ସରକାର, ଜନଜାତି ଓ ବିଶ୍ୱାସ ସଂକଟ

ହୃଷୀକେଶ ପ୍ରଧାନ

ରାମାୟଣ ଓ ମହାଭାରତରେ ବନବାସୀ ଓ ନଗରବାସୀଙ୍କ ମଧ୍ୟରେ ଥିବା ସୁସମ୍ପର୍କ ବିସ୍ତୃତ ଭାବେ ବର୍ଣ୍ଣିତ। ରାମାୟଣର ଅଯୋଧ୍ୟା କାଣ୍ଡ ଅନୁଯାୟୀ ବନବାସ ସମୟରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର ଯେତେବେଳେ ଗଙ୍ଗା ନଦୀର ଉତ୍ତରରେ ଅବସ୍ଥିତ ଶ୍ରୀଙ୍ଗବେରପୁର ଠାରେ ପହଞ୍ଚିଥିଲେ, ସେତେବେଳେ ପଡ଼ୋଶୀ ରାଜ୍ୟର ନିଶାଦ ରାଜା ଗୁହା ତାଙ୍କୁ ସ୍ୱାଗତ କରିଥିଲେ। ଆଦିବାସୀ ମୁଖିଆ ଗୁହାଙ୍କ ପ୍ରତି ରାମଚନ୍ଦ୍ର ବିବେକାନୁମୋଦିତ ବ୍ୟବହାର ପ୍ରଦର୍ଶନ କରିଥିଲେ। ଗୁହାଙ୍କ ବାସ ସ୍ଥାନରେ ଶ୍ରୀରାମଚନ୍ଦ୍ର ରାତ୍ରି ଯାପନ କରିଥିଲେ ଓ ପର ଦିନ ନିଶାଦ ରାଜା ନଦୀ ପାର ହେବାରେ ତାଙ୍କୁ ସାହାଯ୍ୟ କରିଥିଲେ। ସେହିପରି ମହାଭାରତ ଯୁଗରେ ଅର୍ଜୁନ ଉତ୍ତର ପୂର୍ବ ଅଞ୍ଚଳରେ ନାଗ ଜନଜାତିର ରାଜକୁମାରୀ ଉଲୁପୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିବାର ବର୍ଣ୍ଣନା ରହିଛି। ଏହାର ଅର୍ଥ ପ୍ରାଚୀନ କାଳରେ ଶାସକ ବର୍ଗଙ୍କ ସହିତ ଜନଜାତି ଗୋ‌ଷ୍ଠୀର ଏକ ଉତ୍ତମ ସଂପର୍କ ଥିଲା। ଭାରତୀୟ ସଂସ୍କୃତି ଓ ଇତିହାସରେ ଆଦିବାସୀମାନେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ।

କିନ୍ତୁ ବ୍ରିଟିସ୍‌ ସରକାର ଅମଳରେ ତାହା ବଦଳି ଯାଇଥିଲା। ବ୍ରିଟିସ୍‌ମାନଙ୍କ ଦ୍ବାରା ଅଣାଯାଇଥିବା ଆଦିବାସୀ ଅପରାଧ ଆଇନ-୧୮୭୧, ଜନଜାତି ବର୍ଗକୁ ଅପରାଧୀ ରୂପେ ଚିତ୍ରଣ କଲା। ଆଦିବାସୀମାନଙ୍କୁ ଅସଭ୍ୟ ବୋଲି କହୁଥିବା ଏହି ଆଇନ ଜନଜାତି ସଂପ୍ରଦାୟଗୁଡ଼ିକ ମଧ୍ୟରେ ଭୟ, ଅବିଶ୍ବାସ ଏବଂ ପରବର୍ତ୍ତୀ କାଳରେ ବିରୋଧ ଓ ବିଦ୍ରୋହାତ୍ମକ ମନୋଭାବ ସୃଷ୍ଟି କରିଥିଲା। ସେହି ସମୟରେ ବିର୍ସା ମୁଣ୍ଡା, ତାନ୍ତିଆ ଭିଲ୍, କୋମରାମ୍ ଭୀମ ଓ ଥଲକ୍କାଲ୍ ଚନ୍ଦୁଙ୍କ ଠାରୁ ଆରମ୍ଭ କରି ରାଣୀ ଗୈଦିନଲିଉଙ୍କ ପର୍ଯ୍ୟନ୍ତ ଅନେକ ଜନଜାତି-ବିପ୍ଳବୀ ବ୍ରିଟିସ୍‌ ଶାସନ ବିରୋଧରେ ଜୋରଦାର ବିଦ୍ରୋହର ସୂତ୍ରପାତ କରିଥିଲେ। ଏହା ଥିଲା ଏକ ସ୍ବାଭିମାନୀ ଗୋଷ୍ଠୀ ଦ୍ବାରା ସେମାନଙ୍କ ସମ୍ମାନ ହାନି ବିରୋଧରେ ଉଠାଯାଇଥିବା ଉଚ୍ଚାଟ ସ୍ବର।

ସ୍ୱାଧୀନତା ପ୍ରାପ୍ତି ପରେ ଆଦିବାସୀ ସଂପ୍ରଦାୟର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ପ୍ରଚେଷ୍ଟା କରାଗଲା। ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ପ୍ରତିନିଧିତ୍ବ ସକାଶେ ସଂଖ୍ୟାଗରିଷ୍ଠ ଆଦିବାସୀ ସଂପ୍ରଦାୟ ସକାଶେ ଆରକ୍ଷଣର ବ୍ୟବସ୍ଥା ରହିଲା। ସଂପ୍ରତି ଗଣ୍ଡ, ସାନ୍ତାଳ, ମିଜି, ମୁଣ୍ଡା, କୋକଣ, ଚା’ ଜାତି, ସୋନୋୱାଲ୍-କଚାଡ଼ି ପ୍ରଭୃତି ସଂପ୍ରଦାୟକୁ ରାଜନୈତିକ ପ୍ରତିନିଧିତ୍ବ ମିଳିଛି। କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସେମାନଙ୍କୁ ସ୍ଥାନ ମିଳିଲା (ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସେମାନଙ୍କ ସ୍ଥାନ ତିନି)। ଆଦିବାସୀ ସଂପ୍ରଦାୟର ସାମାଜିକ ତଥା ଆର୍ଥିକ ବିକାଶ ଲାଗି ଶିକ୍ଷା ଓ ସରକାରୀ ଚାକିରି କ୍ଷେତ୍ରରେ ଆରକ୍ଷଣର ବ୍ୟବସ୍ଥା କରାଗଲା। ଜନଜାତି ସଂପ୍ରଦାୟର ଉନ୍ନତି ସକା‌େଶ ବଜେଟ୍‌ରେ ଅର୍ଥର ସ୍ବତନ୍ତ୍ର ପ୍ରାବଧାନ ରହିଲା। ଚଳିତ ୨୦୨୧-୨୨ ଆର୍ଥିକ ବର୍ଷରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପାଇଁ ୭,୫୨୪.୮୭ କୋଟି ଟଙ୍କାର ବଜେଟ୍ ଧାର୍ଯ୍ୟ କରାଯାଇଛି। ସେହିଭଳି ପ୍ରାୟ ୯୦ ବର୍ଷ ପରେ ଅର୍ଥାତ୍‌ ୨୦୧୭ ମସିହାରେ ଭାରତୀୟ ଜଙ୍ଗଲ ଆଇନ, ୧୯୨୭ରେ ବ୍ୟାପକ ସଂସ୍କାର ଅଣାଯାଇ ଜଙ୍ଗଲଜାତ ଓ ଲଘୁ ବନଜାତ ଦ୍ରବ୍ୟ ଉପରେ ବନବାସୀ ସମ୍ପ୍ରଦାୟର ଅଧିକାରକୁ ଅଧିକ ଦୋରସ୍ତ କରାଯାଇଛି। କେବଳ ସେତିକି ନୁହେଁ, ଆଦିବାସୀମାନଙ୍କୁ ବିଭିନ୍ନ ଜଙ୍ଗଲଜାତ ଏବଂ ଲଘୁ ବନଜାତ ଦ୍ରବ୍ୟର କିଣାବିକାରେ ସହାୟକ ହେବା ଲାଗି ଆଦିବାସୀ ବଜାର ଉନ୍ନୟନ ନିଗମ ମଧ୍ୟ ସ୍ଥାପନ କରାଯାଇ ସେମାନଙ୍କ ଆୟ ବୃଦ୍ଧିର ଉଦ୍ୟମ ହୋଇଛି। ସେହିଭଳି ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ବିକାଶ ଆଣିବା ଦିଗରେ ପ୍ରୟାସ ଚାଲିଛି। ଆଦିବାସୀ ସଂପ୍ରଦାୟର ପିଲାମାନେ ଯେମିତି ଅଧାରୁ ପାଠ ନ ଛାଡ଼ନ୍ତି ଏବଂ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଆଦିବାସୀ ଶିଶୁମାନଙ୍କୁ ଯେମିତି ସେମାନଙ୍କ ନିଜ ମାତୃଭାଷା ବା ଆଞ୍ଚଳିକ ଭାଷାରେ ଶିକ୍ଷା ଦିଆଯାଏ, ସେ ଦିଗରେ ଦୃଷ୍ଟି ଦେଇ ଶିକ୍ଷା ନୀତିମା‌ନ ପ୍ରଣୀତ ହୋଇଛି। ଏହି ସବୁ ପଦକ୍ଷେପର ମୂଳ ଉଦ୍ଦେଶ୍ୟ ହେଉଛି ଆଦିବାସୀମାନଙ୍କ ବିଶ୍ବାସକୁ ଜିଣିବା। କାରଣ, ବ୍ରିଟିସ୍‌ମାନଙ୍କ ବ୍ୟବହାର ପରେ ଜଙ୍ଗଲରେ ରହୁଥିବା ଏହି ସ୍ବାଭିମାନୀ ଗୋଷ୍ଠୀ ଶାସକ ବର୍ଗକୁ ସନ୍ଦେହର ଚକ୍ଷୁରେ ଦେଖି ଆସିଛନ୍ତି।

କିନ୍ତୁ ବିଡ଼ମ୍ବନା ହେଲା, ଏଭଳି ପ୍ରୟାସ ସହିତ ସେମାନଙ୍କ ସନ୍ଦେହକୁ ସାବ୍ୟସ୍ତ କଲା ଭଳି ଭିନ୍ନ ଭିନ୍ନ ସରକାର ବିଭିନ୍ନ ସମୟରେ ନକାରାତ୍ମକ ଆଚରଣ ମଧ୍ୟ ପ୍ରଦର୍ଶନ କରିଛନ୍ତି। ଏକ ଅନୁଶୀଳନ କହିଥାଏ ଯେ ଦେଶର ବିକାଶ‌ ପ୍ରକ୍ରିୟା‌େ‌ର ଉଦ୍‌ବାସ୍ତୁ ହୋଇଥିବା ଲୋକଙ୍କ ମଧ୍ୟରେ ସର୍ବାଧିକ ହେଉଛନ୍ତି ଜନଜାତି ସଂପ୍ରଦାୟର। ଜମି, ଜଙ୍ଗଲ ଓ ଜଳ ଉପରେ ସେମାନଙ୍କର ନ୍ୟାଯ୍ୟ ଓ ପାରଂପରିକ ଅଧିକାର ବାରମ୍ବାର ବିଭିନ୍ନ ସରକାର ଓ ନିୟମ ଦ୍ବାରା କ୍ଷୁଣ୍ଣ ହୋଇ ଆସୁଛି। ସଂପ୍ରତି ଆଦିବାସୀମାନେ ଦେଶର ସର୍ବାଧିକ ଦରିଦ୍ରଙ୍କ ଭିତରେ ଗଣା ଯାଉଛନ୍ତି। ଏହି କାରଣରୁ ଉଗ୍ର ବାମପନ୍ଥୀ ଆନ୍ଦୋଳନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମୁଖ୍ୟତଃ ତିଷ୍ଠି ରହିଛି। ସୁତରାଂ, ଏଥିରୁ ଏକ ଧାରଣା ଜନ୍ମିଥାଏ ଯେ ସରକାର ଯେତେ ଯାହା ଘୋଷଣା କଲେ ବା ଆଦିବାସୀ ସଂପ୍ରଦାୟର ବିକାଶ ଲାଗି ପଦକ୍ଷେପ ନେଲେ ସୁଦ୍ଧା ତାହାର ସୁଫଳ ସେମାନଙ୍କ ନିକଟରେ ପହଞ୍ଚି ପାରୁନାହିଁ। ତେଣୁ ସରକାରୀ ଘୋଷଣା ଏବଂ ଯୋଜନାର ଫଳ ଯେଉଁ ନଳ ବାଟେ ଆଦିବାସୀ ସଂପ୍ରଦାୟ ନିକଟ‌େର ପହଞ୍ଚିବା କଥା, ତହିଁରେ ଅନେକ ଛିଦ୍ର ରହିଥିବା ନିଶ୍ଚିତ, ଯାହାକୁ ବୁଜାଯିବାର ସମୟ ଏବେ ଉପନୀତ। ତାହା ହେଲେ ଯାଇ ଭାରତର ଜନସଂଖ୍ୟାର ୧୦ ପ୍ରତିଶତ ସ୍ଥାନ ଅଧିକାର କରିଥିବା ଏହି ସ୍ବାଭିମାନୀ ବର୍ଗଙ୍କ ମନରେ ଶାସକ ବର୍ଗଙ୍କ ପ୍ରତି ଜମି ରହିଥିବା ବିଶ୍ବାସ ସଂକଟ ଦୂର ‌ହୋଇ ପାରିବ।

ମୋ- ୮୦୧୮୧୭୨୩୦୧

ସମ୍ବନ୍ଧିତ ଖବର