ଦୟନୀୟ ସ୍ଥିତିରେ ଓଡ଼ିଶା ଓ ଓଡ଼ିଆ

ପ୍ରଭାତ ଦାଶ

ବିଗତ ଏକ ଦଶନ୍ଧି ଧରି ଓଡ଼ିଶା ସରକାର ଖୁବ୍‌ ଜୋର୍‌ରେ ଡିଣ୍ଡିମ ବାଡ଼େଇ ଚାଲିଛନ୍ତି ଯେ ଓଡ଼ିଶାର ଜନସାଧାରଣଙ୍କର ଅର୍ଥନୈତିକ ପ୍ରଗତି ଏକ ବୈପ୍ଳବିକ ବେଗରେ ଆଗକୁ ମାଡ଼ିଚାଲିଛି। ଓଡ଼ିଆ ଜାତି ପାଇଁ ଏକ ସୁବର୍ଣ୍ଣ ଯୁଗର ଆରମ୍ଭ ହୋଇଯାଇଛି। ଓଡ଼ିଆମାନେ ଏହି ପ୍ରଚାରରେ ଏତେ ଉଦ୍‌ବୁଦ୍ଧ ଯେ ନିଜ ପିଠିକୁ ନିଜେ ଖୁବ୍‌ ଜୋର୍‌ରେ ଥାପୁଡ଼ାଇ ଚାଲିଛନ୍ତି। ଆଡଲଫ ହିଟ୍‌ଲର ଦୁଇଟି କଥା କହିଥିଲେ। ଗୋଟିଏ ହେଲା ମିଛକୁ ଏପରି ଭାବରେ ବାରମ୍ବାର ପ୍ରଚାର କରି ଚାଲ, ଯେପରିକି କିଛି ସମୟ ପରେ ସମସ୍ତେ ସେହି ମିଛକୁ ନିରାଟ ସତ୍ୟ ବୋଲି ମଣିବେ। ଦ୍ବିତୀୟଟି ହେଲା ଜନସାଧାରଣଙ୍କୁ ଧୀରେ ଧୀରେ ପ୍ରଗତିର ନାଁ କହି ଏପରି ଭାବେ ଚିପୁଡ଼ି ଦିଅ, ଯେପରିକି କିଛି ସମୟ ପରେ ଜନସାଧାରଣ ସାଧାରଣ ଭାବେ ଜୀବିତ ରହିବାକୁ ମଧ୍ୟ ବିକାଶ ବୋଲି ଭାବିବେ। ଯାହା ଲାଗୁଛି ବର୍ତ୍ତମାନ ଓଡ଼ିଶାରେ ସେଭଳି କିଛି ଚାଲିଛି। ଏହି ପରିପ୍ରେକ୍ଷୀରେ ଅଳ୍ପ କେତେ ଦିନ ଭିତରେ ଓଡ଼ିଶାର ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶ ପାଇଥିବା କିଛି ବିଶେଷ ସମ୍ବାଦ ଉପରେ ଦୃଷ୍ଟି ଦିଆଯାଉ।

ଅକ୍ଟୋବର ୧୮, ୨୦୨୧ରେ ଦୈନିକ ‘ସମ୍ବାଦ’ରେ ପ୍ରକାଶ ପାଇଲା ଯେ ‘ଇ-ଶ୍ରମ ପୋର୍ଟାଲ ପଞ୍ଜୀକରଣରେ ଓଡ଼ିଶା ଶୀର୍ଷରେ’। ସେହି ଦିନ ଅନ୍ୟ ଏକ ବହୁଳ ପ୍ରସାରିତ ଦୈନିକରେ ଯାହା ବାହାରିଲା ତାହା ହେଉଛି ‘ଜାତୀୟ ହାର ଠୁ ଓଡ଼ିଶାରେ ଅଧିକ କୁଷ୍ଠ ରୋଗୀ।’ ଗଲା ଅକ୍ଟୋବର ୧୪ରେ ଦୈନିକ ‘ସମ୍ବାଦ’ରେ ଦୁଇଟି ଖବର ବାହାରିଛି ଯେ ‘ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ ଓଡ଼ିଶା ପଛରେ’ ଏବଂ ‘ସ୍ମାର୍ଟ ସିଟି ରୢାଙ୍କ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ- ୧୫ ନମ୍ବର୍‌ରେ ଭୁବନେଶ୍ବର।’ ସୁତରାଂ, ଏହି ସବୁ ଖବରରୁ ଆଲୋଚନା ଆରମ୍ଭ କରିବା।

ପ୍ରଥମେ ଓଡ଼ିଶାରେ ଶ୍ରମିକ ପଞ୍ଜୀକରଣ ପ୍ରସଙ୍ଗ। ଏହି ପଞ୍ଜୀକରଣର ସଂଖ୍ୟା ହେଉଛି ୮୮.୩୫ ଲକ୍ଷ। ଖବରରେ ଅନ୍ୟାନ୍ୟ ରାଜ୍ୟର ପଞ୍ଜୀକରଣ ବାବଦରେ ଯେଉଁ ତଥ୍ୟ ବାହାରିଥିଲା, ତା’ର ତର୍ଜମା କଲେ ଦିଶେ ଯେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ଜନସଂଖ୍ୟା ଓଡ଼ିଶା ଜନସଂଖ୍ୟାର ଯଥାକ୍ରମେ ପ୍ରାୟ ୩ ଗୁଣ ଓ ୨.୫ ଗୁଣ ହୋଇଥିବାରୁ ଜନସଂଖ୍ୟା ଆଧାରରେ ଓଡ଼ିଶାର ଶ୍ରମିକ ରେଜିଷ୍ଟ୍ରେସନ କଥା ବିଚାର କଲେ ତାହା ଉତ୍ତରପ୍ରଦେଶର ପ୍ରାୟ ୪ ଗୁଣ ଏବଂ ଅନ୍ୟ ଦୁଇ ପ୍ରଦେଶ ଠାରୁ ୧୦ ଗୁଣରୁ ୧୫ ଗୁଣ ଅଧିକ। ବର୍ତ୍ତମାନ ସୁଦ୍ଧା ୮୮.୩୫ ଲକ୍ଷଙ୍କ ପଞ୍ଜୀକରଣ ସରିଛି। କରୋନା ଯୋଗୁ ଅନେକ ଶ୍ରମିକ ରେଜିଷ୍ଟ୍ରେସନ କରିପାରିନାହାନ୍ତି। ଯଦି ଏହି ସଂଖ୍ୟା ଆଉ ୨୦ ଲକ୍ଷ ହୁଏ, ତେବେ ପଞ୍ଜିକୃତ ଶ୍ରମିକଙ୍କ ସଂଖ୍ୟା ହେବ ୧ କୋଟି ୮ ଲକ୍ଷ। ଓଡ଼ିଶାର ଲୋକ ସଂଖ୍ୟା ପ୍ରାୟ ସାଢ଼େ ଚାରି କୋଟି ହୋଇଥିବାରୁ ଏବଂ ଚାରି ଜଣରେ ଗୋଟିଏ ପରିବାର ରୂପେ ହିସାବ କଲେ ଓଡ଼ିଶାର ପରିବାର ସଂଖ୍ୟା ଏକ କୋଟିରୁ ଟିକିଏ ଅଧିକ ହେବ। ଏହି ପରିପ୍ରେକ୍ଷୀରେ ଯଦି ପରିବାର ପିଛା ହାରାହାରି ଜଣେ ପଞ୍ଜିକୃତ ହୋଇଛନ୍ତି ବୋଲି ଧରାଯାଏ, ତେବେ କୁହାଯାଇପାରିବ କି ଆମ ରାଜ୍ୟର ପ୍ରାୟ ସମସ୍ତ ପରିବାର ଶ୍ରମଜୀବୀ? କି ଦାରୁଣ ସ୍ଥିତି!

ଆମ ରାଜ୍ୟ ଲୁହା ଖଣିର ଭଣ୍ଡାର। ମାତ୍ର କେବଳ ଗୋଟିଏ ଓଡ଼ିଆ ପରିବାରକୁ ଛାଡ଼ି ଦେଲେ ଅନ୍ୟ କୌଣସି ଓଡ଼ିଆଙ୍କ ହାତରେ ଲୁହା ଖଣି ନାହିଁ। ପ୍ରମୁଖ ଭାବେ ଓଡ଼ିଆମାନେ ହେଉଛନ୍ତି ଏହି ଅଣ ଓଡ଼ିଆ ଖଣି ମାଲିକମାନଙ୍କ ଠାରେ କାମ କରୁଥିବା ଶ୍ରମଜୀବୀ। ଏବେ ରାଜ୍ୟରେ ଅଣ ଓଡ଼ିଆ ଅଫିସରଙ୍କ ପ୍ରଭାବ ବୃଦ୍ଧି ପା‌ଇଛି। ଅଭିଯୋଗ ହୁଏ ଯେ ସେମାନଙ୍କ ପ୍ରୋତ୍ସାହନରେ ତାମିଲନାଡୁ ଏବଂ ଆନ୍ଧ୍ରରୁ ପ୍ରାୟ ୨୫ରୁ ୩୦ ହଜାର ଟ୍ରକ୍‌ ଓଡ଼ିଶାରେ ଲୁହା ପଥର ପରିବହନରେ ଲାଗିଛନ୍ତି ଏବଂ ୧୦ ହଜାର ଓଡ଼ିଆଙ୍କ ପାଖରେ ଥିବା ୩୦ରୁ ୪୦ ହଜାର ଟ୍ରକ୍‌ ମାଟିରେ ମିଶି ସାରିଲେଣି।

ସେମିତି ଓଡ଼ିଶାରେ ମାତ୍ର ଜଣେ ଓଡ଼ିଆ ଶିଳ୍ପଦ୍ୟୋଗୀ ଅଛନ୍ତି ଏବଂ ସେ ଉଦ୍ୟୋଗ ହେଉଛି ଇମ୍‌ଫା। ବିଗତ ୨୨ ବର୍ଷ ଭିତରେ ବିଜେଡିର ଶାସନ କାଳରେ କେହି ଜଣେ ବି ଓଡ଼ିଆ ଶିଳ୍ପ କ୍ଷେତ୍ରରେ ଆଗକୁ ଆସି ପାରିଲେ ନାହିଁ। ବିଜୁ ବାବୁଙ୍କ ସମୟରେ ଓଡ଼ିଆମାନଙ୍କ ଦ୍ବାରା କିଛି ଶିଳ୍ପ ସଂସ୍ଥା ଗଢ଼ି ଉଠିଥିଲା। ପୋତ୍ସାହନ ଅଭାବରୁ ପ୍ରାୟ ସବୁ ବନ୍ଦ ହୋଇଗଲା। ଆମ ରାଜ୍ୟର ସହରଗୁଡ଼ିକରେ ଯେଉଁ ବିରାଟ ବିରାଟ ସପିଂ ମଲ୍‌ ସବୁ ମୁଣ୍ଡ ଟେକିଛି, ତା’ର ମାଲିକ ଓଡ଼ିଶା ବାହାରୁ ଆସିଥିବା ବ୍ୟବସାୟୀ ଗୋଷ୍ଠୀ। ଓଡ଼ିଆଙ୍କ ପାଖରେ ଅଛି କେବଳ ଛୋଟ ଛୋଟ ଦୋକାନ!

ଏକ ଆଗ ଧାଡ଼ିର ଦୈନିକରେ ପ୍ରକାଶିତ ଖବର କହିଥିଲା ଯେ ଜାତୀୟ ହାର ଠାରୁ ଓଡ଼ିଶାରେ ଅଧଳ କୁଷ୍ଠ ରୋଗୀ। ଅସଚେତନତା, ଅପରିଚ୍ଛନ୍ନତା, ଚିକିତ୍ସାର ଅଭାବ ଏବଂ ପୁଷ୍ଟିହୀନତା ହେଉଛି କୁଷ୍ଠ ରୋଗୀ ସଂଖ୍ୟା ବୃଦ୍ଧିର ବିଭିନ୍ନ କାରଣ। ଏହା ଓଡ଼ିଶାର କରୁଣ ଆର୍ଥିକ ପରିସ୍ଥିତିର ସୂଚକ। କହିବା ବାହୁଲ୍ୟ ଯେ ଏହି ରୋଗର ସଂକ୍ରମଣ ଏବଂ ପ୍ରସାର ଅର୍ଥନୀତି ଉପରେ ସିଧାସଳଖ ପ୍ରହାର କରୁଛି। ମାନବ ସମ୍ବଳର ଏକ ବଡ଼ ଭାଗ କୁଷ୍ଠ ରୋଗ ଦ୍ବାରା ଅକର୍ମଣ୍ୟ ହେଲେ ବିକାଶର ସ୍ବପ୍ନ ଧୂଳିସାତ୍‌ ହେବା ସାର ହେବ ନାହିଁ କି?

ଏବେ ସାଂସଦ ଆର୍ଦଶ ଗ୍ରାମ ଯୋଜନା ପ୍ରସଙ୍ଗ ସଂପର୍କିତ ଖବରକୁ ଆସିବା, ଯେଉଁଥିରେ ଓଡ଼ିଶା ପଛରେ ପଡ଼ିଛି ବୋଲି ଜଣାଯାଇଛି। ବର୍ତ୍ତମାନ ଓଡ଼ିଶାର ଅଧିକାଂଶ ସାଂସଦ ହେଉଛନ୍ତି କ୍ଷମତାସୀନ ବିଜେଡିର। ଯଦି ସେମାନେ ଆଦର୍ଶ ଗ୍ରାମ ଛିଡ଼ା କରାଇ ଥାଆନ୍ତେ, ତାହା ହେଲେ ପ୍ରକାରାନ୍ତରେ ଆମ ରାଜ୍ୟର ଉନ୍ନତିି ହୋଇ ନ ଥାଆନ୍ତା କି?
ଗତ ୨୦୧୬ ମସିହାରେ ଭୁବନେଶ୍ୱର ଏକ ନମ୍ବର ସ୍ମାର୍ଟ ସିଟିର ମାନ୍ୟତା ପାଇଥିଲା। ଏବେ ଭୁବନେଶ୍ବର ସେଇ ତାଲିକାର ନିମ୍ନକୁ ଯାଇଛି। ଅବଶ୍ୟ, ଭୁବନେଶ୍ବରକୁ ଅଧିକ ସ୍ମାର୍ଟ କରିବା ପାଇଁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି; କିନ୍ତୁ ତା’ର ବାଟମାରଣା ହୋଇଛି ବା ତାହା ଉଚିତ ହାତକୁ ଯାଇ ନାହିଁ ବୋଲି ସ୍ଥିତି ଏଭଳି ହୋଇଛି। ଗୋଟିଏ ଉଦାହରଣରୁ ଏହା ସ୍ପଷ୍ଟ ହେବ। ଓଡ଼ିଶା ଠିକାଦାରଙ୍କ ସଂଖ୍ୟା ପ୍ରାୟ ୫୨ ହଜାର। କିନ୍ତୁ ଏମାନଙ୍କ ଭିତରୁ ମାତ୍ର ୨୦୦୦ ଠିକାଦାର ବର୍ଷକୁ ଖଣ୍ଡେ ଖଣ୍ଡେ କାମ ପାଆନ୍ତି। ପ୍ରତି ବର୍ଷ ଓଡ଼ିଶା ସରକାରଙ୍କ ଦ୍ୱାରା ଯେତିକି କାର୍ଯ୍ୟ ସଂପାଦିତ ହୁଏ, ତା’ର ୮୦ ଭାଗ କାର୍ଯ୍ୟ ଆନ୍ଧ୍ର, ତେଲେଙ୍ଗାନା, ତାମିଲନାଡୁରୁ ଆସୁଥିବା ଠିକାଦାରମାନଙ୍କ ହାତକୁ ଚାଲିଯାଏ।

କେବଳ ସେତିକି ନୁହେଁ, ଓଡ଼ିଶା ବାହାର ଠିକାଦାରମାନେ ଓଡ଼ିଆମାନଙ୍କ ତୁଳନାରେ ଅଧିକ ଦରରେ କାମ କରନ୍ତି, ଯାହା ରାଜ୍ୟ ଲାଗି ବିପୁଳ କ୍ଷତି କରିଥାଏ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଉଦାହରଣ ସ୍ବରୂପ ଓଡ଼ିଶା ସଚିବାଳୟ ପଛ ପଟେ ଥିବା ନିର୍ମାଣ ସୌଧ। ବର୍ଗଫୁଟ ପ୍ରତି ମାତ୍ର ୯୫୦ ଟଙ୍କାରୁ ୧୧୫୦ ଟଙ୍କା ଭିତରେ ଓଡ଼ିଶାର ଠିକାଦାରମାନଙ୍କ ଦ୍ବାରା ନିର୍ମିତ ହୋଇ ଏହା ଅତି ସୁନ୍ଦର ଭାବେ ଆଜି ଠିଆ ହୋଇଛି। କିନ୍ତୁ ତା’ ସାମନାରେ ଥିବା ଏବଂ ପ୍ରାୟ ଏକା ସମୟରେ ତିଆରି ହୋଇଥିବା ଖାରବେଳ ଭବନ ଏକ ତାମିଲନାଡୁର କମ୍ପାନି ବର୍ଗଫୁଟ ପ୍ରତି ଟ.୫୫୦୦ରେ ତିଆରି କରିଛି, ଯହିଁରେ ଫାଟମାନ ଦୃଶ୍ୟମାନ ହେଲାଣି।

ଏକ ବହୁଳ ପ୍ରସାରିତ ଦୈନିକର ଅକ୍ଟୋବର ୨୦ ସଂସ୍କରଣରେ ପ୍ରକାଶ ପାଇଛି ଯେ ଓଡ଼ିଶାର ୪୫୦୦ ବା ତତୋଧିକ ପଞ୍ଚାୟତରେ ବ୍ୟାଙ୍କ୍‌ ନାହିଁ। ଗ୍ରାମାଞ୍ଚଳ କଥା ଦୂରେ ଥାଉ, ଓଡ଼ିଶାର ବହୁ ସହରାଞ୍ଚଳରେ ମଧ୍ୟ ଜନସଂଖ୍ୟା ଆନୁପାତିକ ବ୍ୟାଙ୍କ୍‌ ସେବା ନାହିଁ। ଏପରିକି ରାଜଧାନୀ ଭୁବନେଶ୍ୱରର ଅନେକ ଅଞ୍ଚଳର ଅଧିବାସୀଙ୍କୁ ବ୍ୟାଙ୍କ୍‌ ସେବା ପାଇଁ ଦୀର୍ଘ ବାଟ ଯିବାକୁ ପଡ଼େ। ଅଥଚ, ଆମ ପଡ଼ୋଶୀ ଆନ୍ଧ୍ରର ସମସ୍ତ ପଞ୍ଚାୟତରେ ବ୍ୟାଙ୍କ୍‌ ବ୍ୟବସ୍ଥା ଅଛି ଏବଂ ଇଣ୍ଟର୍‌ନେଟ୍‌ ସେବା ମଧ୍ୟ ଉପଲବ୍‌ଧ।

ଅକ୍ଟୋବର, ୨୦ ତାରିଖ ‘ସମ୍ବାଦ’‌େର ଆଉ ଏକ ସମ୍ବାଦ ପ୍ରକାଶ ପାଇଛି ଯେ ମାଲକାନଗିରିର ଗଙ୍ଗାବାଡ଼ ଗ୍ରାମ ନିବାସୀମାନେ ଓଡ଼ିଶାରେ ନ ରହି ଆନ୍ଧ୍ରରେ ମିଶିବାକୁ ଇଚ୍ଛୁକ। ତା’ର କାରଣ ଆନ୍ଧ୍ର ସରକାର ଗ୍ରାମବାସୀଙ୍କୁ ଆର୍ଥିକ ସହାୟତା ଦେବା ସହିତ ଅନ୍ୟ ବହୁ ପ୍ରକାର ସୁବିଧା ଉପଲବ୍‌ଧ କରାଉଛନ୍ତି। ଓଡ଼ିଶା ସରକାର ସ୍କୁଲ୍‌ର ପିଲାଙ୍କୁ ସପ୍ତାହକୁ ୨ଟି ଅଣ୍ଡା ଦେଉଥିଲା ବେଳେ ଆନ୍ଧ୍ର ସରକାର ତାଙ୍କ ସ୍କୁଲ ପିଲାଙ୍କୁ ମାସକୁ ୩୦ଟି ଅଣ୍ଡା ଖାଇବାକୁ ଦିଏ। ତା’ ବ୍ୟତୀତ ୧୨ ଲିଟର କ୍ଷୀର, ୧ ଲିଟର ଖାଇବା ତେଲ, ୫ କେଜି ଚାଉଳ, ୨ କେଜି ଡାଲି ଓ ୫ କେଜି ଛତୁଆ ଗୁଣ୍ଡ ଦିଅନ୍ତି। ଏହା ବ୍ୟତୀତ ପ୍ରତି ଛାତ୍ରଛାତ୍ରୀଙ୍କ ମା’ ମାନଙ୍କୁ ବାର୍ଷିକ ୧୫୦୦୦ ଟଙ୍କା ଭତ୍ତା ଦିଆଯାଏ। ଏଭଳି ସ୍ଥିତିରେ ଆନ୍ଧ୍ର ସହିତ ଗଙ୍ଗାବାଡ଼ବାସୀ ମିଶିବାକୁ ଚାହିଁବା‌େର ବିସ୍ମିତ ହେବାର କାରଣ ନାହିଁ।

ଓଡ଼ିଶା ଯେ କ୍ରମେ ପତନ ମୁଖୀ ହୋଇ ଚାଲିଛି, ତାହାର ଚିତ୍ର ଉପରୋକ୍ତ ଦୃଷ୍ଟାନ୍ତଗୁଡ଼ିକରୁ ସ୍ପଷ୍ଟ। କିନ୍ତୁ ଏଭଳି ଆହୁରି ଅସଂଖ୍ୟ ଦୃଷ୍ଟାନ୍ତ ପ୍ରତ୍ୟହ ‌ଗଣମାଧ୍ୟମ ମାନଙ୍କରେ ପ୍ରକାଶିତ ହେଉଛି। ଏଭଳି ଦୟନୀୟ ସ୍ଥିତିରୁ ଆମ ରାଜ୍ୟକୁ ରକ୍ଷା କରିବା ଲାଗି ପ୍ରତ୍ୟେକ ଓଡ଼ିଆ ତାର ଆରାମଦାୟକ ସୁଷୁପ୍ତିକୁ ତ୍ୟଜ୍ୟ କରି ସକ୍ରିୟ ହେବାକୁ ପଡ଼ିବ।

ମୋ- ୯୪୩୭୦୧୩୪୬୬

ସମ୍ବନ୍ଧିତ ଖବର