ଊନବି˚ଶ ଶତାବ୍ଦୀର ଶେଷ ଆଡ଼ର କଥା। ଜାର୍-ସାମ୍ରାଜ୍ୟର ରୁଷ ଦେଶରେ ସେଣ୍ଟ ପିଟର୍ସବର୍ଗ ସହରରେ ଲୋକଟିଏ ଥିଲା। ଭଲ ଲୋକଟିଏ, କିନ୍ତୁ ବଡ଼ ଦ୍ବେଷୀ। ଇ˚ରେଜୀରେ ଯାହାକୁ କୁହାଯାଏ ସିନିକାଲ୍। ସବୁ ଖରାପ, ସମସ୍ତେ ଖରାପ, କିଛି ଭଲ ନାହିଁ କି ଭଲ ହେବାର ଆଶା ନାହିଁ। କୌଣସି କଥାର କିଛି ଅର୍ଥ ନାହିଁ। ଏଇଆ ଭାବି ଭାବି ଲୋକଟା ସ୍ଥିର କଲା ଯେ ଆତ୍ମହତ୍ୟା ହିଁ ଶ୍ରେଷ୍ଠ ପରିତ୍ରାଣ। ସେ ଲୋକ ନିଜ ପ୍ରାଣ ନେବା ପାଇଁ ରିଭଲଭରଟିଏ ବି କିଣିଲା। କିଛି ଦିନ ପରେ ଦୃଢ଼ ସ˚କଳ୍ପ ହୋଇ ସେ ବାହାରିଲା ନିଜ ଜୀବନ ନେବା ପାଇଁ। ଗୋଟିଏ ଜାଗାରେ ଠିଆ ହୋଇ ସେ ଆକାଶକୁ ଚାହିଁଲା। ଆକାଶରେ ମାତ୍ର ଗୋଟିଏ ତାରା। ସତେ ଯେମିତି ତାହା କହୁଚି ହଁ, ଆତ୍ମହତ୍ୟା ହିଁ ଗୋଟିଏ ସମାଧାନ, ସ˚କଳ୍ପ କରିଚ ଯଦି ଆଗେଇ ଯାଅ। ଲୋକଟାର ମୁଠା, ପକେଟ୍ରେ ଥିବା ରିଭଲଭର ଉପରେ ଦୃଢ଼ ହେଲା। ଠିକ୍ ଏଇ ସମୟରେ ତାଙ୍କୁ ଲାଗିଲା କିଏ ଗୋଟେ ତା’ର ଓଭରକୋଟ୍ର ହାତକୁ ଭିଡ଼ି ଧରିଚି। ଚାହିଁଲା ବେଳକୁ ଲୁହଲାଳ ଏକାକାର କରି କାନ୍ଦି କାନ୍ଦି ଅଥୟ କୁନି ଝିଅଟିଏ ତା’ର ଓଭରକୋଟ୍ର ହାତ ଧରି ତାକୁ ଭିଡୁଚି। କୁନି ଝିଅଟିର କଥା ସ୍ପଷ୍ଟ ବୁଝା ପଡୁ ନ ଥିଲେ ବି ଲୋକଟା କେବଳ ଅନୁମାନ କଲା ଯେ ପିଲାଟି ତାକୁ ତା’ର ମା’ ପାଖକୁ ନେଇ ଯିବା ପାଇଁ ନିଉନ ହୋଇ ଅଳି କରୁଚି। କିନ୍ତୁ ଏ ଲୋକଟା ମୁଣ୍ତରେ ତ ଆତ୍ମହତ୍ୟାର ସ˚କଳ୍ପ, ଭୂତ ହୋଇ ପଶିଚି। ସେ ବିଗିଡ଼ି ଗଲା। କୁନି ଝିଅର ମୁଠାକୁ କୋଟ୍ର ହାତରୁ ରୁକ୍ଷ ଭାବରେ ଛଡ଼େଇ ନେଇ ବର୍ଷିଗଲା ରାଗରେ। ଯାଃ ଏବେ ଆଉ ଆତ୍ମହତ୍ୟା ହବନି।
ସେ ତା’ର ନିଜ ଘରେ ଯାଇ ପହଞ୍ଚିଲା, ରିଭଲଭରଟି ଟେବୁଲ ଉପରେ ଥୋଇଲା ଓ ଭାବିଲା ନିଜ ଘର ଭିତରେ ଆତ୍ମହତ୍ୟା ସବୁଠୁ ସୁବିଧା! କିନ୍ତୁ ଏ କ’ଣ ସେ କୁନିଝିଅଟିର ଲୁହ ଝର ଝର ମୁହଁଟା ତାକୁ ଏତେ ବିବ୍ରତ କରୁଚି କାହିଁକି? ତାକୁ ଗୋଟେ ଅପରାଧ କଲା ଭଳି ଲାଗିଲା। ସେ ଭାବିଲା ସେ ଏତେ ନିଷ୍ଠୁର ହେଇପାରିଲା କେମିତି? ସେ ଗଭୀର ଭାବେ ଅନୁତପ୍ତ ହେଲା। ତଥାପି ଦ୍ରବୀଭୂତ ହୃଦୟରେ ସେ ନିଜକୁ ନିଜ ସ˚କଳ୍ପର ନିକିତିରେ ତଉଲି ନେଲା। ନା ଆତ୍ମହତ୍ୟା ହିଁ ଏକମାତ୍ର ସମାଧାନ। ଠିକ୍ ଅଛି ଆତ୍ମହତ୍ୟା କରାଯିବ ଆଜି ରାତିର ଯେ କୌଣସି ସମୟରେ, ଏଇତ ହାତପାଖରେ ରିଭଲଭର। ଏଇଆ ଭାବୁ ଭାବୁ ସେ ଶୋଇପଡ଼ିଲା। ଗଭୀର ନିଦରେ ସେ ସ୍ବପ୍ନ ଦେଖିଲା ଯେ ନିଜକୁ ଛାତିରେ ଗୁଳି ମାରି ଦେଇଚି ଓ ମରି ଯାଇଚି। ମାଟିତଳେ କଫିନ୍ରେ ଥାଇ ବି ସେ ଜାଣିପାରୁନି ସେ କୋଉ ଅବସ୍ଥାରେ ଅଛି, ଆଃ ମାଟିରୁ ପାଣି ଗଳି କଫିନ୍ ଭେଦ କରି ତା’ ଉପରେ ପଡୁଚି। ଏ ଅସ୍ବସ୍ତିରୁ ତାକୁ ମୁକ୍ତି ଦେବା ପାଇଁ, କିଏ ଆସିଗଲା କି? ସେ ଶୁଣୁଚି କବର ଖୋଳି ତା’ ପାଖରେ ପହଞ୍ଚିଚି ଜଣେ ଦେବଦୂତ, ଯିଏ ତା’ର ହାତ ଧରି ତାକୁ କଫିନ୍ରୁ ଉଠେଇଚି ଓ ନେଇ ଯାଇଚି ଅନ୍ତରୀକ୍ଷରେ ଆଉ କେଉଁ ଗୋଟେ ଜଗତ୍କୁ। ସେଇ ଅନ୍ତରୀକ୍ଷ ମଣ୍ତଳ ଭିତରେ ଠିକ୍ ପୃଥିବୀ ଭଳି ଗୋଟିଏ ଗ୍ରହ େଦଖି ଲୋକଟା ଭାବୁଚି ଏ କ’ଣ ମୁଁ ଛାଡ଼ି ଆସିଥିବା ପୃଥିବୀ? ଦେବଦୂତ ତାକୁ ସେଇ ଗ୍ରହରେ ଓହ୍ଲେଇ ଦେଇଚି। କି ବିଚିତ୍ର ଏ ଗ୍ରହ! ୟାର ନିବାସୀ ସମସ୍ତେ ମଣିଷ ଭଳି, କିନ୍ତୁ ୟାଙ୍କ ଜୀବନ କେତେ ସହଜ, କେତେ ସରଳ, କେତେ ସତ୍ୟବାଦୀ, ସୁସ୍ଥ, ସୁନ୍ଦର ଏ ଲୋକେ। ହି˚ସା ନାହିଁ, ଦ୍ବେଷ ନାହିଁ, ଶଙ୍କା ନାହିଁ, ଅବିଶ୍ବାସ ନାହିଁ, ବିଶ୍ବାସଘାତ ନାହିଁ, ଶଠାଚାର ନାହିଁ! ଆହା; କି ଜୀବନ! ଲୋକଟା ସେ ଗ୍ରହର ଅଧିବାସୀଙ୍କ ସହିତ ରହିବା ଭିତରେ ତା’ର ପ୍ରତିପତ୍ତି ବଢ଼ିଚି, ବିଶ୍ବସନୀୟତା ବଢ଼ିଚି। ସେ ଚାହିଁଚି ସେ ଯେଉଁ ପୃଥିବୀରୁ ବିଦାୟ ନେଇ ଆସିଚି, ତା’ ଭିତରେ ଯେଉଁ ପ୍ରଚୁର ଅନୁଭୂତି ଗଚ୍ଛିତ ହୋଇଅଛି, ସେଥିରୁ କିଛି ଏ ଲୋକଙ୍କୁ ଦିଅନ୍ତା କି! ସୁଯୋଗ ପାଇ ଯେଉଁ ଶିକ୍ଷା ସେ ଏ ନୂଆ ଗ୍ରହର ଅଧିବାସୀଙ୍କୁ ଦେଲା, ତାହା ଥିଲା ‘ମିଛ କହିବା’।
କେମିତି ମିଛ କୁହାଯାଏ, ମିଛ ପ୍ରକୃତରେ କ’ଣ, ଏ ଶିକ୍ଷା ପାଇ ନୂଆ ଗ୍ରହର ଅଧିବାସୀଙ୍କ ଦେହରେ ସତେ ଅବା ଶିହରଣ ଖେଳିଗଲା। କି ସୁନ୍ଦର ଏ ମିଛ! ସେମାନେ ଖୁସିରେ ଖୁସିରେ ଘରକୁ ଫେରିଲେ, କିନ୍ତୁ ଠିକ୍ ତା’ ପର ଦିନ ଆରମ୍ଭ ହେଇଗଲା ମିଛର ଉପଦ୍ରବ। ଘର କଳି ଭୟଙ୍କର ହେଲା। ଲୋକେ ଅମାନିଆ ହେଲେ, ଆଇନ ଭାଙ୍ଗିଲେ, ଉପଦ୍ରବ କଲେ, ହି˚ସା ଆରମ୍ଭ ହେଲା। ବିଚ୍ ରାସ୍ତା ଉପରେ ଗୋଟେ ହତ୍ୟାକାଣ୍ତ ବି ଘଟିଗଲା। ଏଥିରେ ଅନୁତପ୍ତ ଲୋକଟି ଏମିତି କାହିଁକି କଲା ବୋଲି କଷ୍ଟ ପାଉଥିବା ବେଳେ ହଠାତ୍ ତା’ର ସ୍ବପ୍ନ ଓ ନିଦ ଭାଙ୍ଗିଗଲା। ସେ ଉଠି ଦେଖିଲା ସେ ତା’ ନିଜ ଘରେ ହିଁ ଶୋଇଯାଇଥିଲା। ଲୋକଟା କିନ୍ତୁ ବଦଳି ଯାଇଥିଲା। ତା’ର ହୃଦୟ ସ୍ନେହ, କରୁଣା, ଅନୁତାପ ଓ ଅନୁଶୋଚନାରେ ଭରି ଯାଇଥିଲା। ପୃଥିବୀ ତାକୁ ସୁନ୍ଦର ଲାଗୁଥିଲା। ସବୁ କିଛି ଥିଲା ଅର୍ଥମୟ। ମଣିଷର ସ୍ବପ୍ନ ସାର୍ଥକ ହେବ ଯଦି ସବୁ ମଣିଷ ସ୍ବପ୍ନ ଦେଖନ୍ତି ଗୋଟିଏ ସୁନ୍ଦର ଭବିଷ୍ୟତ୍ର। ଆମର ଏ ବିଶ୍ବରେ ମଣିଷର ପତନ ଅନ୍ତିମ ନୁହେଁ, ଆଶାବାଦ ହିଁ ଗୋଟିଏ ଦ୍ବିତୀୟ ବିଶ୍ବ ନିର୍ମାଣ କରିପାରିବ। ସେ ନିଜେ ଦ୍ବିତୀୟ ବିଶ୍ବରେ ମିଥ୍ୟାର କୀଟ ପ୍ରବେଶ କରାଇଥିଲା। ମଣିଷର ପତନ ପାଇଁ ମଣିଷ ନିଜେ ଦାୟୀ। ମଣିଷର ସବୁଠୁ ବଡ଼ ଦାୟିତ୍ବହୀନତା ‘ଦ୍ବେଷ’, ବା ସିନିସିଜମ୍!
ଏ କାଳଜୟୀ ଗଳ୍ପଟିର ରଚୟିତା ବିଶ୍ବର ସର୍ବକାଳୀନ ସର୍ବଶ୍ରେଷ୍ଠ ଔପନ୍ୟାସିକ ଫିଓଦୋର ଦସ୍ତୟେଭସ୍କି। ଏ ଗଳ୍ପଟି ମୋର ମନକୁ ଆସିଥିଲା ଫିଓଦୋର ଦସ୍ତୟେଭସ୍କିଙ୍କ ଜନ୍ମର ଦୁଇଶହ ବର୍ଷ ପାଳନ କରିବା ଅବସରରେ ତାଙ୍କ ସାହିତ୍ୟ ଚର୍ଚ୍ଚା ପାଇଁ ଆୟୋଜିତ ଗୋଟିଏ କ୍ଷୁଦ୍ର ସଭାର। ମୁଁ କିନ୍ତୁ ଏହି ଗଳ୍ପ ବିଷୟରେ କିଛି କହି ନ ଥିଲି। ତେବେ, ବହୁଦିନ ତଳେ ପଡ଼ିଥିବା ଏହି ଗଳ୍ପଟି ମୋ ପାଇଁ ଆଉ ଗଳ୍ପ ବା ସାହିତ୍ୟର ବିଷୟ ହୋଇ ରହିନାହିଁ। ଏ ଭିତରେ ଏ ଗଳ୍ପ ସମାଜ, ରାଜନୀତି ପାଇଁ ଏକ ‘ମେଟାଫର୍’ରେ ପରିଣତ ହୋଇଚି। ଗଳ୍ପର ଚରିତ୍ର ଆଉ ‘ସେଇ ଲୋକଟା’ ନୁହେଁ, ଆମେ ସମସ୍ତେ। ଗଳ୍ପର ସ୍ଥାନ ରୁଷ୍ର ସେଣ୍ଟପିଟର୍ସବର୍ଗ ନୁହେଁ, ଆମର ମାନବିକ ମୂଲ୍ୟବୋଧହୀନ, ବିଜ୍ଞାନ-ପ୍ରଯୁକ୍ତି-ବାଣିଜ୍ୟ ପରିଚାଳିତ ସ୍ବାର୍ଥୀ ବିଶ୍ବ। ଏଇ ସ୍ବାର୍ଥୀ ବିଶ୍ବରେ ନା ଦେବାଳୟର ଘଣ୍ଟା ଧ୍ବନି କାନରେ ପଡ଼େ ନା ଦୁଃସ୍ଥର ଆର୍ତ୍ତସ୍ବର! ସ୍ବ-ମୟତାର ସ˚ସାରରେ ବିଶ୍ବ ନିଜର ନୁହେଁ, ଏକ ବୈଜ୍ଞାନିକ ଓ ରାଜନୈତିକ ‘ଅପର’। ନିଜର ବିଫଳତା, ନୀଚତା ଓ ପରାଜୟ ଆତ୍ମଘାତର କାରଣ ହୋଇପାରେ। ଏଠି କରୁଣା ମଣିଷର ସୁପ୍ତ ବିବେକକୁ ଜାଗ୍ରତ କରାଇପାରେ ନାହିଁ। ନିଜର ମିଥ୍ୟାରେ ସତ୍ୟକୁ ଭ୍ରଷ୍ଟ କରିଥିବା ମଣିଷ ଅନୁତାପ ବି କରି ଜାଣେ ନାହିଁ।
ବର୍ତ୍ତମାନ ଯୁବ ପିଢ଼ି ସହିତ ମୁଁ ଓତପ୍ରୋତ ଜଡ଼ିତ। ମୋର ସର୍ବାଧିକ ବନ୍ଧୁ ତରୁଣ ବା ଯୁବକ। ସେମାନେ ତାଙ୍କ ପାଠରେ ଅତି ବିଚକ୍ଷଣ। ସେମାନେ ସାହିତ୍ୟ ବି ଲେଖନ୍ତି ଓ ପଢ଼ନ୍ତି। ଅବସର ସମୟରେ ଦେଶ ଓ ବିଶ୍ବର ସ୍ଥିତି ବିଷୟରେ ସେମାନେ ଆଲୋଚନା ବି କରନ୍ତି। ସେହି କ୍ରମରେ ମୁଁ ଜାଣିବାକୁ ଚାହିଁଚି ତାଙ୍କର ସମାଜ, ରାଜ୍ୟ, ଦେଶ, ରାଷ୍ଟ୍ର ଓ ବିଶ୍ବ ବିଷୟରେ ସେମାନେ କ’ଣ ଭାବନ୍ତି।
ଏ କ’ଣ ଏକ କରୁଣ ଓ ବିସ୍ମୟକର ଉପଲବ୍ଧି ନୁହେଁ ଯେ ସେମାନେ ସମସ୍ତେ ଭାବନ୍ତି: (୧) ବର୍ତ୍ତମାନ ସମୟ ଖରାପ। (୨) କିଛି ଭଲ ହେବାର ଆଶା ନାହିଁ (୩) ରାଜନୀତି ଏକ ବର୍ଜିତ ଇଲାକା (୪) ରାଜନେତାମାନେ ବିଶ୍ବାସର ଯୋଗ୍ୟ ନୁହନ୍ତି (୫) ସବୁ ସରକାର ଦୁର୍ବଳ (୬) ସମସ୍ତେ ଭ୍ରଷ୍ଟ (୭) ସହଜିଆ ମାର୍ଗରେ ବେଶି ଲାଭ (୮) ସ୍ବପ୍ନ ଦେଖିବା ବୃଥା (୯) ଟଙ୍କାଠୁ ବଳି ବଡ଼ ସ˚ପଦ କିଛି ନାହିଁ। (୧୦) ଧନୀ ଲୋକମାନେ ଦେଶର ଭାଗ୍ୟ ନିୟନ୍ତା। (୧୧) ଆଦର୍ଶବାଦ ବୋଲି କିଛି ନାହିଁ (୧୨) ବିଚାରଧାରା, ସେ ପୁଣି କ’ଣ? (୧୩) ସ୍ବାର୍ଥସାଧନ ପାଇଁ ପରିଶ୍ରମ କରିବା ଠିକ୍, କୌଣସି ଆଦର୍ଶ ପଛରେ ଗୋଡ଼େଇବା ଭୁଲ୍। (୧୪) ଯେତିକିରେ କଥା କହି ହେଉଚି, ସେତିକି ଠିକ୍ (୧୫) ଲମ୍ବା ପାଠ ପଢ଼ିବା ବଡ଼ ବିରକ୍ତିକର, ବୁଲେଟ୍ ପଏଣ୍ଟ କହ (୧୬) କରୁଣା ଭଲ ଯେ କରୁଣା ପାଇଁ ବି ଟଙ୍କା ପଇସା ଦରକାର (୧୭) ଟଙ୍କା ରୋଜଗାର ଯୋଉ ସୂତ୍ରରୁ ବି ହେଉ ରୋଜଗାର ତ! (୧୮) ଉତ୍କୃଷ୍ଟ ହେବାର ସ୍ବପ୍ନ ଦେଖିବା ଅପେକ୍ଷା ‘ସାଉଣ୍ତ୍ ମିଡିଓକର୍’ର ବାସ୍ତବତାରେ ବ˚ଚିବା ଶ୍ରେୟସ୍କର।
ଏଇ ଅଠରଟି ସାମ୍ନାରେ। ମୁଁ ନୋଟ୍ କରିିଥିବା ପଏଣ୍ଟଗୁଡ଼ିକ ବୋଧହୁଏ ଶତାଧିକ ହେବେ। କିନ୍ତୁ ଏ ସବୁଗୁଡ଼ିକର ସାରା˚ଶ ଦସ୍ତୟେଭସ୍କିଙ୍କ ଗଳ୍ପର ଚରିତ୍ରର ଦ୍ବେଷ ବା ସିନିସିଜମ୍ର ମୂଳ ତଥ୍ୟରେ ନିହିତ।
ଦ୍ବେଷ ଦୃଷ୍ଟିର ସବୁଠୁ ବିପଜ୍ଜନକ ପ୍ରଭାବ ସମାଜ ଓ ରାଜନୀତି ଉପରେ, କାରଣ ଏ ଦୁଇଟି କ୍ଷେତ୍ରରେ ବ୍ୟକ୍ତିର ଭୂମିକା ଭୋକ୍ତାର ନୁହେଁ, ପରିଚାଳକର। ବ୍ୟକ୍ତିମାନେ ସମାଜ ଗଢ଼ନ୍ତି, ବ୍ୟକ୍ତିମାନେ ବି ରାଷ୍ଟ୍ରର ପରିଚାଳନା ପାଇଁ, ଗଣତନ୍ତ୍ରର ସୁବିନ୍ୟାସ ପାଇଁ ରାଜନୀତି କରନ୍ତି। ଏ ଦୁଇ କ୍ଷେତ୍ରକୁ ନେଇ ନାଗରିକଙ୍କର ବା କହିପାରନ୍ତି ଭବିଷ୍ୟତ୍ର ନାଗରିକଙ୍କର ଦ୍ବେଷ ଭାବ ବା ସିନିସିଜମ୍ ସାମାଜିକ ନେତୃତ୍ବ ଓ ରାଜନୈତିକ ନେତୃତ୍ବ, ଦୁଇଟି ଯାକର ବିକାଶରେ ଅନ୍ତରାୟ ହୋଇ ଠିଆ ହେଲାଣି। ଗଣତନ୍ତ୍ରର ପ୍ରୟୋଗ ପ୍ରାୟ ଚାରିଶହ ବର୍ଷ ହେଲାଣି ଆଧୁନିକ ବିଶ୍ବରେ। ଏ ଭିତରେ ବିଶ୍ବରେ ତଥା ଆମ ନିଜ ଦେଶରେ କି ପ୍ରକାରର ସାମାଜିକ ଓ ରାଜନୈତିକ ନେତୃତ୍ବ ବିକଶିତ ହେବାର ଚିତ୍ର ଆମେ ଦେଖିଚେ? ଆମରି ଆଖି ଆଗରେ ଆମ ପିତୃପୁରୁଷଙ୍କ ଦ୍ବାରା ସ୍ଥାପିତ ମର୍ଯ୍ୟାଦା ଭୂଲୁଣ୍ଠିତ ହୋଇଚି। ସେମାନେ ଦେଶର ମୁକ୍ତି ପାଇଁ ସ˚ଗ୍ରାମ କରିଥିଲେ ଓ ସମାଜରୁ କୁସ˚ସ୍କାର ହଟାଇବା ପାଇଁ ଜୀବନ ଉତ୍ସର୍ଗ କରିଥିଲେ। ଆମ ପିଢ଼ି, ଅର୍ଥାତ୍ ଯେଉଁମାନେ ସ୍ବାଧୀନତାର ଆଖପାଖରେ ଜନ୍ମ ହୋଇଥିଲେ, କୌଣସି ନୂଆ ଆଦର୍ଶ ସ୍ଥାପିତ କରିପାରିନାହିଁ କି କୌଣସି ବିଶେଷ ମୂଲ୍ୟବୋଧକୁ ପ୍ରତିଷ୍ଠିତ କରିବା ପାଇଁ ଉଦ୍ୟମ କରିନାହିଁ। ବି˚ଶ ଶତାବ୍ଦୀର ଷଷ୍ଠ ଦଶକ ପରେ ଜ୍ଞାନପ୍ରାପ୍ତ ହୋଇଥିବା ଆମର ପିଢ଼ି ନୂଆ ରାଷ୍ଟ୍ରରେ ଗଣତନ୍ତ୍ର ଓ ସାମାଜିକ ସ˚ଘର୍ଷରେ ପକ୍ଷପାତୀ ହୋଇ ଲଢ଼ି ପାରିଥା’ନ୍ତା ବା ଅତି କମ୍ରେ ମଧୢସ୍ଥତା କରିପାରିଥା’ନ୍ତା। କିନ୍ତୁ ତାହା ହେଲା ନାହିଁ। ଆମ ପିଢ଼ି ସୁବିଧାବାଦ, ସୁଯୋଗବାଦ ଓ ଭ୍ରଷ୍ଟାଚାରର ମୂଳପିଣ୍ତ ନିର୍ମାଣ କଲା। ଷଷ୍ଠ ଦଶକରୁ ଅଷ୍ଟମ ଦଶକ ଏହି କୋଡ଼ିଏ ତିରିଶ ବର୍ଷ ଭିତରେ ଭ୍ରଷ୍ଟାଚାର, ବ˚ଶବାଦ, ମୁନାଫାଖୋରି, କଳାବଜାରିର ତତ୍ତ୍ବ ବି ଲେଖା ହୋଇଗଲା। ଆମ ପିଲାଏ, ଆମଠୁ କିଛି ଶିଖିନାହାନ୍ତି, ବର˚ ନିଜର ପିତୃପୁରୁଷଙ୍କ ଅକ୍ଷମତା, ବିବେକହୀନତା ଓ ନିର୍ମମତା ଦେଖି ବିସ୍ମିତ ହୋଇଚନ୍ତି ଓ କ୍ରମେ ସେହି ମାର୍ଗକୁ ଆଦରି ନେଇଚନ୍ତି। ସେମାନେ ହତୋତ୍ସାହିତ, ନିରାଶ; ମଧୢମ ଧରଣର ସଫଳତାରେ ସନ୍ତୁଷ୍ଟ।
ବିଶ୍ବର ସ୍ଥିତି କ’ଣ ଏଇଆ? ଡେକ୍କର ଓ ମେଇଜେରିଙ୍କ୍ ପର୍ତ୍ତୁଗାଲର ୫୪୩ ଜଣ ଡଚ୍ ତରୁଣ ତରୁଣୀଙ୍କୁ ନେଇ ଗୋଟିଏ ଅନୁସନ୍ଧାନ କରିଥିଲେ ୨୦୧୨ରେ। ତା’ର ଫଳ ବାହାରିଲା ଏଇ ଯେ ପ୍ରାୟ ସମସ୍ତେ ଦ୍ବେଷଗ୍ରସ୍ତ ସମାଜକୁ ନେଇ, ନିଜ ଦେଶର ରାଜନୀତି ଓ ରାଷ୍ଟ୍ର ପରିଚାଳନାକୁ ନେଇ ଅସନ୍ତୁଷ୍ଟ ଓ ରାଜନୀତି ଏକ ନିମ୍ନସ୍ତରର କାର୍ଯ୍ୟ ବୋଲି ତାଙ୍କର ବିଚାର। ୟା ସହିତ ପୁଣି ଏ ନିଷ୍କର୍ଷ ବି ଅଛି ଯେ ରାଜନୀତି ବା ରାଷ୍ଟ୍ର ପରିଚାଳନାର ବ୍ୟବସ୍ଥାକୁ ସେମାନେ ବୁଝନ୍ତି ନାହିଁ। ସେମାନେ କେବଳ କ୍ରୁଦ୍ଧ ଓ ଅସନ୍ତୁଷ୍ଟ। ରାଜନୀତିକୁ ସେମାନେ ସମ୍ମାନ ଦିଅନ୍ତି ନାହିଁ, କାରଣ ଘରେ ତାଙ୍କର ପିତାମାତା ରାଜନୀତିକୁ ହେୟଜ୍ଞାନ କରନ୍ତି। ଆମେରିକାରେ ନାଗରିକଙ୍କ ଭିତରେ ଦ୍ବେଷ ଭାବ ବା ସିନିସିଜମ୍ ଦଶର ସ୍କେଲ୍ରେ ସାତ ଟପିଲାଣି। ମୁଁ ତ କହିବି ଯେ ‘ପ୍ରତ୍ୟୟହୀନ ବିରକ୍ତି’ର ସ୍ବଭାବ ସର୍ବାଧିକ ମାରାତ୍ମକ ଯାହା ସମାଜକୁ ଆବୋରି ଗଭୀରରୁ ଗଭୀରରେ ହେଉଛି।
ତେବେ ଆମେ କ’ଣ କରିବା? ସମାଜର ଦୁର୍ବଳତା ଓ ବିସ˚ଗତିକୁ ସୁଧାରିବା ପାଇଁ କର୍ମୀ କୋଉଠୁ ପାଇବା। ଏନ୍.ଜି.ଓ ଗୁଡ଼ିକ ବିଶ୍ବରେ ବିଭିନ୍ନ କ୍ଷେତ୍ରରେ ଅନେକ କାମ କରିଚନ୍ତି, କିନ୍ତୁ ତାଙ୍କର କାମର ଆକଳନ କଲେ ଆପଣ ଜାଣିବେ ଯେ ସେମାନେ ‘ବସ୍ତୁ’ ଆକାରରେ ବ˚ଚିତ ଦ୍ବାରରେ ଲାଭ ପହୁଞ୍ଚାଉଥିଲା ଯାଏଁ ବ˚ଚିତ ତାଙ୍କୁ ପ୍ରଶ˚ସା କରେ। କିନ୍ତୁ ଏନ୍.ଜି.ଓ.ର ବିଚାରଧାରା ଦ୍ବାରା ପ୍ରଭାବିତ ହୋଇ ସ୍ବବିକାଶର ମାର୍ଗ ପାଇଥିବା ଭୋକ୍ତା କାହାନ୍ତି। କାଁ ଭାଁ କ୍ଷୁଦ୍ର ସ୍ବବିକାଶର ନମୁନା, ଦେଶ ବା ରାଷ୍ଟ୍ରର ଭବିଷ୍ୟ ଦୃଷ୍ଟିକୁ ଆଶାରେ ପରିଣତ କରିପାରିଚନ୍ତି କି? ଏନ୍.ଜି.ଓ.ମାନେ ନିଜେ ବ˚ଚି ରହିବାର ସ˚କଟ ଦେଇ ଯା’ନ୍ତି, ସରକାରୀ ଅନୁଦାନ ପର୍ଯ୍ୟାପ୍ତ ହୁଏ ନାହିଁ, କିନ୍ତୁ ସବୁଠୁ ବଡ଼ କଥା ଏଥିରେ ଲୋକେ ଚାକିରି କରନ୍ତି, ସେବାର ମୂଳ ଭାବ ଏମାନଙ୍କ ପାଖରେ ନାହିଁ।
ଦେଶର ନିର୍ଣ୍ଣାୟକ ନାଗରିକ ପିଢ଼ି ଯଦି ହତାଶ ହେବାର ପ୍ରବଣତାକୁ ଜୀବନଶୈଳୀ ଭାବରେ ଗ୍ରହଣ କରିନେବେ ତେବେ ଦେଶ, ସମାଜ ଓ ରାଷ୍ଟ୍ରର ଭବିଷ୍ୟତ୍ କ’ଣ ହେବ? କିଏ କହିବ ଏ ହତାଶ ପିଢ଼ିଙ୍କୁୁ ଯେ ତାଙ୍କର ଅଜ୍ଞତା, ବିରକ୍ତି ବା ଉଦାସୀନତା ଦସ୍ତୟେଭସ୍କିଙ୍କ ଗଳ୍ପ ‘ଦ ଡ୍ରିମ୍ ଅଫ୍ ଏ ରିଡିକ୍ୟୁଲସ୍ ମ୍ୟାନ୍’ର ସେହି ଚରିତ୍ର ଭଳି ନିଜର ଅଦୃଶ୍ୟ ବିଲୟ ବା ଆତ୍ମଘାତ ପାଇଁ ପ୍ରସ୍ତୁତ କରୁଚି। ଆଶା, ସନ୍ତୋଷ, ଉତ୍ତମ! ସାହସ, ସ୍ବପ୍ନ, ଉତ୍କର୍ଷ! ଏସବୁକୁ ବ˚ଚେଇ ନ ପାରି ଆତ୍ମଘାତୀ ହୋଇଯାଇଥିବା ସେହି ଗଳ୍ପର ଚରିତ୍ର ନିଜକୁ ଜଣେ ‘ହାସ୍ୟାସ୍ପଦ’ ମଣିଷ ବୋଲି ବର୍ଣ୍ଣନା କରିଚି। ଆମେ କ’ଣ ସେଇ ହାସ୍ୟାସ୍ପଦ ଲୋକ? ଏ ଯୁବ ପିଢ଼ି କ’ଣ ଆମର ହାସ୍ୟାସ୍ପଦ ପିଲାଏ? ଏସବୁର ମୂଳରେ ବୋଧହୁଏ ଆମର ଶିକ୍ଷା-ଦର୍ଶନର ଘୋର ଅକ୍ଷମତା ଓ ଅସହାୟତା। ଉଦାରବାଦୀ ଶିକ୍ଷାର ଗୋଟିଏ ବଡ଼ ଦୁର୍ବଳତା ଗୁଣ-କର୍ମ ତଥା ବ୍ୟକ୍ତି-ବିଶ୍ବ ବିଭାଜନ। ଅର୍ଥାତ୍ ନିକଟତମ ସତ୍ୟକୁ ଆଡ଼ କରି ସୁଦୂରତମ କଳ୍ପନାର ବିକାଶ। ଯେମିତି ମିଥ୍ୟା ପ୍ରବେଶ କଲା ପରେ ଘଟିଲା ହାସ୍ୟାସ୍ପଦ ଲୋକଟିର ଆଖି ଆଗରେ, ଦ୍ବିତୀୟ ପୃଥିବୀରେ। ଜୀବନ ଠାରୁ ଜୀବନର ତତ୍ତ୍ବଜ୍ଞାନ ବଡ଼ ହୋଇଗଲା, ସୁଖ ଠାରୁ ସୁଖର ଜ୍ଞାନସୂତ୍ର ବଡ଼ ହୋଇଗଲା, ବ୍ୟକ୍ତି ଠାରୁ ବିଶ୍ବ ବଡ଼ ହୋଇଗଲା; ତେଣୁ ଜ୍ଞାନୀଙ୍କ ଦୃଷ୍ଟି ସବୁବେଳେ ସୁଦୂରରେ ନିବିଷ୍ଟ ରହିଲା, ନିକଟତମ ଜୀବନଟି ଟିକିଏ ସ୍ନେହ ବା କରୁଣା ପାଇଲା ନାହିଁ। ଜୀବନର ବ୍ୟର୍ଥତାକୁ ଦାର୍ଶନିକ ଦୃଷ୍ଟିରେ ଦେଖି ଆତ୍ମହତ୍ୟା କରିବାକୁ ବାହାରିଥିବା ଲୋକଟି ପାଇଁ ଛୋଟ ଝିଅଟିର ଦୁଃଖ ଟିକେ କରୁଣା ଉଦ୍ରେକ କରିପାରିଲା ନାହିଁ।
ଆମ ସମାଜ ଓ ରାଜନୀତି ଯେଉଁ ହାସ୍ୟାସ୍ପଦ ଦ୍ବେଷ ଭରି ଦେଇଚି, ତା’ର କାରଣ ସମାଜ ବା ରାଜନୀତି ନୁହେଁ। ତା’ର କାରଣ ଆମ ନିଜର ଦୃଷ୍ଟିକୋଣ। ଆମର ମାନବୀୟ ଶିକ୍ଷା ଭ୍ରଷ୍ଟ ହୋଇଯାଇଛି। ପ୍ରକୃତି ବ୍ୟତୀତ ମଣିଷକୁ ୟୁନିଭର୍ସାଲ ବା ସାର୍ବଜନୀନ ସୂତ୍ର କେହି ଦେଇପାରିବେ ନାହିଁ। ମଣିଷ, ମଣିଷକୁ ଅଣଦେଖା କରି ମଣିଷତ୍ବର ସାର୍ବଜନୀନ ତତ୍ତ୍ବର ବନ୍ଦନା କରିବା ଏକ ଆସ୍ପର୍ଦ୍ଧା। ସେ ଆସ୍ପର୍ଦ୍ଧା ଯଦି ମଣିଷର ବୌଦ୍ଧିକ ବିକାଶ, ତେବେ ରହୁ, କିନ୍ତୁ ନିକଟତମ ମଣିଷଟିକୁ ନିଜର ବୋଲି ଭାବିବାର କରୁଣା ମରି ନଯାଉ। ଏଥିପାଇଁ ମଣିଷ ସମାଜରେ ମାନବୀୟ ପାଠର ମୂଳଦୁଆ ପୁଣିଥରେ ପଡୁ। ହଁ, ଆଶା ଅଛି, ବିଶ୍ବାସ ଅଛି! ହଁ ସୁଖ ଅଛି, ସମ୍ଭାବନା ଅଛି, ଶାନ୍ତି ଅଛି। ହଁ, ଏ ମୋର ଭାଇ, ଏ ମୋ ଗାଁ, ଏ ମୋ ଭାଷା, ଏ ମୋ ରାଜ୍ୟ, ଏ ମୋ ଦେଶ। ମୁଁ ଏମାନଙ୍କର, ଏମାନେ ମୋର! ଦ୍ବେଷ କାହାକୁ କରିବି? ଦ୍ବେଷ କରିବି ନିଜକୁ? ହାସ୍ୟାସ୍ପଦ ହେବି? ସନ୍ଥ କବୀର କହିଲେ: ଭଲ କ’ଣ, ଖରାପ କ’ଣ ଖୋଜିବାକୁ ଗଲି ଯେ ଦେଖିଲି ଏ ଦୁନିଆରେ ସମସ୍ତେ ଭଲ, ଖରାପ ଏକା ମୁଁ ।
ବାଗର୍ଥ, ଏନ୍ ୨/୨୬
ଆଇଆର୍ସି ଭିଲେଜ୍, ଭୁବନେଶ୍ବର-୧୫
ମୋ-୯୪୩୭୦୩୯୮୫୮