋଇ ହିଂସାର ଶିକାର ହେଉଛନ୍ତି।

ଯେ କୌଣସି ରାଷ୍ଟ୍ରୀୟ ବା ସାମାଜିକ ସଂକଟ ସମୟରେ ମହିଳାମାନେ ସବୁଠାରୁ ଅଧିକ ଅସୁବିଧା ଭୋଗ କରିଥାଆନ୍ତି। ‘ଘର ଭିତରେ ରହିବା, କରୋନାକୁ କରିବା ନା’- କରୋନା ବିରୋଧରେ ଚାଲିଥିବା ଯୁଦ୍ଧର ମୁଖ୍ୟ ଅସ୍ତ୍ର ପାଲଟିଥିବା ବେଳେ ଘର ଭିତରେ ଯେଉଁ ଯୁଦ୍ଧର ଶିକାର ଆମ ମହିଳାମାନେ ହେବାରେ ଲାଗିଛନ୍ତି, ତାକୁ ରାଷ୍ଟ୍ର, ରାଷ୍ଟ୍ରୀୟ ସଂସ୍ଥା ବା ଆଇନ କାନୁନ ମାଧ୍ୟମରେ ଅଟକେଇବା ସହଜ ନୁହେଁ। ଘର ଭିତରର ପରିବେଶକୁ ସମ୍ବେଦନଶୀଳ କରିବା ପାଇଁ ଘର ଭିତରର ମଣିଷମାନେ ହିଁ ଚିନ୍ତା କରିପାରିବେ। ତାଲାବନ୍ଦର ସମୟରେ ଘର ଭିତରର ଅଧିକାଂଶ ଦାୟିତ୍ବ ସହ ଛୋଟ ପିଲା ଓ ବୟସ୍କ ମାନଙ୍କର ଯତ୍ନ ମହିଳାମାନେ ହିଁ ନେଉଛନ୍ତି। ଏ ପରିପ୍ରେକ୍ଷୀରେ ଏହାକୁ ହୃଦୟଙ୍ଗମ କରି ପାରସ୍ପରିକ ବୁଝାମଣା ଓ ମାନବିକ ସଂପର୍କର ବୃଦ୍ଧି ଜରିଆରେ ହିଁ ଏହି ସମସ୍ୟାର ସମାଧାନ କରାଯାଇପାରିବ। ଘର ଭିତରର ଯୁଦ୍ଧ ତୀବ୍ର ହେଲେ ଘର ବାହାରେ ଚାଲିଥିବା ଯୁଦ୍ଧର ଭୟାବହତା ଆହୁରି ବଢ଼ିଯିବ।

[email protected]

ସମ୍ବନ୍ଧିତ ଖବର