ଆତ୍ମହତ୍ୟା ସ୍ଥିତି

ଦର୍ପଣ

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‍ସିଆର୍‍ବି)-୨୦୨୦ ଦ୍ବାରା ସଦ୍ୟ ପ୍ରକାଶିତ ଦୁର୍ଘଟଣା ଓ ଆତ୍ମହତ୍ୟାଜନିତ ମୃତ୍ୟୁ ରିପୋର୍ଟ ଉଦ୍‍ବେଗଜନକ ଚିତ୍ର ଉପସ୍ଥାପିତ କରିଛି। ଏହାର ତଥ୍ୟ ଅନୁଯାୟୀ ୨୦୨୦ ମସିହାରେ ଦେଶରେ ୧,୫୩,୦୫୨ ଜଣ ଆତ୍ମହତ୍ୟା କରିଥିଲେ। ସଂଖ୍ୟା ଦୃଷ୍ଟିରୁ ଦେଖିଲେ ୨୦୧୯ ତୁଳନାରେ ୨୦୨୦ରେ ଦେଶରେ ଆତ୍ମହତ୍ୟା ସଂଖ୍ୟା ୧୦% ବୃଦ୍ଧି ପାଇଛି। ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୧୯,୯୦୯ ଜଣ ଆତ୍ମହତ୍ୟା କରିଛନ୍ତି। ତା ପଛକୁ କ୍ରମାନ୍ବୟରେ ଅଛନ୍ତି ତାମିଲନାଡୁ, ପଶ୍ଚିମବଙ୍ଗ, ମଧ୍ୟ ପ୍ରଦେଶ ଓ କର୍ଣ୍ଣାଟକ। ଓଡ଼ିଶାରେ ସମୁଦାୟ ୫୫୪୬ ଜଣ ଆତ୍ମହତ୍ୟା ଦ୍ବାରା ଜୀବନ ହାରିଛନ୍ତି।

ସେହିପରି ଜାତୀୟ ସ୍ତରରେ ଆତ୍ମହତ୍ୟା ହାର (ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ) ମଧ୍ୟ ୧୧.୩କୁ ବୃଦ୍ଧି ପାଇଛି ଯାହା ୨୦୧୯ରେ ୧୦.୪ ଥିଲା। ଆଣ୍ଡାମାନ ଓ ନିକୋବାର ଦ୍ବୀପପୁଞ୍ଜରେ ଆତ୍ମହତ୍ୟା ହାର ସର୍ବାଧିକ ୪୫ ରହିଛି। ସର୍ବାଧିକ ଆତ୍ମହତ୍ୟା ହାର ତାଲିକାରେ ତା ପଛକୁ ଅଛନ୍ତି ସିକ୍କିମ୍ (୪୨.୫), ଛତିଶଗଡ଼ (୨୬.୪), ପୁଡୁଚେରି (୨୬.୩) ଓ କେରଳ (୨୪)। ଓଡ଼ିଶା (୧୨.୨)ରେ ଆତ୍ମହତ୍ୟା ହାର ଜାତୀୟ ହାର ଠାରୁ ସାମାନ୍ୟ ଅଧିକ ରହିଛି। ଓଡ଼ିଶାର ସମୁଦାୟ ଆତ୍ମହତ୍ୟାର ୮୧.୨% ହେଉଛି ପାରିବାରିକ ସମସ୍ୟାଜନିତ। ଦେଶରେ ସର୍ବାଧିକ ୩୩.୬% ଲୋକ ପାରିବାରିକ ସମସ୍ୟା ଯୋଗୁଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପେସା ଦୃଷ୍ଟିରୁ ଆତ୍ମହତ୍ୟା କରିଥିବା ଲୋକଙ୍କ ମଧ୍ୟରୁ ସର୍ବାଧିକ ୨୪.୬% ବା ୩୭,୬୬୬ ଜଣ ହେଉଛନ୍ତି ଦିନ ମଜୁରିଆ। ଗତ ସାତ ବର୍ଷରେ ଦିନ ମଜୁରିଆଙ୍କ ଆତ୍ମହତ୍ୟା ଭାଗ ଦ୍ବି-ଗୁଣିତ ହେବା ଦେଶର ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥାର କରୁଣ ଚିତ୍ର ପ୍ରଦାନ କରିଛି।

ସମ୍ବନ୍ଧିତ ଖବର