ଆମ ସମୟ ଜ୍ଞାନ

ସୁଦୀପ କୁମାର ଘୋଷ

ଏ ଲେଖକର ଏକ ବିଶେଷ ଅନୁଭୂତିରୁ ଏ ଲେଖାଟିର ଆରମ୍ଭ। ମୁଁ ଏକ ବର ପକ୍ଷ ବିବାହ ଭୋଜିକୁ ନିମନ୍ତ୍ରିତ ହୋଇ ନିମନ୍ତ୍ରଣ ପତ୍ରରେ ଉଲ୍ଲିଖିତ ସମୟ ସଂଧ୍ୟା ୭:୩୦ ମିନିଟ୍‌ରେ ନିର୍ଦ୍ଧାରିତ ମଣ୍ଡପ (ନିମନ୍ତ୍ରଣକାରୀଙ୍କ ଘର ନୁହେଁ) ରେ ପହଞ୍ଚିଲି। କିନ୍ତୁ ହାଏ, ଏ କ’ଣ? ସେଠାରେ କେବଳ ସାଜସଜ୍ଜା ଦାୟିତ୍ବରେ ଥିବା ବ୍ୟକ୍ତିମାନଙ୍କ ବ୍ୟତୀତ କାହାରି ଦେଖା ନ ଥିଲା। ବର-କନ୍ୟାଙ୍କ କଥା ତ ଛାଡ଼ନ୍ତୁ। ମୁଁ ଇତସ୍ତତଃ ଦୃଷ୍ଟି ନିକ୍ଷେପ କରୁଥିବା ସମୟରେ ହଠାତ୍ ଜଣେ ବ୍ୟକ୍ତି ଆସି ମତେ ଚଢ଼ା ଗଳାରେ ପ୍ରଶ୍ନ କଲେ- ‘କାହାକୁ ଖୋଜୁଛନ୍ତି?’ ମୁଁ କହିଲି- ‘ଆଜ୍ଞା ମୁଁ ନିମନ୍ତ୍ରିତ ଅତିଥି।’

ସେ ଅତି ଆଶ୍ଚର୍ଯ୍ୟ ହୋଇ ପଚାରିଲେ- ‘ଆପଣ ଏତେ ଜଲ୍‌ଦି?’

ମୁଁ ବଡ଼ ଅସ୍ବସ୍ତି ବୋଧ କଲି ଏବଂ ମନେ ମନେ ଚିନ୍ତା କଲି ଯଦି ନିମନ୍ତ୍ରଣ ପତ୍ରରେ ସଂଧ୍ୟା ୭ଟା୩୦ ଠାରୁ ଆସି ପହଞ୍ଚିବାକୁ ଲେଖା ହୋଇଛି, ତାହା ତ ଜଲ୍‌ଦି ନୁହେଁ! ଅନ୍ୟ କେହି ହୁଏ’ତ ତା’ ପରେ ଆସିପାରନ୍ତି। କିନ୍ତୁ ମୁଁ ଯଦି ଠିକ୍ ସମୟରେ ପହଞ୍ଚିଲି, ସେଟା କ’ଣ ମୋର ଭୁଲ୍‌?

ମୁଁ ଦୃଢ଼ ନିଶ୍ଚିତ ଆପଣମାନଙ୍କ ମଧ୍ୟରୁ ଅଧିକାଂଶ କେବେ ନା କେବେ ଏହି ଭଳି ପରିସ୍ଥିତିର ସାମ୍‌ନା କରିଥିବେ। କେବଳ ବିବାହ ଭୋଜି ନୁହେଁ, ସଭା ସମିତି, ସାକ୍ଷାତ୍‌କାର, ସାଂସ୍କୃତିକ କାର୍ଯ୍ୟକ୍ରମରେ ଏଭଳି ଅନୁଭୂତି ଏକ ସାଧାରଣ କଥା।

ଆହୁରି ଆପଣ ଲକ୍ଷ୍ୟ କରିଥିବେ ଯେ କୌଣସି ସ୍କୁଲ୍‌ କିମ୍ବା କଲେଜ୍‌ର ବାର୍ଷିକ ଉତ୍ସବରେ ପିଲାମାନେ ଓ ଅଭିଭାବକମାନଙ୍କୁ ତାଗିଦ୍ କରି ଠିକଣା ସମୟରେ ଏକତ୍ର କରାଯାଉଥିଲେ ମଧ୍ୟ ମଞ୍ଚାସୀନ ହେବାକୁ ଥିବା ଅତିଥିମାନଙ୍କର ବିଳମ୍ବ ହେତୁ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟ ଠାରୁ ବହୁ ବିଳମ୍ବରେ ଆରମ୍ଭ ହୋଇଥାଏ, ଏପରି କି ତିନି ଚାରି ଘଣ୍ଟା ବିଳମ୍ବ ଘଟିଥାଏ। ଏଭଳି ବିଳମ୍ବ ଯୋଗୁଁ ସ୍କୁଲ୍‌ର କୁନି କୁନି ପିଲାମାନେ ବ୍ୟତିବ୍ୟସ୍ତ ହୋଇପଡ଼ନ୍ତି। ଅନେକ ସମୟରେ ଭୋକରେ ଆଉଟୁପାଉଟୁ ହୋଇ ଘରେ ପହଞ୍ଚନ୍ତି। ଥରେ ଥରେ ଗଣମାଧ୍ୟମରେ ପ୍ରକାଶିତ ହୁଏ କେମିତି ମୁଖ୍ୟ ଅତିଥିଙ୍କୁ ସ୍ବାଗତ କରିବା ଲାଗି ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ରହିଥିବା ପିଲାମା‌େନେ ମୂର୍ଚ୍ଛା ହୋଇଯାଆନ୍ତି।
ଆପଣ ଚିନ୍ତା କରନ୍ତୁ। ଆପଣ ଏକ କାର୍ଯ୍ୟକ୍ରମରେ ନିର୍ଦ୍ଧାରିତ ସମୟରେ ପହଞ୍ଚୁ ନାହାନ୍ତି। ତା’ ଦ୍ବାରା ଆପଣଙ୍କୁ ଅପେକ୍ଷା କରି ରହିଥିବା ସମସ୍ତଙ୍କର ନିଜ ନିଜ ପରବର୍ତ୍ତୀ କାର୍ଯ୍ୟ ବିଳମ୍ବିତ ହୋଇ ଧାରା ବିଗିଡ଼ି ଯାଏ ନାହିଁ କି? ଆମ ସମସ୍ତଙ୍କର ପ୍ରତିଟି କାମ କଡ଼ିକୁ କଡ଼ି ଯୋଡ଼ା ହୋଇ ଏକ ଶୃଙ୍ଖଳ ଭଳି ରହିଥାଏ। ପୁଣି ଆମ ସହିତ ଅନେକ ଲୋକ ବିଭିନ୍ନ ସଂଦର୍ଭରେ ଯୋଡ଼ି ହୋଇ ରହିଥାଆନ୍ତି। ତେଣୁ ଥରେ ବିଚାର କଲେ ବୁଝାପଡ଼ିବ ଯେ ଜଣଙ୍କର ବିଳମ୍ବ ଭଳି ଦିଶୁଥିବା ଘଟଣାରେ କେଉଁଠି ନା କେଉଁଠି ଦେଶ ପଛେଇ ଯାଏ। ତା’ର ଅଗ୍ରଗତି ବାଧା ପାଏ। ଆମେ ଆମର କାର୍ଯ୍ୟ ନିର୍ଦ୍ଧାରିତ ସମୟରେ କରିବା ନାହିଁ, କିନ୍ତୁ ଦେଶ ନିର୍ଦ୍ଧାରିତ ସମୟରେ ଆଗକୁ ଯିବ, ଏହା କ’ଣ ସମ୍ଭବ?

କୁହାଯାଏ ଇଂରେଜମାନଙ୍କର ସବୁଠୁ ବଡ଼ ଶକ୍ତି ଥିଲା ସେମାନଙ୍କ ସମୟାନୁବର୍ତ୍ତିତା। ତେଣୁ ସେମାନେ ସମୟ ବିଷୟରେ ବୀତସ୍ପୃହ ଭାରତୀୟମାନଙ୍କୁ ଦୁଇ ଶହ ବର୍ଷ ଧରି ଶାସନ କଲେ ଏବଂ ମହାତ୍ମା ଗାନ୍ଧୀ ତାଙ୍କର ସମୟାନୁବର୍ତ୍ତିତା‌ ଯୋଗୁଁ ସେମାନଙ୍କର ଉଚିତ ମୁକାବିଲା କରି ପାରିଲେ। ମହାତ୍ମା ଗାନ୍ଧୀ ତାଙ୍କର ଅଣ୍ଟାରେ ସବୁ ବେଳେ ଏକ ଘଣ୍ଟା ଝୁଲାଇ ରଖୁଥିବା କଥା ଆମେ ସମସ୍ତେ ଜାଣୁ। ସେ କାଳରେ ପାଖରେ ଘଡ଼ି ରଖିବାର ପ୍ରଥା ବା‌ ଅଭ୍ୟାସ ନ ଥିଲା, କିନ୍ତୁ ଗାନ୍ଧୀ ସମୟାନୁବର୍ତ୍ତୀ ହେବା ଲାଗି ତାହା କରୁଥିଲେ।
ତେଣୁ ଆମେ ସମସ୍ତେ କୌଣସି ସ୍ଥାନରେ ନିର୍ଦ୍ଧାରିତ ସମୟରେ ପହଞ୍ଚିବାକୁ ଏକ ଅଭ୍ୟାସରେ ପରିଣତ କରିବା ଉଚିତ ଏବଂ ଏହା ଯେ ଏକ ଅସାଧାରଣ ଅଭ୍ୟାସ ନୁହେଁ, ଏହାକୁ ମଧ୍ୟ ପ୍ରମାଣ କରି ଦେଖାଇ ଦେବା ଉଚିତ। ଆମେ ଆମର ପିଲାମାନଙ୍କୁ ଏଥିପାଇଁ ଉତ୍ସାହିତ, ସଚେତନ ଏବଂ ଦରକାର ପଡ଼ିଲେ ତାଗିଦ କରିବା ଉଚିତ। ଯଦି କୌଣସି କାରଣରୁ କେହି ଜଣେ କୌଣସି ଏକ ସଭା ସମିତିରେ ନିର୍ଦ୍ଧାରିତ ସମୟରେ ପହଞ୍ଚି ପାରୁ ନ ଥାଆନ୍ତି, ତେବେ ସେ ତାହା ଜଣାଇ ସଭା ବା‌ କା‌ର୍ଯ୍ୟକ୍ରମକୁ ଉଚିତ ସମୟରେ ଆରମ୍ଭ କରି ଆଗେଇ ନେବାକୁ ପରାମର୍ଶ ଦେବା ଜରୁରୀ। ଏବଂ ଏଭଳି ସ୍ଥଳେ ଏମିତି ପରାମର୍ଶ ନ ମିଳିଲେ ବି ଯଦି ଉଦ୍ୟୋକ୍ତାମାନେ ସଭାଟିକୁ ଠିକଣା ସମୟରେ ଆରମ୍ଭ କରିଦିଅନ୍ତି, ତେବେ ଏଥିପାଇଁ ସେମାନଙ୍କୁ ପ୍ରଶଂସା କରାଯିବା ଉଚିତ। ନିଜର ବିଳମ୍ବ ହେତୁ ସଭା ବିଳମ୍ବିତ ହେବାକୁ ଏକ ଦର୍ପର ଚିହ୍ନ ବା ନିଜ ଅନୁପସ୍ଥିତିରେ ସଭା ଆରମ୍ଭ ହେବାକୁ ଏକ ମର୍ଯ୍ୟାଦାର ପ୍ରଶ୍ନ ରୂପେ ବିଚାର କରିବା ଉଚିତ ନୁହେଁ। ସମୟାନୁବର୍ତ୍ତିତା ଏକ କର୍ମ ସଂସ୍କୃତିରେ ପରିଣତ ହେଉ। ସମୟ ଜ୍ଞାନର ଅଭାବ ହେଉଛି ସମୟ ପ୍ରତି ଅସମ୍ମାନ ଯାହାକୁ ଏକ ବୋଝ ଭଳି ବିଚାର କରାଯାଉ।

ଏକ ଲଘୁ ମନ୍ତବ୍ୟ ଦେଇ ଆଲେଖ୍ୟଟି ଶେଷ କରିବା। ଥରେ ଜଣେ ମନ୍ତ୍ରୀ ଏକ ସ୍କୁଲ୍‌ର ବାର୍ଷିକ ଉତ୍ସବରେ ନିର୍ଦ୍ଧାରିତ ସମୟରେ ପହଞ୍ଚିବାକୁ ଇଚ୍ଛା କରନ୍ତେ, ତାଙ୍କର ବିଚକ୍ଷଣ ବ୍ୟକ୍ତିଗତ ସହାୟକ କହିଲେ- ‘ସାର୍ ଆପଣ ଯଦି ସମୟରେ ଯାଇ ପହଞ୍ଚିବେ, ସମସ୍ତେ ଭାବିବେ ଆପଣ ଜଣେ ମନ୍ତ୍ରୀ ହୋଇ ଏକ ସାମାନ୍ୟ ସ୍କୁଲ୍‌ର ବାର୍ଷିକ ଉତ୍ସବକୁ ଠିକ ସମୟରେ ଚାଲି ଆସିବାର ଅର୍ଥ ଆପଣ ଦେଶ ଗଠନ ପାଇଁ ଜରୁରୀ କାମକୁ ଗୁରୁତ୍ବ ଦେଉ ନାହାନ୍ତି। ତେଣୁ ଆପଣ ଯେତେ ବିଳମ୍ବରେ ଯିବେ ଆପଣଙ୍କ ଓଜନ ସେତିକି ବଢ଼ିବ। କିନ୍ତୁ ପ୍ରକୃତରେ ଏହାର ଓଲଟାଟି ସତ୍ୟ। ସମୟ ରକ୍ଷା କରିବାର ଅଭ୍ୟାସ ଆମ ମର୍ଯ୍ୟାଦା ବୃଦ୍ଧି କରିବା ଉଚିତ। ଆମେ ସମସ୍ତେ ଚାହିଁଲେ ସବୁ ସ୍ଥାନରେ ଠିକଣା ସମୟରେ ପହଞ୍ଚି ପାରିବା ଏବଂ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରି ପାରିବା। ଏହା ଏକ ସାର୍ବଜନୀନ ଅଭ୍ୟାସରେ ପରିଣତ ହେଲେ ଆମେ ଦେଖିବା ଯେ ଆମ ଦେଶ ବିପୁଳ ଅଗ୍ରଗତି କରିବ।

ମୋ- ୭୦୭୭୨୫୦୫୬୬

ସମ୍ବନ୍ଧିତ ଖବର