ସେମାନେ କ’ଣ ଅଲୋଡ଼ା?

ସମରେନ୍ଦ୍ର ମହାନ୍ତି

ଯେଉଁ ବ୍ୟକ୍ତି କୋଡ଼ିଏ କିମ୍ବା ବାଇଶ ବର୍ଷରୁ ଚାକିରିଟିଏ ଆରମ୍ଭ କରି ଷାଠିଏ ବର୍ଷ ବୟସରେ ଅବସର ଗ୍ରହଣ କରନ୍ତି, ତାଙ୍କର ଅଭିଜ୍ଞତା ପାଇଁ ଆମେ ତାଙ୍କୁ ସମ୍ମାନ ଦେବା ଉଚିତ। କାରଣ ଦୀର୍ଘ ସମୟର ଅନୁଭୂତି ତାଙ୍କୁ କାର୍ଯ୍ୟ ସଂପାଦନରେ ଯେଉଁ ବିଶେଷ ବୁଦ୍ଧି ଓ ପ୍ରଜ୍ଞା ଦେଇଥାଏ, ତାହା ଜଣେ ତରୁଣ ପାଖରେ ମିଳିବା ଅସମ୍ଭବ। ତେଣୁ କର୍ମ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ତାଙ୍କ ଅବସର ପରେ ମଧ୍ୟ ସରକାର କାର୍ଯ୍ୟକ୍ଷମ କରି ରଖିବା ଉଚିତ। ବେସରକାରୀ କ୍ଷେତ୍ରରେ ଏବେ ଏହା ପ୍ରାୟ ଦେଖିବାକୁ ମିଳୁଛି।

ଜଣେ ଚାଷୀ ଅବସର ନିଅନ୍ତି ନାହିଁ। ଯେ ପର୍ଯ୍ୟନ୍ତ ସେ କାର୍ଯ୍ୟଶୀଳ ଥାଆନ୍ତି, ସେ ପର୍ଯ୍ୟନ୍ତ ସେ କାର୍ଯ୍ୟ କରନ୍ତିି ଏବଂ ଏକ ସ୍ବାଭିମାନ ଭରା ଜୀବନ ଜିଅନ୍ତି। ସେମିତି ବ୍ୟବସାୟ ଏବଂ ଓକିଲାତିରେ ଅବସର ନ ଥାଏ। ଡାକ୍ତରୀ ବା ଶିକ୍ଷକତା ଭଳି ପେସାରେ କାର୍ଯ୍ୟରେ ବିଶ୍ରାମ ନେବା କଥାଟି ବୃତ୍ତିଧାରୀର ଇଚ୍ଛାଧୀନ ହୋଇଥାଏ। ସେମାନେ ସରକାରୀ ଚାକିରି କରିଥିଲେ ଅବସର ନିଅନ୍ତି ସିନା, କିନ୍ତୁ ଇଚ୍ଛା କଲେ ବ୍ୟକ୍ତିଗତ ସ୍ତରରେ ସେହି ପେସାରେ ନିଜକୁ ନିୟୋଜିତ ରଖିପାରନ୍ତି। ତେଣୁ ଆମର ଯେଉଁ ଏକ ଭ୍ରାନ୍ତ ଧାରଣା ରହିଛି ଯେ ଚାକିରି ସରିଗଲା ପରେ ଜଣେ ବ୍ୟକ୍ତି ପରିବାର ବା ସମାଜ ବା ଦେଶ ପାଇଁ ‘ଅଲୋଡ଼ା’ ହୋଇଯାଏ; ତାହା ଠିକ୍ ନୁହେଁ।

ଯୁବ ପିଢ଼ି ମଧ୍ୟ ବୁଝିବା ଦରକାର ଯେ ଏହି ବୟସୋତ୍ତୀର୍ଣ୍ଣ ବ୍ୟକ୍ତିମାନେ ଅଲୋଡ଼ା ନୁହନ୍ତି। ସେମାନେ ପରିବାର ବା ସମାଜ ବା ରାଷ୍ଟ୍ର ଲାଗି କେତେ ଉପକାର କରିଛନ୍ତି ତାହା ହୃଦୟଙ୍ଗମ କରାଯିବା ଉଚିତ ଏବଂ ଏହି ବରିଷ୍ଠମାନଙ୍କ ଋଣ ଶୁଝିବା ପାଇଁ ପରବର୍ତ୍ତୀ ପିଢ଼ି ଆଗଭର ହେବା ଦରକାର।

ସାଧାରଣତଃ ପୁରୁଷମାନେ ପରିବାର ଚଳାଇବା ଲାଗି ଅର୍ଥ ଉପାର୍ଜନ କରନ୍ତି ଏବଂ ସେଥି ଲାଗି କର୍ମ ସଂସ୍ଥାନ ବାଛି ପରିଶ୍ରମ କରନ୍ତି। କାର୍ଯ୍ୟ କ୍ଷେତ୍ରରେ ସେମାନେ ଅନେକ ଝଡ଼ଝଂଜାର ସାମନା ମଧ୍ୟ କରନ୍ତି, ଅଥଚ ଧୈର୍ଯ୍ୟର ପରିଚୟ ଦେଇ ଘର ଓ ପରିବାର ଲାଗି ଦାୟିତ୍ବ ମଧ୍ୟ ନିର୍ବାହ କରନ୍ତି। ଅଫିସ୍‌ରୁ ଘରକୁ ଫେରି ପିଲାମାନଙ୍କୁ ପାଠ ପଢ଼ାଉଥିବା ବା ପରିବାରର ବିଭିନ୍ନ ଦୈନନ୍ଦିନ ଆବଶ୍ୟକତା ପୂରଣ ଲାଗି ଦୋକାନ ଦୌଡୁଥିବା ବା ଦେହ ଖରାପ ହେଲେ ଡାକ୍ତରଖାନା ବା କ୍ଲିନିକ୍‌କୁ ନେଉଥିବା ବାପା (କର୍ମ କ୍ଷେତ୍ରରେ ନିୟୋଜିତ ମା’ମାନେ ମଧ୍ୟ)ମାନେ କ୍ରମେ ବୃଦ୍ଧ ହୋଇ ଅବସର ନିଅନ୍ତି। ସେ‌ତିକି ବେଳକୁ ପିଲାଏ ବଡ଼ ହୋଇ ସାରିଥାଆନ୍ତି। ହୁଏ’ତ ସେମାନଙ୍କୁ ଆଉ ବାପାଙ୍କ ସାହାଯ୍ୟ ଦରକାର ପଡ଼େନାହିଁ। କିନ୍ତୁ ଠିକ ସେତିକି ବେଳେ ଯେଉଁ ସନ୍ତାନ ନିଜ ପିଲାଦିନର କଥାକୁ ହେଜି ବାପା ବା ମା’ଙ୍କୁୁ ସମ୍ମାନ ଦିଏ, ତାଙ୍କ କଥା ବୁଝେ, ସେ ହିଁ ଋଣ ଶୁଝେ ଏବଂ ଗତାୟୁମାନଙ୍କ ଅଲୋଡ଼ା ପଣକୁ ଦୂର କରିଥାଏ। କିନ୍ତୁ ବିଡ଼ମ୍ବନା ସେଭଳି ଆଭିମୁଖ୍ୟ ଏବେ ବିରଳ।

ଅବଶ୍ୟ ଆଜିକାଲି ମୁଷ୍ଟିମେୟ ଯୁବ ଦଂପତି ସେମାନଙ୍କ ବାପା-ମାଆ/ ଶାଶୂ ଶ୍ବଶୁରଙ୍କ ସହ ସହରମାନଙ୍କରେ ରହୁଛନ୍ତି। କିନ୍ତୁ ଅଧିକାଂଶ ସେଭଳି ଏକତ୍ର ରହିବାକୁ ପସନ୍ଦ କରି ନ ଥାଆନ୍ତି; କାରଣ ସେମାନଙ୍କ ମନରେ ଭୟ ଆସେ ଯେ ଉତ୍ତର ପିଢ଼ିର ବ୍ୟକ୍ତିମାନଙ୍କ ସହିତ ସେମାନଙ୍କ ମନ ମେଳ ଖାଇ ନ ପାରେ, ପରସ୍ପର ଭିତରେ ଧାରଣାଗତ ସଂଘାତ ଉପୁଜି ପାରେ ବା ଏହି ବୟସ୍କମାନଙ୍କ ଉପସ୍ଥିତି ଯୁବ ଦଂପତିଙ୍କ ମୁକ୍ତ ଜୀବନ ଧାରାରେ ବ୍ୟାଘାତ ସୃଷ୍ଟି କରିପାରେ। କିନ୍ତୁ ଯେଉଁ ଯୁବ ଦଂପତି ପରିବାରର ଉତ୍ତର ପିଢ଼ିର ସଦସ୍ୟଙ୍କ ଅଭିଜ୍ଞତାକୁ ଗୁରୁତ୍ବ ଦିଅନ୍ତି, ସେମାନେ ବିଭିନ୍ନ ସଂକଟ କାଳରେ ସେମାନଙ୍କ ପରାମର୍ଶ ବଳରେ ଅନେକ ସମସ୍ୟାର ସମାଧାନ କରିପାରନ୍ତି। ଏହାର ସବୁଠାରୁ ସହଜ ଉଦାହରଣ ହେଲା ଜନ୍ମ କଲା ପରେ ଛୁଆକୁ ବଢ଼ାଇବା ବେଳେ ଛୁଆର ଜେଜେ ବା ଜେଜେ ମା’ ବା ଅଜା-ଆଈମାନଙ୍କ ଅଭିଜ୍ଞତାପ୍ରସୂତ ପରାମର୍ଶ ଅତି ମୂଳ୍ୟବାନ ସାବ୍ୟସ୍ତ ହୋଇଥାଏ। ଏଭଳି ସ୍ଥିତିରେ ପରିବାରରେ ବୃଦ୍ଧମାନେ ଅଲୋଡ଼ା ବୋଲି ମନେକରନ୍ତି ନାହିଁ।

ମୁଖ୍ୟତଃ ଚାକିରିଆମାନେ ସେମାନଙ୍କ ଅବସର ପରେ ନିଜକୁ ହଠାତ୍‌ ଅକର୍ମଣ୍ୟ ବୋଲି ବିଚାର କରନ୍ତି। ଅନେକ ଲୋକ କର୍ମ କ୍ଷେତ୍ରରେ ଏମିତି ବ୍ୟସ୍ତ ରହିଥାଆନ୍ତି ଯେ ନିଜର ପସନ୍ଦ ମୁତାବକ କାର୍ଯ୍ୟ କରିବା ଉପରେ ଗୁରୁତ୍ବ ଦେଇ ନ ଥାଆନ୍ତି। ଅବସର ପରେ ସେଭଳି କାର୍ଯ୍ୟ କରିବା ଲାଗି ପ୍ରଚୁର ସମୟ ମିଳେ। ତେଣୁ, ଯେଉଁମାନେ ଅବସର ପରେ ଯଥେଷ୍ଟ ପେନ୍‌ସନ ପାଆନ୍ତି, ସେମାନେ ଏଭଳି କାମରେ ନିଜକୁ ନିୟୋଜିତ କରି ନିଜ ଲାଗି ଆନନ୍ଦ ସୃ‌ଷ୍ଟି କରିବା ଉଚିତ। ଆଉ ଯେଉଁମାନେ ପେନ୍‌ସନ ପାଆନ୍ତି ନାହିଁ, ସେମାନେ ପସନ୍ଦ ମୁତାବକ ଯେ କୌଣସି ବ୍ୟବସାୟ ବା ଅନ୍ୟ କୌଣସି ବୃତ୍ତି ଗ୍ରହଣ କରି ଉପାର୍ଜନ ଜାରି ରଖିବା ଦରକାର। ତାହା ହେଲେ ସେମାନଙ୍କ ମନରୁ ଅଲୋଡ଼ା ପଡ଼ିଯାଇଥିବା ଭଳି ଧାରଣା ଦୂର ହେବ।

ପରିଶେଷରେ ଏତିକି କୁହାଯାଇପାରେ ଯେ କୌଣସି ବୃଦ୍ଧ ବା ବୃଦ୍ଧା ଅଲୋଡ଼ା ନୁହନ୍ତି। ଏହା କେବଳ ସେମାନଙ୍କ ମନର ଏକ ଭାବନା। ଯେଉଁମାନେ ନିଜ ପରିବାର ଦ୍ବାରା ଉପେକ୍ଷିତ ହେଉଛନ୍ତି, ସେମାନେ ମଧ୍ୟ ଏଭଳି ଭାବିବା ଅନୁଚିତ। ସେମାନେ ନିଜ ଚେଷ୍ଟାରେ ନିଜକୁ ସମର୍ଥ କରି ପ୍ରମାଣ କରି ଦେଇପାରିବେ‌ ଯେ ସେମାନେ ଆଦୌ ଅଦରକାରୀ ନୁହନ୍ତି।

ଅବସରପ୍ରାପ୍ତ ପ୍ରଫେସର
ସମାଜ ବିଜ୍ଞାନ ବିଭାଗ, ସମ୍ବଲପୁର ବିଶ୍ବବିଦ୍ୟାଳୟ

ସମ୍ବନ୍ଧିତ ଖବର