ମୁଁ ଜାଣିଥିବା ଜଣେ ଉଲ୍ଲେଖନୀୟ ବ୍ୟକ୍ତି ହେଉଛନ୍ତି ମାଡ୍ରାସ୍ର ସାହିତ୍ୟ ପ୍ରାଧ୍ୟାପକ କେ. ସ୍ବାମୀନାଥନ୍ ଯିଏ ‘କଲେକ୍ଟେଡ୍ ଵାର୍କସ୍ ଅଫ୍ ମହାତ୍ମା ଗାନ୍ଧୀ’ (ମହାତ୍ମା ଗାନ୍ଧୀଙ୍କ ରଚନାବଳୀ)ର ମୁଖ୍ୟ ସମ୍ପାଦକ ଥିଲେ। ପୁଡୁକ୍କୋଟାଇ ସହରରେ ୧୮୯୬ ଡିସେମ୍ବର ୩ରେ ସ୍ବାମୀନାଥନ୍ ଜନ୍ମ ହୋଇଥଲେ। ୧୯୯୬ରେ ଯେତେବେଳେ ତାଙ୍କ ଜନ୍ମ ଶତବାର୍ଷିକୀ ପାଳିତ ହେଉଥିଲା, ‘ଦି ହିନ୍ଦୁ’ରେ ମୁଁ ତାଙ୍କର ଏକ କ୍ଷୁଦ୍ର ଜୀବନ ଚରିତ ଲେଖିଥିଲି (ମୋ’ ପୁସ୍ତକ ‘ଆନ୍ ଆନ୍ଥ୍ରୋପୋଲୋଜିଷ୍ଟ୍ ଏମଙ୍ଗ୍ ଦି ମାର୍କ୍ସିଷ୍ଟ୍ସ ଆଣ୍ଡ୍ ଅଦର ଏସେଜ୍’ରେ ସ୍ଥାନୀତ)।
Sambad is now on WhatsApp
Join and get latest news updates delivered to you via WhatsApp
ମହାତ୍ମା ଗାନ୍ଧୀଙ୍କ ହତ୍ୟା ପରେ କଂଗ୍ରେସ କାର୍ଯ୍ୟକାରୀ କମିଟି ତାଙ୍କ ନାମରେ ଏକ ଜାତୀୟ ସ୍ମାରକୀ ପାଣ୍ଠି ପ୍ରତିଷ୍ଠା କରିଥିଲା। ଆନ୍ତଃ ସମ୍ପ୍ରଦାୟ ସଦ୍ଭାବକୁ ପ୍ରୋତ୍ସାହିତ କରିବା ଭଳି ଗାନ୍ଧୀଙ୍କର ଅତି ପ୍ରିୟ ରଚନାମୂଳକ କାର୍ଯ୍ୟ ସମେତ ବିଭିନ୍ନ ଭାଷାରେ ଥିବା ତାଙ୍କର ସମସ୍ତ ଲେଖା ଓ ନୀତିବାଣୀର ସଂଗ୍ରହ, ସଂରକ୍ଷଣ ଓ ପ୍ରକାଶନ ସହ ଏକ ସଂଗ୍ରହାଳୟ କଥା ମଧ୍ୟ ସ୍ଥିର କରାଯାଇଥିଲା, ଯେଉଁଠି ଗାନ୍ଧୀଜୀଙ୍କ ସହ ଜଡ଼ିତ ବିଭିନ୍ନ ଲେଖା ସାଇତା ଯାଇ ପାରିବ।
ଗାନ୍ଧୀ ସ୍ମାରକ ନିଧି ନାମରେ ଏହି ସ୍ମାରକୀ ପାଣ୍ଠି ୧୯୪୯ ମସିହାରେ ସ୍ଥାପିତ ହୋଇଥିଲା। ବିକ୍ଷିପ୍ତ ହୋଇ ରହିଥିବା ତାଙ୍କ ଇଂରେଜୀ, ହିନ୍ଦୀ ଓ ମାତୃଭାଷା ଗୁଜରାଟୀରେ ଚକିତ କଲା ଭଳି ବିବିଧ ବିଷୟକ ଲେଖାଗୁଡ଼ିକୁ ଏହି ଅନୁଷ୍ଠାନ ସାବରମତୀ ଆଶ୍ରମ ସହଯୋଗରେ ସଂଗ୍ରହ କରିବା ଆରମ୍ଭ କରିଥିଲା। ଗାନ୍ଧୀ ତିନିଟି ବହି, ଅନେକ ପୁସ୍ତିକା, ଡଜନ ଡଜନ ଯାଚିକା, ଶହ ଶହ ଖବରକାଗଜର ଆଲେଖ୍ୟ ଓ ହଜାର ହଜାର ଚିଠି ଲେଖିଥିଲେ। ସେ ଅନେକ ସାକ୍ଷାତ୍କାର ଓ ଅଭିଭାଷଣ ମଧ୍ୟ ଦେଇଥିଲେ। ଏପରିକି ସପ୍ତାହରେ ଦିନେ ଆଦୌ କଥାବାର୍ତ୍ତା ନ କରିବା ପାଇଁ ସେ ବାଛିଥିବା ‘ନିରବ ଦିବସ’ ସୋମବାରରେ ସେ ଅନେକ କଥା ତାଙ୍କ ନିଜସ୍ବ ଶୈଳୀରେ ଲେଖା ଜରିଆରେ ବ୍ୟକ୍ତ କରୁଥିଲେ।
୧୯୫୬ ସୁଦ୍ଧା ଏପରି ଅନେକ ତଥ୍ୟ ସଂଗୃହୀତ ହୋଇଥିଲା ଯାହା ପୁସ୍ତକ ଆକାରରେ ପ୍ରକାଶିତ ହେବା ଲାଗି ଯଥେଷ୍ଟ ହେବ ବୋଲି ଗାନ୍ଧୀ ସ୍ମାରକ ନିଧି ବିଚାରିଥିଲା। ତାଙ୍କର ଏହି ଲେଖା ସଂଗ୍ରହ କାର୍ଯ୍ୟ ନିମନ୍ତେ ବଲ୍ଲଭଭାଇ ପଟେଲଙ୍କ ମୃତ୍ୟୁ ପରେ ମୋରାରଜୀ ଦେଶାଇଙ୍କ ଅଧ୍ୟକ୍ଷତାରେ ଏକ ପରାମର୍ଶଦାତା ପରିଷଦ ଗଠିତ ହୋଇଥିଲା। ଏହାର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଗାନ୍ଧୀଙ୍କ ଲେଖାର ପ୍ରକାଶନ ସ୍ବତ୍ବ ପାଇଥିବା ନବଜୀବନ ପ୍ରେସ୍ର ପ୍ରତିନିଧି, ଗାନ୍ଧୀଙ୍କ ନିକଟତର ଥିବା ଅନେକ ସମାଜସେବୀ ଏବଂ ହିନ୍ଦୁସ୍ଥାନ ଟାଇମ୍ସ ଖବରକାଗଜର ସମ୍ପାଦକ ଥିବା ତାଙ୍କ ସର୍ବକନିଷ୍ଠ ପୁଅ ଦେବଦାସ ଆଦି ରହିଥିଲେ। ମହାତ୍ମାଙ୍କ ଜୀବନ ଉପରେ ଏକ ବୃତ୍ତଚିତ୍ର ପ୍ରସ୍ତୁତ କରିବାରେ ଦେବଦାସ ଗାନ୍ଧୀଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା।
ଏହି ରଚନା ସଂଗ୍ରହର ମୁଖ୍ୟ ସମ୍ପାଦକ ଭାବେ ଭାରତନ୍ କୁମାରପ୍ପା ନିଯୁକ୍ତ ହୋଇଥିଲେ। ଦର୍ଶନ ଶାସ୍ତ୍ର ଓ ଧର୍ମର ଜଣେ ବିଦ୍ବାନ ଭାରତନ୍ ଏଡିନ୍ବର୍ଗ ଓ ଲଣ୍ଡନ ବିଶ୍ବବିଦ୍ୟାଳୟରୁ ଡକ୍ଟରେଟ୍ ଡିଗ୍ରି ହାସଲ କରି ଗାନ୍ଧୀଜୀଙ୍କ ସହ ଗ୍ରାମାଞ୍ଚଳ ପୁନର୍ଗଠନରେ ଅନେକ ବର୍ଷ ବିତାଇ ଥିଲେ। ମହାତ୍ମାଙ୍କ ପରଲୋକ ପରେ ଭାରତନ୍ ଗାନ୍ଧୀ ଲେଖାର ଅନେକ ଗୁରୁତ୍ବପୂର୍ଣ୍ଣ ସଂକଳନର ସମ୍ପାଦନା କରିଥିଲେ। ସୁତରାଂ ଗାନ୍ଧୀଜୀଙ୍କ ଏହି ରଚନା ସମଗ୍ରର ସମ୍ପାଦନା ଓ ପୁସ୍ତକରେ ଭାରତନ୍ ସବୁଠୁ ପସନ୍ଦଯୋଗ୍ୟ ଥିଲେ। ତେବେ ଏହାର ପ୍ରଥମ ଖଣ୍ଡ ପ୍ରେସ୍କୁ ପଠାଇଲା ପରେ ୧୯୫୭ ଜୁନ୍ରେ ହୃଦ୍ଘାତରେ ତାଙ୍କର ପରଲୋକ ଘଟିଥିଲା। ତାଙ୍କ ପରେ ସ୍ବାଧୀନତା ସଂଗ୍ରାମୀ ଜୟୀରାମଦାସ ଦୌଲତରାମ ଏହି ଦାୟିତ୍ବ ନେଇଥିଲେ, ଯାହାଙ୍କର ମନ ସେଥିରେ ଆଦୌ ନ ଥିଲା। ଏହି କାମରେ ଦୁଇଟି ଅସୁଖକର ବର୍ଷ ବିତାଇବା ପରେ ସେ ରାଜ୍ୟସଭା ଆସନ ପାଇଁ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ପରେ କେ. ସ୍ବାମୀନାଥନ୍ ଦାୟିତ୍ବ ସମ୍ଭାଳିବାକୁ ବିନୋବା ଭାବେ ସୁପାରିସ କରିଥିଲେ। କାରଣ ଗୀତା ଉପରେ ବିନୋବା ଦେଇଥିବା ଅଭିଭାଷଣଗୁଡ଼ିକର ଇଂରେଜୀ ସଂସ୍କରଣ ପ୍ରକାଶିତ ହେବାରେ ସ୍ବାମୀନାଥନ୍ଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା।
ଏହି ନୂଆ ଦାୟିତ୍ବ ପାଇଁ ସ୍ବାମୀନାଥନ୍ ୬୩ ବର୍ଷ ବୟସରେ ଯେତେବେଳେ ଦିଲ୍ଲୀ ଗଲେ, ସେତେବେଳକୁ ତାଙ୍କ ପଛରେ ଜଣେ ସାହିତ୍ୟ ଶିକ୍ଷକର ସୁନାମ ରହିଥିଲା। ଏହି ପ୍ରକଳ୍ପର ପ୍ରଥମ ଖଣ୍ଡର ଅସାଧାରଣ ପ୍ରଥମ ସମ୍ପାଦକ ଭାରତନ୍ କୁମାରପ୍ପାଙ୍କ ସହ ବିଭିନ୍ନ ଦିଗରୁ ସ୍ବାମୀନାଥନ୍ଙ୍କ ଅନେକ ସାମଞ୍ଜସ୍ୟ ରହିଥିଲା। ନିଜର ତାମିଲ ମାଟି ପାଇଁ ଉଭୟ ଗର୍ବିତ ଥିଲେ, ଉଭୟ ନିଜ ମାତୃଭାଷା ଓ ଆନ୍ତର୍ଜାତିକ ବୌଦ୍ଧିକ ବିନିମୟ ଭାଷା ଇଂରେଜୀରେ ପାରଙ୍ଗମ ଥିଲେ। ଉଭୟ ମଧ୍ୟ ନିଜ ନିଜ ଧର୍ମୀୟ ବିଶ୍ବଦୃଷ୍ଟିରେ ପ୍ରଶସ୍ତ ଥିଲେ: ଖ୍ରୀଷ୍ଟିଆନ୍ ଥିବା ଭାରତନ୍ ରାମାନୁଜାଚାର୍ଯ୍ୟଙ୍କ ଉପରେ ଏକ ବହି ଲେଖିଥିବା ବେଳେ ହିନ୍ଦୁ ଥିବା ସ୍ବାମୀନାଥନ୍ ବାଇବେଲ୍ ପଢ଼ିବାକୁ ଭଲ ପାଉଥିଲେ।
ପଶ୍ଚାତ୍ ଦୃଷ୍ଟିରେ, ଏ ପ୍ରକାର ଭୂମିକା ନିର୍ବାହ କରିବାରେ ସ୍ବାମୀନାଥନ୍ଙ୍କ ସବୁଠୁ ବଡ଼ ଯୋଗ୍ୟତା ହେଲା ଲୋକଙ୍କ ଭିତରେ ରହିବା ଓ ଲୋକଙ୍କୁ ମିଳିତ କରି ଦଳଗତ ଭାବରେ କାମ କରିବା। ସେ ଦୀର୍ଘ ସମୟ ଧରି ମାଡ୍ରାସ୍ସ୍ଥିତ ପ୍ରେସିଡେନ୍ସି କଲେଜରେ ଇଂରେଜୀ ବିଭାଗର ମୁଖ୍ୟ ରହିଥିଲେ ଏବଂ ସରକାରୀ ଆର୍ଟ୍ସ କଲେଜର ଅଧ୍ୟକ୍ଷ ଭାବେ ୫ ବର୍ଷ କାର୍ଯ୍ୟ କରିଥିଲେ। ବିଶ୍ବବିଦ୍ୟାଳୟ ଚାକିରିରୁ ଅବସର ନେବା ପରେ ସେ ‘ସନ୍ଡେ ଷ୍ଟାଣ୍ଡାର୍ଡ’ ଖବରକାଗଜର ସମ୍ପାଦକ ଦାୟିତ୍ବ ସମ୍ଭାଳି ଥିଲେ, ଯେଉଁଠି ସେ ବହୁ ସଂଖ୍ୟାରେ ସାମ୍ବାଦିକ, ସହ-ସମ୍ପାଦକ, ଅକ୍ଷର ସଂଯୋଜକ ଓ ପ୍ରୁଫ୍ ରିଡର୍ଙ୍କ ସଂସ୍ପର୍ଶରେ ଆସିଥିଲେ।
ସ୍ବାମୀନାଥନ୍ଙ୍କ ଦ୍ବାରା ପ୍ରଥମ ଦଫା ନିଯୁକ୍ତିରେ ସି. ଏନ୍ ପଟେଲ ଥିଲେ, ଯିଏ ଜଣେ ଇଂରେଜୀ ପ୍ରାଧ୍ୟାପକ ଥିବା ସହ ଗାନ୍ଧୀଙ୍କ ପରି ଗୁଜରାଟୀ ଭାଷୀ ମଧ୍ୟ ଥିଲେ। ଗାନ୍ଧୀଜୀଙ୍କ ଅସଂଖ୍ୟ ଗୁଜରାଟୀ ଲେଖାଗୁଡ଼ିକୁ ଇଂରେଜୀରେ ଅନୁବାଦ କରିବାରେ ସେ ସ୍ବାମୀନାଥନ୍ଙ୍କ ଘନିଷ୍ଠ ସହାୟକ ଭାବେ ରହି ଉକ୍ତ ପ୍ରକଳ୍ପର ଉପମୁଖ୍ୟ ସମ୍ପାଦକ ରହିଥିଲେ। ସ୍ବାମୀନାଥନ୍ଙ୍କ ଦଳରେ ଆହୁରି ଥିଲେ ଗାନ୍ଧୀଜୀଙ୍କ ଶିଷ୍ୟା ମୀରା ବେନ୍ଙ୍କ ସହ ହିମାଳୟରେ କାମ କରିଥିବା ଜେ.ପି. ଉନିୟାଲ, ଯାହାଙ୍କ ମାଧ୍ୟମରେ ମହାତ୍ମାଙ୍କ ଜୀବନ ସମ୍ପର୍କରେ ସ୍ବାମୀନାଥନ୍ ଅନେକ କିଛି ଜାଣି ପାରିଥିଲେ। ସେହିପରି ପ୍ରଖ୍ୟାତ କବି ଭବାନୀ ପ୍ରସାଦ ଉକ୍ତ ପ୍ରକଳ୍ପର ହିନ୍ଦୀ ଅନୁବାଦର ସମ୍ପାଦକ ଭାବେ ଯୋଗ ଦେଇଥିଲେ।
୧୯୬୪ ବେଳକୁ ଏହି ପ୍ରକଳ୍ପର ନବମ ଖଣ୍ଡ ପ୍ରକାଶିତ ହେବା ପରେ ଆମେରିକୀୟ ଗାନ୍ଧୀ-ବିଦ୍ବାନ ଜୋଆନ୍ ବନ୍ଦୁରାଣ୍ଟ୍ ‘ଜର୍ଣ୍ଣାଲ୍ ଅଫ୍ ମଡର୍ଣ୍ଣ ହିଷ୍ଟ୍ରି’ରେ ଏହି ରଚନା ସଂଗ୍ରହ ସମ୍ପର୍କରେ ଲେଖିଥିଲେ। ତାଙ୍କ ଅନୁସାରେ ‘ଏହି ପ୍ରକଳ୍ପ ସର୍ବଶ୍ରେଷ୍ଠ ପ୍ରଶଂସା ପାଇବାକୁ ଯୋଗ୍ୟ। ତଥ୍ୟର ଉତ୍ସକୁ ଯାଞ୍ଚ କରିବା, ପ୍ରାପ୍ତ ତଥ୍ୟର ସତ୍ୟତା ପରଖିବା, ଚିଠିମାନଙ୍କରେ ଥିବା ସ୍ବଳ୍ପ ଜ୍ଞାତ ବ୍ୟକ୍ତିବିଶେଷଙ୍କର ପରିଚୟ ଯୋଗାଡ଼ କରିବା ଏବଂ ମୂଲ୍ୟବାନ ପୃଷ୍ଠଭୂମି ଓ ଅନୁବନ୍ଧ ଆଦି ଯୋଡ଼ିବାରେ ସେମାନେ ବିଦ୍ବତ୍ତାର ଶ୍ରେଷ୍ଠତମ ଉଦାହରଣ ପ୍ରଦର୍ଶନ କରିଛନ୍ତି।’
ସେ ସବୁ ପରବର୍ତ୍ତୀ ବର୍ଷମାନଙ୍କରେ ସଯତ୍ନ ବଜାୟ ରହିଥିଲା। ତେବେ ୧୯୭୫-୭୭ ଜରୁରୀକାଳୀନ ପରିସ୍ଥିତି ବେଳେ ଏଥିରେ ସାମାନ୍ୟ ଗଡ଼ବଡ଼ ହୋଇଥିଲା। ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କୃପାର ପାତ୍ର ସହକର୍ମୀମାନେ ସ୍ବାମୀନାଥନ୍ଙ୍କୁ ଏଥିରୁ ହଟାଇବାକୁ ଚାହିଥିଲେ। କାରଣ ହେଲା, ଲେଖାର ବିଭିନ୍ନ ଖଣ୍ଡଗୁଡ଼ିକ ପରାମର୍ଶଦାତା ମଣ୍ଡଳୀର ଅଧ୍ୟକ୍ଷ ମୋରାରଜୀ ଦେଶାଇଙ୍କ ପାଖକୁ ସେ ଗୋଟି ଗୋଟି କରି ପଠାଉଥିଲେ। ଘଟଣା କ୍ରମେ ଦେଶାଇ ମଧ୍ୟ ଜେଲ୍ ଯାଇଥିଲେ। ସୌଭାଗ୍ୟବଶତଃ, ବିବେକୀ ବିଚାରର ବିଜୟ ହେଲା ଏବଂ ତାହା ପରେ ସେ ଅନେକ ବର୍ଷ ଧରି ମୁଖ୍ୟ ସମ୍ପାଦକର ଦାୟିତ୍ବ ସମ୍ଭାଳି ୧୯୮୫ରେ ଅବସର ନେଇଥିଲେ। ସେତେବେଳକୁ ଗାନ୍ଧୀଜୀଙ୍କ କାଳାନୁକ୍ରମିକ ଲେଖାର ମୂଳ ନବେ ଖଣ୍ଡ ସମ୍ପୂର୍ଣ୍ଣ ହୋଇଥିଲା; ସାତଟି ପରିଶିଷ୍ଟ ଖଣ୍ଡ ମଧ୍ୟ ପଛକୁ ପଛ ଆସିବାର ଥିଲା।
ସହକର୍ମୀମାନଙ୍କ ଦ୍ବାରା ସ୍ବାମୀନାଥନ୍ ଭୂୟସୀ ପ୍ରଶଂସିତ ହେଉଥିଲେ। ଗୁଜରାଟୀ ଲେଖକ ହସମୁଖ ଶାହ ତାଙ୍କ ମୁଖ୍ୟ ସମ୍ପାଦକଙ୍କ ବିଷୟରେ ଲେଖିଥିଲେ ଯେ ସମ୍ପାଦନା ଓ ଗବେଷଣାର ବିଶାଳ କାର୍ଯ୍ୟକୁ ବହନ କରିବା ପାଇଁ ସେ ଏକ ପଦ୍ଧତିର ସୃଷ୍ଟି କରିଥିଲେ। ନିଜ ଦଳର ସାମର୍ଥ୍ୟ ସୀମା ଓ ବ୍ୟକ୍ତିତ୍ବ ବିଚିତ୍ରତାର ଆକଳନ କରିବାରେ ସେ ବିଚକ୍ଷଣ ଥିଲେ। ସେ କେବେ ଉଚ୍ଚ ସ୍ବରରେ ପାଟି କରିବା କି କାହାକୁ ଗାଳି ଦେବା ଶୁଣା ଯାଇନାହିଁ। ତାଙ୍କ ଜୀବନ ଓ ନିଷ୍ଠା ପ୍ରାଚୀନ କାଳର ମୁନି, ଋଷିଙ୍କ ପରି ଅନ୍ୟ ଏକ ଯୁଗର କଷଟି ପଥର ହୋଇ ରହିଥିବ।
ରଚନା ସମଗ୍ର ସହ ଛଅ ବର୍ଷ କାଳ କାମ କଲା ପରେ ହସମୁଖ ଶାହ ମୋରାରଜୀ ଦେଶାଇଙ୍କ ବ୍ୟକ୍ତିଗତ ସଚିବ ଭାବେ ଯୋଗ ଦେଇଥଲେ। ଶାହ ଛାଡ଼ିବା ପରେ ପରେ ଇଂରେଜୀ ସାହିତ୍ୟରେ ସଦ୍ୟ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିବା ଲଳିତା ଜାକାରିଆ ଉକ୍ତ ପ୍ରକଳ୍ପ ପାଇଁ ନିଯୁକ୍ତ ହୋଇଥିଲେ। ବହୁ ବର୍ଷ ପରେ ସେ ଲେଖିଥିଲେ ‘ମୁଖ୍ୟ’ ବା ‘ଚିିଫ୍’ (କାର୍ଯ୍ୟାଳୟରେ ସ୍ବାମୀନାଥନ୍ ଏପରି ଭାବେ ପରିଚିତ ଥିଲେ) କିପରି ପାଦ ଟିକାରେ ସାମାନ୍ୟ କମାଟିଏ ଦେଇ କୌଣସି ବାକ୍ୟର ମାନ ବର୍ଦ୍ଧନ କରି ପାରୁଥିଲେ। କେ. ସ୍ବାମୀନାଥନ୍ଙ୍କ ସ୍ପର୍ଶ ଏପରି ଦୃଢ଼ ନିଶ୍ଚିତ ଓ ଦ୍ରୁତ ଥିଲା ଯେ ସତେ ଯେପରି ସେ ଗାନ୍ଧୀଙ୍କ ଚର୍ମ ତଳୁ ଏବଂ ଆତ୍ମା ଭିତରୁ କହୁଥିଲେ।
ଏକ ଦଶନ୍ଧି ତଳେ ମୁଁ ସେହି ରଚନା ସମଗ୍ରର ଗୋଟିଏ ପରେ ଗୋଟିଏ ଖଣ୍ଡର ପୃଷ୍ଠା ପରେ ପୃଷ୍ଠା ପଢ଼ିଥିଲି। ଏବେ ସେଗୁଡ଼ିକ ପୁଣି ଥରେ ପଢ଼ିବା ଆରମ୍ଭ କରିଛି, ଏଥରକ ପ୍ରତି ଖଣ୍ଡରେ କରାଯାଇଥିବା ସମ୍ପାଦନା କାର୍ଯ୍ୟ ପ୍ରତି ଅଧିକ ଧ୍ୟାନ ଦେଉଛି। ପୂର୍ବ ଭଳି ଗାନ୍ଧୀ ବାଣୀକୁ ପ୍ରଶଂସା କରିବା ପାଇଁ ଅଧିକ କିଛି ମିଳିଛି ଏବଂ କେବେ କେବେ ଉତ୍ତେଜିତ ଓ ବ୍ୟଥିତ ହେବା ପାଇଁ ମଧ୍ୟ ଖୋରାକ ମିଳିଛି। ତେବେ ଏହି ଦ୍ବିତୀୟ ଥର ପଢ଼ିଲା ବେଳେ ହିଁ ସ୍ବାମୀନାଥନ୍ ଏବଂ ତାଙ୍କ ଦଳ ଗାନ୍ଧୀ ବାଣୀକୁ ଯେ କେତେ ନିପୁଣ ଭାବରେ ପ୍ରାସଙ୍ଗିକ କରିପାରିଛନ୍ତି, ତାହା ହୃଦୟଙ୍ଗମ କରିପାରୁଛି।
ସଂଗୃହୀତ ଲେଖାର ମୁଦ୍ରିତ ଖଣ୍ଡଗୁଡ଼ିକର ଏକ ସମ୍ପୂର୍ଣ୍ଣ ସେଟ୍ ମୋ’ ପାଖରେ ରହିଛି। ସେଗୁଡ଼ିକ ଏବେ ମଧ୍ୟ ଅନ୍ଲାଇନ୍ରେ ଉପଲବ୍ଧ, ତେବେ ସାବରମତୀ ଆଶ୍ରମ ଦ୍ବାରା ପରିଚାଳିତ ଆଧିକାରିକ ଗାନ୍ଧୀ ୱେବ୍ସାଇଟ୍ ‘ଦି ଗାନ୍ଧୀ ହେରିଟେଜ୍ ପୋର୍ଟାଲ୍’ରେ ସେଗୁଡ଼ିକ ସବୁଠୁ ଭଲ ଭାବେ ପ୍ରଦର୍ଶିତ। ବର୍ତ୍ତମାନ ସୁଦ୍ଧା ଏହି ରଚନା ସମଗ୍ର ଗ୍ରନ୍ଥାବଳୀକୁ ଭିତ୍ତି କରି ହଜାର ହଜାର ପୁସ୍ତକ ଓ ନିବନ୍ଧ ରଚିତ ହୋଇସାରିଲାଣି। ଏହା ସାମୂହିକ ବିଦ୍ବତ୍ତାର ଏକ ଉଜ୍ଜ୍ବଳ ତଥା ଅଦ୍ବିତୀୟ କାର୍ଯ୍ୟାବଳୀ ହୋଇ ରହିଛି, ଯାହା ଭାରତରେ ବିରଳ ହୋଇଥିବା ସହ ଭାରତ ସରକାରଙ୍କ ତତ୍ତ୍ବାବଧାନରେ ପରିଚାଳିତ ହୋଇ ଆହୁରି ବିରଳତାର ପରିଚୟ ଦେଇଛି। ତେଣୁ କେ. ସ୍ବାମୀନାଥନ୍ ଓ ତାଙ୍କର ବିଚକ୍ଷଣ ସମ୍ପାଦକ ଓ ଅନୁବାଦକମଣ୍ଡଳୀ ପ୍ରତି ଏ ଯାବତ୍ ଜନ୍ମି ନ ଥିବା ବିଦ୍ବାନ ଏବଂ ଭାରତୀୟଙ୍କ ସମେତ ଅନ୍ୟ ରାଷ୍ଟ୍ରର ଅଧିବାସୀ କୃତଜ୍ଞ ହୋଇ ରହିବାର ଯଥେଷ୍ଟ କାରଣ ରହିଛି।