ପ୍ରଫେସର ଡାଭିଡ୍ ଏଫ୍ ରସ୍ଙ୍କ ବହୁ ଚର୍ଚ୍ଚିତ ପୁସ୍ତକ ‘ଗାନ୍ଧିଆନ୍ ଇକୋନୋମିକ୍ସ-ସୋର୍ସେସ୍, ସବ୍ଷ୍ଟାନ୍ସ ଆଣ୍ଡ ଲିଗାସି’ ପୁସ୍ତକଟି ଆନ୍ତର୍ଜାତିକ ସ୍ତରରେ ବେଶ୍ ଆଦୃତ। ପ୍ରଫେସର ରସ୍ଙ୍କ ସମ୍ପର୍କ ହାର୍ଭାର୍ଡ୍ଠାରୁ କେଣ୍ଟୁକି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଜଡ଼ିତ। ଏହି ପୁସ୍ତକରେ କ୍ୟାପିଟାଲିଷ୍ଟ୍ କି କମ୍ୟୁନିଷ୍ଟ୍ ନୁହେଁ, ଗାନ୍ଧୀବାଦୀ ଅର୍ଥ ବ୍ୟବସ୍ଥା କିଭଳି ‘ସର୍ବଜନ ହିତାୟ’ ମହୌଷଧି ଭାବେ କାମ କରିବ, ସେ ସଂକ୍ରାନ୍ତରେ ବର୍ଣ୍ଣନା କରିଛନ୍ତି। ତାଙ୍କର ଏହି ପୁସ୍ତକର ମଲାଟ ପୃଷ୍ଠାରେ ଅରଟର ଚିତ୍ର ସହିତ ୧୯୨୪ ୟଙ୍ଗ୍ ଇଣ୍ଡିଆରେ ମହାତ୍ମା ଗାନ୍ଧୀଙ୍କ ଏକ ଲେଖାର ଉଦ୍ଧୃତି ରହିଛି, ଯହିଁରେ ଗାନ୍ଧୀଜୀ ୭ଟି ପାପ ବିଷୟରେ ଚେତାଇ ଦେଇଥିଲେ। ସେଗୁଡ଼ିକ ହେଲା- ନୀତିହୀନ ରାଜନୀତି, ନୈତକତା ବିହୀନ ବାଣିଜ୍ୟ ବ୍ୟବସାୟ, ଚରିତ୍ର ବିହୀନ ଶିକ୍ଷା, ଶ୍ରମ ବିହୀନ ସମ୍ପଦ, ବିବେକ ବିହୀନ ବିଳାସ, ମାନବିକତା ବିହୀନ ବିଜ୍ଞାନ ଓ ତ୍ୟାଗ ବିହୀନ ଉପାସନା।
ପ୍ରଫେସର ରସ୍ଙ୍କ ପୁସ୍ତକରେ କୁହାଯାଇଛି ଯେ ଗାନ୍ଧୀବାଦୀ ଅର୍ଥନୀତିର ସୂତ୍ର ହିନ୍ଦୁ, ଇସ୍ଲାମ୍ ଓ ଖ୍ରୀଷ୍ଟଧର୍ମର ବିଭିନ୍ନ ଗ୍ରନ୍ଥରୁ ଆସିଥିଲା। ସେ ତଥ୍ୟଭିତ୍ତିକ ପ୍ରମାଣ ସହିତ କହିଛନ୍ତି ଯେ ବୁଦ୍ଧ, ସକ୍ରେଟିସ୍, ଯୀଶୁଖ୍ରୀଷ୍ଟ, ଟଲ୍ଷ୍ଟୟ, ରସ୍କିନ୍, ଥିରୋ ଆଦି ତାଙ୍କ ଅର୍ଥନୈତିକ ବିଚାରକୁ ପ୍ରଭାବିତ କରିଥିଲେ। ତେବେ ମଣିଷ ସମାଜର ଦାରିଦ୍ର୍ୟ, ଦୁର୍ଗତି ଏବଂ ଶୋଷଣ ଆଦିକୁ ନିରେଖି ଏହାର ପ୍ରତିକାର ପାଇଁ ଗାନ୍ଧୀଜୀ ପରିକଳ୍ପନା କରିବା ସହ ଏହାର କ୍ଷେତ୍ର ପ୍ରୟୋଗ ପରେ ଯାଇ ବିଚାରକୁ ସ୍ପଷ୍ଟ କରିଛନ୍ତି।
ଗାନ୍ଧୀଜୀଙ୍କ ଲେଖାକୁ ଉଦ୍ଧାର କରି ପ୍ରଫେସର ରସ୍ କହିଛନ୍ତି ଯେ, ଗାନ୍ଧୀଜୀଙ୍କ ଭାଷାରେ ସେ ଅର୍ଥନୀତିଜ୍ଞ ନ ଥିଲେ କିମ୍ବା କୌଣସି ବାଦ ବା ‘ଇଜିମ୍’ର ସ୍ରଷ୍ଟା ନ ଥିଲେ। ଦୁନିଆ ଲାଗି ସେ କେବଳ ତାଙ୍କ ପରୀକ୍ଷିତ ବିଚାର ଛାଡ଼ି ଯାଇଛନ୍ତି। ନୈତିକ ମୂଲ୍ୟବୋଧ, ବ୍ୟବହାର ଓ ବ୍ୟୟରେ ସଂଯମ, ଅନ୍ୟକୁ ଶୋଷଣ କରି ଧନ ନ ରୁଣ୍ଡାଇବା, ଶରୀର ଶ୍ରମକୁ ପ୍ରାଧାନ୍ୟ, ଶରୀର ପୁଷ୍ଟି ସାଧନ ପାଇଁ ଖାଦ୍ୟ ଗ୍ରହଣ କରିବା, ବୌଦ୍ଧିକ ଓ ଶାରୀରିକ ବିକାଶ ପାଇଁ ଶିକ୍ଷାକୁ ମାଧ୍ୟମ କରିବା ସହିତ ଏହାକୁ ବ୍ୟକ୍ତି ଚରିତ୍ର ନିର୍ମାଣର ଆଧାର କରିବା ଲାଗି ଗାନ୍ଧୀଜୀ ଯେଉଁ ମାର୍ଗ ଦର୍ଶାଇଛନ୍ତି, ତାହା ଅନନ୍ୟ ବୋଲି ପ୍ରଫେସର ରସ୍ କହିଛନ୍ତି। ପ୍ରତି ସବଳ ହାତକୁ ଉତ୍ପାଦନକ୍ଷମ କର୍ମ ମିଳିବା ଏବଂ ପୁଞ୍ଜିର ସକାରାତ୍ମକ ବିନିଯୋଗ ଦିଗ ପ୍ରତି ଦୃଷ୍ଟି ଦିଆଗଲେ ବିଶ୍ୱର ଆର୍ଥିକ ବ୍ୟବସ୍ଥା ପୁଞ୍ଜିପତି କୈନ୍ଦ୍ରିକ ହୋଇ ରହିବ ନାହିଁ ବୋଲି ଗାନ୍ଧୀଜୀ କହୁଥିଲେ।
ଆର୍ଥିକ ବିକାଶରେ ପ୍ରାକୃତିକ ସମ୍ପଦର ଶୋଷଣକୁ ଗାନ୍ଧୀଜୀ ନାପସନ୍ଦ କରୁଥିଲେ। ସେ କହୁଥିଲେ ଯେ ଧରିତ୍ରୀ ମାତା ଠାରେ େଯତିକି ସମ୍ପଦ ରହିଛି, ତାହା ସମଗ୍ର ମାନବ ସମାଜର ବ୍ୟବହାର ପାଇଁ ପର୍ଯ୍ୟାପ୍ତ, କିନ୍ତୁ ମୁଷ୍ଟିମେୟଙ୍କ ଲୋଭ ଚରିତାର୍ଥ ଲାଗି ନିଅଣ୍ଟ। ତାଙ୍କର ଏହି ବାଣୀକୁ ନେବ ବର୍ଷ ବିତି ଗଲାଣି। କିନ୍ତୁ ତାହା ଆଜି ବି ଏକ ଦୁର୍ମୂଲ୍ୟ ଆଦର୍ଶ ଭାବେ ପରିଗଣିତ। ଗାନ୍ଧୀଜୀ କହୁଥିଲେ ଯେ ଅନ୍ୟର ଜୀବନରେ ଉନ୍ନତି ଆଣିବାରେ ସହାୟକ ହେବା ହେଉଛି ଜଣେ ଭଲ ମଣିଷର କର୍ତ୍ତବ୍ୟ। ଏଥିଲାଗି ସେ ଅନ୍ତ୍ୟୋଦୟରୁ ସର୍ବୋଦୟ ଦର୍ଶନ ସୃଷ୍ଟି କରିଯାଇଛନ୍ତି।
ପାରସ୍ପରିକ ବୁଝାମଣାର ଅଭାବ, ଅହଙ୍କାର, ଗର୍ବ ଓ ଅନ୍ୟ ଉପରେ ଆଧିପତ୍ୟ ଜାହିର କରିବାର ପ୍ରବୃତ୍ତି ଯୋଗୁ ବ୍ୟକ୍ତି ଓ ରାଷ୍ଟ୍ର ଜୀବନର ନିରାପତ୍ତା କ୍ଷୁଣ୍ଣ ହେଉଛି ଏବଂ ଏଥିଯୋଗୁଁ ବିଭିନ୍ନ ଦେଶର ପ୍ରତିରକ୍ଷା ବାବଦ ବ୍ୟୟ ବଢ଼ୁଛି ବୋଲି ଗାନ୍ଧୀ ବିଚାରୁ ଥିଲେ। ଏହି ଅର୍ଥକୁ ମାନବ ସମାଜର ବିକାଶ ପାଇଁ ବ୍ୟୟ କରାଯିବା ଉଚିତ ବୋଲି ଗୁରୁତ୍ବ ଆରୋପ କରୁଥିଲେ।
ଗାନ୍ଧୀ କହୁଥିଲେ ଯେ ସତ୍ ଉପାୟରେ ଧନ ଅର୍ଜନ କରିବା କିଛି ଖରାପ କାମ ନୁହେଁ, କିନ୍ତୁ ଯେଉଁମାନଙ୍କ ନିକଟରେ ଅଧିକ ଧନ ଠୁଳ ହୋଇ ରହିଛି ସେମାନେ ଅପେକ୍ଷାକୃତ ଦୁର୍ବଳ ଲୋକମାନଙ୍କୁ କିପରି ଉପରକୁ ଉଠାଇପାରିବେ, ସେ ଦିଗରେ ଅଧିକ ଦୃଷ୍ଟି ଦେବା ଉଚିତ। ଏଥି ଲାଗି ଗାନ୍ଧୀଜୀ ‘ଟ୍ରଷ୍ଟିସିପ୍’ରେ ନୂଆ ଦିଗ୍ଦର୍ଶନ ଦେଇଛନ୍ତି।
ଉପଭୋକ୍ତାବାଦୀ ବ୍ୟବସ୍ଥାରେ ବିଜ୍ଞାପନର ପ୍ରହେଳିକା ସୃଷ୍ଟି କରି ମଣିଷକୁ ବ୍ୟାପକ ଶୋଷଣ କରାଯାଉଛି। ଏହାଦ୍ୱାରା କେବଳ ଆର୍ଥିକ କ୍ଷେତ୍ରରେ ନୁହେଁ, ସାମାଜିକ କ୍ଷେତ୍ରରେ ମଧ୍ୟ ବ୍ୟାପକ ବୈଷମ୍ୟ ପରିଲକ୍ଷିତ ହେଉଛି। ସମ୍ବଳର ଅଧିକାରୀମାନେ ଯଦି ନୈତିକତାର ପରିଚୟ ଦେଇ ସମ୍ବଳହୀନମାନଙ୍କୁ ସହାୟତାର ହାତ ବଢ଼ାଇବେ, ତେବେ ଏହି ବୈଷମ୍ୟ ହ୍ରାସ ହେବ ବୋଲି ଗାନ୍ଧୀଜୀ କହୁଥିଲେ।
ଗାନ୍ଧୀ ବିଚାରର ଅର୍ଥ ବ୍ୟବସ୍ଥାରେ ସ୍ୱାବଲମ୍ବନ, ସ୍ୱାଭିମାନ ଓ ସ୍ୱଦେଶୀକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏ ପ୍ରସଙ୍ଗରେ ବ୍ୟବସ୍ଥାର ବିକେନ୍ଦ୍ରୀକରଣ କରି ଭାରତର ପ୍ରତି ଗାଁକୁ ଗୋଟିଏ ଗୋଟିଏ ସମୃଦ୍ଧ ରିପବ୍ଲିକ୍ରେ ରୂପାନ୍ତରିତ କରିବା ଲାଗି ଗାନ୍ଧୀଜୀ ଯେଉଁ ଗ୍ରାମସ୍ୱରାଜର ପରିକଳ୍ପନା କରିଥିଲେ, ତାହାର ସଫଳ ପ୍ରୟୋଗ କରାଗଲେ ବିଶ୍ୱର ସଂଖ୍ୟାଧିକ ରାଷ୍ଟ୍ରରେ ବ୍ୟାପକ ଆର୍ଥିକ ସମୃଦ୍ଧି ସହିତ ଯୁଗାନ୍ତକାରୀ ନୈତିକ, ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଉନ୍ନତି ଆସି ସାରନ୍ତାଣି।
କେବଳ ପ୍ରଫେସର ରସ୍ ନୁହନ୍ତି, ଦେଶ ବିଦେଶର ବହୁ ଅର୍ଥନୀତିଜ୍ଞ ଗାନ୍ଧୀଜୀଙ୍କ ପ୍ରଦର୍ଶିତ ଆର୍ଥିକ ଓ ଅନ୍ୟାନ୍ୟ ବିଚାର ଉପରେ ମତ ରଖିଛନ୍ତି। ସେ ବିଭିନ୍ନ କ୍ଷେତ୍ରରେ ଯେତେସବୁ ବିଚାର ଛାଡ଼ିଯାଇଛନ୍ତି; ସେଗୁଡ଼ିକୁ ପୃଥକ୍ ପୃଥକ୍ ଭାବେ ନୁହେଁ, ପରସ୍ପରର ଅନୁପୂରକ ଓ ପରିପୂରକ ଭାବେ ଗ୍ରହଣ କରି ଯଦି ବିଶ୍ୱ ନେତୃମଣ୍ଡଳୀ ତଳ ସ୍ତରରୁ କାର୍ଯ୍ୟ ଆରମ୍ଭ କରନ୍ତେ ତେବେ ବହୁ ସମସ୍ୟାର ସରଳ ସମାଧାନ ହୋଇପାରନ୍ତା।
ଏବେ କରୋନା ମହାମାରୀ ବିଶ୍ୱର ଆର୍ଥିକ ବ୍ୟବସ୍ଥାକୁ ଶକ୍ତ ଧକ୍କା ଦେଇଛି। ଏଭଳି ସ୍ଥିତିରେ ଗାନ୍ଧୀଜୀଙ୍କ ବିଚାରର ସଂସ୍କାରିତ ପ୍ରୟୋଗ ଏଭଳି ଦୁର୍ଗତିକୁ ସୁଧାରିବାରେ ସହାୟକ ହୋଇପାରିବ।
ମୋ- ୯୪୩୭୦୧୭୩୯୫
[email protected]