ଫରାସୀ ବିଦୂଷୀ ସିମୋନେ ଡି ବୁଭୋୟା ତାଙ୍କ ପ୍ରସିଦ୍ଧ ପୁସ୍ତକ ‘ଦ ସେ‌େକଣ୍ଡ ସେକ୍‌ସ’ ବା ‘ଦ୍ବିତୀୟ ଲିଙ୍ଗ’ରେ କହିଥିଲେ ଯେ ‘ନାରୀ ନାରୀ ହୋଇ ଜନ୍ମ ନେଇ ନ ଥାଏ। ତାକୁ ନାରୀରେ ପରିଣତ କରି ଦିଆଯାଏ।’ ତାଙ୍କ ମତ ଥିଲା ଯେ ସମାଜରେ ‘ପ୍ରଥମ ଲିଙ୍ଗ’ ଭାବରେ ପୁରୁଷ ସର୍ବଦା ବିଦ୍ୟମାନ ରହି ନାରୀକୁ ‘ଦ୍ବିତୀୟ ଲିଙ୍ଗ’ ବୋଲି ବିବେଚନା କରି ଆସିଛି। ଏହା ଫଳରେ ନାରୀ ପୁରୁଷର ଅଧୀନ ବା ବଶମ୍ବଦ ବୋଲି ମନଭାବ ସୃଷ୍ଟି ହୋଇଛି। ଏହା ଫଳରେ ନାରୀର ନିପୀଡ଼ନ ପ୍ରଥମରୁ ରହି ଆସିଛି ଯହିଁରେ ପୁରୁଷମାନଙ୍କ ଭୂମିକା ନିର୍ଣ୍ଣାୟକ ହୋଇଛି। ତେବେ ଏହା ମଧ୍ୟ ଏକ ବିଡ଼ମ୍ବନା ଯେ ନାରୀର ନିର୍ଯାତନାରେ ଅନେକ ସମୟରେ ନାରୀ ହିଁ ଏକ କାରଣ ଭାବେ ଆବିର୍ଭୂତ ହୋଇଛି।

Advertisment

୧୯୬୩ ମସିହାରେ ତାଙ୍କ ଦ୍ବାରା ରଚିତ ପୁସ୍ତକ ‘ଦ ଫେମିନିଷ୍ଟ ମିଷ୍ଟିକ୍‌’ରେ ଆମେରିକୀୟ ଲେଖିକା ବେଟି ଫ୍ରାଇଡେନ କହିଥିଲେ ଯେ କେବଳ ପତ୍ନୀ ଓ ମା’ର ଭୂମିକାରେ ଅବତୀର୍ଣ୍ଣ ହୋଇ ମହିଳାମାନଙ୍କ ସ୍ବପ୍ନ ଚରିତାର୍ଥ ହୋଇଯାଏ ନାହିଁ। ତେଣୁ ସମାଜରେ ପ୍ରତିଷ୍ଠା ଲାଭ କରିବା ପାଇଁ ସେମାନେ ଶିକ୍ଷିତ ଓ ରୋଜଗାରକ୍ଷମ ହେବା ଆବଶ୍ୟକ। ଗଲା ସପ୍ତମ ଦଶକରେ ନାରୀବାଦୀ କାଟେ ମିଲେଟ୍‌ କହିଥିଲେ ଯେ ପୁରୁଷମାନଙ୍କର ଆଧିପତ୍ୟ ବିସ୍ତାରୀ ମନୋଭାବ ନାରୀମାନଙ୍କୁ କ୍ଷମତାଶୂନ୍ୟ କରିପକାଇଛି। ତେବେ ଇତି ମଧ୍ୟରେ ଅର୍ଧ ଶତାବ୍ଦୀରୁ ଅଧିକ କାଳ ବିତିଗଲାଣି। ସଂପ୍ରତି ମହିଳାମାନେ ପୂର୍ବାପେକ୍ଷା ଅଧିକ ସଂଖ୍ୟାରେ ଶିକ୍ଷିତ, ସଚେତନ ଓ ସ୍ବାବଲମ୍ବୀ ହେଲେଣି। ଯଦିଓ ଅସଂଖ୍ୟ ପୁରୁଷ ଏହିଭଳି ନାରୀ ପ୍ରଗତିକୁ ସମର୍ଥନ ଜ୍ଞାପନ କରୁଥିବା ଦେଖାଯାଉଛି, ତଥାପି ଅନେକ ସ୍ଥଳରେ ପୁରୁଷ-ପ୍ରଧାନ ମାନସିକତା ଏହାକୁ ସହଜରେ ଗ୍ରହଣ ମଧ୍ୟ କରିପାରୁନାହିଁ। ଏଥିରେ ଏକ ବିଚିତ୍ର କଥା ହେଲା ଏହା ଯେ କେବଳ ଧର୍ମୀୟ ମୌଳବାଦୀ ବା କଠୋର ରକ୍ଷଣଶୀଳମାନେ ଯେ ନାରୀମାନଙ୍କୁ ହୀନ ଦୃଷ୍ଟିରେ ଦେଖନ୍ତି, ତାହା ନୁହେଁ; ଯୁକ୍ତରାଷ୍ଟ୍ର ଆମେରିକା ବା ଅନ୍ୟାନ୍ୟ ଅନେକ ବିକଶିତ ପାଶ୍ଚାତ୍ୟ ରାଷ୍ଟ୍ରରେ ମଧ୍ୟ ନାରୀମାନେ ପୁରୁଷ ତାନ୍ତ୍ରିକତାର ଅସୂୟା ଭାବକୁ ସାମ୍‌ନା କରନ୍ତି। ତେବେ ଏହା ଠାରୁ ଅଧିକ ଦାରୁଣ ବିଡ଼ମ୍ବନା ହେଲା ଅନେକ କ୍ଷେତ୍ରରେ ମହିଳାମାନେ ମଧ୍ୟ ନାରୀ ପ୍ରଗତି ଓ ନାରୀ ସ୍ବାଧୀନତା ପଥ‌େର ଅନ୍ତରାୟ ଭାବେ ଛିଡ଼ା ହୁଅନ୍ତି। ଅନେକ ମା’ ସେମାନଙ୍କ କନ୍ୟାମାନଙ୍କୁ ବଢ଼ାଇଲା ବେଳେ ସଂକୀର୍ଣ୍ଣ ରକ୍ଷଣଶୀଳ ମନୋଭାବର ପରିଚୟ ଦିଅନ୍ତି। ଦରିଦ୍ର ପରିବାରରେ ମା’ମାନେ ହିଁ ନାରୀ ଶିକ୍ଷାର ମୂଳ ବିରୋଧୀ। କେବଳ ସେତିକି ନୁହେଁ, କନ୍ୟା ଭ୍ରୂଣ ନଷ୍ଟ ବା ଯୌତୁକ ନିର୍ଯାତନାରେ ପରିବାରର ନାରୀମାନଙ୍କ ଏକ ସନ୍ଦିଗ୍‌ଧ ଭୂମିକା ଥିବା ଅନେକ ସମୟରେ ଦେଖାଯାଇଥାଏ। ତେଣୁ ପୁରୁଷ ହେଉ ବା ନାରୀ; ସମସ୍ତଙ୍କ ମନରୁ ଅଯଥାର୍ଥ ରକ୍ଷଣଶୀଳତା ଦୂର ହେବା ବାଂଛନୀୟ।

ବିଭିନ୍ନ ପ୍ରକାର ନାରୀବାଦୀ ଆନ୍ଦୋଳନର ପ୍ରଭାବରୁ ସୃଷ୍ଟ ନାରୀ ପ୍ରଗତି ବା ନାରୀ ସ୍ବାଧୀନତା ଆମ ଦେଶରେ କେବଳ ମଧ୍ୟବିତ୍ତ ବା ଉଚ୍ଚ ମଧ୍ୟବିତ୍ତ ଅଥବା ଧନୀକ ଶ୍ରେଣୀ ମହିଳାଙ୍କ ଠାରେ ଦେଖିବାକୁ ମିଳୁଛି। ଏହା ସମାଜର ନିମ୍ନ ବର୍ଗ ତଥା ଆର୍ଥିକ ଭାବେ ଦୁର୍ବଳ ଶ୍ରେଣୀକୁ ପ୍ରସାରିତ ହେବା ଉଚିତ। ଏ ଦିଗରେ ଉଦ୍ୟମ ହୋଇଛି ମଧ୍ୟ, କିନ୍ତୁ ବିଶେଷ ଫଳ ଲାଭ ହୋଇନାହିଁ। ଉଦାହରଣ ସ୍ବରୂପ ଆମ ସମ୍ବିଧାନର ୭୩ ତମ ସମ୍ବିଧାନ ସଂଶୋଧନ ଅନୁସାରେ ପଂଚାୟତ ସ୍ତରରେ ଶତକଡ଼ା ୩୩ ଭାଗ ସ୍ଥାନ ମହିଳାମାନଙ୍କ ପାଇଁ ଆରକ୍ଷଣ ହୋଇଛି। ଏହା ଗ୍ରାମାଞ୍ଚଳର ତୃଣମୂଳ ସ୍ତରରେ ଥିବା ମହିଳାଙ୍କ ସଶକ୍ତୀକରଣ ଲାଗି ଏକ ଅମୋଘ ଅସ୍ତ୍ର। କିନ୍ତୁ ଦେଖାଯାଉଛି ଯେ ନିର୍ବାଚିତ ମହିଳା ସରପଞ୍ଚଙ୍କ ସ୍ଥାନରେ ସେମାନଙ୍କ ପୁରୁଷ ସଂପର୍କୀୟମାନେ କ୍ଷମତାର ଉପଯୋଗ ଏବଂ ଉପଭୋଗ କରୁଛନ୍ତି। ଅନେକ ନିର୍ବାଚିତା ମହିଳା ‘ଯଥା ପୂର୍ବଂ ତଥା ପରଂ’ ଭଳି ଘର ‌େକାଣରେ ରହି ଯାଉଛନ୍ତି। ତେଣୁ ମୂଳ କଥା ହେଲା ନାରୀ ନିଜେ ତା’ର ଅଧିକାର ନେଇ ସଚେତନ ନ ହେଲେ କାଗଜପତ୍ରରେ ନାରୀ ସଶକ୍ତୀକରଣର ଚିତ୍ର ଦିଶିବ ସିନା, ବାସ୍ତବ କ୍ଷେତ୍ରରେ ନାରୀ ପଛରେ ପଡ଼ି ରହିବ।

ସପ୍ତମ ଦଶକ ପର ଠାରୁ ଜର୍ମାମାଇନ ଗ୍ରିଅର, ଇଭା ଫ୍ରିଗେସ, କାଟେ ମିଲେଟ୍‌ଙ୍କ ଭଳି ଉଗ୍ର ନାରୀବାଦୀମାନେ ନାରୀର ଆଧିପତ୍ୟ ସାବ୍ୟସ୍ତ କରିବା ଲାଗି ଯୌନ ବିପ୍ଳବ ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ। ସେମାନଙ୍କ ମତରେ ସମାଜର ବିଭିନ୍ନ ପ୍ରଥା (ବିବାହ ଭଳି), ବ୍ୟବସ୍ଥା ଓ ଚଳଣି ନାରୀକୁ ଏକ ଯୌନ ଦାସୀ କରି ରଖିଛି। ତେଣୁ ନାରୀର ଯୌନ ସ୍ବାଧୀନତା ହେଉଛି ନାରୀ ସଶକ୍ତୀକରଣର ଏକ ପ୍ରଧାନ ବିଭାବ। କିନ୍ତୁ ଏହା ଯେ ଉଚ୍ଛୃଙ୍ଖଳତାକୁ ପ୍ରଶ୍ରୟ ଦେବା ଭଳି କଥା, ତାହା କହିବା ବାହୁଲ୍ୟ ମାତ୍ର। ଏବଂ ଏହା ମଧ୍ୟ ପ୍ରଣିଧାନଯୋଗ୍ୟ ଯେ ପୁରୁଷ ହେଉ ବା ନାରୀ; ଉଚ୍ଛୃଙ୍ଖଳତା ସର୍ବଦା ବର୍ଜନୀୟ। ଏବେ ମଧ୍ୟ ଅନେକ ନାରୀ ଏଭଳି ଉଚ୍ଛୃଙ୍ଖଳତାକୁ ନାରୀ ସ୍ବାଧୀନତା ବୋଲି ବିଚାର କରିଥାଆନ୍ତି। କିନ୍ତୁ, ଏହାର ପ୍ରତିକ୍ରିୟାରେ ପୁରୁଷ ମାନସିକତା ଯେଉଁ ରୂପ ପାଏ, ତାହା ଅଧିକ ନାରୀ ନିପୀଡ଼ନର କାରଣ ମଧ୍ୟ ହୋଇଥାଏ। ଅନେକ ନାରୀ ବିଚାର କରନ୍ତି ଯେ ପୁରୁଷମାନଙ୍କ ଭଳି ହୋଇ ପାରିଲେ ନାରୀମୁକ୍ତି ସ୍ବପ୍ନ ପୂରଣ ହେବ। କିନ୍ତୁ ବିଖ୍ୟାତ ଅଭିନେତ୍ରୀ ସବାନା ଅଜ୍‌ମୀ କହିଥିବା ଭଳି ପୁରୁଷ ଏଭଳି ଏକ ଆଦର୍ଶ ସ୍ଥାନୀୟ ନୁହେଁ ଯେ ତାକୁ ଲକ୍ଷ୍ୟରେ ରଖି ନାରୀକୁ ତା’ର କାର୍ଯ୍ୟ କରିବାକୁ ହେବ! ଜଣେ ନାରୀ ଏକ ନାରୀ ଭାବରେ ପୂର୍ଣ୍ଣ ସୌନ୍ଦର୍ଯ୍ୟ ଓ ମର୍ଯ୍ୟାଦାର ସହିତ ବିକଶିତ ହେବା ଲାଗି ସୁଯୋଗ ପାଇବା ହିଁ ହେଉଛି ନାରୀ ସ୍ବାଧୀନତା। ଯେଉଁ ଦିନ ତାହା ସମ୍ଭବ ହେବ, ସେ ଦିନ ପ୍ର‌େତ୍ୟକ ନାରୀ, ନାରୀ ହୋଇଥିବା କାରଣରୁ ଗର୍ବିତା ହେବେ। ସେ ଦିନ ‘ପ୍ରଥମ ଲିଙ୍ଗ’ ବା ‘ଦ୍ବିତୀୟ ଲିଙ୍ଗ’ର ବିଚାର ରହିବ ନାହିଁ।

ମୋ- ୯୪୩୭୮୬୩୨୯୯