ଆବାସ ବଣ୍ଟନର ଭିତିରି କଥା

ପ୍ରଶାସକର ଅନୁଭୂତି - କୃଷ୍ଣଚନ୍ଦ୍ର ମହାପାତ୍ର

ଏତେ ଦିନ ତଳେ ଘଟିଥିବା ଏହି ଘଟଣା ଏବେ ବି ମନ ଆକାଶରେ ଝଲସି ଉଠୁଛି। ସେହି ଦିନ ମୁଁ ଜାଣିବାକୁ ପାଇଥିଲି କିଭଳି ପ୍ରଶାସନ ଜିଲ୍ଲାପାଳଙ୍କୁ ଅନ୍ଧକାରରେ ରଖି ଅନୁଚିତ କାର୍ଯ୍ୟ କରିବାକୁ ସାହସ ଜୁଟାଇ ପାରିଥାଏ।

ସେ ଦିନ ଗୋଟିଏ ବ୍ଲକ୍‌କୁ କ୍ଷେତ୍ର ପରିଦର୍ଶନରେ ଯାଇଥାଏ। ସାଙ୍ଗରେ ଥାଆନ୍ତି ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶକ ମହୋଦୟ। ଗୋଟିଏ ଗାଁର ପ୍ରବେଶ ପଥରେ ଏକ ଭଙ୍ଗା ଝାଟିମାଟି ଜରାଜୀର୍ଣ୍ଣ ଚାଳଘର ମୋର ଦୃଷ୍ଟି ଆକର୍ଷଣ କଲା। ସେଠାରେ ଗାଡ଼ି ଅଟକାଇଲୁ। ଜିଲ୍ଲାପାଳ ଆସିଛନ୍ତି ବୋଲି ଜାଣି ଗ୍ରାମର ବହୁ ଲୋକ ସ୍ବାଭାବିକ ଭାବେ ଜମା ହୋଇଥିଲେ। ଗାଁଟି ନ ଥିଲା ମଧ୍ୟମ ଆକାରର। ଲୋକମାନେ ପ୍ରାୟତଃ କୃଷକ ଓ ଶ୍ରମଜୀବୀ। ତେବେ ଗାଁର ପ୍ରଥମ ଘରୁ ଗାଁର ସ୍ଥିତି ବିଷୟରେ ଏକ ଧାରଣା ହୋଇଗଲା। ତେଣୁ ଗ୍ରାମରେ ଆବାସ ବଣ୍ଟନ କାମ କିପରି ଚାଲିଛି ବୋଲି ଗାଁ ଲୋକଙ୍କୁ ପଚାରିଲି। ଗାଁ ଲୋକମାନେ ମୋତେ ଉପହାସ କଲା ଭଳି ତାଚ୍ଛଲ୍ୟ ଭାବେ ହସି କହିଲେ, ‘ସାର୍, ଆପଣ ନିଜେ ଆସିଛନ୍ତି, ତେଣୁ ଆମକୁ ନ ପଚାରି ନିଜେ ଦେଖିଲେ ଭଲ ହୁଅନ୍ତା!

ଯେଉଁ ଘର ଆଗରେ ଆମେ ଛିଡ଼ା ହୋଇଥିଲୁ ତାକୁ କୌଣସି ଦୃଷ୍ଟିରୁ ଘର ବୋଲି କହିହେବ ନାହିଁ। ତେଣୁ, ଜିଲ୍ଲାପାଳଙ୍କ ଇଚ୍ଛାଧୀନ କୋଟାରୁ ତାଙ୍କୁ ଗୋଟିଏ ଘର ଦେବା ପାଇଁ ମନସ୍ଥ କଲି। କିନ୍ତୁ ପର ମୁହୂର୍ତ୍ତରେ ଜାଣିବାକୁ ପାଇଲି ଯେ ମୋତେ ନ ଜଣାଇ ଜିଲ୍ଲାପାଳଙ୍କ ଇଚ୍ଛାଧୀନ କୋଟାରେ ଆବାସ ବଣ୍ଟନ ସହିତ ସେହି ବର୍ଷ ପାଇଁ ଆସିଥିବା ଆବାସ ଯୋଜନା ତା’ର ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରି ସାରିଛି। ଆଶ୍ଚର୍ଯ୍ୟ ହେଲି। ଏଣେ ସଂପୃକ୍ତ ବ୍ୟକ୍ତି ଜଣକ ମୋତେ ଅତି କରୁଣ କଣ୍ଠରେ କହି ଚାଲିଥାଆନ୍ତି କିଭଳି ସେ ଲୋକ ପ୍ରତିନିଧି ଓ ପ୍ରଶାସନ ପାଖକୁ ଘରଟିଏ ପାଇଁ ବର୍ଷ ବର୍ଷ ଧରି ଦୌଡ଼ି ଦୌଡ଼ି ଓ ଆବେଦନ କରି ହତାଶ ହୋଇଛନ୍ତି। ପୁଣି ମୋତେ ନ ଜଣାଇ ଜିଲ୍ଲାପାଳଙ୍କ ଇଚ୍ଛାଧୀନ କୋଟାକୁ ପ୍ରଶାସନ ଆବଣ୍ଟନ କରି ଦେଇଥିବା ମୋତେ ବିସ୍ମିତ କଲା।

ଏହା ମଧ୍ୟ ଦେଖିଲି ଯେ ଗ୍ରାମର ଅନେକ ଯୋଗ୍ୟ ହିତାଧିକାରୀ ଘର ପାଇ ନାହାନ୍ତି। ବୁଝିଲି ଯେ ସେମାନେ ସରପଞ୍ଚ, ବିଧାୟକ ଓ ପ୍ରଶାସନ ପାଖେ ବାରମ୍ବାର ନେହୁରା ହୋଇ ବିଫଳ ହୋଇଛନ୍ତି। ବର୍ଷ ପରେ ବର୍ଷ ଏଭଳି ଧାରା ଚାଲିଛି। ଶେଷରେ ସେମାନଙ୍କ ଭିତରୁ ଜଣେ କହିଲେ, ‘ସାର୍ ଜିଲ୍ଲାପାଳ ଆମ ଜିଲ୍ଲାର ମୁଖ୍ୟ। ତାଙ୍କୁ ଦୁର୍ଦ୍ଦଶା କହିବାକୁ ଯାହା ବାକି ଥିଲା। କିନ୍ତୁ ଏବେ ଜାଣୁଛୁ ଯେ ତାଙ୍କ ଅଗୋଚରରେ ପ୍ରତି ବର୍ଷ ତାଙ୍କ ଇଚ୍ଛାଧୀନ କୋଟା ବି ଆବଣ୍ଟିତ ହୋଇଯାଉଛି।’

ଏ ଘଟଣାରେ ମନ ବିଦ୍ରୋହ କରି ଉଠିଲା। ବିବେକ ମୋତେ ବାରମ୍ବାର ଦଂଶନ କଲା। ଗୋଡ଼ ତଳୁ ମାଟି ଖସି ଯାଉଥିବା ପରି ମୁଁ ଅନୁଭବ କଲି। ତା’ ପରେ ଇଚ୍ଛାଧୀନ କୋଟାରେ ଗୃହ ଆବଣ୍ଟିତ ତାଲିକାଟିରୁ କେତୋଟି ଗୃହ ପରିଦର୍ଶନ କରି ସେ ତାଲିକାକୁ ସେହି ଠାରେ ବାତିଲ କରି ଏହି ଅବହେଳିତ ଯୋଗ୍ୟ ହିତାଧିକାରୀମାନଙ୍କ ସମେତ ଅନ୍ୟ କେତେକଙ୍କୁ ସେ ସବୁ ଗୃହ ପୁନର୍ବଣ୍ଟନ କରାଇଲି। କିନ୍ତୁ ତାହା ଯେ ସମସ୍ୟାର ସମାଧାନ ନୁହେଁ, ଏହି କଥା ବି ବୁଝିପାରିଥିଲି। ଭାତହାଣ୍ଡିରୁ ଗୋଟିଏ ଚିପିଲା ଭଳି ସେ ଦିନ ହୃଦ୍‌ବୋଧ କରିଥିଲି ଯେ ଏହା ହିଁ ଆଜି ଗ୍ରାମାଞ୍ଚଳ ଆବାସ ଯୋଜନାର ବାସ୍ତବତା। ଅସଲ ସତ୍ୟ ଓ କାଗଜୀ ତଥ୍ୟ ଭିତରେ ଥିବା ଆକାଶ ପାତାଳ ପାର୍ଥକ୍ୟକୁ ମୁଁ ବୁଝିପାରିଲି।

ଏଭଳି ସ୍ଥିତିରେ ସବୁଠାରୁ ଅଧିକ ଦୁଃଖର ବିଷୟ ହେଉଛି ଉଭୟ ପ୍ରଶାସନ ଓ ଜନପ୍ରତିନିଧି ତୃଣମୂଳ ସ୍ତରରେ ଜନସାଧାରଣଙ୍କ ପ୍ରତି ହେୟ ମନୋଭାବ ପୋଷଣ କରିବା, ପାତର ଅନ୍ତର ନୀତି ଆପଣାଇବା, ସେମାନଙ୍କ ସହିତ ପ୍ରବଞ୍ଚନା କରିବା। ଏହି କାରଣରୁ ସରକାରଙ୍କ ଯୋଜନା ବିପୁଳ ଅର୍ଥ ବ୍ୟୟ ସତ୍ତ୍ବେ ସଫଳକାମ ହୋଇପାରୁନାହିଁ। ଏବଂ ଆମର ଗଣତନ୍ତ୍ର ତୃଣମୂଳ ସ୍ତରରେ ଦୁର୍ବଳ ବୋଲି ସେହି ଜନପ୍ରତିନିଧିମାନେ ଲୋକଙ୍କ ବିଶ୍ବାସ ଜିଣିବାରେ ବିଫଳ ହୋଇଥିଲେ ସୁଦ୍ଧା ଭୋଟ ଜିଣିବାରେ ସଫଳ ହେଉଛନ୍ତି।

ମୋ: ୯୪୩୭୦୩୨୦୦୨

ସମ୍ବନ୍ଧିତ ଖବର