ପେଗାସସ୍‌ ମାମଲା: ସରକାରଙ୍କ ତଣ୍ଟିରେ କଣ୍ଟା ହେବ?

ସରଳ ବିଚାର- ସରଳ କୁମାର ଦାସ

ପେଗାସସ୍‌ ମାମଲାରେ ଏକାଧିକ ପିଟିସନ୍‌ର ବିଚାର କରି ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଏନ୍‌. ଭି. ରମଣାଙ୍କ ସମେତ ଏକ ତିନିଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି। ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି।

କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ୍‌ ଲ୍ୟାବ୍‌’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନି ‘ଏନ୍‌.ଏସ୍‌.ଓ.’ ଦ୍ୱାରା ପ୍ରସ୍ତୁତ ପେଗାସସ୍‌ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ। ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ୍‌, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡ଼ିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡ଼ିକୁ ନିୟନ୍ତ୍ରଣ କରି ହେବ। ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ୍‌, ଟେକ୍‌ସଟ, ଫୋନ୍‌, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡ଼ିକ ମଧ୍ୟ ସ୍ପାଏୱେୟାର ବ୍ୟବହାରକାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣରେ ରଖି ହୁଏ। ମେ ୨୦୧୯ରେ ‘ହ୍ୱାଟ୍‌ସଆପ୍‌’ କମ୍ପାନି ତା’ର କିଛି ବ୍ୟବହାରକାରୀଙ୍କ ଉପକରଣ ପେଗାସସ୍‌ ସ୍ପାଏୱେୟାର ଆକ୍ରାନ୍ତ ହୋଇଥିବା ଅଭିଯୋଗ କଲା ପରେ ଭାରତ ସରକାର ନଭେମ୍ୱର ୨୦, ୨୦୧୯ରେ କିଛି ଭାରତୀୟଙ୍କ ଫୋନ୍‌ ଏଭଳି ଆକ୍ରାନ୍ତ ହୋଇଥିବା କଥା ସଂସଦରେ ସ୍ୱୀକାର କରିଥିଲେ। ଏହା ପରେ ଜୁନ୍‌ ୧୫, ୨୦୨୦ରେ ‘ସିଟିଜେନ୍‌ ଲ୍ୟାବ୍‌’ ଆନ୍ତର୍ଜାତିକ ମାନବାଧିକାର ସଂଗଠନ ‘ଆମ୍‌ନେଷ୍ଟି ଇଣ୍ଟରନ୍ୟାସନାଲ’ ସହ ମିଶି ସ୍ପାଏୱେୟାର ଆକ୍ରମଣ ସମ୍ପର୍କରେ ଅଧିକ ଜାଣିବା ପାଇଁ ଯେଉଁ ଅଭିଯାନ ଚଳାଇଥିଲେ ସେଥିରେ ୯ ଜଣ ଭାରତୀୟଙ୍କ ଫୋନ୍‌ ପ୍ରଭାବିତ ହୋଇଥିବା ବିଷୟ ଜଣାପଡ଼ିଥିଲା। ଭାରତର ‘ଦି ୱାୟାର’ ସମେତ ବିଶ୍ୱର ୧୭ଟି ଗଣମାଧ୍ୟମ ସଂଗଠନକୁ ନେଇ ଗଠିତ ଓ ପ୍ୟାରିସ୍‌ରେ ଅବସ୍ଥାପିତ ‘ଫରବିଡନ୍‌ ଷ୍ଟୋରିଜ୍‌’ ନାମକ ଏନ୍‌.ଜି.ଓ., ‘ଆମନେଷ୍ଟି ଇଣ୍ଟରନ୍ୟାସନାଲ’ ସହ ମିଶି ଜୁଲାଇ ୧୮, ୨୦୨୧ରେ ପେଗାସସ୍‌ ସ୍ପାଏୱେୟାର ଦ୍ୱାରା ୪୫ଟି ଦେଶର ପ୍ରାୟ ୫୦୦୦୦ ବ୍ୟକ୍ତି ପ୍ରଭାବିତ ହୋଇଥିବାର ଆଶଙ୍କା ବ୍ୟକ୍ତ କଲେ। ଏମାନଙ୍କ ଭିତରେ ରାଜନୈତିକ ବ୍ୟକ୍ତି, ଅଧିକାରୀ, ଅଦାଲତ କର୍ମଚାରୀ, ସାମ୍ୱାଦିକ, ଡାକ୍ତର ଆଦି ବିଭିନ୍ନ ବର୍ଗର ପ୍ରାୟ ୩୦୦ ଜଣ ଭାରତୀୟ ଅଛନ୍ତି। ତୁରନ୍ତ ଫ୍ରାନ୍‌ସ, ହଙ୍ଗେରି, ଆଲ୍‌ଜିରିଆ, ମେକ୍‌ସିକୋ ଆଦି ଦେଶ ଏହି ପ୍ରସଙ୍ଗରେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବା ସହିତ ସତ ଜାଣିବାକୁ କିଛି ଦେଶ ଇସ୍ରାଏଲ ସହ କୂଟନୈତିକ ସ୍ତରରେ ପ୍ରୟାସ କଲେ। ଏ ସବୁ କରିବା ତ ଦୂରର କଥା, ଭାରତରେ କେନ୍ଦ୍ର ସରକାରଙ୍କ ତରଫରୁ ସଂସଦରେ ବୁଲେଇ ବଙ୍କେଇ ଯେଉଁ ଉତ୍ତର ରଖାଗଲା, ସେଥିରେ ସରକାର ଏହି ସ୍ପାଏୱେୟାର କିଣିଛନ୍ତି କି ନାହିଁ?, ଏହା କୌଣସି ଭାରତୀୟ ନାଗରିକଙ୍କ ଉପରେ ପ୍ରୟୋଗ କରାଯାଇଛି କି ନାହିଁ? ଭଳି ପ୍ରଶ୍ନର ସ୍ପଷ୍ଟ ଉତ୍ତର ମିଳିଲା ନାହିଁ। ଫଳରେ ସାଇବର ଆକ୍ରମଣକୁ ପ୍ରତିହତ କରିବା ପାଇଁ ସରକାରଙ୍କ ନିଷ୍କ୍ରିୟତା ସଂକ୍ରାନ୍ତରେ ଅଭିଯୋଗ କରି ପ୍ରଭାବିତ ବ୍ୟକ୍ତିବିଶେଷଙ୍କ ଦ୍ୱାରା ସୁପ୍ରିମ୍‌ କୋର୍ଟରେ ମାମଲାମାନ ଦାଏର ହେବାକୁ ଲାଗିଲା। ମାମଲାର ଶୁଣାଣି ଚାଲିଥିବା ବେଳେ ସରକାରଙ୍କ ତରଫରୁ ଦୀର୍ଘ ସମୟ ନିଆଯାଇ ବାରମ୍ୱାର ‘ସୀମିତ ସତ୍ୟପାଠ’ (ଲିମିଟେଡ୍‌ ଆଫିଡେଭିଟ୍‌) ଦାଖଲ କରାଗଲା, ଯାହା ଅଦାଲତ କାର୍ଯ୍ୟ ଆଗେଇ ନେବାକୁ ଯଥେଷ୍ଟ ନ ଥିଲା। ସତ୍ୟପାଠରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଗଲେ ତାହା ‘ଜାତୀୟ ସୁରକ୍ଷା ଓ ପ୍ରତିରକ୍ଷାକୁ ବିପନ୍ନ କରିପାରେ’ ବୋଲି ସରକାରଙ୍କ ତରଫରୁ ଆଶଙ୍କା ବ୍ୟକ୍ତ କରାଯିବା ସହ ପ୍ରସଙ୍ଗଟିର ସାମଗ୍ରିକ ଅନୁଶୀଳନ ପାଇଁ ସରକାର ଏକ ବିଶେଷଜ୍ଞ କମିଟି ନିଯୁକ୍ତ କରିବାକୁ ପ୍ରସ୍ତୁତ ବୋଲି ଜଣାଇ ଦିଆଗଲା।

ନ୍ୟାୟାଳୟଙ୍କ ସମ୍ମୁଖରେ ମୁଖ୍ୟ ବିଚାର୍ଯ୍ୟ ପ୍ରସଙ୍ଗଟି ଥିଲା, ବ୍ୟକ୍ତିର ଗୋପନୀୟତାର ଅଧିକାର ଓ ଜାତୀୟ ସୁରକ୍ଷା; ଏ ଦୁଇଟି ମଧ୍ୟରୁ କେଉଁଟିର ଗୁରୁତ୍ୱ ଅଧିକ। ଅଦାଲତଙ୍କ ମତରେ ଆମେ ଏପରି ଏକ ସୂଚନା ବିପ୍ଳବ ସମୟରେ ବଞ୍ଚୁଛନ୍ତି, ଯେତେବେଳେ ବ୍ୟକ୍ତିର ସମଗ୍ର ଜୀବନ କ୍ଲାଉଡ୍‌ରେ ବା ଡିଜିଟାଲ ଫାଇଲରେ ଲିପିବଦ୍ଧ ହୋଇ ରହୁଛି। ଏହା ଯେତିକି ଉପଯୋଗୀ, ସେତିକି କ୍ଷତିକାରକ ମଧ୍ୟ। କାରଣ ଏହାର ଦୁରୁପଯୋଗ କରାଯାଇ ବ୍ୟକ୍ତିର ଘରୋଇ ପରିସର ଭିତରକୁ ସହଜରେ ଅନୁପ୍ରବେଶ କରି ହେବ। ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ଗୋପନୀୟତାର ସୁରକ୍ଷା ହେବା ଆବଶ୍ୟକ ବୋଲି କେ.ଏସ୍‌. ପୁତ୍ତସ୍ୱାମୀ ମାମଲା (୨୦୧୭)ରେ ସୁପ୍ରିମ୍‌ କୋର୍ଟ ସ୍ପଷ୍ଟ କରିସାରିଛନ୍ତି। ତଦନୁଯାୟୀ, ‘ଗୋପନୀୟତା ଏକ ସମ୍ୱିଧାନ ସୁରକ୍ଷିତ ଅଧିକାର ଯାହା ମୂଳତଃ ସମ୍ୱିଧାନର ଧାରା ୨୧ରେ ସ୍ଥାନିତ; ବଞ୍ଚିବାର ଓ ବ୍ୟକ୍ତି ସ୍ୱାଧୀନତାର ଗ୍ୟାରେଣ୍ଟିରୁ ଉଦ୍ଭବ।’ ତେବେ ଗୋପନୀୟତାର ଅଧିକାର ନିରଙ୍କୁଶ ନୁହେଁ ଓ ଏଥି ପ୍ରତି କେତେକ ଉଚିତ ପ୍ରତିବନ୍ଧ ଲାଗୁ ହୋଇଥାଏ। ପ୍ରତିବନ୍ଧଗୁଡ଼ିକ ବି ସମ୍ୱିଧାନ ଅନୁମୋଦିତ ହେବା ବିଧେୟ। ରାଷ୍ଟ୍ର ପକ୍ଷରେ ଜାତୀୟ ସୁରକ୍ଷା ଯେତିକି ଗୁରୁତ୍ୱପୂର୍ଣ୍ଣ, ବ୍ୟକ୍ତିର ଜୀବନ ଓ ସ୍ୱାଧୀନତାକୁ ସୁରକ୍ଷିତ ରଖିବା ବି ସେତିକି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଉଭୟ ମଧ୍ୟରେ ଉଚିତ ଭାରସାମ୍ୟ ରକ୍ଷା କରିବା ରାଷ୍ଟ୍ରର କର୍ତ୍ତବ୍ୟ। ଆଜିକାଲିର ହିଂସା ଓ ଆତଙ୍କର ମୁକାବିଲା ପାଇଁ ଦେଶ ପକ୍ଷରେ ଗୋଇନ୍ଦାଗିରି କରିବା ଆବଶ୍ୟକ ହେଉଥିଲେ ବି ତାହା ବ୍ୟକ୍ତିର ଗୋପନୀୟତାର ଅଧିକାରରେ ଅନ୍ତରାୟ ସୃଷ୍ଟି କରିଥାଏ। ତେଣୁ ରାଷ୍ଟ୍ର କେବଳ ସେତିକିବେଳେ ଗୋଇନ୍ଦାଗିରି କରିବା ଉଚିତ ଯେତେବେଳେ ଜାତୀୟ ସୁରକ୍ଷା ବା ସ୍ୱାର୍ଥରେ ସେପରି କରିବା ନିହାତି ଅପରିହାର୍ଯ୍ୟ ବୋଲି ବୋଧ ହେବ। ଏହା ଆନୁପାତିକ ଭାବେ ହେବା ସହ ପ୍ରମାଣ ଆଧାରିତ ହେବା ଆବଶ୍ୟକ। ଆଇନର ଶାସନ ଥିବା ଏକ ଗଣତାନ୍ତ୍ରିକ ଦେଶରେ ଯଥେଷ୍ଟ ଆଇନଗତ ସୁରକ୍ଷା ବଳୟ ନ ଥାଇ ବ୍ୟକ୍ତି ଉପରେ ବେଲଗାମ ଗୋଇନ୍ଦାଗିରିକୁ ପ୍ରଶ୍ରୟ ଦେଇ ହେବନାହିଁ। ଆଧୁନିକ ଗଣତନ୍ତ୍ରରେ ଗଣମାଧ୍ୟମର ସ୍ୱାଧୀନତାର ଗୁରୁତ୍ୱକୁ ରେଖାଙ୍କିତ କରି ସୁପ୍ରିମ୍‌ କୋର୍ଟ ତାଙ୍କ ଆଦେଶରେ ସାମ୍ୱାଦିକଙ୍କ ସୂଚନାର ଉତ୍ସକୁ ସୁରକ୍ଷା ପ୍ରଦାନ କରିବା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି।

କେନ୍ଦ୍ର ସରକାର ନିଜ ତରଫରୁ ଏହି ମାମଲାର ଅନୁସନ୍ଧାନ କରିବା ପାଇଁ ଏକ କମିଟି ଗଠନର ପ୍ରସ୍ତାବ ଦେଇଥିଲେ ମଧ୍ୟ ଅଦାଲତ ତାକୁ ଖାରଜ କରିଛନ୍ତି, ଯାହା ସରକାରଙ୍କ ପ୍ରତି ଏକ ବଡ଼ ଝଟ୍‌କା ବୋଲି ମନେ କରାଯାଉଛି। ୨୦୧୯ରୁ ପେଗାସସ୍‌ ସ୍ପାଏୱେୟାର ବ୍ୟବହାର କରି ଦେଶର ନାଗରିକଙ୍କ ଫୋନ୍‌ ହ୍ୟାକିଂ ହୋଇଥିଲେ ବି ସରକାରଙ୍କ ଦ୍ୱାରା ତା’ର ଅନୁସନ୍ଧାନ ପାଇଁ କୌଣସି ତତ୍ପରତା ପ୍ରକାଶ କରା ନ ଯିବା ଓ ସରକାର ନିଜେ ଏହି ସ୍ପାଏୱେୟାର୍‌ର ପ୍ରୟୋଗ କରିଥିବାର ସନ୍ଦେହ ଉପୁଜୁଥିବାରୁ ସରକାରଙ୍କ ଦ୍ୱାରା ଗଠିତ କମିଟି ନିରପେକ୍ଷ ତଦନ୍ତ କରିବାକୁ ଅସମର୍ଥ ହେବ ବୋଲି ହୃଦୟଙ୍ଗମ କରି ଅଦାଲତ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ ନ କରିବା ସ୍ୱାଭାବିକ; ‘କାରଣ ନ୍ୟାୟ ହେବା ଯେତିକି ଜରୁରୀ ନ୍ୟାୟ ହେଉଥିବାର ପ୍ରତୀତ ହେବା ମଧ୍ୟ ସମ ପରିମାଣରେ ଆବଶ୍ୟକ।’ ତେଣୁ ସୁପ୍ରିମ୍‌ କୋର୍ଟର ଅବସରପ୍ରାପ୍ତ ବିଚାରପତି ଆର୍‌.ଭି. ରବୀନ୍ଦ୍ରନଙ୍କ ତତ୍ତ୍ୱାବଧାନରେ ସୁପ୍ରିମ୍‌ କୋର୍ଟ ଏକ ତିନି ଜଣିଆ ବୈଷୟିକ କମିଟି ଗଠନ କରିଛନ୍ତି ଯେଉଁଥିରେ ସାଇବର ସୁରକ୍ଷା, ଡିଜିଟାଲ ଫୋରେନ୍‌ସିକ୍‌, ନେଟ୍‌ୱାର୍କ ହାର୍ଡୱେୟାର ଆଦିର ବିଶେଷଜ୍ଞମାନଙ୍କୁ ନିଆଯାଇଛି। ଏହି କମିଟି ଯେଉଁ ପ୍ରଶ୍ନଗୁଡିକର ଉତ୍ତର ଖୋଜି ବାହାର କରିବାକୁ ଚେଷ୍ଟା କରିବେ ସେଗୁଡ଼ିକ ହେଲା: ପେଗାସସ୍‌ ସଫ୍‌ଟୱେୟାର୍‌କୁ ବ୍ୟବହାର କରି ଭାରତୀୟ ନାଗରିକଙ୍କ ଫୋନ୍‌ ଓ ଅନ୍ୟ ଉପକରଣରେ ଥିବା ତଥ୍ୟ ହାସଲ, କଥୋପକଥନ ଶୁଣିବା, ସୂଚନା ଅବରୋଧ ଆଦି କରିବାକୁ ଉଦ୍ୟମ କରାଯାଇଛି କି? ଏ ଭଳି ସ୍ପାଏୱେୟାର୍‌ ଆକ୍ରମଣ ଦ୍ୱାରା ପ୍ରଭାବିତ ବ୍ୟକ୍ତିବିଶେଷଙ୍କ ସମ୍ପୂର୍ଣ୍ଣ ବିବରଣୀ, ପେଗାସସ୍‌ ସ୍ପାଏୱେୟାରକୁ ବ୍ୟବହାର କରି ହୋଇଥିବା ଭାରତୀୟ ନାଗରିକଙ୍କ ହ୍ୱାଟ୍‌ସଆପ ହ୍ୟାକିଂ ସଂକ୍ରାନ୍ତରେ ୨୦୧୯ରେ ପ୍ରଥମ ଖବର ପ୍ରକାଶ ପାଇବା ପର ଠାରୁ ଭାରତ ସରକାରଙ୍କ ଦ୍ୱାରା କି କି ପଦକ୍ଷେପ ଗ୍ରହଣ କରାଯାଇଛି? ଭାରତୀୟ ନାଗରିକଙ୍କ ଉପରେ ବ୍ୟବହାର କରିବା ପାଇଁ କେନ୍ଦ୍ର ସରକାର ବା ରାଜ୍ୟ ସରକାର ବା ସରକାରୀ ସଂସ୍ଥା ପେଗାସସ୍‌ ସ୍ପାଏୱେୟାର ହାସଲ କରିଛନ୍ତି କି? କୌଣସି ସରକାରୀ ସଂସ୍ଥା ପେଗାସସ୍‌ ସ୍ପାଏୱେୟାରକୁ ନାଗରିକଙ୍କ ଉପରେ ଉପଯୋଗ କରିବା ଲାଗି କେଉଁ ଆଇନ, ନିୟମ, ମାର୍ଗ ନିର୍ଦ୍ଦେଶିକା, ପ୍ରୋଟୋକଲ ବା ବୈଧ ପ୍ରକ୍ରିୟା ଅନୁସରଣ କରିଛନ୍ତି। ବେସରକାରୀ ଭାବେ ନାଗରିକଙ୍କ ଉପରେ ଏ ଭଳି ସ୍ପାଏୱେୟାର ବ୍ୟବହାର ହୋଇଥିଲେ ସେଭଳି ଉପଯୋଗ ଅନୁମୋଦିତ କି? ଏହା ଛଡ଼ା ପ୍ରସଙ୍ଗ ସହ ସମ୍ପୃକ୍ତ ବା ଆନୁଷଙ୍ଗିକ ଯେ କୌଣସି ବିଷୟ, ଗୋଇନ୍ଦାଗିରି (ସର୍ଭେଲାନ୍‌ସ) ଓ ଗୋପନୀୟତାର ଅଧିକାରକୁ ଆହୁରି ସଶକ୍ତ କରିବା ଲାଗି ନୂଆ ଆଇନ ଓ ପଦ୍ଧତିର ପ୍ରଣୟନ ବା ପ୍ରଚଳିତ ଆଇନରେ ସଂଶୋଧନ, ରାଷ୍ଟ୍ର ଓ ରାଷ୍ଟ୍ରର ସମ୍ପତ୍ତିଗୁଡ଼ିକର ସାଇବର ସୁରକ୍ଷାରେ ଉନ୍ନତୀକରଣ, ଆଇନ ଅନୁମୋଦିତ ପ୍ରକ୍ରିୟା ବାହାରେ ସରକାରୀ ଓ ଘରୋଇ ସଂସ୍ଥାଙ୍କ ଦ୍ୱାରା ଏଭଳି ସ୍ପାଏୱେୟାର ଦ୍ୱାରା ନାଗରିକଙ୍କ ଗୋପନୀୟତା ଅଧିକାର ପ୍ରତି ହେଉଥିବା ସମସ୍ତ ଆକ୍ରମଣକୁ ପ୍ରତିହତ କରିବା, ଅବୈଧ ଭାବେ ଗୋଇନ୍ଦାଗିରି ହେଉଥିବାର ସନ୍ଦେହ ହେଲେ ନାଗରିକମାନେ କିପରି ଅଭିଯୋଗ ଦାଖଲ କରିବେ, ଏକ ପ୍ରମୁଖ ସ୍ୱାଧୀନ ସଂସ୍ଥା ପ୍ରତିଷ୍ଠା କରି ସାଇବର ସୁରକ୍ଷାର ଦୁର୍ବଳତାର ଅନୁସନ୍ଧାନ, ସାଇବର ଆକ୍ରମଣ ଆଶଙ୍କାର ମୂଲ୍ୟାୟନ ଏବଂ ଦେଶରେ ହେଉଥିବା ସାଇବର ଆକ୍ରମଣର ଅନୁସନ୍ଧାନ କରିବା, ସଂସଦ ଦ୍ୱାରା ଏ ସଂକ୍ରାନ୍ତରେ ଉଚିତ ଆଇନ ପ୍ରଣୟନ ହେବା ଯାଏଁ ନାଗରିକଙ୍କ ଅଧିକାରକୁ ସୁରକ୍ଷା ପ୍ରଦାନ କରିବା ପାଇଁ ଅଦାଲତଙ୍କ ଦ୍ୱାରା କି ପ୍ରକାର କାମଚଳା ପଦକ୍ଷେପ ଗ୍ରହଣ କରାଯିବା ଉଚିତ, ତାହା ଉପରେ କମିଟି ସୁପାରିସ ପ୍ରଦାନ କରିବ। ଏହି କମିଟି ବିଶେଷ କ୍ଷମତାସମ୍ପନ୍ନ ହୋଇଥିବାରୁ ଆବଶ୍ୟକ ସ୍ଥଳେ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଠାରୁ ଆରମ୍ଭ କରି ଜାତୀୟ ସୁରକ୍ଷା ଉପଦେଷ୍ଟାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ କମିଟି ନିକଟରେ ହାଜର ହୋଇ ବିବୃତି ରଖିବା ଲାଗି ଡକାଯାଇ ପାରିବ।

ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରା କେନ୍ଦ୍ର ସରକାରଙ୍କୁ ଯେଉଁଭଳି ଭର୍ତ୍ସିତ ହେବାକୁ ହୋଇଛି, ସମ୍ଭବତଃ ନିକଟ ଅତୀତରେ ସେଭଳି ଘଟି ନାହିଁ। ଆଦେଶର ପାରା ୪୫ରେ ଉଲ୍ଲିଖିତ ହୋଇଛି ଯେ ଗତ ଦୁଇ ବର୍ଷ ମଧ୍ୟରେ ସରକାରଙ୍କ ତରଫରୁ ନିଆଯାଇଥିବା ପଦକ୍ଷେପର ତଥ୍ୟ ଉପସ୍ଥାପନ କରି ନିଜ ପକ୍ଷ ସ୍ପଷ୍ଟ କରିବାକୁ କେନ୍ଦ୍ର ସରକାରଙ୍କୁ ଯଥେଷ୍ଟ ସୁଯୋଗ ଦିଆଯାଇଥିଲେ ବି ସରକାର କେବଳ ସୀମିତ ସତ୍ୟପାଠ ଦାଖଲ କରିଛନ୍ତି ଯାହା ତାଙ୍କ ପକ୍ଷ ବା ପ୍ରସଙ୍ଗଟିରେ ସ୍ପଷ୍ଟତା ଆଣିବାରେ ସହାୟକ ହୋଇନାହିଁ। ନାଗରିକଙ୍କ ମୌଳିକ ଅଧିକାର ସଂଶ୍ଳିଷ୍ଟ ଏକ ମାମଲାରେ ସରକାରଙ୍କ ଏ ଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ। ରାମ ଜେଠମାଲାନି ମାମଲା (୨୦୧୧) ଅନୁଯାୟୀ ନାଗରିକଙ୍କ ମୌଳିକ ଅଧିକାରର ସୁରକ୍ଷା ମୂଳତଃ ରାଷ୍ଟ୍ରର କର୍ତ୍ତବ୍ୟ ହୋଇଥିବାରୁ ଏଥି ପ୍ରତି ବିପଦ ଦେଖା ଦେଲେ କେନ୍ଦ୍ର ସରକାର ପ୍ରତିକୂଳ ମନୋଭାବ ପୋଷଣ କରିବା ଅନୁଚିତ। ଅଧିକନ୍ତୁ, ଜାତୀୟ ସୁରକ୍ଷା ପ୍ରସଙ୍ଗଗୁଡ଼ିକରେ ନ୍ୟାୟାଳୟ ସାଧାରଣତଃ ନ୍ୟାୟିକ ସମୀକ୍ଷାରୁ ଦୂରେଇ ରହୁଥିଲେ ବି ଜାତୀୟ ସୁରକ୍ଷାର ଆଳ ଦେଖାଇ ଓ କେବଳ ସେହି କଥାର ଉଚ୍ଚାରଣପୂର୍ବକ ସବୁ ବେଳେ ଆଉ ଅକାରଣେ ନ୍ୟାୟିକ ସମୀକ୍ଷାରୁ ବର୍ତ୍ତି ହେବନାହିଁ। ଜାତୀୟ ସୁରକ୍ଷା ପ୍ରସଙ୍ଗରେ ସାମ୍ୱିଧାନିକ ଓ ଆଇନଗତ ଭାବେ ଛାଡ଼ ପାଇବାର ଥିଲେ ସରକାରଙ୍କୁ ତାହା ନ୍ୟାୟାଳୟରେ ପ୍ରମାଣ କରିବାକୁ ହେବ।

ଜର୍ଜ ଅରୱେଲଙ୍କ ‘୧୯୮୪’ ପୁସ୍ତକର ଯେଉଁ ପ୍ରସିଦ୍ଧ ବାକ୍ୟଟିକୁ ଉଦ୍ଧାର କରି ସୁପ୍ରିମ୍‌ କୋର୍ଟଙ୍କ ଆଦେଶର ଆରମ୍ଭ ହୋଇଛି ତାହା ହେଲା, ‘ତୁମେ ଯଦି କୌଣସି କଥାକୁ ଗୋପନୀୟ ରଖିବାକୁ ଚାହଁ, ତେବେ ତାକୁ ତୁମ ନିଜ ଠାରୁ ବି ଗୋପନ ରଖିବାକୁ ହେବ।’ ପେଗାସସ୍‌ ମାମଲାରେ ଜାତୀୟ ସୁରକ୍ଷାର ଦ୍ୱାହି ଦେଇ ଏ ଯାଏଁ ତଥ୍ୟକୁ ସମ୍ପୂର୍ଣ୍ଣ ଗୋପନ ରଖିବାକୁ ସମର୍ଥ ହୋଇଆସିଥିବା କେନ୍ଦ୍ର ସରକାରଙ୍କ ପକ୍ଷରେ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟି ଠାରୁ ସେହି ତଥ୍ୟ ଗୋପନ ରଖିବା ଆଉ ସମ୍ଭବ ହୋଇ ନ ପାରେ। ସେ କ୍ଷେତ୍ରରେ ଆଗାମୀ ଦିନରେ ହୁଏ’ତ ପେଗାସସ୍‌ ମାମଲା କେନ୍ଦ୍ର ସରକାରଙ୍କ ତଣ୍ଟିରେ ଏକ କଣ୍ଟା ସଦୃଶ ଚିନ୍ତାର କାରଣ ହୋଇପାରେ।

ମୋ: ୯୪୩୭୦୩୮୦୧୫
www.SaralJatil.com

ସମ୍ବନ୍ଧିତ ଖବର