ମୁଁ ମଧ୍ୟ ଚାଟୁକାର

ସରସ ରସ - ସୁଭାଷ ପଟ୍ଟନାୟକ

‘ଯୋ ତୁମ୍‌କୋ ହୋ ପସନ୍ଦ୍ ୱହି ବାତ୍ କରେଙ୍ଗେ, ତୁମ୍ ଦିନ୍ କୋ ଅଗର୍ ରାତ୍‌ କହୋ, ରାତ୍ କହେଙ୍ଗେ।’

ଚାଟୂକ୍ତି ଭରା ଏ ସିନେମା ଗୀତଟି କିଏ ବା ନ ଶୁଣିଛି! ଏପରି କୌଣସି ବ୍ୟକ୍ତି ନାହିଁ, ଯିଏ କେବେ ଚାଟୂକ୍ତି ନ କରିଛି ଅଥବା ଚାଟୁକାରିତାର ଶିକାର ନ ହୋଇଛି! ସମସ୍ତେ ନିଜର ପ୍ରଶଂସା ଶୁଣିବାକୁ ଭଲ ପାଆନ୍ତି। ନିଜ ଆତ୍ମ ଗର୍ବ ଓ ଅହଂକାରର ତୁଷ୍ଟି ପାଇଁ ଲୋକମାନେ ଚାଟୁକାରଙ୍କୁ ପ୍ରଶ୍ରୟ ଦିଅନ୍ତି ଓ ଆମର ଏହି ଦୁର୍ବଳତାଟି ହେଉଛି ଚାଟୁକାରିତାର ପ୍ରବେଶ ଦ୍ବାର। କଳା ମଧ୍ୟରେ ଶ୍ରେଷ୍ଠ କଳା ହେଉଛି ଚାଟୂକ୍ତି ଓ ତୋଷାମୋଦୀ କରିବା। ଭାରତୀୟ ରାଜା ମହାରାଜାମାନଙ୍କର ଦରବାର ତ ଚାଟୁକାରଙ୍କ ଦ୍ବାରା ଏକଦା ପରିପୂର୍ଣ୍ଣ ରହୁଥିଲା। ରାଜାଙ୍କ ପାଖରେ ଚାଟୂକ୍ତି କରି ସେମାନେ ରାଜ ଅନୁକମ୍ପାର ପାତ୍ର ହେଉଥିଲେ।

ଚାଟୁକାରିତା ହେଉଛି ଏକ ପ୍ରକାରର ଲାଞ୍ଚ। ଏଥିରେ ଟଙ୍କା ବା ପଦାର୍ଥ ବଦଳରେ ଶବ୍ଦର କାରବାର ହୋଇଥାଏ। ବିନା କାରଣରେ କାହାରି ଠାରୁ ନିଜର ପ୍ରଶଂସା ଶୁଣିଲେ ଭିକାରିଟିଏ ମଧ୍ୟ ନିଜକୁ ମହାରାଜା ବୋଲି ମନେ କରେ। ଚାଟୁକାରୀ ଆମେ କରୁ କାହିଁକି? ଯେତେବେଳେ ଆମେ ପାଇବାକୁ ଅଯୋଗ୍ୟ କୌଣସି ଏକ ପଦାର୍ଥ ବା ସାହାଯ୍ୟ ଅନ୍ୟ ଠାରୁ ପାଇବାର ଆଶା ରଖୁ, ଚାଟୂକ୍ତି ଦ୍ବାରା ତାହା ହାସଲ କରିବା ସହଜ ହୁଏ। ଚାଟୂକ୍ତି ଶୁଣୁଥିବା ବ୍ୟକ୍ତି କ୍ରମଶଃ ସେ ଛଳପୂର୍ଣ୍ଣ ମିଠା କଥା ଶୁଣି ଶୁଣି ଚାଟୁକାର ପ୍ରତି ପ୍ରସନ୍ନ ହୁଏ ଓ କ୍ରମେ ତା’ର ସଂପୂର୍ଣ୍ଣ ବଶୀଭୂତ ହୋଇଯାଏ। ସେ ଉପ କଥାଟି ମନେ ପକାନ୍ତୁ। ଗଛ ଡାଳରେ ମାଂସ ଖଣ୍ଡିଏ ଧରି ବସିଥିବା କାଉକୁ ଦେଖି ଭୋକିଲା ବିଲୁଆଟି କହିଲା, ‘କାଉ ନାନୀ ଲୋ! ତୁ ଏକା ଏ ଜଙ୍ଗଲରେ ସବୁଠାରୁ ସୁନ୍ଦରୀ। ତୋର କଣ୍ଠ କି ମଧୁର! ଗୀତଟିଏ ଗାଆନ୍ତୁନି?’ ଖୁସି ହୋଇ କାଉ ଗୀତ ଗାଇବା ଆରମ୍ଭ କଲା। ଏବେ ମାଂସ ଖଣ୍ଡିକ ଆସି ବିଲୁଆ ମୁହଁରେ।

ଆମେ ଚାଟୁକାରିତାକୁ ତିନି ପ୍ରକାରରେ ବିଭକ୍ତ କରିପାରିବା। ଚାଟୂକ୍ତି ବା ଛଳପୂର୍ଣ୍ଣ ମିଠା କଥା କହୁଥିବା ବ୍ୟକ୍ତି, ତୋଷାମଦିଆ ବା ସ୍ତାବକ। ସ୍ତାବକମାନେ ସର୍ବଦା ହଁ ରେ ହଁ ମିଳାଇ ଆପଣଙ୍କର ବାଃ-ବାଃ କରୁଥିବେ। ତୃତୀୟ ପର୍ଯ୍ୟାୟର ଚାଟୁକାର ହେଲେ ଆଜ୍ଞାଧୀନ ଦାସ। ଏ ତିନି ପ୍ରକାରର ଚାଟୁକାରଙ୍କ ଉଦ୍ଦେଶ୍ୟ କିନ୍ତୁ ଏକ। ଅନ୍ୟ ଠାରୁ ନିଜର ସ୍ବାର୍ଥ ସାଧନ। ଆସାମର କଂଗ୍ରେସ ନେତା ଓ କବି ଦେବକାନ୍ତ ବରୁଆଙ୍କ କଥା ମନେ ପକାନ୍ତୁ। ଗୋଟିଏ କବିତା ତାଙ୍କୁ ଇନ୍ଦିରା ଗାନ୍ଧୀଙ୍କର ଏତେ ନିକଟତର କରି ଦେଇଥିଲା ଯେ, ଉକ୍ତ ଦଳର ସେ ସଭାପତି ହୋଇ ପାରିଥିଲେ। ସେ କବିତାର ପଙ୍‌କ୍ତି କେତୋଟି ହେଉଛି:

‘ଇନ୍ଦିରା ତେରେ ସୁବହ୍ କି ଜୟ/ ଇନ୍ଦିରା ତେରେ ଶାମ୍ କି ଜୟ/ ଇନ୍ଦିରା ତେରେ କାମ୍ କି ଜୟ/ ଇନ୍ଦିରା ତେରେ ନାମ୍ କି ଜୟ/ ଇନ୍ଦିରା ଇଜ୍ ଇଣ୍ଡିଆ, ଇଣ୍ଡିଆ ଇଜ୍ ଇନ୍ଦିରା।’
ଚାଟୁକାରମାନେ ଆପଣଙ୍କ ବନ୍ଧୁ ମେଳରେ ମିଶି ରହିଥା’ନ୍ତି। ପାଶ୍ଚାତ୍ୟ ଚିନ୍ତକ ଓ ପ୍ରାବନ୍ଧିକ ପ୍ଳୁଟାର୍କ ତାଙ୍କ ପ୍ରବନ୍ଧ ସଂକଳନ ‘ମୋରାଲିଆ’ରେ ଏ ସଂପର୍କରେ ଏକ ପ୍ରବନ୍ଧ ଲେଖିଛନ୍ତି, ‘ହାଓ ଟୁ ଟେଲ୍ ଏ ଫ୍ଲାଟରର୍ ଫ୍ରମ୍ ଏ ଫ୍ରେଣ୍ଡ୍’ ବା ‘ବନ୍ଧୁମାନଙ୍କ ମଧ୍ୟରୁ ଚାଟୁକାରକୁ କିପରି ଚିହ୍ନିବ।’ ସେଥିରେ ସେ କହିଛନ୍ତି, ‘ଗ୍ରେଟ୍ ପିପଲ୍ ଆର ଫ୍ଲାଟରଡ୍ ମୋଷ୍ଟ୍।’ ବଡ଼ ଲୋକମାନଙ୍କୁ ହିଁ ଅଧିକ ତୋଷାମଦ କରାଯାଏ। ଲକ୍ଷ୍ୟ କରିଥିବେ, ଫେସ୍‌ବୁକ୍‌ରେ ଯଦି କୌଣସି ବିଶିଷ୍ଟ ବ୍ୟକ୍ତି କିଛି ଏଣୁ ତେଣୁ ଦୁଇ ଧାଡ଼ି ଲେଖି ଦେଲେ, ତାଙ୍କୁ ଶହ ଶହ ଲୋକ ପସନ୍ଦ କରି ବାଃ-ବାଃ ଦେବେ। ସେଇ କଥାଟି ଆପଣ ନିଜ ଫେସ୍‌ବୁକ୍‌ ପ୍ରାଚୀରରେ ଲେଖନ୍ତୁ, ମାତ୍ର ହାତଗଣତି ମତାମତ ମିଳିବ। ପ୍ଳୁଟାର୍କ ଚାଟୁକାରଙ୍କୁ ଚିହ୍ନିବାକୁ କେତ ଗୋଟି ପରାମର୍ଶ ଦେଇଛନ୍ତି। ଚାଟୁକାର ସର୍ବଦା ଆପଣଙ୍କ ମତ ଅନୁସାରେ ନିଜକୁ ବଦଳାଉଥାଏ। ଆପଣଙ୍କ ପସନ୍ଦ ତା’ର ପସନ୍ଦ, ଆପଣଙ୍କ ମନ୍ତବ୍ୟ ତା’ର ମନ୍ତବ୍ୟ ପାଲଟେ। ଆପଣଙ୍କ ଭୁଲ୍‌କୁ ସେ ଠିକ୍ ବୋଲି କୁହେ। ସର୍ବଦା ଆପଣଙ୍କୁ ଖୁସି ରଖିବାର ଚେଷ୍ଟାରେ ଲାଗିଥାଏ। ଅନ୍ତରଙ୍ଗ ହୋଇ ବିଶ୍ବାସ ଜିତେ। ପ୍ରକୃତ ବନ୍ଧୁ ଠାରୁ ଆପଣଙ୍କୁ ଦୂରେଇ ରଖେ।

ଅନ୍ୟ ଏକ ପ୍ରକାର ଚାଟୁକାର ହେଉଛନ୍ତି ଆଜ୍ଞାଧୀନ ଦାସ। ଏମାନେ ଆପଣଙ୍କ ପଦ ଧୂଳି ମୁଣ୍ଡରେ ମାରି ସାଷ୍ଟାଙ୍ଗ ପ୍ରଣିପାତ କରିବେ। ନିଜକୁ ନିରୀହ, ଦୀନହୀନ ଦର୍ଶାଇବେ। ସ୍ବୟଂ ଭଗବାନ ମଧ୍ୟ ଏମାନଙ୍କ ଠାରୁ ନିସ୍ତାର ପାଆନ୍ତି ନାହିଁ। ଭିଡ଼ ଭିତରେ ଆପଣ କାହାରିକୁ ଡାକି ଦେଲେ ସେ ପଛକୁ ବୁଲି ଦୁଇ ପଦ କଥା ହୋଇଯାଏ, ଅଥଚ ଆମେ ଭଗବାନଙ୍କୁ ଏତେ ଡାକିଲେ ମଧ୍ୟ ସେ ଶୁଣନ୍ତି ନାହିଁ କାହିଁକି? ସକାଳୁ ବିଷ୍ଣୁଙ୍କୁ ହଜାର ଥର, ଶିବଙ୍କୁ ହଜାର ଥର ଓ ହନୁମାନଙ୍କୁ ଚାଳିଶ ଥର ଆମେ ଡାକୁ। ତଥାପି ସେ ଶୁଣନ୍ତିନାହିଁ। କାରଣ ସେ ଜାଣନ୍ତି ଆମେ ଭକ୍ତିରେ ନୁହେଁ, କିଛି ପାଇବା ଆଶାରେ ତାଙ୍କ ତୋଷାମଦ କରୁଛେ। ଆମର ଯେତେ ସ୍ତୁତି ଓ ଜଣାଣ, ସେସବୁ ଭକ୍ତି ଅର୍ଘ୍ୟ ନୁହେଁ, କେବଳ ଚାଟୁକାରିତାର ପୁଲିନ୍ଦା। ଭଗବାନ ଶୁଣିବେ କ’ଣ ପାଇଁ?

ଆଉ ଏକ ପ୍ରକାର ଚାଟୁକାର ହେଲେ ‘ହଁ-ଆଜ୍ଞା’ ଶ୍ରେଣୀର। ଏମାନେ ଠିକ୍ ଓ ଭୁଲ୍‌ର ଫରକ ଜାଣି ମଧ୍ୟ ଉପରିସ୍ଥଙ୍କ ସମସ୍ତ କଥାରେ ହଁ-ଭରନ୍ତି। ଏହା ଦ୍ବାରା ଉପରିସ୍ଥଙ୍କୁ ଖୁସି ରଖି ନିଜ କାର୍ଯ୍ୟ ହାସଲ କରିନିଅନ୍ତି। ଚାଟୁକାରିତା ଏକ ଚକ୍ର ବ୍ୟୂହ ପରି। ଏଥିରୁ ବାହାରିବା ରାସ୍ତା କାହାରିକୁ ବି ଜଣାନାହିଁ। ଏହା ଏକ ସାମାଜିକ ବ୍ୟାଧି। ଭ୍ରଷ୍ଟାଚାର, ଅନ୍ୟାୟ ଓ ଅନୈତିକତାର ଉତ୍ପତ୍ତି ଏଇଥିରୁ। ଚାଟୁକାରିତାରେ ଆକ୍ରାନ୍ତ ବ୍ୟକ୍ତି ଜାଣିପାରେନି ଯେ କେହି ଜଣେ ତାକୁ ମିଠା ଜହର ଦେଇ ଚାଲିଛି। ଏକ ପ୍ରବାଦ ଅଛି, ‘ଚାଟୁକାରମାନେ ଏକାଠି ହେଲେ ସଇତାନ ଖାଇବାକୁ ଯାଏ’।

ଏବେ ଜଣେ ବନ୍ଧୁ ଆମପାଖକୁ ତାଙ୍କର ଏକ ବଡ଼ ସ୍ବାର୍ଥ ସିଦ୍ଧି ପାଇଁ ଆସିଥିଲେ। ପ୍ରସଙ୍ଗ କ୍ରମେ ଆମେ ଚାଟୁକାରିତା ବିଷୟରେ ଲେଖୁଛୁ ଜାଣିବା ପରେ ହଠାତ୍ ନାଟକୀୟ ଢଙ୍ଗରେ କହିଲେ, ‘ବାଃ, କି ମୁଣ୍ଡ ମ ତୁମର? କେତେ ସୁନ୍ଦର କଥା ସବୁ ଲେଖୁଛ! ତୁମେ ତ ନୋବେଲ ପାଇବା ଯୋଗ୍ୟ।’ ଆମେ ଜାଣୁ, ବନ୍ଧୁ ଖାଲି ମୋର କାହିଁକି, କାହାରି ଲେଖା, ଏପରିକି ଖବରକାଗଜ ଖଣ୍ଡିଏ ମଧ୍ୟ ପଢ଼ନ୍ତି ନାହିଁ।

ମୋ- ୯୩୩୭୬୪୮୬୩୮

ସମ୍ବନ୍ଧିତ ଖବର