ଜନମତ

ଲୋକକ୍ଷେତ୍ର - ହରପ୍ରସାଦ ଦାସ

ଏଇ ଗତ ସପ୍ତାହ, ଗଣତନ୍ତ୍ର-ବିମୁଖ ତଥା ଗଣତନ୍ତ୍ରରେ ଭରସା ଜୁଟାଇ ବସିଥିବା ଏକ ବିଶିଷ୍ଟ ଗୁଣୀଗୋଷ୍ଠୀ ସହିତ ମୋର ତର୍କ ପରିଶେଷରେ ବ୍ୟକ୍ତିଗତ ଆକ୍ରୋଶରେ ଆସି ରହିଲା। ତର୍କର ତୀବ୍ରତାକୁ ଅଗତ୍ୟା ଅଟକାଇ ଦେବାକୁ ପଡ଼ିଲା, କାରଣ ମାନବ ସମାଜର ଏ ଦୁଃସମୟରେ ମଣିଷର ନ୍ୟୂନତମ ଭରସାକୁ କନ୍ଦୁକ ଭଳି ଖେଳିବାରେ ଓ ଜୟ-ପରାଜୟର ସର୍ତ୍ତ ରଖିବାରେ କାହାରି ହିତ ନ ଥିଲା। ବରଂ ସ୍ବପ୍ନ ଭଂଗର ହତାଶା ଥିଲା। ବୁଦ୍ଧିଜୀବୀ, ଯିଏ ଏ ନିଷ୍କର୍ଷରେ ଅଟଳ ଥିଲେ ଯେ ଗଣତନ୍ତ୍ର ବିଫଳ ହେଇଚି ଓ ନିୟନ୍ତ୍ରିତ ଏକଛତ୍ରବାଦ ହିଁ ଏକମାତ୍ର ବିକଳ୍ପ; ପ୍ରକୃତରେ କ’ଣ ସେଇଆ ଚାହୁଁଥିଲେ? ତାଙ୍କର କ୍ରୋଧ ଓ ହତାଶାର ପ୍ରକୃତ କାରଣ ବୋଧହୁଏ ଏଇଆ ଥିଲା ଯେ ଗଣତନ୍ତ୍ରର ବିବିଧ ଦୁର୍ବଳତାରେ ବିଚଳିତ ହୋଇ ସେ ଏକଛତ୍ରବାଦ ସପକ୍ଷରେ ତର୍କ କରୁଥିଲେ। ଆସର ଶେଷ ହେଲା ବେଳକୁ ମୋ ସମେତ ଆମେ ସମସ୍ତେ ବିମର୍ଷ ଥିଲୁ। ମନେ ହେଉଥିଲା ଯେମିତି ଆମେ କିଛି ଗୋଟେ ମୂଲ୍ୟବାନ ପଦାର୍ଥ ହରାଇ ଦେଇଚୁ। କ’ଣ ହେଇପାରେ ସେ ମୂଲ୍ୟବାନ ପଦାର୍ଥ? ବୋଧହୁଏ ସେ ମୂଲ୍ୟବାନ ପଦାର୍ଥ ଥିଲା ‘ଆସ୍ଥା’। ଜଣେ ଦୃଢ଼ନିଶ୍ଚିତ ଆକ୍ରାମକ ଗଣତନ୍ତ୍ରବାଦୀ ହେବା ସତ୍ତ୍ବେ ମୁଁ ବିପକ୍ଷର ବିଷୋଦ୍‌ଗାର ଦେଖି ହୁଏ’ତ କୋଉଠି ନା କୋଉଠି ଆହତ ହୋଇଥିଲି। ସେତେବେଳେ ନିରବ ରହିବା ଶ୍ରେୟସ୍କର ମନେ ହୋଇଥିଲା, ଯେତେବେଳେ କି ଚତୁର ବିଦ୍ବାନମାନେ ସୁପ୍ରତିଷ୍ଠିତ ଗଣତନ୍ତ୍ରମାନଙ୍କର ପରିଚାଳନାଗତ ଦୁର୍ବଳତାକୁ ‘ଥିଓରାଇଜ୍’ କରି ସାର୍ବଜନୀନ ସତ୍ୟରେ ପରିଣତ କରିଥିଲେ।

ବିଦ୍‌ବତ୍ତା ସତ୍ତ୍ବେ ମାନବୀୟ ଜୀବନମୂଲ୍ୟ ପ୍ରତି ଘୋର ଉଦାସୀନତା ଗଣତନ୍ତ୍ରକୁ ଏକ ସହଜ ଶିକାରରେ ପରିଣତ କରିଦେଇପାରେ; ତାହା ହିଁ ଘଟିଚାଲିଚି। ଗଣତନ୍ତ୍ରକୁ ନେଇ ‘ଲୋକକ୍ଷେତ୍ର’ରେ ମୋର ପ୍ରାୟ ଦଶ ବାରଟି ପ୍ରବନ୍ଧ ଏଥି ପୂର୍ବରୁ ଆପଣ ପଢ଼ି ସାରିଚନ୍ତି। ସେଥିରେ ନେତିବାଦୀ ଚିନ୍ତନର ଉଲ୍ଲେଖ କରିଚି ଯଦିଓ, ଏବେ ସମୟ ଆାସିଚି କେତେଗୁଡ଼ିଏ ଅଗଭୀର ଦ୍ବେଷ-ପରିଚାଳିତ ବିରୋଧକୁ ମୂଳରୁ ଉତ୍ପାଟିତ କରିବାକୁ ପଡ଼ିବ। ଗଣତନ୍ତ୍ର-ବିରୋଧର ବୌଦ୍ଧିକ ମୂଳକୁ ଚିହ୍ନି ନେବା ଦରକାର। ଏଇ ‘ମୂଳ’ଟି ଉଦାରବାଦୀ ଶିକ୍ଷା ବ୍ୟବସ୍ଥାର ରାଜନୀତି-ଦୃଷ୍ଟିକୁ କିଭଳି ପ୍ରଭାବିତ କରିଚି, ‌ତା’ର ବିଚାର ମଧ୍ୟ ସଂପୂର୍ଣ୍ଣ ହେବା ଦରକାର। ଲାଗୁଚି ଯେମିତି ଡିମୋକ୍ରାସି ଇଜ୍ ଷ୍ଟିଲ୍ ଅନ୍ ଟ୍ରାଏଲ୍!
ନା ଗଣତନ୍ତ୍ରର ବିଚାର ଚାଲିନି। ୟୁରୋ-ଆମେରିକାନ୍ ଇତିହାସର ଚାରି ଶହ ବର୍ଷର ଗଣତନ୍ତ୍ର ସହିତ ଭାରତ ଭଳି ଏକ ପାଂଚ ହଜାର ବା ସାତ ହଜାର ବର୍ଷରୁ ଅଧିକ ପ୍ରାଚୀନ ସଭ୍ୟତାର ମାନବିକତାର ସତ୍ୟ ପାଠକୁ ମିଶାଇ ପଢ଼ିଲେ ଅନ୍ତତଃ ଏତିକି ସ୍ପଷ୍ଟ ହୋଇଯିବ ଯେ ଗ୍ରେକୋ-ରୋମାନ୍ ଡିମୋକ୍ରାସି, ଆର୍ଯ୍ୟ ମାନବ ବାଦର ଗୋଟିଏ ବ୍ୟବସ୍ଥାଗତ ପରିପ୍ରକାଶ ମାତ୍ର ଥିଲା ଓ ଏବେ ମଧ୍ୟ ତାହା ହିଁ ହୋଇ ରହିଚି। ଅର୍ଥାତ୍ ‘ଗଣତନ୍ତ୍ର’ ଏକ ଆସ୍ଥା ନ ହୋଇ, ଏକଛତ୍ରବାଦ-ବିରୋଧୀ ଏକ ବ୍ୟବସ୍ଥା ହୋଇ ରହିଚି। ସମସ୍ୟା ପ୍ରକୃତରେ ଏଇଠି। ପାଶ୍ଚାତ୍ୟ ଗଣତନ୍ତ୍ରମାନଙ୍କର ଅଭ୍ୟୁଦୟର ବୈପ୍ଳବିକ ଉତ୍ସକୁ ଦେଖିଲେ ସ୍ପଷ୍ଟ ଜଣାପଡୁଚି ଯେ ଉଭୟ ଫରାସୀ ବିପ୍ଳବ ଓ ‘ଆମେରିକାନ୍ ୱାର୍ ଅଫ୍ ଇଣ୍ଡିପେଣ୍ଡେନ୍‌ସ’ ଥିଲେ ଏକଛତ୍ରବାଦ ବିରୋଧରେ ରକ୍ତାକ୍ତ ସଂଗ୍ରାମ; ତେଣୁ ସ୍ବଭାବତଃ ଏକ ପ୍ରତିକ୍ରିୟାଶୀଳତାର ବିସ୍ଫୋରକ ଦୃଷ୍ଟାନ୍ତ। ଏ ଦୁଇ ଗଣତନ୍ତ୍ର-ସ୍ରଷ୍ଟା ସଂଘର୍ଷ ବା ବିପ୍ଳବ ଆସ୍ଥାର ପ୍ରତିଷ୍ଠା ପାଇଁ ସଂଘଟିତ ହୋଇ ନ ଥିଲେ। ବିନା ଦ୍ବିଧାରେ କହି ହେବ ଯେ ଭାରତୀୟ ସ୍ବାଧୀନତା ସଂଗ୍ରାମ ଥିଲା ବିଶ୍ବର ପ୍ରଥମ ଆସ୍ଥା-ସଂଗ୍ରାମ। ଏକେ ତ ଏ ସଂଗ୍ରାମ ଥିଲା ଅହିଂସ, ଦ୍ବିତୀୟରେ ୟାର ଆଧାର ଥିଲା ଅସହଯୋଗ, ସ୍ବାଭିମାନ, ସ୍ବନିର୍ଭରଶୀଳତା। ଏ ଥିଲା ବିଶ୍ବର ସାମ୍ରାଜ୍ୟବାଦ ସହିତ ଏକ ଆଧ୍ୟାତ୍ମିକ ଆଳାପ। ଉଦାରବାଦୀ ସଂଗ୍ରାମ-ସାହିତ୍ୟରେ କେବଳ ରକ୍ତପାତର ନରକୀୟ ବ୍ୟାଖ୍ୟାନ ମିଳେ, ଏଥିରେ ଆଧ୍ୟାତ୍ମିକତା ସହିତ ସ୍ବାଧୀନତା ଓ ଗଣତନ୍ତ୍ରର ସଂପର୍କ ବିଷୟରେ ବିଚାର କରାଯାଏ ନାହିଁ। ତା’ର କାରଣ, ଭାରତୀୟ ସ୍ବାଧୀନତା ସଂଗ୍ରାମ ପୂର୍ବରୁ ମୁକ୍ତି ପାଇଁ ଆଧ୍ୟାତ୍ମିକତାର କୌଶଳ ଓ ‘ମେଟାଫର୍’ ଦୁଇଟି ଯାକ ଶକ୍ତିଶାଳୀ ମାର୍ଗ କେବେ ମଧ୍ୟ ଅନୁସୃତ ‌ ହୋଇ ନ ଥିଲେ। ତଥାକଥିତ ପାଶ୍ଚାତ୍ୟ ସଭ୍ୟ ଦେଶରେ ଧର୍ମର ପ୍ରତିଷ୍ଠା ମଧ୍ୟ ରକ୍ତପାତ ଦ୍ବାରା ହେଇଥିଲା।

ଭାରତୀୟ ସଭ୍ୟତାରେ ସ୍ଥିତି କେତେ ଭିନ୍ନ, ତ‌ାହା ଯେ କୌଣସି ଭାରତୀୟ ଜାଣେ, କିନ୍ତୁ ସେ ବିଷୟରେ ସେ ପାଠ ଆୟତ୍ତ କରିନାହିଁ; ଯତ୍‌ ସାମାନ୍ୟ ସଭ୍ୟତା-ପରିଚୟ ଆମର ଗୃହ, ସମାଜ ଓ ଶାସ୍ତ୍ରର ସଂସ୍କାରଗତ ଅଭ୍ୟାସରୁ। ୟାକୁ ପାଠରେ ପରିଣତ କରିବାର ଗୁରୁ ଦାୟିତ୍ବ ଭାରତୀୟମାନେ ଅନ୍ତତଃ ଦୁଇ ହଜାର ବର୍ଷ ଭିତରେ କାହିଁକି କରିପାରିଲେ ନାହିଁ, ତାହା ବିସ୍ମୟର କଥା। କେହି ଯଦି ଯୁକ୍ତି କରେ ଯେ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଶାସ୍ତ୍ରମାନଙ୍କର ପ୍ରୟୋଗ ହେଉଥିଲା, ତେବେ ତା’ର ଉତ୍ତର ହେବ ଏହି ଯେ ଶାସ୍ତ୍ରକୁ ଶାସ୍ତ୍ର ଭଳି ମୁଖସ୍ଥ କରାଇ ପାଠୁଆ-ପଣ୍ଡିତରେ ପରିଣତ କରି‌େଦଲେ ମାନବ ଜୀବନ ତହିଁରୁ ଶକ୍ତି ଆହରଣ କରିପାରେ ନାହିଁ। ଶାସ୍ତ୍ରକୁ ପାଠରେ ପରିଣତ କରିବା ପାଇଁ ଯେଉଁ ଅଧ୍ୟୟନ ପ୍ରଣାଳୀ ଓ ପ୍ରୟୋଗ ବିଧି ଆମର ମୁନିଋଷିମାନେ ବିକଶିତ କରିପାରିଥା’ନ୍ତେ, ତାହା ବୋଧହୁଏ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ପୂର୍ବରୁ ବା ବ୍ୟାକରଣ-ନିର୍ମିତ ପାଠର ବିସ୍ତାର ପୂର୍ବରୁ ବ୍ରାହ୍ମଣ୍ୟ ସର୍ବାଧିକାର ଓ ସ୍ମୃତି-ଭିତ୍ତିକ ପରଂପରା ଯୋଗୁ ହୋଇପାରିଲା ନାହିଁ। ଶାସ୍ତ୍ରର ସାଧାରଣୀକରଣ ନ ହୋଇ ପାରିବା ହେତୁ ଭାରତୀୟ ମାନବ ବିଦ୍ୟା ଓ ବିଶ୍ବଦୃଷ୍ଟି ଦୁଇଟି ଯାକ ବ୍ୟାପକ ମାନବ-ସଂସ୍କାର ସୃଷ୍ଟି କରିବାରେ ସମର୍ଥ ହେଲେ ନାହିଁ। ପାଶ୍ଚାତ୍ୟ ଶାସ୍ତ୍ର-ପରଂପରା ଓ ପାଠ ନିର୍ମାଣ ଠିକ୍ ବିପରୀତ ମାର୍ଗରେ ଯାଇ ‘ତାତ୍କାଳିକ’ ସନ୍ଦର୍ଭକୁ ଐତିହାସିକ ବିଚାରରେ ପରିଣତ କରିଦେଲେ ଓ ପାଠ ବି ପ୍ରଚଳିତ କରାଇଦେଲେ। ତାହା ହେଲା ଏଇଥି ପାଇଁ ଯେ ପାଠକୁ ନେଇ ପାଶ୍ଚାତ୍ୟ ପରଂପରା ବିଶେଷ ଆଗ୍ରହୀ ବା ଚିନ୍ତିତ ନ ଥିଲା।

ରାଜ୍ୟ ଜୟ, ରକ୍ତପାତ, ଦ୍ବେ‌ଷ, କଳହ, ଅଧିକାର, ସଂପତ୍ତି, ଭୋଗ, ବିଳାସ; ଏହି ସବୁ ଥିଲା ଶ୍ରେ‌ଷ୍ଠ ମାନବୀୟ ପ୍ରାପ୍ତି। ତ୍ୟାଗୀ, ଧ୍ୟାନୀ, ମୌନୀ, ତପସ୍ବୀ, ପ୍ରାଜ୍ଞ, ପାଶ୍ଚାତ୍ୟ ପରଂପରାରେ କାହାନ୍ତି? ଦେଖିଲେ ତ ଗୋଟିଏ ସକ୍ରେଟିସ୍, ଗୋଟିଏ ପ୍ଲାଟୋ, ଗୋଟିଏ ଆରିଷ୍ଟୋଟଲ୍‌କୁ ନେଇ ପାଶ୍ଚାତ୍ୟ ସଭ୍ୟତାର କି ଅହଂକାର! କଥା ଏମିତି ବି ହେଲା ଯେ ସକ୍ରେଟିସ୍ କି ବିଜ୍ଞତାର ନିଦର୍ଶନ ଛାଡ଼ିଗଲେ ଜାଣିବା ପାଇଁ ସକ୍ରେଟିସ୍‌ଙ୍କ ମୁଖନିଃସୃତ ବକ୍ତବ୍ୟ କିଛି ନ ଥିଲା। ୟାକୁ ଆମେ ପଢ଼ିଲେ ପ୍ଲାଟୋଙ୍କ ‘ସକ୍ରାଟିକ୍ ଡାଇଲଗ୍‌’ରେ, ଅର୍ଥାତ୍ ସକ୍ରେଟିସ୍ ଏଭଳି ତର୍କ ଉପସ୍ଥାପନ କରିଥିଲେ ବୋଲି ପ୍ଲାଟୋ କହିଲେ ସକ୍ରେଟିସ୍‌ଙ୍କ ତିରୋଧାନର ଅନେକ ପରେ। ତା’ ତୁଳନାରେ ଦେଖନ୍ତୁ ସକ୍ରେଟିସ୍ ଓ ପ୍ଲାଟୋଙ୍କ ଅନେକ ପୂର୍ବରୁ କେବଳ ସ୍ମୃତିରେ ଗଚ୍ଛିତ ହୋଇ ରହିଥିବା ବୈଦିକ, ଉପନିଷଦୀୟ ଓ ବିବିଧ ଉପଶାସ୍ତ୍ରୀୟ ବ୍ୟାଖ୍ୟାନ ମାନଙ୍କୁ।ଯାଜ୍ଞବଲ୍‌କ୍ୟଙ୍କ ସହିତ ଗାର୍ଗୀ ଓ ମୈତ୍ରେୟୀଙ୍କ ସମ୍ବାଦ, ବା ଉପନିଷଦ ମାନଙ୍କରେ ଜୀବନସୂତ୍ରର ବ୍ୟାପକ ତର୍ଜମା ବା ବ୍ରହ୍ମର ଅନାବରଣରେ ଭାଷ୍ୟ ଓ ସୂତ୍ରମାନ ବା ପରବର୍ତ୍ତୀ କାଳର ପୁରାଣମାନଙ୍କରେ ଶାସ୍ତ୍ରୀୟତାକୁ ଲୋକସ୍ମୃତିରେ ଉପସ୍ଥାପିତ କରିବାର ବିରାଟ କଳ୍ପନାଶୀଳତାର ପାଠ ପ୍ରତିଷ୍ଠା କାହିଁ? ଏ ପାଠ ପାଶ୍ଚାତ୍ୟ ବିଦ୍ବାନଙ୍କ ମୁଣ୍ଡରୁ ବାହାରିବା ସମ୍ଭବ ନ ଥିଲା ବୋଲି ତାଙ୍କର ଜ୍ଞାନଗୁରୁମାନେ ସ୍ବୀକାର ବି କରିଚନ୍ତି। କିନ୍ତୁ ଆମେ ଉଦାସୀନ, ସନ୍ଦିଗ୍‌ଧ ଓ ଅଧିକରୁ ଅଧିକ ଉଦାର ହୋଇ ନିଜ ସଭ୍ୟତାର ମୂଳ ଚ୍ଛେଦନ ପାଇଁ ସଦା ଉଦ୍ୟତ। ଦଳେ ବୁଦ୍ଧିଜୀବୀ ତ ଏଭଳି ବି ଅଛନ୍ତି ଯେ ‘ଭାରତୀୟ’ ଶୁଣିଲା ମାତ୍ରେ ନାକ ଟେକନ୍ତି ଓ ଆମକୁ ମୁହାଁମୁହିଁ କହି ବି ପାରନ୍ତି ଯେ ଆମର ଏ ଦେଶୀ ପାଠଗୁଡ଼ା ଗାଁ ପଣ୍ଡିତଙ୍କ ବା ବଇଦଙ୍କ ବସ୍ତାନିର ଚେରମୂଳି ମାତ୍ର! ସେ ଯାହା ହେଉ, ମାନିବାକୁ ହେବ ଯେ ଆମେ ଗୋଟେ ବିରାଟ ସଭ୍ୟତାର ମହୀରୂହକୁ ମୂଳୋତ୍ପାଟିତ ଏଭଳି କିଛି ଚେରମୂଳି ବସ୍ତାନିରେ (ସରି, ବ୍ୟାକ୍‌ପ୍ୟାକ୍‌ରେ) ରଖିଚେ ଯାହାକୁ ଆମେ ଆଉ ଚିହ୍ନିପାରୁନାହେଁ, କିନ୍ତୁ କି ଆଶ୍ଚର୍ଯ୍ୟ ସେଥିରୁ ବାସ୍ନା ବାହାରୁଚି ଏବେ ବି ।

‘ଗଣତନ୍ତ୍ର’ର ଭାରତୀୟ ବ୍ୟାଖ୍ୟାନ କାହିଁକି ନାହିଁ? କ’ଣ ଏଇଥିପାଇଁ ଯେ ଭାରତୀୟ ଗଣତନ୍ତ୍ର ୟୁରୋ-ଆମେରିକାନ୍ ଗଣତନ୍ତ୍ରର ପରେ ଆସିଲା? କ’ଣ ଏଇଥିପାଇଁ ଯେ ଆମର ଗଣତାନ୍ତ୍ରିକ ବିଚାର, ପ୍ରତିକ୍ରିୟାଶୀଳତାର ପରିଣତି ନ ଥିଲା, ବରଂ ଥିଲା ମାନବବାଦର ଶ୍ରେଷ୍ଠ ଅଭିବ୍ୟକ୍ତି। ଜନପଦୀୟ ସଂସ୍କୃତିର ଅଧ୍ୟୟନ ହୋଇଚି କି ନାହିଁ ମୁଁ ଜାଣେନାହିଁ, କିନ୍ତୁ ଗଣତନ୍ତ୍ରର ଭାରତୀୟ ପାଠ ବିକଶିତ କରି ଶିକ୍ଷା ବ୍ୟବସ୍ଥାରେ ପ୍ରବେଶ ନ କରାଇଲା ଯାଏଁ ଆମ ପାଖରେ ତଥାକଥିତ ଉଦାରବାଦର ପାଠକୁ ଅସ୍ବୀକାର କରିବା ପାଇଁ ଭୂମି ନାହିଁ।

ଆଗରୁ କହିଚି ଯେ ପ୍ରତିକ୍ରିୟା-ସଂଭୂତ ଗଣତନ୍ତ୍ରର ଆସ୍ଥା-ଆଧାର ନାହିଁ, ତେଣୁ ତାହା କେବଳ ବ୍ୟବସ୍ଥାଗତ। ବ୍ୟବସ୍ଥା ଠିକ୍ ଚାଲିଲେ ଯେ ତନ୍ତ୍ର ଠିକ୍ ଚାଲିବ ଏମିତି ତ ନୁହେଁ। ଯଦି ବ୍ୟବସ୍ଥାକୁ ଆପଣ ତନ୍ତ୍ର ବୋଲି ବୁଝନ୍ତି ଓ ସରକାରକୁ ଗଣତନ୍ତ୍ର ବୋଲି ଭାବନ୍ତି, ତେବେ ‘ଗଣ’ର ଅଭିବ୍ୟକ୍ତି ଯିବ କୁଆଡ଼େ? ଯାହାକୁ ଆମେ ‘ଜନମତ’ ବୋଲି କହୁଚେ ସିଏ ପୁଣି କୋଉଠୁ ଆସିବ? ନିର୍ବାଚନ ପଦ୍ଧତି ଠିକ୍ ହେଲେ ଠିକ୍ ପ୍ରତିନିଧି ବାଛି ହେବ କି? ଏଇଠି ଆସିଲା ଆସ୍ଥା ନିର୍ମାଣର ପ୍ରସଙ୍ଗ। ପାଶ୍ଚାତ୍ୟ ରାଜନୀତି ପାଠରେ ଗଣତନ୍ତ୍ରର ବିଶ୍ବସନୀୟତା ମୂଳରୁ ବିତର୍କିତ। ଠିକ୍ ପ୍ରଥମ ବିଶ୍ବ ଯୁଦ୍ଧର ପରେ ପରେ, ଲିଗ୍ ଅଫ୍ ନେସନ୍‌ସ୍ ପ୍ରତିଷ୍ଠା ପରେ ପରେ ପରିବେଶ ଯେତେବେଳେ ଥିଲା ‘ନୂଆ ଆଶା’ ବା ‘ଘୋର ହତାଶା’ର (ଯାହାକୁ ବି ବାଛନ୍ତୁ, ଠିକ୍) ୧୯୨୨ରେ ଆମେରିକାର ହାରକୋର୍ଟ, ବ୍ରେସ୍ ଆଣ୍ଡ୍ କଂପାନି ପ୍ରକାଶିତ କଲେ ପ୍ରଖ୍ୟାତ ସାମ୍ବାଦିକ, ବିଦ୍ବାନ ଓ ଉଦାରବାଦୀ ଚିନ୍ତକ ୱାଲଟର୍ ଲିପ୍‌ମ୍ୟାନ୍‌ଙ୍କର ରଚନା ‘ପବ୍ଲିକ୍ ଓପିନିଅନ୍’। ଏହି ବହିଖଣ୍ଡକ ଏକ ପାଠ୍ୟ ବହି ଭାବରେ ବିଶ୍ବର ସମସ୍ତ ଗଣତନ୍ତ୍ରକାମୀ ନାଗରିକଙ୍କ ହାତରେ ରହିବା କଥା। ଏହି ବର୍ଷ ଏ ଆଇକନିକ୍ ବହିକୁ ଶହେ ବର୍ଷ ପୂରିଲା। ଏବେ ମଧ୍ୟ ଏ ବହି ଉପଲବ୍‌ଧ ଓ ନିରବରେ ଚର୍ଚ୍ଚିତ। ନିରବରେ ଚର୍ଚ୍ଚିତ କାରଣ ଏ ବହିରେ ଆମର ଚଳନ୍ତି ଗଣତନ୍ତ୍ରକୁ ଅଚଳ ଓ ଅବିଶ୍ବସନୀୟ ପ୍ରମାଣିତ କରିବାର ଚମତ୍କାର ତର୍କ ଉପସ୍ଥାପିତ କରିଚନ୍ତି ଲିପ୍‌ମ୍ୟାନ୍। ସ୍ବୀକାର କରିବାରେ ଦ୍ବିଧା ନାହିଁ ଯେ ଏ ବହିଟି ଥିଲା ରାଜନୀତି ବିଜ୍ଞାନ ପ୍ରତି ମୋତେ ଆକୃଷ୍ଟ କରିଥିବା ପ୍ରଥମ ବହି ମୋ ଛାତ୍ର ଜୀବନରେ। ତର୍କ ଚମତ୍କାର, କିନ୍ତୁ ନିଷ୍କର୍ଷ ବିପଜ୍ଜନକ। ଏ ବହିରେ ଲିପ୍‌ମ୍ୟାନ୍‌ଙ୍କ ଯୁକ୍ତି ଗୁଡ଼ିକ ଏହିପରି: (୧) ଲୋକେ ରାଷ୍ଟ୍ରର ବିପୁଳ ବାସ୍ତବତାକୁ ବୁଝନ୍ତି ନାହିଁ, ତା’ର ତର୍ଜମା କରିଜାଣନ୍ତି ନାହିଁ, ତେଣୁ ସେମାନେ ଯେଉଁ ରାଷ୍ଟ୍ର ବା ବାସ୍ତବତାର ପ୍ରୟୋଗ କରନ୍ତି ତାହା ତାଙ୍କ ସ୍ବରଚିତ ବାସ୍ତବତା, ଏଠୁସେଠୁ କ’ଣ ଟିକିଏ ଲେଖାଏଁ ଯୋଡ଼ାଯୋଡ଼ି କରି ଗୋଟିଏ କାଳ୍ପନିକ ବାସ୍ତବତାକୁ ନେଇ ସେମାନେ ଗଣତନ୍ତ୍ରର ରୂପ ଗଢ଼ନ୍ତି। ନା ସେମାନେ ଠିକ୍ ଅର୍ଥରେ କେବେ ‘ଗଣ’ ହୋଇପାରନ୍ତି ନା ତା’ର ‘ତନ୍ତ୍ର’କୁ ଅନୁମାନ କରିପାରନ୍ତି! ୟାକୁ ଲିପ୍‌ମ୍ୟାନ୍ କହନ୍ତି ଗଣତନ୍ତ୍ରର ‘ଛଦ୍ମ ପରିବେଶ’ (ସିଉଡୋ-ଏନ୍‌ଭିରନ୍‌ମେଣ୍ଟ୍) (୨) ନେତାଏ, ଯେଉଁମାନେ ପ୍ରକୃତ ସତ୍ୟ ସହିତ ପରିଚିତ, କେବେ ବି ସମଗ୍ର ସତ୍ୟକୁ ଲୋକଙ୍କ ଜାଣିବା ପାଇଁ ଉଦ୍‌ଘାଟିତ କରନ୍ତି ନାହିଁ। ସତ୍ୟର ସ୍ଥାନ ନିଏ ପ୍ରୋପାଗାଣ୍ଡା। ସତ୍ୟ ଜାଣୁଥିଲେ ଲୋକେ ପ୍ରୋପାଗାଣ୍ଡା ଦ୍ବାରା ପ୍ରତାରିତ ହୁଅନ୍ତେ ନାହିଁ। ଏଇଠି ନେତାଏ ମିଡିଆକୁ କରାୟତ୍ତ କରି ବ୍ୟବହାର କରନ୍ତି। ୟାକୁ ସେ କହୁଚନ୍ତି ‘ପର୍ସେପ୍‌ଚୁଆଲ୍ ପାରାଲାକ୍‌ସ’ ଅର୍ଥାତ୍ ଯାହା ଦିଶେ ତାହା ନୁହେଁ।

ମିଡିଆ ‌ଲୋକଙ୍କୁ ସବୁ ସତ୍ୟ କହନ୍ତି ନାହିଁ, କାରଣ ଶସ୍ତା ମିଡିଆ ଶସ୍ତା ଖବର ଜଣାଏ। ସତ୍ୟର ଉଦ୍‌ଘାଟନ ପୁଂଜି ନିର୍ଭର। (୩) ଜନତାର ମତ ନ ଥାଏ, ମତ ନିର୍ମାଣ କରାଯାଏ। ଯେଉଁ ଅଦୃଶ୍ୟ ପ୍ରକ୍ରିୟାରେ ମତ ନିର୍ମାଣ କରାଯାଏ, ତାକୁ ସରଳ ଭାବରେ ଏହିପରି ଦେଖା ଯାଇପାରେ ଯେ ଅପେକ୍ଷାକୃତ ପ୍ରଭାବଶାଳୀ ଓ ଶିକ୍ଷିତ ଲୋକେ ବା ମିଡିଆ ଲୋକଙ୍କ ଦୃଷ୍ଟି ବଦଳାନ୍ତି, ଯାହା ସତ୍ୟ ନ ହୋଇପାରେ, କିନ୍ତୁ ମତ ବଦଳେଇବା ପାଇଁ ଯଥେଷ୍ଟ। ଲିପ୍‌ମ୍ୟାନ୍ ଜଣେ ଛଦ୍ମ ଗଣତନ୍ତ୍ରବାଦୀ; ତାଙ୍କର ‘ପବ୍ଲିକ୍ ଓପିନିଅନ୍’ ବହିଟିରେ ସିଏ ଗଣତନ୍ତ୍ରର ଆଧାରକୁ ଯେଭଳି ଭାବରେ ଧ୍ବସ୍ତ କରିଦେଲେ, ତାକୁ ପୁଣି ଥରେ ଗଢ଼ିବା ପାଇଁ ସକାରାତ୍ମକ ରଚନା (ସେଇ ସ୍ତରର) ଆଉ ହେଇନି ଏଯାଏଁ। ବହିଟି ପ୍ରକାଶିତ ହେବା ପରେ ଆମେରିକାନ୍ ଦାର୍ଶନିକ ଡିୱିଙ୍କ ସହିତ ଲିପ୍‌ମ୍ୟାନ୍‌ଙ୍କର ଏକ ଦୀର୍ଘ ତର୍କ ଆରମ୍ଭ ହେଲା। ଲିପ୍‌ମ୍ୟାନ୍‌ ଆହୁରି ଉତ୍ସାହିତ ହୋଇ ‘ଫାଣ୍ଟମ୍ ପବ୍ଲିକ୍’(ଭୂତ ଜନତା) ବୋଲି ଗୋଟିଏ ବହି ଲେଖିଲେ ୧୯୨୫ରେ। ଅତି ବିଚକ୍ଷଣତା ଦେଖାଇ ସେ ପ୍ରମାଣିତ କରି ଚାଲିଲେ ଯେ ଗଣତନ୍ତ୍ର ଏ ଜନତାଙ୍କ ଦ୍ବାରା ଚଳିବ ନାହିଁ, ଜନତା ଭୂତ, ଅଜ୍ଞାନୀ, ମୂର୍ଖ, ଶୀଘ୍ର-ପ୍ରଭାବିତ, ଚିନ୍ତାଶୂନ୍ୟ, କଳ୍ପନାବିଳାସୀ ଇତ୍ୟାଦି। ଦାର୍ଶନିକ ଡିୱି କେବଳ ଗୋଟିଏ କଥା କହିଲେ ଯେ ଗଣତନ୍ତ୍ରର ଆଧାର ଜନତା ଓ ତାକୁ ଧ୍ବଂସ କରି ଦେଇ ଗଣତନ୍ତ୍ର ଅଚଳ ବୋଲି କହିବାର କିଛି ଅର୍ଥ ନାହିଁ। ଲିପ୍‌ମ୍ୟାନ୍‌ କହିଲେ ଯେ ନିୟନ୍ତ୍ରିତ ଏକଛତ୍ରବାଦ ବରଂ ଭଲ। ହାସ୍ୟାସ୍ପଦ ଏ ତର୍କ, କିନ୍ତୁ ବିଶ୍ବାସ କରନ୍ତୁ ଉଦାରବାଦୀ ଚିନ୍ତକମାନଙ୍କ ମନରେ ଏ କଥା ଏବେ ବି ରହିଚି। ଡୋନାଲ୍‌ଡ ଟ୍ରଂପ୍‌ଙ୍କ ନିର୍ବାଚନ ଓ ‘ବ୍ରେକ୍‌ସିଟ୍‌’ର ପୃଷ୍ଠଭୂମିରେ ଗଣତନ୍ତ୍ରକୁ ସନ୍ଦେହ କରିବା ପାଇଁ ବହୁ ଉପାଦାନ ଉଦାରବାଦୀ ଶିକ୍ଷା ବ୍ୟବସ୍ଥା ଏକାଠି କଲାଣି। କିନ୍ତୁ, ଗଣତନ୍ତ୍ର-ଏକଛତ୍ରବାଦ ଡିବେଟ୍ ଏବେ ମଧ୍ୟ ଅସମାହିତ ବୋଲି କୁହାଯାଉଚି।

ବିଜ୍ଞ ପାଶ୍ଚାତ୍ୟ ବିଦ୍ବାନ ଏତିକି କାହିଁକି ଲକ୍ଷ୍ୟ କରିନାହାନ୍ତି ଯେ ଗଣତନ୍ତ୍ର ଏକ ଅସମାପ୍ୟ ପରିଯୋଜନା, ତେଣୁ ୟାର ଉତ୍କର୍ଷ ସଦା-ପରିକଳ୍ପିତ, ୟାର ପ୍ରୟାସ ହିଁ ୟାର ସାମର୍ଥ୍ୟ। ସେହିପରି ଯେଉଁ ‘ଜନମତ’କୁ ଉଦାରବାଦୀମାନେ ପ୍ରକୃତରେ ଘୃଣା କରନ୍ତି, ସେମାନେ ବି କ’ଣ ଜାଣନ୍ତି ନାହିଁ ସମୟର ଗତି ସିନା କାଲେଣ୍ଡର୍‌ରେ ସରଳ ରୈଖିକ, ପ୍ରକୃତରେ ପ୍ରତି ମାନବୀୟ ଅନୁଭୂତି ବହୁ ବୃତ୍ତ ଓ ଅନ୍ତଃବୃତ୍ତ ଭିତର ଦେଇ ପରିପକ୍ବ ହୁଏ। ତେଣୁ ମିଡିଆର ସମୟ ଲୋକଙ୍କ ସମୟ ନୁହେଁ। ବିଶ୍ବରେ ଯେଉଁ ପଚାଶରୁ ଅଧିକ ଦେଶରେ ଏକଛତ୍ରବାଦ ଏବେବି ଚାଲିଚି, ସେଠି ସେମାନେ ଗଣତନ୍ତ୍ରର ନାଁ ନେଇ ବିତ୍ପାତ ଘଟାଇ ଚାଲିଚନ୍ତି। ଯେଉଁ ଦେଶମାନଙ୍କରେ ଗଣତନ୍ତ୍ର ପାଇଁ ସଂଗ୍ରାମ ଚାଲିଚି, ସେଠି ସତ୍ୟର ବଳ ନାହିଁ। ମୋର ଦୃଢ଼ ଧାରଣା ଯେ ସଂପନ୍ନ ବିଶ୍ବ ଆମର ଦୃଷ୍ଟି ଆସ୍ଥାରୁ ହଟାଇ ବ୍ୟବସ୍ଥାରେ କେନ୍ଦ୍ରିତ କରିବାକୁ ଚାହେଁ। ଚୀନ ଓ ରୁଷ୍ ମଧ୍ୟ ଗଣତନ୍ତ୍ର ନୁହନ୍ତି, ସେଠି ଆସ୍ଥାର ଚିନ୍ତା ବି ନାହିଁ। ଆମର କିନ୍ତୁ ଆସ୍ଥାର ଚିନ୍ତା ଅଛି। ଆମର ଚିନ୍ତନ ଶୈଳୀ ଆସ୍ଥାଶ୍ରୟୀ। ଗଣତନ୍ତ୍ର ଆମରି ‌େକ୍ଷତ୍ର‌ରେ ହିଁ ସଫଳ ହେବ। ନାକାମୁରାଙ୍କ ‘ୱେ ଅଫ୍ ଥିଙ୍କିଙ୍ଗ୍‌ ଅଫ୍ ଦ ଇଷ୍ଟର୍ଣ୍ଣ ପିପ୍ଲ’ରେ ଆସ୍ଥାକୁ ଭାରତୀୟମାନେ ଜୀବନଶୈଳୀରେ ପ୍ରୟୋଗ କରିବାର ବ୍ୟାଖ୍ୟା ପଢ଼ି ମୁଁ ବିସ୍ମିତ ହେଲି ନାହି, କେବଳ ଦୁଃଖିତ ହେଲି ଏଇଥିପାଇଁ ଯେ ବିଶ୍ବରେ ଗଣତନ୍ତ୍ରକୁ ୟୁରୋ ଆମେରିକାନ୍‌ମାନେ ଏକାଧିପତ୍ୟର ରଣକୌଶଳ ଭାବରେ ପ୍ରୟୋଗ କରି ଚାଲିଚନ୍ତି, ଅଥଚ ଆମେ ଜାଣିପାରୁନେ। ଆମର ରାଜନେତାମାନେ ଅବଶ୍ୟ ଏ ସଂକେତ ପାଉଚନ୍ତି ଯେ ଲୋକେ ସବୁବେଳେ ସମାନ ଭାବରେ ଅଜ୍ଞ ହୋଇ ରହିବେ ନାହିଁ। ଭାରତୀୟମାନେ ଅବଶ୍ୟ ତାଙ୍କର ନିଜ ସଭ୍ୟତାର ଆଲୋକରେ ଗଣତନ୍ତ୍ରକୁ ଏକ ଆସ୍ଥା ପୀଠରେ ପରିଣତ କରିବେ। ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ପାଠବିକାଶ ହେବ ୟାର ପ୍ରଥମ ସୋପାନ। ଗଣତନ୍ତ୍ର ଠିକ୍ ଚାଲିଚି। ଜନମତକୁ ନେଇ ବିଚଳିତ ସବୁଠୁ ବେଶି ସେଇମାନେ, ଯେଉଁମାନେ ତାକୁ ବିଭ୍ରାନ୍ତ କରିଚନ୍ତି। ଜନମତ ଗୋଟେ ସ୍ଥିର ବିନ୍ଦୁ ନୁହେଁ, ଏ ଏକ ସତତ ପରିବର୍ତ୍ତନଶୀଳ ଅନୁମାନ। ୟାର ସଂକେତ ଆସ୍ଥା ମାଧ୍ୟମରେ ହିଁ ପଢ଼ି ହେବ ଓ ଗଢ଼ି ହେବ। ରାଜନୀତି ମିଛ ଛାଡ଼ି ଦେଲେ, ଜନମତ ସତ କହିବ। ଜନମତ ସତ କହିଲେ ଗଣତନ୍ତ୍ର ନିଜକୁ ମାର୍ଜିତ କରି କରି ଚାଲିବ। ଏଇ ପ୍ରକ୍ରିୟାଟି ଗଣତନ୍ତ୍ରର ପରିଚୟ।

ବାଗର୍ଥ, ଏନ୍ ୨/୨୬
ଆଇଆର୍‌ସି ଭିଲେଜ୍, ଭୁବନେଶ୍ବର-୧୫
ମୋ-୯୪୩୭୦୩୯୮୫୮

ସମ୍ବନ୍ଧିତ ଖବର