ପ୍ରେସ୍‌ ସ୍ୱାଧୀନତା ଓ ହର୍ଣ୍ଣିମାନ୍‌

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

୧୯୯୫ ମସିହାରେ ଯେତେବେଳେ ବମ୍ବେ ମୁମ୍ବାଇ ନାମରେ ପୁନର୍ନାମିତ ହେଲା, ସେତେବେଳ ଠାରୁ ସହରର ବିଭିନ୍ନ କୋଠାବାଡ଼ି, ରାସ୍ତାଘାଟ, ଉଦ୍ୟାନ ଓ ରେଳଷ୍ଟେସନ ଆଦିର ନାମ ପରିବର୍ତ୍ତନର ଧାରା ଚାଲୁ ରହିଲା। ତେବେ ଇତିହାସର ଅଳିଆ ଡବା ଭିତରକୁ ଫିଙ୍ଗାଯିବାର ଦୁର୍ଭାଗ୍ୟରୁ ଅଳ୍ପ କିଛି ବିଦେଶୀ ବର୍ତ୍ତି ଯାଇଥଲେ। ସେମାନଙ୍କ ମଧ୍ୟରେ ଆନି ବେଶାନ୍ତ ରହିଛନ୍ତି, ଯାହାଙ୍କ ନାମରେ କେନ୍ଦ୍ରୀୟ ମୁମ୍ବାଇରେ ଏକ ପ୍ରମୁଖ ମାର୍ଗ ରହିଛି। ତାଙ୍କ ବ୍ୟତୀତ ସହରର ଦକ୍ଷିଣ ଭାଗରେ ପୁରାତନ କୋଠା ପରିବେଷ୍ଟିତ ବୃକ୍ଷରାଜି ଭରା ଏକ ଆକର୍ଷଣୀୟ ଉଦ୍ୟାନର ନାମ ଭାବେ ବି.ଜି. ହର୍ଣ୍ଣିମାନ୍‌ ମଧ୍ୟ ବଞ୍ଚି ରହିଛନ୍ତି। କିନ୍ତୁ ମୋର ମନେହୁଏ ଯେ ଆଜିକାଲିର ମୁମ୍ବାଇ ବା ଭାରତରେ ବେଶାନ୍ତଙ୍କ ଅପେକ୍ଷା ହର୍ଣ୍ଣିମାନ୍‌ଙ୍କ ନାମର ଅଧିକ ଗୁରୁତ୍ବ ରହିଛି। ମଦନ ମୋହନ ମାଲବ୍ୟଙ୍କ ସହ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ବା ବାଲ ଗଙ୍ଗାଧର ତିଳକଙ୍କ ସହ ଭାରତୀୟ ସ୍ବରାଜ ଆନ୍ଦୋଳନ (ହୋମ୍‌ ରୁଲ୍‌ ମୁଭ୍‌ମେଣ୍ଟ୍‌)ର ଭଗୀରଥ ଅଥବା ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ମହିଳା ସଭାପତି ଭାବେ ଆନି ବେଶାନ୍ତ ବିଭିନ୍ନ ବିଦ୍ୟାଳୟ ପାଠ୍ୟପୁସ୍ତକ ଓ ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତରୀରେ ସ୍ଥାନ ପାଇଛନ୍ତି। ସେହି ଦୃଷ୍ଟିରୁ ମୁମ୍ବାଇର ହର୍ଣ୍ଣିମାନ୍‌ ସର୍କଲ୍‌ ଗାର୍ଡେନ୍‌ର ହର୍ଣ୍ଣିମାନ୍‌ ଖୁବ୍‌ କମ୍ ପରିଚିତ, ଯଦିଓ ସେ ଆମ ସମୟ ପାଇଁ ଅଧିକ ପ୍ରାସଙ୍ଗିକ।

୧୯୧୩ ମସିହାରେ ଦଳେ ଭାରତୀୟ ଉଦାରବାଦୀ ‘ବମ୍ବେ କ୍ରୋନିକ୍‌ଲ’ ନାମରେ ଏକ ଖବରକାଗଜ ବାହାର କରିଥିଲେ, ଯାହାକୁ ସେମାନେ ତତ୍କାଳୀନ ସରକାର ସପକ୍ଷବାଦୀ ‘ଟାଇମ୍‌ସ ଅଫ୍‌ ଇଣ୍ଡିଆ’ର ରାଷ୍ଟ୍ରବାଦୀ ବିକଳ୍ପ ଭାବେ ଦର୍ଶାଇଥିଲେ। ସେତେବେଳେ କଲିକତାରେ ‘ଦି ଷ୍ଟେଟ୍‌ସମ୍ୟାନ୍‌’ର ଜଣେ ସହ-ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ବି.ଜି. ହର୍ଣ୍ଣିମାନ୍‌ କ୍ରୋନିକ୍‌ଲର ପ୍ରଥମ ସମ୍ପାଦକ ରୂପେ ବମ୍ବେରେ ରହିଲେ। ବର୍ଣ୍ଣବାଦର ବିଦ୍ବେଷକୁ ସେ ଅନାୟାସରେ ଲଂଘି ଏଠାକୁ ଆସିଥିଲେ। ବଙ୍ଗଳା ବିଭାଜନ ଉଦ୍ୟମକୁ ଭଣ୍ଡୁର କରିବା ପାଇଁ ସେତେବେ‌େଳେ ଏକ ଆନ୍ଦୋଳନ ଆତ୍ମପ୍ରକାଶ କରିଥିଲା, ଯାହା ସହିତ ହର୍ଣ୍ଣିମାନ୍‌ ନିଜକୁ ସଂଶ୍ଳିଷ୍ଟ କରି ଦେଇଥିଲେ। ବିଷଣ୍ଣ ବଙ୍ଗାଳୀମାନଙ୍କ ସହ ଏକାତ୍ମ ହୋଇ ସେ ଧଳା ଧୋତି, କୁର୍ତ୍ତା ଓ ଚାଦର ପରିଧାନ କରି ଜଣେ ଭାରତୀୟ ଦେଶପ୍ରେମୀ ଭଳି ଖାଲି ପାଦରେ କଲିକତାର ରାଜରାସ୍ତାରେ ବିଚରଣ କରୁଥିଲେ।

ବମ୍ବେ କ୍ରୋନିକ୍‌ଲର ଦାୟିତ୍ବ ନେବାର ଦୁଇ ବର୍ଷ ପରେ ଦେଶର ମନମୁଖୀ ଆଇନ ଓ ପ୍ରଶାସନ ଠାରୁ ପ୍ରେସ୍‌କୁ ସୁରକ୍ଷା ଦେବା ଏବଂ ତାହାର ସ୍ବାଧୀନତାର ପରିସରକୁ ବ୍ୟବସ୍ଥାପିକା ଦ୍ବାରା ଅତିକ୍ରମଣର ଉଦ୍ୟମକୁ ପଣ୍ଡ କରିବା ପାଇଁ ସେ କାର୍ଯ୍ୟରତ ସାମ୍ବାଦିକମାନଙ୍କର ଏକ ସଂଘ ଗଢ଼ିଥିଲେ, ଯାହାର ନାମ ଥିଲା ‘ଭାରତୀୟ ପ୍ରେସ୍‌ ସଂଘ’। ଭାରତରେ କାର୍ଯ୍ୟରତ ସାମ୍ବାଦିକମାନଙ୍କର ପ୍ରଥମ ସଂଘର ସଭାପତି ଭାବରେ ହର୍ଣ୍ଣିମାନ୍‌ ପ୍ରେସ୍‌ ସ୍ବାଧୀନତା ପାଇଁ ଅନେକ ସଂଘର୍ଷ କରିଥିଲେ। ଏପରିକି ସରକାରଙ୍କ ଦ୍ବାରା ପ୍ରେସ୍‌ ଆଇନର ଅପବ୍ୟବହାର ସମ୍ପର୍କରେ ସେ ଅନେକ ଅଭିଯୋଗ ପତ୍ର ଭାଇସ୍‌ରୟ ଓ ରାଜ୍ୟପାଳଙ୍କ ପାଖକୁ ପଠାଇଥିଲେ। ପ୍ରଥମ ବିଶ୍ବଯୁଦ୍ଧର ଆଳ ଦେଖାଇ ବ୍ରିଟିସ୍‌ ସରକାର ରାଜନୈତିକ ବିରୋଧୀମାନଙ୍କୁ ବନ୍ଦୀ କରି ରଖିଥିଲେ। ଏହା ହର୍ଣ୍ଣିମାନ୍‌ଙ୍କୁ ଲେଖିବା ପାଇଁ ବାଧ୍ୟ କରିଥିଲା ଯେ ‘ଯେଉଁଠି ସରକାର ଏଭଳି ଏକ ସ୍ଥିତିରେ ପହଞ୍ଚେ ଯେ ନିଜର ସୁରକ୍ଷା ପାଇଁ ତାକୁ ବିରୋଧୀମାନଙ୍କୁ ବିନା ବିଚାରରେ କାରାରୁଦ୍ଧ କରି ରଖିବାକୁ ପଡ଼େ ଏବଂ ଲେଖିବା ଓ କହିବାର ସ୍ବାଧୀନତାର କଣ୍ଠରୋଧ କରିବାକୁ ଉଦ୍ୟତ ହୁଏ; ସେତିକି ବେଳେ ବୁଝି ହେବା ଦରକାର ଯେ ସରକାର ଦେବାଳିଆ ଓ ଅନ୍ତଃସାରଶୂନ୍ୟ ହୋଇ ସାରିଛି, ଯାହାର ସମ୍ୟକ ସଂସ୍କାର ଜରୁରୀ।’

ଇଂରେଜୀରେ ପ୍ରକାଶିତ ହେଉଥିଲେ ହେଁ କ୍ରୋନିକ୍‌ଲ ସେହି ଭାଷାକୁ ପଢ଼ି ପାରୁ ନ ଥିବା କି ବୁଝି ପାରୁ ନ ଥିବା ଅଧସ୍ତନମାନଙ୍କର ପକ୍ଷ ନେଉଥିଲା। ତେଣୁ ଇତିହାସକାର ସନ୍ଦୀପ ହଜାରୀ ସିଂହ ଲେଖିଥିଲେ ଯେ, ଶ୍ରମିକ ଓ ସହରୀ ଗରିବମାନଙ୍କୁ ଅନ୍ତର୍ଭୁକ୍ତ କରି ହର୍ଣ୍ଣିମାନ୍‌ଙ୍କ ଖବରକାଗଜ ସହରର ପ୍ରଚଳିତ ସମାଜତତ୍ତ୍ବକୁ ସଂଶୋଧନ କରିଥିଲା। ଯୁଦ୍ଧ ସମୟରେ ଦର ବୃଦ୍ଧି ଓ ସାମଗ୍ରୀର ଅଭାବ ସହ ଯୁଝି ହେଉଥିବା କାରଖାନା ଶ୍ରମିକ, ଶ୍ରମଜୀବୀ, ରେଳବାଇ କର୍ମଚାରୀଙ୍କ ସମେତ ସରକାରୀ ସଂସ୍ଥା, ପୌର ପରିଷଦ ଓ ଘରୋଇ କାର୍ଯ୍ୟାଳୟମାନଙ୍କରେ ନିୟୋଜିତ ସ୍ବଳ୍ପ ବେତନଭୋଗୀ କିରାଣିଙ୍କ ପରି ବିଭିନ୍ନ ବର୍ଗର କର୍ମଜୀବୀମାନଙ୍କ ସମସ୍ୟାକୁ ଏହା ବାରମ୍ବାର ଗୁରୁତ୍ବ ଦେଇ ଆସିଥିଲା।

ଭାରତୀୟମାନଙ୍କ ହିତ ପ୍ରତି ଆଦୌ ସ୍ପୃହା ନ ଥିବା ଏବଂ ଏଠାରେ କେବଳ ମୁନାଫା କମାଇ ନିଜ ଦେଶକୁ ସମ୍ପତ୍ତି ବୋହି ନେବା ପାଇଁ ବ୍ୟସ୍ତ ଥିବା ବ୍ରିଟିସ୍‌ ଦୋକାନୀ ଓ ବେପାରୀମାନଙ୍କୁ ହର୍ଣ୍ଣିମାନ୍‌ ତାଙ୍କ ସମ୍ପାଦକୀୟରେ ଖୁବ୍‌ ତିରସ୍କାର କରି ଚାଲିଥିଲେ। ୧୯୧୮ରେ ଗୁଜରାଟର ଖେଡ଼ା ଜିଲ୍ଲାରେ ଦେଖା ଦେଇଥିବା ଚାଷୀ ଆନ୍ଦୋଳନକୁ ସେ ଦୃଢ଼ ସମର୍ଥନ ପ୍ରଦାନ କରିଥିଲେ ଓ ଏକ ଘୃଣ୍ୟ ଏବଂ ଅଲିଖିତ ଚୁକ୍ତି ମାଧ୍ୟମରେ ଫିଜି ଓ କାରବୀୟ ଦେଶର ଖେତରେ ଭାରତୀୟମାନଙ୍କୁ ଖଟା ଯାଉଥିବା ବିରୋଧରେ ସେ ତୀବ୍ର ସ୍ବର ଉତ୍ତୋଳନ କରିଥିଲେ।

୧୯୧୯ ଏପ୍ରିଲ ପ୍ରଥମ ସପ୍ତାହରେ ରାଓଲାଟ୍‌ ଆଇନ ବିରୋଧରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ ଚାଲିଥିବା ପ୍ରତିବାଦ ବିକ୍ଷୋଭରେ ହର୍ଣ୍ଣିମାନ୍‌ ଯୋଗ ଦେଇଥିଲେ। ସେହି ମାସରେ ତାଙ୍କ ଖବରକାଗଜରେ ଜାଲିଆନାଵାଲାବାଗ ଗଣହତ୍ୟା ଓ ପଞ୍ଜାବରେ ଚାଲିଥିବା ଦମନ ସମ୍ପର୍କରେ ମର୍ମଭେଦୀ ଖବର ସବୁ ପ୍ରକାଶ ପାଇଥିଲା। ଏହା ବମ୍ବେ ସରକାରଙ୍କୁ କ୍ଷୁବ୍‌ଧ କରିଥିଲା ଏବଂ ହର୍ଣ୍ଣିମାନ୍‌ଙ୍କୁ ଜବରଦସ୍ତ ଏକ ଜାହାଜରେ ଇଂଲାଣ୍ଡ ପଠାଇ ଦିଆଯାଇଥିଲା। ତେବେ ଏଭଳି ଦେଶାନ୍ତରଣ ପଛରେ ଗୋଟିଏ ଶ୍ରେଣୀ ଏବଂ ଜାତିର ଫାଇଦା ଥିଲା ବୋଲି ଏକ ଗୁଜରାଟୀ ଖବରକାଗଜ ସେତେବେଳେ ଲେଖିଥିଲା। ଅମଲାତନ୍ତ୍ରର ନିକଟତର ଥିବା ସ୍ବାର୍ଥପର ଇଂରେଜୀ-ଭାରତୀୟ ବ୍ୟବସାୟୀମାନଙ୍କ ମଧ୍ୟରେ ହର୍ଣ୍ଣିମାନ୍‌ଙ୍କ ନାଁ ଆତଙ୍କ ଖେଳାଇ ଦେଇଥିଲା ବୋଲି ଉକ୍ତ ଖବରକାଗଜ ଲେଖିଥିଲା।

ସମ୍ବାଦପତ୍ରର ଜଣେ ସମ୍ପାଦକଙ୍କ ପ୍ରତି ବ୍ରିଟିସ୍‌ ରାଜ୍‌ର ଏଭଳି ଅସଭ୍ୟ ବ୍ୟବହାର ସମ୍ପର୍କରେ ଗାନ୍ଧୀଜୀ ମଧ୍ୟ ଲେଖିଥିଲେ, ହର୍ଣ୍ଣିମାନ୍‌ ମହାଶୟ ଜଣେ ସାହସୀ ଓ ଉଦାର ଇଂରେଜୀ ବ୍ୟକ୍ତି। ସେ ଆମକୁ ସ୍ବାଧୀନତାର ମନ୍ତ୍ର ଶିଖାଇଛନ୍ତି। ଯେଉଁଠି ତ୍ରୁଟି ଦେଖିଲେ ମଧ୍ୟ ସେ ନିର୍ଭୀକ ଭାବରେ ତାହାକୁ ଲୋକଲୋଚନକୁ ଆଣିଛନ୍ତି ଏବଂ ସେଥିପାଇଁ ସେ ସମ୍ବନ୍ଧିତ ଥିବା ଜାତି ପ୍ରତି ଏକ ଅଳଙ୍କାର ହୋଇ ମହାନ୍‌ ସେବା ପ୍ରଦାନ କରିଛନ୍ତି। ଭାରତ ପ୍ରତି ତାଙ୍କର ସେବା ସମ୍ପର୍କରେ ପ୍ରତ୍ୟେକ ଭାରତବାସୀ ସଚେତନ।

ମୁମ୍ବାଇ ଫେରିବା ପାଇଁ ଅନୁମତି ପାଇବାକୁ ହର୍ଣ୍ଣିମାନ୍‌ ଅନେକ ବର୍ଷ ପାସ୍‌ପୋର୍ଟ ଲାଗି ଆବେଦନ କରି ବିଫଳ ହୋଇଥିଲେ। ତେଣୁ ସେ ଏକ ଜାହାଜରେ ବସି ୧୯୨୬ ଜାନୁଆରିରେ ଭାରତର ଦକ୍ଷିଣ ଉପକୂଳରେ ପହଞ୍ଚିଥିଲେ। ସେ ଏପରି ଭାରତ ଫେରିବା ପରେ ତାଙ୍କୁ ଏଠାରେ ରହିବାକୁ ଅନୁମତି ମିଳିଗଲା ଏବଂ ଜୀବନର ବାକି ସମୟ ତକ ସେ ପୁଣି ଥରେ ‘ବମ୍ବେ କ୍ରୋନିକ୍‌ଲ’, ‘ଇଣ୍ଡିଆନ୍‌ ନାସନାଲ୍‌ ହେରାଲ୍‌ଡ’ ଓ ଶେଷରେ କ୍ରୋନିକ୍‌ଲ ଦ୍ବାରା ପ୍ରକାଶିତ ସାନ୍ଧ୍ୟ ପତ୍ରିକା ‘ବମ୍ବେ ସେଣ୍ଟିନେଲ୍‌’ ଆଦିରେ କାମ କରିଥିଲେ।

ବି.ଜି. ହର୍ଣ୍ଣିମାନ୍‌ଙ୍କ ପାଇଁ ସାମ୍ବାଦିକତା କେବେ ବ୍ୟବସାୟ ନ ଥାଇ ଏକ ଆହ୍ବାନ ଥିଲା। ୧୯୩୨ ସେପ୍ଟେମ୍ବରରେ ବମ୍ବେରେ ଛାତ୍ରମାନଙ୍କୁ ସମ୍ବୋଧନ କରି ସେ କହିଥିଲେ, ‘ଗୋଟିଏ ଖବରକାଗଜ ତା’ର ବିଜ୍ଞାପନ ଲାଗି ବ୍ୟାବସାୟିକ ମନୋବୃତ୍ତିରୁ କିମ୍ବା ସ୍ବାର୍ଥପର ନିଷ୍ପତ୍ତିରୁ ମୁକ୍ତ ରହିଲେ ହିଁ ଏକ ଆଦର୍ଶ ଖବରକାଗଜ ହୋଇପାରିବ।’ ପାଶ୍ଚାତ୍ୟ ଦେଶରେ ଦୈନିକ ଖବରକାଗଜଗୁଡ଼ିକ ବିଜ୍ଞାପନଦାତାଙ୍କ ଅନୁଗ୍ରହକୁ ଅପେକ୍ଷା କରି ରହୁଥିଲେ। ତେବେ ଏଭଳି ବ୍ୟବସ୍ଥା ଭାରତକୁ କେବେ ଆସିବନି ବୋଲି ସେ ଆଶା ପ୍ରକାଶ କରୁଥିଲେ। ଜୀବନରେ ଅଧିକ ଅର୍ଥ ଉପାର୍ଜନ କରିବା ପାଇଁ ଆଗ୍ରହୀ ଥିବା କୌଣସି ବ୍ୟକ୍ତିଙ୍କୁ ସାମ୍ବାଦିକତାରେ ଜୀବନ ଗଢ଼ିବାକୁ କଦାପି ପରାମର୍ଶ ଦେବେନାହିଁ ବୋଲି ହର୍ଣ୍ଣିମାନ୍‌ ଛାତ୍ରମାନଙ୍କୁ କହୁଥିଲେ। ଅପର ପକ୍ଷେ, ଯାହାର ଆଦର୍ଶବୋଧ ରହିଛି, ବିଶେଷ କରି ଭାରତରେ ଯେଉଁ ଯୁବକର ଜାତୀୟ ସ୍ବାର୍ଥ ପାଇଁ ସେବା କରିବାର ମନୋବୃତ୍ତି ରହିଥିବ ସେ ସାମ୍ବାଦିକତା କରନ୍ତୁ ବୋଲି ଦୃଢ଼ ଭାବେ ସୁପାରିସ କରିବେ ବୋଲି ସେ କହିଥିଲେ। କାରଣ ଅନ୍ୟ ଯେ କୌଣସି ମାଧ୍ୟମ ତୁଳନାରେ ଗଣମାଧ୍ୟମ ହିଁ ଦେଶର ହିତକୁ ସୁରକ୍ଷିତ ରଖି ପାରିବ ଏବଂ ଭାରତର ଜାତୀୟ ଉଦ୍ଦେଶ୍ୟ ଆକାଂକ୍ଷିତ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହୋଇପାରିବ।

ଧନୀ ଓ ପ୍ରଭାବଶାଳୀଙ୍କ ବିରୋଧରେ ଯାଇ ହର୍ଣ୍ଣିମାନ୍‌ଙ୍କୁ ଅନେକ ସମୟରେ ଅଦାଲତର କାଠଗଡ଼ାରେ ଛିଡ଼ା ହେବାକୁ ପଡ଼ୁଥିଲା। ବମ୍ବେରେ ଅନେକ ବର୍ଷ ଧରି ଏକ ଖବରକାଗଜର ସମ୍ପାଦନା କରିବା ଭିତରେ ତାଙ୍କ ଲେଖା ଦ୍ବାରା ଅପମାନିତ ହୋଇଥିବା ବ୍ୟକ୍ତିମାନେ ରୁଜୁ କରିଥିବା ଅନେକ ଫୌଜଦାରୀ ଓ ଆପରାଧିକ ମାମଲାକୁ ସେ ସାମନା କରିଥିଲେ। ଅଦାଲତରେ ତାଙ୍କ ପାଇଁ ଲଢୁଥିବା ଜଣେ ଓକିଲ ଏକଦା ଲେଖିଥିଲେ ଯେ, ହର୍ଣ୍ଣିମାନ୍‌ ହେଉଛନ୍ତି ଏହି ଭଳି ଅନ୍ତିମ ବ୍ୟକ୍ତି ଯିଏ କୌଣସି ଗୋଟିଏ ଛୋଟ ‘ଟେକ୍‌ନିକାଲ୍‌’ ବିଚ୍ୟୁତିକୁ ଧରି ଯେ କୌଣସି ସୁଯୋଗ ନ ଥିବା ମାମଲାରୁ ମଧ୍ୟ ଖସି ଯାଇ ପାରୁଥିଲେ। ଏପରିକି ଏଭଳି କୌଣସି ହତାଶାଜନକ ପରିସ୍ଥିତିରେ ତାଙ୍କ ଓକିଲ ଧୈର୍ଯ୍ୟ ହରାଇ ବସୁଥିଲେ ହେଁ ସେ ଦୃଢ଼ତାର ସହ ତା’ର ସମ୍ମୁଖୀନ ହେଉଥିଲେ।

ନିଜକୁ ବ୍ରିଟିସ୍‌ ଶାସନରୁ ମୁକ୍ତ କରିପାରିଥିବା ଦେଶକୁ ଅନେକ ବର୍ଷ ଧରି ସେ ଦେଖିଥିଲେ। ୧୯୪୮ ଅକ୍ଟୋବରରେ ବମ୍ବେ ଠାରେ ତାଙ୍କର ଯେତେବେଳେ ପରଲୋକ ହେଲା, କଲିକତା, ମାଡ୍ରାସ, ନୂଆଦିଲ୍ଲୀ ଓ ଲକ୍ଷ୍ନୌ ଆଦି ସ୍ଥାନରୁ ପ୍ରକାଶିତ ଖବରକାଗଜମାନଙ୍କରେ ତାଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ସବୁ ସ୍ଥାନ ପାଇଥିଲା। ସେ ଚଳି ଆସିଥିବା ସହରରେ ମଧ୍ୟ ‘ବମ୍ବେ ସେଣ୍ଟିନେଲ୍‌’ ଏକ ସ୍ବାକ୍ଷରବିହୀନ ଶ୍ରଦ୍ଧାଞ୍ଜଳି ପ୍ରକାଶ ପାଇଥିଲା, ଯହିଁରେ ‘ନି‌େଷ୍ପଷିତଙ୍କ ପକ୍ଷ ରଖୁଥିବା ତାଙ୍କଠୁ ବଳି ସାହସୀ ମିଳିବା କଷ୍ଟକର ବୋଲି କୁହାଯାଇଥିଲା। ଜଣେ ଯେତେ ଗୁରୁତ୍ବହୀନ ହୋଇଥା’ନ୍ତୁ ନା କାହିଁକି, ଯଦି ସେ କୌଣସି ନ୍ୟାୟସଂଗତ ଅଭିଯୋଗ ଧରି ହର୍ଣ୍ଣିମାନ୍‌ଙ୍କ ପାଖରେ ପହଞ୍ଚୁଥିଲା, ସେ ତାହାକୁ ଧୈର୍ଯ୍ୟର ସହ ଶୁଣୁଥିଲେ। କେବଳ ସେତିକି ନୁହେଁ, ସେ ଯଦି ସଂପୃକ୍ତ ଅଭିଯୋଗର ଯଥାର୍ଥତା ବାବଦରେ ନିଶ୍ଚିତ ହେଉଥିଲେ, ତାହାକୁ ସଫଳକାମ କରିବା ପାଇଁ ଯେତେ ବାଟ ହେଉ ପଛକେ ତାକୁ ଆଗେଇ ନେଉଥିଲେ, ଯେଉଁଥି ପାଇଁ ତାଙ୍କୁ ବିଭିନ୍ନ ନ୍ୟାୟିକ ମାମଲାରେ ଛନ୍ଦି ହେବାକୁ ପଡୁଥିଲା ମଧ୍ୟ। ଏହା ହିଁ ଜଣେ ସମ୍ପାଦକ ହିସାବରେ ହର୍ଣ୍ଣିମାନ୍‌ଙ୍କ ବିରଳ ମହାନତାକୁ ପରିପ୍ରକାଶ କରିଥିଲା। ସାର୍ବଜନୀନ ସ୍ବାର୍ଥର ଅଙ୍ଗୀକାରବଦ୍ଧତା ପାଇଁ ଯେ କୌଣସି ବିପଦର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହର୍ଣ୍ଣିମାନ୍‌ ପରିଣାମ ପ୍ରତି ଆଦୌ ଭ୍ରୂକ୍ଷେପ କରୁନଥିଲେ।’

ଉପରୋକ୍ତ ଶବ୍ଦାବଳୀ ବର୍ତ୍ତମାନ ପାଇଁ ବି ଗତିଶୀଳ ତଥା ପଠନୀୟ ହୋଇ ରହିଛି। ସଂପ୍ରତି ଯେତେବେଳେ ଖବରକାଗଜ ଓ ଟେଲିଭିଜନ୍‌ ଚାନେଲଗୁଡ଼ିକ ନିୟମିତ ଶାସନର ପକ୍ଷ ରଖୁଛନ୍ତି, ସରକାର ମଧ୍ୟ ବିନା ବିଚାରରେ ବନ୍ଦୀ କରିବା ବା ମିଥ୍ୟାର ପ୍ରସାର ଅଥବା ସାମ୍ପ୍ରଦାୟିକ ଧର୍ମାନ୍ଧତା ଉପରେ ଭରସା ରଖୁଛନ୍ତି, ସେତେବେଳେ ସମ୍ବେଦନଶୀଳ ତଥା ବିବେକୀ ଭାରତୀୟ ସାମ୍ବାଦିକମାନେ ହର୍ଣ୍ଣିମାନ୍‌ଙ୍କ ଭଳି ସମ୍ପାଦକଙ୍କ ଠାରୁ ପ୍ରେରଣା ଲାଭ କରିବା ଉଚିତ, ଯାହାଙ୍କ ସମ୍ପର୍କରେ ଗାନ୍ଧୀ କହିଥିଲେ ଯେ ‘ଯେଉଁଠି ଦୋଷତ୍ରୁଟି ଦେଖିଛନ୍ତି ତାହାକୁ ସେ ନିର୍ଭୀକତାର ସହ ଲୋକଲୋଚନକୁ ଆଣିଛନ୍ତି’।

ସମ୍ବନ୍ଧିତ ଖବର