ଜୀବନର ଦଲିଲ

ଚିନ୍ମୟ ଚେତନା - ଚିନ୍ମୟ କୁମାର ହୋତା

ନଭେମ୍ବର ମାସ ଆସି ପହଞ୍ଚିଗଲେ ସାରା ଦେଶରେ ପେନ୍‌ସନ୍‌ଭୋଗୀମାନେ ଏମିତି ଚଳଚଞ୍ଚଳ ହୋଇ ଉଠନ୍ତି, ଠିକ ଯେମିତି ସେହି ସମୟରେ ପାଳନ କରାଯାଉଥିବା କାର୍ତ୍ତିକ ମାସ ବେଳେ ହବିଷ୍ୟାଳିମାନେ ହେବାର ଦେଖାଯା’ନ୍ତି। ହବିଷ୍ୟାଳିମାନେ ନାନା ବିଧି, ନିୟମକାନୁନ ଓ ଔପଚାରିକ କ୍ରିୟା ମାନ ପାଳନ କରି ନିଜର ନିଷ୍ଠାର ପ୍ରମାଣ ଦେବା ଭଳି ପେନ୍‌ସନ୍‌ ଗ୍ରହୀତାମାନେ ନିଜର ବଞ୍ଚି ରହିଥିବାର ପ୍ରମାଣ ସାବ୍ୟସ୍ତ କରିବାରେ ମାତିଯାଆନ୍ତି। ଶ୍ରଦ୍ଧାଳୁ ଧର୍ମ ମାସଟିରେ ବ୍ରତ, ଓପାସ ତଥା ପୂଜା ପଦ୍ଧତି କରି ଆଗାମୀ ବର୍ଷ ପାଇଁ ପୁଣ୍ୟ ଅର୍ଜନ ପାଇଁ ଲାଗି ପଡିଲା ଭଳି ବୃତ୍ତି ଭୋଗୀମାନେ ଏଇ ନଭେମ୍ବର ମାସରେ କୌଣସି ମତେ “ମୁଁ ଏବେ ଯାଏଁ ଜୀବିତ ଅଛି” ବୋଲି ପ୍ରମାଣ କରିଦେଇ ଆସନ୍ତା ବାର ମାସ ପାଇଁ ତାଙ୍କର ପ୍ରାପ୍ୟ ଗଣ୍ଡାକ ସୁନିଶ୍ଚିତ କରନ୍ତି।

ଆପଣ ଭାବୁଥିବେ ଜଣେ ବଞ୍ଚିଛି ବୋଲି ପ୍ରମାଣ ଦେଖେଇବା କି ବା ବଡ଼ କଥା? ଖାଲି ବ୍ୟାଙ୍କ୍‌ ବାଲାଙ୍କୁ ବା ସରକାରୀ ଅଫିସର୍‌ଙ୍କୁ ମୁହଁଟିମାନ ଦେଖେଇଦେଲେ ହେଲା। କିନ୍ତୁ ଅସଲ ଅସୁବିଧାଟି ସେଇଠି। ଏଇ ଭିଡ଼ ମାସରେ ଜଣଙ୍କର ମୁହଁ ଦେଖିବାକୁ ତର କାହା ପାଖରେ ବା ଅଛି? ଏଥିପାଇଁ ଦରକାର ଦସ୍ତଖତ ଥିବା କାଗଜ, ଯାହା ଉପରେ ପୁଣି ଉପର ହାକିମଙ୍କ ସାକ୍ଷୀ ପ୍ରମାଣ ଥିବ। କାଗଜପତ୍ର ଠିକଠାକ କରି ଖାଲି ଦାଖଲ କରିଦେଲେ ହେବନି, ନିଘା ରଖିବାକୁ ପଡ଼ିବ ଆପଣଙ୍କ ବଞ୍ଚିଥିବା ଖବର କମ୍ପ୍ୟୁଟର୍‌ରେ ଚଢ଼ିଲା କି ନାହିଁ! ଯଦି କାଗଜ ହଜିଗଲା, ସରକାର ଦାୟୀ ନୁହନ୍ତି। ଏତେ ଭିଡ଼ ଭାଡ଼ ଭିତରେ କାଗଜଟାଏ ହଜିଯିବା କି ବଡ଼ କଥା? ଆପଣ ପଚାରି ପାରନ୍ତି ଆଜି ସବୁକିଛି ଅନ୍‌ଲାଇନ୍‌ ବୋଲି ଏତେ ହୁରି ପଡୁଛି, ହେଲେ ଏଇ କାଗଜପତ୍ର କାରବାର ପୁଣି କ’ଣ? ହଁ, ଘରେ ବସି ଅନ୍‌ଲାଇନ୍‌ ପ୍ରମାଣ ଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି, ହେଲେ ଅନେକ ବରିଷ୍ଠ ନାଗରିକଙ୍କ ପାଇଁ ସେ ବ୍ୟବସ୍ଥା ଦୁରୂହ ବ୍ୟାପାର, ତା’ଛଡ଼ା ସେଥିରେ ଭୁଲ୍‌ ଭଟକା ବି ଅନେକ, ତେଣୁ ଅଧିକାଂଶଙ୍କ ଇଚ୍ଛା କେମିତି ମୁହଁ ଦେଖେଇ ପ୍ରମାଣ ଦେଇପାରନ୍ତେ କି।

ଏ ସବୁ ଜଟିଳ ପରିସ୍ଥିତିରୁ ଅନୁମାନ କରିହୁଏ ଯେ ଜିଇଥିବା ଲୋକଟିଏ ସେ ଜୀବିତ କି ନାହିଁ ତାହାର ପ୍ରମାଣ ସାବ୍ୟସ୍ତ କରିବା ଆଜିର ଦୁନିଆରେ ଏକ ଜଟିଳ ବ୍ୟାପାର। ପେନ୍‌ସନ୍‌ ପାଇ ନଥିବା ଜଣେ ବରିଷ୍ଠ ନାଗରିକ ହୁଏ’ତ ବ୍ୟତିବ୍ୟସ୍ତ ହୋଇ ବ୍ୟାଙ୍କ୍‌କୁ ଯାଇ ଅଳି କରିବେ, “ମୋର ଏ ମାସର ପେନ୍‌ସନ୍‌ ଜମା ହୋଇନାହିଁ।” ଉତ୍ତର ମିଳିବ, “ନଭେମ୍ବରରେ ଜୀବନ ପ୍ରମାଣପତ୍ର ଦାଖଲ କରିନାହାନ୍ତି।” ବରିଷ୍ଠ ନାଗରିକ ବୁଝେଇ କହିବେ, “ଆଜ୍ଞା ଅମୁକ ଦିନ ଆପଣଙ୍କ ପାଖରେ ତ ଜମା କରିଥିଲି। ହଉ ନ ହେଲା ନାହିଁ ଏବେ ତ ଆପଣଙ୍କ ସାମ୍ନାରେ ବସିଛି। ପ୍ରମାଣଟା ଏବେ ପଞ୍ଜିକୃତ କରିଦିଅନ୍ତୁ।” ଉତ୍ତର ମିଳିବ, ‘‘ଆପଣ ଯେ ସେହି ପେନ୍‌ସନ୍‌ଭୋଗୀ ତା’ର ପ୍ରମାଣ କ’ଣ?” କଥୋପକଥନଟି ହୁଏ’ତ କାମ୍ୟୁଙ୍କ କାହାଣୀ ଅଥବା ସାମୁଏଲ ବେକେଟ୍‌ଙ୍କ ଏବସର୍ଡ ନାଟକର ସଂଳାପ ଭଳି ଲାଗିପାରେ, ହେଲେ ଏ ଘଟଣା ଆଜି ଘଟୁଛି ଅନେକ ସ୍ଥାନରେ।ଜନ୍ମ ଓ ମୃତ୍ୟୁର ପ୍ରମାଣପତ୍ର ଭଳି ଜଣେ ବଞ୍ଚିଥିବାର ବି ପ୍ରମାଣପତ୍ର ଆବଶ୍ୟକ, କିନ୍ତୁ ବଞ୍ଚିଥିବା ବ୍ୟକ୍ତି ଓ ଦାବି କରୁଥିବା ବ୍ୟକ୍ତି ଯେ ସମାନ ତାହା ସାବ୍ୟସ୍ତ କରିବା କଷ୍ଟକର।
ହେଲେ ନିଜ ଜୀବିତାବସ୍ଥାକୁ ପ୍ରମାଣ ନ କରିପାରିବାର ଅସହାୟତା ଉତ୍ତର ପ୍ରଦେଶର ଆଜମଗଡ଼ ଜିଲ୍ଲା ନିବାସୀ ଲାଲବିହାରୀ ‘ମୃତକ’ଙ୍କ ଠାରୁ କିଏ ବା ଅଧିକ ଅଙ୍ଗେ ନିଭେଇ ଥିବ? ଯୁବାବସ୍ଥା ବେଳେ ନିଜର ପାରିବାରିକ ସମ୍ପତ୍ତିର ଖତିଆନ ଯୋଗାଡ଼ କରିବାକୁ ଯେତେବେଳେ ଲାଲବିହାରୀ ସରକାରୀ ଦପ୍ତରକୁ ଗଲେ, ସେଠିକା କର୍ମଚାରୀ ତାଙ୍କୁ ସ୍ପଷ୍ଟ ଶବ୍ଦରେ ଜଣାଇ ଦେଲେ ଯେ ଉପଲବ୍‌ଧ ପ୍ରମାଣ ଅନୁସାରେ ସେ ମୃତ, ତେଣୁ ସମ୍ପତ୍ତି ତାଙ୍କ କାକାଙ୍କୁ ହସ୍ତାନ୍ତର ହୋଇ ସାରିଛି। “କିନ୍ତୁ ମୁଁ ମଲି କେତେବେଳେ? ହେଇ ତ ଆପଣଙ୍କ ସାମ୍ନାରେ ଛିଡ଼ା ହୋଇଛି।” କର୍ମଚାରୀ ଏଥର ରୋକଠୋକ ଶୁଣେଇଦେଲେ, “ହେଇ ଦେଖ ତୁମର ମୃତ୍ୟୁ ପ୍ରମାଣପତ୍ର, ଏବେ ବି ଦାବି କରୁଛ ତୁମେ ଜୀବିତ ବୋଲି? ନିର୍ବୋଧ କେଉଁଠିକାର! ପଳାଅ ଏଠୁ।” ଗାଁକୁ ଫେରି ଲାଲବିହାରୀ ଜାଣିବାକୁ ପାଇଲେ ଯେ ପିତୃପୁରୁଷଙ୍କ ଜମିବାଡ଼ି ହଡପ ପାଇଁ ନିଜ କାକାଙ୍କ ଚଞ୍ଚକତା ଯୋଗୁଁ ସେ ଆଜି ସରକାରୀ ଦଲିଲରେ ମୃତ ଓ ନିଜକୁ ଜୀବିତ ପ୍ରମାଣ କରିବାର ସବୁ ରାସ୍ତା ଆପାତତଃ ବନ୍ଦ। ଏ ବିଷୟରେ ଖୋଳତାଡ଼ କରି ସେ ଜାଣିବାକୁ ପାଇଲେ ଯେ ତାଙ୍କ ଭଳି ହତଭାଗା କେବଳ ଉତ୍ତର ପ୍ରଦେଶରେ ଚାଳିଶ ହଜାର। ଲାଲବିହାରୀ ନିଜ ଜିଲ୍ଲାର ‘ଜୀବିତ-ମୃତ’ମାନଙ୍କୁ ଡାକି ଏକ ସଂଘ ଗଠନ କଲେ ଓ ସମସ୍ତଙ୍କ ନାମରେ ‘ମୃତକ’ ସାଙ୍ଗିଆ ଯୋଡ଼ିଲେ। ଆଜି ଜୀବନର ସାୟାହ୍ନ‌େର ପହଞ୍ଚିବା ପରେ ମଧ୍ୟ ଲାଲବିହାରୀ ‘ମୃତକ’ ତାଙ୍କର ବଞ୍ଚିଥିବାର ପ୍ରମାଣପତ୍ର ଖୋଜି ଚାଲିଛନ୍ତି ତାଙ୍କର ସାଥୀମାନଙ୍କ ସହ। ଅସଲି ଚିତ୍ରଗୁପ୍ତ ପାଞ୍ଜିରେ ସେମାନଙ୍କ ନାଁ ନ ଥିଲେ କ’ଣ ହେଲା, ସରକାରୀ ଚିତ୍ରଗୁପ୍ତ ପାଞ୍ଜି ଗୁଡ଼ିକରେ ସେମାନଙ୍କର ଆୟୁଷ ସରିଯାଇଛି ଅନେକ କାଳରୁ। ‘ଯାହାକୁ ରଖିବେ ଅନନ୍ତ, କି କରି ପାରେ ବଳବନ୍ତ?’ ଉକ୍ତିଟି ହୁଏ’ତ ଅନେକଙ୍କ କ୍ଷେତ୍ରରେ ସତ ହୋଇ ଥାଇପାରେ, ହେଲେ ଅନନ୍ତଙ୍କ କୃପାରୁ ସୁସ୍ଥ ସବଳ ଜୀବନ୍ତ ମଣିଷଟିଏ ମଧ୍ୟ ସରକାରୀ ବଳବନ୍ତଙ୍କ କୋପରେ ଛାରଖାର ହୋଇ ଯାଇପାରେ।

ଜୀବନର ଦଲିଲ ଯୋଗାଡ଼ କରିବା ଏମିତି ଏକ ଦୁଃସହ ବ୍ୟାପାର ହୋଇଥିବାରୁ ପେନ୍‌ସନ୍‌ଧାରୀମାନେ ଏହି ନଭେମ୍ବର ମାସ ଉପନୀତ ହୋଇଗଲେ ଚାପଗ୍ରସ୍ତ ହୋଇ ଧାଁଧପଡ଼ କରିବା ଏକ ସ୍ୱାଭାବିକ ଦୃଶ୍ୟ। ବରିଷ୍ଠ ନାଗରିକମାନଙ୍କୁ ଏ ଦିଗରେ ସମାଜର ସବୁ ବର୍ଗରୁ ସହାୟତା ମିଳିବା ବାଞ୍ଛନୀୟ। ନ ହେଲେ କବି ମୃତବତ୍‌କୁ ‘ଉଠ କଙ୍କାଳ’ ବୋଲି ଆବାହନ ଦେଉଥିବା ବେଳେ ଏକ ନିର୍ଦ୍ଦୟ ଶାସନ ବ୍ୟବସ୍ଥା ଜିଇଥିବା ମଣିଷକୁ ମୃତ ଘୋଷଣା କରିଚାଲିଥିବ।

ମୋ- ୯୪୩୭୦୮୯୬୫୫

ସମ୍ବନ୍ଧିତ ଖବର