ସରକାରୀ ରାଜକୋଷ ଯେ ସର୍ବସାଧାରଣଙ୍କ ଟଙ୍କାରୁ ଗଠିତ, ଏ କଥା ଆମ ସରକାରରେ ଥିବା ମନ୍ତ୍ରୀ ଓ ସରକାରୀ ଅନୁଷ୍ଠାନ ଦାୟିତ୍ବରେ ଥିବା ଅଧିକାରୀମାନେ ଭୁଲି ଯାଆନ୍ତି। ତେଣୁ ସରକାର ନିଷ୍ପତ୍ତି ନେବା ବେଳେ ଧନଜୀବନ ହାନି ବା ରାଜକୋଷର କ୍ଷତି କଥା ଆଲୋଚନା ମଧୢକୁ ନିଅନ୍ତି ନାହିଁ। ତେଣୁ ଅପରିଣାମଦର୍ଶୀ ନିଷ୍ପତ୍ତିମାନ କରାଯାଏ।
ପୋସ୍କୋକୁ ଶହ ଶହ ଏକର ଜମି ଦେବା ପାଇଁ କୋଟି କୋଟି ଟଙ୍କା କ୍ଷତିପୂରଣ ଦେବା, ଶହ ଶହ ପାନବରଜ ନଷ୍ଟ କରିବା ଏବ˚ ପରେ ତାକୁ ବିଦା କରି ପୁଣି ଅନ୍ୟ କୌଣସି ଷ୍ଟିଲ୍ କମ୍ପାନିକୁ ଦେବା ପାଇଁ ନିଷ୍ପତ୍ତି ନେବା ଦୁର୍ଭାଗ୍ୟଜନକ ସତ, କିନ୍ତୁ ଏଥିରେ କାହାର ଲାଭ ବା କ୍ଷତି ହେଲା ତାହା ସହଜରେ ଅନୁମେୟ। ଗୁଟ୍ଖା ଓ ପ୍ଲାଷ୍ଟିକ୍କୁ ବ୍ୟାନ୍ କରିବା ସରକାରୀ ନିଷ୍ପତ୍ତି ହେଲା। କିନ୍ତୁ ଏଗୁଡ଼ିକ ତିଆରି କରୁଥିବା କମ୍ପାନିକୁ ଲାଇସେନ୍ସ ଦେଇ ଏ ସବୁକୁ ବିକ୍ରି କରୁଥିବା ଛୋଟ ଛୋଟ ଦୋକାନରେ ଚଢ଼ାଉ କରିବା ହାସ୍ୟାସ୍ପଦ କି ନୁହେ, କହନ୍ତୁ। କିଛି ଦିନ ପୂର୍ବରୁ ପିଲାମାନେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଭଲ ମନ୍ଦ କଥା ଉପର ସ୍ତରରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ସେଇ ଧାରାରେ ସରକାରୀ କିରାଣି ବା ପିଅନ ବା ଡ୍ରାଇଭରମାନଙ୍କୁ ସେମାନଙ୍କ ଅଫିସରଙ୍କ ବିଷୟରେ ଉପର ସ୍ତରକୁ ଜଣାଇବାର ବ୍ୟବସ୍ଥା କରାଯାଇ ନାହିଁ କାହିଁକି?
ଏମନ୍ତ ନିଷ୍ପତ୍ତିମାନ ନେଉଥିବା ଆମ ଦେଶର ସରକାର ଅନେକ ସମୟରେ ଜାତୀୟ ସ୍ବାର୍ଥ ପ୍ରତି ଦୃଷ୍ଟି ନ ଦେଇ ବ୍ୟକ୍ତିଗତ ସ୍ବାର୍ଥ ହାସଲକୁ ଦେଖୁଥିବାରୁ ଅନେକ ସ୍କାମ୍ ହେଉଛି। ଆସନ୍ତୁ ଅତୀତରୁ ଏ ଦେଶର କେତୋଟି ସ୍କାମ୍ ବିଷୟରେ ପୁଣି ଥରେ ମନେ ପକାଇବା।
ହର୍ଷଦ ମେହେଟ୍ଟାଙ୍କ ସେୟାର ଜାଲିଆତିରେ ଏ ଦେଶ ପାଞ୍ଚ ହଜାର କୋଟି ହରାଇଥିଲା। କିନ୍ତୁ ଅବ୍ଦୁଲ କରିମ୍ ତେଲ୍ଗୀ ଷ୍ଟାମ୍ପ୍ ପେପର ଜାଲିଆତି କରି କୋଡ଼ିଏ ହଜାର କୋଟି ଟଙ୍କାର ରାଜସ୍ବ କ୍ଷତି ଘଟାଇ ହର୍ଷଦ ମେହେଟ୍ଟାକୁ ଟପି ଗଲା। ସତ୍ୟମ୍ ଆଇ.ଟି ସ˚ସ୍ଥାର ମାଲିକ ଭୁଲ୍ ବାଲାନ୍ସ୍ ସିଟ୍ ଦେଖାଇ ଚଉଦ ହଜାର କୋଟି ଟଙ୍କା ଆତ୍ମସାତ୍ କଲେ। ଆଇ.ପି.ଏଲ୍.ର ପ୍ରତିଷ୍ଠାତା ଓ ବି.ସି.ସି.ଆଇ.ର ସେତେବେଳକାରର ଭାଇସ୍ ପ୍ରେସିଡେଣ୍ଟ୍ ଲଳିତ ମୋଦୀ ହଜାର ହଜାର କୋଟି ଠକି ଏବେ ବିଦେଶରେ। ମହାରାଷ୍ଟ୍ର ସରକାର ଅବସରପ୍ରାପ୍ତ ସୈନିକଙ୍କ ପାଇଁ ସରକାରୀ ବ୍ୟୟରେ ତିଆରି କରିଥିବା ଆଦର୍ଶ ହାଉସି˚ ସ୍କିମ୍ର ବିଳାସପୂର୍ଣ୍ଣ ଘର ସବୁ ସରକାରୀ ଓ ବେସରକାରୀ ପ୍ରତିଷ୍ଠିତ ବ୍ୟବସାୟୀ ଓ ବିଭିନ୍ନ ବର୍ଗର ଲୋକେ ଶାଗ ମାଛ ଦରରେ ନିଜ ଭିତରେ ବାଣ୍ଟି ନେଲେ। କର୍ଣ୍ଣାଟକର ଜି. ଜନାର୍ଦ୍ଦନ ରେଡ୍ଡି ଓ ଜି.କରୁଣାକର ରେଡ୍ଡି ଖଣି ଦୁର୍ନୀତିରେ ଷୋହଳ ହଜାର କୋଟି ଟଙ୍କା ନେଇ ହଜମ କରିଦେଲେ। ଏକ ଲକ୍ଷ ବାସ୍ତରି ହଜାର କୋଟିର ୨୦୦୮ ମସିହାର ଟୁ-ଜି ସ୍ପେକ୍ଟ୍ରମ୍ ଦୁର୍ନୀତିରେ ସି.ବି.ଆଇ. କହିଲା ଏ ସ୍କାମ୍ ଏତେ ନୁହେଁ। ଏହା ମାତ୍ର ୩୦,୯୮୪ କୋଟି। ସୁରେଶ କାଲମାଡ଼ି କମନ୍ୱେଲ୍ଥ ଗେମ୍ସର ପଇଁତିରିଶ ହଜାର କୋଟି ଟଙ୍କା ହେରଫେର ମାମଲାରେ ଫସିଲେ। ବୋଫର୍ସ କମାଣ କ୍ରୟ ଘଟଣାରେ ମଧ୍ୟ କିକ୍ବ୍ୟାକ୍ କଥା ଉଠିଲା।
କିନ୍ତୁ କଥା ହେଲା ଅଭିଯୋଗ ଆସିବା ମାତ୍ରକେ ଯଦିଓ କିଛି ନେତା କିଛି ଦିନ ଲାଗି ଜେଲ୍ରେ ପଶୁଛନ୍ତି, କିନ୍ତୁ ପ୍ରକୃତରେ ବିଚାର ସରିବା ପରେ ପ୍ରାୟ ସମସ୍ତେ ନିର୍ଦୋଷରେ ଖଲାସ ହୋଇ ଯାଉଛନ୍ତି। ଏହା ହେଉଛି ଏଭଳି ଘଟଣାମାନ ବଢ଼ିବାର ଅସଲ କାରଣ। ପୁଣି ଆମ ଦେଶର ବିଚାର ପ୍ରକ୍ରିୟା ଅତି ମନ୍ଥର। ଗୋଟିଏ ଉଦାହରଣ ନିଅନ୍ତୁ। ଏଲ୍.ଏନ୍. ମିଶ୍ର ହତ୍ୟା ମାମଲା ୧୯୭୫ରୁ ୨୦୧୪ ପର୍ଯ୍ୟନ୍ତ ପ୍ରାୟ ୩୯ ବର୍ଷ ଚାଲିଥିଲା। କେତେକ ଅଭିଯୁକ୍ତଙ୍କ ବୟସ ୨୭ରୁ ୬୫/୬୬ ବର୍ଷରେ ପହଞ୍ଚିଥିଲା। ୩୯ ଜଣ ସାକ୍ଷୀଙ୍କ ମଧୢରୁ ୩୧ ଜଣ ମରି ସାରିଥିଲେ ଓ ଏ କେସ୍ର ବିଚାର ମଧୢରେ ୨୨ ଜଣ ଜଜ୍ଙ୍କର ବି ବଦଳି ହୋଇସାରିଥିଲା। ତଥାପି ଏ ବିଚାର ସରି ନ ଥିଲା। ଏଭଳି ସ୍ଥିତିରେ କେବଳ କପାଳରେ କର ମାରିବା ଛଡ଼ା ଅନ୍ୟ ଗତି ନାହିଁ।
ଗୁରୁକୃପା, ୪୯/୬୦୦
ଲକ୍ଷ୍ମୀବିହାର, ଭୁବନେଶ୍ବର-୫