ପ୍ରାୟ ଏକ ମାସର ବ୍ୟବଧାନରେ ପୁନିତ ରାଜକୁମାର ଓ ସିଦ୍ଧାର୍ଥ ଶୁକ୍ଳାଙ୍କ ଭଳି ଦୁଇଜଣ ଅତ୍ୟନ୍ତ ସ୍ବାସ୍ଥ୍ୟ ସଚେତନ ଓ ସ୍ବାସ୍ଥ୍ୟବାନ୍ ଯୁବ ଅଭିନେତାଙ୍କ ହୃଦ୍ଘାତରେ ମୃତ୍ୟୁ ପରେ ସ୍ବାଭାବିକ ଭାବେ ଯୁବପିଢ଼ିଙ୍କ ମନରେ ହୃଦ୍ରୋଗକୁ ନେଇ ଭୟ ସୃଷ୍ଟି ହୋଇଛି। ନିୟମିତ ବ୍ୟାୟାମ ଓ ଖାଦ୍ୟପେୟ ଉପରେ ଧ୍ୟାନ ଦେଉଥିବା ଯୁବକମାନଙ୍କର ହଠାତ୍ ହୃଦ୍ଘାତରେ ମୃତ୍ୟୁ ଘଟିବା ରହସ୍ୟଜନକ ମନେ ହୁଏ।
ତେବେ ଗବେଷଣାରୁ ମିଳିଥିବା ତଥ୍ୟ ଅନୁଯାୟୀ କମ୍ ବୟସରୁ ହୃଦ୍ରୋଗ ହେବା ପଛରେ କେତେକ ନିର୍ଦ୍ଦିଷ୍ଟ କାରଣ ରହିଛି। ହୃଦ୍ରୋଗର ଦୁଇଟି ମୁଖ୍ୟ କାରକ ହେଉଛନ୍ତି ବଂଶାନୁକ୍ରମିକ ଜିନ୍ ଓ ବିଭିନ୍ନ ପରିବେଶଗତ କାରଣ। ଆଧୁନିକ ଜୀବନଶୈଳୀରେ ଦୀର୍ଘ ସମୟ ଧରି ଚାପରେ କାର୍ଯ୍ୟ କରିବା, କମ୍ ସମୟର ବିଶ୍ରାମ, ବ୍ୟାୟାମ ନ କରିବା, ଧୂମପାନ କରିବା ଆଦି ହୃଦ୍ରୋଗର ଆଶଙ୍କାକୁ ବୃଦ୍ଧି କରିଥାଏ। ସେହିପରି ବ୍ୟସ୍ତତାବହୁଳ ଜୀବନରେ ଅସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଯୋଗୁଁ ପେଟରେ ମେଦ ଜମି ହୃଦ୍ରୋଗକୁ ଆହ୍ବାନ କରେ।
ପଚାଶରୁ କମ୍ ବୟସର ଭାରତୀୟମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଆଜି ଅର୍ଦ୍ଧାଧିକ ହୃଦ୍ଘାତ ୫୫ ବର୍ଷ ବୟସ ପୂର୍ବରୁ ଏବଂ ଏକ ଚତୁର୍ଥାଂଶ ହୃଦ୍ଘାତ ୪୦ ବର୍ଷ ବୟସ ପୂର୍ବରୁ ହେଉଛି। ପାଶ୍ଚାତ୍ୟ ଦେଶର ଲୋକଙ୍କ ତୁଳନାରେ ଭାରତୀୟମାେନ ଏକ ଦଶନ୍ଧି ପୂର୍ବରୁ ହୃଦ୍ରୋଗରେ ଆକ୍ରାନ୍ତ ହେଉଛନ୍ତି। ସମଗ୍ର ବିଶ୍ବରେ ହୃଦ୍ରୋଗରେ ମୃତ୍ୟୁବରଣ କରୁଥିବା ପ୍ରତି ପାଞ୍ଚ ଜଣରେ ଜଣେ ହେଉଛି ଭାରତୀୟ।
ତେଣୁ ମୂଳ କଥା ହେଉଛି ହୃତ୍ପିଣ୍ଡର ଅବସ୍ଥା ନେଇ ସତର୍କ ରହିବା। ଯୁବାବସ୍ଥାରେ ହୃଦ୍ରୋଗର ଆଶଙ୍କା ଦୂର କରିବାକୁ ହେଲେ କମ୍ ବୟସରୁ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ସନ୍ତୁଳିତ ଆହାର, ସରଳ ଜୀବନଶୈଳୀ ଓ ନିୟମିତ ଶାରୀରିକ କାର୍ଯ୍ୟକଳାପ ଉପରେ ଗୁରୁତ୍ବ ଦେବା ଜରୁରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରିଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/heart.jpg)