କାଶତଣ୍ଡୀର କ୍ଷୋଭ

ସୃଜନ ପ୍ରକାଶ ଦାସ

ଗୋଟାଏ ଫୁଲ କ’ଣ କେବେହେଲେ ଭାବପ୍ରବଣ ହୋଇପାରେ? ତା’ର କ’ଣ ସୁଖ, ଦୁଃଖ, ବ୍ୟଥା, ବେଦନା ଅଛି? ଅଭିମାନ କରିବା କ’ଣ ତା’ ପକ୍ଷରେ ଶୋଭା ପାଏ? ପ୍ରଶ୍ନଟା ହିଁ ସତରେ ବିଚିତ୍ର! ହୁଏ’ତ ଏ ଲେଖକର ଏକ ଖିଆଲୀ ମନର ପରିପ୍ରକାଶ ହୋଇଥାଇପାରେ। ଏତେ ଫୁଲ ଆମ ଗହଣରେ ଅଛନ୍ତି। ତା’ ଠାରୁ ବହୁଗୁଣରେ ସୁନ୍ଦର ଫୁଲ ମଧ୍ୟ ପ୍ରକୃତି ଆମକୁ ଦେଇଛି। ହେଲେ ଆଜି ମନଟା ବ୍ୟସ୍ତ ହୋଇ ଉଠିଛି କାଶତଣ୍ଡୀ ପାଇଁ। ବର୍ଷା ଋତୁ ସରି ସରି ଆସିବା ସହିତ କାଶତଣ୍ଡୀ ଫୁଲ ଫୁଟିବାକୁ ଆରମ୍ଭ କରେ। ଜଣାଇ ଦିଏ ମୁଁ ଆସିଗଲି ଅର୍ଥ ଶରତ ଋତୁ ଆସିଗଲା। ପାର୍ବଣ ଋତୁ ମଧ୍ୟ ଆଉ ଅଧିକ ଦୂର ନୁହଁ। ବିଶ୍ୱ ମାତି ଉଠେ ଜଗଜ୍ଜନନୀ ମା’ ଦୁର୍ଗାଙ୍କର ଆବାହନୀ ଓ ଅଭ୍ୟର୍ଥନା ଉଦ୍ଦେଶ୍ୟରେ। ଚତୁର୍ଦିଗ ପୂଜାର ବାସ୍ନାରେ ପୂରି ଉଠେ।

ଏଥର କିନ୍ତୁ ରାସ୍ତା କଡ଼, ନଦୀ ପଠା ଓ ଧାନ ବିଲରେ ପବନରେ ଖିଲି ଖିଲି ହସୁଥିବା କାଶତଣ୍ଡୀ ମ୍ରିୟମାଣ। ଯନ୍ତ୍ରଣା ଜର୍ଜରିତ। ଖାଲି ଏ ବର୍ଷ କାହିଁକି, ଗତ ବର୍ଷ ମଧ୍ୟ ସେ ଥିଲା ଏକୁଟିଆ। ନିର୍ଜନତା ତାକୁ ଘାରିଥିଲା। ତା’ର ପୂର୍ଣ୍ଣ ଯୌବନର ସୌନ୍ଦର୍ଯ୍ୟ ଓ ତା’ର ସଂଗୀତକୁ ଉପଭୋଗ କରିବା ପାଇଁ ଆମେ ଥିଲୁ ତା’ଠାରୁ ବହୁ ଦୂରରେ। କାଶତଣ୍ଡୀ ହୁଏ’ତ ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ଭାବୁଥିବ: ‘ଏ ମହାମାରୀ ପାଇଁ କ’ଣ ମୁଁ ଦାୟୀ? ମୁଁ କ’ଣ ମହାମାରୀକୁ ବ୍ୟାପକ କରିପାରେ ଯେ ତମେ ସବୁ ମୋ’ ଠାରୁ ଏତେ ଦୂରରେ? କୋଭିଡ୍‌ ସିନା ତମକୁ ଘର ଭିତରେ ବାନ୍ଧି ଦେଲା! ତମମାନଙ୍କ ଭିତରେ ଦୂରତ୍ୱ ବଢ଼ାଇଦେଲା! ହେଲେ, ମୁଁ ? ମୁଁ ତ ସେମିତି ଯୁଗ ଯୁଗ ଧରି ଫୁଟୁଥିଲି, ଆଜି ଯେମିତି ଫୁଟିଛି। ଅଥଚ ମୋତେ ତମେ ସବୁ ଏତେ ଦୂରେଇ ଦେଲ କ’ଣ ପାଇଁ?

ମୋତେ କିଏ କହେ କାଶତଣ୍ଡୀ ତ କିଏ କହେ କାଶ। ମୋର ବୈଜ୍ଞାନିକ ନାଁ ହେଉଛି- Saccharum spontaneum। ମାନୁଛି ମୁଁ ଘାସ ଜାତୀୟ ଉଦ୍ଭିଦ। ଏକଶିଙ୍ଗୀ ଗଣ୍ଡାମାନଙ୍କର ମୁଁ ପ୍ରିୟ ଖାଦ୍ୟ। ପୁଣି ନେପାଳରେ ମୁଁ ଲାଗେ ବାଡ଼ ତିଆରିରେ ନତୁବା ଚାଳ ଛାଆଣିରେ।

କିନ୍ତୁ ଏ କଥା କ’ଣ ସତ ନୁହଁ ଯେ ମୋତେ ନେଇ ତମେ କେତେ କେତେ କବିତା ଲେଖିଛ! ପ୍ରେମ ଗଳ୍ପର ଖୋରାକ ଯୋଗାଇଛି ମୁଁ ଅଗଣିତ ଲେଖକଙ୍କ ପାଇଁ। ଶରତ ଋତୁରେ ପ୍ରତିଦିନ ମୋ ଫଟୋ ଛପା ହୁଏ ଖବରକାଗଜମାନଙ୍କରେ। ମୁଁ ପୁଣି କେତେ ଶାରଦୀୟ ବିଶେଷାଙ୍କର ପ୍ରଚ୍ଛଦ ପଟରେ ଶୋଭାପାଏ। ହେଲେ, ଏ ଦୁଇ ବର୍ଷ ଭିତରେ ସତେ ଯେମିତି ସବୁ କିଛି ଓଲଟ ପାଲଟ ହୋଇଯାଇଛି। ମୋତେ ସଂଘର୍ଷ କରିବାକୁ ପଡୁଛି ନିଜ ଅସ୍ତିତ୍ବକୁ ଖୋଜି ବାହାର କରିବା ଲାଗି। ରାଜ ରାସ୍ତାରେ ଯାଉଥିବା ଯେଉଁ ମଣିଷମାନେ ମୋତେ ଦେଖୁଥିଲେ, ସେମାନେ ତ କାହିଁ ଅଟକୁ ନାହାନ୍ତି? ଗାଡ଼ିରୁ ଓହ୍ଲାଇ ମୋ ସହିତ ସେଲ୍‌ଫି ନେବା ତ ପ୍ରାୟ ଇତିହାସ ପାଲଟି ଗଲାଣି। ମୁଁ କ’ଣ ଇତିମଧ୍ୟରେ ଏତେ ଅସୁନ୍ଦର ହୋଇ ଯାଇଛି ଯେ ମୋର ଆକର୍ଷଣ ସେମାନଙ୍କୁ ଦଣ୍ଡେ ଠିଆ ହୋଇ ମୋତେ ଦେଖିବା ପାଇଁ ବାଧ୍ୟ କରିପାରୁ ନାହିଁ? ହେଲେ, ମୁଁ ତ ଯେମିତି ଥିଲି, ଠିକ୍‌ ସେମିତି ଅଛି। ମୋତେ ଲାଗୁଛି ବୋଧହୁଏ ତମମାନଙ୍କର ଦେଖିବାର ଅନ୍ଦାଜ଼ ବଦଳି ଯାଇଛି। ତୁମମାନଙ୍କର ଅସାବଧାନତା ଯୋଗୁଁ ମହାମାରୀର ତୃତୀୟ ଲହରି ଫେରିବାର ସମ୍ଭାବନା ଅଛି। ଅନେକେ ନିଜ ନିଜର ପ୍ରିୟଜନଙ୍କୁ ହରାଇ ମ୍ରିୟମାଣ- ଏ କଥା ମୁଁ ଅସ୍ବୀକାର କରୁ ନାହିଁ। ସେ କ୍ଷତି ତ ଅପୂରଣୀୟ। ହେଲେ ମୁଁ? ମୁଁ ତ ଚାହିଁ ରହିଛି ତମମାନଙ୍କର ଆସିବା ପଥକୁ। ତମମାନଙ୍କର ସାନ୍ନିଧ୍ୟ ଟିକେ ପାଇବା ପାଇଁ। ମୋ ନିଜ ଫଟୋ ପୂଜା ସଂଖ୍ୟାର ମଲାଟ, ଖବରକାଗଜ ପୃଷ୍ଠାରେ ଦେଖିବା ପାଇଁ। ମୋର ତ ପୁଣି ମନ ବୋଲି କିଛି ଅଛି! ବର୍ଷକରେ ଥରେ ମୁଁ ଆସେ ଖାସ୍‌ ଏଥି ଲାଗି। ଏଇଟା ତ ମିଛ ନୁହଁ।

ପଡ଼ୋଶୀ ପଶ୍ଚିମବଙ୍ଗରେ ମୋର ସ୍ଥାନ ସ୍ୱତନ୍ତ୍ର। ଦୁର୍ଗା ମଣ୍ଡପରେ ‘ଢାକ’(ବଡ଼ ଢୋଲ) ସହିତ ମୁଁ ହିଁ ଥାଏ। ‘ଢାକ’ର ସଂଗୀତ ଯଦି ବଙ୍ଗବାସୀଙ୍କୁ ମତୁଆଲା କରିପାରେ, ମୁଁ ସେମାନଙ୍କର ଦୃଷ୍ଟି ନନ୍ଦନ କରିବାର କ୍ଷମତା ରଖେ। ସେଥିପାଇଁ ତ ରବୀନ୍ଦ୍ର ନାଥଙ୍କ ଠାରୁ ଆରମ୍ଭ କରି ଜୀବନାନନ୍ଦ- ଏପରି କି ନୂଆ ପ୍ରଜନ୍ମର କବି, ଲେଖକମାନେ ମୋତେ ଉପେକ୍ଷା କରି ପାରି ନାହାନ୍ତି। ପୁଣି ମୋର ସେହି ଅବସୋସ।

କିନ୍ତୁ ହାଏ। ଏସବୁ ତ ଏବେ କେବଳ ଦିବା ସ୍ବପ୍ନ! ଆଗାମୀ କେତେ ବର୍ଷ ପାଇଁ ମୁଁ ଏଭଳି ଉପେକ୍ଷିତ ହୋଇ ରହିବି- ମୁଁ ଜାଣେନା। ମୁଁ ମଧ୍ୟ ସମଗ୍ର ବିଶ୍ୱ ସହିତ ପ୍ରାର୍ଥନା କରେ- କୋଭିଡ୍‌ ଏଥର ଚାଲି ଯାଉ। ସବୁ ଦିନ ପାଇଁ। ପାଣ୍ଡେମିକ୍‌ରୁ ଏଣ୍ଡେମିକ୍‌। ପୁଣି ଏଣ୍ଡେମିକ୍‌ରୁ ଇତିହାସ ପୃଷ୍ଠାକୁ। ଏ ବର୍ଷ ନ ହେଲା ନାହିଁ, ଆଗାମୀ ବର୍ଷ ପାଇଁ ମୁଁ ଅପେକ୍ଷା କରିବା ପାଇଁ ପ୍ରସ୍ତୁତ। ସମସ୍ତ ଉତ୍କଣ୍ଠା, ସମସ୍ତ ବ୍ୟଗ୍ରତା ସହିତ। ତୁମମାନଙ୍କ ଭଳି ମୁଁ ମଧ୍ୟ ଅଶାନ୍ତ- ଏ ଯନ୍ତ୍ରଣା, ଏ ବ୍ୟଥାର ଅନ୍ତ ଅଛି। ଏ ଦାରୁଣ ଯାତ୍ରାରେ ଆମେ ଶେଷକୁ ବିଜୟୀ ହେବା। ଶେଷ ହସ ଆମେ ହିଁ ହସିବା।

ମୋ- ୯୪୩୮୧୪୯୭୬୧
[email protected]

ସମ୍ବନ୍ଧିତ ଖବର