ଆତ୍ମାର ବି ମୃତ୍ୟୁ ହୁଏ

ସରସ ରସ - ସୁଭାଷ ପଟ୍ଟନାୟକ

ତୁମେ କହୁଛ ନା, ଆତ୍ମା ଅବିନାଶୀ? ବୃଦ୍ଧ ପୁଣି କହିବା ଆରମ୍ଭ କଲେ। ମୋ ମତରେ କିନ୍ତୁ ଆତ୍ମାର ବି ମୃତ୍ୟୁ ହୁଏ। କିପରି ଜାଣିଛ? ବିବେକର କାନ୍ଥ ଭୁଶୁଡ଼ି ଗଲେ ସେ ଚାରିକାନ୍ଥ ମଧ୍ୟରେ ସୁରକ୍ଷିତ ଆତ୍ମା ଆପଣା ଛାଏଁ ମୃତ୍ୟୁ ଲଭେ। ଆତ୍ମାର ମୃତ୍ୟୁ ମନୁଷ୍ୟର ଜୀବଦ୍ଦଶାରେ ହିଁ ସମ୍ଭବ। ଆଇନ ତ ମନୁଷ୍ୟ ତିଆରି କରେ, ମାତ୍ର ଅନ୍ତରାତ୍ମା ଭିତରେ ବିବେକ ଏପରି ଏକ ଆଇନ; ଯାହାକୁ ମନୁଷ୍ୟ ଯଦି ନ ମାନି ଅଣଦେଖା କରେ, ତାକୁ ଜୀବନ ଭରି ଗ୍ଳାନିବୋଧର ପୀଡ଼ା ଭୋଗିବାକୁ ହୁଏ। ତେଣୁ ଆମର ପ୍ରତ୍ୟେକ କାର୍ଯ୍ୟ ସବୁ ସମୟରେ କେବଳ ଆଇନ ଅନୁମୋଦିତ ନ ହୋଇ ତା’ ସହିତ ବିବେକାନୁମୋଦିତ ହେବା ଉଚିତ। ମୋ ଯୁବକ ଅବସ୍ଥା ବେଳର ଘଟଣାଟିଏ କହୁଛି, ଶୁଣ।

ଏକଦା ଆଜି ପରି ଏକ ଜହ୍ନରାତିରେ କାର୍‌ରେ ଫେରୁଥିଲି। ରାସ୍ତା କଡ଼ରେ ଦେଖିଲି କ୍ଷତବିକ୍ଷତ ହୋଇ ଲୋକଟିଏ ପଡ଼ିଛି। ପାଖକୁ ଯାଇ ଦେଖେ ତ ଜୀବନ ତଥାପି ବାକି ଅଛି। କାର୍‌ରେ ଲୋକଟିକୁ ନେଇ ଦୌଡ଼ିଲି ଡାକ୍ତରଖାନା। ଲୋକଟିର ଜୀବନ ବଞ୍ଚାଇବା ସେଇ ମୁହୂର୍ତ୍ତରେ ଥିଲା ମୋ ବିବେକର ଏକମାତ୍ର ଆହ୍ବାନ। ଲୋକଟିର ଚିକିତ୍ସା ବ୍ୟବସ୍ଥା ଓ ତତ୍ ସଂଲଗ୍ନ ସମସ୍ତ ବ୍ୟୟ ମୋତେ ହିଁ ବହନ କରିବାକୁ ହେଲା। ରାତି ସାରା ଲୋକଟିକୁ ଜଗି ରହି ଭଗବାନଙ୍କ ପାଖରେ ତା’ର ଜୀବନ ଭିକ୍ଷା କରି ଚାଲିଲି। ଖବର ପାଇ ପୁଲିସ ଆସି ପହଞ୍ଚିଲା। ପୁଲିସ ଠାରୁ ଜାଣିଲି ଯେ ନିଜ ପତ୍ନୀ ଉପରେ ବୀଭତ୍ସ ଯୌନ ବଳାତ୍କାରର ପ୍ରତିଶୋଧ ନେବାକୁ ଯାଇ ଲୋକଟି ସେ ତିନି ଜଣ ବଳାତ୍କାରୀଙ୍କୁ ବିରଳ ଓ ବୀଭତ୍ସ ଭାବରେ ହତ୍ୟା କରିଛି ଓ ପ୍ରତି ଆକ୍ରମଣରେ କ୍ଷତବିକ୍ଷତ ହୋଇ ଏହିଠାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛି। ସବୁ ଜାଣିବା ପରେ ମଧ୍ୟ ମୋ ଦୃଷ୍ଟିରେ ଲୋକଟି ଅପରାଧୀ ନ ଥିଲା; ବରଂ ଥିଲା ମୃତ୍ୟୁର ଅପେକ୍ଷାରେ ଥିବା ଏକ ଅସହାୟ ମଣିଷ। ବୃଦ୍ଧ ପିତାମାତା ତା’ର ବେଞ୍ଚ୍ ଉପରେ ବସି କାନ୍ଦୁଥିଲେ। ସେ ଥିଲା ତାଙ୍କର ଏକମାତ୍ର ସନ୍ତାନ ଓ ପରିବାରର ଅନ୍ନଦାତା।

ହଁ, ବିବେକ କଥା କହୁଥିଲି ନା? ପୂର୍ବ ପ୍ରସଙ୍ଗକୁ ଫେରିଲେ ସେ। ବେଳେବେଳେ ମନୁଷ୍ୟ ବିବେକାନୁମୋଦିତ କାର୍ଯ୍ୟ କରିବାରେ ବିଫଳ ହୁଏ କ’ଣ ପାଇଁ? କ’ଣ ପାଇଁ ହାତ ଦୁଇଟି ତା’ର ମନୁଷ୍ୟ ତିଆରି ନୀତି ନିୟମରେ ବାନ୍ଧି ଦିଆଯାଏ? ମନୁଷ୍ୟ ଯାହା ସବୁ କରେ, ତାକୁ ନୀତିଶାସ୍ତ୍ର ଆଧାରରେ ବିଭିନ୍ନ ପ୍ରକାରରେ ବ୍ୟାଖ୍ୟା କରିହେବ। ତା’ ମଧ୍ୟରୁ ଗୋଟିଏ ହେଲା ‘ଡିଅଣ୍ଟୋଲୋଜିକାଲ୍ ଏଥିକ୍‌ସ୍’ ବା ପରିଣାମ-ନିରପେକ୍ଷ ନୀତି ଏବଂ ଅନ୍ୟଟି ହେଉଛି ‘ଟେଲିଓଲୋଜିକାଲ୍ ଏଥିକ୍‌ସ୍’ ବା ପ୍ରୟୋଜନବାଦୀ ନୀତି। କାହାରିକୁ ନ୍ୟାୟ ଦେବାକୁ ଯାଇ ଅନ୍ୟ ଜଣକୁ ଯଦି ହତ୍ୟା କରିବାକୁ ପଡ଼େ, ପରିଣାମ-ନିରପେକ୍ଷ ନୀତିଶାସ୍ତ୍ର ଏହାକୁ ଠିକ ବୋଲି ଦର୍ଶାଏ। ଏ ନୀତିଟି ପରିଣତି ବିଷୟରେ କିଛି ଚିନ୍ତା କରେନା। ବିଚାରାଳୟ ଦ୍ବାରା ପ୍ରଦତ୍ତ ନ୍ୟାୟ ସବୁକୁ ତୁମେ ଡିଅଣ୍ଟୋଲୋଜିକାଲ୍ ଏଥିକ୍‌ସ୍ କହିପାର। ଅନ୍ୟାୟର ପ୍ରତିଶୋଧ ନେବା କ’ଣ ଅନ୍ୟାୟ? ପତ୍ନୀକୁ ନ୍ୟାୟ ଦେବାକୁ ଯାଇ ଲୋକଟି ତିନି ଅପରାଧୀଙ୍କୁ ହତ୍ୟା କଲା। ଯଦି ତାହା ଅନ୍ୟାୟ ଥିଲା, ବିଚାରାଳୟ ଯଦି ସେହି ଏକା ଦଣ୍ଡ ଦେଇଥା’ନ୍ତେ, ତାହା ନ୍ୟାୟ ହୋଇଥା’ନ୍ତା କେମିତି? ତୁମେ କହିବ ପ୍ରତିଶୋଧ ନେବାଟା ଏକ ବଣ୍ୟ ବିଚାର। ବିଚାରାଳୟର ନ୍ୟାୟ ପ୍ରକାରାନ୍ତରେ ଏକ ପ୍ରାୟୋଜିତ ପ୍ରତିଶୋଧ ନୁହେଁ କି? ସେ ନ୍ୟାୟଟି କେମିତି ବଣ୍ୟ ବିଚାର ନ ହୋଇ ଏକ ସୁସଙ୍ଗତ ନ୍ୟାୟ ପାଲଟି ଯାଏ? ନ୍ୟାୟ ଯଦି ଏକ ପ୍ରକାରର ପ୍ରତିଶୋଧ, ପ୍ରତିଶୋଧଟା ନ୍ୟାୟ ନୁହେଁ କେମିତି? ସେ ଲୋକଟି ପ୍ରତିଶୋଧ ନେବାକୁ ଯାଇ କରିଥିବା ଅପରାଧ ପାଇଁ ତା’ହେଲେ ଦୋଷୀ ସାବ୍ୟସ୍ତ ହେବ କେମିତି? ପରିବାରର ସୁରକ୍ଷା ପାଇଁ ତ ତାକୁ ପ୍ରତିଶୋଧ ନେବାକୁ ହେଲା। ଦାର୍ଶନିକ କ୍ୟାଣ୍ଟ୍‌ଙ୍କର ପରିଣାମ-ନିରପେକ୍ଷ ନୀତିଶାସ୍ତ୍ର ଆଧାରରେ ସେ ତ ଠିକ୍ କରିଛି! ଯେଉଁମାନେ ନ୍ୟାୟ ମିଳୁ ବୋଲି ଚିତ୍କାର କରନ୍ତି, ପରୋକ୍ଷରେ ନ୍ୟାୟିକ ପ୍ରତିଶୋଧ ଚାହାନ୍ତିନି କି?

ଆମ ବିଚାରାଳୟଗୁଡ଼ିକରେ ମନୁଷ୍ୟ ଦ୍ବାରା ତିଆରି ଆଇନ ଆଧାରରେ ଦଣ୍ଡ ବିଧାନ ହୁଏ। ଏ ସବୁ ନ୍ୟାୟ ତ ନୁହେଁ, ପରିଣାମ-ନିରପେକ୍ଷ ନୀତି ଆଧାରିତ ନ୍ୟାୟିକ ପ୍ରତିଶୋଧ। ମନେକର ଜଣକୁ ଫାଶୀ ଦଣ୍ଡ ହେଲା। ଦଣ୍ଡ ଉପରାନ୍ତ ତା’ ପରିବାରର ଅବସ୍ଥା କ’ଣ ହେବ, ବୁଢା ବାପ-ମା’, ସ୍ତ୍ରୀ, ପିଲା ତା’ର କେମିତି ବଞ୍ଚିବେ, ସେ କଥା ନ୍ୟାୟାଳୟ ଚିନ୍ତା କରେନା। ଆଇନ ପୁସ୍ତକ ହିଁ କେବଳ ତା’ର ମାର୍ଗଦର୍ଶକ ପାଲଟେ। ଫଳରେ କେବଳ ଦୋଷୀ ଏକା ନୁହେଁ, ବିନା ଦୋଷରେ ତା’ର ପରିବାର ମଧ୍ୟ ଦଣ୍ଡ ପାଇ ଯାଆନ୍ତି। ଏ ନ୍ୟାୟ ବ୍ୟବସ୍ଥା ତେଣୁ ତ୍ରୁଟିପୂର୍ଣ୍ଣ ନୁହେଁ କି? ଏଇଠି ବିଚାର ପରିଧିକୁ ଆସେ ଦାର୍ଶନିକ ଷ୍ଟୁଆର୍ଟ ମିଲ୍ ଓ ବେନ୍ଥମଙ୍କର ପ୍ରୟୋଜନବାଦୀ ନୀତି ବା ‘ଟେଲିଓଲୋଜିକାଲ୍ ଏଥିକ୍‌ସ୍’। ନ୍ୟାୟ ନୀତି ସେଇଠି ହିଁ ତ୍ରୁଟିଶୂନ୍ୟ, ଯେଉଁଠି ଜଣକୁ ପ୍ରଦତ୍ତ ଦଣ୍ଡ ଅନ୍ୟ କାହାରିକୁ ପ୍ରଭାବିତ କରେ ନାହିଁ। ଅର୍ଥାତ୍‌, ନ୍ୟାୟ ଅନ୍ୟାୟକୁ ଜନ୍ମ ଦେବା ଅନୁଚିତ। ଯେଉଁ ନ୍ୟାୟର ପରିଣତି ସଂପୃକ୍ତ ସମସ୍ତଙ୍କ ପାଇଁ ଭଲ, ସେ ନ୍ୟାୟଟି ପ୍ରକୃତରେ ନ୍ୟାୟ ପଦବାଚ୍ୟ। ରାଷ୍ଟ୍ରର ମଧ୍ୟ ଏଥିରେ ଦାୟିତ୍ୱ ଅନେକ; କାରଣ ରାଷ୍ଟ୍ର ସୁରକ୍ଷା ଯୋଗାଇ ନ ପାରିବା ଫଳରେ ଏ ଦୁଇଟି ଅଘଟଣ ଘଟିଲା। ତେଣୁ ଲୋକଟି ଦଣ୍ଡ ପାଇଲେ ତା’ର ଅସହାୟ ପରିବାରକୁ ରାଷ୍ଟ୍ର ସହାୟ ହେବା କଥା। ଆମ ନ୍ୟାୟ ବ୍ୟବସ୍ଥାରେ ଯଦି ଏପରି ନୀତି ଆପଣେଇ ହୁଅନ୍ତା, ଦଣ୍ଡବିଧାନରେ ବିବେକ ଓ ଗ୍ଳାନିବୋଧର ସ୍ଥାନ ନ ଥା’ନ୍ତା ଓ ତାହା ହୁଅନ୍ତା ପ୍ରକୃତ ନ୍ୟାୟ।

ଗୋଟିଏ ଗୋପନ ସତ୍ୟ ତୁମକୁ କହୁଛି ଶୁଣ। ମୋ ଭିତରର ଆତ୍ମା ମରି ସାରିଛି। ସେଇ ମୁମୂର୍ଷୁ ଲୋକଟିର ପରିଶେଷରେ କ’ଣ ହେଲା ପଚାରୁଥିଲ ନା? ତା’ର ଉତ୍ତର ପାଇବା ପରେ ତୁମେ ଅନୁଭବ କରିବ ଆତ୍ମାର କିପରି ମୃତ୍ୟୁ ହୁଏ। ବାଡ଼ିରେ ଭରା ଦେଇ ଉଠୁଉଠୁ ବୃଦ୍ଧ ସାଥୀ ଯୁବକଙ୍କ କାନରେ କହିଲେ, ଅନେକ ଅର୍ଥ ବ୍ୟୟ କରି ଶେଷରେ ଲୋକଟିକୁ ବଞ୍ଚାଇ ଦେଲି। ତା’ ପରିବାରର ମୁହଁରେ ହସ ଦେଖି ଆତ୍ମ ତୃପ୍ତିରେ ସେଦିନ ଆତ୍ମହରା ହୋଇ ଯାଇଥିଲି। ଅନେକ ବର୍ଷ ଧରି ସେ ହତ୍ୟା ମାମଲାଟି କୋର୍ଟରୁ କୋର୍ଟ ଗଡ଼ି ଚାଲିବା ପରେ ପରିଶେଷରେ ଲୋକଟିକୁ ଫାଶୀ ହୋଇଗଲା ଓ ଫାଶୀ ଦଣ୍ଡ ଶୁଣାଇଥିବା ବିଚାରପତି ଥିଲି ମୁଁ।

ମୋ: ୯୩୩୭୬୪୮୬୩୮

ସମ୍ବନ୍ଧିତ ଖବର