ଜଗନ୍ନାଥ ପୁରୀ

ଚନ୍ଦ୍ରଶେଖର ଦାଶ

ଏବେ ବି ସଡ଼କରେ ପାଦ ରଖିବା ପୂର୍ବରୁ ଜଣେ ଜଣେ ଲୋକ ପ୍ରଥମେ ସେ ସଡ଼କକୁ ଛୁଇଁ ଧୂଳି ମୁଣ୍ଡରେ ଲଗାଉ ଥିବାର ଦେଖିବାକୁ ମିଳେ। ଲୋକଟି ଭାବେ ସେହି ସଡ଼କ ପବିତ୍ର, କାରଣ ସଡ଼କଟି ଯାଇ ତାଙ୍କ ଦାଣ୍ଡ ଦୁଆରକୁ ଛୁଇଁଛି। କାରଣ ସେହି ସଡ଼କର ଧୂଳିରେ ରହିଛି ତାଙ୍କୁ ସ୍ପର୍ଶ କରିବାର ପୁଲକ।

ସେ ସଡ଼କ କେତେ ଅଙ୍କାବଙ୍କା ହୋଇ ତାଙ୍କ ସହରକୁ ଯାଇଛି, କେତେ ଦୂରରୁ ଲମ୍ବିଛି; ସେଥି ନେଇ ଧୂଳି ନେଇ ମୁଣ୍ଡରେ ଲଗାଉଥିବା ବ୍ୟକ୍ତିର କୌଣସି ଯା-ଆସେ ନାହିଁ। ସେ ଲୋକ ଜାଣିଛି ଯେ ଥରେ ସେ ଯେଉଁ ପଥରେ ପାଦ ଥାପିଛି, ସେ ପଥ ଶେଷ ହେବ ମହାପ୍ରଭୁଙ୍କ ସହରରେ, ‘ପୁରୀ’ ନଗରରେ।

‘ପୁରୀ’ର ଆଗ ନାହିଁ କି ପଛ ନାହିଁ। ତାହା କେବଳ ସଡ଼କରେ ପାଦ ଦେଉଥିବା ସେ ପଥିକର ଆରାଧ୍ୟ ଦେବତାଙ୍କ ଘର। ପୁରୀକୁ ଲମ୍ବିଥିବା ରାସ୍ତାରେ ପାଦ ଦେବା ପୂର୍ବରୁ ଧୂଳି ନେଇ ତାଙ୍କୁ ସ୍ମରଣ କରୁ ବା ନ କରୁ, ଏ ପ୍ରଦେଶର ଯେ କୌଣସି ବାସିନ୍ଦା ‘ପୁରୀ’ ନାମ ଶୁଣି ଭ୍ରମିତ ହୋଇନାହିଁ। ଓଡ଼ିଶାବାସୀ ‘ପୁରୀ’ କହିବା ପୂର୍ବରୁ ସେହି ନଗରାଧୀଶଙ୍କ ନାମ ନେବାକୁ ଆବଶ୍ୟକ ମନେ କରେ ନାହିଁ। ସେ ଯେବେ ‘ପୁରୀ’ ଉଚ୍ଚାରଣ କରେ, ତା’ ହୃଦୟରେ ଦୁଇଟି ଚକାଆଖି ଉଦ୍‌ଭାସିତ ହୋଇ ଉଠେ। ‘ପୁରୀ’ ଶବ୍ଦଟିରେ ସେ ନଗରାଧିପତି ଫୁଟି ଉଠନ୍ତି।

‘ପୁରୀ’ ଏକ ସାଧାରଣ ନାମ, ହେଲେ ଆମେ ଯେବେ କହୁ ‘ପୁରୀ’, ସେତେବେଳେ ବ୍ୟତିକ୍ରମ ହୋଇଯାଏ। ସେତେବେଳେ ‘ପୁରୀ’ ହୁଏ ନୀଳାଚଳ, ପୁରୁଷୋତ୍ତମ ଆଦିର ସାଂପ୍ରତିକ ସଂସ୍କରଣ। ଏହି ତତ୍ତ୍ବଟି କାହିଁ କେତେ କାଳରୁ ଆମ ସମାଜରେ ଚଳି ଆସିଛି; ଆମକୁ ଆମର ପରିଚୟ ଦେଇଛି, ଆମ ସଂସ୍କୃତିକୁ ବ୍ୟାଖ୍ୟା କରିଛି, ଆମର ସେହି ନୀଳାଚଳ ଭୂମିକୁ ଜଗତ୍‌ର କୋଣାନୁକୋଣରେ ଧର୍ମ-ସ୍ଥାନ ଭାବେ ପ୍ରସାରିତ କରିଛି।

ଏବେ କଥା ଉଠିଛି ‘ପୁରୀ’ ନାମ ପୂର୍ବରୁ ମହାପ୍ରଭୁ ‘ଜଗନ୍ନାଥ’ଙ୍କ ନାମ ଲଗାଇ ତାଙ୍କ ସହରର ନୂତନ ନାମକରଣ କରିବା ନେଇ। ତେଣୁ ଆଲୋଡ଼ନ ସୃଷ୍ଟି ହେଲାଣି।
ଏହି ପରିପ୍ରେକ୍ଷୀରେ ଛୋଟ କଥାମାନ ମନେ ପଡ଼େ। ଆମ ଗାଁରେ ମହିଳାମାନଙ୍କୁ ତାଙ୍କ ନିଜ ନାମରେ ନ ଡାକି, ସେମାନଙ୍କ ପ୍ରଥମ ସନ୍ତାନର ଜନନୀ ବୋଲି ଡାକନ୍ତି। ମୋ ବଡ଼ ଭଉଣୀର ନାମ ‘ବିଦୁ’, ସେଥିପାଇଁ ମୋ ବୋଉକୁ ଅନେକ ‘ବିଦୁ ବୋଉ’ ବୋଲି ଡାକୁଥିଲେ। ଆମ ସମାଜ‌େର ଅନେକଙ୍କ ପାଖରେ ମୋ ବୋଉ ପାଇଁ ତା’ ନିଜ ନାମର କିଛି ମହତ୍ତ୍ବ ନ ଥିଲା। ସେହିଭଳି ଆମ ଗାଁରେ ଅନେକ ‘ବୋଉ’ ଥିଲେ, ଯେଉଁମାନେ ସେମାନଙ୍କ ପ୍ରଥମ ସନ୍ତାନର ଜନ୍ମଦାତ୍ରୀ ଭାବରେ ପରିଚିତ ହେଉଥିଲେ। ଏବେ ବି ସର୍ବଂସହା ବୋଉମାନେ ତାଙ୍କ ପ୍ରଥମ ପିଲାର ‘ବୋଉ’ ନାମରେ ଜଣା ଯାଆନ୍ତି। କିନ୍ତୁ କଥା ହେଲା, ଏ ଦେଶରେ ‘ବୋଉ’ ଭଳି ଅଗଣିତ ‘ପୁରୀ’ ତ ନାହିଁ। ‘ପୁରୀ’ ଏକ ଓ ଅନନ୍ୟ। ତେଣୁ ‘ପୁରୀ’କୁ ଆହୁରି ପ୍ରାଞ୍ଜଳ କରିବା ଲାଗି ଏହା ପୂର୍ବରୁ ମହାପ୍ରଭୁଙ୍କ ନାମ ଯୋଗ କରିବାର ଆବଶ୍ୟକତା ଅଛି କି?

ଏହି ସଂଦର୍ଭରେ ଏକ ପୁରୁଣା ଉଦାହରଣ ଦେବି। ୧୯୭୫ ମସିହାରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ପଢ଼ିବା ପାଇଁ ଯାଇଥାଉ। ପ୍ରଥମ କେତେ ଦିନ ନୂଆ ମୁହଁ, ନୂଆ ଜାଗା; କଥୋପକଥନ ପାଇଁ ଓଡ଼ିଆ ବଦଳରେ ନୂଆ ଭାଷା – କେବେ ହିନ୍ଦୀ, କେବେ ଇଂରେଜୀ। ଦିନେ ଆମେ ଏକ ବଜାର ରାସ୍ତାରେ ପାଖରେ ଥିବା କେତେକ ଯୁବକଙ୍କୁ କିଛି ପଚାରୁଥିଲୁ। ସେ ଯୁବକମାନେ ସ୍ଥାନୀୟ ବାସିନ୍ଦା ଥିଲେ। ଆମ କଥାରୁ ସେମାନେ ଅନୁମାନ କରିନେଲେ ଯେ ଆମେ ଭିନ୍ନ ପ୍ରଦେଶର ଅଧିବାସୀ। ସେମାନେ ଅନୁସନ୍ଧିତ୍ସୁ ହୋଇ ଆମେ ଭାରତର କେଉଁ ସ୍ଥାନରୁ ଆସିଛୁ ବୋଲି ପଚାରିଲେ। ତାହା ଜଣାଇବା ପାଇଁ ମୁଁ ଏକ ସହଜ ଉପାୟ ଭାବେ ‘ପୁରୀ’ ନାମ ସହିତ ତା’ ପୂର୍ବରୁ ମହାପ୍ରଭୁଙ୍କ ନାମ ଯୋଡ଼ି କହି ପକାଇଲି- ‘ଜଗନ୍ନାଥ ପୁରୀ’। ଏହା ଶୁଣିବା କ୍ଷଣି ସେହି ଯୁବକଙ୍କ ମଧ୍ୟରୁ ଜଣେ ତାହାର ଡାହାଣ ହାତ ମୋ ଆଡ଼କୁ ବଢ଼ାଇ କର-ମର୍ଦ୍ଦନ କରିବାକୁ ଉଦ୍ୟତ ହୋଇ କହିଲା- ‘ମୋ ନାମ ରାଜିନ୍ଦର।’

ଏହାର ଅର୍ଥ ସେ ଭାବି ନେଇଥିଲା ଯେ ଜଗନ୍ନାଥ ହେଉଛି ମୋର ନାମ ଏବଂ ପୁରୀ ହେଉଛି ମୋର ସାଙ୍ଗିଆ। ସେ ମହାପ୍ରଭୁଙ୍କ ସହରର ନାମ ବିଷୟରେ ଜାଣି ନ ଥିଲା। ଏବଂ ସେହି ନାମ ପୂର୍ବରୁ ମହାପ୍ରଭୁଙ୍କ ନାମ ଯୋଡ଼ି ସେହି ଯୁବକ ଲାଗି ମୋ ସହରର ନାମକୁ ବୋଧଗମ୍ୟ କରିବାର ମୋ ଉଦ୍ୟମ ମଧ୍ୟ ବିଫଳ ହୋଇଥିଲା। ସୁତରାଂ, ଏଭଳି ରାଜିନ୍ଦରମାନଙ୍କ ପାଇଁ କାହିଁକି, ‘ପୁରୀ’ ନାମର ପ୍ରଶସ୍ତୀକରଣ କରିବା?

ଏ ଦୁନିଆରେ ଅଜ୍ଞାନଙ୍କ ଅଭାବ ନାହିଁ। ସେମାନଙ୍କ ପାଇଁ ଆମର ସ୍ଥାନର ପୁନଃ ନାମକରଣ ନିଷ୍ପ୍ରୟୋଜନ। ଆମ ‘ପୁରୀ’କୁ ‘ପୁରୀ’ ହିଁ ରହିବାକୁ ଦେବା ବାଞ୍ଛନୀୟ।

ମୋ- ୮୮୯୫୪୨୦୩୦୦

ସମ୍ବନ୍ଧିତ ଖବର