ପ୍ରାୟ ତିରିଶ ବର୍ଷରୁ ଅଧିକ ସମୟ ଧରି ଇଂରେଜୀ ଭାଷାରେ କଲେଜରେ ଅଧ୍ୟାପନା କରିବା ସତ୍ତ୍ବେ ରଞ୍ଜନ ସାର୍ ‘ସ୍ମାର୍ଟ‌୍’ ପଦଟିର ପ୍ରକୃତ ଅର୍ଥ ସ୍ପଷ୍ଟ ଭାବେ ବୁଝି ପାରି ନାହାନ୍ତି। ପୁଣି ଏବେ ଏହି ଶବ୍ଦଟି ବ୍ୟକ୍ତି ଠାରୁ ଆରମ୍ଭ କରି ମୋବାଇଲ୍‌ ଫୋନ୍ ପର୍ଯ୍ୟନ୍ତ, ଗାଁ ଗହଳି ଠାରୁ ନଗର ତଥା ସିଟି ପର୍ଯ୍ୟନ୍ତ ସବୁଥି ଲାଗି ବ୍ୟବହୃତ ହେଉଛି। ସେ କଥା ପଛକୁ ଥାଉ; ଏବେ କିନ୍ତୁ ସେ ସ୍ମାର୍ଟ‌୍ ସିଟି ଭୁବନେଶ୍ବରକୁ ନେଇ ବହୁତ ଚିନ୍ତା କରୁଛନ୍ତି। ଜାତୀୟ ସ୍ମାର୍ଟ‌୍ ସିଟି ମିସନ ଅାନୁକୂଲ୍ୟରେ ୨୦୧୫ ମସିହାରେ ଭାରତ ସରକାର ସାରା ଦେଶର କେତୋଟି ନଗରକୁ ଚିହ୍ନଟ କରି ତାକୁ ସ୍ମାର୍ଟ‌୍ ନଗରୀରେ ପରିବର୍ତ୍ତନ କରିବା ପାଇଁ କିଛି ମାନଦଣ୍ଡ ସ୍ଥିର କରିଛନ୍ତି। ତାହା ଅନୁସାରେ ଓଡ଼ିଶାର ଭୁବନେଶ୍ବର ଓ ରାଉରକେଲାକୁ ସ୍ମାର୍ଟ‌୍ ସିଟି ରୂପେ ନିର୍ମାଣ କରିବା ପାଇଁ କେନ୍ଦ୍ର ଓ ରାଜ୍ୟର ମିଳିତ ସହଯୋଗ ବିଷୟ ସ୍ଥିର କରାଯାଇଛି। ଆସନ୍ତା ଜୁନ୍ ୨୫ରେ ଏହି ପ୍ରୟାସକୁ ସାତ ବର୍ଷ ପୂରିବ।

Advertisment

ନାରାୟଣ ସାର୍ ଏବଂ ରଞ୍ଜନ ସାର୍ ଦୁଇ ଅନ୍ତରଙ୍ଗ ବନ୍ଧୁ। ଦୁହେଁ ପ୍ରତିଦିନ ସାଇକେଲ୍‌ରେ ପ୍ରାତଃ ଭ୍ରମଣ କରନ୍ତି। ଦିନେ ଦୁହେଁ ସ୍ଥିର କଲେ ଯେ ସେମାନଙ୍କ ପ୍ରିୟ ଭୁବନେଶ୍ବର ସହରର ଏକ ଚିତ୍ର ଦେଖିବେ। ସୁତରାଂ, ସକାଳୁ ସକାଳୁ ପ୍ରଥମେ ପହଞ୍ଚିଲେ ରେଳ ଷ୍ଟେସନ୍ ନିକଟରେ। ଯାହାକୁ ବର୍ତ୍ତମାନ ପୁରୁଣା ରେଳ ଷ୍ଟେସନ୍ କୁହାଯାଉଛି, ଏକଦା ତାହା ଏକମାତ୍ର ରେଳ ଷ୍ଟେସନ୍ ଥିଲା ଏବଂ ତାକୁ ଲାଗିକରି ଯେଉଁ ରାସ୍ତାଟି ଯାଇଛି, ତାହା ନଗରର ଏକ ମୁଖ୍ୟ ରାସ୍ତା ଥିଲା। ସେହି ରାସ୍ତାରେ କଟକରୁ ଭୁବନେଶ୍ବର ବସ୍ ଆସି ପୁରୁଣା ବସ୍‌ ଷ୍ଟାଣ୍ଡ୍‌ରେ ଅଟକୁଥିଲା। ଇତି ମଧ୍ୟରେ ଏହି ଷ୍ଟେସନ୍‌ରେ ଛଅ ନମ୍ବର ପ୍ଲାଟ୍‌ଫର୍ମ‌୍ର ନିର୍ମାଣ ହୋଇ ସାରିଛି। ପୁରୁଣା ଷ୍ଟେସନ୍‌ର ପ୍ରବେଶ ରାସ୍ତାକୁ ବଦଳା ଯାଇ ନୂଆ ରାସ୍ତାକୁ ପ୍ରଶସ୍ତୀକରଣ କରାଯାଇଛି। କିନ୍ତୁ, ରାସ୍ତା କଡ଼ରେ କୁଢ଼କୁଢ଼ ଆବର୍ଜନାର ପାହାଡ଼! ଭୁବନେଶ୍ବରକୁ ରେଳ ଯୋଗେ ଆସୁଥିବା ଯେ କୌଣସି ଯାତ୍ରୀ ‘ଗାଁ ପରିମଳ ଧୋବା ତୁଠରୁ’ ଭଳି ଏହି ସ୍ମାର୍ଟ‌୍ ନଗରୀ ବାବଦରେ ଏକ ନକାରାତ୍ମକ ଧାରଣା ଆହରଣ କରିବ। ଆଉ ବର୍ତ୍ତମାନ ନୂଆ ରେଳ ଷ୍ଟେସନ୍ ନାମରେ ଜଣା ଷ୍ଟେସନ୍‌ର ଆର ପଟେ ଦୀର୍ଘ ସାତ ବର୍ଷ ହେଲା ଭଙ୍ଗାଗଢ଼ାର କାରବାର ଚାଲିଛି; ଉଦ୍ଦେଶ୍ୟ ସ୍ଥାନଟିକୁ ବିଶ୍ବ ସ୍ତରୀୟ ସୌନ୍ଦର୍ଯ୍ୟ ପ୍ରଦାନ କରିବା। କିନ୍ତୁ ଏହି ନିର୍ମାଣ କାମରେ ଛନ୍ଦି ହୋଇ ପଡ଼ିଛନ୍ତି ପ୍ରସିଦ୍ଧ ମାଷ୍ଟର କ୍ୟାଣ୍ଟିନ୍‌ର ଗୋଲେଇ ଏବଂ ତହିଁ ମଧ୍ୟରେ ଥିବା ଐତିହ୍ୟର ସ୍ମାରକୀ ପଥର ଘୋଡ଼ା।

ତା’ ପରେ ଦୁଇ ବନ୍ଧୁ ପହଞ୍ଚିଲେ ଭୁବନେଶ୍ବରର ନୂଆ ବସ୍‌ ଷ୍ଟାଣ୍ଡ୍‌ରେ। ପୁରୁଣା ବସ୍‌ ଷ୍ଟାଣ୍ଡ୍‌ ଏବେ ପରିତ୍ୟକ୍ତ ଏବଂ ପ୍ରାୟ କୋଡ଼ିଏ ବର୍ଷରୁ ଅଧିକ କାଳ ଧରି ନୂଆ ବସ୍‌ ଷ୍ଟାଣ୍ଡ୍‌ କାର୍ଯ୍ୟକ୍ଷମ ହୋଇ ରହିଛି। କିନ୍ତୁ ସ୍ଥିତି ସାଂଘାତିକ। ପରିମଳ ଅବସ୍ଥା ଶୋଚନୀୟ, ବର୍ଷା ଦିନ କଥା ନ କହିବା ଭଲ। ବାହାରୁ ଆସୁଥିବା ଯାତ୍ରୀଙ୍କ ମନରେ ଏହି ବସ୍‌ ଷ୍ଟାଣ୍ଡ କିଭଳି ଧାରଣା ସୃଷ୍ଟି କରୁଥିବ ତାହା କେବଳ ଅନୁମାନ କରିବା କଥା।

ଦୁଇ ବନ୍ଧୁ ସେଠାରୁ ଫେରିବା ବେଳେ ଠିକ୍ ଇସ୍‌କନ୍ ମନ୍ଦିର ନିକଟରେ ଅସରାଏ ବର୍ଷା ହୋଇଗଲା। ଏହି ଅଳ୍ପ ସମୟର ବର୍ଷାରେ ରାସ୍ତାରେ ଆଣ୍ଠୁଏ ଉଚ୍ଚରୁ ଅଧିକ ପାଣି! ସେମାନେ ଜାଣିଥିଲେ ଅନେକ ବର୍ଷ ହେଲା ବର୍ଷା ଦିନେ ସେଠାରେ ଏମିତି ଅବସ୍ଥା ହେଉଛି! ଗଣମାଧ୍ୟମ‌ରେ ଏହାର ଚିତ୍ର ସେମାନେ ଦେଖିଥିଲେ, ଏବେ ଅଙ୍ଗେ ନିଭେଇଲେ। ଖବରକାଗଜରେ ବାହାରିଥିଲା ଏହି ସମସ୍ୟାଟିର ସମାଧାନ ପାଇଁ ଜର୍ମାନିର ସ୍ପଞ୍ଜ୍‌ ଟେକ୍‌ନୋଲୋଜିର ସାହାଯ୍ୟ ନିଆଯିବ। କିନ୍ତୁ କେବେ?

ତା’ ପରେ ଦୁଇ ବନ୍ଧୁ ଜୟଦେବ ବିହାର ଛକରୁ ଗଭର୍ଣ୍ଣର ହାଉସ୍ ଛକ ଦେଇ ଏୟାର‌ପୋର୍ଟ ଛକରେ ପହଞ୍ଚିଲେ। ଛାତି ଆନନ୍ଦରେ କୁଣ୍ଢେମୋଟ। କାରଣ ରାସ୍ତାଘାଟ ପରିଷ୍କାର ପରିଚ୍ଛନ୍ନ। ଦୁଇ କଡ଼ ବୃକ୍ଷ ବେଷ୍ଟିତ। ସେମାନେ ଭାବୁଥିଲେ ଯେ ଭୁବନେଶ୍ବରର ସବୁ ରାସ୍ତା ଘାଟ ଏମିତି ଅନ୍ତର୍ଜାତୀୟ ମାନର ହୋଇଥା’ନ୍ତା କି? ବନ୍ଧୁ ଦ୍ବୟ ଏଭଳି ପ୍ରୟାସକୁ ବଧାଇ ଜଣାଇଲେ। କିନ୍ତୁ ଏକ ଭାବାନ୍ତର ମଧ୍ୟ ଆସିଲା। ରାଜ୍ୟର ଶତକଡ଼ା ଦୁଇରୁ ଚାରି ପ୍ରତିଶତ ମଧ୍ୟବିତ୍ତ କିମ୍ବା ଉଚ୍ଚ ମଧ୍ୟବିତ୍ତ ବିମାନ ଯାତ୍ରୀଙ୍କ ପାଇଁ ଏତେ ଚାକଚକ୍ୟ ଅଥଚ ସାଧାରଣ ଲୋକ ପ୍ରତିଦିନ ବ୍ୟବହାର କରୁଥିବା ରେଳ ଷ୍ଟେସନ୍ ଏବଂ ବସ୍‌ ଷ୍ଟାଣ୍ଡ୍‌ ଲାଗି ଆଦୌ ଦୃଷ୍ଟି ନାହିଁ!

ତା’ ପରେ ସେଠାରୁ ରବି ଟକିଜ୍ ଛକ ଦେଇ ମ୍ୟୁଜିୟମ୍ ଛକ ରାସ୍ତାରେ ନିଜ ନିଜ ଘରକୁ ଫେରିବାକୁ ବାହାରିଲେ। ରାସ୍ତାଟି‌େର ଅସମ୍ଭବ ଭିଡ଼। ଲାଗିଲା ଏଠି ସ୍ମାର୍ଟ‌୍ ସିଟିର ସ୍ମାର୍ଟ‌୍ ଟ୍ରାଫିକ୍ ବ୍ୟବସ୍ଥା ଯେମିତି କୁଆଡ଼େ ଉଭାନ୍ ହୋଇଯାଇଛି! ଘରକୁ ଫେରିବା ବାଟରେ ଦୁଇ ବନ୍ଧୁ ପରସ୍ପର ମଧ୍ୟରେ ଆଲୋଚନା କରୁଥିଲେ। ତାହାର ସାରାଂଶ ହେଲା କୌଣସି ସହର ସ୍ମାର୍ଟ‌୍ ହେଉ କି ନ ହେଉ, ଲୋକଙ୍କର ଚାରିଟି ମୌଳିକ ଆବଶ୍ୟକତା ପୂରଣ କରିବା ଜରୁରୀ। ସେଗୁଡ଼ିକ ହେଲେ ସମସ୍ତଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା, ସମସ୍ତ ଘରକୁ ବିଜୁଳି ଆଲୋକର ବ୍ୟବସ୍ଥା ଏବଂ ସହରର ସମସ୍ତ ସାହି, କଲୋନି, ୱାର୍ଡ‌୍ ଲାଗି ଉପଯୁକ୍ତ ସଡ଼କ ଏବଂ ବର୍ଜ୍ୟ ବସ୍ତୁ ଓ ଜଳ ନିଷ୍କାସନର ବ୍ୟବସ୍ଥା। ଏବେ ରାଜଧାନୀର ସମସ୍ତଙ୍କ ଘରକୁ ବିଜୁଳି ଆଲୁଅର ବ୍ୟବସ୍ଥା କରାଯାଇ ପାରିଛି, କିନ୍ତୁ ଅନ୍ୟ ତିନିଟି ଆବଶ୍ୟକତା ପୂରଣ ହୋଇପାରିନାହିଁ।

ଖବରକାଗଜରେ ପ୍ରକାଶିତ ସଦ୍ୟ ତଥ୍ୟ ଅନୁସାରେ ଭୁବନେଶ୍ବରକୁ ସ୍ମାର୍ଟ‌୍ ସିଟିରେ ପରିଣତ କରିବା ପାଇଁ ୨୦୧୫ ମସିହାରେ ବିଏମ୍‌ସି ପକ୍ଷରୁ ୮୧ଟି ପ୍ରକଳ୍ପର ତାଲିକା ଦିଆଯିବା ସହ ୪୫୩୬ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ ସ୍ମାର୍ଟ‌୍ ସିଟି ମିସନ ନିକଟରେ ଦାଖଲ କରାଯାଇଥିଲା। ଏହି ପ୍ରତିଯୋଗିତାରେ ଭୁବନେଶ୍ବର ପ୍ରଥମ ସ୍ଥାନ ବି ହାସଲ କରିଥିଲା। ଏହି ଯୋଜନାରେ ୫ ବର୍ଷରେ ସବୁ ପ୍ରକଳ୍ପ ସାରିବାକୁ କୁହାଯାଇଥିଲା। ଏହାର ପରବର୍ତ୍ତୀ ୪ ବର୍ଷ କେବଳ ରକ୍ଷଣାବେକ୍ଷଣ ପାଇଁ ଉଦ୍ଦିଷ୍ଟ ଥିଲା। ଛଅ ବର୍ଷ ପରେ ଏଭଳି ସ୍ଥିତି ‌େହଲା ଭୁବନେଶ୍ବର ସ୍ମାର୍ଟ‌୍ ସିଟିରେ ମାତ୍ର ୨୮ଟି ପ୍ରକଳ୍ପ କାର୍ଯ୍ୟ କରୁଛି ଏବଂ ଏଥିପାଇଁ ମିଳିଥିବା ୭୮୪ କୋଟି ଟଙ୍କାରୁ ୧୦୦ କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଛି। କଥା ହେଲା ଯେତେ ଅଧିକ ଅର୍ଥ ଖର୍ଚ୍ଚ ହେବ, ସେହି ଅନୁଯାୟୀ ଅନୁଦାନ ମିଳିବ। ହେଲେ ଓଡ଼ିଶାର ଦୁଇ ସହର ପାଇଁ ମିଳିଥିବା ଅର୍ଥ ଖର୍ଚ୍ଚ ହୋଇ ପାରି ନ ଥିବାରୁ କେନ୍ଦ୍ର ଅନୁଦାନ ପୂରା ମିଳି ପାରିନି। ଏଣୁ ସ୍ମାର୍ଟ‌୍ ସିଟି ରୢାଙ୍କିଙ୍ଗ୍‌‌େର ଭୁବନେଶ୍ବର ତଳକୁ ତଳ ଖସୁଥିବା ବେଳେ ମଧ୍ୟପ୍ରଦେଶର ଇନ୍ଦୋର ସର୍ବଦା ପ୍ରଥମରେ ରହି ଆସିଛି। ଇଂରେଜୀରେ ଗୋଟିଏ ଅଭିବ୍ୟକ୍ତି ରହିଛି Squint eyed vision ଯାହାର ଓଡ଼ିଆ ଅର୍ଥ ହେଲା ଟେରା ଦୃଷ୍ଟି ଅର୍ଥାତ୍ ଆଂଶିକ ବା ଅସମତୁଲ ଦୃଷ୍ଟି। ଲାଗୁଛି ସହରର ସ୍ମାର୍ଟ‌୍ ବାବୁମାନେ କେବଳ ଚାକଚକ୍ୟ ଉପରେ ଧ୍ୟାନ ଦେଇ ଭାବୁଛନ୍ତି ସହର ସ୍ମାର୍ଟ‌୍ ହୋଇଯିବ। କିନ୍ତୁ ସତ କଥା ହେଲା, ସହରଟି ସ୍ମାର୍ଟ‌୍ ହେବା ଲାଗି ଏହାର ୬୭ଟି ୱାର୍ଡ‌୍ର ସମତୁଲ ବିକାଶ ଏକାନ୍ତ ଆବଶ୍ୟକ।

ମୋ- ୯୮୬୧୧୨୪୨୦୨