ସାଂପ୍ରଦାୟିକତାର ଭୂତାଣୁ

କୁମାର ପ୍ରଶାନ୍ତ

କରୋନା ଦ୍ବାରା ହନ୍ତସନ୍ତ-ପୀଡ଼ିତ ଦେଶକୁ ଶେଷରେ ପ୍ରଧାନମନ୍ତ୍ରୀ ପଦଟିଏ ଗମ୍ଭୀର କଥା କହିଛନ୍ତି: ଏହା ଜାତି ବା ଧର୍ମ ଭେଦରେ ଆସେ ନାହିଁ। ତାଙ୍କର ଏହି ରହସ୍ୟମୟ ଆବିଷ୍କାର କଥା ଶୁଣି ମୁଁ ଆଚମ୍ବିତ ହୋଇଗଲି। ଏହା କ’ଣ ଆମେ ଜାଣି ନ ଥିଲୁ! ପୁଣି ଚକିତ ହେଲି, କାହିଁ ଆଗରୁ ତ କେବେ କହି ନ ଥିଲେ। ମନେପକାଇବାକୁ ଚେଷ୍ଟା କଲି! ଖୋଜିଲି! କରୋନା ପୀଡ଼ିତ ଦେଶକୁ ପ୍ରଥମ ସ˚ଦେଶରେ ସେ ଜନତା କର୍ଫ୍ୟୁ କଥା କହିଥିଲେ। ତାଳି-ଥାଳି-ଘଣ୍ଟି ବଜାଇବା କାର୍ଯ୍ୟକ୍ରମ ଦେଇଥିଲେ। ତେବେ, ଏହା ତ କହି ନ ଥିଲେ! ଦେଶ ପାଇଁ ଦ୍ବିତୀୟ ବାର୍ତ୍ତାରେ ଏକୋଇଶ ଦିନର ତାଲାବନ୍ଦ ଘୋଷଣା କଲେ ଏବ˚ ନଅ ତାରିଖରେ, ରାତି ନଅଟା ବେଳେ, ନଅ ମିନିଟ୍‌ ପାଇଁ ଦୀପ, ଟର୍ଚ‌୍‌ ବା ମୋବାଇଲ୍‌ର ଆଲୋକ ଜଳାଇବାକୁ କହିଥିଲେ। ସେତେ ବେଳେ ବି ଏହା କହି ନ ଥିଲେ! ତୃତୀୟ ସ˚ଦେଶରେ ତାଲାବନ୍ଦ ବଢ଼ାଇବା କଥା କହିଥିଲେ। ତାହା ସହ ଧମକ ମଧ୍ୟ ଦେଇଥିଲେ- ଯଦି, ତାଙ୍କ କଥା ନ ଶୁଣିବ, ତାଙ୍କ ଆଦେଶ ପାଳନ ନ କରିବ, ଯାହା କିଛି ଦିଆଯାଉଛି, ତାହା ମଧ୍ୟ ବନ୍ଦ କରିଦିଆଯିବ। ସେତେ ବେଳେ ବି କରୋନାର ଧର୍ମଦ୍ରୋହୀ ଚରିତ୍ର ବାବଦରେ କିଛି କହି ନ ଥିଲେ!

ଶୁଣିଲି, ଏବେ କରୋନା ବାବଦରେ ଏତେ ବଡ଼ ସତ୍ୟଟିକୁ ଉନ୍ମୋଚିତ କରିଛନ୍ତି ‘ଟ୍ବିଟର‌୍‌’ ମାଧ୍ୟମରେ। ଆମର ପରମ ଜ୍ଞାନୀମାନେ ଆଜିକାଲି ଟ୍ବିଟ୍‌ କରି ଜ୍ଞାନ ବାଣ୍ଟୁଛନ୍ତି। ସ୍ବତଃ ମନକୁ ଆସିଲା, ଯେତେବେଳେ ସାରା ଦେଶ ଦେଖୁଥିବା ବେଳେ ଆପଣ ସଶରୀର ସାମନାକୁ ଆସି ଟେଲିଭିଜନ୍‌ ପରଦାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କିଛି କହୁଥିଲେ, ସେତେବେଳେ ଏହି ସତ୍ୟ କାହିଁକି ଜଣାଇ ନ ଥିଲେ? ସତ୍ୟ ବାବଦରେ ସବୁଠାରୁ ବଡ଼ ସତ ହେଉଛି, ଏହା ଯେତେ ଅଧିକ ପ୍ରସାରିତ ହୁଏ, ସେତେ ଅଧିକ ଶକ୍ତିଶାଳୀ ହୁଏ। ତେବେ, କିଛି ସତ୍ୟ ମଧ୍ୟ ଅଛି, ଯାହା ଏଭଳି ଭାବେ କୁହାଯାଏ, ଯେମିତି କେହି ଶୁଣି ନ ପାରିବେ; କିନ୍ତୁ, ତାହା କୁହାଯାଇଥିବ। ଏହାକୁ କହନ୍ତି, ସତ୍ୟର ରାଜନୀତି।

ଘୃଣା ଓ ଅବିଶ୍ବାସର ଭୂତାଣୁ, କରୋନାଠାରୁ ଅଧିକ ଭୟଙ୍କର। ଗତ ବେଶ୍‌ କିଛି ଦିନ ହେଲା ଏହି ଭୂତାଣୁର ପାଳନ ଓ ପ୍ରସାରଣ ଚାଲିଛି। ନାଗରିକତା ସ˚ଶୋଧନ ଆଇନ ବିରୋଧରେ ଆନ୍ଦୋଳନ ସମୟରୁ ଘୃଣାର ଏହି ଭୂତାଣୁର ପ୍ରସାରଣ ଚାଲିଛି। ଏହା ଦିଲ୍ଲୀରେ ସା˚ପ୍ରଦାୟିକ ଦଙ୍ଗାର ରୂପ ନେଇଥିଲା। ମନରେ ପୁଣି ଆସୁଛି, ଯଦି କରୋନା ଆସି ନ ଥାଆନ୍ତା, ଆମେ କ’ଣ କରୁଥାଆନ୍ତେ? ସାରା ଦେଶରେ ସା˚ପ୍ରଦାୟିକ ଦଙ୍ଗାର ଅଗ୍ନି ନିର୍ବାପନରେ ଲାଗିଥାଆନ୍ତେ! କିଛି ଲୋକ ମରୁଥାଆନ୍ତେ, କିଛି ମାରୁଥାଆନ୍ତେ! କରୋନା ଏବେ ସା˚ପ୍ରଦାୟିକ ଦଙ୍ଗାର ପ୍ରତିଷେଧକ ଭାବେ କାମ କରୁଛି।

ଏବେ ଦେଶରେ ପୁଣି ଥରେ ସେହି ଧର୍ମ ବିରୋଧରେ ବିଷ-ମଞ୍ଜି ବୁଣାଯାଉଛି। କୁହାଯାଉଛି, ଭାରତକୁ ବରବାଦ କରିବା ପାଇଁ ସେହି ଧର୍ମର ଲୋକେ କରୋନା ଭୂତାଣୁ ସୃଷ୍ଟି କରିଛନ୍ତି ଏବ˚ ପ୍ରସାରଣ କରାଉଛନ୍ତି। ପ୍ରଧାନମନ୍ତ୍ରୀ ଏବେ କହିଲେ, କରୋନାର ଜାତି-ଧର୍ମ ସହ ସ˚ପର୍କ ନାହିଁ। ଏହା କ’ଣ ସେମାନଙ୍କୁ ଜଣା ନ ଥିଲା। ଯଦି ଜଣାଥିଲା, ଜାଣିଣୁଣି ଏ ଭଳି ମୂର୍ଖତା କିପରି କଲେ? ଏବେ ତ ସମସ୍ତେ ମରିବେ! ସେମାନେ ବି; ଅନ୍ୟମାନେ ମଧ୍ୟ! ପ୍ରକୃତ କଥା ହେଉଛି, ନା ସେମାନେ କରୋନା ବାବଦରେ ଜାଣିଥିଲେ ନା କରୋନା ବନାଇଥିଲେ ନା ତାର ପ୍ରସାରଣ କରିଥିଲେ। ସେମାନଙ୍କୁ ଅଯଥାରେ ଅପବାଦିତ କରାଯାଉଛି। ହିନ୍ଦୁମାନେ ମଧ୍ୟ କରୋନା କାଳରେ ସମାବେଶର ଆୟୋଜନ କରିଥିଲେ; ଏକତ୍ର ହୋଇଥିଲେ। ତବ୍‌ଲିଘି ମରକଜରେ ଯାହା ଘଟିଥିଲା, ତାହା ସେମାନଙ୍କ ଅଜ୍ଞାତରେ। ସେମାନେ ଅଜ୍ଞାନତାବଶତଃ ସାବଧାନତା ଅବଲମ୍ବନ କରି ନ ଥିଲେ। ହିନ୍ଦୁମାନଙ୍କ କ୍ଷେତ୍ରରେ ସମାନ ଘଟିଥିଲେ ବି କେବଳ ସେମାନଙ୍କ ଆଡ଼କୁ ଅଙ୍ଗୁଳି ଦେଖାଇବା ବିଭ୍ରାନ୍ତିକର। ଏ ବାବଦରେ ନା ସରକାର କିଛି କହୁଛନ୍ତି ନା ଟେଲିଭିଜନ୍‌ ଚାନେଲ୍‌। ଆଜିକାଲି ତ ସରକାର ଓ ସମାଚାରର ସତେ ଯେପରି ଯୁଗଳବନ୍ଦୀ ଚାଲିଛି। କେବଳ ଦେଖିବା ବାକି ଅଛି, ଏହି ଦେଶରେ କଲମ ଆଉ କେବେ ମୁଣ୍ତ ଉଠାଇ ଚାଲିପାରିବ ତ!

ଘୃଣା, ଗୁଜବ ଓ ଅବିଶ୍ବାସର ଭୂତାଣୁ ଯେତେବେଳେ ପ୍ରସାରିତ ହୁଏ, କେବଳ ଶିକାର କରେ। ଶିକାରର ଧର୍ମ, ବର୍ଣ୍ଣ, ଜାତି, ଭାଷା, ବେଶଭୂଷା ଆଦି ଦେଖେନାହିଁ। ବହୁ ବର୍ଷ ତଳେ ଗ୍ରାହାମ୍‌ ଷ୍ଟେନ୍‌ସଙ୍କ ଜୀବନରେ ଏ ଭଳି ଘଟିଥିଲା। ଦୁଇ ଶିଶୁ ପୁତ୍ରଙ୍କ ସହ ଶୋଇଥିବା ବେଳେ ପୋଡ଼ି ମାରିଦିଆଯାଇଥିଲା। ଏବେ ମୁମ୍ବାଇ ଉପକଣ୍ଠସ୍ଥ ପାଲଘରରେ ତିନି ଜଣ ନିରୀହ-ନିରପରାଧ ବ୍ୟକ୍ତିଙ୍କର ହତ୍ୟା ହୋଇଗଲା; ଦୁଇ ଜଣ ସାଧୁ ଏବ˚ ଅନ୍ୟ ଜଣକ ସେମାନଙ୍କ ଗାଡ଼ିର ଚାଳକ। ଏହି ଖବର ଆସିବା କ୍ଷଣି ଘୃଣା ଓ ରାଜନୀତିର ଭୂତାଣୁ ସକ୍ରିୟ ହୋଇଗଲା। ଦିଲ୍ଲୀର ଭାଜପା କାର୍ଯ୍ୟାଳୟରୁ ସ˚ବିତ ପାତ୍ର, ମୁମ୍ବାଇରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବ˚ ଉତ୍ତର ପ୍ରଦେଶରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାକୁ ହିନ୍ଦୁ ସାଧୁଙ୍କ ଯୋଜନାବଦ୍ଧ ହତ୍ୟା ଭାବେ ଆଖ୍ୟାୟିତ କଲେ। ସା˚ପ୍ରଦାୟିକତାର ବିରୋଧୀ, ସମ୍ବିଧାନର ପାଳନକାରୀ ଏବ˚ ନାଗରିକ ଅଧିକାରର ଜୟଗାନ କରୁଥିବା ସେହି ସମସ୍ତଙ୍କୁ କାଠ-ଗଡ଼ାରେ ଛିଡ଼ାକରିଦେଲେ। ବିଷାକ୍ତ ସ୍ବରରେ ପ୍ରଶ୍ନ କରାଗଲା- ଏମାନେ ଏବେ ଚୁପ୍‌ କାହିଁକି? ନିଜ ପ୍ରଶ୍ନର ଉତ୍ତର ସ˚ବିତ୍ର ପାତ୍ର ସ୍ବୟ˚ ଦେଇପକାଇଲେ- ଏମାନେ ଏବେ କିପରି କହିବେ? ହିନ୍ଦୁ ସାଧୁଙ୍କ କଥା କିଏ ବା ଚିନ୍ତା କରେ?

ସା˚ପ୍ରଦାୟିକତା ପ୍ରସଙ୍ଗରେ ମହାରାଷ୍ଟ୍ର ସରକାର ଓ ଏହାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଛବି ମଧ୍ୟ କିଛି ନିଷ୍କଳଙ୍କ ନୁହେଁ। ତେବେ, କ୍ଷମତାର ଯାଦୁ ମଣିଷକୁ ନୂଆ ନୂଆ ରଙ୍ଗ ଦିଏ। ଉଦ୍ଧବ ନୂଆ ପୋଷାକ ପିନ୍ଧିଛନ୍ତି। ତୁରନ୍ତ ମାମଲାର ସତ୍ୟ ଦେଶ ସମ୍ମୁଖରେ ଉପସ୍ଥାପନ କରିଦେଲେ। ଜଣାପଡ଼ିଲା ଏହା ପଛରେ କୌଣସି ସା˚ପ୍ରଦାୟିକତା ନାହିଁ। ଏହା ଭିଡ଼-ହତ୍ୟା ବା ମବ୍‌-ଲିଞ୍ଚି˚ ଭୂତାଣୁର ନୂଆ ପ୍ରକୋପ। ଏହା ମାଧ୍ୟମରେ ପୂର୍ବରୁ ବହୁ ମୁସଲମାନଙ୍କ ପ୍ରାଣ ଯାଇଥିଲେ ହେଁ କୌଣସି ମାମଲାର ଠିକ୍‌ ଅନୁସନ୍ଧାନ ହୋଇ ନ ଥିଲା କି କାହାକୁ ଦଣ୍ତ ମିଳି ନ ଥିଲା। ଘୃଣାର ଭୂତାଣୁ ଭଳି ପାଲଘରରେ ପିଲାଚୋର ଗୁଜବର ଭୂତାଣୁ ପ୍ରସାରିତ ହୋଇଥିଲା। ଏବର ହତ୍ୟାକାଣ୍ତ ତାହାର ପରିଣାମ। ବିଚରା ସାଧୁ ଓ ସେମାନଙ୍କ ଚାଳକର ଜୀବନ ଗଲା। ହତ୍ୟାକାରୀମାନେ ଗୁଜବ ଭୂତାଣୁର ଶିକାର ହୋଇ ନ ଥିଲେ, ଏହି ଦୁଇ ସାଧୁଙ୍କର ଚରଣ ଛୁଇଁ ଆଶୀର୍ବାଦ ଭିକ୍ଷା କରିଥାଆନ୍ତେ। ଗୁଜବ ଭୂତାଣୁର ପ୍ରସାରଣ କାରଣରୁ ସାଧୁ ଦୁହିଁଙ୍କୁ ପିଲାଚୋର ଧରିନେଇ, ନିର୍ବିଚାରରେ ମିଳିତ ଭାବେ ମାଡ଼ ଚଢ଼ାଇଲେ। ପୁଲିସ୍‌ ବି ଥିଲେ। ତେବେ, ସେମାନେ ନିଜ ଜୀବନ ବଞ୍ଚାଇବା ପାଇଁ ପଳାୟନ କଲେ। ଅଣ-ହିନ୍ଦୁ ମରୁଥିବା ବେଳେ ସେମାନେ ଯାହା କରୁଥିଲେ, ହିନ୍ଦୁ ମରୁଥିବା ବେଳେ ତାହା ହିଁ କଲେ। ଯେମିତି ଗଛ ଲାଗିଛି, ସେମିତି ଫଳ ମିଳୁଛି। ଆଉ ଆମେ ମଧ୍ୟ କିଛି କମ୍‌ ଭୋଗୁନାହୁଁ!

ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଦିଲ୍ଲୀ

ସମ୍ବନ୍ଧିତ ଖବର