ବ୍ୟକ୍ତିତ୍ୱ ବିକାଶ ପ୍ରସଙ୍ଗରେ

ଗୀତିକା ପଟ୍ଟନାୟକ

ପ୍ରତ୍ୟେକ ବ୍ୟକ୍ତିର ଚାଲିଚଳଣ, ଆଚାର ବ୍ୟବହାର, ଭାବନା, କଥା କହିବା ଶୈଳୀ, ମନର ଆବେଗ ଏବ˚ ଜୀବନ ଜିଇବାର କଳାରେ କିଛି ସ୍ବତନ୍ତ୍ରତା ଥାଏ। ଏହି ସ୍ବତନ୍ତ୍ରତା ହିଁ ବ୍ୟକ୍ତିର ବ୍ୟକ୍ତିତ୍ବ ନିର୍ଦ୍ଧାରଣ କରିଥାଏ। ସେହି ଦୃଷ୍ଟିରୁ ପ୍ରତ୍ୟେକ ବ୍ୟକ୍ତିଙ୍କ ବ୍ୟକ୍ତିତ୍ବ ଅନ୍ୟ ଠାରୁ ଭିନ୍ନ।

ମନସ୍ତତ୍ତ୍ବବିତ୍‌ ଏରିକ୍‌ସନ୍‌ଙ୍କ ମତରେ ଶୈଶବରେ ପିଲାମାନେ ସେମାନଙ୍କ ପିତାମାତାଙ୍କ ପାଖରୁ ଯେପରି ବ୍ୟବହାର ପାଇଥା’ନ୍ତି, ପରବର୍ତ୍ତୀ ଜୀବନରେ ସେହିପରି ଭାବରେ ସେ ଅନ୍ୟମାନଙ୍କ ସହିତ ବ୍ୟବହାର କରିଥା’ନ୍ତି। ଉଦାହରଣ ସ୍ବରୂପ ଯଦି ପିତାମାତା ବା ଅଭିଭାବକ ପିଲାଙ୍କ ଆଗରେ ଆଲୋଚନା କରନ୍ତି ଯେ ଯଥେଷ୍ଟ ଅର୍ଥ କିମ୍ବା ସୁବିଧା ସୁଯୋଗ ଅଭାବରୁ ସେମାନଙ୍କର ପିଲା ଉଚ୍ଚଶିକ୍ଷା ଏବ˚ ଉଚ୍ଚ ପଦପଦବିରୁ ବଞ୍ଚିତ ହେଉଛନ୍ତି, ତେବେ, ପିଲାଏ ତାହାକୁ ସତ ମଣନ୍ତି ଓ ତାହା ସେମାନଙ୍କ ଚିନ୍ତାଧାରା ଓ ଧାରଣାକୁ ପ୍ରଭାବିତ କରିଥାଏ। ସେହିପରି ଭୂତ-ପ୍ରେତ ବା ମନଗଢ଼ା କାହାଣୀ ପିଲା ମନରେ ଅନ୍ଧବିଶ୍ବାସ ଏବ˚ ଅଯଥା ଭୟ ସୃଷ୍ଟି କରିଥାଏ, ଯାହା ପରବର୍ତ୍ତୀ ଜୀବନରେ ସୁସ୍ଥ ବ୍ୟକ୍ତିତ୍ବ ବିକାଶରେ ଅନ୍ତରାୟ ହୋଇଥାଏ। ଆଜିକାଲିର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଜୀବନର ଘୋଡ଼ା ଦୌଡ଼ରେ ପିତାମାତାମାନେ ସାମିଲ ହେଉଥିବାରୁ ସେମାନଙ୍କ ପିଲାମାନେ ଶୈଶବକୁ ଉପଭୋଗ କରିବାର ସୁଯୋଗ ପାଉ ନାହାନ୍ତି। ଏଭଳି ସ୍ଥିତିରେ ପିଲାଏ ନିଜର ରୁଚି, ଆଗ୍ରହ ପ୍ରତି ଧ୍ୟାନ ଦେଇପାରୁନାହାନ୍ତି ଏବ˚ ଚିନ୍ତାଶକ୍ତିକୁ ପ୍ରଶସ୍ତ କରିପାରୁନାହାନ୍ତି। ଏହି ପ୍ରତିଦ୍ବନ୍ଦ୍ବିତା କାରଣରୁ ପିତାମାତା ବା ଶିକ୍ଷକମାନେ ପିଲାମାନଙ୍କୁ ଅନ୍ୟ ସମବୟସ୍କ ପିଲାମାନଙ୍କ ସହିତ ତୁଳନା କରୁଛନ୍ତି, ଯାହା ପିଲାଙ୍କ ମନରେ ଅଯଥା ହୀନମନ୍ୟତା ଜାତ କରୁଛି। ଏଭଳି ପରିବେଶରେ ବଢ଼ିଥିବା ପିଲାମାନଙ୍କ ବ୍ୟକ୍ତିତ୍ବରେ ଏକ ଅନାବଶ୍ୟକ ଆକ୍ରମଣାତ୍ମକ ମନୋଭାବ‌ ବା ବିବ୍ରତବୋଧ ବା ଉଦ୍‌ବେଳନ ଦେଖିବାକୁ ମିଳିଥାଏ। ଯେଉଁ ପିଲାମାନଙ୍କ ପିତାମାତା ତଥା ଅଭିଭାବକମାନେ ପିଲାଙ୍କ ଆଗ୍ରହ ଓ ରୁଚି ପ୍ରତି ଧ୍ୟାନ ଦିଅନ୍ତି, ସେମାନଙ୍କ ଦୁର୍ବଳତାକୁ ତାଚ୍ଛଲ୍ୟ ନ କରି ସୁଧାରିବା ଦିଗରେ ଦୃଷ୍ଟି ଦିଅନ୍ତି, ସେମାନେ ଯେ ନିଜ ବାଟରେ ସ୍ବତନ୍ତ୍ର ଏଭଳି ଭାବିବାକୁ ପ୍ରୋତ୍ସାହନ ଦିଅନ୍ତି, ସେଭଳି ପରିବାରର ପିଲାମାନେ ଅଧିକ ଆତ୍ମ-ପ୍ରତ୍ୟୟବାନ ଓ ସ୍ଥିର ଚିତ୍ତ ହୋଇ ବଢ଼ନ୍ତି।

ଜୀବନ ଅନୁଭୂତିମୟ। ପ୍ରତିଦିନ ଘଟିଯାଉଥିବା ଛୋଟ-ବଡ଼ ଘଟଣାର ଅନୁଭୂତି ଭବିଷ୍ୟତ୍‌ ଜୀବନକୁ ପ୍ରଭାବିତ କରିଥାଏ। ନିଜର ଲକ୍ଷ୍ୟ ପ୍ରାପ୍ତିରେ ବିଫଳ ହେଲେ ସ୍ବାଭାବିକ ଭାବେ ହତାଶ ଭାବ ଦେଖା ଦିଏ। ଏହା ଦ୍ବାରା ଅନେକ ଲୋକ ମାନସିକ ଭାବେ ଦୁର୍ବଳ ମଧ୍ୟ ହେଇ ଯାଆନ୍ତି। ସେଇ ଭଳି ଜଣେ ବ୍ୟକ୍ତି ଯଦି କ୍ରମାଗତ ଭାବରେ ସଫଳତା ପାଇ ଚାଲନ୍ତି, ତେବେ ସେ ବାହାରକୁ ଦୃଢ଼ବୋଧ ହେଉଥିଲେ ମଧ୍ୟ ସାମାନ୍ୟ ବିଫଳତା ତାଙ୍କୁ ଦୁର୍ବଳ କରି ପକାଏ। କିନ୍ତୁ ଆମେ ସେହି ବ୍ୟକ୍ତିଙ୍କୁ ସାର୍ଥକ ବୋଲି କହିବା ଯିଏ ଅନେକ ବାଧା ଓ ବିଘ୍ନ ସହିବା ସତ୍ତ୍ବେ ପ୍ରୟାସ ଜାରି ରଖନ୍ତି। ସଫଳତା ସେମାନଙ୍କୁ ମାତ୍ରାଧିକ ଉଲ୍ଲସିତ ବା ଉତ୍ସାହୀ କରେ ନାହିଁ ବା ବିଫଳତା ଗଭୀର ଭାବେ ମ୍ରିୟମାଣ କରେ ନାହିଁ। ସେହିମାନେ ହିଁ ସ୍ଥିତପ୍ରଜ୍ଞ। ପୂର୍ବରୁ କୁହାଯାଇଥିବା ଭଳି ଯେଉଁ ପିଲାମାନେ ଏକ ସ୍ଥିର ଏବଂ ଅନୁକୂଳ ପରିବେଶରେ ବଢ଼ି ଥାଆନ୍ତି, ସେମାନଙ୍କ ଆତ୍ମିକ ଭିତ୍ତିଭୂମି ଦୃଢ଼ ହୁଏ; ସେମାନେ ଆଶାବାଦୀ ହୁଅନ୍ତି ଓ ବିଫଳତା ବା ପ୍ରତିକୂଳ ସ୍ଥିତିରେ ଶୀଘ୍ର ଭାଙ୍ଗି ପଡ଼ନ୍ତି ନାହିଁ।

ଆମେ ନିତିଦିନିଆ ଜୀବନରେ ବିଭିନ୍ନ ପ୍ରକାର ବ୍ୟକ୍ତିଙ୍କ ସ˚ସ୍ପର୍ଶରେ ଆସିଥାଉ। ସେମାନଙ୍କ ମଧ୍ୟରୁ କେତେକଙ୍କ ବ୍ୟବହାର, ସାମାଜିକ ପ୍ରତିଷ୍ଠା ତଥା ଜୀବନଶୈଳୀ ଆମକୁ ଆକୃଷ୍ଟ କରିଥାଏ। ଆମେ ଭବିଷ୍ୟତ୍‌ରେ ସେହିପରି ବ୍ୟକ୍ତିତ୍ବର ଅଧିକାରୀ ହେବା ପାଇଁ ଚେଷ୍ଟା କରିଥାଉ। ସେଥି ଲାଗି ପିଲାମାନଙ୍କୁ ବଡ଼ ମଣିଷମାନଙ୍କର ଆତ୍ମଜୀବନୀ ପଢ଼ିବାକୁ କୁହାଯାଏ। ତାହା ଦ୍ବାରା ପିଲାମାନେ ମହାପୁରୁଷମାନଙ୍କର ଉଚ୍ଚ ଆଦର୍ଶ ଦ୍ବାରା ଅନୁପ୍ରାଣିତ ହେବାର ସମ୍ଭାବନା ରହିଥାଏ। ମହାପୁରୁଷମାନଙ୍କ ଜୀବନ ଯେ କେତେ ବିଫଳତା ଭରା ଓ କ୍ଳେଶମୟ ହୋଇଥାଏ, ତାହା ସେମାନେ ହୃଦୟଙ୍ଗମ କରିପାରନ୍ତି। ସେମାନେ ବୁଝିପାରନ୍ତି ଯେ ଜୀବନରେ ବିଫଳତା ଆସିପାରେ, କିନ୍ତୁ ତାହା ଯେମିତି ସେମାନଙ୍କ ପରିଚୟ ନ ହୁଏ, ସେଥି ଲାଗି ସେମାନଙ୍କୁ ହିଁ ଉଦ୍ୟମ କରିବାକୁ ହେବ। କୌଣସି ନକାରାତ୍ମକ ପରିସ୍ଥିତିରେ ବି ନିରୁତ୍ସାହିତ ନ ହୋଇ ଧୈର୍ଯ୍ୟ ଏବ˚ ସାହସର ସହିତ ପରିସ୍ଥିତିର ମୁକାବିଲା କରି ସେମାନେ ଯେ ପରିଶେଷରେ ସଫଳତା ହାସଲ କରିପାରିବେ, ଏହି ଆତ୍ମବିଶ୍ବାସ ସେମାନଙ୍କ ମନରେ ଜାତ ହୁଏ।

ସତ କହିଲେ ଅଯଥା ଉଦ୍‌ବେଗ, ଉତ୍କଣ୍ଠା ଏବ˚ ଭୟାତୁର ମାନସିକତା ସ୍ନାୟୁ ବିକାର ଏବ˚ ଅସ୍ଥିରତାକୁ ଜନ୍ମ ଦେଇଥାଏ, ଯାହା ବ୍ୟକ୍ତିତ୍ବ ବିକାଶରେ ଅନ୍ତରାୟ ହୋଇଥାଏ। ଆମର ବ୍ୟକ୍ତିଗତ, ସାମାଜିକ ଏବ˚ ସା˚ସ୍କୃତିକ ସ୍ଥିତି ଆମ ଜୀବନ ଚିତ୍ରପଟକୁ ଚିତ୍ରିତ କରିଥାଏ। ବ୍ୟକ୍ତିର ଦୃଷ୍ଟିଭଙ୍ଗୀ, ବ୍ୟବହାର ଏବ˚ ସାମାଜିକ ସମ୍ପର୍କ ହିଁ ତା’ର ବ୍ୟକ୍ତିତ୍ବର ସ˚ଜ୍ଞା ନିରୂପଣ କରିଥାଏ।

ମୋ- ୮୨୪୯୬୨୬୭୮୫

ସମ୍ବନ୍ଧିତ ଖବର