ବିଶ୍ବବିଦ୍ୟାଳୟ ଗୁଡ଼ିକ ସାଧାରଣତଃ ସହର ମାନଙ୍କରେ ଅବସ୍ଥିତ। କିନ୍ତୁ ଏହି ଲେଖାରେ ବିଶ୍ବବିଦ୍ୟାଳୟ ସହର ଯାହା ବିଶ୍ବବିଦ୍ୟାଳୟକୁ କେନ୍ଦ୍ର କରି ଗଢ଼ି ଉଠିଛି, ସେମାନଙ୍କୁ ନେଇ। ଯଥା- ଇଂଲଣ୍ଡର କେମ୍ବ୍ରିଜ୍ ଓ ଅକ୍ସଫୋର୍ଡ, ଫ୍ରାନ୍ସର ଷ୍ଟ୍ରାସବର୍ଗ, ଇଟାଲିର ଫ୍ଲୋରେନ୍ସ, ଜର୍ମାନିର ହାଇଡେଲ୍ବର୍ଗ, ଫ୍ରାଇବର୍ଗ, ଗିସେନ, ଗଟିନଗେନ ଇତ୍ୟାଦି। ସ୍ଥାନର ଆକାର ହିସାବରେ ସେହି ଦେଶର ଅନ୍ୟ ସହର ତୁଳନାରେ ଏଗୁଡ଼ିକ ଯଥେଷ୍ଟ ଛୋଟ। କିନ୍ତୁ ଗୁରୁତ୍ବ ବେଶୀ। କାରଣ ବିଶ୍ବବିଦ୍ୟାଳୟ ସହରଗୁଡ଼ିକ ଶିକ୍ଷାର କେନ୍ଦ୍ର ଓ ଦେଶର ଆଗାମୀ ଚିନ୍ତାଶୀଳ ବ୍ୟକ୍ତିମାନଙ୍କର ସୃଷ୍ଟି ସ୍ଥଳ।
ଆମ ଦେଶରେ ଗୁରୁକୁଳ ପରଂପରା ସୃଷ୍ଟି ହୋଇଥିଲା ଏବଂ ଏହାର ଉତ୍କର୍ଷ ଦେଖାଗଲା ତକ୍ଷସିଳା ଓ ନାଳନ୍ଦା ଭଳି ବିଶ୍ବବିଦ୍ୟାଳୟ ଜନପଦ ସୃଷ୍ଟିରେ। ଏହି ମହାନ ଶିକ୍ଷାୟତନଗୁଡ଼ିକ ସହର ବା ଦେଶର ରାଜଧାନୀରେ ପ୍ରତିଷ୍ଠିତ ହୋଇନଥିଲା। ଆମ ଦେଶରେ ବିଗତ ଦେଢ଼ଶହ ବର୍ଷ ଭିତରେ ବିଶ୍ବବିଦ୍ୟାଳୟ ମାନ ସହରମାନଙ୍କରେ ସ୍ଥାପିତ ହୋଇଥିଲେ ହେଁ ବିଶ୍ବବିଦ୍ୟାଳୟକୁ କେନ୍ଦ୍ର କରି ସହରକୁ ଜାଣିବା ସଂସ୍କୃତିକୁ ଆମେ ହରାଇ ବସିଛୁ।
ମଧ୍ୟ ଯୁଗରେ କଳା ଓ ବିଜ୍ଞାନ ବିଷୟରେ ଶିକ୍ଷା ଓ ଗବେଷଣା ପାଇଁ ପ୍ରାୟ ପ୍ରତ୍ୟେକ ୟୁରୋପୀୟ ଦେଶରେ ବଡ଼ ବଡ଼ ସହର ଠାରୁ ଦୂରରେ ସ୍ବତନ୍ତ୍ର ବିଶ୍ବବିଦ୍ୟାଳୟ ମାନ ସ୍ଥାପିତ ହୋଇଥିଲା ଏବଂ ତା’ ପରେ ଯାହାସବୁ ସେଠି ଗଢ଼ି ଉଠିଲା ସେ ସବୁ ଛାତ୍ର ଓ ଶିକ୍ଷକଙ୍କ ଆବଶ୍ୟକତାକୁ ନେଇ। ଯଥା- ବିଭିନ୍ନ ବିଭାଗ, ଗ୍ରନ୍ଥାଗାର, ପ୍ରୟୋଗଶାଳା, ବହି ମୁଦ୍ରଣ ସ୍ଥାନ, ଛାତ୍ରାବାସ, ବହି ଦୋକାନ, ହୋଟେଲ, ଆମୋଦ ପ୍ରମୋଦ ପାଇଁ ବ୍ୟବସ୍ଥା ଇତ୍ୟାଦି। ଶିଳ୍ପ ବିପ୍ଳବ ପରେ ଦେଶର ସାମୂହିକ ବିକାଶ ପାଇଁ ବୈଷୟିକ ଜ୍ଞାନ ବିଶ୍ବବିଦ୍ୟାଳୟର ପ୍ରୟୋଗଶାଳାରୁ ଉଦ୍ଭାବନ କରାଗଲେ ମଧ୍ୟ ତାହାର ଉପଯୋଗ ଶିଳ୍ପ ମାଧ୍ୟମରେ ଦୂରରେ ଅବସ୍ଥିତ ସହରରେ ହେବା ବ୍ୟବସ୍ଥା କରାଗଲା। ତେଣୁ ଏହି ଶିକ୍ଷାୟତନ ମାନଙ୍କରେ ଅଧ୍ୟାପକ ତଥା ଛାତ୍ରଛାତ୍ରୀମାନଙ୍କର କେବଳ ଜ୍ଞାନ ଆହରଣ, ବିତରଣ ଓ ଗବେଷଣା ପାଇଁ ପ୍ରାଧାନ୍ୟ ଦିଆଗଲା ଓ ଦେଶର ଭାଗ୍ୟ ନିର୍ଦ୍ଧାରଣର କୌଶଳ ଏଠାରେ ହିଁ ପ୍ରସ୍ତୁତ ହେଉଥିଲା।
ବିଶ୍ବବିଦ୍ୟାଳୟ ସହରମାନଙ୍କରେ ଆଜିଯାଏଁ ଶିକ୍ଷାଦାନ ଓ ଶିକ୍ଷା ଆହରଣର ବ୍ୟବସ୍ଥା ସଂପୂର୍ଣ୍ଣ ନିଆରା। ଏହା ଅନୁଭବ ହିଁ କରିହେବ। ମୁଁ ବିଗତ ୪୦ ବର୍ଷ ମଧ୍ୟରେ ଜର୍ମାନି, ଇଟାଲି, ହଙ୍ଗେରୀ ଓ ଚେକ୍ ରିପବ୍ଲିକ୍ର ଛଅ ଗୋଟି ଭିନ୍ନ ଭିନ୍ନ ବିଶ୍ବବିଦ୍ୟାଳୟ ସହରରେ ଗବେଷଣା କରିବାର ସୁଯୋଗ ପାଇଛି। ପ୍ରଥମେ ୧୯୮୨-୮୩ ସାଲରେ ଆଲପସ ପର୍ବତମାଳାର ପାଦ ଦେଶରେ ଅବସ୍ଥିତ ଜର୍ମାନିର ଫ୍ରାଇବର୍ଗର ଆଜକୁ ୫୬୫ ବର୍ଷ ପୁରୁଣା ଆଲବର୍ଟ-ଲୁଡୱିଗ ବିଶ୍ବବିଦ୍ୟାଳୟରେ। ଏହାର ବିଭିନ୍ନ ବିଭାଗ ସହର ସାରା ବିଛାଇ ହୋଇ ରହିଛି। ଗୋଟାଏ ନିର୍ଦ୍ଦିଷ୍ଟ ପରିସର ଭିତରେ ନୁହେଁ। ସତେ ଯେପରି ପୂରା ସହରଟି ଏକ କ୍ୟାମ୍ପସ୍। ଏଠାର ବିଭିନ୍ନ ସ୍ଥାନରେ ଦ୍ବିପହର ଓ ସଂଧ୍ୟା ଭୋଜନ ପାଇଁ ବିଶ୍ବବିଦ୍ୟାଳୟ ଦ୍ବାରା ପରିଚାଳିତ ବିରାଟକାୟ ଭୋଜନାଳୟମାନ ସ୍ଥାପିତ ହୋଇଅଛି ଓ ପ୍ରତ୍ୟେକଟିରେ ପାଞ୍ଚ ହଜାର ବା ତାହାଠାରୁ ଅଧିକ ବ୍ୟକ୍ତିଙ୍କ ପାଇଁ ଖାଇବା ବ୍ୟବସ୍ଥା ଉପଲବ୍ଧ। ବିଭିନ୍ନ ବିଭାଗରେ ପ୍ରାୟ ପ୍ରତ୍ୟେକ ଦିନ କୌଣସି ନା କୌଣସି ତର୍କ, ବକ୍ତୃତା, ସଂଗୀତ, ବହିରାଗତ ପ୍ରଫେସରଙ୍କ ସହ ଆଲୋଚନା ଇତ୍ୟାଦିର ଆୟୋଜନ ହୋଇଥାଏ। ବିଦେଶୀ ଛାତ୍ରଛାତ୍ରୀ ଓ ଗବେଷକମାନଙ୍କୁ ଛୁଟି ଦିନମାନଙ୍କରେ ଦେଶର ପୁରାତନ ସାଂସ୍କୃତିକ କେନ୍ଦ୍ର ମାନଙ୍କୁ ବୁଲାଇ ନେବାର ବ୍ୟବସ୍ଥା ଓ ବିଦେଶୀ ଆଗନ୍ତୁକଙ୍କ ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟାଳୟ ସ୍ଥାପିତ।
ବିଶ୍ବବିଦ୍ୟାଳୟ ସହରମାନଙ୍କରେ ଛାତ୍ରଛାତ୍ରୀମାନେ ସାଧାରଣତଃ ଛାତ୍ରାବାସରେ ରହିବା ବ୍ୟବସ୍ଥା କରାଯାଏ। ଖାଇବା ବ୍ୟବସ୍ଥା କିନ୍ତୁ ରହିଛି ବିଶ୍ବବିଦ୍ୟାଳୟ ଭୋଜନାଗାରରେ। ତା’ଛଡ଼ା ନିଜେ ନିଜେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ମଧ୍ୟ ଛାତ୍ରାବାସରେ ସ୍ବତନ୍ତ୍ର ସମୂହ ରୋଷେଇ ଘର ଥାଏ। ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ଆତ୍ମସଚେତନ ଓ ଆତ୍ମନିର୍ଭରଶୀଳ। ବାପା, ମା’, ଅଭିଭାବକଙ୍କ ଚିନ୍ତାଧାରା ସେମାନଙ୍କ ଉପରେ ଲଦି ଦେବାର ଅବକାଶ ନ ଥାଏ। ଛାତ୍ର ଆନ୍ଦୋଳନ, ଶିକ୍ଷା ନିର୍ଘଣ୍ଟ ମଧ୍ୟରେ ହଠାତ୍ ଛୁଟି ଘୋଷଣା, ରାଜନେତାମାନେ ପରିଦର୍ଶନରେ ବା ନିମନ୍ତ୍ରିତ ହୋଇ ଆସି କୌଣସି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ବା ଫଳକ ଲଗାଇବା, ପ୍ରତ୍ୟେକ କାର୍ଯ୍ୟକ୍ରମ ଆରମ୍ଭରେ ଏକ ନିର୍ଦ୍ଦିଷ୍ଟ ସମୟ ଉଦ୍ଘାଟନୀ ଭାଷଣ ପାଇଁ ରଖିବା, କାର୍ଯ୍ୟକ୍ରମ ପରେ ଆୟୋଜକଙ୍କ ତରଫରୁ ଜଳଖିଆ ବା ଭୋଜନର ବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କ ଭିତରେ ନିର୍ବାଚନ ଜରିଆରେ ପ୍ରତିନିଧି ଚୟନ କରାଯିବା, ଶିକ୍ଷକମାନେ ଠିକ ସମୟରେ ଶ୍ରେଣୀଗୃହକୁ ନ ଯିବା ଓ ବିନା ପ୍ରସ୍ତୁତିରେ ଯିବା, ପ୍ରୟୋଗଶାଳାରେ ଯନ୍ତ୍ରପାତି ବା ରାସାୟନିକ ପଦାର୍ଥ ଓ ଉପକରଣ ନ ଥାଇ କ୍ଲାସ୍ ବନ୍ଦ ହେବା ବା ଚଳାଇ ନେବା ଭଳି ନିତିଦିନିଆ ଘଟଣା; ଯାହା ଆମ ଶିକ୍ଷାୟତନରେ ଘଟୁଛି ତାହା ସେଠି ଚିନ୍ତାର ବାହାରେ। ଟିଉସନ ସ୍ବପ୍ନ। ତେଣୁ କିଶୋର ବୟସରୁ ଶୁଆ ପାଠିଆ ପଢ଼ା ଦ୍ବାରା ଜ୍ଞାନ ଆହରଣରେ ଅେଧାଗତି ହେବା ସେଠାରେ ସମ୍ଭବ ନୁହେଁ। ଛାତ୍ରଛାତ୍ରୀଙ୍କ ପରିବାର ଧନୀ ହେଉ କି ଗରିବ, ଅନେକେ ବଳକା ସମୟରେ ହୋଟେଲ, ରେଷ୍ଟୁରାଣ୍ଟ, ବହିଦୋକାନ, ଛାପାଖାନା ଇତ୍ୟାଦିରେ ସ୍ପଳ୍ପ ସମୟ କାର୍ଯ୍ୟ କରି ଆତ୍ମନିର୍ଭର ହେବା ପାଇଁ କିଛି ରୋଜଗାର କରିଥା’ନ୍ତି। ତେଣୁ ବିଭିନ୍ନ ବିଭାଗ ଅଲଗା ଅଲଗା ସ୍ଥାନରେ ବିସ୍ତୃତ ଭାବେ ଥିଲେ ବି ଛାତ୍ର ଓ ଛାତ୍ରୀମାନେ ଦଳଦଳ ହୋଇ ବୁଲିବା, ସଂଧ୍ୟା ସମୟରେ ଏକତ୍ର ହୋଇ ଖଟିରେ ସମୟ ଅପଚୟ କରିବା କିମ୍ବା ରାଜନୈତିକ କାର୍ଯ୍ୟକଳାପରେ ବ୍ୟସ୍ତ ରହିବା ଦେଖା ଯାଏ ନାହିଁ। ଶିକ୍ଷା ଦାନ ବର୍ଷରେ ଦୁଇଟି ସେମିଷ୍ଟାର ହୋଇଥାଏ। ଅକ୍ଟୋବରରୁ ଜାନୁଆରି ଓ ଏପ୍ରିଲରୁ ଜୁଲାଇ ଯାଏଁ କ୍ଲାସ୍ ହୁଏ। ପ୍ରତି ସେମିଷ୍ଟାର ପରବର୍ତ୍ତୀ ଦୁଇ ମାସ ସବୁଆଡ଼େ ଖାଁ ଖାଁ ଲାଗେ। ସେହି ସମୟରେ ଛାତ୍ରଛାତ୍ରୀମାନେ ନିଜ ଘରକୁ କିମ୍ବା ଅନ୍ୟ ଦେଶକୁ ଛୁଟି କଟାଇବା ପାଇଁ ଯାଇଥା’ନ୍ତି ଓ ଶିକ୍ଷକମାନେ ବିଭିନ୍ନ ସମ୍ପାନ, ଦେଶର ଅନ୍ୟ ବିଶ୍ବବିଦ୍ୟାଳୟ ବା ବିଦେଶରେ ଅନ୍ୟ ସହଯୋଗୀଙ୍କ ସହ ମିଳିତ ଗବେଷଣା ବା ପରିଦର୍ଶକ ଭାବେ ଯାଇ ଜ୍ଞାନ ଆହରଣ କରିଥା’ନ୍ତି। ଏଥିପାଇଁ ଛୁଟି ଆବେଦନ ଓ ମଂଜୁରି ଇତ୍ୟାଦିର ଆବଶ୍ୟକତା ପଡ଼େ ନାହିଁ।
ଅନ୍ୟ ଏକ ମଧ୍ୟ ଯୁଗରେ ସ୍ଥାପିତ ଗିସେନ ସହରସ୍ଥିତ ଯୁଷୁଟସ ଲିବିଗ ବିଶ୍ବବିଦ୍ୟାଳୟରେ ଗବେଷଣା ପାଇଁ ଦୁଇ ଥର ସୁଯୋଗ ମିଳିଥିଲା। ପ୍ରାୟ ୪୦୦ ବର୍ଷ ପୁରୁଣା ଏହି ଶିକ୍ଷାୟତନରେ ଯେଉଁ ପ୍ରଖ୍ୟାତ ଶିକ୍ଷକମାନେ କାର୍ଯ୍ୟ କରି ପାରଦର୍ଶିତା ଲାଭ କରିଛନ୍ତି ସେମାନଙ୍କର ତୈଳ ଚିତ୍ର ତଥା ଗବେଷଣାର ବିବରଣୀ ଏକ ଗେଲେରିରେ ପ୍ରଦର୍ଶିତ। ସେ ଭିତରୁ ଜଣେ ହେଉଛନ୍ତି ପ୍ରଫେସର ୱିଲହେଲ୍ମ ରୋଇଣ୍ଟଜେନ ଯେ କି ଚିକିତ୍ସା କ୍ଷେତ୍ରରେ ପ୍ରୟୋଗ ହେଉଥିବା ‘ ରଞ୍ଜନ ରଶ୍ମି’ର ଉଦ୍ଭାବକ। ସେ ସେଠାରେ ପଦାର୍ଥ ବିଜ୍ଞାନରେ ପ୍ରଫେସର ଥିଲେ ଓ ୨୦୦୧ ସାଲରେ ନୋବେଲ ପୁରସ୍କାର ଆରମ୍ଭ ହେବାର ପ୍ରଥମ ବର୍ଷରେ ହିଁ ଲାଭ କରିଥିଲେ। ଯୁଷ୍ଟୁସ ଲିବିଗ, ଯାହାଙ୍କ ନାମରେ ବିଶ୍ବବିଦ୍ୟାଳୟ ନାମିତ ହୋଇଅଛି, ସେ ୧୮୩୦ ଠାରୁ ୧୮୭୩ ପର୍ଯ୍ୟନ୍ତ ରସାୟନ ବିଜ୍ଞାନରେ ପ୍ରଫେସର ଥିଲେ ଓ ଚାଷ ପାଇଁ ବିଭିନ୍ନ ରାସାୟନିକ ସାରର ସେ ଉଦ୍ଭାବକ। ସେ ବ୍ୟବହାର କରିଥିବା ଯନ୍ତ୍ରପାତି ଓ ଗବେଷଣା ଲବ୍ଧ ଜ୍ଞାନକୁ ନେଇ ସହରର ମୁଖ୍ୟ ରେଳ ଷ୍ଟେସନରେ ‘ଲିବିଗ ମ୍ୟୁଜିଅମ୍’ ସ୍ଥାପିତ ହୋଇଅଛି। ସେ ସହରର ଆୟତନ ପ୍ରାୟ ଭୁବନେଶ୍ବର ସହ ସମାନ ହେଲେ ବି ସେଠାରେ କେବଳ ଗୋଟିଏ ପ୍ରତିମୂର୍ତ୍ତି ଅଛି। ତାହା ପ୍ରଫେସର ଜୁଷ୍ଟୁସ ଲିବିଗଙ୍କର। ଦ୍ବିତୀୟ ବିଶ୍ବଯୁଦ୍ଧରେ ସେହି ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିଟି ଧ୍ବଂସ ପାଇ ଯାଇଥିଲା। ଆଉ ଗୋଟିଏ ପ୍ରତିମୂର୍ତ୍ତି ନିର୍ମାଣ ନ କରି ସେହି ଧ୍ବଂସ ସ୍ତୂପରୁ କେବଳ ମସ୍ତକଟି ସଂଗୃହୀତ କରାଯାଇ ସେହି ସ୍ଥାନରେ ସ୍ଥାପିତ ହୋଇଅଛି ଓ ବିଶ୍ବବିଦ୍ୟାଳୟ ସହରର ମର୍ଯ୍ୟାଦାକୁ ସସମ୍ମାନେ ଧାରଣ କରିଛି। ତେଣୁ ଯେଉଁ ସବୁ ଦେଶ ବିକଶିତ ଭାବେ ଗଣାଯାଏ ସେ ଦେଶର ବିଶ୍ବବିଦ୍ୟାଳୟର ସ୍ବତନ୍ତ୍ରତା, ଗବେଷଣାର ମାନ ଓ ଶିକ୍ଷାଦାନ ବ୍ୟବସ୍ଥା ଉନ୍ନତ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତ। ଆଲେଖ୍ୟର ବିଷୟବସ୍ତୁ ଏହାର ଏକ ଉଦାହରଣ ମାତ୍ର।
ପ୍ରାକ୍ତନ କୁଳପତି
ଫକୀର ମୋହନ ବିଶ୍ବବିଦ୍ୟାଳୟ
ମୋ- ୯୪୩୯୪୩୧୬୦୦