ଘରକୁ ଫେରି ଯାଆନ୍ତୁ

କୁମାର ପ୍ରଶାନ୍ତ

ଗୁରୁ ପର୍ବ ବା ପ୍ରକାଶ ପର୍ବ ଅବସରରେ ସରକାରଙ୍କୁ ଏପରି କେତେ ଅନ୍ଧକାର ଦେଖାଗଲା ଯେ ସେ ନିଜ ରାସ୍ତାକୁ ବଦଳାଇ ଦେଲେ? ଏମିତି କ’ଣ ହେଲା ଯେ କିଛି ହାତଗଣତି ଗୁଣ୍ଡା, ଆତଙ୍କବାଦୀ, ଖଲିସ୍ଥାନୀ, ଦେଶଦ୍ରୋହୀ କୃଷକଙ୍କ ଆଗରେ ୨୦୧୪ରେ ଦେଶକୁ ସ୍ବାଧୀନ କରାଇଛନ୍ତି ବୋଲି ଦାବି କରୁଥିବା ଅଜେୟ ସରକାର ତଥା ଦୁନିଆର ସବୁଠୁ ବଡ଼ ରାଜନୈତିକ ଦଳ ହାର ମାନିଗଲା? ଏମିତି କ’ଣ ହେଲା ଯେ ଚାଷୀମାନଙ୍କୁ ସେହି ସ୍ବର୍ଣ୍ଣିମ ଆଇନର ପ୍ରକୃତ ସ୍ବରୂପ ବୁଝାଇବା ଲାଗି ଉଦ୍ଦିଷ୍ଟ ୧୧ ଥର ମୁକ୍ତ ଆଲୋଚନାରେ ମଧ୍ୟ ସରକାର ଯେଉଁ ସତ୍ୟ ନିଜେ ବୁଝିପାରି ନ ଥିଲେ, ତାହା ଅଚାଚକ ବୁଝିଗଲେ? ବର୍ଷ ପୂରଣ ହେଉ ନ ହେଉଣୁ ଚାଷୀ ଆନ୍ଦୋଳନ ଭୁଶୁଡ଼ି ଯିବ ବୋଲି ପ୍ରଚାର କରୁଥିବା ସରକାରଙ୍କ ସଂକଳ୍ପ ବର୍ଷ ପୂରିବା ଆଗରୁ ହିଁ ଚୂର୍ଣ୍ଣ ହୋଇଗଲା କାହିଁକି? ଆଉ ଏକ ବଡ଼ ପ୍ରଶ୍ନ ହେଲା, ଇତିହାସକୁ ବଦଳାଇ ଦେଲା ଭଳି ପ୍ରତିଟି ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତିକୁ ରାତି ଅଧରେ ଘୋଷଣା କରୁଥିବା ସରକାର ଏହି ଘୋଷଣାକୁ ଏମିତି ସକାଳୁ ସକାଳୁ କଲେ କାହିଁକି? ତେବେ ସରକାର ରାତିର ଅନ୍ଧାରରେ ଘୋଷଣା କରୁଥିବା ସମସ୍ତ ନିଷ୍ପତ୍ତି ସେମିତି ଅନ୍ଧକାରରେ ହିଁ ରହି ଯାଉଥିବା କଥା ନିଜେ ହୃଦୟଙ୍ଗମ କରି ଏପରି କରିନାହାନ୍ତି ତ?

କୃଷକମାନଙ୍କର ଏହି ମାମଲା ୨୦୧୪ ଠାରୁ ମୁଣ୍ଡ ଟେକିଥିବା ପ୍ରତି ମାମଲା ପରି ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ, ତାଙ୍କ ରଣନୀତି ଅନୁସାରେ ପରିଚାଳିତ ହୋଇ ଆସିଛି। ସେଥିପାଇଁ କୃଷି ଆଇନର ପ୍ରତ୍ୟାହାର ଘୋଷଣା କଲା ବେଳେ ପ୍ରଧାନମନ୍ତ୍ରୀ ଅତ୍ୟନ୍ତ ଚତୁରତାର ସହ ଗଳା ବାଟ ଦେଇ ବାହାରି ଯିବା ପୂର୍ବକ ଏ କଥା କହିଥିଲେ ଯେ ଏବେ କାହାକୁ ଦୋଷ ଦେବାର ସମୟ ନୁହେଁ, ବରଂ କୃଷକ ଭାଇମାନେ ଘରକୁ ଫେରିଯିବାର ସମୟ ଆସିଛି। ଏ ପରିପ୍ରେକ୍ଷୀରେ ଦୁଷ୍ୟନ୍ତ କୁମାରଙ୍କ ଶବ୍ଦରେ କହିବି: ‘ଚାକୁ କୀ ପସଲିୟୋଁ ସେ ଗୁଜାରିଶ ତୋ ଦେଖିଏ!’ ଅର୍ଥାତ୍‌ ‘ଛୁରୀ ମୁନରେ ଅନୁରୋଧକୁ ତ ଦେଖନ୍ତୁ!’ ମହାଶୟ, ଏ କିଭଳି ଯୁକ୍ତି? ଯେତେବେଳେ ସରକାର ସର୍ବ ସମକ୍ଷରେ କ୍ଷମା ମାଗୁଛନ୍ତି, ତା’ଠୁ ବଳି ଆନନ୍ଦଦାୟକ ମୁହୂର୍ତ୍ତ କ’ଣ ଆଉ ହୋଇପାରେ ଯେ କୃଷି ଆଇନର ସନ୍ଦର୍ଭରେ ଦୋଷ କାହାର, କ୍ଷୋଭ କେଉଁଠି, କେଉଁ କେଉଁ ନିଶାରେ ଅହଂକାରର ବିଷ ଛାଡ଼ି ଯାଉଛି ଏବଂ କ’ଣ ଏପରି ହେଲା ଯଦ୍ଦ୍ବାରା ଜଣେ ଅପ୍ରତିମ ବୋଲାଉଥିବା ସତ୍ତ୍ବେ ମାଟିର ପାଦଧାରୀ ବୋଲି ପ୍ରମାଣିତ ହେଲେ ଭଳି ପ୍ରଶ୍ନର ଉତ୍ତର ଲୋକେ ଖୋଜିବାକୁ ଚେ‌ଷ୍ଟା କରିବେ? ଏଠାରେ ପ୍ରଶ୍ନ କେବଳ ତିନିଟି କୃଷି ଆଇନ ବାବଦରେ ନୁହେଁ। କୃଷି ଆଇନ ଆସିଥିବା ଶୃଙ୍ଖଳରେ ବିମୁଦ୍ରୀକରଣ, ଜିଏସ୍‌ଟି, ଭୂମି ଅଧିଗ୍ରହଣ ଆଇନ, ଶ୍ରମ ଆଇନ, ନାଗରିକତା ଆଇନ, ବ୍ୟାଙ୍କିଙ୍ଗ୍‌ ପ୍ରଣାଳୀର ବିଧ୍ବସ୍ତୀକରଣ, କରୋନା ବେଳର ଲକ୍‌ଡାଉନ୍‌, ଆମେରିକୀୟଙ୍କ ଠାରୁ ଟ୍ରମ୍ପ୍‌ଙ୍କ ପାଇଁ ସମର୍ଥନ ଯୋଗାଡ଼, କାଶ୍ମୀର ବିଭାଜନ, ଚୀନ୍‌ ଦ୍ବାରା ଆମ କୂଟନୈତିକ ରଣନୀତି ଉପରେ ଲଗାତାର ଚୋଟ ଏବଂ ଦେଶର ସମସ୍ତ ସାମ୍ବିଧାନିକ ସଂସ୍ଥାର ସଂକୀର୍ଣ୍ଣ ରାଜନୀତିକରଣ ଆଦି ପ୍ରାରମ୍ଭିକ କଡ଼ିଗୁଡ଼ିକ ମଧ୍ୟ ଯୋଡ଼ି ହୋଇଯାଇଛି। ଏହି ସମସ୍ତ ଆଇନ ଓ ସେପରି ଗୋଲକଧନ୍ଦାଗୁଡ଼ିକ ସମାନ ଚିନ୍ତାଧାରାରୁ ସୃଷ୍ଟି ହୋଇଛି ଏବଂ ସମାନ ପ୍ରକ୍ରିୟାରେ ଦେଶ ଉପରେ ଲଦି ଦିଆଯାଇଛି। ସେଥିପାଇଁ ସମୟ ଯେତେବେଳେ ତାହାର ଆଇନାକୁ ମୋଡ଼ି ଦେଇଛି, ସେତିକି ବେଳେ ସେସବୁର ସମୀକ୍ଷା କରିବା ହିଁ ହେଉଛି ପ୍ରକୃଷ୍ଟ ସମୟ।

ଚାଷୀମାନେ ଆଉ ଯାହା ମାଗନ୍ତୁ ପଛକେ, ଏହି ଆଇନର ପ୍ରତ୍ୟାହାର ସ୍ବପ୍ନ କେବେ ଦେଖନ୍ତୁ ନାହିଁ ବୋଲି ଯେଉଁ ଆଇନ ସମ୍ପର୍କରେ ଧମକ ଦେଇ କୁହାଯାଇଥିଲା, ସେହି ଆଇନକୁ ଆବର୍ଜନାକୁ ଫିଙ୍ଗିଦେଲା ବେଳେ ଘଟଣା କ’ଣ ବୋଲି ଭଗବାନଙ୍କୁ କେହି ପ୍ରଶ୍ନ ବି କରୁନାହାନ୍ତି। ଯଦି ଚୁପ୍‌ ରହିବାର ଥିଲା, ତେବେ ପ୍ରଧାନମନ୍ତ୍ରୀ କିପରି କହିଲେ କି ଦୀପର ଜ୍ୟୋତି ଭଳି ନିର୍ମଳ ଥିବା ଏହି ଆଇନଗୁଡ଼ିକ ଚାଷୀମାନଙ୍କର ହିତ ସାଧନ କରିଥା’ନ୍ତା, ମାତ୍ର କିଛି ମନ୍ଦବୁଦ୍ଧି କୃଷକ ତାହା ବୁଝିପାରିଲେନି। ତେଣୁ ଦୋଷ ବାଛିବାର କାମ ତ ଆପଣ ଆରମ୍ଭ କରିଦେଲେ! ତେବେ ଅନ୍ତତଃ ଏତିକି ତ ପଚରାଯାଇପାରିବ କି ସେହି କିଛି କୃଷକଙ୍କୁ ଛାଡ଼ିଦେଲେ ଆପଣଙ୍କ ଅନ୍ୟ ସମସ୍ତ କୃଷକ ଏବେ କେଉଁଠି ଅଛନ୍ତି? ପୁଣି ଆପଣ ଏ କଥା ବି କହିଛନ୍ତି, ଏକ କମିଟି ଗଠିତ ହେବ, ଯେଉଁଥିରେ ବିଭିନ୍ନ ବର୍ଗର ସଦସ୍ୟ ରହିବେ, ଯେଉଁମାନେ ଚାଷୀଙ୍କର ସମସ୍ତ ପ୍ରଶ୍ନର ସମୀକ୍ଷା କରି ନିଜସ୍ବ ମତାମତ ରଖିବେ। ତେଣୁ ଆପଣଙ୍କ ପୂର୍ବ ପ୍ରକ୍ରିୟା ତ୍ରୁଟିପୂର୍ଣ୍ଣ ଥିଲା ବୋଲି ପ୍ରକାରାନ୍ତେ ଆପଣ ସ୍ବୀକାର କରିଛନ୍ତି! ତେବେ ସେଥିରେ କୌଣସି ସ୍ତରରେ ବି ବିଚାରବିମର୍ଶର କଥା ଉଠିନଥିଲା। ନା ସଂସଦରେ, ନା ଚୟନ କମିଟିରେ ନା ସର୍ବଦଳୀୟ ବୈଠକରେ, କେଉଁଠି ବି କୃଷି ଆଇନ ବାବଦରେ ବିଚାର ଆଲୋଚନା କରିବା ପାଇଁ ସରକାର ପ୍ରସ୍ତୁତ ନଥିଲେ। କରୋନା ପାଇଁ ‘ଥାଳି ବଜାଅ’ କହିଲା ପରି କୃଷକଙ୍କୁ ‘ତାଳି ବଜାଅ’ ବୋଲି କୁହାଗଲା। ମାତ୍ର ଚାଷୀମାନେ ତାଳି ତ ବଜାଇଲେ ନାହିଁ, ବରଂ ପରସ୍ପରର ହାତକୁ ଜାବୁଡ଼ି ଧରିଲେ।

ଲୋକତାନ୍ତ୍ରିକ ବିମର୍ଶର କୌଣସି ବି ସାର୍ବଜନୀନ ମଞ୍ଚର ଅସ୍ତିତ୍ବ ରହିବାକୁ ନ ଦେଲେ ଆପଣ କ’ଣ ଏକତରଫା ଭାଷଣ ଓ କେବଳ ନିଜର ‘ମନ୍‌ କୀ ବାତ୍‌’ରେ ଲୋକତନ୍ତ୍ରର ଢାଞ୍ଚା ବଜାୟ ରଖିପାରିବେ? ପୁଞ୍ଜିଭୂତ ହୋଇ ରହି ଆସିଥିବା କ୍ଷୋଭର ଆଜି ପର୍ଦ୍ଦାଫାସ୍‌ ହୋଇଛି। କୌଣସି ଦଳ ହେଉ କି ପରିବାର ହେଉ କି ଆନ୍ଦୋଳନକାରୀ ସଂଗଠନ ହେଉ; ଏକ ମୌଳିକ ପ୍ରଶ୍ନ ଲୋକତନ୍ତ୍ରକୁ କିପରି ଜଣେ ବ୍ୟକ୍ତିର ଅକଲ ତଥା ଅହଂକାରକୁ ବନ୍ଦୀ କରି ରଖିଥାଏ, ତାହା ସରକାର, କୃଷକ ଓ ବିରୋଧୀମାନେ ବୁଝିବା ଦରକାର।
ଅନ୍ଧ ଭକ୍ତିର ସବୁଠୁ ବଡ଼ ଦୋଷ ହେଲା, ଏପରି ବ୍ୟାପାର କେବଳ ଅନ୍ଧମାନଙ୍କର। ଅନ୍ଧ ପାଇଁ କେବଳ ଘନ ଅନ୍ଧକାର ଆସେନାହିଁ, ଏହା ଅଭେଦ୍ୟ ମଧ୍ୟ ହୋଇଥାଏ। ଏଇ ସରକାରଙ୍କ ସହିତ ଏପରି ଘଟି ଚାଲିଛି। ଅହଂକାରରେ ଭରିଥିବା ସରକାର, ଚାଟୁକାରିତାରେ ବୁଡ଼ିଥିବା ଅମଲାତନ୍ତ୍ର ଓ ଅନ୍ଧ ଭକ୍ତମାନଙ୍କର ଜୟଜୟକାର ଯୋଗୁଁ ଏପରି ହୋଇଛି। ଏହି ତିନିଙ୍କ ଭିତରୁ କେହି ବି ଦେଖିନାହାନ୍ତି କିପରି ୭୦୦ କୃଷକଙ୍କର ବଳିଦାନ ପରେ ମଧ୍ୟ ଆନ୍ଦୋଳନର ପରିସର ବଢ଼ି ବଢ଼ି ଚାଲିଛି, କୃଷକଙ୍କର ସଂକଳ୍ପ ଆହୁରି ମଜଭୁତ ହୋଇଛି ଏବଂ ସାମାଜିକ ଜୀବନର ବିମର୍ଶରୁ ବାହାର କରି ଦିଆଯାଇଥିବା ଏପରି କିଛି ପ୍ରଶ୍ନକୁ କେତେକ ଘୋଡ଼ାଇବାରେ ବ୍ୟସ୍ତ ଅଛନ୍ତି।

ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍‌.ଏସ୍‌.ପି ଆଳରେ ବହୁରାଷ୍ଟ୍ରୀୟ କମ୍ପାନିମାନେ ଚଳାଇଥିବା ଅନ୍ନ ବେପାର ଏବଂ ସେମାନଙ୍କ ପକ୍ଷରେ ଛିଡ଼ା ହୋଇଥିବା ସରକାରଙ୍କୁ କୃଷକମାନେ ଚିହ୍ନିବା ଆରମ୍ଭ କରିଦେଲେ। ସେମାନେ ସ୍ବାଧୀନ ଅଭିବ୍ୟକ୍ତିର ବନ୍ଦୀମାନଙ୍କ ପ୍ରଶ୍ନ ଉଠାଇଲେ, ଜିପ୍‌ ତଳେ କୃଷକମାନଙ୍କୁ ଦଳି ଦେବାର ରଣନୀତି କରିଥିବା ଗୃହ ରାଜ୍ୟମନ୍ତ୍ରୀଙ୍କୁ ତାଙ୍କ ଦମ୍ଭ ସମ୍ପର୍କରେ ମଧ୍ୟ ଚେତାଇ ଦେଲେ। ଦିଲ୍ଲୀ ସୀମାରେ କୃଷକମାନଙ୍କୁ ଅଟକାଇବା ଲାଗି ଯେପରି କଣ୍ଟାବାଡ଼ ବିଛାଗଲା, ପାଚେରି ଉଠାଗଲା, ରାସ୍ତା ଅବରୋଧ କରାଗଲା ଏବଂ ପୁଲିସ ଯେପରି ଆନ୍ଦୋଳନକାରୀଙ୍କୁ ପିଟିଲା, ଏସବୁ କୌଣସି ଲୋକତାନ୍ତ୍ରିକ ସରକାରକୁ ଲଜ୍ଜିତ କରିବା ଲାଗି ଯଥେଷ୍ଟ ହେବ। ମାତ୍ର ଲଜ୍ଜା କଥା ଛାଡ଼, କୌଣସି ମାନବିକ ଶବ୍ଦ ବି ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ବାହାରିଲାନି। କୃଷକମାନେ ସେଠାରେ ଯେଭଳି ସଂଯମ ଓ ସ୍ବାଭିମାନ ବଜାୟ ରଖିଥିଲେ, ସେଥିରୁ ସେମାନଙ୍କ ନେତୃତ୍ବରେ ଏକ ଜନ ଆନ୍ଦୋଳନ ଉଛୁଳି ଆସିଥିଲା। କୃଷକମାନେ ବୁଝିବାକୁ ଲାଗିଥିଲେ କି, ତିନି କୃଷି ଆଇନର ପ୍ରତ୍ୟାହାର ଓ ଏମ୍‌.ଏସ୍‌.ପି ନିଶ୍ଚିତ କରାଇବା ଆଦି ଆନ୍ଦୋଳନର ଦାବି ଠିକ୍‌ ଅଛି, ତେବେ ଅସଲ କଥା ହେଉଛି, କର୍ପୋରେଟ୍‌ ସଂସ୍ଥାର ଅର୍ଥ ବ୍ୟବସ୍ଥା କଣ୍ଟା ଯେ ପର୍ଯ୍ୟନ୍ତ ନ ହଟିଛି, କୃଷକଙ୍କ ବେକରୁ ସେ ଯାଏ ଫାଶ ଫିଟିବ ନାହିଁ। ସରକାର ଯଦି ଏହା ଜାଣି ପାରିଥା’ନ୍ତେ ଏବଂ ଅନ୍ଧ ଭକ୍ତମାନେ ଯଦି ତାଙ୍କୁ ଏହା ଦେଖାଇ ପାରିଥା’ନ୍ତେ, ତେବେ ସରକାର ନିଜର ଆଭିମୁଖ୍ୟ ବଦଳାଇ ପାରିଥା’ନ୍ତେ। ମାତ୍ର ସଂସଦ ଭିତରେ ଓ ବାହାରେ ଉପରୁ ତଳ ଯାଏ ମହାମାନ୍ୟମାନେ ଯେପରି ଅଶାଳୀନ, ଅସଭ୍ୟ ଭାଷା ପ୍ରୟୋଗ କଲେ, ତାହା ଆମର ସାର୍ବଜନୀନ ବିମର୍ଶକୁ ରସାତଳରେ ପହଞ୍ଚାଇଦେଲା।

ପ୍ରଧାନମନ୍ତ୍ରୀଙ୍କୁ ଏହି ବାଜି ବହୁତ ମହଙ୍ଗା ସାବ୍ୟସ୍ତ ହୋଇପାରେ, କାରଣ ତାଙ୍କର ଏହି ଘୋଷଣା ସଂପୂର୍ଣ୍ଣ ଆନ୍ଦୋଳନକୁ ଆଣି ନିର୍ବାଚନ ରଣକ୍ଷେତ୍ରରେ ଛିଡ଼ା କରାଇ ଦେଇଛି। ଏବେ କୋଉ ଦଳ ଜିତିବ ତାହା ଫୈସଲା ହେବାର ନାହିଁ, ଆନ୍ଦୋଳନ ଜିତୁଛି ନା ହାରୁଛି; ତାହା ଏବେ ନିର୍ଦ୍ଧାରିତ ହେବ। ଏବେ ଏହା ଦେଶର କୃଷକମାନଙ୍କ ପାଇଁ ଗୌରବର ପ୍ରଶ୍ନ ପାଲଟିଛି। ଏ ପର୍ଯ୍ୟନ୍ତ ନିର୍ବାଚନ ଜିତିବାର ରଣନୀତି ଯେପରି ପ୍ରସ୍ତୁତ ହୋଇ ଆସୁଥିଲା, ତାହା ବୋଧହୁଏ ଏଥର କାମରେ ଆସିବନି। ୧୯୭୭ରେ କଂଗ୍ରେସ ସହିତ ଏପରି ଘଟିଥିଲା, ୨୦୨୨ରେ ମଧ୍ୟ ଏପରି ହୋଇପାରେ। କୃଷକ ଓ ବିରୋଧୀ ଦଳମାନେ ଏହି ସୂକ୍ଷ୍ମ ଯଥାର୍ଥତାକୁ ବୁଝିପାରି ଯଦି ଖେଳ ବଦଳାଇ ଦେବେ, ତେବେ ଲୋକତନ୍ତ୍ର ପ୍ରତି ଏହି ଆନ୍ଦୋଳନର ମହାନ୍‌ ଅବଦାନ ରହିବ। କୃଷକମାନଙ୍କୁ ଘରକୁ ଫେରିଯିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି, ସମ୍ଭବତଃ କୃଷକମାନେ ମଧ୍ୟ ଅନୁରୂପ ଭାବେ ପ୍ରଧାନମନ୍ତ୍ରୀଙ୍କୁ କହିବା ଆବଶ୍ୟକ।

ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଦିଲ୍ଲୀ

ସମ୍ବନ୍ଧିତ ଖବର