ଗୁରୁ ନାନକଦେବ ଓ ଭକ୍ତକବି ଜୟଦେବ

ସାହିତ୍ୟିକ ପାଣିପାଗ - ଅସିତ ମହାନ୍ତି

ଗୌତମ ବୁଦ୍ଧଙ୍କ ପରି, ଗୁରୁ ନାନକ ମଧ୍ୟ ‘ପୂର୍ଣ୍ଣିମା ପୁରୁଷ’। କାରଣ, ତାଙ୍କର ଜନ୍ମ କାର୍ତ୍ତିକ ପୂର୍ଣ୍ଣିମାରେ। ସେଥିପାଇଁ ୨୦୧୯ ମସିହା କାର୍ତ୍ତିକ ପୂର୍ଣ୍ଣିମା ଅବସରରେ, ଭାରତବର୍ଷର ଉତ୍ତର-ପଶ୍ଚିମ ରାଜ୍ୟ ପଞ୍ଜାବର ଗୁରୁଦାସପୁରଠାରେ, ଆୟୋଜିତ ହୋଇଥିଲା ‘ପ୍ରକାଶ ଉତ୍ସବ’ ନାମରେ ଏକ ବିରାଟ ଆଧ୍ୟାତ୍ମିକ ସମ୍ମିଳନୀ। କାରଣ, ତାହା ଥିଲା ଗୁରୁ ନାନକଙ୍କ ୫୫୦ତମ ପ୍ରକାଶ (ଆବିର୍ଭାବ) ବର୍ଷ। ସେହି ଉପଲକ୍ଷେ ଆୟୋଜିତ ଆନ୍ତର୍ଜାତିକ ଆଲୋଚନାଚକ୍ରରେ ଯୋଗଦେବାର ସୌଭାଗ୍ୟ ଏହି ଲେଖକର ହୋଇଥିଲା ଏବଂ ତାହାର ଆଲୋଚ୍ୟ ବିଷୟ ଥିଲା ‘ଗୁରୁ ନାନକଦେବ ଓ ଭକ୍ତକବି ଜୟଦେବ’।

ଗୁରୁ ନାନକଦେବଙ୍କର ସମୟ ୧୪୬୯-୧୫୩୯ ଖ୍ରୀଷ୍ଟାବ୍ଦ। ଭକ୍ତକବି ଜୟଦେବଙ୍କର ସମୟ ୧୧୭୦-୧୨୪୫ ଖ୍ରୀଷ୍ଟାବ୍ଦ ବୋଲି କୁହାଯାଏ। ଏଣୁ ଏ ଉଭୟଙ୍କ ମଧ୍ୟରେ ସମୟର ବ୍ୟବଧାନ ପ୍ରାୟ ତିନି ଶତାବ୍ଦୀ। ଅଥଚ ପ୍ରାୟ ତିନି ଶହ ବର୍ଷର କାଳଗତ ବ୍ୟବଧାନ ସତ୍ତ୍ୱେ, ଭକ୍ତି ଓ ଭାବନାର ସୂତ୍ରରେ ଏ ଦୁହେଁ ଯେପରି ବନ୍ଧା- ତାହା ଦୀର୍ଘ ପ୍ରାୟ ଆଠ ଶତାବ୍ଦୀ ପରେ ବି ପଞ୍ଜାବ ଓ ଓଡ଼ିଶାକୁ ଏକ ସମନ୍ୱୟର ସୂତ୍ରରେ ବାନ୍ଧି ଦେଇଛି।

ଗୁରୁ ନାନକଙ୍କର ଓଡ଼ିଶା ସହିତ, ବିଶେଷକରି ପୁରୀ ଓ ଶ୍ରୀଜଗନ୍ନାଥଙ୍କ ସହିତ ସଂପର୍କର କେତେକ ବିବରଣୀ ଇତିହାସରେ ଲିପିବଦ୍ଧ ଏବଂ କିଂବଦନ୍ତିରେ ପ୍ରଚଳିତ। ଏହି ସ୍ତମ୍ଭର ଏକ ପୂର୍ବ ଲେଖ (‘ଗଗନ ଥାଳରେ ସୂର୍ଯ୍ୟ ଓ ଚନ୍ଦ୍ରମା…’, ଡିସେମ୍ବର ୪, ୨୦୨୦)ରେ ଏ ସଂପର୍କରେ କେତେକ ବିବରଣୀ ପ୍ରଦତ୍ତ ହୋଇଛି। ତାହା ଅନୁସାରେ, ୧୫୦୬ ଖ୍ରୀଷ୍ଟାବ୍ଦରୁ ଯାତ୍ରା ଆରମ୍ଭ କରି, ଗୁରୁ ନାନକ ଭାରତବର୍ଷ ସମେତ ସାତଟି ଦେଶ ପଦବ୍ରଜରେ ପରିଭ୍ରମଣ କରିଥିଲେ। ତା’ ମଧ୍ୟରେ ଥିଲା ଭାରତର ହିମାଳୟଠାରୁ କୁମାରିକା ପର୍ଯ୍ୟନ୍ତ କ୍ଷେତ୍ର। ମକ୍କା, ମଦିନା, ତୁର୍କୀ, ଚୀନ୍ ଓ ଶ୍ରୀଲଙ୍କା ଆଦି ବି ଏହି ଯାତ୍ରାର ଅନ୍ତର୍ଭୁକ୍ତ ଥିଲା। ଦୀର୍ଘ ପ୍ରାୟ ୨୫ ବର୍ଷ ସେ ଏହି ‘ଉଦାସୀ’ ବା ପରିବ୍ରାଜକ ଜୀବନ ବିତାଇଥିଲେ। ସେଥିମଧ୍ୟରୁ ପୁରୀରେ ବିତିଥିଲା ୨୪ ଦିନ।

ବିଭିନ୍ନ ସୂତ୍ରରୁ ଜଣାଯାଏ, ଯେ ଗୁରୁ ନାନକଦେବ ଶ୍ରୀକ୍ଷେତ୍ର ପୁରୀ ଆସିଥିଲେ ୧୫୧୦ ଖ୍ରୀଷ୍ଟାବ୍ଦରେ। କିନ୍ତୁ ଭୁବନେଶ୍ୱରର ‘ସନ୍ଥବାଣୀ ଟ୍ରଷ୍ଟ’ର ପ୍ରୋତ୍ସାହନରେ, ଗଣନାଥ ଦାସଙ୍କ ଦ୍ୱାରା ପ୍ରସ୍ତୁତ ‘ନାନକ ଶତକ’ (ବିଦ୍ୟାପୁରୀ, କଟକ, ୧୯୯୧) ଅନୁସାରେ, ଗୁରୁ ନାନକଦେବଙ୍କ ଶ୍ରୀକ୍ଷେତ୍ର ପଦାର୍ପଣର ବର୍ଷ ୧୫୦୮। ଭୁବନେଶ୍ୱରର ‘ସିଂହସଭା’ ସଂସ୍ଥାଙ୍କ ସହାୟତାରେ, ସର୍ଦ୍ଦାର ସନ୍ତୋକ ସିଂହଙ୍କ ଉଦ୍ୟମ ଓ ନେତୃତ୍ୱରେ ‘ସନ୍ଥବାଣୀ ଟ୍ରଷ୍ଟ’ର ପ୍ରତିଷ୍ଠା ହୋଇଥିଲା। ଓଡ଼ିଆ ଭାଷାଭାଷୀ ଜନସମାଜର କଲ୍ୟାଣ କାମନାରେ, ସେମାନଙ୍କର ଆଧ୍ୟାତ୍ମିକ ଚେତନାର ଅଭିବୃଦ୍ଧି ଉଦ୍ଦେଶ୍ୟରେ, ସୁନିର୍ବାଚିତ କେତେକ ପ୍ରାଚୀନ ଭାରତୀୟ ସାଧୁସନ୍ଥଙ୍କ ବାଣୀର ପ୍ରସାର ଓ ପ୍ରଚାର ଥିଲା ତାହାର ଉଦ୍ଦେଶ୍ୟ। ଫଳରେ, ସର୍ଦ୍ଦାର ସନ୍ତୋକ ସିଂହଙ୍କ ପୃଷ୍ଠପୋଷକତାରେ, ଭାରତୀୟ ପ୍ରାଶାସନିକ ସେବାର ଅବସରପ୍ରାପ୍ତ ଅଧିକାରୀ ଗଣନାଥ ଦାସ, ପ୍ରଥମେ ‘କବିର ଶତକ’ ଏବଂ ପରେ ‘ନାନକ ଶତକ’ ରଚନା କରିଥିଲେ। ଓଡ଼ିଶାର ତତ୍‌କାଳୀନ ରାଜ୍ୟପାଳ ଯଜ୍ଞଦତ୍ତ ଶର୍ମା ‘ଗୁରୁ ନାନକଦେବ’ ଶୀର୍ଷକରେ ତାହାର ‘ଅଗ୍ରଲେଖ’ ଲେଖିଛନ୍ତି।

‘ନାନକ ଶତକ’ର ‘ଭୂମିକା’ରେ ଗଣନାଥ ଦାସ ଲେଖିଛନ୍ତି, “ଭାରତବର୍ଷ ଭ୍ରମଣକାଳରେ ଗୁରୁ ନାନକ ସନ ୧୫୦୮ ଖ୍ରୀଷ୍ଟାବ୍ଦରେ ପୁରୁଷୋତ୍ତମ କ୍ଷେତ୍ର ପୁରୀରେ ପଦାର୍ପଣ କରିଥିଲେ। ସେ କାଳରେ ପରିବ୍ରାଜକମାନେ ପାଦରେ ଚାଲିଚାଲି ଦୂରଦୂରାନ୍ତ ସ୍ଥାନକୁ ଯାତାୟାତ କରୁଥିଲେ। …କଟକରୁ ପୁରୀ ଯିବା ପଥରେ, ପୁରୀ-ଉପକଣ୍ଠ ଅଠରନଳା ନଦୀଠାରେ ପହଞ୍ଚିଲା ବେଳକୁ ସଂଧ୍ୟା ଆଗତପ୍ରାୟ। ସେ କାଳରେ କଟକ-ପୁରୀ ସଂଯୋଗ କରୁଥିବା ଜଗନ୍ନାଥ ସଡ଼କରେ ଅଧିକାଂଶ ନାଳ, ନଦୀ ଉପରେ ପୋଲ ତିଆରି ହୋଇ ନଥାଏ। ଯାତ୍ରୀ ଓ ପଦଚାରୀମାନେ ନୌକାଯୋଗେ ସେଗୁଡ଼ିକୁ ପାର ହେଉଥାଆନ୍ତି। ଅଠରନଳା ନଦୀରେ ସଂଧ୍ୟା ପରେ ଗଜପତି ମହାରାଜାଙ୍କ ଆଜ୍ଞା-ପତ୍ରିକାମତେ ନୌକା ଚଳାଚଳ ବନ୍ଦ ରହେ।

ନାଉରି ଗୁରୁ ନାନକ ଓ ତାଙ୍କ ଶିଷ୍ୟ ଦ୍ୱୟଙ୍କୁ ଅଠରନଳା ନଦୀ ପାର କରାଇବାକୁ ଅନିଚ୍ଛୁକ ହେବାରୁ, ପ୍ରବାଦମତେ ଗୁରୁ ନାନକ ନିଜ ପାପୁଲିରେ ରେଖାଦ୍ୱାରା ଶ୍ରୀମନ୍ଦିରର ତିନିଠାକୁରଙ୍କ ଛବି ଆଙ୍କି ନାଉରିକୁ ଦେଖାଇ, ତାହା ଠାକୁରମାନଙ୍କ ଛବି କି ବୋଲି ପଚାରନ୍ତେ, ନାଉରି ଆଶ୍ଚର୍ଯ୍ୟ ହୋଇ ଗୁରୁ ନାନକ ଆଗରୁ କେବେ ଠାକୁରଙ୍କୁ ଦର୍ଶନ କରି ନଥିଲେ ହେଁ, ଅନାୟାସ ଭାବରେ ତାଙ୍କର ଅବିକଳ ଛବି ଆଙ୍କି ପାରିଥିବା ହେତୁ, ତାଙ୍କୁ କୌଣସି ମହାତ୍ମା ଜ୍ଞାନ କରି, ସଂଧ୍ୟା ହୋଇ ଆସୁଥିଲେ ହେଁ ନଦୀ ପାର କରିଦେବାକୁ ସମ୍ମତ ହୋଇ, ପାର କରିଦେଇଥିଲା।”

ଏହା ପରେ ଶ୍ରୀ ଦାସ, ଗୁରୁ ନାନକ ଏବଂ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ପ୍ରସଙ୍ଗର ଅବତାରଣା କରିଛନ୍ତି। ତାଙ୍କ ଅନୁସାରେ, “ଗୁରୁ ନାନକ ଶ୍ରୀମନ୍ଦିରର ସିଂହଦ୍ୱାରଠାରେ ପହଞ୍ଚିଲାବେଳକୁ ଠାକୁରମାନଙ୍କର ସଂଧ୍ୟା ଆଳତି ବେଳ ହୋଇଆସିଥାଏ। ଗୁରୁ ନାନକ ଏବଂ ଶିଷ୍ୟଗଣ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଚାହିଁଲାରୁ, ଉପସ୍ଥିତ ପଣ୍ଡାମାନେ ପ୍ରଶ୍ନ କରିଥିଲେ- ‘ଆପଣମାନେ କେଉଁ ଧର୍ମର, କେଉଁ ସଂପ୍ରଦାୟର?’

ଗୁରୁ ନାନକ ଉତ୍ତର ଦେଇଥିଲେ, ‘ମୁଁ କୌଣସି ଧର୍ମ, ସଂପ୍ରଦାୟର ନୁହେଁ। ମୋର କୌଣସି ଉଚ୍ଚ ନୀଚ ଭାବ ନାହିଁ। ଆଜି କ’ଣ ଦେଶରେ କେହି ସଚ୍ଚା ହିନ୍ଦୁ ବା ମୁସଲମାନ ଅଛି?’ ଭାଇ ମର୍ଦ୍ଦାନା, ସେ ଜଣେ ମୁସଲମାନ ଓ ବର୍ତ୍ତମାନ ଗୁରୁ ନାନକଙ୍କ ଦୀକ୍ଷିତ ଶିଷ୍ୟ ବୋଲି ପ୍ରକାଶ କରନ୍ତେ, ସେମାନଙ୍କୁ ମନ୍ଦିର ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନଥିଲା।”

କିନ୍ତୁ ଏହି ‘ଭୂମିକା’ରେ ପରବର୍ତ୍ତୀ ଘଟଣାକ୍ରମର ବିବରଣୀ ଦେଇ ଗଣନାଥ ଦାସ ଲେଖିଛନ୍ତି- ଠାକୁରଙ୍କର ଆରତି ଦର୍ଶନ ଓ ପ୍ରସାଦ ସେବାରୁ ବଞ୍ଚିତ ହୋଇ, ଗୁରୁ ନାନକ ଓ ତାଙ୍କର ଶିଷ୍ୟଗଣ ସେହି ସ୍ଥାନରୁ ସମୁଦ୍ରକୂଳ ଦିଗରେ ଆସି, ଆଜିର ବାଉଳି ମଠ ଓ ଦେଡ଼ଶୁର-ଭାଇବୋହୂ କୂଅ ନିକଟରେ ବସିଲେ। ତେଣେ, ସେଦିନ ଆରତି ବେଳେ ଶ୍ରୀମନ୍ଦିରରେ ଗଜପତି ମହାରାଜା ଉପସ୍ଥିତ ଥିଲେ। ବଡ଼ପଣ୍ଡା ଆରତି କରିବାବେଳେ ଆରତିର ସୁବର୍ଣ୍ଣ ଥାଳି ତାଙ୍କ ହାତରୁ ବିଚ୍ୟୁତ ହୋଇ ଶୂନ୍ୟେ ଶୂନ୍ୟେ ବାହାରକୁ ଚାଲି ଆସିଲା। ଗଜପତି ମହାରାଜା ଓ ବଡ଼ପଣ୍ଡା ସେହି ଆରତି ଥାଳିକୁ ଅନୁସରଣ କଲେ। ଥାଳି ଯାଇ ଗୁରୁ ନାନକ ଓ ତାଙ୍କ ଦୁଇ ଶିଷ୍ୟ ବସିଥିବା ସ୍ଥାନରେ, ଗୁରୁ ନାନକଙ୍କ ମସ୍ତକ ଉପରେ ସ୍ଥିର ହୋଇ ରହିଲା। ଫଳରେ ମହାରାଜା ଓ ବଡ଼ପଣ୍ଡା ତାଙ୍କ ସମ୍ମୁଖରେ କରଯୋଡି଼ ଦଣ୍ଡାୟମାନ ହୋଇ ରହିଲେ। କିଛି ସମୟ ପରେ ଗୁରୁ ନାନକଙ୍କର ଧ୍ୟାନ ଭଙ୍ଗ ହେଲା ଏବଂ ସେ ଗଜପତି ମହାରାଜାଙ୍କୁ କହିଲେ, “ମହାରାଜ! ଈଶ୍ୱର ସବୁଠାରେ ଅଛନ୍ତି। ସେ ସମଭାବରେ ସମଗ୍ର ମାନବ ଜାତିର। ପ୍ରଭୁ ସମସ୍ତ ଜୀବଙ୍କ ଅନ୍ତରରେ ବିଦ୍ୟମାନ। ସେ କେବଳ ହିନ୍ଦୁର ବା ମୁସଲମାନର ନୁହନ୍ତି। ସମସ୍ତେ ସମଭାବରେ ତାଙ୍କର ପ୍ରିୟ। ପ୍ରଭୁ ଜଗନ୍ନାଥଙ୍କ ପ୍ରସାଦ କେବଳ ହିନ୍ଦୁଙ୍କ ପାଇଁ ନୁହେଁ; ସମସ୍ତଙ୍କ ପାଇଁ।” ଲେଖକଙ୍କ ଅନୁସାରେ, “ଏହା ପରେ ଗଜପତି ମହାରାଜାଙ୍କ ନିମନ୍ତ୍ରଣକ୍ରମେ, ଗୁରୁ ନାନକ ଶିଷ୍ୟଗଣଙ୍କ ସହିତ ଶ୍ରୀମନ୍ଦିରକୁ ଯାଇ ପ୍ରଭୁଙ୍କର ଦର୍ଶନ ଓ ଭକ୍ତି ନିବେଦନ କରିଥିଲେ।”

ଗଣନାଥ ଦାସ ‘କବିର ଶତକ’ ପୁସ୍ତକରେ ବର୍ଣ୍ଣନା କରିଥିବା ଏହି କିଂବଦନ୍ତିର ସତ୍ୟାସତ୍ୟ ଯାହା ହେଉ ନା କାହିଁକି, ଏହା ଏକ ଐତିହାସିକ ସତ୍ୟ ଯେ ଶ୍ରୀମନ୍ଦିରକୁ ପ୍ରବେଶ କରିବାରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇ, ସମୁଦ୍ରତଟଦେଶକୁ ଚାଲିଆସି, ସେହିଠାରେ ହିଁ ଗୁରୁ ନାନକଦେବ ତାଙ୍କର ପ୍ରସିଦ୍ଧ ଆରତି ନିବେଦନ “ଗଗନ ମେଁ ଥାଲ…” ରଚନା କରିଥିଲେ। ଏହା ଶିଖଧର୍ମରେ ‘ଆରତି ସାହେବ’ର ମାନ୍ୟତା ପାଇଛି। (ଏ ସଂପର୍କରେ ବିଶଦ ବିବରଣୀ ଏହି ସ୍ତମ୍ଭର ସୂଚିତ ପୂର୍ବଲେଖରେ ଅଛି।)

‘ଗଗନ ମେଁ ଥାଲ…’ ପରି ଆଉ ଏକ ଐତିହାସିକ ସତ୍ୟ ହେଉଛି- ଗୁରୁ ନାନକଦେବଙ୍କ ସହ ଭକ୍ତକବି ଜୟଦେବଙ୍କର ଭାବଗତ ସଂପର୍କ। ପୂର୍ବସୂଚିତ ଯେ ଏ ଦୁହିଁଙ୍କ ମଧ୍ୟରେ ସମୟର ବ୍ୟବଧାନ ପ୍ରାୟ ତିନି ଶତାବ୍ଦୀର। ଏହା ସତ୍ତ୍ୱେ, ଭାବଗତ ସୂତ୍ରରେ ଗୁରୁ ନାନକ ଯେ କବି ଜୟଦେବଙ୍କ ସହ ଏକାତ୍ମ ହୋଇଥିଲେ- ଏହାର ପ୍ରମାଣ ‘ଗୁରୁଗ୍ରନ୍ଥ ସାହେବ’ରେ ଉପଲବ୍‌ଧ।

ଦ୍ୱାଦଶ ଶତାବ୍ଦୀର ସଂସ୍କୃତ କବି ଜୟଦେବ ତାଙ୍କ ରଚିତ ‘ଗୀତଗୋବିନ୍ଦ’ ପାଇଁ କେବଳ ଭାରତ କାହିଁକି, ସାରା ବିଶ୍ୱରେ ସୁପ୍ରସିଦ୍ଧ। ‘ଗୀତଗୋବିନ୍ଦ’ ରାଧାକୃଷ୍ଣ ପ୍ରେମରସାଶ୍ରିତ କାବ୍ୟ। ଏହା ଭୋଗ ଓ ଯୋଗ, ପ୍ରୀତି ଓ ଭକ୍ତି, ଗୀତ ଓ ପ୍ରବନ୍ଧ, ବିପ୍ରଲମ୍ଭ ଓ ସଂଭୋଗ ଶୃଙ୍ଗାର, ପ୍ରାକୃତ ଓ ଅପ୍ରାକୃତ ପ୍ରଣୟ ଭାବନା ସମ୍ବଳିତ ଏକ ଅପ୍ରତିମ କାବ୍ୟକୃତି। କିନ୍ତୁ ଉଲ୍ଲେଖନୀୟ ବିଷୟ ହେଉଛି- ଗୁରୁ ନାନକଦେବ “ଏକ ଓଁକାର ସତନାମ”ରେ ବିଶ୍ୱାସୀ ଥିଲେ। ଅର୍ଥାତ୍‌, ସେ ଥିଲେ ନିର୍ଗୁଣ ଓ ସର୍ବବ୍ୟାପୀ ପରଂବ୍ରହ୍ମଙ୍କ ସତ୍ତାରେ ବିଶ୍ୱାସୀ। ତାହା ସତ୍ତ୍ୱେ, ଭକ୍ତକବି ଜୟଦେବଙ୍କର ଭାବନାକୁ ସେ ତାଙ୍କର ଦୁଇଟି ‘ଶବଦ୍‌’ (ଗୀତି)ରେ ଗ୍ରହଣ କରିଛନ୍ତି। ସେ ଦୁଇଟି ସଂକଳିତ ହୋଇଛି- ‘ଗୁରୁ ଗ୍ରନ୍ଥ ସାହେବ’ର ପୃଷ୍ଠା-୫୨୬ ଓ ପୃଷ୍ଠା-୧୧୦୬ରେ। ଏହାର ରାଗ ଯଥାକ୍ରମେ ‘ଗୁଜରୀ’ ଓ ‘ମାରୁ’। ଏହା ‘ଜୟଦେବଙ୍କ ଭାବନା’ ବୋଲି ସେଥିରେ ସୂଚିତ ମଧ୍ୟ ହୋଇଛି।

ଏହି ‘ଶବଦ୍‌’ ଦ୍ୱୟର ଅର୍ଥ, ଏହି ଲେଖକ, ଶିଖ ସାହିତ୍ୟର ପରିଚିତା ଅନୁବାଦିକା ସାଧନା ପତ୍ରିଙ୍କ ସହଯୋଗରେ ପ୍ରସ୍ତୁତ କରିଛି। ଏଥି ମଧ୍ୟରୁ ‘ଗୁଜରୀ’ ରାଗର ପ୍ରଥମ ବାଣୀରେ କୁହାଯାଇଛି- “ହେ ଭାଇ! କେବଳ ପରମାତ୍ମାଙ୍କର ସୁନ୍ଦର ନାମ ସ୍ମରଣ କର; ଯାହା ଅମୃତରେ ପରିପୂର୍ଣ୍ଣ। ତାହାହିଁ ପରମାତ୍ମାଙ୍କର ପ୍ରକୃତ ସ୍ୱରୂପ। ତାହାର ସ୍ମରଣ ଦ୍ୱାରା ଜନ୍ମ, ମରଣ, ଜରା ଓ ଚିନ୍ତାର ଭୟ ବା ଦୁଃଖ ରହେ ନାହିଁ। ସେହି ପରମାତ୍ମା ସବୁର ମୂଳ। ସେ ସର୍ବୋଚ୍ଚ ଶକ୍ତି ଏବଂ ସର୍ବବ୍ୟାପୀ। ସେ ଅପ୍ରତିମ। ତାଙ୍କ ମଧ୍ୟରେ ସ୍ଥିରତା ଆଦି ସମସ୍ତ ସୁଗୁଣ ବିଦ୍ୟମାନ।”

ଏ ପ୍ରସଙ୍ଗରେ ଆହୁରି ମଧ୍ୟ କୁହାଯାଇଛି- “ସେହି ପ୍ରଭୁ ଅତ୍ୟନ୍ତ ଆଶ୍ଚର୍ଯ୍ୟମୟ। ସେ ମାୟାମୁକ୍ତ ଏବଂ ଆମର ବିଚାର-ବଳୟ ବହିର୍ଭୂତ। ଯଦି ଜନ୍ମ, ମରଣ ଆଦି ଉପରେ ବିଜୟଲାଭର ଇଚ୍ଛା ରଖୁଥାଅ, ଯଦି ଗୌରବମୟ ବଦନର ଇଚ୍ଛା ଥାଏ, ତେବେ ଲୋଭ ଆଦି ବିକାର ପରିତ୍ୟାଗ କର। ପରନାରୀ, ପରଧନ ପ୍ରତି ଆସକ୍ତ ହୁଅନାହିଁ। ଯାହା ପ୍ରଭୁପ୍ରାପ୍ତି ପଥର ପ୍ରତିବନ୍ଧକ, ତାହାକୁ ତ୍ୟାଗ କର। ସମସ୍ତ ମନ୍ଦକର୍ମ ପରିହାର କର। ସେହି ପ୍ରଭୁଙ୍କର ଶରଣ ନିଅ- ଯିଏ ସବୁକିଛି ନାଶ କରିବାରେ ସମର୍ଥ। ସେହି ପ୍ରଭୁ ବର୍ତ୍ତମାନରୁ ଭବିଷ୍ୟତ୍‌ ପର୍ଯ୍ୟନ୍ତ କେବେ ବି ବିନାଶଶୀଳ ନୁହନ୍ତି। ଅର୍ଥାତ୍‌, ସେ ଚିର ଅବିନାଶୀ। ସେ ହିଁ ସବୁ ଶକ୍ତିର ଊର୍ଦ୍ଧ୍ୱରେ ଥିବା ଶକ୍ତି ଏବଂ ସେ ସର୍ବସକ୍ଷମ ସ୍ୱରୂପ ଏବଂ ଚିର ଆନନ୍ଦମୟ।

ଏହି ବାଣୀରେ ଆହୁରି ମଧ୍ୟ କୁହାଯାଇଛି, “ଯେଉଁ ଭକ୍ତମାନେ ପରମାତ୍ମାଙ୍କୁ ପ୍ରେମ କରନ୍ତି, ସେମାନଙ୍କର ମନ, ବଚନ ତଥା କର୍ମ ପବିତ୍ର ହୋଇଯାଏ। ଏଥିପାଇଁ ଯୋଗ, ଦାନ, ତପ ଆଦିର କି ପ୍ରୟୋଜନ ବା ଅଛି? ଏଣୁ ହେ ଭାଇ! ଗୋବିନ୍ଦଙ୍କର ଭଜନ କର। ଗୋବିନ୍ଦଙ୍କର ସ୍ମରଣ କର। ସେ ହିଁ ସମସ୍ତ ସିଦ୍ଧିର ଆଧାର।” ପୁଣି ପରିଶେଷରେ କୁହାଯାଇଛି- “ଜୟଦେବ ମଧ୍ୟ ସବୁର ଆଶ୍ରୟ ଛାଡ଼ି ତାଙ୍କରି ଆଶ୍ରୟ ନେଇଛି। ସେହି ପ୍ରଭୁ ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ୍‌- ସବୁ କାଳରେ ସର୍ବତ୍ର ବିଦ୍ୟମାନ ଅଟନ୍ତି।”

‘ଗୁରୁ ଗ୍ରନ୍ଥ ସାହେବ’ର ୧୧୦୬ ପୃଷ୍ଠାରେ ସଂକଳିତ, ଭକ୍ତକବି ଜୟଦେବଙ୍କ ଭାବନା ଆଧାରିତ ବାଣୀର ରାଗ ‘ମାରୁ’। ସେଥିରେ କୁହାଯାଇଛି- “ଚନ୍ଦମା ସ୍ୱର (ଅର୍ଥାତ୍ ଇଡ଼ା ନାଡ଼ି)କୁ ପୂରକ କରି ସପ୍ତମ ଚକ୍ରକୁ ଭେଦ କଲେ, ସେହି ସପ୍ତମ ଚକ୍ରରେ ଅନାହତ ନାଦ ଶୁଭିବ। ପୁଣି ସୁଷୁମ୍ନା ନାଡ଼ି ସହ ସ୍ୱର ସଂଯୋଗ କରି ଷୋହଳଥର ଓଁ ଉଚ୍ଚାରଣ ପୂର୍ବକ, ସୂର୍ଯ୍ୟ ସ୍ୱର, ଅର୍ଥାତ୍ ପିଙ୍ଗଳା ନାଡ଼ି ସହ ବନ୍ଧନ ସ୍ଥାପନ କରିବାକୁ ହେବ। ଯେତେବେଳେ ମନ ଦୁର୍ବଳ ହୋଇଯାଏ, ସେତେବେଳେ ନାମାମୃତ ପାନ ହିଁ ଭ୍ରମିତ ମନକୁ ସ୍ଥିର ଏବଂ ଚଞ୍ଚଳ ମନକୁ ବ୍ୟବସ୍ଥିତ କରେ। ଏଣୁ ଯେତେବେଳେ ଆରାଧ୍ୟ ପରମେଶ୍ୱରଙ୍କୁ ଆରାଧନା କରାଯାଏ, ସେତେବେଳେ ମନ ସେହି ପରମଶ୍ରଦ୍ଧେୟ ପ୍ରଭୁଙ୍କ ସହ ଏକାତ୍ମ ହୋଇଯାଏ।” ଏହି ବାଣୀର ଶେଷରେ ଉଲ୍ଲେଖ ଅଛି- “ଜୟଦେବ କହନ୍ତି, ବ୍ରହ୍ମଙ୍କ ଚିନ୍ତନରେ ହିଁ ନିର୍ବାଣ ମିଳେ ଏବଂ ତାଙ୍କ ପ୍ରତି ଏକାଗ୍ର ହେଲେ ହିଁ ତାଙ୍କୁ ପାଇହୁଏ।”

ଏ ପ୍ରସଙ୍ଗରେ ପରିଶେଷରେ ଉଲ୍ଲେଖନୀୟ, ଯେ ଉତ୍କଳୀୟ ସଂସ୍କୃତ କବି ଶ୍ରୀଜୟଦେବ ଦ୍ୱାଦଶ ଶତାବ୍ଦୀରେ ତାଙ୍କର ପ୍ରସିଦ୍ଧ ସଂସ୍କୃତ କାବ୍ୟ ‘ଗୀତଗୋବିନ୍ଦ’ ରଚନା କରିଥିଲେ ହେଁ, ଗଙ୍ଗବଂଶୀ ନରପତି ଦ୍ୱିତୀୟ ନରସିଂହ ଦେବ (୧୨୭୮-୧୩୦୯)ଙ୍କଠାରୁ, ଅର୍ଥାତ୍ ତ୍ରୟୋଦଶ ଶତାବ୍ଦୀର ଅନ୍ତିମ ପାଦରୁ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ‘ଗୀତଗୋବିନ୍ଦ’ ଗାୟନର ପରମ୍ପରା ଆରମ୍ଭ ହୋଇଥିଲା। ପରବର୍ତ୍ତୀ କାଳରେ, ସୂର୍ଯ୍ୟବଂଶୀ ଗଜପତି ରାଜା ପ୍ରତାପରୁଦ୍ର ଦେବ କିଛି କାଳ ପାଇଁ ଶ୍ରୀମନ୍ଦିରରେ ତାଙ୍କର ପିତା ପୁରୁଷୋତ୍ତମ ଦେବଙ୍କ ‘ଅଭିନବ ଗୀତଗୋବିନ୍ଦ’ ଗାୟନର ପ୍ରଚଳନ କରିଥିଲେ ମଧ୍ୟ, ତାହା ଦୀର୍ଘକାଳ ପ୍ରଚଳିତ ରହି ପାରି ନଥିଲା। କାରଣ ଶ୍ରୀଜୟଦେବଙ୍କ ‘ଗୀତଗୋବିନ୍ଦ’ର ସ୍ୱତନ୍ତ୍ର ପ୍ରଭାବ ଓ ଆଦୃତି ସର୍ବତ୍ର ସ୍ୱୀକୃତ ହେଉଥିଲା। ଗୁରୁ ନାନକଦେବ ପ୍ରତାପରୁଦ୍ର ଦେବଙ୍କ ଶାସନ କାଳରେ ଯେତେବେଳେ ଶ୍ରୀକ୍ଷେତ୍ର ଆଗମନ କରିଥିଲେ, ସେତେବେଳେ ଶ୍ରୀକ୍ଷେତ୍ରରେ, ଶ୍ରୀମନ୍ଦିରରେ ତଥା ସମଗ୍ର ଓଡ଼ିଶାରେ, ‘ଗୀତଗୋବିନ୍ଦ’ର ତଥା ତା’ର କବି ଭାବରେ ଶ୍ରୀଜୟଦେବଙ୍କର ପ୍ରାଧାନ୍ୟ ଓ ପ୍ରତିଷ୍ଠା ରହିଥିଲା। ଏଣୁ ତାହା ରାଧାକୃଷ୍ଣ ପ୍ରେମରସାଶ୍ରିତ କାବ୍ୟ ହୋଇଥିଲେ ହେଁ, ସେଥି ମଧ୍ୟରେ ସନ୍ନିହିତ ଅପ୍ରାକୃତ ଭକ୍ତିଭାବନା ଗୁରୁ ନାନକଦେବଙ୍କୁ ପ୍ରଭାବିତ କରିଥିଲା। ତାହାର ଅମୃତ ଫଳ ସ୍ୱରୂପ ‘ଗୁରୁଗ୍ରନ୍ଥ ସାହେବ’ରେ ଶ୍ରୀଜୟଦେବଙ୍କର ଏହି ଦୁଇ ବାଣୀ ସ୍ଥାନ ପାଇଛି ଏବଂ ଏହା ଭାରତବର୍ଷର ଦୁଇ ପ୍ରାନ୍ତର ଦୁଇଟି ଭିନ୍ନ ଭିନ୍ନ ଭୂଖଣ୍ଡକୁ ଶ୍ରୀଜଗନ୍ନାଥ ବା ଶ୍ରୀଦାରୁବ୍ରହ୍ମଙ୍କ ସର୍ବବ୍ୟାପକତାର ମନ୍ତ୍ରରେ ଯୋଡ଼ି ଦେଇଛି। ଏହା ସାବ୍ୟସ୍ତ କରୁଛି ଯେ ଶ୍ରୀଜଗନ୍ନାଥ ସାକାର ହେଲେ ମଧ୍ୟ ନିରାକାର ଏବଂ ସେ ଦାରୁବିଗ୍ରହ ହେଲେ ମଧ୍ୟ ବ୍ରହ୍ମ। ଏହା ହିଁ ‘ଗୁରୁଗ୍ରନ୍ଥ ସାହେବ’ରେ ସଂକଳିତ ଶ୍ରୀଜୟଦେବଙ୍କର ଏହି ଦୁଇ ‘ଶବଦ୍‌’ ବା ପଦର ତାତ୍ପର୍ଯ୍ୟ। ଏହା ମଧ୍ୟ, ‘ଆରତି ସାହେବ’ ଭାବରେ ପ୍ରଚଳିତ ଓ ପ୍ରସିଦ୍ଧ ଗୁରୁ ନାନକ ଦେବଙ୍କ ‘ଗଗନ ମେଁ ଥାଲ’ରେ ପ୍ରତିପାଦିତ।

ମୋ: ୯୪୩୭୦ ୩୪୮୦୪
[email protected]

ସମ୍ବନ୍ଧିତ ଖବର