ଆଧୁନିକ ଭାରତର ଜଣେ ରୂପକାର

ହିରଣ୍ୟ ମହାନ୍ତି

ଏକୋଇଶ ବର୍ଷ ପୂର୍ବେ, ଆମ ଦେଶର ଏକ ସମ୍ଭ୍ରାନ୍ତ ପତ୍ରିକା ‘‘ଇଣ୍ତିଆ ଟୁଡେ’’ ତାହାର ‘ମିଲେନିଅମ୍‌ ସିରିଜ୍‌-ଭଲ୍ୟୁମ୍‌ କାଢ଼ିଥିଲେ, ଯାହାର ନାମ ରଖାଯାଇଥିଲା, ‘ହଣ୍ତ୍ରେଡ୍‌ ପିପୁଲ୍‌-ହୁ-ସେପ୍‌ଡ୍‌ (Shaped) ଇଣ୍ତିଆ’ ଅର୍ଥାତ୍‌ ଭାରତକୁ ରୂପ ଦେଇଥିବା ଶହେ ଜଣ। ସେଥିରେ ସନ୍ନିବେଶିତ ପ୍ରଥମ ଦଶ ଜଣଙ୍କୁ ‘ଆଇକନ୍‌’ ବୋଲି କୁହାଯାଇଥିଲା। ସେମାନେ କ୍ରମ ଅନୁସାରେ ଥିଲେ ଏହିପରି: ମହାତ୍ମା ଗାନ୍ଧୀ, ଜଵାହରଲାଲ ନେହରୁ, ବଲ୍ଲଭ ଭାଇ ପଟେଲ, ମହମ୍ମଦ ଅଲ୍ଲୀ ଜିନ୍ନା, ସୁଭାଷ ଚନ୍ଦ୍ର ବୋଷ, ମୌଲାନା ଆଜାଦ, ଇନ୍ଦିରା ଗାନ୍ଧୀ, ବି.ଆର. ଆମ୍ବେଦକର, ଜୟ ପ୍ରକାଶ ନାରାୟଣ ଓ ଭି.କେ. କୃଷ୍ଣମେନନ୍‌।

ଏହି ପରିପ୍ରେକ୍ଷୀରେ ଆଧୁନିକ ଭାରତ ନିର୍ମାଣ ପ୍ରେକ୍ଷାପଟରେ ଇନ୍ଦିରା ଗାନ୍ଧୀଙ୍କ ସ୍ଥାନ ବିଷୟରେ ଆଲୋଚନା କରାଯାଇପାରେ।

ଶ୍ରୀମତୀ ଇନ୍ଦିରା ଗାନ୍ଧୀ ୧୯୩୮ ମସିହାରେ ଜାତୀୟ କ˚ଗ୍ରେସର ସଭ୍ୟା ହୋଇଥିଲେ ଓ ସ୍ବାଧୀନତା ସ˚ଗ୍ରାମରେ ସାମିଲ ହୋଇଥିଲେ। ୧୯୪୭ ମସିହାର ଆଦ୍ୟ ପାଦରେ ସା˚ପ୍ରଦାୟିକ ସ˚ଘର୍ଷ ବେଳେ ଭୟ ନ କରି ବାପୁଜୀଙ୍କ ଅନୁଗାମିନୀ ଓ ସହାୟିକା ଭାବେ ଦଙ୍ଗା କ୍ଷତିଗ୍ରସ୍ତ ଅଞ୍ଚଳକୁ ବୁଲିଥିଲେ। ବିଶେଷ କରି ବଙ୍ଗ ପ୍ରଦେଶ ଓ ପଞ୍ଜାବରେ ଆର୍ତ୍ତ ଓ ପୀଡ଼ିତମାନଙ୍କର ସେବା କରିଥିଲେ। ବିଶ୍ବର ଦୁଇଜଣ ମହା ମନୀଷୀଙ୍କୁ ଇନ୍ଦିରା ଖୁବ୍‌ ଛୋଟ ବୟସରୁ ପ୍ରଭାବିତ କରି ପାରିଥିବା ଲକ୍ଷ୍ୟ କରାଯାଇଥିଲା। ପ୍ରଥମ ଜଣକ ଥିଲେ କବିଗୁରୁ ରବୀନ୍ଦ୍ର ନାଥ। ଇନ୍ଦିରା ଗାନ୍ଧୀ ବିଶ୍ବଭାରତୀରେ ପାଠ ପଢ଼ୁଥିଲେ। ଅସୁସ୍ଥ ମା’ଙ୍କ ସେବା କରିବା ଲାଗି ତାଙ୍କୁ ସେଠାରୁ ଫେରାଇ ଅଣାଯାଇଥିଲା। ସେହି ଦିନ କବିଗୁରୁ ଭାବବିହ୍ବଳ ହୋଇ ତାଙ୍କୁ ଆଶୀର୍ବାଦ ଦେଇଥିଲେ। ଦ୍ବିତୀୟ ମହାନ୍‌ ବ୍ୟକ୍ତି ଜଣଙ୍କ ଥିଲେ ସ୍ବୟ˚ ବାପୁଜୀ। ଦଙ୍ଗାଗ୍ରସ୍ତ ଅଞ୍ଚଳରେ ପଶିବା ପାଇଁ ଅନ୍ୟମାନେ ଭୟ କରୁଥିବା ବେଳେ ଇନ୍ଦିରା ଥିଲେ ତାଙ୍କର ସମର୍ପିତା ଅନୁଗାମିନୀ।

୧୯୪୭ ମସିହା ଠାରୁ ୧୯୫୮ ପର୍ଯ୍ୟନ୍ତ ସେ ତାଙ୍କ ପ୍ରଧାନମନ୍ତ୍ରୀ ପିତାଙ୍କର ଅଣ-ଆନୁଷ୍ଠାନିକ ସଚିବ ଦାୟିତ୍ବ ତୁଲାଇ ଚାଲିଥିଲେ। ଫଳସ୍ବରୂପ, ସାରା ପୃଥିବୀର ରାଷ୍ଟ୍ର ନେତାଙ୍କ ସହିତ ତାଙ୍କର ବ୍ୟକ୍ତିଗତ ପରିଚୟ ହେବା ସହିତ ଅନ୍ତର୍ଜାତୀୟ ନୀତି ଓ ଆଚାର ସ˚ହିତା ସ˚ପର୍କରେ ସେ ଯଥେଷ୍ଟ ଜ୍ଞାନ ଅର୍ଜନ କରିପାରିଥିଲେ। ୧୯୫୯ ମସିହାରେ ଇନ୍ଦିରାଙ୍କୁ କ˚ଗ୍ରେସର ଦ୍ବିତୀୟ ପିଢ଼ିର ସଭ୍ୟମାନେ କ˚ଗ୍ରେସର ସଭାପତି ଭାବେ ନିର୍ବାଚିତ କରିଥିଲେ। ଏଥିରେ ପିତା ଜଵାହରଲାଲଙ୍କ ଅନୁମୋଦନ ନ ଥିଲା। କାରଣ କ˚ଗ୍ରେସରେ ଏହି ପଦ ଲାଗି ଅନେକ ବର୍ଷୀୟାନ ନେତା ଥିଲେ। ୧୯୬୬ ମସିହାରେ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର ରୁଷିଆର ତାସକେଣ୍ଟ ଠାରେ ଅଚାନକ ବିୟୋଗ ଘଟିଥିଲା। ସେହି ଜାତୀୟ ବିପତ୍ତି କାଳରେ ପ୍ରଧାନମନ୍ତ୍ରୀ-ପଦାରୂଢ଼ ହେବା ପାଇଁ ଜାତୀୟ କ˚ଗ୍ରେସର ମହାରଥୀମାନଙ୍କର ଜୋରଦାର କସରତ ଚାଲିଲା। ଜାତୀୟ କ˚ଗ୍ରେସର ଦ୍ବିତୀୟ ପିଢ଼ିର ସଦସ୍ୟମାନେ ଅନ୍ତର୍ଦ୍ବନ୍ଦ୍ବକୁ ଏଡ଼ାଇ ଦେବା ପାଇଁ ଇନ୍ଦିରାଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ କରିବା ନିଷ୍ପତ୍ତି ନେଇଥିଲେ। ଏହା ସହିତ କ˚ଗ୍ରେସ ସ˚ଗଠନରେ ଓ ସରକାରରେ ଦ୍ବିତୀୟ ପିଢ଼ିର ନେତୃତ୍ବ ଜାହିର ହେଲା। ସେତେବେଳେ ଦେଶର ପ୍ରାୟ ଅଧିକା˚ଶ ରାଜ୍ୟରେ କ˚ଗ୍ରେସର ସରକାର ଚାଲୁଥିଲା।

ପ୍ରତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଦିଲ୍ଲୀ ପାଇଁ ଜଣେ ଜଣେ ଦିଗପାଳର ଭୂମିକା ନିଭାଉଥିଲେ। ସେମାନେ ସବୁ କଥାରେ ଜଣେ ନୂତନ ଓ ଅନଭିଜ୍ଞା ପ୍ରଧାନମନ୍ତ୍ରୀଙ୍କୁ ଅନାହୂତ ଭାବେ ପରାମର୍ଶ ଦେବା ପାଇଁ ଦିଲ୍ଲୀକୁ ଧାଇଁବାର ପ୍ରତିଯୋଗିତା ଆରମ୍ଭ କରି ଦେଲେ। ସେମାନଙ୍କ ମଧୢରୁ ଅଳ୍ପ କେତେକଙ୍କ ନାମ ଏଠାରେ ରଖିବା ଅପ୍ରାସଙ୍ଗିକ ହେବ ନାହିଁ; ଯେମିତି କି କାମରାଜ ନାଦର, ଏସ୍‌.କେ. ପାଟିଲ, ଅତୁଲ୍ୟ ଘୋଷ, ମୋରାରଜୀ ଦେଶାଇ ଓ ବିଜୁ ପଟ୍ଟନାୟକ ଇତ୍ୟାଦି। ଶ୍ରୀମତୀ ଗାନ୍ଧୀ, ପ୍ରଥମେ ପ୍ରଥମେ ସେମାନଙ୍କୁ ଶୁଣୁଥିଲେ ଏବ˚ ଯଥାର୍ଥ ଗୁରୁତ୍ବ ଦେଉଥିଲେ। କିନ୍ତୁ ଯେତେବେଳେ ମାମଲତିକାରୀ ଅଧିକ ହେଲେ, ସେ ସେମାନଙ୍କୁ ପ୍ରଶ୍ରୟ ଦେଲେ ନାହିଁ। ଏଥିରେ ସେମାନେ ଅପମାନିତ ବୋଧ କରି ଶ୍ରୀମତୀ ଗାନ୍ଧୀଙ୍କୁ ସ˚ସଦରେ ସହାୟତା ଦେଇନଥିଲେ। ଶ୍ରୀମତୀ ଗାନ୍ଧୀ ବିଭିନ୍ନ ବିଭାଗର ସଚିବମାନଙ୍କ ଉପରେ ଅଧିକ ନିର୍ଭରଶୀଳ ହୋଇ କାର୍ଯ୍ୟ କରି ଚାଲିଲେ। ଶ୍ରୀମତୀ ଗାନ୍ଧୀ ସବୁ ପ୍ରଶ୍ନ ଉପରେ ମୌନ ରହି କାର୍ଯ୍ୟ କରି ଚାଲୁଥିବାରୁ ସମାଜବାଦୀ ଦଳର ସା˚ସଦ ରାମ ମନୋହର ଲୋହିଆ ତାଙ୍କୁ ‘ଗୁଙ୍ଗୀ ଗୁଡ଼ିଆ’ ବୋଲି ତାଚ୍ଛଲ୍ୟ କରୁଥିଲେ, ଏବ˚ ସ˚ସଦରେ ହାସ୍ୟରୋଳ ସୃଷ୍ଟି କରୁଥିଲେ। ସେତେବେଳେ ମୌନା ଶ୍ରୀମତୀ ଗାନ୍ଧୀ କେବଳ ଠିକଣା ସମୟର ଅପେକ୍ଷାରେ ଥିଲେ।

୧୯୭୧ ମସିହା ନିର୍ବାଚନ ଶ୍ରୀମତୀ ଗାନ୍ଧୀଙ୍କ ପାଇଁ ଆଣିଥିଲା ଭଲ ସମୟ। ଗୋଟିଏ ପତଳା ସ˚ଖ୍ୟାଗରିଷ୍ଠତା ପାଇ ସେ ସରକାର ଗଢ଼ିଥିଲେ ବି କ˚ଗ୍ରେସରେ ସବୁ କଥାରେ ମାମଲତି ଦେଖାଇ ଆସିଥିବା ବର୍ଷୀୟାନ ନେତାମାନେ ହାରି ଯାଇଥିଲେ। ସେହି ସମୟରେ ‘ମୁଜିବୁର ରହେମନ’ଙ୍କ ନେତୃତ୍ବରେ ପୂର୍ବ ବଙ୍ଗଳା ପ୍ରଦେଶ, ସ୍ବାଧୀନ ରାଷ୍ଟ୍ରଟିଏ ହେବା ପାଇଁ ଆନ୍ଦୋଳନ ଚଳାଇଥିଲେ। ଆମର ଜାତଶତ୍ରୁ ପାକିସ୍ତାନର ପକ୍ଷ ଛେଦନ କରିବା ପାଇଁ ଶ୍ରୀମତୀ ଗାନ୍ଧୀ ସୁଯୋଗ ହାତଛଡ଼ା କଲେ ନାହିଁ। ସେହି ସମୟରେ ଭାରତକୁ ପଳାଇ ଆସିଥିଲେ ନବେ ଲକ୍ଷ ବଙ୍ଗାଳୀ ଶରଣାର୍ଥୀ। ଭାରତ ସରକାର ପରିସ୍ଥିତିର ଗମ୍ଭୀରତା ବିଷୟ ଜାତିସ˚ଘର ଦୃଷ୍ଟିକୁ ନେଇଥିଲେ। ସେତେବେଳର ପାକିସ୍ତାନର ବନ୍ଧୁ ରାଷ୍ଟ୍ର ଥିଲେ ବ୍ରିଟେନ ଓ ଆମେରିକା। ସେହି ଦୁଇ ରାଷ୍ଟ୍ରକୁ ଗସ୍ତ କରି ଶ୍ରୀମତୀ ଗାନ୍ଧୀ ବ୍ରିଟେନ୍‌ର ସ˚ସଦ ଓ ଆମେରିକାର ସିନେଟ୍‌ରେ ପୂର୍ବ ବଙ୍ଗଳାରେ ଘଟୁଥିବା ମାନବିକ ଅଧିକାରର ସ˚କଟାପନ୍ନ ସ୍ଥିତି ବିଷୟରେ ଭାବଗମ୍ଭୀର ଉପସ୍ଥାପନା କରିଥିଲେ। ଏଣେ ନିଜ ଦେଶରେ ମୁଜିବୁରଙ୍କ ସ˚ଗ୍ରାମକୁ ସହାୟତା ଦେବା ପାଇଁ କ୍ୟାବିନେଟ୍‌ରେ ନିଷ୍ପତ୍ତି ନେଇଥିଲେ। ପରିଶେଷରେ ବା˚ଲାଦେଶ ଏକ ସ୍ବତନ୍ତ୍ର ରାଷ୍ଟ୍ରରେ ପରିଣତ ହୋଇଥିଲା। ବିପ୍ଳବୀ ନେତା ମୁଜିବୁର ରହେମନ ଶ୍ରୀମତୀ ଗାନ୍ଧୀଙ୍କୁ ‘ମଦର ଅଫ୍‌ ବା˚ଲାଦେଶ’ ବୋଲି ସମ୍ବୋଧନ କରିଥିଲେ। ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ତତ୍‌କାଳୀନ ସା˚ସଦ ଅଟଳବିହାରୀ ବାଜପେୟୀ ଇନ୍ଦିରା ଗାନ୍ଧୀଙ୍କୁ ଏକ ‘ଦୁର୍ଗା’ ବୋଲି ଅଭିହିତ କରି ନିଜର ସମ୍ମାନ ଜଣାଇଥିଲେ।

ଏହି ସମୟରେ ଜାତୀୟ ପ୍ରଗତି ସହିତ ଦେଶର ସାମାଜିକ ଓ ଅର୍ଥନୈତିକ ନକ୍‌ସା ବଦଳାଇବା ପାଇଁ ଅନେକ ସମାଜବାଦୀ କାର୍ଯ୍ୟକ୍ରମ ସଫଳ ଭାବେ ରୂପାୟିତ ହୋଇଥିଲା। ଅରୁଣାଚଳ ପ୍ରଦେଶ ଓ ଲଦାଖ ଉପରେ ଭାରତ ତାହାର ଅଧିକାର ସାବ୍ୟସ୍ତ କରିଥିଲା। ଶ୍ରୀମତୀ ଗାନ୍ଧୀ, ଜାତୀୟ ରାଜନୈତିକ ମଞ୍ଚର ସବୁ ସାମ୍ମୁଖ୍ୟରେ କୀର୍ତ୍ତି ଓ କୃତିତ୍ବର ସ୍ବାକ୍ଷର ରଖି ଚାଲିଥିବା ବେଳେ ୧୯୭୫ ମସିହାରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟରେ ରାଏବରେଲି ନିର୍ବାଚନ ପ୍ରସଙ୍ଗରେ ଝୁଲି ରହିଥିବା ମକଦ୍ଦମାର ରାୟ ଆସିଥିଲା ତାଙ୍କ ବିପକ୍ଷରେ। ଜଷ୍ଟିସ ଜେ.ଏଲ୍‌.ସିହ୍ନା ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ। ଶ୍ରୀମତୀ ଗାନ୍ଧୀ, ଅନ୍ୟ କାହାକୁ ପ୍ରଧାନମନ୍ତ୍ରୀ ଦାୟିତ୍ବ ଦେଇ ଅପସରି ଯିବାକୁ ଚାହିଁଥିଲା ବେଳେ ତାଙ୍କ କନିଷ୍ଠ ପୁତ୍ର ସ˚ଜୟ ଗାନ୍ଧୀ ଏଥିରେ ପ୍ରଧାନ ଅନ୍ତରାୟ ହୋଇ ମାମଲାଟିକୁ ସର୍ବୋଚ୍ଚ ଅଦାଲତକୁ ନେଇଥିଲେ। ଏଠାରେ ପ୍ରକାଶ ଥାଉ କି ୩ ବର୍ଷ ଭିତରେ ସୁପ୍ରିମକୋର୍ଟରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ନିଶାପ ଖାରଜ ହୋଇ ଯାଇଥିଲା। କିନ୍ତୁ ତାହା ପୂର୍ବରୁ ୧୯୭୬ ମସିହାରେ ସମାହିତ ହୋଇଥିବା ସାଧାରଣ ନିର୍ବାଚନରେ ଶ୍ରୀମତୀ ଗାନ୍ଧୀ ନିଜେ ହାରିଥିଲେ ଏବ˚ ଦଳର ନିର୍ଘାତ ପରାଜୟ ଘଟିଥିଲା। ଶ୍ରୀମତୀ ଗାନ୍ଧୀ ପୁନର୍ବାର ୧୯୮୦-୮୧ ମସିହା ସାଧାରଣ ନିର୍ବାଚନରେ ବିପୁଳ ସମର୍ଥନ ପାଇ ପ୍ରଧାନମନ୍ତ୍ରୀ ହୋଇଥିଲେ। ତାଙ୍କୁ ସବୁ ପରିସ୍ଥିତିରେ ସହାୟତା ଦେଉଥିବା ତାଙ୍କ କନିଷ୍ଠ ପୁତ୍ର ସ˚ଜୟ ଗାନ୍ଧୀ ଏହି ସମୟରେ ଏକ ବିମାନ ଦୁର୍ଘଟନାରେ ପ୍ରାଣ ହରାଇଥିଲେ। ଏତିକି ବେଳେ ପୂର୍ବ ସରକାରଙ୍କ ସମୟରୁ ପଞ୍ଜାବର ଶିଖ୍‌ମାନେ ଗୋଟିଏ ସ୍ବତନ୍ତ୍ର ଶିଖ୍‌ ରାଷ୍ଟ୍ର, ଖଲିସ୍ତାନ ଦାବି କରି ଚାଲିଥିଲେ। ଶ୍ରୀମତୀ ଗାନ୍ଧୀଙ୍କୁ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେ ଖଲିସ୍ତାନ ଆନ୍ଦୋଳନକାରୀଙ୍କୁ ଦୃଢ଼ ଭାବରେ ମୁକାବିଲା କରିଥିଲେ।

ଇତିମଧୢରେ ଶ୍ରୀମତୀ ଇନ୍ଦିରାଙ୍କ ଇଣ୍ଟେଲିଜେନ୍‌ସ (ଗୋଇନ୍ଦା) ଅଫିସରମାନେ ଅମୃତସରର ସ୍ବର୍ଣ୍ଣ ମନ୍ଦିର ମଧୢରେ ଶିଖ୍‌ମାନଙ୍କର ଯୁଦ୍ଧ ପାଇଁ ପ୍ରସ୍ତୁତିର ଗୁପ୍ତ ତଥ୍ୟ ତାଙ୍କୁ ଜଣାଇ ଦେଇଥିଲେ। କାଳ ବିଳମ୍ବ ନ କରି ଶ୍ରୀମତୀ ଗାନ୍ଧୀ, ୧୯୮୪ ମସିହା ଜୁନ୍‌ ମାସ ୩ ତାରିଖ ଦିନ ସ୍ବର୍ଣ୍ଣ ମନ୍ଦିର ଭିତରକୁ ପ୍ରବେଶ କରିବା ଲାଗି ‘ଅପରେସନ ବ୍ଲୁ-ଷ୍ଟାର୍‌’ ପାଇଁ ଆଦେଶ ଦେଇଥିଲେ। ଏଥି ପାଇଁ ସମସ୍ତ ସାମ୍ବିଧାନିକ ପ୍ରତିବନ୍ଧକୁ ଅତିକ୍ରମ କରିବା କେବଳ ତାଙ୍କ ସ˚କଳ୍ପ, ଦୃଢ଼ତା ଓ ବ୍ୟକ୍ତିତ୍ବର ତୁଙ୍ଗିମା ପାଇଁ ସମ୍ଭବ ହୋଇଥିଲା। ସେଠାରେ ଉପସ୍ଥିତ ଥିବା ୪୯୩ ଜଣ ସନ୍ତ୍ରାସବାଦୀ ନିହତ ହୋଇଥିଲେ, ୪୦୮ ଜଣ ଆହତ ହୋଇଥିଲେ। ୧୦୪୨ଟି ଦେଶୀ ଓ ବିଦେଶୀ ଅସ୍ତ୍ର ଜବତ ହୋଇଥିଲା। ସୂଚନା ମିଳିଲା ଯେ ଆଉ ମାତ୍ର ୩ ଦିନ ପରେ ଶିଖ୍‌ ବିପ୍ଳବୀ ନେତାମାନେ ସ୍ବର୍ଣ୍ଣ ମନ୍ଦିର ଭିତରୁ ସ୍ବାଧୀନ ଖଲିସ୍ତାନ ରାଷ୍ଟ୍ରର ଜନ୍ମ ବିଷୟ ଘୋଷଣା କରିଥାଆନ୍ତେ ଏବ˚ ତାହାକୁ ପ୍ରଥମେ ପାକିସ୍ତାନ ସ୍ବୀକୃତି ଦେଇଥାଆନ୍ତା। ପ୍ରଧାନମନ୍ତ୍ରୀ ଇନ୍ଦିରାଙ୍କ ସମୟୋଚିତ ଆଗୁଆ ପଦକ୍ଷେପ ଫଳରେ ବିପ୍ଳବୀମାନଙ୍କ ଦୀର୍ଘ ୨ ବର୍ଷର ଯୋଜନା ପଣ୍ତ ହେଲା।

ସେହି ବର୍ଷ ଅକ୍‌ଟୋବର ୩୧ ତାରିଖ ଦିନ ପୂର୍ବାହ୍ନରେ ନିଜ ସରକାରୀ ବାସଭବନ ସ˚ଲଗ୍ନ ମଇଦାନରେ ଏକ ସରକାରୀ କାର୍ଯ୍ୟର ଶୁଭାରମ୍ଭ କରିବାକୁ ଯାଉଥିବା ବେଳେ ତାଙ୍କର ଦୁଇ ଶିଖ ଅଙ୍ଗରକ୍ଷୀ ବିୟନ୍ତ ସି˚ହ ଓ ସତଵନ୍ତ ସି˚ହଙ୍କ ଗୁଳି ଚୋଟରେ ତାଙ୍କର ପରଲୋକ ଘଟିଥିଲା, ଯାହା, ସମଗ୍ର ମାନବ ଜାତିକୁ ସ୍ତବ୍‌ଧ ଓ ହତଭମ୍ବ କରିଥିଲା। ‘ସ୍ବର୍ଣ୍ଣ ମନ୍ଦିର’ ଅଭ୍ୟନ୍ତରକୁ ସୈନ୍ୟ ପୂରାଇବା ପରିଣାମ କ’ଣ ହୋଇପାରେ, ତାହା ତାଙ୍କ କଳ୍ପନାରେ ଥିଲା। ତେବେ ଦେଶକୁ ରକ୍ଷା କରିବା ଥିଲା ତାଙ୍କ ସ˚କଳ୍ପ।

ମୋ- ୯୭୭୭୨୦୫୬୮୪

ସମ୍ବନ୍ଧିତ ଖବର