ଏକାଡେମୀ ପୁରସ୍କାର: ସବୁ ପ୍ରତିଶ୍ରୁତି ପାଣିର ଗାର

ସାହିତ୍ୟିକ ପାଣିପାଗ - ଅସିତ ମହାନ୍ତି

୨୦ ମେ, ୨୦୨୧ରେ ବାହାରିଥିଲା ସରକାରୀ ବିଜ୍ଞପ୍ତି। କାଳବିଳମ୍ବ ନକରି ୨୧ ମେ’ରେ ଦାୟିତ୍ୱ ନେଲେ ଓଡ଼ିଶା ସାହିତ୍ୟ ଏକାଡେମୀର ନୂଆ ସଭାପତି ହୃଷୀକେଶ ମଲ୍ଲିକ। ଅଭିନନ୍ଦନର ସୁଅ ଛୁଟିଲା। ସମ୍ବାଦପତ୍ର, ଟେଲିଭିଜନ ଚାନେଲ୍‌ମାନେ ଧାଡ଼ି ଲଗେଇଲେ ସାକ୍ଷାତ୍‌କାର ନେବା ପାଇଁ। ସଭାପତି ପଦ ପ୍ରାପ୍ତିରେ ସ୍ୱାଭାବିକ ଭାବରେ ଉଲ୍ଲସିତ ଶ୍ରୀ ମଲ୍ଲିକ ନିଜର ପ୍ରତିକ୍ରିୟାରେ କହିଲେ- ଏକାଡେମୀ ପୁରସ୍କାରକୁ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ କରାଯିବ। ବାକି ପଡ଼ିଥିବା ପୁରସ୍କାରଗୁଡ଼ିକ ସାତମାସ ଭିତରେ ଦିଆଯିବ। ୨୦୨୧ ବିଦାୟୀ ବର୍ଷରେ ବାକି ପୁରସ୍କାର ସବୁ ଦିଆଯାଇ ୨୦୨୨ ନୂତନ ବର୍ଷରେ ଦିଆଯିବ ନୂଆବର୍ଷର ପୁରସ୍କାର।

କବି ଭାବରେ ଶ୍ରୀ ମଲ୍ଲିକ ଓଡ଼ିଆ ସାହିତ୍ୟରେ ସୁପରିଚିତ। ୧୯୮୮ରେ କବିତା ପୁସ୍ତକ ‘ଧାନ ସାଉଁଟା ଝିଅ’ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ପୁଣି, ସାହିତ୍ୟ ଏକାଡେମୀର ଏ ସର୍ବୋଚ୍ଚ ପଦ ପାଇବାର ପାଞ୍ଚବର୍ଷ ଆଗରୁ, ୨୦୧୬ରେ ସେ ସମ୍ମାନଜନକ ଶାରଳା ପୁରସ୍କାର ବି ପାଇଥିଲେ। ପୂର୍ବରୁ ପୁଣି ସରକାରୀ ଶିଶୁ ପତ୍ରିକା ‘ଶିଶୁଲେଖା’ରେ ବି ସେ ଥିଲେ। ଖାଲି ଏତିକି ନୁହେଁ; ୧୯୯୧ରୁ ୨୦୦୦ ଦୀର୍ଘ ନଅବର୍ଷ ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ବି ସେ ଥିଲେ ଏବଂ ତିନିବର୍ଷ ଅର୍ଥ କମିଟିର ସଦସ୍ୟ ଭାବରେ ତାହାର କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ହୋଇଥିଲେ। ଏଣୁ ବିଦାୟୀ ସଭାପତି ହରିହର ମିଶ୍ରଙ୍କ ପରି ଖାଲି କବି ହୋଇଥିଲେ, ହୁଏ’ତ ତାଙ୍କ ପ୍ରତିଶ୍ରୁତିକୁ କେହି ବିଶ୍ୱାସ କରିନଥା’ନ୍ତେ। ସେ କବି ହେବା ସହିତ, ସରକାରୀ ପତ୍ରିକାରେ କାମ କରିଥିବାରୁ ଏବଂ ଏକାଡେମୀର ଉଭୟ ସାଧାରଣ ପରିଷଦ ଓ କାର୍ଯ୍ୟ ନିର୍ବାହୀ କମିଟିର ସଦସ୍ୟ ହୋଇଥିବାରୁ, ଓଡ଼ିଶାର ସାହିତ୍ୟିକମାନେ ତାଙ୍କ ପ୍ରତିଶ୍ରୁତିକୁ ବିଶ୍ୱାସ କରିଥିଲେ।

କିନ୍ତୁ ପ୍ରତିଶ୍ରୁତ ସାତମାସ ବିତିବାକୁ ଆଉ ତିନି ସପ୍ତାହ ବି ବାକି ନାହିଁ। ଅଥଚ ସବୁ ବାକିଆ ପୁରସ୍କାର ଦିଆ ହେବା ତ ଦୂରର କଥା, ଏ ସାତମାସ ଭିତରେ, ଗୋଟିଏ ବର୍ଷର ପୁରସ୍କାର ବି ଦିଆହୋଇପାରିବାର କୌଣସି ସମ୍ଭାବନା ନାହିଁ। ତାଙ୍କ ପ୍ରତିଶ୍ରୁତି ବି ପାଣିର ଗାର ପାଲଟି ଯାଇଛି।

ଏ ଶେଷ ବାକ୍ୟଟିରେ ‘ବି’ ଲଗାଇବାର ଗୋଟିଏ ନିର୍ଦ୍ଦିଷ୍ଟ କାରଣ ଅଛି। କାରଣଟି ହେଉଛି- ଏପରି ପ୍ରତିଶ୍ରୁତି ଦେବାରେ ସଭାପତି ଭାବରେ କବି ହୃଷୀକେଶ ପ୍ରଥମ ନୁହନ୍ତି। ଆମ ଓଡ଼ିଶା ସାହିତ୍ୟ ଏକାଡେମୀର ବ୍ୟବସ୍ଥାଟି ଏମିତି- ଯେ ଦୃଢ଼ତା, ଦୃପ୍ତତା ଓ କର୍ତ୍ତୃତ୍ୱ ନଥିଲେ, ସେଠି କୌଣସି କଥା ବ୍ୟବସ୍ଥିତ ଭାବରେ କରାଇନେବା ବା ନିଜ ପ୍ରତିଶ୍ରୁତି ନିଜେ ରକ୍ଷା କରିପାରିବା ନିହାତି କଷ୍ଟ।

ଏହାର ଅନେକ ପ୍ରମାଣ ଆମ ପାଖରେ ଅଛି। ଶ୍ରୀ ମଲ୍ଲିକ ସଭାପତି ହେବା ପୂର୍ବରୁ, ସଭାପତି ଥିଲେ କବି ହରିହର ମିଶ୍ର। ସେ ସଭାପତି ଦାୟିତ୍ୱ ନେଇଥିଲେ ୬ ମେ ୨୦୧୬ରେ। ସେହି ପଦରେ ସେ ରହିଲେ ୨୨ ମେ ୨୦୨୧ ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚବର୍ଷରୁ ଊର୍ଦ୍ଧ୍ୱ। ହେଲେ ତାଙ୍କର ଏହି କାର୍ଯ୍ୟକାଳ ମଧ୍ୟରେ ହିଁ ଚୟନର ସମସ୍ତ ପର୍ଯ୍ୟାୟ ଶେଷ ହୋଇ ଦିଆଯାଇପାରିଥିଲା ମାତ୍ର ଦୁଇବର୍ଷର ପୁରସ୍କାର।

ଓଡ଼ିଶା ସାହିତ୍ୟ ଏକାଡେମୀର ଶେଷ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା ପ୍ରାୟ ବର୍ଷକ ପୂର୍ବେ, ୧୫ ଡିସେମ୍ବରରେ। କିନ୍ତୁ ସବୁ ପ୍ରତିଶ୍ରୁତି ସତ୍ତ୍ୱେ, ଏଇ ବର୍ଷକ ଭିତରେ ଆଉ ଗୋଟିଏ ବି ବର୍ଷର ପୁରସ୍କାର ପ୍ରଦାନ ହୋଇ ପାରି ନାହିଁ। ଏ ବର୍ଷର ପୁରସ୍କାରକୁ ମିଶାଇଲେ, ଏବେ ପାଞ୍ଚବର୍ଷର ପୁରସ୍କାର ବାକି।

୧୫ ଡିସେମ୍ବର, ୨୦୨୦ରେ ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପଠାରେ ଓଡ଼ିଶା ସାହିତ୍ୟ ଏକାଡେମୀର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବାବେଳକୁ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଥିଲେ ରଂଜନ କୁମାର ଦାସ। ମନ୍ତ୍ରୀ ଥିଲେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ସେହି ସଭାରେ ନିର୍ଦ୍ଦେଶକ ଶ୍ରୀ ଦାସ କହିଥିଲେ- ପୁରସ୍କାର ପ୍ରଦାନରେ ବହୁବର୍ଷ ଧରି ବ୍ୟତିକ୍ରମ ହୋଇଆସୁଛି। ଆଜି ୨୦୧୫ ଓ ୨୦୧୬ ଦୁଇ ବର୍ଷର ପୁରସ୍କାର ଦିଆଗଲେ ମଧ୍ୟ, ୨୦୧୭ ଓ ୨୦୧୮ ଦୁଇବର୍ଷର ପୁରସ୍କାର ଦିଆହେବାକୁ ଅଛି। ତାହାକୁ ମାର୍ଚ୍ଚ ମାସ (୨୦୨୧)ସୁଦ୍ଧା ଦେବାପାଇଁ ଚେଷ୍ଟା ଚାଲିଛି। ଏଣିକି ପ୍ରତିବର୍ଷ ପୁରସ୍କାର ଦିଆଯିବାକୁ ଉଦ୍ୟମ କରାଯିବ। ପ୍ରତିବର୍ଷର ପୁରସ୍କାର ସେହିବର୍ଷର ‘କ୍ୟାଲେଣ୍ଡର ଇୟର’ ମଧ୍ୟରେ ଦିଆଯିବ।

ସମ୍ଭବତଃ ସେଦିନ ନୂଆକରି ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଦାୟିତ୍ୱ ନେଇ ସେ ଉତ୍ସାହିତ ଥିଲେ। ସେହି ସଭାରେ, ରାଜଧାନୀ ସହର ଭୁବନେଶ୍ୱରରେ ଗୋଟିଏ ‘ସାହିତ୍ୟ ମାର୍ଗ’, ଗୋଟିଏ ‘ସଂଗୀତ ମାର୍ଗ’ ଓ ଗୋଟିଏ ‘କଳାମାର୍ଗ’ର ପରିକଳ୍ପନା କରାଯାଉଛି ବୋଲି ମଧ୍ୟ ସେ ଘୋଷଣା କରିଥିଲେ। ତାହା ସଭାରେ ଉପସ୍ଥିତ ସାହିତ୍ୟାନୁରାଗୀଙ୍କୁ ଖୁବ୍ ଉତ୍ସାହିତ କରିଥିଲା। କିନ୍ତୁ ଏ ଭିତରେ ବର୍ଷଟିଏ ବିତିଯିବାକୁ ବସିଥିଲେ ମଧ୍ୟ, ୨୦୧୭ ଓ ୨୦୧୮ ଦୁଇବର୍ଷର ପୁରସ୍କାର ତ ଦୂରର କଥା, ଆଉ ଗୋଟିଏ ବର୍ଷର ପୁରସ୍କାର ବି ପ୍ରଦାନ କରାଯାଇନାହିଁ। ବରଂ ବାକି ଥିବା ପୁରସ୍କାରର ବର୍ଷ ସଂଖ୍ୟା ଏବର୍ଷକୁ ମିଶାଇ ୫କୁ ବୃଦ୍ଧି ପାଇଛି।

ସେଦିନ, ସେହି ପୁରସ୍କାର ପ୍ରଦାନ ଉତ୍ସବରେ ଉପସ୍ଥିତ ଥିଲେ ବିଭାଗୀୟ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ସେ ମଧ୍ୟ ପ୍ରତିଶ୍ରୁତି ଦେବାରେ କୌଣସି କାର୍ପଣ୍ୟ କରି ନଥିଲେ। ସେ କହିଥିଲେ- ଓଡ଼ିଶା ସାହିତ୍ୟ ଏକାଡେମୀ ସମେତ ଚାରିଟିଯାକ ଏକାଡେମୀ ହେଉଛି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ହୃଦୟତନ୍ତ୍ରୀ। ଆଗାମୀ (୨୦୨୧) ମାର୍ଚ୍ଚ ମାସ ସୁଦ୍ଧା ବାକିଥିବା ସମସ୍ତ ପୁରସ୍କାର ଦେଇ ଦିଆଯିବ। ଏକାଡେମୀ ପୁଣି ଚଳଚଞ୍ଚଳ ହୋଇଉଠିବ।

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ପୂର୍ବରୁ ଏପରି ପ୍ରତିଶ୍ରୁତି ମଧ୍ୟ ସଂପୃକ୍ତ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀମାନେ ଦେଇଆସିଛନ୍ତି। କିନ୍ତୁ ସ୍ଥିତି ଯେମିତିକୁ ସେମିତି ରହିଛି। ବରଂ ବର୍ଷ ପରେ ବର୍ଷ, ଅଧିକରୁ ଅଧିକ ନିରାଶାଜନକ ହେଉଛି।

ଉଦାହରଣ ସ୍ୱରୂପ, ଏହାର ପୂର୍ବବର୍ତ୍ତୀ ପୁରସ୍କାର ପ୍ରଦାନ ସଭା ଅନୁଷ୍ଠିତ ହୋଇଥିଲା ୨୦୧୭ ଡିସେମ୍ବର ୧ ତାରିଖରେ, ସେହି ରବୀନ୍ଦ୍ରମଣ୍ଡପରେ। ସେଦିନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଉପସ୍ଥିତିରେ ବିଭାଗୀୟ କମିସନର ମନୋରଂଜନ ପାଣିଗ୍ରାହୀ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ। ସେ ପ୍ରସ୍ତାବ ଦେଇଥିଲେ- ପ୍ରତିବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତାରିଖରେ ଏକାଡେମୀ ପୁରସ୍କାର ଦିଆଯାଉ। ଯଦି ନୋବେଲ ପୁରସ୍କାର ନିର୍ଦ୍ଦିଷ୍ଟ ମାସର ନିର୍ଦ୍ଦିଷ୍ଟ ବାରରେ ଘୋଷଣା ହୋଇପାରୁଛି, ସାହିତ୍ୟ ଏକାଡେମୀ ପୁରସ୍କାରରେ କାହିଁକି ସେପରି ହୋଇପାରିବ ନାହିଁ? ସେହି ତାରିଖଟି ଜୁଲାଇ ମାସର ୨୫ ତାରିଖ, ଏକାଡେମୀର ପ୍ରତିଷ୍ଠା ଦିବସ ହେଲେ ଭଲ। ତା’ହେଲେ ପୁରସ୍କାର-ବ୍ୟବସ୍ଥାଟି ଶୃଙ୍ଖଳିତ ହୋଇପାରିବ। କିନ୍ତୁ ତାଙ୍କର କାର୍ଯ୍ୟକାଳ ୨୦୨୧ ଅଗଷ୍ଟ ୫ ତାରିଖରେ ସରିଲା ସିନା, ସେହି କାର୍ଯ୍ୟକାଳ ମଧ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀର ପୁରସ୍କାର ଚୟନ ବ୍ୟବସ୍ଥାଟି ଶୃଙ୍ଖଳିତ ହୋଇପାରିଲା ନାହିଁ।

ଏ ପ୍ରସଙ୍ଗରେ ଆଉ ଜଣେ ପୂର୍ବ ସଭାପତିଙ୍କର ସାକ୍ଷାତ୍‌କାର ଅତ୍ୟନ୍ତ ପ୍ରାସଙ୍ଗିକ। ସେ ହେଉଛନ୍ତି ବିଶିଷ୍ଟ କଥାଶିଳ୍ପୀ, ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ତଥା ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ର ବିଜେତା ରାମଚନ୍ଦ୍ର ବେହେରା। ଏକାଡେମୀର ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ, ‘ଦ ସନ୍‌ଡେ ଇଣ୍ଡିଆନ୍‌’ ପତ୍ରିକାର ୨୦୧୦ ଜୁନ୍ ସଂଖ୍ୟାରେ ତାଙ୍କର ସାକ୍ଷାତ୍‌କାର କରିଥିଲେ କଥାଶିଳ୍ପୀ ତଥା ସାମ୍ବାଦିକ ଚିତ୍ତରଂଜନ ଚିରଞ୍ଜିତ। ସେତେବେଳକୁ ମଧ୍ୟ ଏକାଡେମୀର ପୁରସ୍କାର ପ୍ରଦାନ ଚାରିବର୍ଷ ଧରି ବାକି ଥିଲା ଏବଂ ଏକାଡେମୀ ପ୍ରକାଶିତ ‘କୋଣାର୍କ’ ପତ୍ରିକା ଅନିୟମିତ ହୋଇ ଯାଇଥିଲା। ତେଣୁ ଚିତ୍ତରଞ୍ଜନଙ୍କର ସେ ସଂପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ବେହେରା କହିଥିଲେ, “ଚାରିବର୍ଷ ଧରି ଏକାଡେମୀ ପୁରସ୍କାର ପ୍ରଦାନ ନହେବା ନିଶ୍ଚିତ ଭାବେ ସାହିତ୍ୟିକ ମୂଲ୍ୟବୋଧ ପ୍ରତି ଏକ ବିଡ଼ମ୍ବନା। ମୁଁ ଚେଷ୍ଟା କରିବି ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଯେଭଳି ନିର୍ଦ୍ଦିଷ୍ଟ ଦିନଟିଏ ସଂରକ୍ଷିତ ହୋଇ ରହେ। ସେହିଭଳି ଏକାଡେମୀ ଦ୍ୱାରା ପ୍ରକାଶିତ ପତ୍ରିକା ‘କୋଣାର୍କ’ ହେଉଛି ଏକ ଅମୂଲ୍ୟ ଗ୍ରନ୍ଥ। ପ୍ରତ୍ୟେକ ସଂଖ୍ୟାକୁ ସ୍ୱତନ୍ତ୍ର ସଂଖ୍ୟା ଭାବେ ଯେଭଳି ନିୟମିତ ପ୍ରକାଶ କରାଯାଇପାରିବ, ସେଥିପ୍ରତି ମୁଁ ଦୃଷ୍ଟିଦେବି।”
ମାତ୍ର ଶ୍ରୀ ବେହେରାଙ୍କର ସମସ୍ତ ଆନ୍ତରିକତା ସତ୍ତ୍ୱେ, ରାଜ୍ୟ ସରକାରଙ୍କର ଏବଂ ଏକାଡେମୀର ଅଧିକାରୀମାନଙ୍କର ଅନେକ ପ୍ରତିଶ୍ରୁତି ପାଣିର ଗାର ହେବା ପରି, ସେ ପ୍ରତିଶ୍ରୁତି ମଧ୍ୟ ପାଣିର ଗାର ହୋଇଯାଇଥିଲା।

ଏପରି ଅବ୍ୟବସ୍ଥା ଓ ଅନିୟମିତତା ସତେ ଯେମିତି ଓଡ଼ିଶା ସାହିତ୍ୟ ଏକାଡେମୀର ବିଧିଲିପି ହୋଇଯାଇଛି। ଆଜି ବି ଏକାଡେମୀ ଏହାର ବ୍ୟତିକ୍ରମ ନୁହେଁ।

ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି, ଉପସଭାପତି ଓ ସଚିବ (ସଂପାଦକ) ପଦ କିପରି ବର୍ଷ ବର୍ଷ ଧରି ଖାଲି ପଡ଼ିଥିଲା- ତାହା ଏହି ସ୍ତମ୍ଭଲେଖରେ ପୂର୍ବରୁ ବିଶଦ ଭାବରେ ଆଲୋଚିତ ହୋଇଛି। ବହୁ ନାଟକୀୟ ଘଟଣା ପରେ, ସଭାପତି, ଉପସଭାପତି ଓ ସଚିବ ପଦ ପୂରଣ ହେଲା। ଗୋଟିଏ ଧାରଣା ମଧ୍ୟ ଦିଆହୋଇଆସିଛି ଯେ ସରକାର ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରୋତ୍ସାହନ ଓ ବିକାଶ ପାଇଁ ସଂକଳ୍ପବଦ୍ଧ। ଏକାଡେମୀର ସଭାପତି, ଉପସଭାପତି ଓ ସଚିବ ପଦ ପୂରଣ କରାଯିବା ତାହାର ଏକ ନିଦର୍ଶନ ବୋଲି ମଧ୍ୟ ଧାରଣା ଦିଆଯାଉଛି। ଉଦାହରଣ ସ୍ୱରୂପ, ୨୦ ମେ ୨୦୨୧ରେ ସଚିବ ନିଯୁକ୍ତି ସଂପର୍କରେ ଯେଉଁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା, ସେଥିରେ ଉଲ୍ଲେଖ ଥିଲା, ଯେ ଓଡ଼ିଶା ସାହିତ୍ୟ ଏକାଡେମୀର ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ବିଭାଗ, ଶ୍ରୀ ପ୍ରବୋଧ କୁମାର ରାଉତ, ଓ.ଏ.ଏସ୍‌ଙ୍କୁ ଏକାଡେମୀର ସଚିବ ଭାବରେ ତିନିବର୍ଷ ପାଇଁ ଡେପୁଟେସନ୍‌ରେ ନିଯୁକ୍ତି ଦେଉଛନ୍ତି। ଏହି ନୂତନ ନିଯୁକ୍ତି ବେଳକୁ ଶ୍ରୀ ରାଉତ ‘ଓକାକ୍‌’ (ଓଡ଼ିଶା କଂପ୍ୟୁଟର ଆପ୍ଲିକେସନ୍ ସେଣ୍ଟର)ରେ ପ୍ରାଶାସନିକ ଅଧିକାରୀ ଭାବରେ ଅବସ୍ଥାପିତ ଥିଲେ।

କିନ୍ତୁ ସେ ସେଠାରୁ ସାହିତ୍ୟ ଏକାଡେମୀକୁ ଡେପୁଟେସନ୍‌ରେ ଆସିଲେ ନାହିଁ। ୨୦୨୧ ମସିହା ମେ ୨୨ ତାରିଖର କାର୍ଯ୍ୟାଳୟ ଆଦେଶ ଅନୁସାରେ, ଓକାକ୍‌ର ସିଇଓ ତାଙ୍କୁ ଓକାକ୍‌ର ପ୍ରାଶାସନିକ ଅଧିକାରୀ ପଦର କାର୍ଯ୍ୟ ସହିତ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ କାର୍ଯ୍ୟ କରିବାକୁ ‘ଅନୁମତି’ ଦେଲେ। ତେଣୁ ମୁଖ୍ୟତଃ ସେ ଓକାକ୍‌ରେ ତାଙ୍କର ବର୍ତ୍ତମାନର ପଦବିରେ ଅଛନ୍ତି ଏବଂ ସେଠାରୁ ଅନୁମତିପ୍ରାପ୍ତ ହୋଇ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଦାୟିତ୍ୱ ତୁଲାଉଛନ୍ତି। ଏହା କିନ୍ତୁ ରାଜ୍ୟର ଅନେକ ସାହିତ୍ୟାନୁରାଗୀଙ୍କୁ ଅଜଣା। ଧାରଣା ଦିଆଯାଉଛି ଯେ ସଚିବ ପୂର୍ଣ୍ଣକାଳୀନ; କିନ୍ତୁ ବସ୍ତୁତଃ ସେ କାମଚଳା।

ଏ ହେଉଛି ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରୀତିର ନମୁନା ତଥା ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ଓ ପ୍ରସାର ବ୍ୟବସ୍ଥା।

ଓଡ଼ିଶା ସାହିତ୍ୟ ଏକାଡେମୀର ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁସାରେ, ସଚିବ ହେଉଛନ୍ତି ‘ପ୍ରିନ୍‌ସପାଲ୍ ଏକ୍‌ଜିକ୍ୟୁଟିଭ୍ ଅଫିସର’ ବା ପ୍ରମୁଖ କାର୍ଯ୍ୟନିର୍ବାହୀ ଅଧିକାରୀ। ତେଣୁ ସେ ଯଦି କାମଚଳା ହେବେ, ଏକାଡେମୀର କାମ ସବୁ ବ୍ୟବସ୍ଥିତ ଭାବେ ଚଳିବ କେମିତି?

କିନ୍ତୁ ଏକାଡେମୀର ସଭାପତି ଓ ବିଭାଗୀୟ ନିର୍ଦ୍ଦେଶକଙ୍କ ଘୋଷଣା ସତ୍ତ୍ୱେ, ଏକାଡେମୀ ପୁରସ୍କାରର ବାକିଆବର୍ଷ ଯେ ବଢ଼ି ବଢ଼ି ଚାଲିଛି ଏଥିପାଇଁ କ’ଣ ସଚିବଙ୍କର ଏହି କାମଚଳା ଦାୟିତ୍ୱ ଦାୟୀ, ନା ତା’ର ଅନ୍ୟ କିଛି କାରଣ ଅଛି?

ଏ ପ୍ରଶ୍ନର ଉତ୍ତର ଖୋଜିବାର ବେଳ ଏବେ ଆସିଛି।

ମୋ: ୯୪୩୭୦ ୩୪୮୦୪
[email protected]

ସମ୍ବନ୍ଧିତ ଖବର