ସର୍ବ ଭାରତୀୟ ନ୍ୟାୟିକ ସେବା ପ୍ରସଙ୍ଗରେ

ଶରତ ଚନ୍ଦ୍ର ମିଶ୍ର

ରାଜ୍ୟସ୍ତରୀୟ ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ ସ˚ସ୍କାର ଆବଶ୍ୟକ ବୋଲି ଅନେକ ସଚେତନ ନାଗରିକ ଓ ଆଇନ ବିଶାରଦ ଅନୁଭବ କରନ୍ତି। ବର୍ତ୍ତମାନ ରାଜ୍ୟ ସ୍ତରରେ ଦୁଇ ପ୍ରକାର ନିଯୁକ୍ତିର ବ୍ୟବସ୍ଥା ଅଛି। ବିଚାର ବିଭାଗରେ ଗେଜେଟେଡ଼ ନିଯୁକ୍ତି ନିମନ୍ତେ ଅନ୍ୟୂନ ତିନି ବର୍ଷ କୋର୍ଟରେ ଓକିଲାତି କରିଥିବା ଆବଶ୍ୟକ ଥିଲା। All India Judges Case 2002ରେ ଏହାକୁ ଉଠାଇ ଦେବା ଫଳରେ। ଆଇନ କଲେଜରୁ ସଦ୍ୟ ସ୍ନାତକମାନେ ନିଯୁକ୍ତି ନିମନ୍ତେ ପ୍ରାର୍ଥୀ ହୋଇ ପାରିଲେ। ଏବେ ପୁଣି କେତେକ ରାଜ୍ୟରେ ତିନି ବର୍ଷ ଆଇନ ବ୍ୟବସାୟ ଆବଶ୍ୟକ ବୋଲି ବ୍ୟବସ୍ଥା ହୋଇଛି। ଏହି ବ୍ୟବସ୍ଥାକୁ ବାତିଲ କରିବା ନିମନ୍ତେ ବର୍ତ୍ତମାନ ସୁପ୍ରିମ କୋର୍ଟରେ ମୋକଦ୍ଦମା ଚାଲିଛି। ବାର କାଉନସିଲ ଅଫ୍‌ ଇଣ୍ତିଆ। ଏଇ ତିନି ବର୍ଷର ଓକିଲାତି ସପକ୍ଷରେ ମତ ପ୍ରକାଶ କରିଛନ୍ତି। ଅପର ପକ୍ଷର ଯୁକ୍ତି ହେଲା ଯେ, ତିନି ବର୍ଷ କାଳ ଓକିଲାତି କରି ଅସଫଳ ହେବା ବ୍ୟକ୍ତି ହିଁ ବିଚାରପତି ନିଯୁକ୍ତି ନିମନ୍ତେ ଆବେଦନ କରେ। ଏହି ନିଯୁକ୍ତି ରାଜ୍ୟ ଲୋକସେବା ଆୟୋଗ ମାଧୢମରେ ହୁଏ। କିଛି ବର୍ଷ ଓକିଲାତି କରିଥିବା ବ୍ୟକ୍ତି ହାଇକୋର୍ଟ ଦ୍ବାରା ପରିଚାଳିତ ସ୍ବତନ୍ତ୍ର ପରୀକ୍ଷାରେ ଜିଲ୍ଲା ଜଜ୍‌ ପାହ୍ୟାରେ ନିଯୁକ୍ତି ପ୍ରାପ୍ତ ହୁଅନ୍ତି। ସେମାନେ ସମସ୍ତେ ପ୍ରାୟ ହାଇକୋର୍ଟ ଜଜ୍‌ ଓ କେତେକ କ୍ଷେତ୍ରରେ ତାର ଉପର ପାହ୍ୟାକୁ ଆରୋହଣ କରନ୍ତି। ଅନେକ ଆଇନଜୀବୀ ଏ ବ୍ୟବସ୍ଥାର ବିରୋଧ କରନ୍ତି। ସରକାରଙ୍କ ଅନ୍ୟ କୌଣସି ବିଭାଗରେ ଏପରି ନିଯୁକ୍ତି ବ୍ୟବସ୍ଥା ନ ଥିଲା ବେଳେ, ବିଚାର ବିଭାଗରେ ଏହାର କ’ଣ ଆବଶ୍ୟକତା ଅଛି ବୋଲି ପ୍ରଶ୍ନ ଉଠାନ୍ତି। ଜଣେ ପ୍ରାଇଭେଟ ପ୍ରାକ୍‌ଟିସ କରୁଥିବା ଡାକ୍ତର କ’ଣ ସିଧାସଳଖ ସି.ଡି.ଏମ.ଓ ହୋଇପାରିବ କି? ତେବେ ବିଚାର ବିଭାଗରେ କାହିଁକି? ଆଉ ଏକ ଯୁକ୍ତି ହେଲା ଯେ କୌଣସି ସଫଳ ଓକିଲ ନିଜର ଉଚ୍ଚ ମାନର ଆୟ ତ୍ୟାଗ କରି ବିଚାରପତି ହେବାକୁ ଆଗ୍ରହୀ ହୋଇପାରେ କି? ଜଣେ ବିଚାରପତିଙ୍କର ଦୁଇଟି ମୁଖ୍ୟ କାର୍ଯ୍ୟ ହେଉଛି, ମୋକଦ୍ଦମା ବିଚାର କରିବା ଓ ନିଜର ଅଫିସ ପରିଚାଳନା କରିବା। ଓକିଲାତି କଲେ ଏ ଦୁଇଟି କାର୍ଯ୍ୟର ଅଭିଜ୍ଞତା ପ୍ରାପ୍ତ ହେବାର ସମ୍ଭାବନା ବିଶେଷ ନାହିଁ। ଏଇ ସବୁ ବିଷୟକୁ ବିଚାରକୁ ନେଇ ଆଇ.ଏ.ଏସ୍‌ ଓ ଆଇ.ପି.ଏସ୍‌ ଭଳି ଏକ ସର୍ବ ଭାରତୀୟ ନ୍ୟାୟିକ ସେବା (Indian Judicial Service) (I.J.S) ଗଠନ ନିମନ୍ତେ ବହୁ ଦିନୁ ଅସଫଳ ଉଦ୍ୟମ ହୋଇ ଆସୁଅଛି। ଜାତୀୟ ଆଇନ କମିସନ ମଧୢ ଏଥି ନିମନ୍ତେ ସୁପାରିସ କରିଥିଲେ। କେତେକ କ୍ଷମତାଶାଳୀ ନ୍ୟସ୍ତସ୍ବାର୍ଥ୍ୟ ଗୋଷ୍ଠୀ ଏହାକୁ କରାଇ ଦେଉନାହାନ୍ତି।

ସର୍ବ ଭାରତୀୟ ନ୍ୟାୟିକ ସେବା ସପକ୍ଷରେ ଯୁକ୍ତି ହେଲା ଯେ ଏହା ଦ୍ବାରା ବିଚକ୍ଷଣ ଆଇନ ଗ୍ରାଜୁଏଟମାନେ ନ୍ୟାୟିକ ସେବାରେ ପ୍ରବେଶ କରିପାରିବେ। ଅନେକ ବିଚକ୍ଷଣ ସ୍ନାତକଙ୍କର ପ୍ରଥମ କେତେ ବର୍ଷ ଓକିଲାତି କରିବା ନିମନ୍ତେ ସୁବିଧା ଓ ସମ୍ବଳ ନ ଥିବା ହେତୁ, ଆଇନ ପରୀକ୍ଷାରେ ଉଚ୍ଚ ସ୍ଥାନ ପ୍ରାପ୍ତ ହୋଇଥିଲେ ମଧୢ ଅନ୍ୟ ଚାକିରିରେ ପ୍ରବେଶ କରନ୍ତି। ଏବେ ଅନେକ ମେଧାବୀ ଛାତ୍ର ପାଞ୍ଚ ବର୍ଷିଆ ଆଇନ କୋର୍ସ କରୁଛନ୍ତି, କିନ୍ତୁ ଅଧିକା˚ଶ କୋର୍ଟରେ ଆସି ଓକିଲ ହେବା ଅପେକ୍ଷା ମଲଟିନ୍ୟାସନାଲ୍‌ କମ୍ପାନିମାନଙ୍କରେ ଆଇନ ପରାମର୍ଶଦାତା ଭାବରେ ଯୋଗ ଦେଉଛନ୍ତି। ସେଇ ମେଧାବୀ ଛାତ୍ରମାନେ ଆଇ.ଜେ.ଏସରେ ଯୋଗ ଦେବା ନିମନ୍ତେ ଆଗ୍ରହୀ ହେବେ ଓ ବିଚାର ବିଭାଗରେ ମେଧା ପୃଷ୍ଟୀକରଣ ହେବ। ସେମାନେ ସିଧା ବିଶ୍ବବିଦ୍ୟାଳୟରୁ ଆସି ଥିବାରୁ, ସେମାନଙ୍କର କୌଣସି ମହକିଲ ଅଥବା ବାର ସଦସ୍ୟ ସହିତ ସ˚ପର୍କ ରହିବନି ଓ ତଦ୍‌ଜନିତ ପ୍ରଭାବିତ ହେବାର ଆଶଙ୍କା ମଧୢ ରହିବ ନାହିଁ। ଇ˚ରେଜ ଶାସନ ସମୟରେ ଆଇ.ସି.ଏସ ଅଫିସର ବିଚାରପତି ହେଉଥିଲେ। ଓଡ଼ିଶାର ଚତୁର୍ଥ ପ୍ରଧାନ ବିଚାରପତି ଆର.ଏଲ.ନରସି˚ହମ ଆଇ.ସି.ଏସ୍‌ ଥିଲେ। ତାଙ୍କର କୌଣସି ଆଇନ ଡିଗ୍ରି ନ ଥିବା ସତ୍ତ୍ବେ ତାଙ୍କର ଆଇନ ଜ୍ଞାନ ସମ୍ବନ୍ଧରେ କୌଣସି ପ୍ରଶ୍ନବାଚୀ ଉଠିନଥିଲା।

ସର୍ଦ୍ଦାର ପଟେଲ ଉପପ୍ରଧାନମନ୍ତ୍ରୀ ଥିବା ସମୟରେ ୧୯୪୬ ମସିହାରେ ଅବିଭକ୍ତ ଭାରତର ତତ୍‌କାଳୀନ ପ୍ରଧାନମନ୍ତ୍ରୀମାନଙ୍କ ସମ୍ମିଳନୀରେ ଏଇ ସେବା ଗଠନ ନିମନ୍ତେ ସମସ୍ତଙ୍କର ସମ୍ମତି ଲାଭ କରି ପାରିନଥିଲେ। ପ୍ରାଦେଶିକ ସ୍ବତନ୍ତ୍ରତା ଉପରେ ଏହା ଏକ ହସ୍ତକ୍ଷେପ ହେବ ବୋଲି ସେ କାଳର ପ୍ରଧାନମନ୍ତ୍ରୀ (ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ କୁହାଯାଇଥିଲା) ମାନେ ଅଭିଯୋଗ କରିଥିଲେ ଓ ସେମାନେ ଦ୍ବିଧାର ସହିତ ଆଇ.ଏ.ଏସ ଓ ଆଇ.ପି.ଏସ ସେବା ଗଠନ ନିମନ୍ତେ ସମ୍ମତି ପ୍ରଦାନ କରିଥିଲେ।ସମ୍ବିଧାନର ୪୨ତମ ସ˚ଶୋଧନରେ ୧୯୭୬ ମସିହାରେ ଆଇ.ଜେ.ଏସ୍‌ ନିମନ୍ତେ ଧାରା ୩୧୨ରେ ବ୍ୟବସ୍ଥା ଅଛି। ସେଥି ନିମନ୍ତେ କିନ୍ତୁ ଏକ ସ୍ବତନ୍ତ୍ର ଆଇନ ପ୍ରଣୟନର ଆବଶ୍ୟକତା ଅଛି। ଏଥିନିମନ୍ତେ ରାଜ୍ୟ ସରକାରମାନେ, ହାଇକୋର୍ଟମାନେ ଓ ସୁପ୍ରିମକୋର୍ଟ ସମ୍ମତି ପ୍ରଦାନ କରିବା ଆବଶ୍ୟକ। ବିଗତ ଶତାବ୍ଦୀର ଷାଠିଏ ଦଶକରେ ଭାରତୀୟ ଜଙ୍ଗଲ ସେବା ଗଠନ ସମୟରେ I.J.S ଗଠନ ନିମନ୍ତେ କେନ୍ଦ୍ର ସରକାର ଉଦ୍ୟମ କରି, ଅନ୍ୟ ମାନଙ୍କର ସହମତି ଲାଭ କରି ପାରିନଥିଲେ। ବର୍ତ୍ତମାନର କେନ୍ଦ୍ର ସରକାର ୨୦୧୯ରେ ପୁନର୍ବାର ଏ ପ୍ରସଙ୍ଗ ଉତ୍‌ଥାପନ କରି ରାଜ୍ୟ ସରକାରମାନଙ୍କର ମତ ଲୋଡ଼ିଥିଲେ। ଆଠୋଟି ରାଜ୍ୟ ସିଧାସଳଖ ବିରୋଧ କଲେ ଓ ଆଉ ପାଞ୍ଚଟି ରାଜ୍ୟ କେତୋଟି ସର୍ତ୍ତ ଖଞ୍ଜିଲେ। ବିରୋଧୀ ରାଜ୍ୟମାନଙ୍କର ଯୁକ୍ତି ଥିଲା ତିନିଟି। ପ୍ରଥମଟି ହେଲା ରାଜ୍ୟ ବାହାରର ବ୍ୟକ୍ତି ନିଯୁକ୍ତ ହେବେ ଓ ସେମାନେ ସ୍ଥାନୀୟ ଭାଷା ଓ ଜୀବନ ପ୍ରବାହ ସଙ୍ଗେ ଅପରିଚିତ ରହିବେ। ଦ୍ବିତୀୟଟି ହେଲା ଯେ ଆଇ.ଜେ.ଏସ୍‌ ଅଫିସର ନିଯୁକ୍ତ ହେଲେ ମୁନସିଫ୍‌ ସ୍ତରରେ ନିଯୁକ୍ତ ପାଇଥିବା ବ୍ୟକ୍ତିମାନଙ୍କର ପ୍ରମୋସନ ସୁଯୋଗ ସ˚କୁଚିତ ହୋଇଯିବ ଓ ସେଥିଯୋଗୁଁ କୌଣସି ଭଲ ଓକିଲ ଆଉ ମୁନସିଫ ସ୍ତରରେ ନିଯୁକ୍ତି ନିମନ୍ତେ ଆଗ୍ରହୀ ହେବେ ନାହିଁ। ତୃତୀୟଟି ହେଲା ଏହା ବିଚାର ସ୍ବତନ୍ତ୍ରତା ଉପରେ ହସ୍ତକ୍ଷେପ କରିବ, କାରଣ ଜିଲ୍ଲାସ୍ତର ଓ ତଦ୍‌ ନିମ୍ନ ସ୍ତରର ବିଚାରପତିମାନେ ହାଇକୋର୍ଟ ଅପେକ୍ଷା କେନ୍ଦ୍ର ସରକାରଙ୍କର ନିୟମ ଦ୍ବାରା ପରିଚାଳିତ ହେବେ।

ଏହାର ପ୍ରତିଯୁକ୍ତି ଭାବରେ ଉତ୍‌ଥାପନ କରାଯାଇ ପାରେ ଯେ, ଭିନ୍ନ ରାଜ୍ୟରୁ ଆସୁଥିବା ଆଇ.ଏ.ଏସ ଓ ଆଇ.ପି.ଏସ ଅଫିସରଙ୍କ ପରି ସେମାନଙ୍କୁ ରାଜ୍ୟ ସମ୍ବନ୍ଧରେ ଓ ରାଜ୍ୟର ଭାଷା ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯିବ। ବର୍ତ୍ତମାନ ହାଇକୋର୍ଟ ଜଜ୍‌ମାନେ ରାଜ୍ୟ ବାହାରକୁ ବଦଳି ହେଉଛନ୍ତି ଓ ପ୍ରତ୍ୟେକ ହାଇକୋର୍ଟର ପ୍ରଧାନ ବିଚାରପତି ପ୍ରାୟତଃ ବାହାରର ଲୋକ। ଦ୍ବିତୀୟରେ ଆଇ.ଜେ.ଏସ୍‌ ନିଯୁକ୍ତି ମୁନସିଫ ସ୍ତରୀୟ ନିଯୁକ୍ତି ଅପେକ୍ଷା, ସିଧାସଳଖ ଜିଲ୍ଲା ଜଜ୍‌ ନିଯୁକ୍ତିକୁ ପ୍ରଭାବିତ କରିବ। ଆଇ.ଜେ.ଏସ୍‌ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେଲେ, ସିଧାସଳଖ ଜିଲ୍ଲା ଜଜ୍‌ ନିଯୁକ୍ତି ବାତିଲ କରିବାକୁ ହେବ। ତୃତୀୟରେ ସମ୍ବିଧାନର ୨୩୫ ଧାରା ଅନୁଯାୟୀ ସମସ୍ତ ନିମ୍ନ କୋର୍ଟର ପରିଚାଳନା ଭାର ହାଇକୋର୍ଟ ଉପରେ ନ୍ୟସ୍ତ। ତେଣୁ ଯେଉଁ ଆଇ.ଜେ.ଏସ ଅଧିକାରୀମାନେ ଜିଲ୍ଲା ଓ ସବଡ଼ିଭିଜନ ସ୍ତରରେ କାମ କରିବେ, ସେମାନେ ହାଇକୋର୍ଟର ଅଧୀନ ଓ ତତ୍ତ୍ବାବଧାନରେ କାମ କରିବେ।

ଏଇ ମାସରେ ରାଜ୍ୟ ଆଇନ ମନ୍ତ୍ରୀମାନଙ୍କର ଏକ ସମ୍ମିଳନୀ ବିଚାର ବିଭାଗୀୟ ଭିତ୍ତିଭୂମି ବିଷୟରେ ଆଲୋଚନା କରିବ। ସେଠାରେ କେନ୍ଦ୍ର ସରକାର ଆଇ.ଜେ.ଏସ ଗଠନ ନିମନ୍ତେ ରାଜ୍ୟ ସରକାରମାନଙ୍କର ସମ୍ମତି ନିମନ୍ତେ ଉଦ୍ୟମ କରିବେ। ସରକାରଙ୍କର ସୁପ୍ରିମ କୋର୍ଟ ସହିତ ଏ ମଧୢରେ କିଛିଟା ବୁଝାମଣା ହୋଇଛି। ରାଜ୍ୟମାନଙ୍କର ଓ ହାଇକୋର୍ଟ ମାନଙ୍କର ଆଶଙ୍କା ଦୂରୀଭୁତ କରି, ସର୍ବସମ୍ମତି କ୍ରମେ ଏକ ଆଇ.ଜେ.ଏସ୍‌ ଗଠନ ହୋଇପାରିଲେ, ବିଚାର ବିଭାଗର ବୌଦ୍ଧିକ ପୁଷ୍ଟି ସହିତ ବିଚାର ପ୍ରକ୍ରିୟାରେ ସୁଧାର ଘଟିବ।

ମୋ-୯୯୩୭୪୨୨୫୨୧

ସମ୍ବନ୍ଧିତ ଖବର