ମଣିଷ, ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗକୁ ଯେତେ ମର୍ଯ୍ୟାଦା ପ୍ରଦାନ କରେ, ସେତେ ଗୁରୁତ୍ବ ଗୋଡ଼କୁ ଦିଏ ନାହିଁ। ସବୁ ପ୍ରାଧାନ୍ୟ ମୁଖ୍ୟତଃ ମୁଣ୍ଡ ବା ମୁହଁ ଓ ହାତକୁ ଦିଏ। ସେଇଥିପାଇଁ ପୁରାଣ କାହାଣୀରେ ଚତୁରାନନ, ପଞ୍ଚାନନ, ଦଶାନନ ଆଦି ବର୍ଣ୍ଣନା ସହ ଚତୁର୍ଭୁଜା, ଅଷ୍ଟଭୁଜା, ଦଶଭୁଜାଙ୍କ ସମ୍ପର୍କରେ ପଢ଼ିବାକୁ ମିଳେ। କେଉଁଠାରେ ଦେବ, ଦାନବ ଓ ନରଙ୍କର ଏକାଧିକ ଗୋଡ଼ ଥିବାର ପରିକଳ୍ପନା ଶୁଣିବାକୁ, ପଢ଼ିବାକୁ ବା ଦେଖିବାକୁ ମିଳେ ନାହିଁ। ବିଷ୍ଣୁଙ୍କର ବାମନାବତାର ଏକମାତ୍ର ବ୍ୟତିକ୍ରମ। ତୃତୀୟ ଗୋଡ଼ ବାହାରି ପୁଣି ଉଭାନ୍ ହୋଇଗଲା।
ଗୋଡ଼, ଅସଲ ବାହକ। ଆଜି କାଲିର ଆଧୁନିକ ବ୍ୟବସ୍ଥାରେ ଗୋଡ଼ ହରାଇଥିବା ଦିବ୍ୟାଙ୍ଗ ଯେ ସ୍ଥାନରୁ ସ୍ଥାନ ଯାଇପାରୁନାହାନ୍ତି ସେ କଥା ନୁହେଁ। ତାହା ତ ଯାନ୍ତ୍ରିକ କୌଶଳ ସାପେକ୍ଷ, ହେଲେ ସାଧାରଣରେ ଗୋଡ଼ ହିଁ ମଣିଷ ପାଇଁ ବା ଯେ କୌଣସି ପ୍ରାଣୀର ଗତି ଲାଗି ପ୍ରଧାନ ନିୟାମକ। ଗୋଡ଼, ପ୍ରାଣୀକୁ ଗତିଶୀଳ କରିଥାଏ।
ଦ୍ବିତୀୟରେ ଗୋଡ଼କୁ ଯେଉଁ ପବିତ୍ର ଆସନ ମିଳିବା କଥା ତାହା ସଚରାଚର ସ୍ବୀକୃତ ହୁଏ ନାହିଁ। ତେଣୁ କାହାକୁ ‘‘ଗୋଡ଼’’ ବୋଲି କହିଲେ ତାହା ସମ୍ମାନଜନକ ନୁହେଁ ବୋଲି ଅନେକ ବିଚାର କରିବା ସ୍ବାଭାବିକ। ମାତ୍ର ଏଠାରେ କଂଗ୍ରେସର ଗୋଡ଼ କହିଲେ ପ୍ରତୀକାତ୍ମକ ଭାବେ ତାହାକୁ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଇଛି।
ଏବେ କଂଗ୍ରେସ କଥା। କଂଗ୍ରେସ ତ ରାଜନୈତିକ ସଂଗଠନ। ଗୋଡ଼ ସହ ତା’ର ସମ୍ପର୍କ କ’ଣ?
ରାଜନୈତିକ ଦଳ ଭାବରେ କଂଗ୍ରେସ ଭାରତର ସବୁଠାରୁ ପୁରୁଣା ଓ ଜୀବନ୍ତ ଅନୁଷ୍ଠାନ। ୧୮୮୫ରୁ ଏ ଯାବତ୍ ଏହା ଯେ ଚଳମାନ ଅଛି, ତା’ ପଛରେ ଅଛି ଦୁଇଟି ଗୋଡ଼। ଏ ଗୋଡ଼ ମସ୍ତିଷ୍କ ତୁଲ୍ୟ ମର୍ଯ୍ୟାଦାବନ୍ତ କେବଳ ନୁହନ୍ତି, ସ୍ନାୟୁଗତ ଭାବେ ଓଲଟି ମସ୍ତିଷ୍କକୁ ବାରମ୍ବାର ପ୍ରଭାବିତ ବି କରି ରଖିଛନ୍ତି। କହିବାର ଅଛି ଯେ ଗୋଡ଼ ମୁଣ୍ଡକୁ ପ୍ରଭାବିତ କରେ। ଗୋଡ଼ ନ ଥିଲେ ମୁଣ୍ଡ କେବଳ କଳ୍ପନା କରିପାରେ, ବୁଲିଚାଲି ବାସ୍ତବତାକୁ ଭେଟିବ କେମିତି? ଗୋଡ଼ ନାହିଁ ତ ଗତି ନାହିଁ, ଗତି ନାହିଁ ତ ମସ୍ତିଷ୍କ ବାସ୍ତବତା ଠାରୁ ଦୂରେଇଯିବାକୁ ବାଧ୍ୟ।
ଆଜି କଂଗ୍ରେସ ଭଗ୍ନଜାନୁ। ଭୂପତିତ। ଗୋଡ଼ ଦୁଇଟି ଉପରେ ବିରୋଧୀ ବିଜେପିର ବାରମ୍ବାର ଆଘାତ ଏହାର ଚଳମାନତାକୁ ବ୍ୟାହତ କରିବାରେ ଲାଗିଛି। କଂଗ୍ରେସ ଦଳ ବୁଝିନେବା ଦରକାର ଯେ ଶାସନରେ ଥିବା ବିଜେପି ଦଳର ଲକ୍ଷ୍ୟ ‘‘କଂଗ୍ରେସମୁକ୍ତ ଭାରତ’’। ସେ ଯୋଜନାରେ ସେମାନେ ତତ୍ପର କେବଳ ନୁହନ୍ତି, ଖୁବ୍ ସଫଳ ମଧ୍ୟ। କଂଗ୍ରେସର ଗୋଡ଼ ଦୁଇଟି ଭାଙ୍ଗିଦେବାକୁ ବିଜେପି ତା’ର ଲଢ଼ୁଆ ସଂଗଠନଗୁଡ଼ିକ ମାଧ୍ୟମରେ ବେଶ୍ ଚେଷ୍ଟାରତ।
ଅପରପକ୍ଷରେ ଏତେ ବଡ଼ ବିଶାଳ ଦେଶରେ ଦୀର୍ଘ ଅଭିଜ୍ଞତା ଓ ସୁପ୍ରତୁଳ ଅତୀତ ଥିବା କଂଗ୍ରେସର, ‘‘କଂଗ୍ରେସଯୁକ୍ତ ଭାରତ’’ ଲାଗି କୌଣସି ଗୋଟିଏ ବି ଯୋଜନା ନାହିଁ। ଆଖି ଆଗରେ ବିଜେପି ଦଳ ତା’ର ଇତିହାସ ବଦଳେଇଦେବାରେ ଲାଗିଛି, ଯାହା ଘଟିନାହିଁ ତାହା ଘଟିଛି ବୋଲି ପ୍ରମାଣ କରିବା ସକାଶେ ଚେଷ୍ଟା ଚଳାଇଛି। ଖୁବ୍ ସଫଳତାର ସହ ଯୁବବର୍ଗଙ୍କ ମନ ଭିତରେ କଂଗ୍ରେସ ପ୍ରତି ବିରାଗଭାବ ସୃଷ୍ଟି କରିଚାଲିଛି। ଫେସ୍ବୁକ୍, ଟୁଇଟର୍, ହ୍ବାଟ୍ସ ଆପ୍, ଇନ୍ଷ୍ଟାଗ୍ରାମ୍ ଭଳି ସାମାଜିକ ଗଣମାଧ୍ୟମରୁ ଆରମ୍ଭ କରି ରେଡିଓ, ଟିଭି, ଖବରକାଗଜ, ଦୂରଦର୍ଶନ ସବୁଥିରେ ସେଇ ଗୋଟିଏ ଲକ୍ଷ୍ୟ। କଂଗ୍ରେସର ଗୋଡ଼ ଉପରେ ମାଡ଼। କଂଗ୍ରେସକୁ ଅଚଳ କରିଦେବାର ପ୍ରଚେଷ୍ଟା।
ଜନମତକୁ ଶତପ୍ରତିଶତ ପ୍ରଭାବିତ କରୁଥିବା ଭାରତୀୟ ଗଣମାଧ୍ୟମ ଏବେ ଏଇଥିରେ ନିୟୋଜିତ। ଦୀର୍ଘଦିନରୁ କ୍ଷମତାକୁ ଆସିବା ପୂର୍ବରୁ ଏଇ କଂଗ୍ରେସମାରଣ କାର୍ଯ୍ୟ ଯେ କେ.ଏନ୍. ଗୋବିନ୍ଦାଚାର୍ଯ୍ୟଙ୍କ ଭଳି ପ୍ରଚାରକମାନଙ୍କ ମାଧ୍ୟମରେ ‘ଚିନ୍ତନ ଚକ୍ର’, ‘ବୌଦ୍ଧିକ ସଂଗୋଷ୍ଠୀ’ ଗଠନ ଦ୍ବାରା କାର୍ଯ୍ୟକ୍ଷମ ହୋଇଥିଲା ତାହାକୁ ଅଣଦେଖା କଲେ ଚଳିବ ନାହିଁ। ଆଜି ଶ୍ରୀ ଗୋବିନ୍ଦାଚାର୍ଯ୍ୟ ବିଜେପି ବିରୋଧୀ ହେଲେ ବି କଂଗ୍ରେସ ପ୍ରତି ତାଙ୍କର ତତୋଧିକ ବିରାଗ ଓ ଘୃଣା।
ବିଜେପି କଂଗ୍ରେସର ଗୋଡ଼ ଭାଙ୍ଗିବାକୁ ବସିଛି। ସେଥିରେ ଅସ୍ବାଭାବିକତା କିଛି ନାହିଁ। ଗଣତନ୍ତ୍ର ରାଜନୀତିରେ ବିରୋଧୀ ପ୍ରତି ଥିବା ସାଧାରଣ ମତ ଓ ବିଚାରକୁ ନାସ୍ତିସୂଚକ କରାଇବା ହିଁ ଅସଲ ରଣକୌଶଳ। ହଜାର ହଜାର ବର୍ଷର ରାଜତନ୍ତ୍ରୀ ଶାସନ ଦଖଲର କୌଶଳରେ ଷଡ଼୍ଯନ୍ତ୍ର ଓ ରକ୍ତପାତ ଥିଲା ଚିରାଚରିତ ବିଧି। ଲୁଣ୍ଠନ, ଅତ୍ୟାଚାର, ହତ୍ୟା, ନୃଶଂସଭାବ, ବର୍ବରତାର ଫଣା ଚଢ଼ି ଶାସକମାନେ ଶାସନ ଦଖଲ କରିବା ଏବେ ବି ପୃଥିବୀର ଅନେକ ଦେଶରେ ବଳବତ୍ତର। ସେଇଥିପାଇଁ ତ ‘‘ବୀରଭୋଗ୍ୟା ବସୁନ୍ଧରା’’ କଥାଟି ଚିରକାଳ ଚାଲିଛି। ଯେ ଯେତେ ନୃଶଂସ ସେ ସେତେ ବୀର। ମାତ୍ର ଗଣତନ୍ତ୍ରରେ ଏ ବୀରପଣର ପରିଭାଷା ହେଉଛି ଜନସମର୍ଥନ। ଯେନ ତେନ ପ୍ରକାରେଣ ଲୋକମତକୁ ନିଜ ଆଡ଼କୁ ଢଳାଇପାରିବା ହେଉଛି ବୀରପଣିଆର ମାପକାଠି। ‘‘ଅବ୍କି ବାରି, ଅଟଳ ବିହାରୀ’’, ‘‘ମୋଦୀ ହେ ତୋ’ ମୁମ୍କିନ୍ ହେ’’ ଭଳି ସ୍ଲୋଗାନ୍ ସେ କ୍ଷେତ୍ରରେ ଖୁବ୍ ସହାୟକ ହୋଇଥାଏ ନିଶ୍ଚୟ।
ଭାରତୀୟ ସ୍ବାଧୀନତା ସଂଗ୍ରାମରେ ସେବେ ଜନସଂଘ ଖୁବ୍ ପଛରେ ଥିଲା। ସ୍ବାଧୀନତା ପରେ ଏହାର ସାମାଜିକ ସ୍ଥିତିକୁ ନେଇ ପ୍ରଥମ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ ଜନସଂଘୀ ଶ୍ରୀଯୁକ୍ତ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗ ଦେଇ ଏକ ପ୍ରକାର କଂଗ୍ରେସ-ସପକ୍ଷ କରିବାକୁ ଚେଷ୍ଟା କରିଥିଲେ। ସେଇ ନେହରୁ ହିଁ ସେଇବେଳୁ ଯୁବକ ଅଟଳ ବିହାରୀଙ୍କ ଭିତରେ ପ୍ରଧାନମନ୍ତ୍ରୀଟିଏ ଦେଖିବାକୁ ପାଇଥିଲେ ଓ ସର୍ବସମକ୍ଷରେ ସେ କଥା ଘୋଷଣା ବି କରିଥିଲେ। ଜନସଂଘ ତ ଆରମ୍ଭରୁ ଥିଲା କଂଗ୍ରେସ ବିରୋଧୀ। ପରେ ବିଜେପି ନାମକୁ ପରିବର୍ତ୍ତିତ ହେବା ପରେ ସେ ବିରୋଧ ବଳବତ୍ତର ରହିଲା। ମାତ୍ର ମୋଦୀଙ୍କ ସମୟରେ ଏହା ଏବେ ଚରମସୀମାରେ। କଂଗ୍ରେସ ସହ ଯୋଡ଼ା ପୂରା ବିଚାରଟିକୁ କଳାବୋଳା ଅବସ୍ଥାକୁ ନେଇଯିବା ଲାଗି ବିଜେପି ଯେ ଚେଷ୍ଟା କରୁଛି ତାହା ଗଣତାନ୍ତ୍ରିକ ରଣକୌଶଳର ଏକ ଚରମ ପଦକ୍ଷେପ। ସେଇକଥା ସହ ଯୋଡ଼ା ହୋଇଛି ଏ ଗୋଡ଼ଭଙ୍ଗା କାର୍ଯ୍ୟକ୍ରମ।
ଭାରତରେ ବହୁଦଳୀୟ ଗଣତାନ୍ତ୍ରିକ ବ୍ୟବସ୍ଥା। ଏଥିରେ କେତେ କେତେ ଜାତୀୟ ଦଳ, ଆଞ୍ଚଳିକ ଦଳ କାର୍ଯ୍ୟକ୍ଷମ। ହେଲେ ବିଜେପି ଆଉ କାହା ପଛରେ ପଡ଼ିନାହିଁ। ଆଦର୍ଶ ଦିଗରୁ ସାମ୍ୟବାଦୀ ଦଳ, ସମାଜବାଦୀ ଦଳ ଓ ଭିନ୍ନ ସମ୍ପ୍ରଦାୟର ଦଳଗୁଡ଼ିକ ପ୍ରତି ବୈରତା ତାହା ପାଇଁ ସାଧାରଣ କଥା ହେବା ବାଞ୍ଛନୀୟ। ଅଥଚ କମ୍ୟୁନିଷ୍ଟ୍ମାନେ କ’ଣ କଲେ ନ କଲେ ସେଥିରେ ବିଜେପିର କିଛି ଯାଏ ଆସେନା। ଆମ୍ ଆଦ୍ମୀ ପାର୍ଟି କି ତୃଣମୂଳ କଂଗ୍ରେସ ବା ବିଜୁ ଜନତା ଦଳ ଭଳି ଆଞ୍ଚଳିକ ଦଳମାନଙ୍କ ଠାରୁ ଭୂଇଁଚଟା ପରାଜୟ ପରେ ବି ବିଜେପି ସେ ଦିଗ ପ୍ରତି ମୋଟେ କ୍ରିୟାଶୀଳ ନୁହେଁ। ତା’ର ଅସଲ ଲକ୍ଷ୍ୟ କଂଗ୍ରେସ। ଆଖି ଅଛି ଗୋଡ଼ ଉପରେ। ‘‘କଂଗ୍ରେସ ନାହିଁ ତ , ସାରା ଭାରତ ଆମର’’, ଏଇ ଦର୍ଶନରେ ବିଜେପି ତା’ର ରଣକୌଶଳ ଜାରି ରଖିଛି।
ଅପରପକ୍ଷରେ ବୁଝିବାର ଅଛି ଯେ ବିଜେପିକୁ ଓ ତା’ର ଯୁଦ୍ଧନୀତିକୁ ପ୍ରତିହତ କଲାଭଳି କୌଣସି ଯୋଜନା ନାହିଁ କଂଗ୍ରେସ ପାଖରେ। ସାମାଜିକ ଗଣମାଧ୍ୟମର ସୂଚକାଙ୍କ ଅନୁସାରେ କଂଗ୍ରେସର ସ୍ଥିତି ମୋଟେ ଉତ୍ସାହଜନକ ନୁହେଁ। ବିଜେପି ବୁଝିସାରିଛି ଯେ- ‘‘ଗଣମାଧ୍ୟମ ଯାହାର/ ଭବିଷ୍ୟତ ତାହାର।’’ ଅନ୍ୟପକ୍ଷରେ କଂଗ୍ରେସର ଧାରଣା ‘‘ଗାନ୍ଧୀ ପରିବାର ଅଛି ତ/ କଂଗ୍ରେସ ରହିବ ଜୀବିତ।’’
ଗୋଟିଏ ବଡ଼ କଥା ହେଲା କୌଣସି ଗଣତନ୍ତ୍ରରେ ଗୋଟିଏ ଜାତୀୟ ରାଜନୈତିକ ଦଳର ସ୍ବାସ୍ଥ୍ୟ ମୌଳିକ ଭାବରେ ତାହାର ନେତା ଓ କର୍ମୀମାନଙ୍କ ଉପରେ ନିର୍ଭରଶୀଳ। ଦଳଟି କି ଭଳି ସୁସଂହତ, ନିର୍ମଳ, ସଂହତିପୂର୍ଣ୍ଣ ଓ ଲୋକଗ୍ରାହୀ ହୋଇ ରହିବ ସେ କଥାର ବିବେଚନା କେବଳ ହାଇକମାଣ୍ଡ୍ ନୁହେଁ ଓଲଟି ଉପରୁ ତଳ ଯାଏ ସମସ୍ତ କର୍ମୀମାନଙ୍କର ନୈତିକ ଦାୟିତ୍ବ ମଧ୍ୟ।
କଂଗ୍ରେସକୁ ବରଗଛ ସହ ଲୋକେ ତୁଳନା କରନ୍ତି, ଅଥଚ ଏବେ ତା’ର ସବୁଯାକ ଓହଳ ପାମ୍ପରା। ଭୁଲିଗଲେ ଚଳିବ ନାହିଁ ଯେ ବରଗଛ ଯେତେ ପୁରୁଣା ହୁଏ, ଆଗକୁ ତାହାର ମୂଳଗଣ୍ଡି କେଉଁଟି ଓ ଓହଳ କେଉଁଟି ତା’ର ଫରକ ହଜିଯାଇଥାଏ। ହେଲେ କଂଗ୍ରେସ ଧରିବସିଛି ଉଇ ଖାଇଯାଇଥିବା ମୂଳକୁ।
ଅଥଚ ଅନ୍ୟ ପକ୍ଷରେ ଆଜି ବିଜେପି ମୂଳଗଣ୍ଡି ଠାରୁ ତା’ର ଓହଳ ମାଧ୍ୟମରେ ଅଧିକ ବିସ୍ତାରିତ ହୋଇ ରହିଛି।
ଏକ ବହୁଦଳୀୟ ବ୍ୟବସ୍ଥାରେ ରାଜନୈତିକ ଦଳଗୁଡ଼ିକୁ ବଞ୍ଚେଇ ରଖିବା ସହ କଠୋର ସମାଲୋଚନା ମାଧ୍ୟମରେ ସେମାନଙ୍କୁ ସତର୍କ ରଖିବା ମଧ୍ୟ ଯେ କୌଣସି ଦେଶର ଜନସାଧାରଣଙ୍କର ପ୍ରଧାନ ଦାୟିତ୍ବ। ଟାଣୁଆ ବିରୋଧୀ ଦଳ ନ ରହିଲେ ଶାସନ ଯେ ରହିବ ନାହିଁ ସେ କଥା ନୁହେଁ। ମାତ୍ର ସେ ଭଳି କ୍ଷେତ୍ରରେ ଶାସନ ମନମୁଖୀ ଓ ଅନିୟନ୍ତ୍ରିତ ହେବାକୁ ବାଧ୍ୟ। ଭାରତ କଂଗ୍ରେସମୁକ୍ତ ହେଲେ ବିଜେପିର ଲାଭ ନିଶ୍ଚୟ ଓ ସମପରିମାଣରେ ଭାରତୀୟ ଗଣତନ୍ତ୍ରର ପରାଜୟ ସୁନିଶ୍ଚିତ।
ଏବେ ଗୋଡ଼ କଥାକୁ ଫେରିବା। କଂଗ୍ରେସର ଗୋଡ଼ କିଏ? ଡାହାଣ ଗୋଡ଼ ମହାତ୍ମା ଗାନ୍ଧୀ ତ ବାଆଁ ଗୋଡ଼ ପଣ୍ଡିତ ନେହରୁ। ସ୍ବାଧୀନତା ପୂର୍ବରୁ ଅସଂଖ୍ୟ ଗୋଡ଼ରେ ଚାଲୁଥିଲା କଂଗ୍ରେସ। ମାତ୍ର ସ୍ବାଧୀନତା ପରେ ଯେଉଁ ଦୁଇଟି ଗୋଡ଼ରେ କଂଗ୍ରେସ ଚାଲିଲା, ବୁଲିଲା ଓ ଆଗେଇଲା ତାହା ଥିଲା ଗାନ୍ଧୀଜୀ ଓ ନେହରୁଙ୍କୁ ନେଇ। ୨୦୧୪ ପରେ ଶାସନକୁ ଫେରିବା ପରେ ବିଜେପି ବୁଝିଗଲା ଯେ ଭାରତୀୟ ଜନତାଙ୍କ ଭିତରେ ଥିବା ଗାନ୍ଧୀ, ନେହରୁ ବିଚାରର ଏ ଦୁଇ ସ୍ତମ୍ଭକୁ ଧରାଶାୟୀ ନ କରିବା ଯାଏ କଂଗ୍ରେସକୁ ହଟେଇବା ଅସମ୍ଭବ। ସର୍ଦ୍ଦାର ପଟେଲ ଓ ନେତାଜୀ ସୁଭାଷ ଚନ୍ଦ୍ର େବାଷ ଚିରକାଳ ବିଜେପିର ମୂଳ ପରିଚୟ ଜନସଂଘର ଥିଲେ ବିରୋଧୀ। ସେମାନଙ୍କ ପ୍ରତି କଂଗ୍ରେସ ଅବିଚାର କରିଛି ବୋଲି ପ୍ରଚାର କରି ଏବେ ବିଜେପି ସେମାନଙ୍କୁ ସ୍ବପକ୍ଷ କରିନେଇଛି। ଜୀବଦ୍ଦଶାରେ ସେମାନେ ଯେଉଁଠି କେବେ ପାଦ ପକେଇ ନ ଥିଲେ, ସେଠାରେ ଏବେ ସେମାନଙ୍କୁ ନେଇ ବିଜେପିର ସଂକୀର୍ତ୍ତନ ଚାଲିଛି।
କଂଗ୍ରେସ ଶିବିର ନିସ୍ପନ୍ଦ, କ୍ଲୁ-ଲେସ୍। ଶିବିର-ତମ୍ବୁରେ ପ୍ରତିଦିନ କ୍ଷୁରମରା ଫାଟର ଚିହ୍ନ।
ପ୍ରଣିଧାନଯୋଗ୍ୟ ଯେ କଂଗ୍ରେସର ଯେତେ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଓ ଜରୁରୀକାଳୀନ ପରିସ୍ଥିତି ମାଧ୍ୟମରେ ଯଦି କେହି ଜନସଂଘକୁ ସବୁଠାରୁ ଅଧିକ ଆଘାତ ଦେଇଛି ତଥା ଆର୍.ଏସ୍.ଏସ୍.ର କ୍ଷତି ସାଧନ କରିଛି ସେ ହେଉଛନ୍ତି ଶ୍ରୀମତୀ ଇନ୍ଦିରା ଗାନ୍ଧୀ। ଅଥଚ ବିଜେପି ପକ୍ଷରୁ ଇନ୍ଦିରାଙ୍କ ବିରୋଧରେ ପଦଟିଏ ବି ଶୁଣିବାକୁ ମିଳେନାହିଁ। ଅସଲ ଟାର୍ଗେଟ୍ ହେଉଛନ୍ତି ଗାନ୍ଧୀଜୀ ଓ ନେହରୁ। ସେମାନେ ଜାଣିଛନ୍ତି ଏ ଦୁଇଟି ଗୋଡ଼କୁ ଭାଙ୍ଗିଦେଲେ କଂଗ୍ରେସ ସ୍ଥାଣୁ ହୋଇଯିବ। ଭାରତ ସାରା କଂଗ୍ରେସର ଯେ ତିରିଶ ଭାଗ ମତବାଦ ଅକ୍ଷୁଣ୍ଣ ଅଛି, ତାହା ଏଇ ଦୁଇଜଣଙ୍କୁ ନେଇ। ତେଣୁ ଏ ଦୁଇନେତାଙ୍କ ପ୍ରତି ଥିବା ସମ୍ମାନକୁ ବିଭିନ୍ନ ମିଛ ସତ ପ୍ରଚାର ମାଧ୍ୟମରେ କଳଙ୍କିତ କରିଦେଲେ କଂଗ୍ରେସ ଆଉ ବାଟ ଚାଲିପାରିବ ନାହିଁ। ଆପେ ଭୁଶୁଡ଼ି ପଡ଼ିବ।
ବିଗତ ସାତବର୍ଷ ମଧ୍ୟରେ ଯେତେ ଗାନ୍ଧୀଜୀ ଓ ନେହରୁ ବିରୋଧୀ ଲେଖା, ଆଲୋଚନା, ଛବି, ଭିଡିଓ, ଇତିହାସ, କାହାଣୀ, ନାଟକ, ଚଳଚ୍ଚିତ୍ର ତିଆରି ହୋଇଛି ସେ ସମସ୍ତ ବିଜେପି ବା ତା’ର ସହଯୋଗୀ ଦଳଙ୍କ ଦ୍ବାରା ପ୍ରୋତ୍ସାହିତ। ନେଟ୍ରେ ଉପଲବ୍ଧ ଗାନ୍ଧୀ-ନେହରୁ ଆଧାରିତ କୁତ୍ସାମୂଳକ ଲେଖାଗୁଡ଼ିକ ପ୍ରକୃତରେ ଗାନ୍ଧୀ ବା ନେହରୁଙ୍କ ଉଦ୍ଦେଶ୍ୟରେ ପ୍ରେରିତ ନୁହନ୍ତି। ପ୍ରେରିତ ସମସ୍ତ ମିଜାଇଲ୍ କଂଗ୍ରେସ ମୁହାଁ। ଗାନ୍ଧୀ, ନେହରୁ ତ କେଉଁଦିନୁ ଗଲେଣି, ତା’ଙ୍କର ଏତେ କବର ଖୋଳା କାହିଁକି? କାରଣ ବିଜେପି ଜାଣିଛି ଏ ଦୁହିଁଙ୍କର ବିଚାର ହିଁ କଂଗ୍ରେସର ଅସଲ ଗୋଡ଼। ଦିଅ, ଭାଙ୍ଗିଦିଅ।
ରାହୁଳ ଗାନ୍ଧୀ ନିତି ଯେ ଅପଶବ୍ଦ କହୁଛନ୍ତି, ସେ କଥାରେ ବିଜେପି ବିଚଳିତ ନୁହେଁ। ମଣିଶଙ୍କର ଆୟାର, ‘‘ଚା’ବାଲାଟେ କ’ଣ ପ୍ରଧାନମନ୍ତ୍ରୀ ହେବ’’ କହିଲେ ବି ବିଜେପି ଚୁପ୍ ରହିଲା। ଦିଗ୍ବିଜୟ ଯେତେ ପାରେ ସେତେ ଗାଳିଗୁଲଜ କରୁଛନ୍ତି, ହେଲେ ସେ ସବୁ ବିଜେପି ମନକୁ ନେଉନାହିଁ। କାରଣ ସେମାନେ ଜାଣିଛନ୍ତି, କଂଗ୍ରେସକୁ ମାରିବାକୁ ହେଲେ ଏ କ୍ଷୁଦ୍ରପ୍ରାଣମାନଙ୍କ ପଛରେ ଲାଗି ଲାଭ ନାହିଁ। ଅସଲ ଚେର, ଗାନ୍ଧୀଜୀ ଓ ନେହରୁ। ପ୍ରଥମେ ଏ ଅଭିଯାନ ଆରମ୍ଭ ହୋଇଥିଲା ଗାନ୍ଧୀଙ୍କୁ ନେଇ। ଏବେ ନେହରୁ। ଏ ଦୁଇଗୋଡ଼ରେ ଭାରତ ସାରା ବୁଲିଛି କଂଗ୍ରେସ। ଗୋଡ଼କୁ ଟାର୍ଗେଟ୍ କର।
ବିଚରା ଗାନ୍ଧୀଜୀ! ସ୍ବାଧୀନତା ପରେ କଂଗ୍ରେସକୁ ଭାଙ୍ଗିଦେବେ ବୋଲି ନିଜେ ଯୋଜନା କରିଥିଲେ। ଅଥଚ ସେଇ କଂଗ୍ରେସ ତା’ଙ୍କୁ ଶାଳଗ୍ରାମ କରି ବସେଇ ଶାସନ କଲା। ଦୀର୍ଘଦିନ, ଦୀର୍ଘକାଳ। ସଂଖ୍ୟାଗରିଷ୍ଠତା ଥାଇ ବି ପ୍ରତିପକ୍ଷକୁ ଜିଣିବାକୁ ନେହରୁ ଚେଷ୍ଟା କରିଥିଲେ, ଜନସଂଘ, ଅକାଳୀ, ଆମ୍ବେଦକର ଓ ଜଷ୍ଟିସ୍ ପାର୍ଟି ଆଦି ବିରୋଧୀଙ୍କୁ ପ୍ରଥମ ମନ୍ତ୍ରୀମଣ୍ଡଳରେ ସାମିଲ କରି।
ଏବେ ପଶାପାଲି ମଇଦାନରେ କିନ୍ତୁ ମାତ୍ର ଦୁଇଜଣ ଖେଳାଳି। ବିଜେପି ଓ କଂଗ୍ରେସ। ବିଜେପି ବରାବର କଂଗ୍ରେସ ଗୋଡ଼କୁ ଚାହିଁଛି। କୁସ୍ତିର ନିୟମ ବଦଳିଛି। କମର ବନ୍ଧ ତଳକୁ ବସୁଛି ମାଡ଼।
‘‘ଗାନ୍ଧୀ, ନେହରୁଙ୍କ ବିଚାରରେ କଳା ବୋଳିଦିଅ। କଂଗ୍ରେସର ଜାନୁଭଗ୍ନ କର।’’ କହିବାର ଅଛି, ବିଜେପି ହୁଏ ତ ଷ୍ଟ୍ରାଟେଜି ଦୃଷ୍ଟିରୁ ଆଗରେ ଅଛି, ହେଲେ ଏତିକିବେଳେ ପ୍ରାଣପାତ କରି କଂଗ୍ରେସ ଦଳ ‘‘କଂଗ୍ରେସଯୁକ୍ତ ଭାରତ’’ କାର୍ଯ୍ୟକ୍ରମରେ ବ୍ରତୀ ହେବା ଦରକାର। ଗୋଡ଼ରେ ସାଞ୍ଜୁ ପିନ୍ଧିବା ଚାହି।