ଟୋବିନ୍ ପ୍ରୋଜେକ୍ଟ
ଲୋକକ୍ଷେତ୍ର - ହରପ୍ରସାଦ ଦାସ
ଲୋକକ୍ଷେତ୍ର ସହିତ ମୋର ନିରବଚ୍ଛିନ୍ନ ଆଳାପ ଏହି ସ୍ତମ୍ଭରେ ଏ ଯାଏଁ ଚାଲିବା ଭିତରେ ମୋ ପାଇଁ ସବୁଠୁ ବଡ଼ ଉପଲବ୍ଧି ହେଉଚି ରାଷ୍ଟ୍ର ଓ ଗଣତନ୍ତ୍ର ସହିତ ଚିନ୍ତା କେନ୍ଦ୍ର ବା ଜ୍ଞାନ କେନ୍ଦ୍ରମାନଙ୍କର ଭାଗୀଦାରି ତଥା ମତ ବିନିମୟ। କିନ୍ତୁ ପ୍ରସଙ୍ଗ କ୍ରମେ ଧାରଣାଟିଏ ହୋଇଛି ଯେ ଏ ସଂଦର୍ଭରେ ଗୋଟିଏ ବଡ଼ ପ୍ରଶ୍ନର ସମ୍ମୁଖୀନ ହେବା ପାଇଁ ଆମର ବୌଦ୍ଧିକ ପ୍ରସ୍ତୁତି ଦରକାର। ପ୍ରଶ୍ନଟି ହେଲା ରାଷ୍ଟ୍ରରେ ଓ ନାଗରିକ ସମାଜରେ ଚିନ୍ତା କେନ୍ଦ୍ର ବା ଜ୍ଞାନ କେନ୍ଦ୍ରଗୁଡ଼ିକ କିଭଳି ବିକଶିତ ହେବେ? ଏଇ କିଛି ଦିନ ତଳେ ମୁଁ ତର୍କ ଉପସ୍ଥାପିତ କରିଥିଲି ଯେ ଭାରତୀୟ ରାଷ୍ଟ୍ରର ପରିଚାଳନାରେ ଶିକ୍ଷାକୁ କେନ୍ଦ୍ରୀୟ ଭୂମିକା ନ ଦେଲା ପର୍ଯ୍ୟନ୍ତ ଗଣତନ୍ତ୍ରକୁ ତା’ର ଅନ୍ତର୍ନିହିତ ବିପଦଗୁଡ଼ିକର ମୁକାବିଲା କରିବା ପାଇଁ ଶକ୍ତି ବା ସାମର୍ଥ୍ୟ ମିଳିବ ନାହିଁ। ଏ ତର୍କ ଓଡ଼ିଶାର ଶିକ୍ଷକ ସ˚ପ୍ରଦାୟକୁ ଚିନ୍ତିତ କରିଚି, କିଛି ମାତ୍ରାରେ ବିମର୍ଷ କରିଚି ଓ ଆନ୍ତରିକ ଭାବରେ ସୁଖୀ କରିଚି। ଏ ବଡ଼ ବିଚିତ୍ର ସ୍ଥିତି। ଖୁସି ଲାଗୁଚି ଏଇଥିପାଇଁ ଯେ ସମାଜରେ ଶିକ୍ଷା ବିଷୟରେ ସଚେତନ ନାଗରିକମାନେ ମଧୢ ଶିକ୍ଷାକୁ ରାଷ୍ଟ୍ର ପରିଚାଳନାର ବ୍ୟବସ୍ଥାରେ ଅ˚ଶୀଦାର ଭାବରେ ଦେଖିବାର ସମ୍ଭାବନାକୁ ନେଇ ବିଚାର କରିବାର ପରିବେଶ ପାଇ ନ ଥିଲେ। ବିମର୍ଷ ଲାଗୁଚି କାରଣ ଆମର ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ ଅସମ୍ଭବ ଓ ତେଣେ ଇ˚ରେଜୀ ଶିକ୍ଷାର ଆରମ୍ଭ ପର ଠାରୁ ଶିକ୍ଷା ପ୍ରଣାଳୀରେ ଏତେ ବିଘ୍ନ ଓ ପ୍ରତିବନ୍ଧ ଜମା ହୋଇ ସାରିଲେଣି ଯେ ଏ କ୍ଷେତ୍ରରେ ବୈପ୍ଳବାତ୍ମକ ପରିବର୍ତ୍ତନ ଅସମ୍ଭବ। ଚିନ୍ତିତ ଏଇଥିପାଇଁ ଯେ ଆମର ଶିକ୍ଷାକ୍ଷେତ୍ରର ବିଦ୍ବାନମାନେ କିଛି କରିବାକୁ ଚାହାନ୍ତି, କିନ୍ତୁ ସୁଯୋଗ ଅଭାବରୁ କରିପାରୁନାହାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ହାର୍ଭାର୍ଡ୍, କର୍ଣ୍ଣେଲ୍ ଓ ଷ୍ଟାନ୍ଫୋର୍ଡ ତଥା କେମ୍ବ୍ରିଜ ଓ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟମାନଙ୍କରେ କାର୍ଯ୍ୟ କରୁଥିବା ମୋର କେତେକ ବନ୍ଧୁଙ୍କ ସହିତ ଆନ୍ତର୍ଜାତିକ ରାଜନୀତି ଓ ରାଷ୍ଟ୍ରୀୟ ଅସ୍ମିତା ଆଦି ବିଷୟରେ ଆଲୋଚନା ବେଳେ ଶିକ୍ଷା କ୍ଷେତ୍ରର ବିଦ୍ବାନ ଭାବରେ ସେମାନେ ମୋର ପ୍ରଶ୍ନମାନଙ୍କର ତଥ୍ୟଗର୍ଭିତ ଉତ୍ତର ଦିଅନ୍ତି ସିନା ତୃଣମୂଳ ସ୍ତରର ପ୍ରସ୍ତୁତିକୁ ନେଇ ସନ୍ଦିଗ୍ଧ ମନେ ହୁଅନ୍ତି। ୟାଙ୍କ ଭିତରେ ଯେଉଁ କେତେଜଣ ଭାରତୀୟ ଅଛନ୍ତି, ସେମାନେ ସମସ୍ତ ସହାନୁଭୂତି ସତ୍ତ୍ବେ ପ୍ରକୃତରେ କ’ଣ କରାଯାଇପାରିବ, ସେ ବିଷୟରେ ଚିନ୍ତା କରନ୍ତି ନାହିଁ। ତେବେ ଏ କଥା ଅସମ୍ଭବ ଯେ ଦେଶରେ ଇତିହାସର ପ୍ରବାହ ସହିତ ଉଠୁଥିବା ନୂଆ ନୂଆ ସମସ୍ୟା ଓ ସ˚କଟକୁ ନେଇ କେହି କେବେ ଚିନ୍ତା କରି ଉପାୟ ବାହାର କରି ନ ଥିବେ! ତେବେ, ଗତ ତିନିବର୍ଷ ଭିତରେ ଏ ବାବଦରେ କୌଣସି ସୂଚନା ନ ପାଇ ହତାଶ ହୋଇ ଉଠୁଥିବା ବେଳେ ମାର୍କ ଆର୍ଥର ଫାଉଣ୍ତେସନ ଦ୍ବାରା ସମ୍ବର୍ଦ୍ଧିତ ‘ଟୋବିନ୍ ପ୍ରୋଜେକ୍ଟ’ ବୋଲି ହାର୍ଭାର୍ଡ୍ ବିଶ୍ବବିଦ୍ୟାଳୟରେ ଚାଲୁଥିବା ଗୋଟିଏ ପ୍ରୋଜେକ୍ଟ୍ର ସୁରାକ ମତେ ମିଳିଲା। ମୁଁ ନିଶ୍ଚିତ ଯେ ଶିକ୍ଷାନୁଷ୍ଠାନମାନଙ୍କରେ କାର୍ଯ୍ୟରତ ବିଦ୍ବାନମାନେ ଏ ପ୍ରୋଜେକ୍ଟ୍ର କାର୍ଯ୍ୟରୁ ନିଜ ପାଇଁ ଭୂମିକା ଓ ଭୂୟୋଦର୍ଶୀ ମାର୍ଗ ଉଭୟ ପାଇବେ।
୧୯୮୦ ବେଳକୁ ଡେଭିଡ୍ ମସ୍ ବୋଲି ଜଣେ ବ୍ୟକ୍ତି ୟେଲ୍ ବିଶ୍ବବିଦ୍ୟାଳୟରେ ଡକ୍ଟରେଟ୍ କରୁଥିଲେ। ତାଙ୍କର ପ୍ରଫେସର ଥିଲେ ଜେମ୍ସ୍ ଟୋବିନ୍, ଅର୍ଥନୀତିଜ୍ଞ। ଟୋବିନ୍ ୧୯୮୧ରେ ନୋବେଲ ପୁରସ୍କାର (ରିକ୍ସବ୍ୟାଙ୍କ୍ ପୁରସ୍କାର) ପାଇଲେ ଓ ତା’ପରେ ତାଙ୍କର ଏହି ଛାତ୍ର ଡେଭିଡ୍ ମସ୍ଙ୍କ ସହିତ ଏକ ଗଭୀର ସ˚ପର୍କର ସୂତ୍ରପାତ ହେଲା। ନୋବେଲ୍ କମିଟି କହନ୍ତି ଯେ ସବୁ ନୋବେଲ୍ ବିଜେତା ଜଣେ ଜଣେ ବିଶ୍ବନିର୍ମାତା ଦାର୍ଶନିକ। ଅର୍ଥାତ୍ ବିଷୟ ଯାହା ବି ହେଉଥାଉ ନୋବେଲ ପୁରସ୍କାର ପାଇଲେ ଦୃଷ୍ଟି ଆଉ କୌଣସି କ୍ଷୁଦ୍ର ବିଷୟ ବା ଆଗ୍ରହର ବଶୀଭୂତ ହୋଇ ରହେ ନାହିଁ। ବିଶ୍ବଦୃଷ୍ଟି ଆପେ ଆସିଯାଏ। ଡେଭିଡ୍ ମସ୍ ଓ ଜେମ୍ସ୍ ଟୋବିନ୍ କଲେଜ କ୍ୟାମ୍ପସ୍ରୁ ବାହାରି ରାସ୍ତାକଡ଼ର ଡାଇନର୍ରେ ମଧୢାହ୍ନ ଭୋଜନ କଲା ବେଳେ ସବୁବେଳେ ଟୋବିନ୍ ବଡ଼ ଚିନ୍ତିତ ଲାଗନ୍ତି। ନୋବେଲ୍ ପୁରସ୍କାର ପାଇବାର ଖୁସି ବଦଳରେ ଟୋବିନ୍ଙ୍କୁ ଅଧିକ ବିମର୍ଷ ଦେଖି ଡେଭିଡ୍ କାରଣ ଜାଣିବାକୁ ଚାହିଁଲେ। ଟୋବିନ୍ କହିଲେ: ଜଣେ କାହାର ନୋବେଲ୍ ପାଇଲେ କ’ଣ ହେବ? ରାଷ୍ଟ୍ର ଓ ସମାଜର ସମସ୍ୟାମାନଙ୍କର ସମାଧାନ କଥା କିଏ ଚିନ୍ତା କରିବ? ଶିକ୍ଷାଗତ ବିଦ୍ବତ୍ତା ‘ପବ୍ଲିକ୍ ମାଇଣ୍ତେଡ୍’ ବା ଲୋକମାନସକୁ ସମର୍ପିତ ନ ହେଲା ଯାଏଁ ସମାଧାନ ମିଳିବ ନାହିଁ; ତେଣୁ ଆମେରିକାର ପ୍ରମୁଖ ସମାଜ ବିଜ୍ଞାନୀମାନେ ବିଶ୍ବବିଦ୍ୟାଳୟର ପାଠ୍ୟକ୍ରମ ବାହାରେ ଲୋକାଭିମୁଖୀ ରିସର୍ଚ୍ଚ କରିବା ଜରୁରୀ। ଏ ଲୋକାଭିମୁଖୀ ରିସଚର୍ଚ୍ଚ୍ର ମୁଖ୍ୟ ଉଦ୍ଦେଶ୍ୟ ହେବ ରାଷ୍ଟ୍ର, ସମାଜ ଓ ଲୋକଜୀବନକୁ ପ୍ରଭାବିତ କରୁଥିବା ସମସ୍ୟାଗୁଡ଼ିକର ସମାଧାନ ପାଇଁ ମାର୍ଗ ପ୍ରସ୍ତୁତ କରିବା ଓ ମାର୍ଗ ନିଶ୍ଚିତ କରିବା। ତା’ ହେଲେ କ’ଣ ଶିକ୍ଷାର ଲକ୍ଷ୍ୟ ଲୋକ ମଙ୍ଗଳ? ପ୍ରଫେସର ଟୋବିନ୍ କହିଥିଲେ ଆଧୁନିକ ବିଶ୍ବରେ ଆଧୁନିକତାର ବ୍ୟାଖ୍ୟା ଏଇଆ ଯେ ମଣିଷ ତା’ର ନିଜ କର୍ମକ୍ଷେତ୍ର ବା ଚିନ୍ତାକ୍ଷେତ୍ରରେ ସୀମିତ ନୁହେଁ, ତାହା ସବୁ ‘ଅନ୍ୟ ବ୍ୟକ୍ତି’ଙ୍କର ସୁଖ ଓ ସୁରକ୍ଷା ପ୍ରତି ନିବେଦିତ ଏକ ବାସ୍ତବ ବ୍ୟାପ୍ତି ଓ ମୁକ୍ତି! ଡେଭିଡ୍ ମୁଣ୍ତରେ ଏଇ ଚିନ୍ତା ନେଇ ଡକ୍ଟରେଟ୍ ଉପାଧି ଅର୍ଜନ କରି ୟେଲ୍ ବିଶ୍ବବିଦ୍ୟାଳୟରୁ କର୍ମକ୍ଷେତ୍ରକୁ ଓହ୍ଲେଇଲେ। ୨୦୦୪ ବେଳକୁ ସେ ହାର୍ଭାର୍ଡ୍ ବିଜିନେସ୍ ସ୍କୁଲ୍ର ପ୍ରଫେସର ଭାବରେ ସହକର୍ମୀମାନଙ୍କ ସହିତ ତାଙ୍କର ବହୁସ୍ତରୀୟ ଆଲୋଚନାରୁ ଅନୁଭବ କଲେ ଯେ ପ୍ରଫେସର ଟୋବିନ୍ ଦେଇଥିବା ଯେଉଁ ଚିନ୍ତା ତାଙ୍କୁ ଏଯାଏଁ ଘାରି ରଖିଚି, ସେ ଚିନ୍ତା ଅନ୍ୟ ଅନେକ ଛାତ୍ର ଓ ଅଧୢାପକଙ୍କ ମନରେ ବି ଅଛି। ଶିକ୍ଷା କ୍ଷେତ୍ରରେ ‘ସ୍ପେସ୍’ ବା ସୁଯୋଗପୂର୍ଣ୍ଣ ପରିବେଶ ଦରକାର। ହାର୍ଭାର୍ଡ ବିଜିନେସ୍ ସ୍କୁଲ୍ରେ ସେ ‘ସ୍ପେସ୍’ ସୃଷ୍ଟି କଲେ ପ୍ରଫେସର ଡେଭିଡ୍ ମସ୍। ପ୍ରଫେସର ଆର୍ଥର ସେଗେଲ୍ ତାଙ୍କର ପାର୍ଟନର୍ ହେଲେ। ୨୦୦୫ରେ ଟୋବିନ୍ ପ୍ରୋଜେକ୍ଟ ଆରମ୍ଭ ହେଲା।
କିନ୍ତୁ ଏ ପ୍ରୋଜେକ୍ଟ୍ର ଲକ୍ଷ୍ୟ ଏତେ ବ୍ୟାପକ ଯେ ଏଥିରେ ଶହ ଶହ ଅନୁସନ୍ଧାନକାରୀ, ଚିନ୍ତକ, ପ୍ରଫେସର ଓ ବିଚକ୍ଷଣ ଛାତ୍ର ଆସି ମିଶିବେ, ବିଶ୍ବସ୍ତରୀୟ ଆନୁଷ୍ଠାନିକ ବ୍ୟବସ୍ଥା ଲୋଡ଼ା ହେବ। ଏତେ ଧନ ଆସିବ କୋଉଠୁ? ହାର୍ଭାର୍ଡ୍ ବିଜିନେସ୍ ସ୍କୁଲ୍, ହାର୍ଭାର୍ଡ୍ ବିଶ୍ବବିଦ୍ୟାଳୟର ଏକ ବିଭାଗ। ତେଣୁ ଡେଭିଡ୍ ଓ ସେଗେଲ୍ ହାର୍ଭାର୍ଡ୍ର ସର୍ବୋଚ୍ଚ କର୍ତ୍ତାଙ୍କୁ ଖୋଲାଖୋଲି ପ୍ରସ୍ତାବ ଦେଲେ। ବିଶ୍ବବିଦ୍ୟାଳୟର ଇତିହାସରେ ଏଭଳି କୌଣସି ପ୍ରୋଜେକ୍ଟ କେବେ ହୋଇ ନ ଥିଲା। ତେଣୁ ଆରମ୍ଭରୁ ଅଳ୍ପ କିଛି ଆର୍ଥିକ ସମର୍ଥନକୁ ନେଇ ପ୍ରୋଜେକ୍ଟ ଆରମ୍ଭ ହୋଇଗଲା। ପ୍ରୋଜେକ୍ଟ୍ର ଏକ ଭିଜନ୍ ଥିଲା। କିନ୍ତୁ ନିଜ ଦେଶ ପାଇଁ ବା ରାଷ୍ଟ୍ର ପାଇଁ କେଉଁ କେଉଁ ସମସ୍ୟାଗୁଡ଼ିକ ଅତି ଗୁରୁତ୍ବପୂର୍ଣ୍ଣ, ସେ ବିଚାର ଆଗେ କରିବାକୁ ତ ହେବ!
ଏଇଠି ଆସିବ ଆଉ ଗୋଟିଏ କାହାଣୀ। ଏଠି ବି ଥିଲେ ଆଉ ଜଣେ ଆଦର୍ଶ। ସେ ଥିଲେ ଜଣେ ଡାକ୍ତର। ଡାକ୍ତର ଜୁଦା ଫୋକ୍ମ୍ୟାନ୍। ବିଚକ୍ଷଣ ସର୍ଜନ। ସେ ଥିଲେ ଆମେରିକାର କନିଷ୍ଠତମ ସର୍ଜନ୍-ଜେନେରାଲ୍। ବୋଷ୍ଟୋନ୍ର ଶିଶୁ ହସ୍ପିଟାଲରେ ସର୍ଜରୀ-ମୁଖ୍ୟ ଭାବରେ ତାଙ୍କର ଚିନ୍ତାର ବିଷୟ ଥିଲା କ୍ୟାନ୍ସର୍ର ଟ୍ୟୁମର୍। ଏ ଟ୍ୟୁମର୍ କାଇଁକି ହୁଏ, ଇଏ ରକ୍ତ କୋଉଠୁ ପାଏ? ବହୁ ପରୀକ୍ଷଣ ଓ ବିବେଚନ ପରେ ଫୋକ୍ମ୍ୟାନ୍ ଗୋଟିଏ ସମ୍ଭାବନାକୁ ଦୃଢ଼ କରି ଧରିଲେ। ସମ୍ଭାବନାଟି ଏଇଆ ଯେ ମଣିଷ ଶରୀରରେ କ୍ୟାନ୍ସର ଟ୍ୟୁମର୍ ତା’ର ନିଜ ରକ୍ତ ନିଜେ ଯୋଗାଡ଼ କରେ। ଏ ଭୟଙ୍କର ଅନ୍ତର୍ଘାତୀ ଯୋଗାଡ଼କୁ ପଣ୍ତ କରିବାର ଉପାୟ ହେଲା ଟ୍ୟୁମର୍ ରକ୍ତ ସ˚ଗ୍ରହ କରୁଥିବା ଉତ୍ସଗୁଡ଼ିକ ସହିତ ଟ୍ୟୁମର୍ର ସ˚ପର୍କ କାଟି ଦେବା। ଭାସ୍କୁଲାର୍ ସର୍ଜନମାନେ ଏ ଥିଓରିକୁ ହେୟଜ୍ଞାନ କଲେ। କିନ୍ତୁ ଫୋକ୍ମ୍ୟାନ୍ ଅଟଳ। ଧୀରେ ଧୀରେ ୟାକୁ ନେଇ ଅନୁସନ୍ଧାନ ଆରମ୍ଭ ହେଲା, ଅନ୍ୟ ଅନୁସନ୍ଧାନକାରୀ ଫୋକ୍ମ୍ୟାନ୍ଙ୍କ ସହିତ ମିଶିଲେ ଓ ‘ଆ˚ଜିଓଜେନେସିସ୍’ ଏକ ପ୍ରମାଣଲବ୍ଧ ଉପପାଦ୍ୟରେ ପରିଣତ ହେଲା। କୋଡ଼ିଏ ବର୍ଷର ଅକ୍ଳାନ୍ତ ପରିଶ୍ରମ ପରେ ୧୯୯୦ ବେଳକୁ ଫୋକ୍ମ୍ୟାନ୍ କ୍ୟାନ୍ସର ଅନୁସନ୍ଧାନେର ଅଗ୍ରଣୀ ସିଦ୍ଧ ହେଲେ। ୨୦୦୪ ଆମେରିକାର ଫେଡେରାଲ ଡ୍ରଗ୍ ଆଡମିନିଷ୍ଟ୍ରେସନ ‘ଆଭାସ୍କିନ୍’ ଔଷଧକୁ ସ୍ବୀକୃତି ଦେଇଦେଲେ।
ଏ କାହାଣୀର ପ୍ରତ୍ୟକ୍ଷ ସ˚ପର୍କ ଟୋବିନ୍ ପ୍ରୋଜେକ୍ଟ ସହ ଏଇଥି ପାଇଁ ଯେ ମସ୍ ଓ ସେଗେଲ୍, ଫୋକ୍ମ୍ୟାନ୍ଙ୍କ କ୍ୟାନ୍ସର ରିସର୍ଚ୍ଚ ‘ମେଥୋଡୋଲୋଜି’କୁ ସମାଜ ବିଜ୍ଞାନରେ ସିଧାସଳଖ ପ୍ରୟୋଗ କଲେ। ଏ ‘ମେଥୋଡୋଲୋଜି’କୁ ବୁଝାଇବାକୁ ଯାଇ ଫୋକ୍ମ୍ୟାନ୍ କହିଥିଲେ: ଗୋଟିଏ ଧଳାପଟା (ହ୍ବାଇଟ୍ ବୋର୍ଡ) ଉପରେ ଉଠି ଚାଲିଥିବା ସମସ୍ତ ଅସମାହିତ ବା ଅନୁତ୍ତରିତ ପ୍ରଶ୍ନମାନଙ୍କୁ ଲେଖ, ଗୋଟି ଗୋଟି କରି ସେମାନଙ୍କର ତର୍ଜମା କର ଓ ଶେଷରେ ଗୋଟିଏ ବା ଦୁଇଟି ଏଭଳି ପ୍ରଶ୍ନକୁ ଧରି ଅନୁସନ୍ଧାନରେ ମାତି ଯାଅ, ଯାହାର ଉତ୍ତର ଅସମ୍ଭବ ଲାଗୁଥିଲେ ବି ଉତ୍ତର ଅଛି! ତମର ସମଗ୍ର ଜୀବନକାଳ ସେଇ ପ୍ରଶ୍ନକୁ ଦେଇଦିଅ!
ମସ୍ ଓ ସେଗେଲ୍ ଅସ˚ଖ୍ୟ ଅସମାହିତ ପ୍ରଶ୍ନର ମୁକାବିଲା କରି କରି ଶେଷରେ ଚାରିଟି ପ୍ରଶ୍ନକୁ ନିର୍ଣ୍ଣାୟକ ସିଦ୍ଧ କରି ତାହାରି ଅନୁସରଣ କରିବା ପାଇଁ ସ୍ଥିର କଲେ। ଯୋଗସୂତ୍ର (ନେଟ୍ଵର୍କ) ବ୍ୟାପକ ହେଲା। ସେ ଚାରିଟି ପ୍ରଶ୍ନ ଥିଲେ ଆମେରିକାର ରାଷ୍ଟ୍ର, ଗଣତନ୍ତ୍ର, ବିଷମତା ଓ ଆନ୍ତରିକ ସୁରକ୍ଷାକୁ ନେଇ। ସେଇ ହେଲା ଧଳାପଟାରେ ଲେଖା ଚାରିଟି ପ୍ରଶ୍ନ, ଯାହାର ଉତ୍ତର ପାଇଁ ଏବେ ବି ଚାଲିଚି ଅନୁସନ୍ଧାନ। ଟୋବିନ୍ ପ୍ରୋଜେକ୍ଟ୍ରେ କିଭଳି ହୁଏ ଏ ଅନୁସନ୍ଧାନ? ବିଚକ୍ଷଣ ଗ୍ରାଜୁଏଟ୍ ରାଷ୍ଟ୍ର, ବିଚକ୍ଷଣ ଆକାଡେମିକ୍ ଷ୍ଟାଫ୍ଙ୍କୁ ନେଇ ଧୂଳା ଉଡ଼େଇ ଚର୍ଚ୍ଚା ହୁଏ, ଯାହାକୁ ସେମାନେ କହନ୍ତି ‘ବ୍ରେନ୍ ଷ୍ଟର୍ମି˚’! ଏ ‘ବ୍ରେନ୍ ଷ୍ଟର୍ମି˚’ର ପରିଣତି ହୁଏ ଏଇଆ ଯେ ଗ୍ରାଜୁଏଟ୍ ଛାତ୍ର ଠାରୁ ନେଇ ବରିଷ୍ଠ ଓ ବିଶିଷ୍ଟ ଅଧୢାପକ- ଗବେଷକଙ୍କ ପର୍ଯ୍ୟନ୍ତ ଅନ୍ତତଃ କୋଡ଼ିଏ ତିରିଶ ବିଚକ୍ଷଣ ମସ୍ତିଷ୍କ ସମସ୍ୟା-ସମାଧାନର ଯୁକ୍ତି-ତର୍କ ଓ ଅନୁସନ୍ଧାନରେ ଲାଗନ୍ତି। ଏବେ ସେମାନଙ୍କର ସମ୍ମୁଖରେ ଚାରିଟି ସମସ୍ୟା:
(୧) ସରକାର ଓ ବଜାର। ସରକାର ବଜାରକୁ ନିୟନ୍ତ୍ରିତ କରିବେ ନା ଖୋଲା ଛାଡ଼ିଦେବେ? ବଜାରକୁ ନିୟନ୍ତ୍ରିତ କଲେ ପରିଣତି ବିପଜ୍ଜନକ ହେବ ନାହିଁ ତ? ଅର୍ଥନୈତିକ ବ୍ୟବସ୍ଥା ଭୁଶୁଡ଼ି ଯିବନି ତ? ମନୋପଲି ବିରୋଧରେ ସ˚ଗ୍ରାମ କୋଉଯାଏଁ ଉଚିତ? ଅର୍ଥ ବ୍ୟବସ୍ଥାର ଦୃଢ଼ତାରୁ ନାଗରିକ କ’ଣ ପାଇବ? ଯାହା ପାଇବ ତାକୁ ସୁନିଶ୍ଚିତ କରାଯିବ କିପରି? ଦରବୃଦ୍ଧି ଏକ ପରିଣତି ନା ତାହା ବ୍ୟବସ୍ଥାର କୁଚକ୍ର? ବଜାରର କୁପରିଚାଳନା ଦରବୃଦ୍ଧି ପାଇଁ ଦାୟୀ କି? ଉତ୍ପାଦନ ମୁକ୍ତ ଅଛି ନା ନାହିଁ? ଉତ୍ପାଦନକୁ କେହି ଅଦୃଶ୍ୟ ଶକ୍ତି ନିୟନ୍ତ୍ରିତ କରୁଚି କି? ଉଚିତ ମୂଲ୍ୟ କାହାକୁ କହିବା? ବିତରଣ ବ୍ୟବସ୍ଥାରେ କିଛି ଭ୍ରାନ୍ତି ଅଛି କି? ଉଦାରୀକରଣର ଦର୍ଶନ ପୁଣିଥରେ ଆବିଷ୍କୃତ ହେବା ଜରୁରୀ କି? ପୁଞ୍ଜିର ଭବିଷ୍ୟତ କ’ଣ? ଭୋକ୍ତା ମାନବ, ଭୋକ୍ତା ହୋଇ ରହିଯିବ କି? ସାଧାରଣ ମଣିଷ ଶ୍ରମ ବିମୁଖ ହେବା ବିପଜ୍ଜନକ ନୁହଁ କି? ସାମାଜିକ ସୁରକ୍ଷା ବ୍ୟବସ୍ଥାର ଜାଲ ଆହୁରି ଖୋଲିବା ଦରକାର କି? ନୂଆ ଦରିଦ୍ର ସୃଷ୍ଟି ହେଉଚନ୍ତି କି? ଏହିପରି ଅସ˚ଖ୍ୟ ପ୍ରଶ୍ନ ଭିତରେ ପ୍ରଶ୍ନ।
(୨) ଆର୍ଥିକ ଅସମତା। ଏହା ଅନିବାର୍ଯ୍ୟ କି? ଏ ଅସମତା ଦୂର କରିବା ପାଇଁ ସରକାରଙ୍କ ନୀତି କେତେ ସମର୍ଥ? ଯଦି ସମର୍ଥ ନୁହେଁ, କାହିଁକି? ଶ୍ରମ ଓ ଦକ୍ଷତା ଆର୍ଥିକ ଅସମତାର ସ୍ବାଭାବିକ କାରଣ କି? ଏଭଳି କେହି ଅଛନ୍ତି କି ଯେଉଁମାନେ ନା ଦକ୍ଷ ନା ଶ୍ରମ କରନ୍ତି, କିନ୍ତୁ ପୁଞ୍ଜି ଉପରେ ତାଙ୍କର ଅଧିକାର। ଏ ଅଧିକାର ‘ଲେସେ ଫେଆର୍’ ଅର୍ଥନୀତିର ମୂଳମନ୍ତ୍ର ନୁହେଁ କି? କିନ୍ତୁ ଯଦି ଏ ଅଧିକାର ଅସମତା ସୃଷ୍ଟି କରୁଚି, ତେବେ କ’ଣ ସମାଜରେ ଅଳସୁଆ ଓ ଦକ୍ଷତା ବିମୁଖ ଲୋକଙ୍କୁ ପ୍ରୋତ୍ସାହନ ଦିଆଯିବ। ସବ୍ସିଡି ଠିକ୍ କି? ମାଗଣା ଖାଦ୍ୟ ଯୋଗାଇବା ଠାରୁ ସବୁ ସକ୍ଷମ ଦରିଦ୍ରଙ୍କୁ ଶ୍ରମିକରେ ପରିଣତ କରିବା ଉଚିତ ନୁହେଁ କି? ଏହିଭଳି ଅସ˚ଖ୍ୟ ପ୍ରଶ୍ନ।
(୩) ଗଣତନ୍ତ୍ରର ଅନୁଷ୍ଠାନ। ରାଷ୍ଟ୍ର ଗଣତନ୍ତ୍ରର ପରିଚାଳକ, କିନ୍ତୁ ଗଣତନ୍ତ୍ରର ଅନୁଷ୍ଠାନଗୁଡ଼ିକ ଲୋକକ୍ଷେତ୍ରରେ। ଏ ଅନୁଷ୍ଠାନ ଗୁଡ଼ିକୁ କିଭଳି ନିର୍ମାଣ କରାଯିବ? କୋଉ କୋଉ କ୍ଷେତ୍ରରେ କିଭଳି ଅନୁଷ୍ଠାନ ଲୋଡ଼ା? ଏଥିରେ ନେତୃତ୍ବର ରୂପ କିଭଳି ବିକଶିତ ହେବ? ରାଷ୍ଟ୍ରୀୟ ବା ସ୍ଥାନୀୟ ରାଜନୀତି ତୃଣମୂଳ ସ୍ତରର ଅଣ-ରାଜନୈତିକ ଲୋକୋଦୟକୁ ସହ୍ୟ କରିବ କି? ଯଦି ନ କରେ ତେବେ ଉପାୟ କ’ଣ? କୋଉ ଅନୁଷ୍ଠାନ ନାଗରିକ ଦାୟିତ୍ବ ଶିଖାଇବ? ଗଣତନ୍ତ୍ର ନିଜେ ଏକ ଶିକ୍ଷାକେନ୍ଦ୍ର ବା ମୁକ୍ତ ବିଦ୍ୟାଳୟ ନୁହେଁ କି? ରାଷ୍ଟ୍ରର ମଙ୍ଗଳ ପାଇଁ ମାନବଶାସ୍ତ୍ର ସହିତ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ମୁହାମୁହିଁ ସ˚ଘର୍ଷ ହେବ କାହିଁକି? ଶିକ୍ଷାର ଦର୍ଶନ ପୁଣି ଥରେ ନିର୍ଦ୍ଧାରିତ କରିବା ଜରୁରୀ କି?
(୪) ରାଷ୍ଟ୍ରୀୟ ସୁରକ୍ଷା। ଏହା ସହିତ ରାଷ୍ଟ୍ରର ସାର୍ବଭୌମତ୍ବ ଓ ନାଗରିକର ବ୍ୟକ୍ତିତ୍ବ କିଭଳି ଜଡ଼ିତ? ଅସୁରକ୍ଷାର ପ୍ରସଙ୍ଗ ଜାତୀୟ ଗରିମାର ପ୍ରସଙ୍ଗ ନୁହେଁ କି? ପରସ୍ପରର ମୁହଁ ଚାହୁଁନଥିବା ଦେରିଦା ଓ ହେବାରମାସ୍, ଦୁଇ ଜଣ ସର୍ବୋଚ୍ଚ ସମାଜବିଜ୍ଞାନୀ ଶତ୍ରୁତା ଭୁଲି ୯/୧୧ ପରେ ଗୋଟିଏ ବିଚାର ମଞ୍ଚରେ ଏକାଠି ହେଲେ ଏଇଥିପାଇଁ ଯେ ଆମେରିକାର ଗର୍ବୋନ୍ନତ ମଥା ଉପରେ ଆତଙ୍କବାଦୀ ପ୍ରହାର ପଛରେ ବିଶ୍ବରେ ଆମେରିକାନ୍ ‘ହେଜିମୋନି’ର ପତନର ପଦଧ୍ବନି ଶୁଭୁଥିଲା ସେମାନଙ୍କୁ।
ଆମେରିକାନ୍ ବିଶ୍ବବିଦ୍ୟାଳୟ ଓ ଜ୍ଞାନ କେନ୍ଦ୍ରମାନଙ୍କରେ କାର୍ଯ୍ୟ କରୁଥିବା ଅନ୍ତତଃ ଦୁଇ ଶହ ଗବେଷକ ଓ ଦଳ ଦଳ ବିଚକ୍ଷଣ ଛାତ୍ର ବର୍ତ୍ତମାନ ଟୋବିନ୍ ପ୍ରୋଜେକ୍ଟ୍ରେ କାର୍ଯ୍ୟ କରୁଚନ୍ତି। ତାଙ୍କର ଅଧିବେଶନମାନଙ୍କୁ ସରକାର ଗମ୍ଭୀରତାର ସହିତ ନେଉଚନ୍ତି, ସମୟ ଆସିବ ନୀତି ନିର୍ଦ୍ଧାରଣ ପାଇଁ ସେମାନେ ପ୍ରସ୍ତାବ ଦେବେ। ତିନି ନାଗରିକ ପିଢ଼ିର ସୁଚିନ୍ତିତ ବୌଦ୍ଧିକ ପରାମର୍ଶ ସରକାର ଉପେକ୍ଷା କରିପାରିବେ ନାହିଁ।
ଭାରତରେ ଏଭଳି ଗୋଟିଏ ପ୍ରୋଜେକ୍ଟ କ’ଣ ଆରମ୍ଭ ହୋଇପାରିବ ନାହିଁ? ଆମର ବିଚକ୍ଷଣ ଛାତ୍ର, ଅଧୢାପକ, ମୁକ୍ତ ବିଚାରଧାରାରେ ବିଶ୍ବାସ କରୁଥିବା ବିଭିନ୍ନ କର୍ମକ୍ଷେତ୍ରର ବୁଦ୍ଧିମାନ ଲୋକ କ’ଣ ରାଷ୍ଟ୍ରୀୟ ସ୍ତରରେ ଏହି ମଡେଲ୍ରେ ଚିନ୍ତା କରିପାରିବେ ନାହିଁ? ୟାର ଗୋଟିଏ ଲେଖାଏଁ ଛୋଟ ମଡେଲ୍ ସ୍ଥାନୀୟ ସ୍ତରରେ କ’ଣ ସତରେ ଅସମ୍ଭବ? ଧନ ଅନ୍ତରାୟ ନୁହେଁ, ମନ ମାନିବା ଦରକାର। ଭାରତୀୟଙ୍କ ମନ ମାନିବା ପାଇଁ ଆଉ କ’ଣ ଅଧିକ ଜରୁରୀ? ବିକାଶର ସ˚ଘର୍ଷ ଜାରି ରହିଚି, କ୍ଳେଶର ରଜନୀ ଏ ଯାଏଁ ପାହିନାହିଁ।
ଭାରତ ସରକାର ନିଷ୍ପତ୍ତି କରନ୍ତୁ ଟୋବିନ୍ ପ୍ରୋଜେକ୍ଟ ଭଳି ଗୋଟିଏ ପ୍ରୋଜେକ୍ଟ କୋଉଠି ଆରମ୍ଭ କରାଯାଇପାରିବ ଓ ତାକୁ ନେତୃତ୍ବ ଦେବେ ସେ କୋଉ ବିଶିଷ୍ଟ ପ୍ରଫେସର ଯାହାଙ୍କ ବିଦ୍ବତ୍ତା, ଦେଶପ୍ରେମ ଓ ସ˚କଳ୍ପ ଉପରେ ସାଧାରଣ ଲୋକ ସମାଜର ଭରସା ଆସିବ।
ମୋ-୯୪୩୭୦୩୯୮୫୮