ରଙ୍କ ପାଟିରେ ପାନ

ସତ୍ୟନାରାୟଣ ଗନ୍ତାୟତ

ଗଲୁଟି ବାପ ପାନ ଆଣିଦେବୁ ମୋ ପାଇଁ: ବଡ଼ କାଇଦାରେ ଏକା କହିବେ ସିଏ। ହେଲେ କି ପାନ, ଦେଶୀ ପତ୍ର ନା ବଙ୍ଗାଳି ପତ୍ର ନା ମିଠା ପତା ଜାଣି ହେବନି। ସାଦା ପାନ, ଯାହା ଭୋଜନାନ୍ତେ ସଚରାଚର ପାଟିରେ ଗୁଞ୍ଜି ଚୋବାଯାଏ; ତାହା ନା ମିଠା ପାନ ନା ଗୁଆଗୁଣ୍ଡି ଓ ନାନାଦି ମସଲାଭରା କଡ଼ା ପାନ ?

ଏମିତି ଭାବି ଭାବି ମଣିଷ ଧନ୍ଦି ହେଉଥିବା ବେଳେ ସେ ପୁଣି ଡାକି କହିବେ: ଆରେ ହେ, କି ପାନ କ’ଣ ମୁଁ କହିଲିଣି? ପାନ ଖାଏ ବୋଲି ମୁଁ ୟା ତା’ ପରି ଯାଚ୍ଛାତା ଚୋବାଇ ଯାଏନି ମ! ମୋ ପାନ ଅୱଲ ନମ୍ବରିଆ, ଯା ପାଟିରେ ପଡୁ ପଡୁ ଜଣା ପଡ଼ିଯାଏ କେଡ଼େ ଘାଏଁ ମାତବରିଆ!

ଏମିତି ଗପୁଥିବା ଭିତରେ ସେ ଅଚାନକ ଏକ ରକମ ବିଜୁଳି ବେଗରେ କହି ଉଠିବେ- ଯା! ଗୁଆ ଗୁଜରାତି ଅଳେଇଚ ପିପ୍ରମେଣ୍ଟ ଚମ୍‌ନବାର୍ ଦିଆ ପାନ ଆଣିବୁ! ଦେଶୀ ପତ୍ରରେ ଅଳ୍ପ ଚୁନ ଲାଗିବ, ମନେ ରଖିବୁ!

ମାମୁଲି ପାନ ଖଣ୍ଡେ ଚୋବାଇବାକୁ ନେଇ ଏମିତି ଏତେ ଦେଖାଇ ହେଉଥିବା ଅଜବ ଲାଗିବା କଥା। ଜରୁର୍ ଭାବୁଥିବେ ଯେ ବଡ଼ବଡ଼ିଆ ଲୋକ ହୋଇଥିବେ ନିଶ୍ଚୟ! ତୁଚ୍ଛା କଥାରେ ବି ବଡ଼େଇ ଚଢ଼େଇ ହେଲେ କେହି କିଛି କହିବେନି ବୋଲି ଭାବି ନେଇ ଯାବତ ନଖରାମି କାଢୁଛନ୍ତି!

କିନ୍ତୁ କଥାଟା ସେଇଆ ନୁହଁଇ ଯେ! ଶଂସିତ ବ୍ୟକ୍ତି ଜଣକ ସ୍ୱଭାବରେ ହିଁ ଏମିତି। ପହିଲେ ଆପଣାକୁ ସବଜାନତା ଦେଖାଇ ହେବା ତାଙ୍କ ସହଜାତ ପ୍ରବୃତ୍ତି। ଅସଲରେ କିନ୍ତୁ ନିଜ ବୟସ ଓ ତଜ୍ଜନିତ ଅନୁଭବ ଅନୁସାରେ ସାମାନ୍ୟାଦପି ସାମାନ୍ୟ କଥା ବି ମାଲୁମ ନ ଥାଏ ତାଙ୍କୁ। ଆଉ ଗୋଟେ କଥା ହେଲା, ଫି କଥାରେ ପେଞ୍ଚ ମାରିବା ବା ସବୁ ଠିକଠାକ ହୋଇ ଚାଲିଥିଲେ ବି ଅଯଥାରେ ଜାଣିଶୁଣି ଷଣ୍ଢ ପୂରାଇବା ତାଙ୍କ ପାଇଁ ନିତ୍ୟ ନୈମିତ୍ତିକ କଥା।

ସୁତରାଂ ବେଳ ଏମିତି ଆସିଲା ଯେ ବୟସ ବଢ଼ିବା ସହ ତାଙ୍କ ସୃଷ୍ଟ ବିଚିକିଟିଆ କଥା ଓ କାମମାନ ସମ ତାଳରେ ବଢ଼ି ଚାଲନ୍ତେ ଘର ଲୋକେ ଅତିଷ୍ଠ ହୋଇ ଉଠିଲେ। କେବଳ ତାଙ୍କ ଖିଆପିଆ ଓ ଦିହପା କଥା ବୁଝିବା ଛାଡ଼ି ଆଉ କୋଉ କଥାରେ ତାଙ୍କୁ ବାସି ପାଣିରେ ବି ପଚାରିଲେନି। ଡାକିଲେ ବି ଶୁଣି ନ ଶୁଣିଲା ପରି ରହନ୍ତେ ତାଙ୍କ ଅବସ୍ଥାରେ ସତରେ ବାର ବାଜିଗଲା।

ଅଗତ୍ୟା ବିଗିଡ଼ି ଯାଉଥିବା ପରିସ୍ଥିତି ଦେଖି ସେ ଘର ଛାଡ଼ି ଏଠିକି ଆସିଗଲେ ସିନା, ହେଲେ ଏଠି ଯେଉଁ ବନ୍ଧୁ ଘରେ ଆସ୍ଥାନ ଜମାଇଲେ, ସେଠି ସେମାନେ ବି ୟାଙ୍କ କଥା ଆଗରୁ ଜାଣିଥିଲେ କି କ’ଣ, ୟାଙ୍କର ଭଳିକି ଭଳି ଜରୁରତ୍‌ମାନଙ୍କୁ ପୂରଣ କରିବା ତେଣିକି ଥାଉ, ବରଂ ଥେଣ୍ଟ-କାଲ ପ୍ରାୟେ ତୁନିତାନି ରହିଯିବା ଦେଖାଗଲା।

ତ’ ବାଧ୍ୟ ହୋଇ ଆଉ କିଛି ନୋହିଲେ ନାଇଁ ଏହି ପାନ ଖଣ୍ଡେ ଦେଲେ ତାଙ୍କ ମୁହଁ ବନ୍ଦ ହୋଇଯିବ ବୋଲି ଧାରଣାଟେ ସେ ଲାଗିପଡ଼ି ସୃଷ୍ଟି କରି ଦିଅନ୍ତେ; କୌଣସି ମତେ ତାଙ୍କୁ ପାନ ଖଣ୍ଡେ ମିଳିବା ଯାହା ଥୟ ହୋଇଗଲା। କିନ୍ତୁ ଏତିକି ମିଳୁମିଳୁ ପୁଣି ସୁରୁ ହୋଇଯାଏ ତାଙ୍କର ସେଇ ସେଇ ପୁରୁଣା ଉତ୍ପାତ।

ହେଲେ ୟା ଭିତରେ ସେ ଠିକ୍ ଠଉରାଇ ନେଇଚନ୍ତି ଯେ ଏଠି ସଭିଏଁ କିଞ୍ଚିତ ଧର୍ମଭୀରୁ, ବାସ୍ତୁ, ଜାତକ, ଗ୍ରହ ନକ୍ଷତ୍ରାଦି ପ୍ରଭାବକୁ ବେଶ୍ ମାନନ୍ତି। ତେଣୁ କଥା କଥାକେ ଏବେ ସେ କହନ୍ତି: ଆଃ ଆଜି ହଳଦିଆ ବସ୍ତ୍ର ପିନ୍ଧିଦେଲ, ଧଳା ପିନ୍ଧିଥିଲେ ସିନା ଧନଧାନ୍ୟ ଉଛୁଳିଥା’ନ୍ତା! ଦେଖ ସେ ରୁମ୍ କୋଣରେ ଗୋଟେ ଢାଳରେ ପାଣି ଭର୍ତ୍ତି କରି ରଖିବ ତ ସକଳ କାର୍ଯ୍ୟରେ ସିଦ୍ଧି ହେବା ଥୟ।

ଆଉ ଏସବୁ ଜରିଆରେ ଧୀରେ ଧୀରେ ସଭିଙ୍କୁ ପକଡ଼ି ନେବା ପରେ ଦେଖୁନା ତାଙ୍କର ସେଇ ପାଟି, ଯାହା ରଙ୍କ ହୋଇ ଯାଉଥିଲା ପାନଖଣ୍ଡେ ଚୋବାଇବା ପାଇଁ, ତହିଁରେ କେମିତି ବାଟୁଳି ବାଜୁନି! ବନେଇ ଚୁନେଇ କଥା ମାନ କହି ମନ ପସନ୍ଦର ପାନମାନ ଚୋବାଇ ଲାଗିଲେଣି!

ତେବେ ଜାଣି ରଖ ତୁମେ ଦିନେ ତାଙ୍କୁ ପାନ ଦେଇ ଦେଇ ଥକିବ ଓ ମନେ ମନେ କହିବ: ଏ ରଙ୍କୁଣାର ପାଟି ଶୁଖିଲା ଥିଲା, ଭଲ ଥିଲା! ୟା ପାଟିକୁ ପାନ ଆସିବା ସୁରୁ ହେଲାନି ଯେ ଜାଣ ମୋ ଜୀବନ ଖାଇଲା!

ମୋ- ୯୪୩୭୯୦୯୬୭୫

ସମ୍ବନ୍ଧିତ ଖବର