ଅପମିଶ୍ରିତ ମନ

ଆମରି କଥା - ନାରାୟଣ ମିଶ୍ର

ଚାଉଳରେ ଗୋଡ଼ି, ହଳଦୀ ଚୂନାରେ କାଠ ଗୁଣ୍ଡି ବା ସୋରିଷ ତେଲରେ ଅଗରା ମଞ୍ଜି ମିଶିବାକୁ ଆମେ ଅପମିଶ୍ରିତ ଆଖ୍ୟା ଦେଉଥିଲୁ। ତା’ ପରେ ସର୍ଫ ଗୁଣ୍ଡ ଓ ରିଫାଇନ୍ ତେଲ ମିଶାଇ କ୍ଷୀର ଓ କ୍ଷୀରରୁ ପନିର ତିଆରି ହେବା କଥା ଶୁଣି ଆମର ପନିର ପ୍ରତି ଆଗ୍ରହ କମିଗଲା, କେହି କେହି ଖାଇବା ଛାଡ଼ିଦେ‌େଲ। ଏମିତି ତ ପାଇଖାନା ଓ ଗାଧୁଆ ଘରୁ ଯାଉଥିବା ପାଣିରେ ଶାଗ ଧୁଆଯିବା ଓ କୋବି, ତରଭୁଜ ଇତ୍ୟାଦିରେ ଇଂଜେକ୍‌ସନ୍ ଦିଆଯାଉଥିବା ଦେଖି ତାକୁ ନ ଖାଇଲେ ବା ପଚା ଅଣ୍ଡାରେ ତିଆରି ପାଉଁରୁଟି ଓ କୃତ୍ରିମ ଚାଉଳ ନ ଖାଇଲେ ଅନାହାରରେ ରହିବା ହିଁ ସାର ହେବ ଭାବି ଆମେ ସବୁପ୍ରକାର ଅପମିଶ୍ରିତ ଖାଦ୍ୟ ଖାଇଚାଲିଛେ। ଫଳସ୍ବରୂପ ‘ଖାଣ୍ଟି’ ବା ‘ବିଶୁଦ୍ଧ’ ଶବ୍ଦ ଦ୍ବୟ ଖାଦ୍ୟ ସାମଗ୍ରୀ ଅଭିଧାନରୁ କାଟି ଦେଇ ଆମ ଓ ଆମ ପିଲାଙ୍କ ପାକସ୍ଥଳୀକୁ ସେଇ ଅନୁସାରେ ସବୁ ହଜମ କରିବାକୁ ସକ୍ଷମ କରିସାରିଲୁଣି। କିନ୍ତୁ ଏ ସବୁ ଖାଦ୍ୟ ଖାଇ ଆମ ବିଶୁଦ୍ଧ ମନଟା ଅପମିଶ୍ରିତ ହୋଇଗଲାଣି।

ମନ ଥରେ ଅପମିଶ୍ରିତ ହେବା ପରେ ସୁନ୍ଦରୀ ସ୍ତ୍ରୀ ଘରେ ଥି‌େଲ ବି ପର ଝିଅ-ବୋହୂକୁ ଦେଖିଲେ ମନ ସ୍ଥିର ରହୁନାହିଁ, କେବଳ ପରିସ୍ଥିତିିକୁ ଚାହିଁ ଆମେ ଚୁପ୍‌ଚାପ ରହୁଛେ। ସୁଯୋଗ ପାଇଲେ ବାସନ ମାଜୁଥିବା ବୟସ୍କା ସ୍ତ୍ରୀ ଲୋକଟି ମଧ୍ୟ ବେଳେବେଳେ କରୀନା କପୁର ପରି ଦିଶୁଛି। ଧର୍ମ ବା ଧର୍ମ ଭାବନାରେ ମଧ୍ୟ ଆମେ ମନକୁ ସ୍ଥିର ରଖି ପାରୁନାହୁଁ। ଜଣକୁ ଇଷ୍ଟଦେବତା ଭାବି ପୂଜା କରୁଥିଲେ ବି ଅନ୍ୟ କେହି ଅନ୍ୟ ଜଣେ ଦେବତାଙ୍କୁ ପୂଜା କରି ପ୍ରତିଷ୍ଠିତ ହେବା ଦେଖି ତାଙ୍କ ଫଟୋ ଆଣି ଠାକୁର ଘରେ ରଖି ଦେଉଛେ।

ସଦା ଅସ୍ଥିର ଓ ଅପମିଶ୍ରିତ ମନ ଚାନ୍ଦା ଆଦାୟ କରୁଥିବା ଗୁଣ୍ଡା ପିଲାଙ୍କୁ ଶହେ ଜାଗାରେ ଦୁଇଶ’ ଦେବାକୁ କୁଣ୍ଠା‌େବାଧ କରୁନାହିଁ, କିନ୍ତୁ ରିକ୍‌ସାବାଲା ସାଙ୍ଗରେ ମୂଲଚାଲ କରି ପଚିଶ ଟଙ୍କାକୁ ପନ୍ଦରରେ ଛିଡ଼ାଇ ଆତ୍ମସନ୍ତୋଷ ଲାଭ କରୁଛି। ଯାହାକୁ ଦେଖିବ ଶୁଖିଲା ମୁହଁ। ‘କେମିତି ଅଛ?’ ପ୍ରଶ୍ନର ଉତ୍ତରରେ ‘ଭଲରେ ଅଛି’ ବୋଲି ପ୍ରାୟ କାହା ଠାରୁ ଶୁଣିବାକୁ ମିଳୁନାହିଁ। କିଏ ଘରଟିଏ ନିଜର କରିପାରିନାହିଁ ବୋଲି ମନଦୁଃଖ କରୁଛି ତ ଆଉ କେହି ନିଜର ନୂଆ ତିନିମହଲା କୋଠାଘର କରି ବି ଋଣ ଶୁଝି ନ ପାରି ଦୁଃଖ କରୁଛି। ଯିଏ ବିଭା ହୋଇନାହିଁ, ପରର ସ୍ତ୍ରୀକୁ ଦେଖି ହାଇଁପାଇଁ ହେଉଛି ତ ଆଉ କେହି କାହିଁକି ବିଭା ହୋଇ ଏ ଉଦ୍ଦଣ୍ଡୀକୁ ଘରକୁ ଆଣିଲି ବୋଲି ଭାବି କାନ୍ଦୁଛି।

ଈର୍ଷାର ଅଗ୍ନି ଆମ ଅପମିଶ୍ରିତ ମନ ଭିତରେ ଅହରହ ଜଳି ଚାଲିଛି। କାହାର ପ୍ରମୋସନ ହେଲେ, କାହା ଝିଅ ଭଲ ଘରେ ବିବାହ କଲେ, କାହାର ପୁଅ ଭଲ ଚାକିରି ଖଣ୍ଡେ ପାଇଗଲେ, ଆମ ମନ ଜଳି ଉଠୁଛି। ଚିନ୍ତା କଲେ ଆ‌େମ ବୁଝି ପାରିବା ଯେ ଆମ ଦୁଃଖ ଭରା ମନର ଏକମାତ୍ର କାରଣ ଅନ୍ୟର ସୁଖ। ଆଦିବାସୀମାନଙ୍କ ସମୂହ ବା ଗୋଷ୍ଠୀ ନୃତ୍ୟ ଦେଖି ଆମେ ବୁଝିବା ଦରକାର ଯେ ସେମାନଙ୍କର ସମସ୍ତଙ୍କର ଚଳଣି ଏକାପ୍ରକାରର ଏବଂ କଠିନ ପରିଶ୍ରମ ହିଁ ସେମାନଙ୍କ ଆନନ୍ଦଭରା ନୃତ୍ୟର କାରଣ।

କାମନା ବିନା ଜୀବନ ଅସମ୍ଭବ- ଏହା ସତ୍ୟ, କିନ୍ତୁ ଅସମ୍ଭବ କାମନା ରଖି ଶରୀରକୁ କ୍ଷୀଣ କରିବା ଓ ମନକୁ ଅଶାନ୍ତ ରଖିବାରେ ପରିବାରର ଶାନ୍ତି ନଷ୍ଟ ହେବା ସ୍ବାଭାବିକ। ସମସ୍ତ ପିଲା ଶତକଡ଼ା ପଞ୍ଚାନବେ ରଖିବେ ନାହିଁ, ସମସ୍ତ ପିଲା ଅବଦୁଲ୍ କଲାମ ବା ଆଇନଷ୍ଟାଇନ ହୋଇପାରିବେ ନାହିଁ। ସମସ୍ତ ପିଲା ବିନା ପାଠରେ ସଚିନ ତେନ୍ଦୁଲକର ପରି ନାଁ କମେଇ ପାରିବେ ବୋଲି ଗ୍ୟାରେଣ୍ଟି ନାହିଁ। ତଥାପି ଆମେ ଆମ ପିଲାଙ୍କୁ ପାଠ ଓ ଅନ୍ୟାନ୍ୟ କାର୍ଯ୍ୟରେ ମାତ୍ରାଧିକ ଚାପ ଦେଇ ରଖୁଚେ। ସେମାନେ କ’ଣ ଚାହୁଁଛନ୍ତି ଆମେ ପଚାରୁନେ, କେବଳ କେଉଁଥିରେ ଅଳ୍ପ ପରିଶ୍ରମରେ ଅପର୍ଯ୍ୟାପ୍ତ ଧନ ଓ ପ୍ରତିଷ୍ଠା ଠୁଳ କରି ହେବ, ସେଇ ମନ୍ତ୍ର ପଢ଼ାଉଛେ। ଆବଶ୍ୟକ ପଡ଼ିଲେ ଜ୍ୟୋ‌ତିଷ ଓ ବାସ୍ତୁବିତ୍‌ଙ୍କୁ ଧରି ହଠାତ୍ ଉପରକୁ ଉଠିଯିବାର ଉପାୟ ଖୋଜୁଛେ। ଏ ସବୁ କାରଣରୁ ଫଳ ତ କିଛି ମିଳୁନାହିଁ, ବରଂ ଆମ ମନ କ୍ରମଶଃ ଆହୁରି ଅପମିଶ୍ରିତ ହେବାରେ ଲାଗୁଛି।

ଏବେ ବି ଯଦି ଯଯାତିଙ୍କ ପରି ଯୌବନକୁ ଉପଭୋଗ କରିବାକୁ ନିଜ ପୁଅ ଠାରୁ ଯୌବନ ଧାର କରି ଆଣିବାର ଶକ୍ତି ଆସନ୍ତା, କାମନା ବାସନାରେ ଜର୍ଜରିତ ଅନେକ ବୃଦ୍ଧ ନିଜ ପୁଅମାନଙ୍କ ପାଖରେ ସେହି ଭଳି ଆକୁଳ ପ୍ରାର୍ଥନା କରନ୍ତେ। ଏବେ ନେତା ନିଜ ଟ୍ରେଜେରି ବଢ଼ାଇବାରେ ବ୍ୟସ୍ତ। ଗୋପବଂଧୁ, ନବକୃଷ୍ଣ ଚୌଧୁରୀଙ୍କ ପରି ଲୋକ ଆଉ ଜନ୍ମ ନେଉନାହାନ୍ତି। ସିନେମା ଓ କ୍ରିକେଟ୍‌ରେ ନାଁ କରୁଥିବା ଲୋକ ହିଁ ଯୁବ ପିଢ଼ିଙ୍କ ଆଦର୍ଶ।
ତେବେ, ଏହି ଅପମିଶ୍ରିତ ମନକୁ ଶୁଦ୍ଧ କରିବା କିପରି? ଏଥି ଲାଗି ନିଜ କର୍ମ, ପ୍ରାରବ୍‌ଧ ଓ ସୃଷ୍ଟିକର୍ତ୍ତାଙ୍କ ଉପରେ ବିଶ୍ବାସ ରଖି ସମୟ ବାହାର କରି ନିହାତି ଘଣ୍ଟାଏ ଦୁଇଘଣ୍ଟା ଲେଖାଁ ନିରବରେ ପ୍ରାର୍ଥନା କରିବାକୁ ହେବ। ଚତୁର୍ଦ୍ଦିଗ ପ୍ରତି ଦୃଷ୍ଟି ନ ଦେଇ, ସେମାନଙ୍କ ସହ ନିଜକୁ ତୁଳନା ନ କରି, ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠା ଓ ଈଶ୍ବରଙ୍କ ପ୍ରତି ବିଶ୍ବାସ ହିଁ ଆମ ମନକୁ ଶୁଦ୍ଧ କରିବାରେ ସହାୟକ ହେବ।

[email protected]

ସମ୍ବନ୍ଧିତ ଖବର