କରୋନା ପୂର୍ବରୁ ଜାନୁଆରି ୨୦୨୦ରେ ‘ସେନ୍‌ସେକ୍‌ସ୍‌’ ବା ଷ୍ଟକ୍ ଏକ୍‌ସଚେଞ୍ଜ୍‌ ସୂଚକାଙ୍କ ୪୧୬୨୬ରୁ ମାର୍ଚ୍ଚ ୨୦୨୦ରେ ୨୬୦୦୦କୁ ଖସି ଆସି ପୁଣି ସେପ୍ଟେମ୍ବର ୨୪, ୨୦୨୧ରେ ବୃଦ୍ଧି ପାଇ ସର୍ବାଧିକ ହାରାହାରି ୬୦, ୦୦୦ରେ ପହଞ୍ଚିଲା। କରୋନା ପରି ମହାମାରୀ ଏବେ ପୃଥିବୀ ତଥା ଭାରତରେ କାୟା ବିସ୍ତାର କରି ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିଥିବା ପରିପ୍ରେକ୍ଷୀରେ ଏପରି ସୂଚକାଙ୍କରେ ଏଭଳି ବୃଦ୍ଧି ଊଣା ଅଧିକେ ସମସ୍ତଙ୍କୁ ଚକିତ କରିବା କଥା। ଏହାର କାରଣ କ’ଣ ହୋଇପାରେ ବୋଲି ଏକ ଉତ୍ସୁକତା ମଧ୍ୟ ଜାତ ହୋଇଥାଏ। ନିକଟରେ ଭାରତର ସର୍ବମୋଟ ପୁଞ୍ଜି ୭.୫ ଲକ୍ଷ କୋଟି ଡଲାର୍‌ରେ ପହଞ୍ଚି ଏହା ବିଶ୍ବର ସପ୍ତମ ବୃହତ୍ତମ ପୁଞ୍ଜି ବଜାରରେ ପରିଣତ ହେବା ସହ ଫ୍ରାନ୍‌ସକୁ ଅତିକ୍ରମ କରିଛି। ଆଶା କରାଯାଏ ଅତି ଶୀଘ୍ର ଏହା ଇଂଲଣ୍ଡକୁ ମଧ୍ୟ ଅତିକ୍ରମ କରିବ। ଉଲ୍ଲେଖନୀୟ ଯେ ଭାରତରେ ସେନ୍‌ସେକ୍‌ସ ଯାହା କି ୧୯୭୯ରେ ୧୦୦ରେ ଆରମ୍ଭ ହୋଇଥିଲା, ବର୍ତ୍ତମାନ ୬୦ ହଜାରରୁ ଅଧିକ ହୋଇଥିବାରୁ ଏହା ବାର୍ଷିକ ୧୬.୫ ପ୍ରତିଶତ ହାରରେ ବୃଦ୍ଧି ପାଇଛି ବୋଲି କୁହାଯାଇପାରେ। ଯେ କୌଣସି ମାପକାଠିରେ ଏହା ଅଧିକ ଅଟେ। ୨୦୧୯-୨୦ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୪ ପ୍ରତିଶତ ଥିଲା ଓ କରୋନା ମହାମାରୀ ପ୍ରକୋପ ସମୟରେ ଭାରତ ଆପଣେଇଥିବା ସବୁଠାରୁ କଠୋର ତାଲାବନ୍ଦ ପ୍ରଭାବରେ ୨୦୨୦-୨୧ ଆର୍ଥିକ ବର୍ଷର ଅଭିବୃଦ୍ଧି -୭.୩ ପ୍ରତିଶତକୁ ଖସି ଆସିଥିଲା। ଏହା ପୃଥିବୀର ବିଭିନ୍ନ ବୃହତ୍ତର ଅର୍ଥନୀତି ମଧ୍ୟରେ ସର୍ବାଧିକ। ସରକାରଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ମଧ୍ୟ ମାତ୍ରାଧିକ ହ୍ରାସ ପାଇଥିଲା ଓ ସରକାର ତଥା ରିଜର୍ଭ ବ୍ୟାଙ୍କ୍‌ କରୋନା ପରିପ୍ରେକ୍ଷୀରେ ୧୦ ଲକ୍ଷ କୋଟିରୁ ଅଧିକ ଅର୍ଥରାଶିର ସହାୟତା ଘୋଷଣା କରିଥିଲେ। କରୋନାକୁ ପ୍ରତିହତ କରିବା ଲାଗି ସ୍ବାସ୍ଥ୍ୟ ସେବା ଓ ସାର୍ବଜନୀନ ମାଗଣା ଟିକାକରଣ ପାଇଁ ସରକାରଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଥିଲା। ସରକାର କିନ୍ତୁ ନୂତନ ଟିକସ ବସାଇବା, ଟିକସ ହାର ବୃଦ୍ଧି କରିବା, ସରକାରୀ ଋଣର ପୁଞ୍ଜୀକରଣ କରିବା ଭଳି (ବଜେଟ୍‌ରେ ଆଶା କରାଯାଉଥିବା ସତ୍ତ୍ବେ) ପଦକ୍ଷେପ ନ ନେଇ ବଜାରରୁ ଅଧିକ ଋଣ କରିବା ଏବଂ ଘରୋଇକରଣ କରିବା ଭଳି କେତେକ ପଦକ୍ଷେପ ନେଇଥିଲେ, ଯାହା ପୁଞ୍ଜି ବଜାରକୁ ସୁହାଇଥିଲା ଓ ବଜେଟ୍ ପରେ ସୂଚକାଙ୍କ ଆଶାତୀତ ଭାବେ ବୃଦ୍ଧି ପାଇଥିଲା।

Advertisment

ନିକଟ ଅତୀତରେ ବଜାର ବୃଦ୍ଧିର ମୁଖ୍ୟ କାରଣ ହେଉଛି କଂପାନିମାନେ ଯଥେଷ୍ଟ ଭାବେ ତାଙ୍କର ଦୈନନ୍ଦିନ ଖର୍ଚ୍ଚ କମାଇବା ସହ ଉତ୍ପାଦକତା ବୃଦ୍ଧି କରିଛନ୍ତି। ଦୀର୍ଘ ଦିନର ତାଲାବନ୍ଦ ପାଇଁ ଦୈନନ୍ଦିନ ଖର୍ଚ୍ଚ କାଟ ଓ ବୈଷୟିକ ଜ୍ଞାନ-କୌଶଳ ପ୍ରୟୋଗ ସହାୟତାରେ ଏହା ସମ୍ଭବ ହୋଇ ପାରିଛି। ଅନ୍ୟ ଏକ ପ୍ରମୁଖ କାରଣ ହେଲା, ଅଧିକାଂଶ କଂପାନି ସେମାନଙ୍କର ଋଣ ବୋଝକୁ ବହୁଳାଂଶରେ ହ୍ରାସ କରିଛନ୍ତି ଓ ବର୍ତ୍ତମାନ ସୁଧ ହାର ଖୁବ୍ କମ୍ ଥିବାରୁ ତାଙ୍କର ସୁଧ ବାବଦରେ ଖର୍ଚ୍ଚ ମଧ୍ୟ ବହୁ ମାତ୍ରାରେ କମି ଯାଇଛି। ଭାରତରେ ସୁଧ ହାର ୨୦୦୪ ପର ଠାରୁ ବର୍ତ୍ତମାନ ସବୁଠାରୁ କମ୍ ଅଛି ଓ ରିଜର୍ଭ ବ୍ୟାଙ୍କ୍‌ ମଧ୍ୟ ଅନେକ ସମୟୋପଯୋଗୀ ଅନୁକୂଳ ପଦକ୍ଷେପ ନେଇଛନ୍ତି। ପୃଥିବୀର ସବୁଠାରୁ ଶକ୍ତିଶାଳୀ ଉତ୍ପାଦନକାରୀ ରାଷ୍ଟ୍ର ଚୀନ୍, ଯାହା ବିଶ୍ବକୁ ଶସ୍ତା ଦରରେ ବିଭିନ୍ନ ସାମଗ୍ରୀ ଯୋଗାଇ ପାରୁଥିଲା, କରୋନା କାରଣରୁ ସନ୍ଦିଗ୍‌ଧ ହୋଇପଡ଼ିଛି ଏବଂ ଏହାର ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଆମେରିକାର ସନ୍ଦେହ ଦୃଷ୍ଟିରେ ରହିବା ଫଳରେ ଅନେକ ଆମେରିକୀ ଉଦ୍ୟୋଗ ଚୀନ୍‌ରୁ ସେମାନଙ୍କର ଉତ୍ପାଦନ ବନ୍ଦ କରିବା ସହ କାରବାରରେ ମଧ୍ୟ ଅନେକ ହ୍ରାସ କରିଛନ୍ତି। ସେମାନେ ଭାରତ ଏବଂ ବିଭିନ୍ନ ପୂର୍ବ ଏସୀୟ ଦେଶ ସମୂହ ଯେମିତିକି ଭିଏତ୍‌ନାମ, ବାଂଲାଦେଶ, ଥାଇଲାଣ୍ଡ ଇତ୍ୟାଦି ଆଡେ ମୁହାଁଇଛନ୍ତି। ଭାରତ ଏକ ବିଶାଳ ବଜାର ହୋଇଥିବାରୁ ଆମେ ଅଧିକ ବିଦେଶ ପୁଞ୍ଜି ଆକୃଷ୍ଟ କରିପାରିଛୁ, ଯାହା ପୂର୍ବର ସମସ୍ତ ରେକର୍ଡକୁ ଭଙ୍ଗ କରିଛି। ସୂଚକାଙ୍କ ବୃଦ୍ଧିର ଏହା ଏକ ପ୍ରମୁଖ କାରଣ। ଗତ ଜୁଲାଇ ୨୦୧୭ରୁ ଜି.ଏସ୍.ଟି.ର ସୁପ୍ରଭାବ ବର୍ତ୍ତମାନ କ୍ରମଶଃ ପରିଲକ୍ଷିତ ହେଉଛି। ଜି.ଏସ୍.ଟି. କାରଣରୁ ଅଣସଂଗଠିତ ଭାବରେ କାର୍ଯ୍ୟ କରୁଥିବା କଂପାନିଙ୍କ ସଂଖ୍ୟା କମିଛି ଓ ଅନେକ କ୍ଷେତ୍ରରେ ଏହା ସଂଗଠିତ କ୍ଷେତ୍ରରେ ବଡ଼ ବଡ଼ କଂପାନି ସହ ଯୋଡ଼ି ହୋଇଛନ୍ତି ଏବଂ ସେମାନଙ୍କ କାରବାର ବଢିବା ସହ ଲାଭାଂଶ ମଧ୍ୟ ବୃଦ୍ଧି ପାଇଛି।

କୋଭିଡ୍ ସମୟରେ ପୃଥିବୀର ସମସ୍ତ ଦେଶର ଆର୍ଥିକ ସ୍ଥିତି ଊଣା ଅଧିକେ ପ୍ରଭାବିତ ହୋଇଛି ଓ ବିକଶିତ ଦେଶ ଯଥା ଆମେରିକା, ଜାପାନ ଇତ୍ୟାଦି ଅଧିକ ଆର୍ଥିକ ପ୍ରୋତ୍ସାହନ ଦେଇ ଅର୍ଥନୀତିକୁ ପୁନର୍ଜୀବିତ କରିବା ପାଇଁ ପ୍ରଚେଷ୍ଟା କରିଛନ୍ତି। ୨୦୦୮ର ବିଶ୍ବ ଆର୍ଥିକ ସଂକଟ ସମୟରେ ଯେତିକି ଋଣ ହୋଇଥିଲା, ବର୍ତ୍ତମାନ ତା’ଠାରୁ ୩ ଗୁଣ ଅଧିକ ଋଣ ହୋଇ ପର୍ଯ୍ୟାପ୍ତ ପରିମାଣରେ ପୁଞ୍ଜି ପ୍ରଚଳନକୁ ସମ୍ଭବ କରିଛି ଓ ଏହା ଅନେକ ମାତ୍ରାରେ ପୁଞ୍ଜି ବଜାରକୁ ମଧ୍ୟ ସୁହାଇଛି। ଫଳରେ ଭାରତ କାହିଁକି ବିଶ୍ବର ସମସ୍ତ ପୁଞ୍ଜି ବଜାରର ସୂଚକାଙ୍କ ମଧ୍ୟ ବୃଦ୍ଧି ପାଇଛି। ସଂପ୍ରତି ମାତ୍ରାଧିକ ପୁଞ୍ଜି ପ୍ରଚଳନ ହୋଇଥିବାରୁ ସୁଧ ହାର ମଧ୍ୟ ହ୍ରାସ ପାଇଛି ଓ ବ୍ୟାଙ୍କ୍‌, ପୋଷ୍ଟ ଅଫିସ୍ ଇତ୍ୟାଦିର ସ୍ଥାୟୀ ଜମାର ସୁଧ ହାର ମଧ୍ୟ ହ୍ରାସ ପାଇଛି। ମୁଦ୍ରାସ୍ଫୀତି ଓ ସ୍ଥଳ ବିଶେଷରେ ଆୟ କରକୁ ହିସାବ କଲେ ଦେଖାଯାଉଛି ଯେ ଜଣେ ସ୍ଥାୟୀ ଜମାକାରୀ ତା’ର ଜମା ରାଶିର କ୍ରୟ କ୍ଷମତାକୁ ମଧ୍ୟ ବଜାୟ ରଖିପାରୁନାହିଁ; ତେଣୁ ଅନେକ ଲୋକ କୌଣସି ଉପାୟ ନ ପାଇଁ ପୁଞ୍ଜି ବଜାର ପ୍ରତି ଆକୃଷ୍ଟ ହେଉଛନ୍ତି। ୨୦୦୮ ମସିହାରେ ବିଶ୍ବ ଷ୍ଟକ୍‌ ଏକ୍‌ସଚେଞ୍ଜ୍‌ର ନିବେଶକଙ୍କ ସଂଖ୍ୟା ପ୍ରାୟ ୧ କୋଟି ଥିଲା, ଯାହା ବର୍ତ୍ତମାନ ବୃଦ୍ଧି ପାଇଁ ୮ କୋଟିରେ ପହଞ୍ଚିଲାଣି ଓ ଗତ ୧୦୭ ଦିନ‌େର ଏକ କୋଟି ନୂଆ ନିବେଶକ ଯୋଡ଼ି ହୋଇଛନ୍ତି। ନୂତନ ପିଢ଼ିର ନିବେଶକ ଚିରାଚରିତ ଜମା ଯୋଜନାରେ ବିଶେଷ ଆକୃଷ୍ଟ ହେଉ ନାହାନ୍ତି। ସରକାର ମଧ୍ୟ ପ୍ରୋଭିଡେଣ୍ଟ ଫଣ୍ଡ୍‌, ଏନ୍.ପି.ଏସ୍., ବୀମା ଇତ୍ୟାଦିର ଜମାର ନିୟମକୁ କୋହଳ କରି ପୁଞ୍ଜି ବଜାରରେ କିଛି ଅଂଶର ବିନିଯୋଗ କରିବା ପାଇଁ ଅନୁମତି ଦେଇଥିବାରୁ ପୁଞ୍ଜି ବଜାରକୁ ନିରବଚ୍ଛିନ୍ନ ଭାବରେ ବିନିଯୋଗ ରାଶି ଆସୁଛି। ଏହା ପୁଞ୍ଜି ବଜାରକୁ ଅଧିକ ପ୍ରୋତ୍ସାହନ ଯୋଗାଉଛି। ତା’ ଛଡ଼ା ଅତି ବିବାଦୀୟ ହୋଇପଡ଼ିଥିବ‌ା ପିଛିଲା ଦିନରୁ କର ବ୍ୟବସ୍ଥା, ଯାହା ଅନ୍ତର୍ଜାତୀୟ ବଜାରରେ ଭାରତର କର ନିୟମକୁ ସନ୍ଦେହାସ୍ପଦ କରି ଦେଇଥିଲା, ବର୍ତ୍ତମାନ ଅସ୍ତିତ୍ବ ହରାଇ ଥିବାରୁ ସ୍ଥିତିରେ ଅନେକଟା ସୁଧାର ଆସିଛି।

ସେହିପରି ଟେଲିକମ୍ କ୍ଷେତ୍ରରେ ଅନେକ ରିହାତି ବ୍ୟବସ୍ଥା, ଭାରତରେ ବହୁଳ ଉତ୍ପାଦନ କରି ବୈଦେଶିକ ପ୍ରଭାବକୁ ପ୍ରତିହତ କରିବା ପାଇଁ ଅନେକ କ୍ଷେତ୍ରକୁ ପି.ଏଲ୍.ଆର. ସ୍କିମ୍ ମାଧ୍ୟମରେ ରିହାତି ପ୍ରଦାନ, ୬ ଲକ୍ଷ କୋଟିର ଭିତ୍ତିଭୂମି ନିର୍ମାଣ ସହାୟତା ରାଶି, ଶକ୍ତି କ୍ଷେତ୍ରରେ ୩ ଲକ୍ଷ କୋଟିର ସଂସ୍କାର, ୩୦୦୦୦ କୋଟି ଗ୍ୟାରେଣ୍ଟି ମାଧ୍ୟମରେ ‘ଖରାପ ବ୍ୟାଙ୍କ୍‌’ର ସ୍ଥାପନା, ଆଇ.ବି.ସି ଭଳି ନୂତନ କାନୁନର ପ୍ରଚଳନ ଇତ୍ୟାଦି ଭାରତର ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ଖୁବ୍ ସହାୟକ ହୋଇଛି। ଏହା ସହିତ ଘରୋଇକରଣ, ଅଧିକ ପୁଂଜି ବିନିଯୋଗ ଓ ଶ୍ରମ ଆଇନର ସଂଶୋଧନ, ଅଧିକ ବିଦେଶୀ ପୁଞ୍ଜି ଆକର୍ଷଣ ଲାଗି ନୀତି ପ୍ରଣୟନ ଇତ୍ୟାଦି ଭାରତର ଅର୍ଥନୀତିକୁ ବେଗ ଦେବା ସହ ପୁଞ୍ଜି ବଜାରକୁ ବୃଦ୍ଧି କରିବାରେ ସହାୟକ ହେଉଛି। ଆଶା କରାଯାଏ ଯେ ନିକଟ ଭବିଷ୍ୟତ୍‌ରେ ଭାରତ ଅନ୍ତର୍ଜାତୀୟ ଋଣ ବଜାରରେ ଅନ୍ତର୍ଭୁକ୍ତ ହେବ, ଯାହା ଫଳରେ ଭାରତର ସୁଧ ହାର ହାରାହାରି ୦.୫ ପ୍ରତିଶତ ହ୍ରାସ ପାଇବ। ତାହା ମଧ୍ୟ ପୁଞ୍ଜି ବଜାର ବୃଦ୍ଧିକୁ ଖୋରାକ ଯୋଗାଇବ। ଏହା ଛଡ଼ା ବିଶ୍ବ ବଜାରରେ ଡଲାର ଦୁର୍ବଳ ହୋଇ ଥିବାରୁ ବିକାଶଶୀଳ ଦେଶ ଅଧିକ ପୁଞ୍ଜି ଆକୃଷ୍ଟ କରୁଛନ୍ତି ଓ ଭାରତ ତାହା ମଧ୍ୟରେ ଏକ ପ୍ରମୁଖ ସ୍ଥାନ ପାଲଟିଛି।

ବିଗତ ଦିନରେ ସମସ୍ତ କଂପାନି ଊଣା ଅଧିକେ ବୈଷୟିକ ଜ୍ଞାନର ବହୁଳ ବ୍ୟବହାର କରିବା ଫଳରେ ଉତ୍ପାଦକତାକୁ ବଢ଼ାଇ ପାରିଛନ୍ତି ଯାହା କଂପାନିର ଲାଭ ବୃଦ୍ଧି କରିବାରେ ଖୁବ୍ ସହାୟକ ହୋଇଛି। ବିଗତ ଦଶନ୍ଧିରେ ଭାରତରେ ଅନେକ ‘ଷ୍ଟାର୍ଟଅପ୍‌’ ଆରମ୍ଭ ହୋଇଥିଲା। ସେଗୁଡ଼ିକ ବର୍ତ୍ତମାନ ପୁଞ୍ଜି ବଜାରକୁ ପ୍ରବେଶ କରୁଛନ୍ତି ଓ ଆଶାତୀତ ସଫଳତା ମଧ୍ୟ ଲାଭ କରୁଛନ୍ତି। ଜମାଟୋ, ପେଟିଏମ୍, ପଲିସିବଜାର ଇତ୍ୟାଦି ଏହାର କେତେକ ଉଦାହରଣ।

କିନ୍ତୁ ସାଧାରଣ ନିବେଶକ ମନରେ ପ୍ରଶ୍ନ ଉଠେ ଯେ ଏତେ ଉଚ୍ଚ ମୂଲ୍ୟାୟନ ଦୀର୍ଘ ଦିନ ଧରି ତିଷ୍ଠି ରହିପାରିବ ତ? ବଜାର ବିଶେଷଜ୍ଞ ଆଶା କରିଛନ୍ତି ଯେ ଭବିଷ୍ୟତ୍‌ରେ କଂପାନିମାନଙ୍କର ଲାଭାଂଶ ବହୁମାତ୍ରାରେ ବୃଦ୍ଧି ପାଇବ। ଯଦି କୌଣସି କାରଣ ପାଇଁ ଏହା ଫଳପ୍ରଦ ନ ହୁଏ, ତା’ହେଲେ ଏହି ମୂଲ୍ୟାୟନ ହୁଏ’ତ ହ୍ରାସ ପାଇବ। ଦ୍ୱିତୀୟତଃ ଆମେରିକା ଭଳି ବିଶ୍ବର ସର୍ବବୃହତ୍‌ ଅର୍ଥନୀତି ଡଲାର ଛପାଇ ବଜାରକୁ କ୍ରମାଗତ ଭାବରେ ଆର୍ଥିକ ସହାୟତ ଦେଇଆସୁଛି। ଆଗାମୀ ନଭେମ୍ବରରୁ ୨୦୨୨ ମଧ୍ୟ ଭାଗ ପର୍ଯ୍ୟନ୍ତ ଏଥିରେ କ୍ରମଶଃ ହ୍ରାସ ଘଟାଇବା ପାଇଁ ଅପାତତଃ ଆମେରିକା ସରକାର ନିଷ୍ପତ୍ତି ନେଇଛନ୍ତି। ସେହି ପରିପ୍ରେକ୍ଷୀରେ ଆମେରିକାର ସୁଧ ହାର ବୃଦ୍ଧି ପାଇଲେ ହୁଏ’ତ ଭାରତରୁ ମଧ୍ୟ କିଛି ମାତ୍ରାରେ ପୁଞ୍ଜି ପ୍ରତ୍ୟାହାର ହେବ ଓ ବିଦେଶୀ ପୁଞ୍ଜି ଆସିବା ହ୍ରାସ ପାଇପାରେ। ତା’ ହେଲେ ସୂଚକାଙ୍କ ନିମ୍ନଗାମୀ ହୋଇପାରେ। ପୃଥିବୀରେ ବିଭିନ୍ନ ଭୌଗୋଳିକ-ରାଜନୈତିକ ପରିସ୍ଥିତିରେ ଯଦି ବିଶେଷ କିଛି ପ୍ରତିକୂଳ ପରିବର୍ତ୍ତନ ଆସେ, ତାହା ମଧ୍ୟ ବଜାରକୁ ପ୍ରଭାବିତ କରିବ। ଆଗାମୀ ଦିନରେ ଉତ୍ତରପ୍ରଦେଶ, ଗୁଜରାଟ, ପଞ୍ଜାବ ଇତ୍ୟାଦି ବଡ଼ ବଡ଼ ରାଜ୍ୟର ନିର୍ବାଚନ ଅଛି। ଏହି ପରିପ୍ରେକ୍ଷୀରେ ସରକାରୀ ଦଳର ସଫଳତା ଓ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତାକୁ ମଧ୍ୟ ବଜାର ମୂଲ୍ୟାୟନ କରିବ।
ସର୍ବଶେଷରେ ଭାରତବର୍ଷରେ କ୍ରମାଗତ ଭାବରେ ନିଆଯାଇଥିବା ଅନେକ ସଂସ୍କାରର ସୁଫଳ ବର୍ତ୍ତମାନ ଦେଖିବାକୁ ମିଳୁଛି। ଭାରତର ମୁଣ୍ଡପିଛା ଆୟ ବଢ଼ି ଥିବାରୁ (ଯାହାକି ୨୦୦୦ ଡଲାର୍‌ରୁ ଅଧିକ ହୋଇଛି) ଭାରତୀୟଙ୍କ କ୍ରୟ ଶକ୍ତି ବୃଦ୍ଧି ପାଇଛି। ବର୍ତ୍ତମାନ ବଜାରକୁ ସୁହାଇଲା ଭଳି ସମସ୍ତ ପରିସ୍ଥିତି ଊଣା ଅଧିକେ ଅନୁକୂଳ ଅଛି ଓ ଅନ୍ତର୍ଜାତୀୟ ସ୍ତରରେ ଯଦି ମୁଦ୍ରାସ୍ଫୀତି ସ୍ଥିତି ସ୍ଥିର ରହେ, ତେବେ ଭାରତର ପୁଞ୍ଜି ବଜାରରେ ଅଭିବୃଦ୍ଧି ଅବ୍ୟାହତ ରହିବ ବୋଲି ଆଶା କରାଯାଏ। କିନ୍ତୁ ଆଗାମୀ ଦିନରେ କଂପାନିମାନଙ୍କର ଲାଭ ବହୁ ମାତ୍ରାରେ ବୃଦ୍ଧି ପାଇବ ବୋଲି ଧ୍ୟାନ ରଖି ବଜାର ଯେଉଁ ମାତ୍ରାରେ ବୃଦ୍ଧି ପାଉଛି, କୌଣସି କାରଣରୁ ଯଦି ତହିଁରେ ବ୍ୟତିକ୍ରମ ଘଟେ, ତେବେ ବଜାର ନିମ୍ନଗାମୀ ମଧ୍ୟ ହୋଇପାରେ।

ମୋ- ୯୪୩୭୩୪୪୬୫୪
[email protected]