ଓଡ଼ିଆ ଭାଷା ଓ ସ୍ୱାଭିମାନ ସଂକଟରେ କି?

ଗୋଟିଏ ଭାଷାର ସ˚କଟ ସେତେବେଳେ ଆସେ, ଯେତେବେଳେ ତାର ବ୍ୟବହାର କମି କମି ଯାଏ। ଭାଷାର ପ୍ରଧାନ କାର୍ଯ୍ୟ ହେଲା ମଣିଷକୁ ମଣିଷ ସହ ଯୋଡ଼ିବା, ତା’ର ଭାବକୁ ଅନ୍ୟ ମଣିଷ ପାଖରେ ପହଞ୍ଚାଇବା। ତେବେ କଥିତ ଓ ଲିଖିତ ଭାଷା ଏବେ ବି ଆମ ସମସ୍ତଙ୍କୁ ଯୋଡ଼ିବା ପାଇଁ ପ୍ରଥମ ଓ ପ୍ରଧାନ ମାଧ୍ୟମ।
ସୌମ୍ୟରଂଜନ ପଟ୍ଟନାୟକ

ଓଡ଼ିଆ ଏକ ଭାଷା। ଓଡ଼ିଆ ମଧ୍ୟ ଏକ ଜାତିର ନାମ। ଓଡ଼ିଆ ଜାତି କହିଲେ, ଭାବର ଆଦାନ ପ୍ରଦାନ ପାଇଁ ଓଡ଼ିଆ ଭାଷାକୁ ବ୍ୟବହାର କରୁଥିବା ଜନସମୂହକୁ ବୁଝାଏ। ସ୍ୱାଭିମାନ, ଚେତନାର କଥା କହେ। ଲକ୍ଷ୍ୟ କରିବାର କଥା, ସ୍ୱାଭିମାନ ଶବ୍ଦର ପ୍ରୟୋଗ ଆମ ଭାଷାରେ ଅପେକ୍ଷାକୃତ ନୂଆ। ଆମ ବିଚାରରେ ସ୍ୱାଭିମାନ ଏକ ଆଧୁନିକ ପ୍ରୟୋଗ। ଜାତି ଏବ˚ ଜାତୀୟତାର ଉନ୍ମେଷ ସହିତ ଏହା ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। ଓଡ଼ିଆ ସ୍ୱାଭିମାନ ଏବେ ସ˚କଟରେ କି? ବୋଲି ପ୍ରଶ୍ନର ଉତ୍ତର ଖୋଜି ଆଲୋଚନା କଲାବେଳେ ଏହି ଦୁଇ ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ।

ଓଡ଼ିଆ ସ୍ୱାଭିମାନ ସ୍ୱାଭାବିକ ଭାବରେ ଓଡ଼ିଆ ଭାଷା କଥା କହିବ ଏବ˚ ଏହି ଜନସମୁଦାୟକୁ ଚେତାଉଥିବା ଚେତନା କିମ୍ବା ପ୍ରେରଣାର କଥା କହିବ। ତେଣୁ ଓଡ଼ିିଆ ସ୍ବାଭିମାନର ସ˚କଟ, ଭାଷାର ସ˚କଟ ଓ ଜାତୀୟ ଚେତନାର ସ˚କଟ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଉଭୟ ଭାଷା ଓ ଜାତୀୟତା ଆଜି ସ˚କଟରେ। ଗୋଟିଏ ଭାଷାର ସ˚କଟ ସେତେବେଳେ ଆସେ, ଯେତେବେଳେ ତାର ବ୍ୟବହାର କମି କମି ଯାଏ। ଭାଷାର ପ୍ରଧାନ କାର୍ଯ୍ୟ ହେଲା ମଣିଷକୁ ମଣିଷ ସହ ଯୋଡ଼ିବା, ତା’ର ଭାବକୁ ଅନ୍ୟ ମଣିଷ ପାଖରେ ପହଞ୍ଚାଇବା। ତେବେ କଥିତ ଓ ଲିଖିତ ଭାଷା ଏବେ ବି ଆମ ସମସ୍ତଙ୍କୁ ଯୋଡ଼ିବା ପାଇଁ ପ୍ରଥମ ଓ ପ୍ରଧାନ ମାଧ୍ୟମ।

ସେହିପରି ଓଡ଼ିଆ ଜାତୀୟତା କଥା ଚିନ୍ତା କଲା ବେଳେ ଫକୀରମୋହନ, ଗଙ୍ଗାଧର ଓ ମଧୁସୂଦନଙ୍କ କଥା ମନେପଡ଼େ। ଓଡ଼ିଆ ଏକ ସ୍ବତନ୍ତ୍ର ଭାଷା ଓ ଏକ ପ୍ରାଚୀନ ଭାଷା- ଏହି କଥାକୁ ପ୍ରମାଣ କରି ସେମାନେ ଆଧୁନିକ ଓଡ଼ିଆ ଜାତି ଗଠନର ମୂଳଦୁଆ ପକାଇଥିଲେ। ସେମାନଙ୍କ ଅକ୍ଳାନ୍ତ ପରିଶ୍ରମ ଓ ତ୍ୟାଗର ଫଳସ୍ବରୂପ ଓଡ଼ିଶା ଏକ ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା ପାଇଲା। ଭାରତୀୟ ସମ୍ବିଧାନ ଓ ସ˚ଘରେ ଭାଷାଭିତ୍ତିକ ପ୍ରଦେଶ ଗଠନ ସିଦ୍ଧାନ୍ତର ବହୁ ପୂର୍ବରୁ ଓଡ଼ିଆ ଭାଷା ଓ ଓଡ଼ିଆ ଜାତି ମାନ୍ୟତା ପାଇଥିଲା। ବିଡ଼ମ୍ବନାର ବିଷୟ ଏହି ଯେ ଆଜି ସେହି ଓଡ଼ିଆର ଜାତୀୟତା ସ˚କଟ ଦେଇ ଗତି କରୁଛି।

୧ ଅପ୍ରେଲ, ୧୯୩୬ ଆମ ପାଇଁ ଏବେ ବି ସ୍ମରଣୀୟ ହୋଇ ରହିଛି। ଏହାକୁ ଓଡ଼ିଆ ଜାତୀୟତା ସ˚ଗ୍ରାମର ‘ବିଜୟ ଦିବସ’ କହିଲେ ଅତ୍ୟୁକ୍ତି ହେବନାହିଁ। ଏବେ ମଧ୍ୟ ଆମେ ନିୟମିତ ଭାବେ ଏହି ବିଜୟ ଦିବସ ପାଳନ କରୁଛେ। କିନ୍ତୁ, ଏହି ସ˚ଗ୍ରାମ ପଛରେ ଯେଉଁ ଚେତନା, ଉତ୍ସାହ ଓ ଉଦ୍ଦୀପନା ସମଗ୍ର ଓଡ଼ିଶାରେ ପରିଲକ୍ଷିତ ହେଉଥିଲା, ତାହା ଏବେ ଆଉ ନାହିଁ। ହୁଏତ ୧୯୪୭ ମସିହାରେ ଭାରତ ସ୍ବାଧୀନ ହୋଇଯିବା ପରେ ଏବ˚ ସ୍ୱାଧୀନତା ସ˚ଗ୍ରାମର ମହାଭାରତୀୟ ଭାବନା ବା ଚେତନା ଏହାକୁ କିଛି ପରିମାଣରେ ସ˚କୁଚିତ କରିଥାଇପାରେ। ଭାରତର ପ୍ରତ୍ୟେକ ପ୍ରାଦେଶିକ ଭାଷାର ସ୍ଥିତି ଆଜି ଊଣାଅଧିକେ ପ୍ରଭାବିତ ଓ ସ˚କୁଚିତ। କିନ୍ତୁ, ଓଡ଼ିଆ ଜାତୀୟତା ଟିକେ ଅଧିକ ସ˚କୁଚିତ ବା ବିପନ୍ନ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଜାତୀୟ ଜୀବନରେ ଭାଷାର ଭୂମିକା ସ୍ବୀକୃତ। ଭାଷା ପରିପୁଷ୍ଟ ହୁଏ ସେତେବେଳେ, ଯେତେବେଳେ ସେହି ଜାତିର ବିଶିଷ୍ଟବର୍ଗ ଏହାକୁ ବ୍ୟବହାର କରନ୍ତି ଏବ˚ ତାକୁ ଦେଖି ଅବଶିଷ୍ଟ ବର୍ଗ ଅନୁକରଣ କରନ୍ତି। ଆଜି ଓଡ଼ିଶାର ବିଶିଷ୍ଟବର୍ଗ ଓଡ଼ିଆ ଭାଷାର ପ୍ରଧାନ ଶତ୍ରୁ ଏବ˚ ସେହିମାନେ ହିଁ ସ˚କଟର ମୂଳ କାରଣ। ଶାସନମୁଖ୍ୟଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ, ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥାରେ ପ୍ରତ୍ୟେକ ଗୁରୁତ୍ବପୂର୍ଣ୍ଣ ଅଙ୍ଗକୁ ମାଡ଼ି ବସିଥିବା ବ୍ୟକ୍ତିମାନେ ଆଜି ଓଡ଼ିଆ ଭାଷା ବ୍ୟବହାର କରିବା ପାଇଁ ଉଚିତ ମଣୁନାହାନ୍ତି। ବିଜ୍ଞାନ ଓ କାରିଗରୀ କୌଶଳର ଅଭୂତପୂର୍ବ ବିକାଶ ଫଳରେ ବିଶ୍ବ ଆଜି ଛୋଟିଆ ଗାଁଟିଏ ଭଳି ଲାଗୁଛି। ଅର୍ଥନୈତିକ ଉଦାରବାଦ ଓ ଜଗତ୍‌କରଣ ଆମକୁ ବିଶ୍ବ ବଜାର ସହିତ ଯୋଡ଼ି ଦେଲାଣି। ସ୍ୱାଭାବିକଭାବେ ଶାସନ, ସମାଜ ଓ ବଜାର ଗୋଟିଏ ସର୍ବମାନ୍ୟ ଭାଷା ବ୍ୟବହାର କରିବା ପାଇଁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି। ଫଳରେ ମାତୃଭାଷା ବା ନିଜ ଭାଷା ଧୀରେଧୀରେ ଅଲୋଡ଼ା ହୋଇପଡ଼ୁଛି। ବାପା ମା’ମାନେ ପୁଅ ମୋର ଓଡ଼ିଆ ଭଲ ଭାବେ ଲେଖି ପଢ଼ି ପାରେ ନାହିଁ ବୋଲି କହି ଗର୍ବ କରିବାକୁ ଆରମ୍ଭ କଲେଣି। ମା’କୁ ଭଲ ପାଇବାର ଆବଶ୍ୟକତା କମିକମି ଯାଉଥିବା ସ˚କଟରୁ ମୁକ୍ତି ମିଳିବା ଏତେ ସହଜ ନୁହେଁ।

ଓଡ଼ିଆ ଭାଷାର ବ୍ୟବହାର କମିଯିବା ଫଳରେ ଆମର ଅତୀତ ସହ ସ˚ପର୍କ ଛିନ୍ନ ହୋଇଯାଉଛି। ଆମ ଇତିହାସ, ପରମ୍ପରା ଏବ˚ ଆମର ସବୁକିଛି ଭଲ କଥା ଆମର ଉତ୍ତରପିିଢ଼ି ଜାଣିପାରୁ ନାହାନ୍ତି। କୋଣାର୍କ ମନ୍ଦିର କିମ୍ବା ଜଗନ୍ନାଥଙ୍କ ବିନା ଓଡ଼ିଆ ଜାତିର ଅନ୍ୟ କିଛି ପରିଚୟ ଥିଲାପରି ମନେ ହେଉନାହିଁ। ସ୍ୱାଭିମାନ ବା ସାମୂହିକ ଚେତନା କଥା ଚିନ୍ତା କରାଯାଇପାରିବ ବା କିପରି? ଓଡ଼ିଆ ସ୍ୱାଭିମାନର ଏପରି ଏକ ସ˚କଟରୁ ମୁକ୍ତି ପାଇବାକୁ ହେଲେ, ଭାଷାର ବହୁଳ ବ୍ୟବହାର ଏକାନ୍ତ ପ୍ରୟୋଜନ। ସେଥିପାଇଁ ଓଡ଼ିଆ ଭାଷାର ମହନ୍ତ ସାଜିଥିବା ସାହିତ୍ୟିକ, ପ୍ରକାଶକମାନଙ୍କର କିଛି କମ୍‌ ଦାୟିତ୍ୱ ନାହିଁ। ଯାହିତାହି କରି ଓଡ଼ିଆ ଅକ୍ଷର ଶିଖିଥିବା ନବସାକ୍ଷରମାନଙ୍କୁ ଓଡ଼ିଆ ଭାଷା ପ୍ରତି ଅନୁରକ୍ତ କରିବାକୁ ହେଲେ, ଭାଷାକୁ ଅଧିକ ସହଜ ଓ ସରଳ କରିବାକୁ ପଡ଼ିବ। ସେମାନଙ୍କ ମନ କିଣିବା ପାଇଁ ସେମାନଙ୍କର ଦୈନନ୍ଦିନ ଜୀବନରେ ଆବଶ୍ୟକ ପଡ଼ୁଥିବା ସୂଚନାଗୁଡ଼ିକୁ ସୁଖପାଠ୍ୟ ଗଦ୍ୟରେ ପ୍ରକାଶ କରିବାକୁ ହେବ। ଆମ ପ୍ରଶାସନ ଓ ନ୍ୟାୟପାଳିକାକୁ ମଧ୍ୟ ସେମାନଙ୍କ କାର୍ଯ୍ୟ ପ୍ରକ୍ରିୟାରେ ଓଡ଼ିଆ ଭାଷାକୁ ଅଧିକ ବ୍ୟବହାର ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବାକୁ ହେବ। ଭାଷା ଯେତେ ବ୍ୟବହାର ହେବ, ତାହା ସେତେ ସମୃଦ୍ଧ ହେବ। ଆମ ସମସ୍ତଙ୍କର ଗୋଟିଏ ଭୁଲ ଧାରଣା ରହିଛି ଯେ, ଓଡ଼ିଆ ଭାଷାକୁ ଅଧିକ ବ୍ୟବହାର କରିବା କଥା କହିଲା ବେଳେ ଆମେ ଇ˚ରେଜୀ ଓ ଅନ୍ୟ ଭାଷାକୁ ସେତିକି ହତାଦର କରିବା କଥା ଭାବୁଛେ। ଯେଉଁମାନେ ଇ˚ରେଜୀ ଜାଣନ୍ତି ନାହିଁ, ସେମାନଙ୍କ ଭିତରୁ କେତେଜଣ ଓଡ଼ିଆ ଭାଷାର କର୍ଣ୍ଣଧାର ସାଜି ଏଭଳି ବିଚାର ବିଭ୍ରାଟର କାରଣ ହୋଇଛନ୍ତି। ଇ˚ରେଜୀ ସହିତ ଓଡ଼ିଆ ଭାଷାରେ ଦକ୍ଷତା ଗୋଟିଏ ସଫଳ ମଣିଷ ପାଇଁ ଏକାନ୍ତ ଆବଶ୍ୟକ। ଆମ ପିଲାମାନେ କୁହନ୍ତୁ- ମୁଁ ଓଡ଼ିଆ ଜାଣେ ଏବ˚ ଇ˚ରେଜୀ ବି ଜାଣେ। କିନ୍ତୁ ଓଡ଼ିଆକୁ ଇ˚ରେଜୀ ଅପେକ୍ଷା ଟିକେ ଅଧିକ ଭଲପାଏ। କାରଣ ଇ˚ରେଜୀ ମାଉସୀର ହେଲେ ଓଡ଼ିଆ ମା’ର ଭାଷା।

ସଂପାଦକ, ‘ସମ୍ବାଦ’
ସୌଜନ୍ୟ: ଆକାଶବାଣୀ, କଟକ

ସମ୍ବନ୍ଧିତ ଖବର