ସଂସ୍କାରମାନଙ୍କ ଭବିଷ୍ୟତ କୁଆଡ଼େ?

ମହାମେଘବାହନ ଐର ଖାରବେଳ ସ୍ୱାଇଁ

ଦୀର୍ଘ ବର୍ଷେ କାଳ ଧରି ସଂସଦରେ ଯେଉଁ ବିଜେପି ସରକାର ତିନିଟି କୃଷି ବିଲ୍ ଗୃହୀତ କରିଥିଲେ ଓ କୌଣସି ପରିସ୍ଥିତିରେ ସେମାନଙ୍କୁ ପ୍ରତ୍ୟାହାର କରିବା ପାଇଁ ରାଜି ହେଉନଥିଲେ, ସେହି ସରକାର ଏହାକୁ ପ୍ରତ୍ୟାହାର କରିନେବା ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି। ଅନେକ ରାଜନୈତିକ ବିଶ୍ଳେଷକ ଓ ବିରୋଧୀ ନେତାମାନେ କହୁଛନ୍ତି ଯେ, କେବଳ ପଞ୍ଜାବ ଓ ଉତ୍ତରପ୍ରଦେଶ ନିର୍ବାଚନକୁ ଆଖି ଆଗରେ ରଖି ଓ ପରାଜୟକୁ ଆଶଙ୍କା କରି ନରେନ୍ଦ୍ର ମୋଦୀ ଏହି କୃଷି ବିଲ୍‌ଗୁଡ଼ିକୁ ପ୍ରତ୍ୟାହାର କରିନେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟତଃ ପଞ୍ଜାବ, ହରିଆଣା ଓ ପଶ୍ଚିମ ଉତ୍ତରପ୍ରଦେଶର ଜାଠ କୃଷକମାନଙ୍କ ଦ୍ୱାରା ଏହି ଅନ୍ଦୋଳନ ଚାଲିଥିଲା। ଏହି ଜାଠମାନଙ୍କ ଅସନ୍ତୋଷକୁ ଭୟ କରି ମୋଦୀ ଏପରି ପଦକ୍ଷେପ ନେଲେ ବୋଲି କୁହାଯାଉଛି।

ତେବେ ଭାରତ ସରକାରଙ୍କ ସଡ଼କ ପରିବହନ ଓ ବିମାନ ଚଳାଚଳ ବିଭାଗର ରାଷ୍ଟ୍ରମନ୍ତ୍ରୀ ତଥା ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ବି.କେ ସିଂହ ନିଜେ ଜଣେ ଜାଠ। ସେ ଦିଲ୍ଲୀକୁ ଲାଗିକରିଥିବା ଗାଜିଆବାଦ ଲୋକସଭା ଆସନରୁ ଜିତିଛନ୍ତି। କୃଷି ବିଲ୍ ପ୍ରତ୍ୟାହାର ହେବା ପରେ ମଧ୍ୟ ସେ କହିଛନ୍ତି ଯେ, ଅତୀତରେ କୃଷକମାନଙ୍କୁ ସେ ପଚାରିଛନ୍ତି, ‘ଏହି ବିଲ୍‌ରେ ବ୍ୟବହୃତ କଳା କାଳିକୁ ଛାଡ଼ି ଦେଲେ କୃଷି ବିଲ୍‌ରେ କଳା ବୋଲି କ’ଣ ଅଛି?’ କୃଷକମାନେ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଜାଠ, ଏହାର କୌଣସି ଉତ୍ତର ଦେଇପାରିଲେ ନାହିଁ। ସେମାନେ ଉତ୍ତର ଦେଇ ନ ପାରିଲେ ମଧ୍ୟ ଜିଦ୍ ଧରିଲେ ଯେ ଏହା ହେଉଛି ଏକ କଳା ଆଇନ। ଜେନେରାଲ୍ ସିଂହ ସେଥିପାଇଁ ହତାଶ ହେଲେ ବୋଲି ସ୍ୱୀକାର କରିଛନ୍ତି।

କୃଷକମାନଙ୍କ ଲାଭ ପାଇଁ, ସେମାନଙ୍କର ରୋଜଗାର ବୃଦ୍ଧି ପାଇଁ ଗୃହୀତ କରାଯାଇଥିବା କୃଷି ଆଇନର ପ୍ରତ୍ୟାହାର ପରେ ଏବେ ସନ୍ଦେହ ସୃଷ୍ଟି ହୋଇଛି ଯେ, ଅନ୍ୟ ଯେଉଁ ଅର୍ଥନୈତିକ ସଂସ୍କାର ମୋଦୀ ସରକାର ଆଣିଛନ୍ତି ଓ ଭବିଷ୍ୟତ୍‌ରେ ଆଣିବାକୁ ଯାଉଛନ୍ତି, ସେମାନଙ୍କ ଅବସ୍ଥା କ’ଣ ହେବ! ଉତ୍ତରପ୍ରଦେଶ ଓ ପଞ୍ଜାବ ନିର୍ବାଚନରେ ତାଙ୍କ ଦଳ ହାରିଯିବ ବୋଲି ଭୟ କରି ସେ ଏପରି ପଛଘୁଞ୍ଚା ଦେଲେ ବୋଲି କୁହାଯାଉଛି। ଏହା ପ୍ରମାଣିତ କରୁଛି ଯେ ଭାରତ ଲାଗି ଆବଶ୍ୟକ କିନ୍ତୁ କଠିନ ସଂସ୍କାରମାନଙ୍କ ଅବସ୍ଥା ଏବେ ସନ୍ଦିହାନ ହୋଇପଡ଼ିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅତୀତରେ ଅନେକ କମିଟି ଓ ଏପରିକି କଂଗ୍ରେସ ସରକାରମାନେ ଏ ଧରଣର କୃଷି ସଂସ୍କାର ପାଇଁ ଦାବି କରି ଆସିଛନ୍ତି।

ଏବେ ଦେଶରେ ଯେଉଁ ବ୍ୟବସ୍ଥା ଅଛି, ସେଥିରେ କୃଷକକୁ ଅତିରିକ୍ତ ସବ୍‌ସିଡି ଦିଆଯାଉଛି। ଦେଶରେ ଅତିରିକ୍ତ ଗହମ ଉତ୍ପାଦନ ହେଉଛି ଯାହା ବଳକା ହୋଇ ପଡ଼ିରହୁଛି। ଭାରତରେ ଯେଉଁ ଗହମ ଇତ୍ୟାଦି ଉତ୍ପନ୍ନ ହେଉଛି ତା’ର ମୂଲ୍ୟ ବିଶ୍ୱ ବଜାରର ମୂଲ୍ୟ ଠାରୁ ଅଧିକ। ତେଣୁ ଅନେକ ଖାଦ୍ୟାନ୍ନ ଭାରତରେ ପଚି ଶଢ଼ି ନଷ୍ଟ ହେଉଛି ଯାହାକୁ କେହି ଖାଉନାହାନ୍ତି ଅବା ବିଦେଶକୁ ତାହା ରପ୍ତାନି କରାଯାଇପାରୁନାହିଁ। ଅନେକ କ୍ଷେତ୍ରରେ ମାଗଣା ବିଦ୍ୟୁତ୍ ଦିଆଯାଇଥିବା ହେତୁ କୃଷକମାନେ ମାଟି ତଳୁ ଆବଶ୍ୟକତା ଠାରୁ ଅଧିକ ପାଣି ଟାଣୁଛନ୍ତି ଓ ଧାନ ପରି ଯେଉଁ ଫସଲରେ ଅଧିକ ପାଣିର ଦରକାର ସେହି ଚାଷ କରୁଛନ୍ତି। ଧାନ ଓ ତା’ ପରେ ଗହମ ଏବଂ ତା’ ପରେ ପୁଣି ଧାନ ଚାଷ ହେବା ଦ୍ୱାରା ଧାନ ଚାଷ ସରିବା ମାତ୍ରକେ ଗହମ ପାଇଁ ଜମି ସଫା କରିବାକୁ ଚାଷୀମାନେ ନଡ଼ାକୁ ପୋଡ଼ୁଛନ୍ତି ଓ ସେଥିରୁ ଉତ୍ପନ୍ନ ପ୍ରଦୂଷିତ ଧୂଆଁ ହଜାର ହଜାର ଲୋକଙ୍କ ମୃତ୍ୟୁର କାରଣ ହେଉଛି। ମୋଦୀଙ୍କର କୃଷି ସଂସ୍କାର ଆଇନମାନଙ୍କୁ ମହାରାଷ୍ଟ୍ରର ଅତି ପୁରୁଣା ଶେତକରୀ କୃଷକ ସଂଗଠନ ଓ ଆନ୍ଧ୍ରପ୍ରଦେଶର କନ୍‌ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଫାର୍ମ ଏସୋସିଏସନ୍‌ସ ଆଦି ସମର୍ଥନ କରି ଆସିଛନ୍ତି। କିନ୍ତୁ ଆଗାମୀ ବିଧାନସଭା ନିର୍ବାଚନରେ ସେମାନେ ଭୋଟ ଦେଉ ନ ଥିବାରୁ ସେମାନଙ୍କ କଥାର ଗୁରୁତ୍ୱ ରହୁନାହିଁ।

୨୦୧୪ ନିର୍ବାଚନ ପରେ ନରେନ୍ଦ୍ର ମୋଦୀ ଛୋଟ ଛୋଟ ସଂସ୍କାରମାନ ଆଣିଥିଲେ। ଯେମିତିକି ସ୍ୱଚ୍ଛ ଭାରତ, ଜନ ଧନ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଜ୍ଜ୍ୱଳା ଯୋଜନା ଇତ୍ୟାଦି। ଏହା ପରେ କୃଷକ ଓ ଅନ୍ୟମାନଙ୍କର ଉପକାର ପାଇଁ ସେ ବଡ଼ ଧରଣର ସଂସ୍କାର ଆଣିବେ ବୋଲି ୨୦୧୯କୁ ଅପେକ୍ଷା କରିଥିଲେ। ସଂସ୍କାର ଆଣିବା କ୍ଷେତ୍ରରେ ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତାର ଅଭାବ ତାଙ୍କୁ କିଛି ଅସୁବିଧାରେ ମଧ୍ୟ ପକାଇଥିଲା। ଦ୍ୱିତୀୟ ଥରର ବିପୁଳ ବିଜୟ ପରେ ମୋଦୀ ବଡ଼ ଧରଣର ସଂସ୍କାରମାନ ଆଣିବା ଆରମ୍ଭ କଲେ, ଯାହା ମଧ୍ୟରେ କେତେକ ସରକାରୀ ଉଦ୍ୟୋଗମାନଙ୍କର ଘରୋଇକରଣ, ଏକ ରାଷ୍ଟ୍ରୀୟ ମନିଟାଇଜେସନ୍‌ ପାଇପ୍‌ଲାଇନ୍ ଯୋଜନା ମାଧ୍ୟମରେ ବନ୍ଦର, ରାସ୍ତା ଆଦି ପୁରୁଣା ଭିତ୍ତିଭୂମିମାନଙ୍କୁ ବିକ୍ରି କରି ଟ.୬ ଲକ୍ଷ କୋଟି ରୋଜଗାର କରି ସେଥିରେ ନୂଆ ଭିତ୍ତିଭୂମି ନିର୍ମାଣ କରିବା, ବିଦ୍ୟୁତ୍ ଉତ୍ପାଦନ ଓ ଯୋଗାଣର ଏକ ଅାମୂଳଚୂଳ ପରିବର୍ତ୍ତନ କରିବା, ଯାହା ଫଳରେ ସରକାରମାନେ ବିଦ୍ୟୁତ୍‌ ବଣ୍ଟନ କରି ବିପୁଳ କ୍ଷତି ସହିବେ ନାହିଁ। ଏହାଛଡ଼ା କେତେକ ସରକାରୀ ବ୍ୟାଙ୍କ୍‌ମାନଙ୍କର ଘରୋଇକରଣ ଉଦ୍ୟମ ରହିଛି। ଏହା ଫଳରେ ବିଦ୍ୟୁତ୍‌ କ୍ଷେତ୍ରରେ ଆଉ ଋଣ ବୋଝ ରହିବ ନାହିଁ। ଏଥି ସହ ସୌର ଶକ୍ତି ଆଦି ପ୍ରଦୂଷଣମୁକ୍ତ ଅକ୍ଷୟ ଶକ୍ତି ଉତ୍ପାଦନ ମଧ୍ୟ ଏକ ବଡ଼ ସଂସ୍କାର ଅଟେ। ଅନେକ ବିଶେଷଜ୍ଞ ମତ ଦେଇଛନ୍ତି ଯେ, ବିଦ୍ୟୁତ୍‌ ବଣ୍ଟନର ଘରୋଇକରଣ ନ ହେଲେ ଏହି କ୍ଷେତ୍ର କ୍ଷତିମୁକ୍ତ ହୋଇ ବଞ୍ଚିରହିବ ନାହିଁ। ଉତ୍ତରପ୍ରଦେଶରେ ଏହି ଦିଗରେ ଏକ ସଂସ୍କାର, ଆନ୍ଦୋଳନ ଯୋଗୁଁ ବିଫଳ ହେଲା। ଆଜି ବିଦ୍ୟୁତ୍‌ ବଣ୍ଟନ କ୍ଷେତ୍ରରେ ଯଦି ବିପୁଳ କ୍ଷତିର ସମ୍ମୁଖୀନ ହେବାକୁ ପଡ଼େ, ତେବେ ଭବିଷ୍ୟତ୍‌ରେ ପ୍ରଦୂଷଣ ମୁକ୍ତ ବିଦ୍ୟୁତ୍‌ ଉତ୍ପାଦନ ହେବ କିପରି? ସରକାରୀ ଉଦ୍ୟୋଗମାନଙ୍କର ଘରୋଇକରଣ ହେଲେ ନୂଆ ଏକ୍‌ସପ୍ରେସ୍‌ ୱେ ରନ୍ଧନ ଗ୍ୟାସ୍‌ ପାଇପ୍‌ଲାଇନ୍‌, ଜଳପଥ, ହାଇସ୍ପିଡ୍ ଟ୍ରେନ୍‌ମାନଙ୍କ ପାଇଁ ସରକାରଙ୍କ ପାଖରେ ଅର୍ଥ ରହିବ। କିନ୍ତୁ ଏବେ ପ୍ରତ୍ୟେକ ଘରୋଇକରଣକୁ ଟ୍ରେଡ୍ ୟୁନିଅନ୍ ଓ ବିରୋଧୀ ଦଳମାନେ ମିଳିତ ଭାବରେ ବିରୋଧ କରିବେ। କୃଷି ଆଇନ ପ୍ରତ୍ୟାହାର ପରେ ସବୁ ପ୍ରକାର ସଂସ୍କାରମାନଙ୍କୁ ବିରୋଧ କରିବା ପାଇଁ ଉଦ୍ୟମ ରହିବ। ଏଣୁ ମୋଦୀ ସରକାର ଏବେ କି ପ୍ରକାର ପଦକ୍ଷେପ ନେବେ ତାହା ଉପରେ ଦେଶର ଭବିଷ୍ୟତ୍‌ ଅଗ୍ରଗତି ନିର୍ଭର କରୁଛି।

ଏବେ କେତେକ କୃଷକମାନଙ୍କ ପକ୍ଷରୁ ଦାବି ହେଲାଣି ଯେ, କେବଳ ଧାନ, ଗହମ, ଆଖୁ, ତୈଳବୀଜ ପରି ଅଳ୍ପ କେତେକ ଫସଲ ନୁହେଁ, ୨୩ଟି ଯାକ କୃଷିଜାତ ଦ୍ରବ୍ୟ ପାଇଁ ସରକାରୀ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରାଯାଉ। ଅର୍ଥାତ୍‌, ପ୍ରତ୍ୟେକ କୃଷିଜାତ ଦ୍ରବ୍ୟର ଏକ ସର୍ବନିମ୍ନ ସହାୟକ ମୂଲ୍ୟ ସରକାର ଧାର୍ଯ୍ୟ କରନ୍ତୁ ଓ ସରକାର ଏହାକୁ ନିଜେ କିଣନ୍ତୁ। ଏହା କରାଯିବାର କାରଣ ସ୍ୱରୂପ କୁହାଯାଉଛି ଯେ କୃଷକ ହେଉଛି ଅନ୍ନଦାତା, ସେ ଚାଷ କରୁଛି ବୋଲି ଲୋକମାନେ ପେଟ ପୂରାଇ ବଞ୍ଚୁଛନ୍ତି। ତା’ ନ ହେଲେ ଲୋକମାନେ ମରିଯାଆନ୍ତେ। ଏହାଛଡ଼ା ଯୁକ୍ତି କରାଯାଉଛି ଯେ, କୃଷକମାନଙ୍କର ଉତ୍ପାଦିତ ମୂଲ୍ୟର ଦେଢ଼ଗୁଣ ସର୍ବନିମ୍ନ ସହାୟକ ମୂଲ୍ୟ ଆକାରରେ ଧାର୍ଯ୍ୟ କରାଯାଉ ଓ ସରକାର ସେହି ମୂଲ୍ୟ ସବୁ ଦିଅନ୍ତୁ। ଏହାଦ୍ୱାରା କୃଷକର ଆର୍ଥିକ ଉନ୍ନତି ହେବ।

କିନ୍ତୁ ଏଠାରେ ଦ୍ୱିତୀୟ ଦିଗଟି ହେଲା, ସରକାର ସବୁ ଫସଲକୁ କିଣି କରିବେ କ’ଣ? ସରକାର ଏହାକୁ ବିକ୍ରି କରିବେ ଅବା ବାଣ୍ଟିବେ। ସରକାର ହେବେ ଦେଶର ସବୁଠୁଁ ବଡ ଫସଲ ବେପାରୀ। ଆହୁରି ଏକ ଦିଗ ହେଲା, ଚାଷୀମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେଉ ବୋଲି ଦାବି କରୁଥିଲା ବେଳେ ଖାଉଟିମାନେ ଖାଦ୍ୟାନ୍ନର ମୂଲ୍ୟ କମ୍‌ ହେଉ ବୋଲି ସବୁବେଳେ ଦାବି କରିଥା’ନ୍ତି। ଦରଦାମ ବୃଦ୍ଧି କଥା ସେଥିପାଇଁ ସଦାବେଳେ ଉଠିଥାଏ। ଯଦି ଚାଷୀ ଓ ଖାଉଟି ଉଭୟଙ୍କ ଦାବି ସରକାର ଗ୍ରହଣ କରନ୍ତି ତେବେ ଏହି ପରିସ୍ଥିତି ଆସିବ ଯେ ସରକାର ଅଧିକ ମୂଲ୍ୟରେ କୃଷିଜାତ ଦ୍ରବ୍ୟ କିଣି ଖାଉଟିଙ୍କୁ କମ୍ ମୂଲ୍ୟରେ ବିକିବେ। ଏହାଦ୍ୱାରା ସରକାରଙ୍କର ଯେଉଁ କ୍ଷତି ହେବ ତାହା ଭରଣା କରିବ କିଏ?

ମହାରାଷ୍ଟ୍ରର ବିଖ୍ୟାତ ଶେତକରୀ ସଂଗଠନର ମୁଖ୍ୟ ଅନୀଲ ଘନୱଡଙ୍କ ମତ ଅନୁସାରେ ଏପରି ହେଲେ ଦୁଇ ବର୍ଷ ମଧ୍ୟରେ ଦେଶ କାଙ୍ଗାଳ ହୋଇଯିବ। ସରକାରଙ୍କ ସବୁ ରାଜସ୍ୱ କେବଳ ଚାଷୀଙ୍କୁ ସବ୍‌ସିଡି ଦେବାରେ ବ୍ୟୟିତ ହୋଇଯିବ। ପ୍ରତିଦିନ ସବୁ ରାଜ୍ୟର ଚାଷୀମାନେ ସେମାନଙ୍କ ଫସଲକୁ ସରକାର ପଇସା ଦେଇ କିଣନ୍ତୁ ବୋଲି ଦାବି କରିବେ।

ଭାରତରେ ଏବେ ୪୧ ଲକ୍ଷ ଟନ୍ ଖାଦ୍ୟାନ୍ନ ଗଚ୍ଛିତ ହୋଇ ରହିଛି। କିନ୍ତୁ ସରକାରଙ୍କୁ ଆହୁରି ୧୧୦ ଲକ୍ଷ ଟନ୍ ଧାନ ଓ ଗହମ କିଣିବାକୁ ପଡ଼ିବ ଚାଷୀଙ୍କ ଠାରୁ। ଏତେ ଫସଲ ସଂଗ୍ରହ କରି ରଖିବା ପାଇଁ ସରକାରଙ୍କ ପାଖରେ ଜାଗା ନ ଥିବାରୁ ସେହି ଖାଦ୍ୟାନ୍ନକୁ ପୋକ, କୀଟ, ମୂଷା ଖାଇଯାଆନ୍ତି ଓ ବନ୍ୟା ବା ବାତ୍ୟାରେ ତାହା ନଷ୍ଟ ହୁଏ। ବିଶ୍ୱ ବଜାରରେ ଧାନ ଓ ଗହମର ମୂଲ୍ୟ କମ୍‌ ଥିବାରୁ ଭାରତ ସରକାର ଏହାକୁ ରପ୍ତାନି କରିପାରିବେ ନାହିଁ। ସରକାର ମଧ୍ୟ ଏହି ଖାଦ୍ୟାନ୍ନକୁ ଆହୁରି କମ୍ ମୂଲ୍ୟରେ ବିକିବେ। ତେଣୁ ଚାଷୀମାନେ ଅଧିକ ମୂଲ୍ୟ କେମିତି ପାଇବେ? ଏହା ହେଉଛି ଦେଶ ପାଇଁ ଏକ ଗଭୀର ସଂକଟ। କୃଷି ଆଇନ ହିଁ କୃଷକକୁ ଅଧିକ ଆୟ ଦେବା ପାଇଁ ସୃଷ୍ଟି ହୋଇଥିଲା। ବଜାର ହିଁ କୃଷିଜାତ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ କରିଥା’ନ୍ତା। କିନ୍ତୁ ତାହା ହେଲାନାହିଁ। ଏବେ କୃଷକମାନେ ଯାହା ଦାବି କରୁଛନ୍ତି ଯେ, ସରକାର ହିଁ ଅଧିକ ଦାମ୍‌ ଦେଇ ତାଙ୍କ ଦ୍ରବ୍ୟ କିଣନ୍ତୁ, ତାହା ସମ୍ଭବ ନୁହେଁ। କାରଣ ଏହା ହେଲେ ଦରଦାମ ବଢ଼ିବ ଓ କୌଣସି ସରକାର ବିଶ୍ୱରେ ଦରଦାମ ବଢ଼ିବାକୁ ଦେବେ ନାହିଁ। ଏହା ହେଲେ ସରକାର ନିର୍ବାଚନ ହାରିବ। ଏଣୁ ପ୍ରଶ୍ନ ଉଠୁଛି ଦେଶର ଆର୍ଥିକ ବିକାଶ ପାଇଁ ବଡ଼ ବଡ଼ କିନ୍ତୁ କଷ୍ଟକର ସଂସ୍କାରମାନ ଆଣିବ କିଏ? ଅଧିକାଂଶ ସଂଗଠନମାନେ କେବଳ ନିଜର ଛୋଟ ଛୋଟ ସ୍ୱାର୍ଥମାନଙ୍କ ପ୍ରତି ଧ୍ୟାନ ଦେଇଥା’ନ୍ତି। ସେମାନଙ୍କର ନିଜ କ୍ଷୁଦ୍ର ସ୍ୱାର୍ଥକୁ ରାଷ୍ଟ୍ର ସ୍ୱାର୍ଥ ବୋଲି ସେମାନେ ଧରିନେଇଥା’ନ୍ତି। କିନ୍ତୁ, ସେମାନଙ୍କର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ହେତୁ ରାଷ୍ଟ୍ରର ମହତ୍ତର ସ୍ୱାର୍ଥ ଯେ ନଷ୍ଟ ହୋଇଯାଉଛି, ତାହା ହୁଏ’ତ ସେମାନେ ବୁଝିପାରନ୍ତି ନାହିଁ ଅବା ବୁଝିବାକୁ ଚେଷ୍ଟା କରନ୍ତି ନାହିଁ। ଅଥଚ, ଭାରତ ବିଶ୍ୱ ଗୁରୁ ହେବାକୁ ଚାହେଁ ବା ଚୀନ ସହ ଆର୍ଥିକ ଦୃଷ୍ଟିକୋଣରୁ ସମାନ ହେବା ପାଇଁ ବା ତାକୁ ଅତିକ୍ରମ କରିବା ପାଇଁ ଉଦ୍ୟମୀ ବୋଲି କହିଆସୁଛି। କିନ୍ତୁ, ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ବ୍ୟକ୍ତି ସ୍ୱାର୍ଥ ନଜରରେ ନ ରହି ରାଷ୍ଟ୍ର ସ୍ୱାର୍ଥ ନଜରରେ ରହିବ। ମୋଦୀଙ୍କ ପରି ଏକ ଅତି ସାହସିକ ନେତା ଏ କ୍ଷେତ୍ରରେ ଏକ ପ୍ରକାର ପରାସ୍ତ ହେବା ଘଟଣା ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଉଛି, ନିର୍ବାଚନ ଫଳାଫଳକୁ ଖାତିର ନ କରି ଦୃଢ଼ ହସ୍ତରେ ସଂସ୍କାର ଆଣିବ କିଏ?

ମୋ- ୯୪୩୭୦୨୦୨୯୦
[email protected]

ସମ୍ବନ୍ଧିତ ଖବର