କିଏ ଭଲ, କିଏ ମନ୍ଦ!

ରାଜେନ୍ଦ୍ର ନାରାୟଣ ଦାସ

ସାଧାରଣତଃ ଆମକୁ ନିଜର ଦୋଷ ଦୁର୍ବଳତା ଦିଶି ନ ଥାଏ, ଅଥଚ ଅନ୍ୟମାନଙ୍କର ଛୋଟ ଛୋଟ ଭୁଲ୍‌ ପରିଷ୍କାର ଦିଶିଯାଇଥାଏ। ଏଇ ବାବଦରେ ସେ ଦିନ ଭାବୁଥିବା ବେଳେ ମୋର ଗୋଟିଏ ପୁରୁଣା ଓଡ଼ିଆ ଢଗ ମନେ ପଡ଼ିଯାଇଥିଲା- ‘ନିଜ ପଛଆଡ଼େ ବୋଝେ ଗୁହ, ପରକୁ କହୁଛି ଧୁଅ ଧୁଅ।’ ଏହି ପରିପ୍ରେକ୍ଷୀରେ ପ୍ରତି ମନୁଷ୍ୟ ଆତ୍ମ ମୂଲ୍ୟାୟନ କରିବା ଜରୁରୀ ବୋଲି ବିଜ୍ଞ ଜନେ କହନ୍ତିି। ସୁତରାଂ, ସେ ଦିନ ମୁଁ ନିଜକୁ ପ୍ରଶ୍ନ କରିଥିଲି- ‘ମୋତେ କାହିଁକି ସମସ୍ତେ ଭଲ କହିବେ ?’ ଏହାର ଉତ୍ତର ଭାବେ ଯାହା ମୋ ମନ ଆକାଶରେ ଉଦୟ ହେଲା, ତାକୁ ନେଇ ଏହି ପ୍ରବନ୍ଧ।

ଆମେମାନେ ଅନ୍ୟର ମୁହଁରୁ ନିଜ ପ୍ରଶଂସା ଶୁଣିଲେ ଆନନ୍ଦିତ ହେଉ, ଅଥଚ ଅନ୍ୟର ପ୍ରଶଂସା ଖୁବ୍‌ କମ୍‌ କରୁ। ଏବେ ଅନ୍ୟର ସମାଲୋଚନା କରିବା ବା ଅନ୍ୟର ଦୋଷଦର୍ଶୀ ହେବା ଏକ ସାଧାରଣ କଥାରେ ପରିଣତ ହୋଇଛି। ଗୋଟିଏ ମଣିଷର ଅନେକ ଭଲ ଗୁଣ ଥାଉ ପଛକେ ଯଦି କାଁ ଭାଁ କେଉଁ ମନ୍ଦ ଗୁଣ କିଛି ରହିଯାଇଥାଏ, ତେବେ କିଛି ଲୋକ ସେ ସମ୍ପର୍କରେ ଆକ୍ଷେପ କରି କହନ୍ତି। ବିଡ଼ମ୍ବନା ହେଲା, ଆମମାନଙ୍କ ଭିତରୁ ଅନେକ ପର କଥାକୁ ବିଶ୍ୱାସ କରିଯାଉ ଓ ଅନ୍ୟ କାହା ବିଷୟରେ କିଛି ଶୁଣିବା ପରେ ସେହି ବ୍ୟକ୍ତିକୁ ନ ପରଖି ତା’ ଉପରେ ଅଯଥା ଭୁଲ୍‌ ଧାରଣା ପୋଷଣ କରିଥାଉ। ଏହା ଦ୍ବାରା ଆମର ଲାଭ ଠାରୁ କ୍ଷତି ହୁଏ ଅଧିକ। ଭୁଲ୍‌ ଧାରଣାର ବଶବର୍ତ୍ତୀ ହୋଇ ଆମେ ଅନେକ ଯୋଗ୍ୟ ଓ ଗୁଣୀ ବ୍ୟକ୍ତିଙ୍କୁ ସନ୍ଦେହଭରା ନଜରରେ ଦେଖିଥାଉଁ। ଶାସ୍ତ୍ର ଅନୁସାରେ ପର ନିନ୍ଦୁକମାନେ ହତ୍ୟାକାରୀ ସହିତ ତୁଳନୀୟ । କାରଣ ଏହା ଦ୍ୱାରା ସେମାନେ ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିତ୍ବକୁ ହତ୍ୟା ହିଁ କରିଥାଆନ୍ତି। ଲୋକେ ଛିଦ୍ରାନ୍ବେ‌ଷୀ ହେବା ଅଥବା ଦୋଷଦର୍ଶୀ ହେବା ପଛରେ ଯେଉଁ କାରଣଟି ମୁଖ୍ୟ ରୂପେ ଉଭା ହୋଇଥାଏ, ତାହା ହେଲା ଅନ୍ୟକୁ ଛୋଟ କରି ନିଜକୁ ବଡ଼ କରିବାର ଉଦ୍ୟମ। ସାଧାରଣତଃ ମଣିଷର ଆଖି ବାହାର ଦୁନିଆକୁ ଦେଖିଥାଏ। ତେଣୁ ସେ ଅନ୍ୟର ଦୋଷ ଦୁର୍ବଳତାକୁ ଦେଖିପାରେ। କିନ୍ତୁ ଯେଉଁ ଅଳ୍ପ କିଛି ଲୋକଙ୍କ ଠାରେ ଅନ୍ତର୍ଦୃଷ୍ଟି ଥାଏ ବା ନିଜ ଭିତରକୁ ଦେଖିବାର ଶକ୍ତି ଥାଏ, ସେମାନେ ବାହାରୁ ନିଜକୁ ଅବଲୋକନ କରି ପାରନ୍ତି। ସେଭଳି ଲୋକେ ବୁଝି ପାରନ୍ତି ଯେ ‌େସମାନେ ଅନ୍ୟ ଠାରେ ଯେଉଁ ତ୍ରୁଟି ଦେଖି ପାରୁଛନ୍ତି, ସେଭଳି ତ୍ରୁଟି ସେମାନଙ୍କ ଠାରେ ମଧ୍ୟ ଊଣାଅଧିକେ ରହିଛି। ଏପରିକି ବେଳେ ବେଳେ ସେମାନେ ଏହା ମଧ୍ୟ ବୁଝି ପାରନ୍ତି ଯେ ସେମାନେ ଅନ୍ୟାନ୍ୟ ଅନେକ ଲୋକଙ୍କ ଠାରୁ ନିକୃଷ୍ଟତର। ସେଥି ଲାଗି ଏଭଳି ଅନ୍ତର୍ଦୃଷ୍ଟିସଂପନ୍ନ ବ୍ୟକ୍ତିମା‌େନ ଦୋଷଦର୍ଶୀ ହୁଅନ୍ତି ନାହିଁ।

ଏହା ମଧ୍ୟ ଏକ ଅକାଟ୍ୟ ସତ୍ୟ ଯେ ପ୍ରାୟ ସମସ୍ତେ ନିଜ ବିଷୟରେ ଅନ୍ୟମାନଙ୍କ ମୁହଁରୁ ଭଲ ବା‌ ପ୍ରଶଂସା ଶୁଣିବାକୁ ଚାହାନ୍ତି। କିନ୍ତୁ ଅଧିକ ଦୋଷଦର୍ଶୀ ହେବା ଯେମିତି ଖରାପ, ସେମିତି ଅନ୍ୟ ମୁହଁରୁ ନିଜର ପ୍ରଶଂସା ଶୁଣିବା ଲାଗି ବାଇ ହେବା ମଧ୍ୟ ସେମିତି ଖରାପ। ଏହି ମାତ୍ରାଧିକତା କାରଣରୁ ଆଗ କାଳରେ ରାଜାମାନେ ଚାଟୁକାର ନିୟୋଜିତ କରି ନିୟମିତ ଚାଟୁ ବଚନ ଶୁଣିବାକୁ ଭଲ ପାଉଥିଲେ। ଆଜିକାଲି ମଧ୍ୟ ଅନେକ ପ୍ରଭାବଶାଳୀ ଲୋକ ଅନ୍ୟ ମୁଖରେ ନିଜର ପ୍ରଶଂସା ଶୁଣିବା ଲାଗି କାନକୁହାମାନଙ୍କୁ ପ୍ରଶ୍ରୟ ଦେଉଥିବା ଦେଖାଯାଏ। କିନ୍ତୁ ଯେଉଁମାନେ ପର ମୁହଁରୁ ପ୍ରଶଂସା ଶୁଣିବାରେ ମତ୍ତ ହୋଇ ଉଠନ୍ତି, ସେମାନେ ଅନେକ ସମୟରେ ଆତ୍ମ ନିୟନ୍ତ୍ରଣ ହରାନ୍ତି। ‌େସହି କାନକୁହାମାନଙ୍କ ଉପରେ ସେମାନେ ନିର୍ଭରଶୀଳ ହୋଇପଡ଼ନ୍ତି। ଫଳ ସ୍ବରୂପ ଚିକ୍କଣ କଥା କହୁଥିବା ଲୋକେ ପ୍ରଭାବଶାଳୀ ‌େଲାକଙ୍କ ଚାରି ପାଖେ ବେଢ଼ି ରହି ମିଛ ସତ କହି ଆପଣା ସ୍ବାର୍ଥ ଚରିତାର୍ଥ କରିବାରେ ସଫଳ ହୁଅନ୍ତି।

ଗୁଣୀ ଲୋକେ କହନ୍ତି ଅନ୍ୟର କଥାରେ ପ୍ରଭାବିତ ହୁଅ ନାହିଁ। ନିଜକୁ ଚିହ୍ନିବାର ଚେଷ୍ଟା କର। କାରଣ ଅନ୍ୟ ଦ୍ବାରା ନିନ୍ଦା ବା ପ୍ରଶଂସା ଶୁଣି ପ୍ରଭାବିତ ହେଉଥିବା ବ୍ୟକ୍ତି ଅନ୍ୟ ହାତରେ ନିଜର ମନକୁ ଚାଳନା କରିବାର ସୁଇଚ୍‌ଟି ଦେଇଦିଏ। ତା’ର ଅର୍ଥ ଅନ୍ୟ ଜଣେ ଚାହିଁଲେ ତାକୁ ସୁଖୀ ବା ଦୁଃଖୀ କରିପାରେ। କିନ୍ତୁ ଯେଉଁ ଲୋକ ନିଜକୁ ଠିକଣା ଭାବେ ଚିହ୍ନିଥାଏ, ନିଜକୁ ପରଖି ଥାଏ, ସେ ଅନ୍ୟର ପ୍ରଶଂସା ବା ନିନ୍ଦାରେ ପ୍ରଭାବିତ ବା ବିଚଳିତ ହୁଏନାହିଁ। ଏ ବାବଦରେ ସକ୍ରେଟିସ୍‌ଙ୍କୁ ନେଇ କଥାଟିଏ ଅଛି।

ଜଣେ ବ୍ୟକ୍ତି ସକ୍ରେଟିସ୍‌ଙ୍କ ନିକଟତର ହେବା ଲାଗି ତାଙ୍କୁ ମିଛ ସତ ଲଗାଇ ଅନେକ କଥା କହିଲା। ସେ କହିଲା- ‘ଆଜ୍ଞା, ଅମକ ଲୋକ ଆପଣଙ୍କ ବିଷୟରେ ଏମିତି ସବୁ ଗର୍ହିତ କଥା କହୁଛି। ମୁଁ ତାହା ସହି ପାରୁନାହିଁ।’ ଏହା କହି ସେ ସୂଚାଇ ଦେବାକୁ ଚାହୁଥିଲା ଯେ ସେ ସକ୍ରେଟିସ୍‌ଙ୍କୁ କେତେ ଭଲ ପାଏ! କିନ୍ତୁ ଏହା ଶୁଣି ସକ୍ରେଟିସ୍‌ କହିିଥିଲେ- ‘ଭାଇ, ସେ ତ ମୋ ଉଦ୍ଦେଶ୍ୟରେ କେବଳ ତୀର ମାରିଥିଲା। ତୁମେ ତ ପୂରା ବିନ୍ଧି ଦେଲ!’

ଜଣେ ସାଧାରଣ ଲୋକ ଓ ସକ୍ରେଟିସ୍‌ଙ୍କ ଭଳି ବିଚାରବନ୍ତ ଲୋକଙ୍କ ଭିତରେ ଏହା ହେଉଛି ପ୍ରଭେଦ। କାରଣ ଜଣେ ସାଧାରଣ ଲୋକ ହୋଇଥିଲେ କାନ କୁହା ଶୁୁଣି ଭୁଲ୍‌ ବା ଠିକ୍‌ର ବିଚାର ନ କରି ନିଶ୍ଚିତ ଭାବେ ସେହି ଲୋକ ବିଷୟରେ କିଛି ଧାରଣା ପୋଷଣ କରନ୍ତା; ଆମେ ସମସ୍ତେ ସେଭଳି କରୁ, କେବଳ କିଛି ବିଚାରବନ୍ତଙ୍କୁ ଛାଡ଼ି।

ତେଣୁ ସବୁ ବେଳେ କୁହାଯାଇଥାଏ ଯେ ପର ନିନ୍ଦା କରିବା ପୂର୍ବରୁ ଟିକିଏ ଅଟକି ଯାଇ ନିଜ ଆଡ଼କୁ ଦେଖ। ଗୋଟିଏ ଆଙ୍ଗୁଳି ଅନ୍ୟକୁ ଦେଖାଇଲା ବେଳେ ଦେଖ କେମିତି ତିନିଟି ତୁମ ଆଡ଼କୁ ଚାହିଁ ରହିଛି। କିନ୍ତୁ ଏହାକୁ ମାନି କାର୍ଯ୍ୟରେ ଲଗାଇବା ଲୋକଙ୍କ ସଂଖ୍ୟାରେ ଘୋର ଅଭାବ। କାରଣ ଅନ୍ୟକୁ ଛୋଟ କରି ନିଜକୁ ବଡ଼ କରିବାର ମାଦକତାରେ ମଣିଷ ପର ନିନ୍ଦା କରିବାରେ ଏବଂ ପର ଠାରୁ ଆତ୍ମ ପ୍ରଶଂସା ଶୁଣିବାରେ ମଗ୍ନ। ଏ ନେଇ ସଦ୍‌ବୁଦ୍ଧି ଉଦୟ ହୋଇଥିବା ଲୋକଙ୍କ ସଂଖ୍ୟା ଖୁବ୍ କମ୍।

ଗିଲ୍‌ବାଖ୍ ଷ୍ଟ୍ରାସେ ୯୫ଇ, ୪୧୪୬୬ ନଏସ୍‌, ଜର୍ମାନୀ
[email protected]

ସମ୍ବନ୍ଧିତ ଖବର