ପରିବର୍ତ୍ତିତ ସ୍ଥିତିରେ ସାମ୍ବାଦିକତା

ପ୍ରସନ୍ନ ମହାନ୍ତି

ସମ୍ବିଧାନ ପ୍ରଦତ୍ତ ସ୍ୱାଧୀନ ଅଭିବ୍ୟକ୍ତିର ଅଧିକାରକୁ ଅଧିକ ଶାଣିତ ଓ ମାର୍ଜିତ କରିବାର ଏକ ସଶକ୍ତ ଆଧାର ହେଉଛି ଗଣମାଧ୍ୟମ। ତେଣୁ, ଗଣମାଧ୍ୟମର ସ୍ୱାଧୀନତାକୁ ସୁରକ୍ଷିତ ରଖିବା ହେଉଛି ରାଷ୍ଟ୍ରର ନୈତିକ ଦାୟିତ୍ୱ। ସେହିପରି ଗଣମାଧ୍ୟମ ଲାଭ କରିଥିବା କ୍ଷମତାର ଅପବ୍ୟବହାର ମଧ୍ୟ ଅତ୍ୟନ୍ତ ବର୍ଜନୀୟ। ଏଭଳି ସ୍ଥିତିରେ ଗଣମାଧ୍ୟମ ଓ ସାମ୍ବାଦିକମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ସହିତ ପଥ-ଚ୍ୟୁଥ ଗଣମାଧ୍ୟମ ବା ସାମ୍ବାଦିକଙ୍କୁ ନିୟନ୍ତ୍ରଣ କରି ବାଟକୁ ଆଣିବାର ଗୁରୁ ଦାୟିତ୍ୱ ବହନ କରିଥାଏ ଭାରତୀୟ ପ୍ରେସ୍ କାଉନ୍‌ସିଲ୍। ୧୯୫୬ରେ ପ୍ରଥମ ପ୍ରେସ୍ କମିସନଙ୍କ ସୁପାରିସ ଅନୁସାରେ ୧୯୬୬, ଜୁଲାଇ ୪ରେ ପ୍ରେସ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ ଗଠିତ ହୋଇ ୧୬ ନଭେମ୍ବର ୧୯୬୬ରେ କାର୍ଯ୍ୟକ୍ଷମ ହୋଇଥିଲା। ଗଣମାଧ୍ୟମ ପାଇଁ ଏହା ହେଉଛି ସର୍ବୋଚ୍ଚ ମାନ୍ୟତା ପ୍ରାପ୍ତ ଏକ ମର୍ଯ୍ୟାଦାବନ୍ତ ଅନୁଷ୍ଠାନ; ଯାହା ସମ୍ପୂର୍ଣ୍ଣ ଭାବେ ସରକାରୀ ନିୟନ୍ତ୍ରଣରୁ ମୁକ୍ତ ଏବଂ ନ୍ୟାୟାଳୟ ତୁଲ୍ୟ କ୍ଷମତା ଧାରଣ କରିଥାଏ। ସାମ୍ବାଦିକମାନଙ୍କୁ ବୃତ୍ତିଗତ ସୁରକ୍ଷା ପ୍ରଦାନ ସହିତ ସେମାନଙ୍କ ଲାଗି ଏକ ମୁକ୍ତ ଓ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ଏହି ସାମ୍ବିଧାନିକ ସଂସ୍ଥାର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି।

କିନ୍ତୁ ସମୟ ଓ ଗଣମାଧ୍ୟମର ଚରିତ୍ର ବଦଳୁ ଥିବା ବେ‌ଳେ ପ୍ରେସ୍ କାଉନ୍‌ସିଲ୍‌ର ଭୂମିକା ମଧ୍ୟ ବଦଳିବା ଉଚିତ ବୋଲି ହୃଦ୍‌ବୋଧ ହେବାରେ ଲାଗିଛି। ସଂପ୍ରତି ଉଭୟ ମୁଦ୍ରିତ ଓ ଇଲେକ୍ଟ୍ରୋନିକ୍‌ସ ଗଣମାଧ୍ୟମର ସଂଖ୍ୟା ବଢ଼ି ଚାଲିଛି। ୨୦୨୦ ମସିହା ସୁଦ୍ଧା ଆମ ଦେଶରେ ପଞ୍ଜିକୃତ ଖବର କାଗଜ ଓ ‘ପିରିଅଡିକାଲ୍‌’ଗୁଡ଼ିକର ସଂଖ୍ୟା ୧୪୩ ହଜାରକୁ ଟପି ଯାଇଛି। ସେହିପରି ଏହି ସମୟ ମଧ୍ୟରେ ନ୍ୟୁଜ୍ ଚ୍ୟାନେଲ୍‌ଗୁଡ଼ିକର ସଂଖ୍ୟା ମଧ୍ୟ ୯୦୭ରେ ପହଞ୍ଚିଛି। ତା’ ସହିତ ୱେବ୍‌ ମିଡ଼ିଆର ମଧ୍ୟ ଏକ ବିପୁଳ ଆବିର୍ଭାବ ଘଟିଛି, ଯାହାର ଦୁରୁପଯୋଗ ମଧ୍ୟ ଏକ ବିରାଟ ମୁଣ୍ଡ ବ୍ୟଥା ପାଲଟିଛି। ଏଭଳି ସ୍ଥଳେ ତାର ସୀମିତ କ୍ଷମତାକୁ ନେଇ ‘ପ୍ରେସ କାଉନସିଲ ଅଫ ଇଣ୍ଡିଆ’ ଏକ ‘ଦନ୍ତହୀନ ବାଘ’ରେ ପରିଣତ ହୋଇଛି ବୋଲି କହିଲେ ଚଳେ।

ଉ‌େଲ୍ଲଖଯୋଗ୍ୟ ଯେ ‘ବିହାର ପ୍ରେସ୍ ଆକ୍ଟ’ ଠାରୁ ଆରମ୍ଭ କରି ଜରୁରୀ କାଳୀନ ପରିସ୍ଥିତି କାଳୀନ ‘ପ୍ରେସ୍ ସେନ୍‌ସରସିପ୍‌’ ପର୍ଯ୍ୟନ୍ତ ବିଭିନ୍ନ ଜଟିଳ ପରିସ୍ଥିତିକୁ ଆମ ଗଣମାଧ୍ୟମ ଦୃଢ଼ତାର ସହ ମୁକାବିଲା କରି ଆସିଛି। ନିକଟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଣିଥିବା ଏକ ବିବାଦୀୟ ନୂଆ ଆଇନକୁ ମୁକ୍ତ ଅଭିବ୍ୟକ୍ତିର ସଂକୋଚନ ଉଦ୍ଦେଶ୍ୟରେ ଅଭିପ୍ରେତ ବୋଲି ଉଦ୍‌ବେଗ ଓ ସମାଲୋଚନା ପ୍ରକାଶ ପାଉଛି। ଏହା ମଧ୍ୟ ସତ ଯେ ବିଭିନ୍ନ ସମୟରେ ସର୍ବୋଚ୍ଚ ଅଦାଲତ ପ୍ରେସ୍ ସ୍ୱାଧୀନତାକୁ ସଙ୍କୁଚିତ କରୁଥିବା ଭଳି ପ୍ରୟାସ ବାବଦରେ ପ୍ରତିକୂଳ ମନ୍ତବ୍ୟ ଦେଇ ଆସୁଛନ୍ତି। ଏଭଳି ସ୍ଥିତିରେ ପ୍ରେସ୍ କାଉନ୍‌ସିଲ୍ ଭଳି ନିୟନ୍ତ୍ରଣକାରୀ ସଂସ୍ଥାର କ୍ଷମତା ପରିସର ବୃଦ୍ଧି କରି ସମସ୍ତ ଗଣମାଧ୍ୟମକୁ ଏହାର ଅଧୀନକୁ ଆଣିବା ଲାଗି ଏକ ଯଥାର୍ଥ ଦାବି ହୋଇ ଆସୁଛି। ଏ ସଂଦର୍ଭରେ ବିଭିନ୍ନ ସମୟରେ ସରକାରଙ୍କୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି, ଯାହାକୁ ରୂପ ଦିଆଯିବା ନିତାନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ ପାଇ ଆସୁଛି।

ସାମ୍ବାଦିକଙ୍କ ସୁରକ୍ଷା ଲାଗି କାର୍ଯ୍ୟ କରୁଥିବା ଆନ୍ତର୍ଜାତିକ ସଂସ୍ଥା ସି.ପି.ଜେ.ର ରିପୋର୍ଟ କହେ ଯେ ୨୦୧୧ ମସିହାରୁ ୨୦୨୧, ଅଗଷ୍ଟ ପର୍ଯ୍ୟନ୍ତ ସମୟ ଖଣ୍ଡରେ ସାରା ପୃଥିବୀରେ ୨୭୮ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି, ଯହିଁରୁ ୨୨୬ଟି ମାମଲା ଏବେ ବି ଅସମାହିତ। ଭାରତରେ ମଧ୍ୟ ସାମ୍ବାଦିକଙ୍କ ସୁରକ୍ଷା ଉଦ୍‌ବେଗର କାରଣ ହୋଇଛି। ଦେଶ ଦ୍ରୋହ ଠାରୁ ଆରମ୍ଭ କରି ୧୯୬୭ର ୟୁଏପିଏ (ବେଆଇନ କାର୍ଯ୍ୟକଳାପ ନିରାବଣ ଆଇନ) ପର୍ଯ୍ୟନ୍ତ ଯାବତୀୟ କଠୋର ଧାରାର ପ୍ରୟୋଗ ସାମ୍ବାଦିକମାନଙ୍କ ବିରୋଧରେ କରାଯାଉଛି। କୋଭିଡ୍ ସମୟରେ ‘ଏପିଡେମିକ୍‌’ ଆଇନର ଦୁରୁପଯୋଗ ସାମ୍ବାଦିକଙ୍କ ବିରୋଧରେ କରାଯାଇଛି। କରୋନା ସମୟରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦଶା ସମ୍ପର୍କରେ ହୃଦୟସ୍ପର୍ଶୀ ସମ୍ବାଦ ପରିବେଷଣ କରିଥିବା ପ୍ରାୟ ୬୦ ସରିକି ସାମ୍ବାଦିକ ବିରୋଧରେ ମାମଲା ରୁଜୁ କରାଯାଇଛି। କେବଳ ୨୦୨୦ରେ ଆମ ଦେଶରେ ୩୦ରୁ ଅଧିକ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। ସରକାରଙ୍କ ନୀତି ଓ କାର୍ଯ୍ୟର ଶାଣିତ ସମାଲୋଚନା କରୁଥିବା ସାମ୍ବାଦିକ ଓ ଗଣମାଧ୍ୟମର କଣ୍ଠରୋଧ ପାଇଁ ମଧ୍ୟ ପ୍ରୟାସ ଚାଲିଛି। ସେହି ଦୃଷ୍ଟିରୁ ନିକଟରେ ପ୍ରକାଶିତ ୨୦୨୧ର ‘ୱର୍ଲଡ୍ ପ୍ରେସ୍ ଫ୍ରିଡମ୍ ଇନ୍‌ଡେକ୍‌ସ’ ପ୍ରଣିଧାନଯୋଗ୍ୟ, ଯହିଁରେ ଭାରତର ସ୍ଥାନ ୧୮୦ଟି ଦେଶର ତାଲିକାରେ ୧୪୨ରେ ରହିଛି, ଯାହା ଅତ୍ୟନ୍ତ ନୈରାଶ୍ୟଜନକ। ଏଣେ, କେତେକ ଗଣମାଧ୍ୟମ ଓ ସାମ୍ବାଦିକ ସରକାରୀ ଅନୁଗ୍ରହ ପାଇଁ ଲାଳାୟିତ ହୋଇ ସରକାରଙ୍କ ବଶମ୍ବଦ ହେଉଛନ୍ତି। ‘ମିଡ଼ିଆ ଟ୍ରାଏଲ୍‌’ ଓ ‘ପେଡ୍ ନ୍ୟୁଜ୍‌’ ଭଳି ଅପବାଦ କାରଣରୁ ଗଣମାଧ୍ୟମ ଏବେ ତାର ‘ବିଶ୍ୱସନୀୟତା’ ମଧ୍ୟ ହରାଇବାରେ ଲାଗିଛି। ଏଭଳି ଏକ ପରିସ୍ଥିତିରେ ‘ପ୍ରେସ କାଉନସିଲ ଅଫ୍ ଇଣ୍ଡିଆ’ର କ୍ଷମତା ପରିସରରେ ବୃଦ୍ଧି କରାଯିବା ଉଚିତ।

ତେବେ, ଏ କ୍ଷେତ୍ରରେ ଯାହା ପ୍ରେରଣାଦା‌ୟୀ, ତାହା ହେଲା ନିଜ ନିରାପତ୍ତାକୁ ବିପନ୍ନ କରି ଜାମ୍ମୁ କାଶ୍ମୀର ବା ଉତ୍ତର ପୂର୍ବ ଭାରତ ବା ଆମ ରାଜ୍ୟର ନକ୍‌ସଲ ଅଧ୍ୟୁଷିତ ଅଞ୍ଚଳରେ ଅନେକ ସାମ୍ବାଦିକ ସାହସର ସହିତ ନିଜ ଦାୟିତ୍ବ ନିର୍ବାହ କରି ଏହି ବୃତ୍ତିକୁ ମହିମା ପ୍ରଦାନ କରିଛନ୍ତି। ସେହି ପରିପ୍ରେକ୍ଷୀରେ ଶାନ୍ତି ଲାଗି ଚଳିତ ବର୍ଷ ନୋବେଲ ପୁରସ୍କାର ଲାଭ କରିଥିବା ଦୁଇ ସାମ୍ବାଦିକ ମାରିଆ ରେସା (ଫିଲିପାଇନ୍‌ସ) ଓ ଦିମିତ୍ରି ମୁରାତୋଭ (ରୁଷିଆ) ସାହସୀ ସାମ୍ବାଦିକତା ଲାଗି ପ୍ରାତଃ ସ୍ମରଣୀୟ ନାମରେ ପରିଣତ ହୋଇଛନ୍ତି। ଗଣମାଧ୍ୟମର ମୁକ୍ତ ଅଭିବ୍ୟକ୍ତିି ଲାଗି ଦମନକାରୀ ସରକାର ବିରୋଧରେ ସ୍ବର ଉତ୍ତୋଳନ କରି ସେମାନେ ଅପରାଜେୟ ରହିବାର ଜୈତ୍ର ଉଡ଼ାଇ ପାରିଛନ୍ତି।

(ଜାତୀୟ ପ୍ରେସ୍ ଦିବସ ଉପଲକ୍ଷେ)

ସଭ୍ୟ, ଭାରତୀୟ ପ୍ରେସ୍ କାଉନ୍‌ସିଲ୍‌
ମୋ: ୯୪୩୭୬୩୬୧୪୦

ସମ୍ବନ୍ଧିତ ଖବର