ସେ ଦିନ କାହିଁକି ମୁଁ ଏଭଳି କରିଥିଲି?

ଯୋଗେନ୍ଦ୍ର ଯାଦବ

ସେ ଦିନ ଲଖିମପୁର ଖେରିରୁ ଫେରିବା ବାଟରେ ଗୋଟିଏ ପ୍ରଶ୍ନ ମୋ ମନକୁ ବାରମ୍ବାର ଆଲୋଡ଼ିତ କରି ଚାଲୁଥିଲା: ଯେଉଁମାନେ ହରାଇଲେ ସେମାନଙ୍କୁ କ’ଣ ଆମେ ‘ତାଙ୍କର’ ଆଉ ‘ଆମର’ ବୋଲି ବାଣ୍ଟି ଦେବା ଠିକ୍‌ ହେବ? ଏକାଧିକ ପୀଡ଼ିତଙ୍କୁ କେମିତି ଆମେ ଅଲଗା ପଟରେ ରଖି ପାରିବା? ଶୁଭମ ମିଶ୍ରଙ୍କ ବର୍ଷକର ଝିଅ କେମିତି ସେହି ଦୁଃଖଦ ଘଟଣା ସଂପର୍କରେ କିଛି ନ ଜାଣି ଘର ଭିତରେ ଖେଳୁଥିଲା; ତାଙ୍କ ପତ୍ନୀଙ୍କ ଆଖିରେ ଶୂନ୍ୟ ଚାହାଣି ଆଉ ତାଙ୍କ ପିତାଙ୍କ ପ୍ରଶ୍ନ ମୋତେ ଚିନ୍ତାରେ ବୁଡ଼ାଇ ଦେଇଛି।
ଚାରିଜଣ ଚାଷୀ ଓ ଜଣେ ସାମ୍ବାଦିକଙ୍କ ପାଇଁ ଆୟୋଜିତ ପ୍ରାର୍ଥନା ସଭାରେ ଯୋଗ ଦେବା ପାଇଁ ଲଖିମପୁର ଖେରିର ଗଣହତ୍ୟା ସ୍ଥଳ ଟିକୁନିଆ ଗାଁକୁ ମୁଁ ଯାଇଥିଲି। ସମବେତ ଶ୍ରଦ୍ଧାଞ୍ଜଳି ଅର୍ପଣକାରୀମାନଙ୍କୁ ଉଗ୍ର ଭାଷଣ ଦେବା ଅପେକ୍ଷା ମୋର ପିଲାଦିନର ସ୍ମୃତି ଅଧିକ ମନେ ପଡୁଥିଲା। ବର୍ଷ ବର୍ଷ ଧରି ଲୋକଙ୍କୁ ବିଭିନ୍ନ ଶୋକାପ୍ଳୁତ ଘଟଣାରେ ଭେଟିବା ହିଁ ମୋତେ ମହିଳାମାନଙ୍କୁ ଲକ୍ଷ୍ୟ କରିବା ଶିଖାଇଛି, ଯେଉଁମାନଙ୍କ ପାଖରେ ଅନୁଭବର ବିବିଧ ରଙ୍ଗମାଳା ଦେଖିବାକୁ ମିଳିଥାଏ। ସେହି ଦୁଃଖ ସମ୍ପର୍କରେ ମୁଁ ଏଠାରେ କହିବାକୁ ଚାହୁଛି।

ସ୍ମୃତିଚାରଣ ଉତ୍ସବ ସରୁ ସରୁ ସହିଦ କୃଷକ ପରିବାରର ମହିଳାମାନେ ଶାନ୍ତ ଭାବରେ ମଞ୍ଚରୁ ଧୀରେ ଓହ୍ଲାଇ ଯାଇଥିଲେ। ମୋର ‘ନମସ୍ତେ’ ଯାହା କେବଳ କିଛି ଫାଙ୍କା ଚାହାଣି ଓ ବିନମ୍ର ଯୋଡ଼ ହସ୍ତକୁ ଭେଟିଥିଲା। ବଳି ପଡ଼ିଥିବା ୧୯ ବର୍ଷର ଭେଣ୍ଡିଆ ପୁଅର ମାଆ ଠାରୁ ଆଉ ଅଧିକ କ’ଣ ଆଶା କରାଯାଇପାରେ? ଏପରି ଭୟାନକ ଘଟଣା ସମ୍ପର୍କରେ ପଢ଼ିବା ବା ତାହାର ଭିଡିଓ ଦେଖିବା ଅଲଗା କଥା ଏବଂ ତାହାକୁ ବାସ୍ତବ ଜୀବନରେ ସାମନା କରିବା ଆଉ ଗୋଟାଏ କଥା। ସେ ଦିନ ମହିଳାମାନେ ସତେ ଯେପରି ସଂକୁଚିତ ହୋଇଗଲା ପରି ଲାଗୁଥିଲେ। ଶିଖ୍‌ ସମ୍ପ୍ରଦାୟର ଧାର୍ମିକ ପରଂପରାର ଅଜଣା ସଂରଚନା ଭିତରେ କିଞ୍ଚିତ ହଜି ଯାଇଥିବା ଦିବଂଗତ ସାମ୍ବାଦିକ ସୁମିତ କାଶ୍ୟପଙ୍କ ପରିବାର ଭୀତତ୍ରସ୍ତ ଥିଲା। ମୋ’ ମନ ଭିତରେ ସେହି ଭୟାନକ ଭିଡିଓକୁ ମୁଁ ଅନେକ ଥର ଚଳାଇଛି ଏବଂ ଜଣେ ମନୁଷ୍ୟ ଉପରେ ଅନ୍ୟ ମଣିଷଙ୍କ ବ୍ୟବହାର ଏହି ପରି ହୋଇଥିବାରୁ ନିର୍ଲଜ୍ଜ କ୍ଷମତାଶାଳୀଙ୍କ ଉପରେ ମୁଁ ମୋର କ୍ରୋଧ ସମ୍ବରଣ କରିପାରିନାହିଁ। ଏହା ହିଁ ଥିଲା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଗିରଫ ଓ ବହିଷ୍କାର ପାଇଁ ହେଉଥିବା ସାମୂହିକ ଦାବିର ମୂଳ କାରଣ।

ଆମେ ଟିକୁନିଆ ଛାଡ଼ିବା ପରେ ମୋର ଏହି ସାକ୍ଷାତ କାର୍ଯ୍ୟ ଯେମିତି ଅଧାରୁ ରହିଗଲା ଭଳି ମୋ ମନକୁ ଲାଗିଥିଲା। ଜଣେ ଗାଡ଼ି ଚାଳକ ଓ ଦୁଇ ଜଣ ବିଜେପି କର୍ମୀ ଏପରି ଅନ୍ୟ ତିନି ଜଣଙ୍କର ବି ମୃତ୍ୟୁ ହୋଇଥିଲା। ଯଦିଓ ଉଭୟ ପ୍ରକାରର ହତ୍ୟା କେବେ ସମାନ ନୁହେଁ ବୋଲି ମୁଁ ବୁଝେଇ ଆସିଥିଲି, ତେବେ ପ୍ରତିଟି ମରଣ ହିଁ ଦୁଃଖର କାରଣ ନିଶ୍ଚୟ। ମୁଁ ଯାହା କହିଛି ଯଦି ସତ, ତେବେ ଅପର ପକ୍ଷରେ ଥିବା ଦୁଃଖୀ ପରିବାରମାନଙ୍କୁ ଭେଟିବା ମଧ୍ୟ ମୋର ଯଥୋଚିତ କାର୍ଯ୍ୟ ହେବ। ମୋ ସହକର୍ମୀମାନେ ପ୍ରଥମେ ଏଭଳି ପ୍ରସ୍ତାବରେ ଭୟଭୀତ ହୋଇପଡ଼ିଥିଲେ, କାରଣ ପ୍ରତିକ୍ରିୟା ଶତ୍ରୁତାପୂର୍ଣ୍ଣ ଏପରିକି ହିଂସାତ୍ମକ ହୋଇପାରେ। ମାତ୍ର ପରେ ସେମାନେ ମୋତେ ସମର୍ଥନ କଲେ ଏବଂ ଘଟଣା ଦିନ ହତ୍ୟାର ଶିକାର ହୋଇଥିବା ପ୍ରଥମ ବିଜେପି କର୍ମୀ ଶୁଭମ୍‌ ମିଶ୍ରଙ୍କର ଲଖିମପୁର ସହର ମଝିରେ ଥିବା ବାସଭବନକୁ ଯିବାକୁ ଆମେ ନିଷ୍ପତ୍ତି ନେଇଥିଲୁ।

ସେଠି ଘର ବାହାରେ କିଛି ଲୋକଙ୍କ ସହ ଚୌକିରେ ବସିଥିବା ଜଣେ ବ୍ୟକ୍ତି ମୋତେ ଚିହ୍ନି ପାରି ସଙ୍ଗେସଙ୍ଗେ ଉଠି ସ୍ବାଗତ କରିଥିଲେ। ସେତିକି ବେଳେ ମୁଁ ତାଙ୍କୁ ପ୍ରଶ୍ନ କରିଥିଲି, ‘ଆପଣ ଏଇ ପରିବାରର କି?’ ମୋ’ ଠାରୁ ବୟସରେ କମ୍‌ ଜଣା ପଡୁଥିବା ସେହି ବ୍ୟକ୍ତି ଜଣକ ‘ହଁ, ମୁଁ ଶୁଭମର ବାପା’ ବୋଲି ଉତ୍ତର ଦେଇଥିଲେ। ଏକ ଅପ୍ରୀତିକର ପରିସ୍ଥିତିର ସାମନା କରିବାକୁ ଯାଇ ମୁଁ ହାତ ଯୋଡ଼ି ‘ବହୁତ ଦୁଃଖ ଲାଗିଲା’ ବୋଲି କହିବା ସହ ସହିଦ କୃଷକମାନଙ୍କ ପ୍ରାର୍ଥନା ସଭାରୁ ମୁଁ ଫେରୁଥିଲି ବୋଲି ତାଙ୍କୁ ଜଣାଇଥିଲି। ସେ କ୍ଷୋଭ ପ୍ରକାଶ କରି ନ ଥିଲେ କି ଶତ୍ରୁ ଭଳି ଆଚରଣ କରି ନ ଥିଲେ; ବରଂ ବେଦନାଭରା କଣ୍ଠରେ କହିଥିଲେ, ‘ମୁଁ ଅନୁମାନ କରୁଛି କି ଆପଣ ହିଁ କୃଷକମାନଙ୍କ ତରଫରୁ ପ୍ରଥମ ବ୍ୟକ୍ତି ଆମ ପାଖକୁ ଆସିଛନ୍ତି। ଅନ୍ୟ ବଡ଼ ବଡ଼ ନେତାମାନେ ତ ଲଖିମପୁର ଆସି ଚାଲି ଯାଇଛନ୍ତି। କେହି ଆମକୁ ସାକ୍ଷାତ କରିନାହାନ୍ତି। ଆମେ କ’ଣ କୃଷକ ନୁହେଁ କି? ଆପଣ କ’ଣ ମୋର ଜମିଜମା କାଗଜାତ ଯାଞ୍ଚ କରିବାକୁ ଚାହୁଛନ୍ତି କି? ମୋ’ ଗାଁର ସରପଞ୍ଚ ହେଉଛନ୍ତି ଜଣେ ସର୍ଦ୍ଦାର। ଆମେ କ’ଣ ସେମାନଙ୍କର ଶତ୍ରୁ? ମୋ’ ପୁଅ କି ଅପରାଧ କରିଥିଲା? ସହରର ଯେ କୌଣସି ଲୋକକୁ ପଚାରି ମୋ’ ପୁଅ ବିରୋଧରେ ଗୋଟିଏ ଶବ୍ଦ ବି ଶୁଣିଛନ୍ତି ଯଦି ମୋତେ କୁହନ୍ତୁ।’ ତା’ପରେ ସେ ମୋ’ ଆଡ଼କୁ ବୁଲି କହିଲେ, ‘ଆପଣଙ୍କ ଠାରୁ ମୁଁ ଉତ୍ତମ କିଛି ଆଶା କରୁଛି। ଏହା କ୍ରିୟାର ପ୍ରତିକ୍ରିୟା ବୋଲି ସେଦିନ ରାକେଶ ଟିକାଏତ କହୁଥିଲା ବେଳେ ଆପଣ ତାଙ୍କ ପାଖରେ ବସିଥିଲେ। ଆପଣ ତାଙ୍କୁ ସଂଶୋଧନ କରି ପାରିଥା’ନ୍ତେ।’ ମୁଁ କହିଥିଲି- ‘ତାହା ମୁଁ କରିଥିଲି, ମାତ୍ର ମୋ’ ବକ୍ତବ୍ୟକୁ ଗଣମାଧ୍ୟମ ଉପସ୍ଥାପନ କରିନାହିଁ।’

ସମଗ୍ର ଘଟଣାବଳୀ ପାଇଁ ଦୀର୍ଘ ଘଣ୍ଟାଏ କାଳ ଧରି କଥାରେ କଥାରେ ତାଙ୍କ ପୁଅର ନିରୀହତା ଓ ଆନ୍ଦୋଳନରତ କୃଷକମାନଙ୍କ ଦୋଷକୁ ସ୍ପଷ୍ଟ କରାଯାଇଥିଲା। ସେଥିରୁ ମୁଁ ଜାଣିବାକୁ ପାଇଥିଲି ଯେ କୃଷକମାନଙ୍କ ଉପରେ ଚଢ଼ି ଯାଇଥିବା ଗାଡ଼ିକୁ ନା ଶୁଭମ୍‌ ଚଳାଉଥିଲେ ନା ଚାଷୀଙ୍କ ଉପରକୁ ବନ୍ଧୁକ ଚଳାଇବା ସହ ସେ ଜଡ଼ିତ ଥିଲେ। ପରେ ସେ ତାଙ୍କ ପୁଅକୁ ପିଟି ପିଟି ମାରିଥିବା ମୋ’ ବନ୍ଧୁ ତଜିନ୍ଦର ସିଂହ ବିର୍କ(ଯିଏ ଶୁଭମ୍‌ଙ୍କୁ ଆକ୍ରମଣ ବେଳେ ଗଭୀର ଭାବେ ଆହତ ହୋଇଥିଲେ)ଙ୍କ ବିରୋଧରେ ପୁଲିସରେ ଦେଇଥିବା ଅଭିଯୋଗପତ୍ରର ନକଲ ସେ ନିଜ ପକେଟ୍‌ରୁ କାଢ଼ି ଦେଖାଇଲେ। ଅବଶ୍ୟ ମୁଁ ତାଙ୍କର ସମସ୍ତ ବକ୍ତବ୍ୟରେ ସହମତ ନ ଥିଲି; ମାତ୍ର ଜଣେ ଶୋକସନ୍ତପ୍ତ ବାପା ସହ ଏ ସମ୍ପର୍କରେ ଯୁକ୍ତିତର୍କ କରିବା ମୂଲ୍ୟହୀନ ଏବଂ ହୃଦୟହୀନ ହୁଅନ୍ତା। ମୁଁ କହିଥିଲି ଯେ ସେ କୃଷକ କି ନୁହେଁ ସେଥିରେ କିଛି ଯା’ଆସ ନାହିଁ, ମାତ୍ର ସେ ଜଣେ ମଣିଷ ଥିଲେ, ତାହା ହିଁ ମୋତେ ମର୍ମାହତ କରିଛି। ତାଙ୍କ ପୁଅ କେବେ ଏଭଳି ମୃତ୍ୟୁକୁ ଲୋଡ଼ି ନ ଥିବେ, ତାହା ହିଁ ଥିଲା ମୋ ମନକୁ ଆକ୍ରାନ୍ତ କରୁଥିବା ଭଳି ବିଷୟ।

ଏହା ଜଣାପଡ଼ିଛି ଯେ ଶୁଭମ୍‌ ସେହି ଗାଡ଼ି ଚଳାଇ ନ ଥିଲେ କି ଗୁଳି ଫୁଟାରେ ସାମିଲ ନ ଥିଲେ। ଯାହା ଜଣାପଡ଼ିଛି, ପ୍ରକୃତ ଦୋଷୀ ଘଟଣା ସ୍ଥଳ ଛାଡ଼ି ପଳାୟନ କରିଥିବା ବେଳେ ସେଠାରେ ଥିବା ଶୁଭମ୍‌ ହିଁ ଉତ୍ତ୍ୟକ୍ତ ଚାଷୀଙ୍କ କ୍ରୋଧର ଶିକାର ହୋଇଥିଲେ। ଉଦାସୀନ ବୋଧ ହେଉଥିବା ଶୁଭମ୍‌ଙ୍କ ଜେଜେମା’, ତାଙ୍କ ଏକାକିନୀ ମାଆ, ଅବସନ୍ନ ପତ୍ନୀ ଓ ବର୍ଷକର ନିରୀହ କନ୍ୟା- ନିଜ ଜୀବନରେ ଏଭଳି ଦୁଃଖଦ ସ୍ଥିତିର ସାମନା କରିଥିବା ଚାରି ପିଢ଼ିର ମହିଳାଙ୍କୁ ମୁଁ ସେ ଦିନ ଦେଖିଥିଲି।

ମୋର ଏହି ଗସ୍ତ କେବେ ଗଣହତ୍ୟା ପାଇଁ ମନ୍ତ୍ରୀ ଅଜୟ ମିଶ୍ର ଓ ତାଙ୍କ ପୁଅର ଅପରାଧ ସମ୍ପର୍କରେ ଧାରଣାକୁ ବଦଳାଇ ଦେଇପାରିନାହିଁ। ଉତ୍ତର ପ୍ରଦେଶ ସରକାର ଓ କେନ୍ଦ୍ର ସରକାର ଯେଭଳି ଘଟଣାକୁ ଘଣ୍ଟ ଘୋଡ଼ାଇବାର ଚେଷ୍ଟା କଲେ, ତାହା ମଧ୍ୟ ମୋ ମନରେ ଭୀଷଣ ରାଗ ଜନ୍ମାଇଛି। କିନ୍ତୁ, ଏଭଳି ପରିସ୍ଥିତିରେ ଆମକୁ କେଉଁଭଳି ପ୍ରତିକ୍ରିୟା ରଖିବାକୁ ହେବ ଏବଂ ଆମେ କାହା ପାଇଁ ଦୁଃଖ ପ୍ରକାଶ କରିବା ଉଚିତ, ସେ ନେଇ ମୋ ମନରେ ଅନେକ ପ୍ରଶ୍ନ ଜାତ ହୋଇଛି।

ସେ କଥା କହି ମୁଁ କରିଥିବା ଟ୍ବିଟ୍‌ ପ୍ରଶଂସା, ଦୋଷାରୋପ, ଅବିଶ୍ବାସ ଓ ସନ୍ଦେହ ପରି ଫୁଲତୋଡ଼ା ଓ ଇଟା ମାଡ଼ର ମିଶ୍ରିତ ପ୍ରତିକ୍ରିୟା ଲାଭ କରିଥିଲା। ମୋର କିଛି ଚାଷୀ ଆନ୍ଦୋଳନକାରୀ ବନ୍ଧୁ ପ୍ରଶ୍ନ କରିଥିଲେ- ‘ତୁମେ କେଉଁ ପକ୍ଷର?’ ତେବେ ଆମ ‘ଆକ୍ଟିଭିଜମ୍‌’ ବା ଆନ୍ଦୋଳନାତ୍ମକ ଜୀବନରେ ଏଭଳି ଘଟଣା ମୋ ଲାଗି ନୂଆ ନୁହେ। ୨୦୧୬ରେ ହରିଆଣାର ଝଜ୍ଜର ଗସ୍ତ ବେଳେ ସେଠାରେ ଜାଠ ଆରକ୍ଷଣ ଆନ୍ଦୋଳନ ପରେ ପରେ ସଂଘଟିତ ହୋଇଥିବା ଜଳାପୋଡ଼ା ଓ ଦଙ୍ଗା କଥା ମୋର ମନେ ପଡ଼ି ଯାଉଛି। ବିକ୍ଷୋଭକାରୀଙ୍କ ନେତୃତ୍ବରେ ରଚିତ ହିଂସାର ମୂକସାକ୍ଷୀ ଥିବା ସୈନି ମୋହଲ୍ଲା ଓ ସାର୍‌ ଛୋଟୁରାମ ଧର୍ମଶାଳା (ଯେଉଁଠି ବିକ୍ଷୋଭର ବିରୋଧୀମାନେ ତାଙ୍କ ପ୍ରତିମୂର୍ତ୍ତିକୁ ଅପମାନିତ କରିଥିଲେ) ହିଂସାକାଣ୍ଡ ପରିପ୍ରେକ୍ଷୀରେ ଉଭୟ ପକ୍ଷଙ୍କୁ ଭେଟିବାରେ ଆମ ଦଳ ପ୍ରଥମ ଥିଲା। ଘଟଣା ଦିନ ହିଁ ହରିଆଣାର ଦୁଇ ଦଳର ମନ୍ତ୍ରୀ ସେଠାରେ ପହଞ୍ଚି ନିଜ ଜାତି ଅନୁସାରେ ଭିନ୍ନ ପକ୍ଷଙ୍କୁ ସାକ୍ଷାତ କରିଥିଲେ।

କିନ୍ତୁ ପକ୍ଷପାତିତା ଆମ ଭିତରେ ରହିଛି। ଆସାମରେ ଦେଖା ଦେଇଥିବା ନାଗରିକତା ଅଡୁଆ ଏହାର ଏକ ଜ୍ବଳନ୍ତ ଉଦାହରଣ। ଆମର ଉଦାର-ଧର୍ମ ନିରପେକ୍ଷ ବୁଦ୍ଧିଜୀବୀବର୍ଗ ପ୍ରବାସୀ ମୁସ୍‌ଲିମବହୁଳ ବାଂଲାଦେଶୀମାନେ ରାଜନୈତିକ ମୋହରା ବା ଗୋଟି ଭାବେ ବ୍ୟବହୃତ ହେଉଥିବା ବିଷୟ ଉଠାନ୍ତି। ସେମାନେ ଏପରି କରିବାଟା ଠିକ୍‌ ମଧ୍ୟ। ମାତ୍ର ନିଜ ମାଟିରେ ଉପେକ୍ଷିତ ହିନ୍ଦୁବହୁଳ ଅହମିୟାମାନଙ୍କର ଗଭୀର ସାଂସ୍କୃତିକ ଉଦ୍‌ବେଗ ପ୍ରତି ସେମାନେ ଅନ୍ଧ। ସେହିପରି ଗ୍ରାମାଞ୍ଚଳରେ ଭୂମିହୀନ କୃଷିଜୀବୀଙ୍କୁ ବାମପନ୍ଥୀମାନେ ସବୁଠୁ ନିଷ୍ପେଷିତ ବର୍ଗ ଭାବେ ଅଭିହିତ କରନ୍ତି। ଏହା ଠିକ୍‌ ହୋଇପାରେ। ମାତ୍ର ଏହା ଦ୍ବାରା ସେମାନେ କୃଷି କ୍ଷେତ୍ର‌େର ନିହିତ ଥିବା ସଂରଚନାଗତ ଶୋଷଣକୁ ଦେଖି ପାରିଲେ ନାହିଁ। ଜମିମାଲିକମାନଙ୍କୁ ‘କୁଲକ୍’ (ରୁଷିଆର ଅତ୍ୟାଚାରୀ ଜମି ମାଲିକ) ଏବଂ ସେମାନେ ନିଷ୍ପେଷିତ ବର୍ଗର ଶତ୍ରୁ ବୋଲି ବାମପନ୍ଥୀମାନେ କହି ଚାଲିଲେ। ଏହା ଦ୍ବାରା ଆମ ମୋହରା, ତାଙ୍କ ମୋହରା, ପ୍ରକୃତ ମୋହରା, ନକଲି ମୋହରା- ଏପରି ଭାବେ କ୍ଷତିଗ୍ରସ୍ତମାନେ ବାଣ୍ଟି ହୋଇଗଲେ ଏବଂ ଜଣେ ‘କ୍ଷତିଗ୍ରସ୍ତ’ଙ୍କ ପଛରେ ଅନ୍ୟ ଜଣେ ‘କ୍ଷତିଗ୍ରସ୍ତ’ ଲାଗିଗଲେ। ଆମ ସାର୍ବଜନୀନ ଜୀବନର ଅଧିକାଂଶ ସମୟ ଏମିତି ନିଜ ପସନ୍ଦର ମୋହରା ବାଛିବା ବା ସେମାନଙ୍କୁ ଶ୍ରେଣୀଭୁକ୍ତ କରିବାରେ ବିତି ଯାଉଛି। ଆମ ସାଧାରଣ ଜୀବନର ଏହା ହିଁ ହେଉଛି ଏକ ଗଭୀରକୁ ଯାଇଥିବା ଅସୁସ୍ଥତା।

ମୋହରା ବାଛିବାରେ ମଧ୍ୟ କିଛି ସୁବିଧା ରହିଛି। ଏହା ଆମ ଜୀବନକୁ ସହଜ କରିଦିଏ। ପକ୍ଷପାତିତା ହେଉଛି ସବୁଠୁ ସହଜ ରଣନୀତି। ଆମକୁ ନିଜ ମୁଣ୍ଡ ଖେଳାଇବାକୁ ପଡ଼ିବ ନାହିଁ। ଗୋଟିଏ ପଟୁ ଦେଖିବା ଲାଗି ଆମ ପାଖରେ ଏକ ପୂର୍ବାଗ୍ରହ ମଧ୍ୟ ରହିଥାଏ। ତେଣୁ ନୈତିକ ଦ୍ବିଧାର ପ୍ରଶ୍ନ ଉଠେ ନାହିଁ। ଏହା ଛଡ଼ା ନିରୁତା ରାଜନୀତି ପାଇଁ ଜଣେ ଶତ୍ରୁର ସ୍ପଷ୍ଟ ପରିଚୟ ମିଳିଯିବ। ‘ଶକ୍ତି ଠୁଳ କର ଓ ଲୋକଙ୍କୁ ପ୍ରବର୍ତ୍ତାଅ’ ବୋଲି ତୁମେ ମଧ୍ୟ ଏକ ସ୍ପଷ୍ଟ ବାର୍ତ୍ତା ପଠାଇ ଦିଅ। ଥରେ ନେତା ଯଦି ଏକ ପକ୍ଷ ରଖନ୍ତି, ଅନୁଗାମୀମାନେ ସେମାନଙ୍କ ମନ ଓ ବୁଦ୍ଧି ଖେଳାଇବାର ଆବଶ୍ୟକତା ପଡ଼ି ନ ଥା’ନ୍ତା।

ତେବେ ଅସୁବିଧାଟା ହେଉଛି, ଆଂଶିକ ଓ ପକ୍ଷପାତ ଦୃଷ୍ଟିକୋଣ ଅଦୂରଦର୍ଶୀ ରାଜନୀତି ଆଡ଼କୁ ଗତି କରିଥାଏ। କିଛି ସମୟ ପାଇଁ ଏହା ଭଲ କାମ କରେ; ମାତ୍ର ଶେଷରେ ଅନେକ ସମସ୍ୟା ସୃଷ୍ଟି କରିଥାଏ। ଥରେ ତୁମେ ଯଦି ଅସୁବିଧାଜନକ ସତ୍ୟକୁ ଗାଲିଚା ତଳକୁ ପେଲି ଦେବାର କଳା ଅଭ୍ୟାସ କରିବ, ଅନ୍ୟ କେହି ଜଣେ ତାହାକୁ ଆଉ ପାଦେ ଆଗେଇ ନେଇ ସମଗ୍ର ସତ୍ୟକୁ ଲୁଚେଇ ଦେଇ ପାରିବ। ଥରେ ତୁମେ ଯଦି ‘ଶତ୍ରୁ ଚିହ୍ନଟ’କୁ ନିଜ ରାଜନୀତିର ଆଧାର କର, ଆଉ କେହି ଜଣେ ତାହାକୁ ବ୍ୟବହାର କରି ନୂଆ ଶତ୍ରୁ ଚିହ୍ନଟ କରିବ। ଅସୁବିଧାଜନକ ସତ୍ୟକୁ ନେଇ ନୈତିକ ଜଟିଳତାର ପ୍ରଶ୍ନ ସହିତ ମୁଁ ସେ ଦିନ ଲଖିମପୁରରୁ ଫେରିଥିଲି।

[email protected]

ସମ୍ବନ୍ଧିତ ଖବର