କିଛି ଦିନ ତଳେ ଆମେ କେତେ ଜଣ ବନ୍ଧୁ ଜୁମ୍ ଭର୍ଚୁଆଲ୍ ମିଟିଙ୍ଗ୍ ଜରିଆରେ କଥାବାର୍ତ୍ତା ହେଉଥିଲୁ। ଟି-୨୦ ବିଶ୍ବ କପ୍ରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଠାରୁ ଆରମ୍ଭ କରି କୃଷି ଆଇନ ପ୍ରତ୍ୟାହାର, ପଞ୍ଜାବ ଓ ଉତ୍ତର ପ୍ରଦେଶର ସରଗରମ ରାଜନୀତି ଇତ୍ୟାଦି ବିଭିନ୍ନ ବିଷୟରେ ବନ୍ଧୁମାନେ ଆଲୋଚନା କରୁଥିଲେ। ଏହି ସମୟରେ ଜଣେ ବନ୍ଧୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି କହିଲେ ଯେ ସେ ଛଅ ମାସ ତଳେ ବିଟ୍ କଏନ୍ ନାମକ କ୍ରିପ୍ଟୋ କରେନ୍ସିରେ ପୁଞ୍ଜିନିବେଶ କରିଥିଲେ। ଇତି ମଧୢରେ ତାଙ୍କ ପୁଞ୍ଜିର ମାର୍କେଟ୍ ମୂଲ୍ୟ ଷାଠିଏ ପ୍ରତିଶତ ବୃଦ୍ଧି ପାଇଛି। ମ୍ୟୁଚୁଆଲ୍ ଫଣ୍ତ୍ରେ ଥିବା ପୁଞ୍ଜିକୁ ପ୍ରତ୍ୟାହାର କରି କ୍ରିପ୍ଟୋ କରେନ୍ସିରେ ନିବେଶ କରିବେ ବୋଲି ସେ ମନସ୍ଥ କରିଛନ୍ତି। ବନ୍ଧୁମାନେ ଏହି ଅଭିନବ କ୍ରିପ୍ଟୋ କରେନ୍ସି ସମ୍ପର୍କରେ ଆଲୋଚନା କରିବାକୁ ଆଗ୍ରହ ପ୍ରକାଶ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଗଣମାଧ୍ୟମରେ ପ୍ରକାଶିତ ତଥ୍ୟାନୁସାରେ ଭାରତରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ଦଶ କୋଟି ପୁଞ୍ଜିନିବେଶକାରୀ କ୍ରିପ୍ଟୋ କରେନ୍ସି ଅର୍ଥାତ୍ ଡିଜିଟାଲ ମୁଦ୍ରାରେ ପୁଞ୍ଜିଲଗାଣ କରିଛନ୍ତି, ଯାହାର ମାର୍କେଟ୍ ମୂଲ୍ୟ ଆଠ ଲକ୍ଷ କୋଟି ଟଙ୍କା ହେବ। ଗୋଟିଏ ବିଟ୍ କଏନ୍ ମୂଲ୍ୟ ଦଶ ବର୍ଷ ତଳେ ଅର୍ଥାତ୍ ୨୦୧୧ ମସିହାରେ ଏକ ଡଲାର୍ ଥିଲା ବେଳେ ଚଳିତ ବର୍ଷ ନଭେମ୍ବର ମାସରେ ଏହାର ମୂଲ୍ୟ ୬୭ ହଜାର ଡଲାର୍ରେ ପହଞ୍ଚିଥିଲା। ତେଣୁ ଭାରତୀୟ ମୁଦ୍ରା ହିସାବରେ ଗୋଟିଏ ବିଟ୍ କଏନ୍ର ମୂଲ୍ୟ ପ୍ରାୟ ପଚାଶ ଲକ୍ଷ ଟଙ୍କା। ବିଟ୍ କଏନ୍ ଭଳି ଅନ୍ୟାନ୍ୟ କ୍ରିପ୍ଟୋ କରେନ୍ସିମାନଙ୍କ ମୂଲ୍ୟ ମଧୢ ଆଶାତୀତ ଭାବରେ ବୃଦ୍ଧି ପାଇଛି। ୧୯ ଡିସେମ୍ବର ୨୦୧୭ ତାରିଖ ଦିନ ‘ଅଦୃଶ୍ୟ ମୁଦ୍ରା ରାକ୍ଷସ’ ଶୀର୍ଷକ ମୋର ଲେଖା ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିଲା, ଯେଉଁଥିରେ କ୍ରିପ୍ଟୋ କରେନ୍ସିର କାର୍ଯ୍ୟ ପଦ୍ଧତି ତଥା ସ˚ଶ୍ଳିଷ୍ଟ ରିସ୍କ୍ ବା ସମ୍ଭାବ୍ୟ ବିପଦ ଉପରେ ଆଲୋଚନା କରାଯାଇଥିଲା। ବର୍ତ୍ତମାନ ବିଶ୍ବ ଅର୍ଥନୀତିରେ ହଇଚଇ ସୃଷ୍ଟି କରିଥିବା ଡିଜିଟାଲ ମୁଦ୍ରାର ସୁଯୋଗ, ସମସ୍ୟା ଓ ସମ୍ଭାବ୍ୟ ସରକାରୀ ସ˚ସ୍କାର ପରିପ୍ରେକ୍ଷୀରେ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ପ୍ରାସଙ୍ଗିକ ହେବ।
କ୍ରିପ୍ଟୋ କରେନ୍ସି ପ୍ରଚଳନ ହେବା ବାର ବର୍ଷ ହୋଇଗଲାଣି। ଜଟିଳ ଗାଣିତିକ ଫର୍ମୁଲା ଓ ସଫ୍ଟ୍ୱେର୍ ସାହାଯ୍ୟରେ ଡିଜିଟାଲ ମୁଦ୍ରାର ପରିମାଣ ନିର୍ଦ୍ଧାରିତ କରାଯାଇ ଏହାକୁ ସୃଷ୍ଟି କରା ଯାଇଥାଏ। ଏହି ପ୍ରକ୍ରିୟାକୁ ‘ମାଇନି˚’ କୁହାଯାଇଥାଏ। ଏହି ମୁଦ୍ରାର ୟୁନିଟ୍କୁ ‘ଟୋକନ୍’ କୁହାଯାଇଥାଏ। କ୍ରିପ୍ଟୋ କାରବାରର ମୁଖ୍ୟ ଆଧାର ହେଉଛି ‘ବ୍ଲକ୍ ଚେନ୍’। ଏହି ସଫ୍ଟ୍ୱେର୍ ଟେକ୍ନୋଲୋଜି ଦ୍ବାରା ବିଶ୍ବବ୍ୟାପୀ ସମସ୍ତ କାରବାରକୁ ଅତ୍ୟନ୍ତ ଗୋପନୀୟ ଓ ସୁରକ୍ଷିତ ଭାବରେ ସ˚ରକ୍ଷଣ କରାଯାଇଥାଏ। ପ୍ରତିଟି କାରବାରକୁ ପୁଙ୍ଖାନୁପୁଙ୍ଖ ଭାବରେ ଯାଞ୍ଚ କରାଯାଇଥାଏ। ଡିଜିଟାଲ ମୁଦ୍ରା ବଜାରରେ ବିଟ୍ କଏନ୍ ସବୁଠାରୁ ପୁରୁଣା ଓ ଏହାର ମାର୍କେଟ୍ ସେୟାର୍ ଅନ୍ୟାନ୍ୟ ମୁଦ୍ରା ତୁଳନାରେ ଅଧିକ। ଆଉ କେତୋଟି ନାମକରା ଡିଜିଟାଲ ମୁଦ୍ରାଗୁଡ଼ିକ ହେଲା: ଇଥରିୟମ୍, ବାଇନ୍ନାସ୍, ଟିଥର, କାର୍ଡାନୋ ଇତ୍ୟାଦି। କ୍ରିପ୍ଟୋ କରେନ୍ସି ଗୁଡ଼ିକର ମୂଲ୍ୟାୟନ ପଦ୍ଧତି ଅତ୍ୟନ୍ତ ଗୋପନୀୟ। ତଥ୍ୟ ଅଭାବରୁ ଅର୍ଥଶାସ୍ତ୍ରୀମାନେ ମଧୢ ଏ ସମ୍ପର୍କରେ ବ୍ୟାଖ୍ୟା କରିବାକୁ ସମର୍ଥ ନୁହନ୍ତି। ବିଶ୍ବର ଅଧିକା˚ଶ ଦେଶ ଏଥିପାଇଁ ଆବଶ୍ୟକ ନୀତି ନିୟମ ଲାଗୁ କରିନାହାନ୍ତି। କେବଳ ପାଞ୍ଚଟି ଦେଶକୁ ଛାଡ଼ି ଦେଲେ କୌଣସି ଦେଶ ଏହାକୁ ବେଆଇନ ମଧୢ ଘୋଷଣା କରି ନାହାନ୍ତି। ଏହି ପାଞ୍ଚଟି ଦେଶ ହେଲା: ଚୀନ୍, ଇଣ୍ତୋନେସିଆ, ବଲିଭିଆ, ତୁର୍କୀ ଓ ଇଜିପ୍ଟ। ଫଳତଃ କେତେଜଣ ବ୍ୟକ୍ତି ବିଶେଷ ଓ କେତୋଟି ଘରୋଇ କମ୍ପାନିଙ୍କ ଜରିଆରେ ଏହି କାରବାର ଅନିୟନ୍ତ୍ରିତ ଭାବରେ ଚାଲୁଛି। ଏକ ସମାନ୍ତରାଳ କିନ୍ତୁ ଲଗାମ ଛଡ଼ା ମୁଦ୍ରା ବଜାର ସୃଷ୍ଟି ହୋଇଛି। ଯଦିଓ ପ୍ରଥମାବସ୍ଥାରେ ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ, ୟୁରୋପୀୟ ୟୁନିୟନ୍ରେ କ୍ରିପ୍ଟୋ କାରବାର ହେଉଥିଲା, ପରବର୍ତ୍ତୀ ସମୟରେ ଏହା ଅନ୍ୟାନ୍ୟ ଦେଶମାନଙ୍କୁ ବ୍ୟାପିଥିଲା। ଭାରତ ଏହାର ଏକ ଉଦାହରଣ, ଯେଉଁଠି ବର୍ତ୍ତମାନ ସର୍ବାଧିକ କ୍ରିପ୍ଟୋ ଆକାଉଣ୍ଟ୍ଧାରୀ ଅଛନ୍ତି, ଯେଉଁମାନଙ୍କ ମଧୢରୁ ଅଧିକା˚ଶ ଯୁବ ଗୋଷ୍ଠୀ। କଏନ୍ ଡିସିଏକ୍ସ, ଵାଜିର ଏକ୍ସ, କଏନ୍ ସୁଇଚ୍ ଭଳି ମୋବାଇଲ ଆପ୍ ଦ୍ବାରା ସେମାନେ କ୍ରିପ୍ଟୋ କାରବାର କରିବାକୁ ସମର୍ଥ ହେଉଛନ୍ତି। କେତେକ ନାମକରା ବଲିଉଡ଼୍ ତାରକା ଆକର୍ଷଣୀୟ ବିଜ୍ଞାପନ ଜରିଆରେ ସେମାନଙ୍କୁ ପ୍ରଭାବିତ କରିବାକୁ ପ୍ରୟାସ କରୁଛନ୍ତି। ପୁଞ୍ଜି ନିବେଶ ପାଇଁ ଏକ ଅଭିନବ ସଟ୍ଟା ବଜାର ସୃଷ୍ଟି ହୋଇଛି। ଅନେକ ଷ୍ଟାର୍ଟ ଅପ୍ କମ୍ପାନିରେ ଏହି ମୁଦ୍ରା ଜରିଆରେ ପୁଞ୍ଜିଲଗାଣ ହେଉଛି। ପାଶ୍ଚାତ୍ୟ ଦେଶଗୁଡ଼ିକରେ କେତେକ କମ୍ପାନି ସାମଗ୍ରୀ ଓ ସେବା ବିକାକିଣା କ୍ଷେତ୍ରରେ ଏହି ମୁଦ୍ରାକୁ ସ୍ବୀକାର କରିବାକୁ ପ୍ରସ୍ତୁତ ହେଲେଣି, ଯଦିଓ ଏହାର ମାତ୍ରା ଯଥେଷ୍ଟ କମ୍।
ପ୍ରଶ୍ନ ଉଠେ ବିଶ୍ବ ଅର୍ଥନୀତିର ବାସ୍ତବ ସ୍ଥିତି ସହିତ ତାଳ ଖାଉ ନ ଥିବା ଘରୋଇ ଡିଜିଟାଲ୍ କରେନ୍ସି କେତେ ଦୂର ଗ୍ରହଣଯୋଗ୍ୟ? ସରକାର ତଥା କେନ୍ଦ୍ରୀୟ ବ୍ୟାଙ୍କ୍ର ନିୟନ୍ତ୍ରଣ ନ ଥିବା ଏହି ସମାନ୍ତରାଳ ମୁଦ୍ରା ମାର୍କେଟ୍ ପ୍ରବଞ୍ଚନାତ୍ମକ ନୁହେଁ ତ? ଏହା ଚିଟ୍ଫଣ୍ତ୍ ଭଳି ଯୋଜନାର ବର୍ଦ୍ଧିତ ଓ ଆଧୁନିକ ରୂପରେଖ ନୁହେଁ ତ? ଏଭଳି ଘରୋଇ ଡିଜିଟାଲ ମୁଦ୍ରା ପ୍ରଚଳନ ଦ୍ବାରା କଳାଧନ ସୃଷ୍ଟି ହେବା ସହିତ ସନ୍ତ୍ରାସବାଦ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଣର ସମ୍ଭାବନାକୁ କ’ଣ ଏଡ଼ାଇ ଦିଆଯାଇପାରିବ? ଏହି ମୁଦ୍ରାରେ ପୁଞ୍ଜିନିବେଶ ଜନିତ ଲାଭା˚ଶ ଉପରେ ଆୟକର ସ˚କ୍ରାନ୍ତ ବିଧିବଦ୍ଧ ନିୟମ ନ ଥିବାରୁ, ଏହା କ’ଣ ଟିକସ ଫାଙ୍କିରେ ସାହାଯ୍ୟ କରିବ ନାହିଁ? ଏହିସବୁ ପ୍ରଶ୍ନକୁ ଭାରତୀୟ ଅର୍ଥନୀତି ପରିପ୍ରେକ୍ଷୀରେ ତର୍ଜମା କରିବା ଉଚିତ ହେବ।
କ୍ରିପ୍ଟୋ କରେନ୍ସି ପାରମ୍ପରିକ ଭାରତୀୟ ମୁଦ୍ରା ଭଳି ବିଧିଗ୍ରାହୀ ମୁଦ୍ରା ନୁହେଁ, ଯାହାକୁ ଇ˚ରେଜୀରେ ‘ଲିଗାଲ ଟେଣ୍ତର ମନି’ କିମ୍ବା ‘ଫିଆଟ୍ ମନି’ କୁହାଯାଇଥାଏ। ଭାରତ ସରକାର ବେଳ ଥାଉଁ ଥାଉଁ ଏହି ସମାନ୍ତରାଳ ମୁଦ୍ରା ମାର୍କେଟ୍କୁ ବେଆଇନ ଘୋଷଣା କରିବା ଉଚିତ ହୋଇଥା’ନ୍ତା। ଅତୀତରେ ଭାରତର ସେୟାର ମାର୍କେଟ୍ରେ ଉଚିତ ନିୟନ୍ତ୍ରଣ ଅଭାବରୁ ବଡ଼ ବଡ଼ ଘୋଟାଲା ହୋଇଥିଲା। କ୍ରିପ୍ଟୋ ସଟ୍ଟା ବଜାର ଯେଉଁଭଳି ଆକାଶଛୁଆଁ ଭାବରେ ବଢ଼ି ଚାଲିଛି, ଭବିଷ୍ୟତ୍ରେ ବଡ଼ ଘୋଟାଲାର ସମ୍ଭାବନା ମଧୢ ବୃଦ୍ଧି ପାଇବାରେ ଲାଗିଛି। କଳାଧନ ବୈଧ କରିବା ଉଦ୍ୟମ (ମନି ଲଣ୍ତରିଙ୍ଗ), ହାଵାଲା କାରବାର ତଥା ଟିକସ ଫାଙ୍କି ଭାରତ ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍। ଅତ୍ୟନ୍ତ ଗୋପନୀୟ ଓ ଅନିୟନ୍ତ୍ରିତ କ୍ରିପ୍ଟୋ କାରବାର ଦ୍ବାରା ଏଭଳି ବେଆଇନ କାରବାର ପ୍ରୋତ୍ସାହିତ ହେବାର ଯଥେଷ୍ଟ ଆଶଙ୍କା ଅଛି। ପୁନଶ୍ଚ ଏହି କାରବାର କ୍ଷେତ୍ରରେ କୌଣସି ଭୌଗୋଳିକ ବାଧା ବିଘ୍ନ ନ ଥିବାରୁ, ଏହା ସନ୍ତ୍ରାସବାଦ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଇବାରେ ସାହାଯ୍ୟ କରିପାରେ।
୨୦୧୩ ମସିହାରେ ରିଜର୍ଭ ବ୍ୟାଙ୍କ୍ ଏକ ଇସ୍ତାହାର ଜାରି କରି କ୍ରିପ୍ଟୋ ମୁଦ୍ରା ସଟ୍ଟା କାରବାର ବୋଲି କହିଥିଲେ ଏବ˚ ସୂଚନା ଦେଇଥିଲେ ଯେ ଏହା ବ୍ୟାଙ୍କ୍ର ନିୟନ୍ତ୍ରଣାଧୀନ ନୁହେଁ। ୨୦୧୭ ଅକ୍ଟୋବର ମାସରେ ସୁପ୍ରିମ୍କୋର୍ଟରେ ଗୋଟିଏ ଜନସ୍ବାର୍ଥ ଯାଚିକା ଦାଖଲ କରାଯାଇ କ୍ରିପ୍ଟୋ କାରବାରକୁ ଭାରତରେ ବେଆଇନ ଘୋଷଣା କରିବାକୁ ଆବେଦନ ହୋଇଥିଲା। ଡିଜିଟାଲ ମୁଦ୍ରା କାରବାର ସ˚କ୍ରାନ୍ତ ସମସ୍ୟାକୁ ସମୀକ୍ଷା କରିବା ସହିତ ଆବଶ୍ୟକ ପଦକ୍ଷେପ ନିର୍ଦ୍ଧାରଣ କରିବା ପାଇଁ କେନ୍ଦ୍ର ସରକାର ତୁରନ୍ତ ଏକ କମିଟି ଗଠନ କରିଥିଲେ। ଡିସେମ୍ବର ମାସରେ ଅର୍ଥ ମନ୍ତ୍ରାଳୟ ଓ ରିଜର୍ଭ ବ୍ୟାଙ୍କ୍ ପ୍ରେସ୍ ଇସ୍ତାହାର ଜରିଆରେ କ୍ରିପ୍ଟୋ କରେନ୍ସି କାରବାରକୁ ‘ପୋନ୍ଜି ଯୋଜନା’ ସହିତ ତୁଳନା କରିଥିଲେ। ‘ପୋନ୍ଜି ଯୋଜନା’ରେ ପ୍ରାରମ୍ଭିକ ନିବେଶକାରୀଙ୍କୁ ପରବର୍ତ୍ତୀ ନିବେଶକାରୀଙ୍କ ପୁଞ୍ଜିକୁ ବ୍ୟବହାର କରି ଆକର୍ଷଣୀୟ ମୁନାଫା ମିଳିଥାଏ। କିଛି ବର୍ଷ ଧରି ଏପରି କାରବାର ଭଲରେ ଚାଲିଥାଏ। ମାତ୍ର ଏହା ଦୀର୍ଘସୂତ୍ରୀ ଭିତ୍ତିରେ ଧାରଣୀୟ ନୁହେଁ। ବାସ୍ତବ ସ୍ଥିତିର ପର୍ଦାଫାସ୍ ହେଲା ବେଳକୁ ପୁଞ୍ଜିନିବେଶକାରୀମାନେ ତଳିତଳାନ୍ତ ହୋଇସାରିଥା‘ନ୍ତି। ଯଦିଓ ଅର୍ଥ ମନ୍ତ୍ରାଳୟ ଓ ରିଜର୍ଭ ବ୍ୟାଙ୍କ୍ କ୍ରିପ୍ଟୋ କାରବାର ଅବାଞ୍ଛନୀୟ ବୋଲି ଚେତାଇ ଦେଇଥିଲେ, ଏହାକୁ ପ୍ରତିହତ କରିବା ପାଇଁ କୌଣସି ଆଇନଗତ ପଦକ୍ଷେପ ନେଇ ନ ଥିଲେ।
ଏପ୍ରିଲ ୬, ୨୦୧୮ ତାରିଖ ଦିନ ରିଜର୍ଭ ବ୍ୟାଙ୍କ୍ ଏକ ସର୍କୁଲାର୍ ଜାରି କରି ବ୍ୟାବସାୟିକ ବ୍ୟାଙ୍କ୍, ବିତ୍ତୀୟ ସ˚ସ୍ଥା, କୋଅପରେଟିଭ୍ ବ୍ୟାଙ୍କ୍ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ସେମାନେ କ୍ରିପ୍ଟୋ ମୁଦ୍ରା ବିକାକିଣା ସହିତ ସ˚ଶ୍ଳିଷ୍ଟ ସ˚ସ୍ଥା(ଏକ୍ସଚେଞ୍ଜ)ଗୁଡ଼ିକୁ ବ୍ୟାଙ୍କ୍ ସେବା ଯୋଗାଇ ପାରିବେ ନାହିଁ। ଫଳତଃ ଭାରତରେ କ୍ରିପ୍ଟୋ କାରବାର ବନ୍ଦ ହୋଇଯାଇଥିଲା। ପୁଞ୍ଜି ନିବେଶକାରୀମାନେ ପ୍ରଥମେ ନିଜ ବ୍ୟାଙ୍କ୍ ଆକାଉଣ୍ଟ୍ରୁ ପାରମ୍ପରିକ ମୁଦ୍ରା ବିନିମୟରେ ଡିଜିଟାଲ ମୁଦ୍ରା କିଣିଥା’ନ୍ତି। ଡିଜିଟାଲ ମୁଦ୍ରା ବିକ୍ରି ହେବା ପରେ, ବିକ୍ରୟ ରାଶି ପୁଣିଥରେ ପାରମ୍ପରିକ ମୁଦ୍ରାରେ ରୂପାନ୍ତରିତ ହୋଇ ବ୍ୟାଙ୍କ୍ ଆକାଉଣ୍ଟ୍ରେ ଜମା ହୋଇଥାଏ। ପାରମ୍ପରିକ ବ୍ୟାଙ୍କ୍ ସେବା ବିନା କ୍ରିପ୍ଟୋ କରେନ୍ସି କିଣାବିକା ସମ୍ଭବ ନୁହେଁ। ରିଜର୍ଭ ବ୍ୟାଙ୍କ୍ ନିଷ୍ପତ୍ତିରେ ବିଚଳିତ ହୋଇ କ୍ରିପ୍ଟୋ ଏକ୍ସଚେଞ୍ଜମାନେ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମ୍ କୋର୍ଟରେ ଅପିଲ କରିଥିଲେ। ଦୀର୍ଘ ଶୁଣାଣି ପରେ ମାର୍ଚ୍ଚ ୪, ୨୦୨୦ ଦିନ ସୁପ୍ରିମ୍ କୋର୍ଟ ନିଷ୍ପତ୍ତି ଶୁଣାଇଥିଲେ ଯେ କ୍ରିପ୍ଟୋ କରେନ୍ସି କାରବାର ଅନିୟନ୍ତ୍ରିତ ହେଲେ ହେଁ ଏହା ବେଆଇନ ନୁହେଁ। ଏହି ନିଷ୍ପତ୍ତି ପରେ ଭାରତରେ କ୍ରିପ୍ଟୋ କାରବାର ପୁନର୍ବାର ଦ୍ରୁତ ଗତିରେ ବୃଦ୍ଧି ପାଇବାକୁ ଆରମ୍ଭ କରିଥିଲା। ବିଟ୍ କଏନ୍ ମୂଲ୍ୟ ଏପ୍ରିଲ ୨୦୨୦ରୁ ଫେବ୍ରୁଆରି ୨୦୨୧ ମଧୢରେ ୭୦୦% ବୃଦ୍ଧି ପାଇଥିଲା। ଯାହା ହେଉ, ବିଳମ୍ବରେ ହେଉ ପଛେ କେନ୍ଦ୍ର ସରକାର ଡିଜିଟାଲ ମୁଦ୍ରା କାରବାର ପାଇଁ ଏକ ନୂଆ ବିଲ୍ ଆଗତ କରିବାର ନିଷ୍ପତ୍ତି ନେଇଛନ୍ତି, ଯାହା ପାର୍ଲିଆମେଣ୍ଟ୍ର ଏହି ଶୀତକାଳୀନ ଅଧିବେଶନରେ ଆଗତ ହୋଇପାରେ। ବିଲ୍ର ନାଁ ହେଉଛି ‘କ୍ରିପ୍ଟୋ କରେନ୍ସି ଏଣ୍ତ ରେଗୁଲେସନ ଅଫ୍ ଅଫିସିଆଲ୍ ଡିଜିଟାଲ କରେନ୍ସି ବିଲ୍, ୨୦୨୧’।
ନୂଆ ବିଲ୍ରେ ଦୁଇଟି ମୁଖ୍ୟ ମୂଳ ତତ୍ତ୍ବ ଉପରେ ବ୍ୟବସ୍ଥା ରହିବ ବୋଲି ଆଶା କରାଯାଉଛି। ପ୍ରଥମଟି ହେଉଛି ବର୍ତ୍ତମାନ ପ୍ରଚଳନ ହେଉଥିବା କ୍ରିପ୍ଟୋ କରେନ୍ସିର ଭବିଷ୍ୟତ୍ ନିର୍ଦ୍ଧାରଣ। ଏହି ସଂପର୍କରେ ଦୁଇଟି ପୂର୍ବାନୁମାନ କରାଯାଉଛି। ହୋଇପାରେ ସରକାର ନୂଆ ଆଇନ ଜରିଆରେ କ୍ରିପ୍ଟୋ କାରବାରକୁ ବେଆଇନ ଘୋଷଣା କରିବେ ଅଥବା କ୍ରିପ୍ଟୋ କରେନ୍ସିଗୁଡ଼ିକୁ ମୁଦ୍ରା ପରିବର୍ତ୍ତେ ସାମଗ୍ରୀ ରୂପେ ଗଣ୍ୟ କରାଯିବ ଏବ˚ ଏହା ଉପରେ ନିୟମାନୁସାରେ ଜିଏସ୍ଟି ଓ ଆୟକର ଲାଗୁ ହେବ। ଏହା ସରକାରଙ୍କ ନିୟନ୍ତ୍ରଣାଧୀନ ରହିବ। ନୂଆ ବିଲ୍ର ଦ୍ବିତୀୟ ମୂଳ ତତ୍ତ୍ବ ହେଉଛି ରିଜର୍ଭ ବ୍ୟାଙ୍କ୍ ଦ୍ବାରା ଡିଜିଟାଲ ମୁଦ୍ରା ପ୍ରଚଳନ ଯାହାକୁ ସେଣ୍ଟ୍ରାଲ ବ୍ୟାଙ୍କ୍ ଡିଜିଟାଲ କରେନ୍ସି (ସ˚କ୍ଷିପ୍ତରେ ସିବିଡିସି) କୁହାଯାଇଛି। ଡିଜିଟାଲ ଇଣ୍ତିଆ ପ୍ରତି ବିଶେଷ ଜୋର୍ ଦେଇ ଆସୁଥିବା ମୋଦୀ ସରକାର ସିବିଡିସି ପ୍ରଚଳନ ମାଧୢମରେ ମୁଦ୍ରା ମାର୍କେଟ୍କୁ ଆଧୁନିକୀକରଣ କରିବାକୁ ଇଚ୍ଛୁକ। ଏହା ପାରମ୍ପରିକ ଲିଗାଲ ଟେଣ୍ତର ମନି ଭଳି ବିଧିଗ୍ରାହୀ ହେବ ଏବ˚ ରିଜର୍ଭ ବ୍ୟାଙ୍କ୍ର ନିୟନ୍ତ୍ରଣାଧୀନ ରହିବ। ଏହି ମୁଦ୍ରା ମାଧୢମରେ ପାଣ୍ଠି ସ˚ଚାରଣ ପ୍ରକ୍ରିୟା (ମନି ଟ୍ରାନ୍ସଫର) ତ୍ବରିତ ଓ ଅଳ୍ପ ଖର୍ଚ୍ଚସାପେକ୍ଷ ହେବ। ଅନେକ ରାଷ୍ଟ୍ର ସିବିଡିସି ପ୍ରଚଳନ ପାଇଁ ଇଚ୍ଛୁକ ଥିବାରୁ ଆଗାମୀ ଦିନରେ ସୀମାପାର ମୁଦ୍ରା ସ˚ଚାରଣ ପ୍ରକ୍ରିୟା ଲାଭବାନ ହେବ।
ଗତ ନଭେମ୍ବର ୧୩ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୌରୋହିତ୍ୟରେ ରିଜର୍ଭ ବ୍ୟାଙ୍କ୍ ଅର୍ଥ ମନ୍ତ୍ରାଳୟ ଓ ଗୃହ ମନ୍ତ୍ରାଳୟ ମଧୢରେ କ୍ରିପ୍ଟୋ କାରବାର ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ଆଲୋଚନା ହୋଇଥିଲା। ଘରୋଇ କ୍ରିପ୍ଟୋ କରେନ୍ସି କାରବାର ଦ୍ବାରା ମାଇକ୍ରୋ ଅର୍ଥନୀତି ଓ ବିତ୍ତୀୟ ସ୍ଥିରତା ବାଧାପ୍ରାପ୍ତ ହେବ ବୋଲି ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର ଦୋହରାଇଛନ୍ତି। ନଭେମ୍ବର ୨୯ ତାରିଖ ଦିନ ଲୋକସଭାରେ ଅର୍ଥମନ୍ତ୍ରୀ କହିଥିଲେ ଯେ କ୍ରିପ୍ଟୋ କରେନ୍ସି ବିଟ୍କଏନ୍କୁ ସ୍ବୀକୃତି ଦେବା ପ୍ରସ୍ତାବ ସରକାରଙ୍କ ନାହିଁ। ଲେଖକର ବ୍ୟକ୍ତିଗତ ମତ ହେଲା ଘରୋଇ କ୍ରିପ୍ଟୋ କରେନ୍ସି କାରବାରକୁ ବେଆଇନ ଘୋଷଣା କରିବା ଉଚିତ ହେବ। ବାସ୍ତବତା ପରିବର୍ତ୍ତେ ଅନ୍ଦାଜରେ ମୂଲ୍ୟାୟନ ହେଉଥିବା ଏହି ମୁଦ୍ରା କାରବାର ଅସ୍ପଷ୍ଟ, ଅବୋଧ୍ୟ ଓ ଅଣ-ଜରୁରୀ। ଅପରପକ୍ଷରେ ରିଜର୍ଭ ବ୍ୟାଙ୍କ୍ର ପ୍ରତ୍ୟକ୍ଷ ନିୟନ୍ତ୍ରଣ ମଧୢରେ ସିବିଡିସି ପ୍ରଚଳନ ଦ୍ବାରା ଭାରତୀୟ ଅର୍ଥନୀତି ଉପକୃତ ହେବ। ମାର୍ଗଶୀର ମାସରେ ଓଡ଼ିଶାର ମହିଳାମାନେ ଅମଳ ହୋଇଥିବା ଧାନକୁ ମାଣରେ ରଖି ଲକ୍ଷ୍ମୀ ଠାକୁରାଣୀଙ୍କ ପ୍ରତୀକ ରୂପେ ମାଣବସା ଗୁରୁବାର ପାଳନ କରିଥା’ନ୍ତି। ଲଘୁ ମନ୍ତବ୍ୟ ଦେଇ କୁହା ଯାଇପାରେ କି ସିବିଡିସି ହେଉଛି ଲକ୍ଷ୍ମୀ ଠାକୁରାଣୀଙ୍କ ନୂଆ ବେଶ। ସମୟ ସହିତ ତାଳ ଦେଇ ଦେବୀ ଡିଜିଟାଲ ବେଶରେ ବିଜେ କରିବାକୁ ପ୍ରସ୍ତୁତ ହେଉଛନ୍ତି।
ମୋ-୯୮୮୬୨୧୧୭୭୨
[email protected]