ବାଲିଯାତ୍ରା କ’ଣ ବାଲିକୁ ଯାତ୍ରାର ପ୍ରତୀକ?

ଲଲାଟେନ୍ଦୁ ଦାସ ମହାପାତ୍ର

ଆଜିିକୁ ପ୍ରାୟ ପଚାଶ ବର୍ଷ ପୂର୍ବେ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ କେତେକ ବିଦ୍ବାନ କହିଥିଲେ ଯେ କଟକର ବାଲିଯାତ୍ରାକୁ ବାଲିଦ୍ୱୀପ ସହିତ ସଂଶ୍ଳିଷ୍ଟ କରାଯିବା ଅତ୍ୟନ୍ତ ଉପରଠାଉରିଆ ମତବାଦ। କାରଣ ଭାରତର ପ୍ରାଚୀନ ସଂସ୍କୃତ ସାହିତ୍ୟ ମାନଙ୍କରେ ବର୍ତ୍ତମାନର ବାଲିଦ୍ୱୀପକୁ ବଳୀଦ୍ୱୀପ କୁହାଯାଉଥିଲା। ସପ୍ତଦଶ ଶତାବ୍ଦୀରେ ଇଣ୍ଡୋନେସିଆକୁ ଓଲନ୍ଦାଜମାନେ ଅଧିକାର କଲା ପରେ ସେମାନେ ଏହାକୁ ‘ବାଲି’ ବୋଲି ଉଚ୍ଚାରଣ କରିବାରୁ କାଳକ୍ରମେ ତାହା ବାଲି ନାମରେ ପରିଚିତ ହେଲା। କାର୍ତ୍ତିକ ପୂର୍ଣ୍ଣିମା ଦିନ କଟକର ଗଡ଼ଗଡ଼ିଆ ଘାଟରେ ଯେଉଁ ବାଲିଯାତ୍ରା ହୁଏ, ତାହା ନଦୀ ବାଲିରେ ହେଉଥିବାରୁ ତାହାର ନାମ ବାଲି ଯାତ୍ରା ହୋଇଛି। ଯଦି ସେହି ମେଳା ଓଡ଼ିଆ ସାଧବ ପୁଅଙ୍କ ପ୍ରାଚୀନ ବଳୀଦ୍ୱୀପକୁ ଯାତ୍ରାର ସ୍ମରଣାର୍ଥେ ହେଉଥା’ନ୍ତା ତେବେ ତାହା ଲୋକମୁଖରେ ବାଲିଯାତ୍ରା ନ ହୋଇ ବଳୀଯାତ୍ରା ହୋଇଥା’ନ୍ତା। ଏହି ମତବାଦକୁ ଅନ୍ୟତମ ଲୋକ ସଂସ୍କୃତି ବିଶେଷଜ୍ଞ ଅରବିନ୍ଦ ପଟ୍ଟନାୟକ ମଧ୍ୟ ସମର୍ଥନ କରନ୍ତି।

କଟକର ବାଲିଯାତ୍ରା ସନ୍ଦେହାତୀତ ଭାବେ ବହୁ ପୁରାତନ। ଦେଢ଼ ଶହ ବର୍ଷ ତଳର ‘ଉତ୍କଳ ଦୀପିକା’ର ରିପୋର୍ଟ‌େର ଏହା କଟକର ଏକ ବିଶେଷ ଉତ୍ସବ ଭାବେ ଜଣାଯାଏ। ଏ ସମ୍ବନ୍ଧରେ ସେତେବେଳେ ଉତ୍କଳ ଦୀପିକାରେ ଦୀର୍ଘ ସମ୍ବାଦ ପ୍ରକାଶ ପାଉଥିଲେ ମଧ୍ୟ ବାଲିଦ୍ୱୀପକୁ ଯାତ୍ରା ସ୍ମରଣାର୍ଥେ ଏହାର ଆୟୋଜନ ବୋଲି ସମ୍ପାଦକ ଗୌରୀଶଙ୍କର ରାୟ କେଉଁଠି ଲେଖିନାହାନ୍ତି। କେବଳ ସେତିକି ନୁହେଁ ଆଜିକୁ ଶହେ ବର୍ଷ ତଳେ ଜଗବନ୍ଧୁ ସିଂହ ଓ ବିରୁପାକ୍ଷ କର ବହୁ ତଥ୍ୟ ସହିତ ପ୍ରାଚୀନ ଓଡ଼ିଶାର ନୌବାଣିଜ୍ୟ ସମ୍ବନ୍ଧରେ ଯେଉଁ ଉଚ୍ଚକୋଟୀର ପ୍ରବନ୍ଧମାନ ଲେଖିଥିଲେ, ତହିଁରେ ମଧ୍ୟ ବାଲିଯାତ୍ରା କିମ୍ବା ବାଲିଦ୍ୱୀପ ସହିତ ଓଡ଼ିଶାର ସଂପର୍କ କଥା କିଛି ଲେଖିନାହାନ୍ତି। ତେଣୁ ଏହି ଜନସ୍ମୃତି ସେତେବେ‌େଳ ଗଲା କୁଆଡ଼େ?

ବର୍ତ୍ତମାନର କିଛି ଐତିହାସିକ ବିନା ଦ୍ୱିଧାରେ ଏହି ମତକୁ ଗ୍ରହଣ କରିନେଇଥିବା ଦେଖାଯାଉଛି। କିନ୍ତୁ ସେମାନେ ପାଣିଗ୍ରାହୀଙ୍କ ଯୁକ୍ତିକୁ କେବେ ହେଲେ ଖଣ୍ଡନ କରିବାକୁ ଚେଷ୍ଟା କରିନାହାନ୍ତି। ବିନା ଗବେଷଣାରେ ଏ ପ୍ରକାର ଲୋକପ୍ରିୟ ଇତିହାସ ସୃଷ୍ଟି ହେଉ ଥିବାରୁ ଗଣମାଧ୍ୟମରେ ଏହାର ପ୍ରଚାର ହେବାରେ ଲାଗିଛି ଓ ସରକାରୀ ସ୍ତରରେ ଉତ୍ସବ ମଧ୍ୟ ପାଳିତ ହେଉଛି। କେବଳ ସେତିକି ନୁହେଁ, ମନ୍ମଥନାଥ ଦାସଙ୍କ ଭଳି ଜାତୀୟ ସ୍ତରର କିଛି ଐତିହାସିକ ମଧ୍ୟ ଏହି ମତବାଦ ଦ୍ୱାରା ପ୍ରଭାବିତ ହୋଇଥିଲେ।

ତେବେ ଆମର ଜନସ୍ମୃତି, ଲୋକ ସାହିତ୍ୟ, ପର୍ବପର୍ବାଣି ଓ ଅଭିଲେଖମାନଙ୍କରେ ଓଡ଼ିଶା ସହିତ ଯେଉଁ ଦ୍ୱୀପର ସର୍ବାଧିକ ଜଳ ଯାତ୍ରା ସମ୍ବନ୍ଧ ରହିଥିବା ସୂଚନା ମିଳେ, ତାହା ହେଉଛି ସିଂହଳ ଦ୍ୱୀପ। ଏହି ଦିଗ ପ୍ରତି ଆମ ଐତିହାସିକମାନେ ସମୁଚିତ ଗୁରୁତ୍ୱ ପ୍ରଦାନ କରୁ ନାହାନ୍ତି। ସିଂହଳ ଦ୍ୱୀପ ଛଡ଼ା ମାଲଦ୍ୱୀପ, ବ୍ରହ୍ମଦେଶ, ଥାଇଲାଣ୍ଡ, ଜାଭା, ସୁମାତ୍ରା ଓ ମାଳୟ ଆଦି ଦ୍ୱୀପ ସହିତ ମଧ୍ୟ ଓଡ଼ିଶାର ନୌବାଣିଜ୍ୟ ସଂପର୍କ ଥିବା ବହୁ ତଥ୍ୟ ରହିଛି ଯାହାର ପୁଙ୍ଖାନୁପୁଙ୍ଖ ଗବେଷଣା ଏ ପର୍ଯ୍ୟନ୍ତ ହୋଇନାହିଁ। ଏ ସମ୍ବନ୍ଧରେ ବହୁ ତଥ୍ୟ ଇଂରେଜୀ, ଡଚ୍‍, ଫରାସୀ, ପର୍ତ୍ତୁଗୀଜ ଓ ଡେନ୍‌ମାର୍କ ଭାଷାରେ ସେହି ସବୁ ଦେଶର ଅଭିଲେଖାଗାରମାନଙ୍କରେ ରହିଛି। କିନ୍ତୁ ବାଲିଦ୍ୱୀପ ସହିତ ଓଡ଼ିଶାର ସଂପର୍କ ଅଭିଲେଖ ଦ୍ୱାରା ସମର୍ଥିତ ନୁହେଁ।

କଟକର ବାଲିଯାତ୍ରା ସହିତ ବାଲିଦ୍ୱୀପର କୌଣସି ସଂପର୍କ ନ ଥିବା କଥା ଆଉ କିଛି ପାରିପାର୍ଶ୍ବିକ ତଥ୍ୟରୁ ଜଣାପଡ଼େ। ଉଜ୍ଜୟିନୀରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ସେଠାକାର ସିପ୍ରା ନଦୀଘାଟରେ ମଧ୍ୟ ବାଲିଯାତ୍ରା ନାମକ ମେଳା ବସିଥାଏ ଓ ସେଠାରେ ମଧ୍ୟ ଡଙ୍ଗା ଭସା ହୁଏ। କୋରାପୁଟରେ ମଧ୍ୟ ଭାଦ୍ରବ ମାସରେ ବାଲିଯାତ୍ରା ନାମକ ଏକ କୃଷିଭିତ୍ତିକ ପର୍ବ ପାଳିତ ହୁଏ। ଜଳେଶ୍ୱର ନିକଟବର୍ତ୍ତୀ ଜମାଳପୁର ଗ୍ରାମରେ ସୁବର୍ଣ୍ଣରେଖା ନଦୀ ତଟରେ ପଣା ସଂକ୍ରାନ୍ତି ଦିନ ଏକ ମେଳା ବସେ, ଯାହାକୁ ବାଲିଯାତ୍ରା କୁହାଯାଏ। ତେଣୁ ଏହି ବାଲିଯାତ୍ରାର ଉଦାହରଣ ଏତେ ବହୁଳ ଯେ କଟକ ସମେତ ସେ ସମସ୍ତକୁ ବାଲିଦ୍ୱୀପ ସହ ସଂଶ୍ଳିଷ୍ଟ କରାଯିବା ଅତ୍ୟନ୍ତ ଉପରଠାଉରିଆ ହେବ।

ତେବେ କଟକର ବାଲିଯାତ୍ରା ସହିତ ଅତୀତ ଓଡ଼ିଶା ନୌବାଣିଜ୍ୟର ଯେ କୌଣସି ସମ୍ପର୍କ ନାହିଁ, ତାହା ମଧ୍ୟ ନୁହେଁ। ତେବେ ଏହାର ଉତ୍ପତ୍ତି ଗଡ଼ଗଡ଼ିଆ ଘାଟରେ ନୁହେଁ ପ୍ରାଚୀ ନଦୀ ତଟର ଚୂଡ଼ଙ୍ଗଗଡ଼ ଘାଟରେ ବୋଲି କେତେକ ଲୋକ ସଂସ୍କୃତି ବିଶାରଦ ମତ ଦିଅନ୍ତି। ବାରଙ୍ଗ ଅଞ୍ଚଳରେ ପ୍ରଚଳିତ ଜନ ସ୍ମୃତି ଅନୁସାରେ କଟକର ବାଲିଯାତ୍ରା ପ୍ରଥମେ ଚୂଡ଼ଙ୍ଗ ଗଡ଼ ପାଖରେ ହେଉଥିଲା। ପ୍ରାୟ ଆଠଶହ ବର୍ଷ ତଳେ ପ୍ରାଚୀ ନଦୀ ସକ୍ରିୟ ଥିବା ବେଳେ ଚୂଡ଼ଙ୍ଗ ଗଡ଼ ନିକଟରେ ଥିବା ବର୍ତ୍ତମାନର ଏକ ଶୁଷ୍କ ଗଣ୍ଡ ସେତେବେଳର ପୋତାଶ୍ରୟ ଭଳି କାମ କରୁଥିଲା, ଯେଉଁ ବାଟ ଦେଇ ବୋଇତ ଯିବା ଆସିବା କରୁଥିଲା। ସମ୍ଭବତଃ ଚୁଡ଼ଙ୍ଗ ଗଡ଼ ସେତେବେଳେ ବାଣିଜ୍ୟର ପେଣ୍ଠ ସ୍ଥଳ ଥିଲା ଯେଉଁଠାରୁ ବୋଇତ ପ୍ରାଚୀ ନଦୀ ଦେଇ ସମୁଦ୍ର ମଧ୍ୟକୁ ଯାଉଥିଲା। ଏ ସମ୍ବନ୍ଧରେ ପଟିଆ ଅଞ୍ଚଳରେ ପ୍ରଚଳିତ ଏକ ଲୋକଗୀତ ‘ଝଟକଇ ବାଲିଯାତ, ତିଅର ପିଲାଏ ଆହୁଲାକୁ ପୂଜି ସଜାଡ଼ୁ ଅଛନ୍ତି କାତ’ ପ୍ରଣିଧାନଯୋଗ୍ୟ। ଏହି ଲୋକ ଗୀତରୁ ସେଠାକାର ବାଲିଯାତ୍ରା ସହିତ ନୌବାଣିଜ୍ୟର ସୂଚନା ମିଳେ।

କାର୍ତ୍ତିକ ପୂର୍ଣ୍ଣିମା ଦିନ ସମୁଦ୍ରଯାତ୍ରା ଆରମ୍ଭ ହେଉ ଥିବାରୁ ନୌ-ବ୍ୟବସାୟୀମାନଙ୍କ କିଣାବିକା ପାଇଁ ସେଠାରେ ମେଳା ବସୁଥିଲା ଯାହା କି ଅନ୍ତତଃ ଗୋଟାଏ ସପ୍ତାହ ପର୍ଯ୍ୟନ୍ତ ଚାଲୁଥିଲା। ସେଠାରୁ ଦରିଆ ପାରି ବୋଇତ ବିଭିନ୍ନ ଦେଶକୁ ଯାଉଥିଲା। ମାତ୍ର ପ୍ରାଚୀ ନଦୀ ପୋତି ହୋଇ ପଡ଼ିବାରୁ ଚୂଡ଼ଙ୍ଗ ଗଡ଼ ପରିତ୍ୟକ୍ତ ହୋଇ ଶାସନର କେନ୍ଦ୍ର ବିନ୍ଦୁ କେବଳ ବାରବାଟୀ ଦୁର୍ଗରେ ସୀମିତ ରହିଲାରୁ ବାଲିଯାତ୍ରା ମଧ୍ୟ ଗଜପତି ରାଜାଙ୍କ ପୃଷ୍ଠପୋଷକତାରେ ଗଡ଼ଗଡ଼ିଆ ଘାଟକୁ ଉଠିଗଲା। କିନ୍ତୁ ସେ ବାଲିଯାତ୍ରା ଆଉ ଦରିଆ ପାରି ବୋଇତ ପାଇଁ ଉଦ୍ଦିଷ୍ଟ ହେଲା ନାହିଁ। କାରଣ ଗଡ଼ଗଡ଼ିଆ ଘାଟରେ କେବେ କୌଣସି ବନ୍ଦର ଥିବାର ପ୍ରମାଣ ଏ ପର୍ଯ୍ୟନ୍ତ ମିଳିନାହିଁ।

ଓଡ଼ିଶା ଓ ଓଡ଼ିଶା ବାହାରର ବିଭିନ୍ନ ଅଭିଲେଖ, ଲୋକସଂସ୍କୃତି ଓ ସାହିତ୍ୟ ଆଧାରରେ ପ୍ରାଚୀନ ଓଡ଼ିଶାର ଜଳଯାତ୍ରା ସିଂହଳ, ମାଲଦ୍ୱୀପ, ଥାଇଲାଣ୍ଡ, ବ୍ରହ୍ମଦେଶ, ଜାଭା ଓ ସୁମାତ୍ରା ସହିତ ରହିଥିବା ପ୍ରମାଣ ଥିଲେ ମଧ୍ୟ କେବଳ କଟକର ବାଲିଯାତ୍ରା ଆଧାରରେ ବାଲିଦ୍ୱୀପ ସହିତ ସଂପର୍କ ଯୋଡ଼ାଯିବା ଯଥେଷ୍ଟ ନୁହେଁ। ପ୍ରକୃତ କଥା ହେଲା ବାଲିଦ୍ୱୀପ ଇଣ୍ଡୋନେସିଆର ସବୁଠାରୁ କ୍ଷୁଦ୍ର ଦ୍ୱୀପ ଯାହାର ବାଣିଜ୍ୟିକ ଗୁରୁତ୍ୱ ଜାଭା, ସୁମାତ୍ରା କିମ୍ବା ବୋର୍ଣ୍ଣିଓ ଭଳି ନ ଥିଲା। ସେଥିପାଇଁ ସେଠାରେ ଆରବ କିମ୍ବା ୟୁରୋପୀୟ ବଣିକମାନେ କାରବାର କରୁ ନ ଥିଲେ। ତେଣୁ ପ୍ରଶ୍ନ ଉଠେ, ସେଭଳି ଏକ ବାଣିଜ୍ୟ ଅନୁପଯୋଗୀ ଦ୍ୱୀପକୁ ଆମ ସାଧବ ପୁଅମାନେ ଯିବାକୁ ଇଚ୍ଛା କରୁଥିବେ କି?

ଉପ ନିର୍ଦ୍ଦେଶକ
ଜାତୀୟ ଅଭିଲେଖାଗାର, ନୂଆଦିଲ୍ଲୀ

ସମ୍ବନ୍ଧିତ ଖବର