ଷଣ୍ଢ ପରମ୍ପରା

ଚିନ୍ମୟ ଚେତନା - ଚିନ୍ମୟ କୁମାର ହୋତା

ଭୁବନେଶ୍ୱର ମହାନଗର ନିଗମ ବର୍ତ୍ତମାନ ରାଜଧାନୀର ବୁଲା ଷଣ୍ଢଙ୍କୁ ଥଇଥାନ କରିବାରେ ବ୍ୟସ୍ତ। ନଗର ବାହାରେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମିତ ହେଉଥିବା ଅତ୍ୟାଧୁନିକ ଆଶ୍ରୟ ସ୍ଥଳ ଗୁଡ଼ିକରେ ଖୁଆଡ଼ ହେବେ ଭୁବନେଶ୍ୱରର ରାଜରାସ୍ତା ମଣ୍ଡନ କରୁଥିବା ଯେତେ ସବୁ ଷଣ୍ଢ। ସରକାର ଷଣ୍ଢମାନଙ୍କ ପାଇଁ ବ୍ୟବସ୍ଥା କରୁଛନ୍ତି ଫାଇଭ୍‌-ଷ୍ଟାର୍‌ କାଞ୍ଜିଆହୁଦାର। ହେଲେ ଯାହା ବି ହେଉ କଥାଟା କାହିଁକି ମୂଳରୁ ଲାଗୁଛି ବିଡ଼ମ୍ବନା-ଯୁକ୍ତ, ଯେହେତୁ ଏହି ବ୍ୟବସ୍ଥା ସ୍ୱାଧୀନତାର ଏକ ଜଣାଶୁଣା ପ୍ରତୀକ ପାଖରୁ ତା’ର ଅସଲ ପରିଚୟକୁ ଛଡ଼ାଇ ନେବ ଅଚିରେ। ମୁକ୍ତ ଆକାଶର ବିହଙ୍ଗକୁ ସୁନା ପଞ୍ଜୁରିରେ ବାନ୍ଧି ରଖିବା ଯାହା, ସ୍ୱାଧୀନଚେତା ବୃଷଭକୁ ପାଞ୍ଚ ତାରକା ଆଶ୍ରୟ ସ୍ଥଳରେ ଅଟକ ରଖିବା ସେଇୟା!

ଆଜି ଆମ ସହରର ରାଜରାସ୍ତାଗୁଡ଼ିକ ଆଧୁନିକ ରୂପ ଧାରଣ କରୁଛନ୍ତି ଓ ଗାଡ଼ିମଟରର ଗହଳି ଭିତରେ ଶ୍ୱାସରୁଦ୍ଧ ହେଇପଡୁଛନ୍ତି। ଏହି ପ୍ରଗତି ପଥରେ ଷଣ୍ଢ ମହାଶୟଙ୍କୁ ଧ୍ୟାନ ଦେବା ପାଇଁ କାହାର ବା ତର ଅଛି? କିନ୍ତୁ ଥରେ ମନେ ପକାନ୍ତୁନା ଚାରି ପାଖରେ ବ୍ୟସ୍ତ ଜନତାର କୋଳାହଳପୂର୍ଣ୍ଣ ଧାଁ ଦଉଡ଼ ଆଉ ଗାଡିମଟରର ପେଁ ପାଁକୁ ନିଘା ନ ଦେଇ ଷଣ୍ଢ କେମିତି ରାସ୍ତା ମଝିରେ ନିର୍ଲିପ୍ତ ମୁଦ୍ରାରେ ପାକୁଳି କରୁଥାଏ। ଯେମିତି ତଥାକଥିତ ବ୍ୟସ୍ତ ମଣିଷକୁ ସେ ବ୍ୟସ୍ତତାର ଅସାରତା ବିଷୟରେ ସୂଚେଇ ଦେଉଥାଏ ତା’ର ନିରୁତା ଅନାସକ୍ତ ଭାବ ମାଧ୍ୟମରେ। ସତେ କି ଧାଉଁଥିବା ମଣିଷକୁ ଉଦାସୀନ ବୁଲା ଷଣ୍ଢ କହୁଥାଏ, ‘ଗୋଡ଼ ହାତ ଛିଣ୍ଡେଇ କୁଆଡ଼େ ଧାଇଁଛୁରେ? କ’ଣ ପାଇବୁ ଗନ୍ତବ୍ୟ ସ୍ଥଳରେ ପ୍ରଥମେ ପହଞ୍ଚି? ଅନ୍ୟକୁ ରାସ୍ତାରେ ପଛରେ ପକାଇ? ଫେରିବା ବେଳ ଆସି ପହଞ୍ଚିଗଲେ କେହି ମନେ ପକେଇବେ ନାହିଁ ଯେ ତୁ ପ୍ରଥମେ ପହଞ୍ଚିଥିଲୁ ଧଇଁସଇଁ ହୋଇ। ମୋ ଭଳି ଜୀବନକୁ ହାଉଲେ ହାଉଲେ ଜିଇବା ଶିଖ। ବେଳେ ବେଳେ ପଛକୁ ଅନା ଆଉ ଛାଡ଼ି ଆସିଥିବା ମୁହୂର୍ତ୍ତ ଗୁଡ଼ିକର ମଜା ଉଠା। ମଝିରେ ମଝିରେ ପାକୁଳି କରିବାର କଳାକୁ ଉପଭୋଗ କର।’

ଆମର ସହରଗୁଡ଼ିକରେ ରାସ୍ତା ଅବରୋଧ କରି ଶୋଇଥିବା ଷଣ୍ଢର ଦୃଶ୍ୟ ଆମ ଆଖିରେ ଗତାନୁଗତିକ ହେଲେ କ’ଣ ହେଲା, ବିଦେଶୀ ପର୍ଯ୍ୟଟକମାନଙ୍କ ପାଇଁ ଏ ଦୃଶ୍ୟ କୌତୂହଳପ୍ରଦ। ତେଣୁ ବିଦେଶୀ ଭ୍ରମଣ ଗାଇଡ୍‌ଗୁଡ଼ିକରେ ଏ ଘଟଣାର ସବିଶେଷ ବିବରଣୀ ଦେବାକୁ ଲେଖକମାନେ ଭୁଲନ୍ତି ନାହିଁ। ଆଉ ପଥିକ ତା’ର ଯାତ୍ରାରୁ ସାମୟିକ ବିରତି ନେଇ ଷଣ୍ଢ ଲଢ଼େଇର ଦୃଶ୍ୟକୁ ଉପଭୋଗ କରୁଥିବା କଥାକୁ ସେମାନେ ପର୍ଯ୍ୟଟନର ଗୋଟିଏ ରୋଚକ ଅଙ୍ଗ ବୋଲି ଭାବନ୍ତି। ଦୁଇଟି କ୍ରୁଦ୍ଧ ପ୍ରାଣୀ ଭିତରେ ଏ ଖଣ୍ଡଯୁଦ୍ଧ ଯେ କେତେ ଆମୋଦଦାୟକ, ତାହା ଓଡ଼ିଶାର ବିଶିଷ୍ଟ ଲେଖକ ପ୍ରାଣବନ୍ଧୁ କର ତାଙ୍କ ‘ଷଣ୍ଢ ଲଢ଼େଇ’ କ୍ଷୁଦ୍ର ଗଳ୍ପରେ ବର୍ଣ୍ଣନା କରିଯାଇଛନ୍ତି। କଟକର ପ୍ରସିଦ୍ଧ ଡାକ୍ତର ପ୍ରଫେସର ସୁରେନ୍ଦ୍ର ପାଢ଼ୀ ଅବସର ନେଲା ପରେ କଟକ ଛାଡ଼ି ଭୁବନେଶ୍ୱରରେ ବସବାସ କରୁଛନ୍ତି; ହେଲେ ଭୁବନେଶ୍ୱର ରାସ୍ତାରେ କଟକ ଭଳି ଷଣ୍ଢ ଲଢ଼େଇ ଦେଖିବାକୁ ନ ପାଇ ସେ ଦୁଃଖରେ କାଳାତିପାତ କରୁଛନ୍ତି। ‘ତାଙ୍କ ଶୈଶବ, କୈଶୋର ଓ ଯୌବନର ସବୁଠୁ ବଡ଼ ଆଗ୍ରହ ଓ କୌତୂହଳ ହେଲା ଷଣ୍ଢ ଲଢ଼େଇ ଦେଖିବା। ତାଙ୍କ ପରିଣତ ବୟସରେ ବି ଯୋଉଠି ଷଣ୍ଢ ଲଢ଼େଇ ଦେଖିବେ, ସେଠି ସେ ତାଙ୍କ କାର୍‌ଟାକୁ ରାସ୍ତା କଡ଼ରେ ରଖି ଦେଇ ଭିଡ଼ ଭିତରେ ପଶିବେ ଓ ପାଟିରେ ହାତ ମାରି ‘ଆବା’ ‘ଆବା’ କହିବେ।’ ଶେଷରେ ଷଣ୍ଢ ଲଢ଼େଇ ବିନା ହତାଶ ଅନୁଭବ କରୁଥିବା ଡାକ୍ତର ପାଢ଼ୀ ଭୁବନେଶ୍ୱର ରାଜରାସ୍ତାରେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଘମାଘୋଟ ଲଢ଼େଇ ଦେଖି ନିଜର ଆଶାକୁ ଚରିତାର୍ଥ କରିଛନ୍ତି।
ଖାଲି ଏ ଗଳ୍ପର ଅବସରପ୍ରାପ୍ତ ଡାକ୍ତର ମହାଶୟ କାହିଁକି, ପୃଥିବୀର ଅନେକ ସ୍ଥାନରେ ଲୋକେ ଏହି ଶାନ୍ତ ଅଥଚ ଆବଶ୍ୟକ ପଡ଼ିଲେ ନିଜର କର୍ତ୍ତୃତ୍ୱ ଜାହିର କରିବାକୁ ସର୍ବଦା ଆଗଭର ଥିବା ପ୍ରାଣୀଟିର କ୍ରୁଦ୍ଧ ଦିଗଟିର ମଜା ନେବାକୁ ତତ୍ପର। ସ୍ପେନ୍‌ ଦେଶରେ ମଣିଷ ଓ ଷଣ୍ଢର ଲଢ଼େଇ ଠାରୁ ଆମ ଭାରତର ତାମିଲନାଡୁରେ ପାରମ୍ପରିକ ଜଲ୍ଲିକଟ୍ଟୁ ଖେଳ ଯାଏଁ ବିଚରା ନିରୀହ ପ୍ରାଣୀଟି ମଣିଷ ହାତରେ କ୍ରୀଡ଼ନକ ହେବା ସଙ୍ଗେ ସଙ୍ଗେ ନିଜର ଜୀବନକୁ ମଧ୍ୟ ବିପନ୍ନ କରିପକାଏ।

ଷଣ୍ଢକୁ ନେଇ ସବୁ ଖେଳ ପ୍ରାଣୀଟିର ବନ୍ଧନ ବିମୁଖତାକୁ ପ୍ରତିପାଦନ କରେ। ତା’ର ସ୍ୱାଧୀନତାରେ କେହି ବି ହାତ ଦେଲେ ଷଣ୍ଢ ମୁହଁ ଫଁ ଫଁ କରି ଗୋଡ଼ାଇବ, ତେଣିକି ପରିଣତି ଯାହା ହେଉ ନା କାହିଁକି। ‘ଷଣ୍ଢକୁ ପଘା ନାହିଁ’ ଭଳି ଉକ୍ତିଟି ଭିତରେ ରହିଛି ଜୀବଟିର ନିଜ ମର୍ଜିର ମାଲିକ ହେବାର ଅଦମନୀୟ ପ୍ରବୃତ୍ତି। ଏହି ସ୍ୱତନ୍ତ୍ର ପ୍ରବୃତ୍ତି ହୁଏ’ତ ଷଣ୍ଢ, ମଣିଷର ଏତେ ପ୍ରିୟ ପଶୁ ଭାବରେ ପରିଗଣିତ ହେବାର କାରଣ। ଆଦିମ ଯୁଗର ଗୁମ୍ଫା ଭିତରର ଚିତ୍ରକଳା ଠୁ ଆରମ୍ଭ କରି ଅଶୋକ ସ୍ତମ୍ଭ ପର୍ଯ୍ୟନ୍ତ, ମେସୋପଟାମିଆର ଭାସ୍କର୍ଯ୍ୟ ଠୁ ଆରମ୍ଭ କରି ଓଡ଼ିଶାର ମନ୍ଦିର ଗାତ୍ର ପର୍ଯ୍ୟନ୍ତ ମାନବ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏହି ଷଣ୍ଢ। ମହାଦେବଙ୍କର ପ୍ରିୟ ସହଚର ହିସାବରେ ନନ୍ଦୀ ଆନନ୍ଦର ଉତ୍ସ, ଷ୍ଟକ୍‌ ସୂଚକାଙ୍କର ଅଭିବୃଦ୍ଧିର ଦ୍ୟୋତକ ହିସାବରେ ସେ ପ୍ରଗତିର ଉତ୍ସ ଓ ମଣିଷର ଶୌର୍ଯ୍ୟ ଓ ସାହସର ପ୍ରତୀକ ହିସାବରେ ସେ ସତ୍ୟ ଓ ବିଜୟର ଉତ୍ସ। ସେଇଥି ପାଇଁ ତ ତା’ରି ନାମକୁ ବ୍ୟବହାର କରି ‘କଳିଙ୍ଗ ଷଣ୍ଢ’, ‘ଷଣ୍ଢ ମାର୍କା’ ତଥା ‘ବିଗ୍‌ ବୁଲ୍‌’ ଇତ୍ୟାଦି ଯାବତୀୟ ନାମଗୁଡ଼ିକର ସୃଷ୍ଟି।

ଷଣ୍ଢ ସବୁବେଳେ ମଣିଷ ସମାଜ ଭିତରେ ଥାଏ, ହେଲେ ସେ ମଧ୍ୟ ଥାଏ ତା’ରି ଦୁନିଆରେ, ଅନାସକ୍ତ ଭଙ୍ଗୀରେ। ଆଜି କର୍ତ୍ତୃପକ୍ଷଙ୍କ ଏହି ଷଣ୍ଢ ଖେଦିବା ନୀତି ମଣିଷ-ଷଣ୍ଢ ସହାବସ୍ଥାନର ଯୁଗ ଯୁଗର ପରମ୍ପରା ଉପରେ ଯବନିକା ଟାଣି ଦେବ। ଶେଷରେ ଲିଙ୍ଗରାଜଙ୍କ ଭୂଇଁରେ ସେ ପରମ୍ପରାକୁ ମନେ ପକେଇବା ପାଇଁ ରହି ଯାଇଥିବେ କେବଳ ମନ୍ଦିରମାନଙ୍କରେ ଶୋଭାପାଉଥିବା ପଥର ବୃଷଭମାନେ, ଯେତେବେଳେ କି ବିତାଡ଼ିତ ଜୀବନ୍ତ ଷଣ୍ଢମାନେ କାଟୁଥିବେ ବନ୍ଦୀର ଜୀବନ କେଉଁ ଅଜ୍ଞାତ ସହରତଳିରେ।

ମୋ: ୯୪୩୭୦୮୯୬୫୫

ସମ୍ବନ୍ଧିତ ଖବର