ମାଗଣା ବଣ୍ଟା ଦେଶର କେତେ କ୍ଷତି କରୁଛି!

ମହାମେଘବାହନ ଐର ଖାରବେଳ ସ୍ୱାଇଁ

ଭାରତର ସଂସଦରେ କାର୍ଯ୍ୟ କରୁଥିବା ଲୋକ ଲେଖା ସମିତି (ପି.ଏ.ସି.)ର ଏକ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କହିଛନ୍ତି ଯେ, ସରକାରଙ୍କର ଅର୍ଥର ସଠିକ୍ ଭାବରେ ଖର୍ଚ୍ଚ ହେଉଛି କି ନାହିଁ, ସେ କଥା ଦେଖିବା ହେଉଛି ଏହି ପି.ଏ.ସି.ର କାମ। କିନ୍ତୁ ବିଭିନ୍ନ ରାଜ୍ୟ ସରକାରମାନେ ଭୋଟ ପାଇଁ ଯେମିତି ମାଗଣାରେ ବିଭିନ୍ନ ପଦାର୍ଥ ବାଣ୍ଟିବାରେ ଲାଗିଛନ୍ତି, ପି.ଏ.ସି. ତା’ର ସମୀକ୍ଷା କରି ଏପରି ବଣ୍ଟାଯିବା ଉଚିତ କି ନୁହେଁ, ସେ କଥା ଅନୁଧ୍ୟାନ କରିବା ଉଚିତ। କାରଣ ସରକାର ବିକାଶମୂଳକ କାର୍ଯ୍ୟ ପାଇଁ ଅର୍ଥ ବ୍ୟୟ କରିବା ଉଚିତ। କିନ୍ତୁ ସମସ୍ତଙ୍କୁ ମାଗଣାରେ ସରକାରୀ ଅର୍ଥ ବାଣ୍ଟିବାର ଆବଶ୍ୟକତା ଅଛି କି, ସେ ସମ୍ପର୍କରେ ପି.ଏ.ସି. ଅନୁଶୀଳନ କରିବା ଆବଶ୍ୟକ।

ଭାରତରେ ଏହି ମାଗଣା ବଣ୍ଟନ ପ୍ରକ୍ରିୟାରେ ସର୍ବାଗ୍ରେ ତାମିଲନାଡୁ ପ୍ରଦେଶ ରହି ଆସିଛି, ଯେଉଁଠି ଦୁଇଟି ଆଞ୍ଚଳିକ ଦଳ ଡି.ଏମ୍‌.କେ. ଓ ଏ.ଆଇ.ଏ.ଡି.ଏମ୍‌.କେ. ସଦା ବେଳେ ବାଣ୍ଟିବା ପ୍ରତିଦ୍ୱନ୍ଦ୍ବିତାରେ ପରସ୍ପରକୁ ବଳେଇ ଯିବା ପାଇଁ ଲାଗି ଆସିଛନ୍ତି। ଗରିବ ଲୋକମାନଙ୍କ ପାଇଁ ସ୍ୱଳ୍ପ ମୂଲ୍ୟରେ ଖାଦ୍ୟ ଠାରୁ ଆରମ୍ଭ କରି ଧୋତି, ଶାଢ଼ି ବାଣ୍ଟିଛନ୍ତି। ଆଶ୍ଚର୍ଯ୍ୟଜନକ ଭାବରେ ସେମାନେ ମିକ୍‌ସଚର ଗ୍ରାଇଣ୍ଡର, କିଛି ସୁନାଥି ବା ମଙ୍ଗଳ ସୂତ୍ର ଓ ଏପରିକି ରଙ୍ଗିନ ଟି.ଭି. ମଧ୍ୟ ବାଣ୍ଟିଛନ୍ତି। ରଂଗିନ ଟି.ଭି. ନେବା ପାଇଁ ଲୋକମାନେ କାର୍ ଧରି ଆସିଛନ୍ତି। ଅର୍ଥାତ୍‌, କେଉଁ ଶ୍ରେଣୀର ଲୋକମାନେ ଏହି ଟି.ଭି. ମାଗଣାରେ ନେଇଛନ୍ତି ତାହା ବୁଝା ପଡୁଛି।

ଏ କ୍ଷେତ୍ରରେ ଅଗ୍ରଗାମୀ ହେଉଛି ଦିଲ୍ଲୀର ସରକାରୀ ଦଳ ଆମ୍‌ ଆଦ୍‌ମୀ ପାର୍ଟି। ଗତ ନିର୍ବାଚନ ପୂର୍ବରୁ ଦିଲ୍ଲୀର ବିଦ୍ୟୁତ୍‌ ଉପଭୋକ୍ତାମାନଙ୍କୁ ଏହି ଦଳ ପରିବାର ପିଛା ୨୦୦ ୟୁନିଟ୍‌ ମାଗଣା ବିଦ୍ୟୁତ୍‌ ଦେବା ପାଇଁ ଓ ଏହା ଉପରକୁ ଖର୍ଚ୍ଚ କରୁଥିବା ପରିବାରମାନଙ୍କୁ ୨୦୦ରୁ ୪୦୦ ୟୁନିଟ୍‌ ଖର୍ଚ୍ଚ ପାଇଁ ୫୦% ସବ୍‌ସିଡି ଦେବାର ଘୋଷଣା କରିଥିଲା, ଯାହା ସେମାନେ ଏବେ ମଧ୍ୟ କରୁଛନ୍ତି। ଏହି ଦଳ ଏବେ ଘୋଷଣା କରିଛି ଯେ, ସେମାନେ ଯଦି ପଞ୍ଜାବରେ ଆଗାମୀ ନିର୍ବାଚନରେ କ୍ଷମତାକୁ ଆସନ୍ତି, ତେବେ ପ୍ରତି ପରିବାରକୁ ମାଗଣାରେ ୩୦୦ ୟୁନିଟ୍‌ ବିଦ୍ୟୁତ୍‌ ଦେବେ।

ଓଡ଼ିଶାରେ ଶାସକ ବି.ଜେ.ଡି. ଦଳ ଗତ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ତା’ର ସଫଳତା ସମ୍ପର୍କରେ ସବୁ ସମ୍ବାଦପତ୍ରମାନଙ୍କରେ ପୂର୍ଣ୍ଣ ପ୍ରଥମ ପୃଷ୍ଠାର ବିଜ୍ଞାପନ ଦେଇଥିଲା। ଏଥିରେ ଦୁଇ ନମ୍ବର ସଫଳତା ହିସାବରେ ଲେଖାଥିଲା ଯେ ଓଡ଼ିଶାର ୮୩.୨% ଲୋକମାନେ ଟଙ୍କାକିଆ ଚାଉଳ ପାଉଛନ୍ତି। ଅଥଚ, ଏବେ ଏବେ ନିତି ଆୟୋଗ ଓ ଓଡ଼ିଶା ସରକାର ଘୋଷଣା କରିଛନ୍ତି ଯେ ଓଡ଼ିଶାରେ ଦାରିଦ୍ର୍ୟ ସୀମାରେଖାର ତଳେ ଥିବା (ବି.ପି.ଏଲ୍‌.) ଲୋକଙ୍କ ସଂଖ୍ୟା ହେଉଛି ୩୨%। ବାକି ୫୧%ଙ୍କୁୁ ମଧ୍ୟ ଟଙ୍କାକିଆ ଚାଉଳ ଦିଆଯାଉଛି। ସେମାନେ ଏ ଚାଉଳ କାହିଁକି ନେବେ? ସେମାନେ ତ ଦାରିଦ୍ର୍ୟ ସୀମାର ଉପରେ ଅଛନ୍ତି (ଏ.ପି.ଏଲ୍‌.)!

ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି ଯେ ଆବଶ୍ୟକୀୟ ସବ୍‌ସିଡି ହେଉଛି ଭାରତରେ ଜି.ଡି.ପି. (ମୋଟ ଜାତୀୟ ଉତ୍ପାଦ)ର ୪.୫%। ଏହି ଆବଶ୍ୟକୀୟ ସବ୍‌ସିଡି ମଧ୍ୟରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା, ଖାଦ୍ୟ ବଣ୍ଟନ, ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା ଆଦି ଅନ୍ତର୍ଗତ। ଅଥଚ, ଯେଉଁ ରଂଗିନ ଟି.ଭି., ଏ.ପି.ଏଲ୍‌. ଲୋକଙ୍କୁ ଚାଉଳ, ମାଗଣା ବିଦ୍ୟୁତ୍‌ ଆଦି ବଣ୍ଟା ହେଉଛି, ତାହା ହେଉଛି ଜି.ଡି.ପି.ର ୫.୭%। ଅର୍ଥାତ୍‌, ଅନାବଶ୍ୟକୀୟ ସବ୍‌ସିଡି, ଆବଶ୍ୟକୀୟ ସବ୍‌ସିଡ୍‌ ଠାରୁ ଅଧିକ ଅଟେ। ଏଠାରେ ଆହୁରି ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ଓ ରାଜ୍ୟମାନଙ୍କ ଦ୍ୱାରା ଆଦାୟ ହେଉଥିବା ରାଜସ୍ୱ ମୋଟ ଜାତୀୟ ଉତ୍ପାଦ (ଜି.ଡି.ପି.)ର ମାତ୍ର ୧୮% ଅଟେ। ଏହାର ଅର୍ଥ ହେଲା, ବିକାଶମୂଳକ କାର୍ଯ୍ୟ ପାଇଁ ଯେଉଁ ଅର୍ଥ ଆସୁଛି, ସେଇଥିରୁ ଏହି ବଣ୍ଟା କାର୍ଯ୍ୟକ୍ରମ ଚାଲିଛି।

ଆହୁରି ଏକ ଉଲ୍ଲେଖନୀୟ କଥା ହେଲା, ସରକାରୀ ଛୁଟି। ହିସାବ କଲେ ଦେଖାଯାଏ, ବର୍ଷର ୩୬୫ ଦିନ ମଧ୍ୟରୁ ସରକାରୀ କର୍ମଚାରୀମାନେ ୧୫୩ ଦିନ ଛୁଟି ପାଉଛନ୍ତି। ମେଡିକାଲ ଛୁଟି ଓ ସି.ଏଲ୍‌. (ଚାକିରି ଛୁଟି) ଆଦି ଏଥିରେ ଅନ୍ତର୍ଭୁକ୍ତ। ଏହାଛଡ଼ା ଅର୍ଦ୍ଧ ବେତନ ଛୁଟି ଆଦି ମିଶିଲେ ମୋଟ ଛୁଟି ୩୬୫ ଦିନରୁ ୨୦୦ ଦିନକୁ ଚାଲିଯିବ। ତଥାପି ମଧ୍ୟ ବିଭିନ୍ନ ବର୍ଗର ଲୋକଙ୍କୁ ସନ୍ତୁଷ୍ଟ କରିବା ପାଇଁ ସରକାରମାନେ ମଝିରେ ମଝିରେ ନୂଆ ନୂଆ ଛୁଟିମାନ ଘୋଷଣା କରୁଛନ୍ତି; ଏବଂ ଏଭଳି ଯେଉଁ ଉତ୍ସବ ଲାଗି ଛୁଟି ଦିଆଯାଉଛି, ତାକୁ କେବଳ କେତେକ ନିର୍ଦ୍ଦିଷ୍ଟ ବର୍ଗର ଲୋକମାନେ ପାଳନ କରନ୍ତି। ଏଥିରୁ ବୁଝାଯାଉଛି କେତେ କାମ ପାଇଁ କେତେ ଦରମା ଦିଆଯାଉଛି ଓ କେତେ କାମ ବାସ୍ତବରେ ହେଉଛି। ଅଧିକାଂଶ ଶ୍ରମିକ ଅସଂଗଠିତ କ୍ଷେତ୍ରରେ କାମ କରୁଛନ୍ତି। ସେମାନଙ୍କୁ ସଂଗଠିତ କ୍ଷେତ୍ରରେ କର୍ମଚାରୀମାନଙ୍କ ପରି ଛୁଟି ବା ଦରମା ମିଳେ ନାହିଁ। ତେଣୁ କୃଷକମାନେ ସେମାନଙ୍କର ସ୍ୱଳ୍ପ ଚାଷ ଛାଡ଼ି ଅସଂଗଠିତ କ୍ଷେତ୍ରକୁ ଯାଇ ମଧ୍ୟ ପାରୁନାହାନ୍ତି।

ମାଗଣା ବିଦ୍ୟୁତ୍‌ ହେଉଛି ଆଉ ଏକ ସବ୍‌ସିଡିର କଥା। ଏ ଦିଗରେ ପଞ୍ଜାବ ହେଉଛି ଅଗ୍ରଗଣ୍ୟ। ପଞ୍ଜାବର କୃଷି ବିଶେଷଜ୍ଞମାନଙ୍କ ମତ ଅନୁସାରେ ଏହି ରାଜ୍ୟର ଯେତେ ମୋଟ ଋଣ ରହିଛି, ତା’ର ଦୁଇ ତୃତୀୟାଂଶ ହେଉଛି କେବଳ କୃଷକଙ୍କୁ ମାଗଣା ବିଦ୍ୟୁତ୍‌ ପାଇଁ ଋଣ। ଅଥଚ ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି ପାଇଁ ଏହି ରାଜ୍ୟର ଋଣ ଭାର ହେଉଛି ଅନେକ କମ୍।

ଏ କ୍ଷେତ୍ରରେ ଆହୁରି ଏକ ଅତି ଗୁରୁତ୍ୱପୂର୍ଣ୍ଣ କଥାକୁ ଭାରତରେ ପ୍ରାୟ କେହି ଆଲୋଚନା କରୁନାହାନ୍ତି। ତାହା ହେଲା ଗତ ମାସ ସ୍କଟ୍‌ଲାଣ୍ଡ୍‌ର ଗ୍ଲାସ୍‌ଗୋ ଠାରେ ବିଶ୍ୱ ଜଳବାୟୁ ସମ୍ମେଳନରେ ଭାରତ ଦେଇଥିବା ପ୍ରତିଶ୍ରୁତି। ଏହି ପ୍ରତିଶ୍ରୁତି ଅନୁସାରେ ୨୦୩୦ ସୁଦ୍ଧା ଭାରତ ୩୦% ଅଙ୍ଗାରକାମ୍ଳ ନିର୍ଗମନକୁ କମାଇବ, ବିଶ୍ୱର ଉତ୍ତାପକୁ ହ୍ରାସ କରିବା ପାଇଁ। ଅଙ୍ଗାରକାମ୍ଳକୁ ବାୟୁମଣ୍ଡଳରୁ କମାଇବାକୁ ହେଲେ ପେଟ୍ରୋଲ ଓ ଡିଜେଲ୍‌ର ବ୍ୟବହାରକୁ ବ୍ୟାପକ ଭାବରେ କମାଇବାକୁ ହେବ। କାରଣ ଏହି ତୈଳମାନେ ପରିବେଶକୁ ସବୁଠାରୁ ଅଧିକ ପ୍ରଦୂଷିତ କରୁଛନ୍ତି, ଯାହା ଫଳରେ ପଚାଶ ବର୍ଷ ପରେ ପୃଥିବୀ ପ୍ରଳୟ ପଥକୁ ଆଗେଇଯିବ। ପେଟ୍ରୋଲ, ଡିଜେଲ୍‌ର ଟିକସ ବଢ଼ାଇଲେ ଯାଇ ଏହାର ଖର୍ଚ୍ଚ କମିବ ଓ ବାୟୁମଣ୍ଡଳ ପରିଶୁଦ୍ଧ ହେବ। ସେହିପରି ଅଧିକାଂଶ ବିଜୁଳି ଭାରତରେ କୋଇଲା ପୋଡ଼ିବା ଯୋଗୁଁ ଉତ୍ପାଦିତ ହେଉଛି। କୋଇଲାର ଦର ବଢ଼ିଲେ ଯାଇ ଏହାକୁ ପୋଡ଼ି ଉତ୍ପାଦିତ ହେଉଥିବା ବିଦ୍ୟୁତ୍‌ର ପରିମାଣ କମିବ। କିନ୍ତୁ ଭାରତରେ ଯେତେବେଳେ ‌େପଟ୍ରୋଲ, ଡିଜେଲ୍‌ର ଦରବୃଦ୍ଧି ଉପରେ ରାଜନୈତିକ ଦଳ ବା ବ୍ୟକ୍ତିବିଶେଷ ଆଲୋଚନା ଓ ଆନ୍ଦୋଳନ କରନ୍ତି, ସେତେବେଳେ ମନେ ହୁଏ ସତେ ଯେପରି ପୃଥିବୀ ଶହେ ବର୍ଷ ତଳେ ଯେମିତି ଥିଲା, ସେମିତି ଅଛି। ତା’ର କିଛି ପରିବର୍ତ୍ତନ ହୋଇନାହିଁ। ଏଠାରେ ବରଫ ପାହାଡ଼ (ଗ୍ଲାସିଅର୍‌) ତରଳୁ ନାହିଁ। ସମୁଦ୍ରର ଜଳସ୍ତର ବଢ଼ି ସମୁଦ୍ର କୂଳିଆ ଗାଁ ଭିତରକୁ ପଶୁନାହିଁ। ଆକସ୍ମିକ ପ୍ରବଳ ବର୍ଷା, ବାତ୍ୟା, ବନ୍ୟା ଘଟୁନାହିଁ। ଯେପରିକି କରୋନା ମହାମାରୀ ପରି ଅଭୂତପୂର୍ବ ରୋଗ ବ୍ୟାପୁନାହିଁ। କାହିଁକି ଏପରି ଘଟୁଛି, ସେ କଥା ବିଶେଷ କିଛି ଆଲୋଚନାର ସ୍ତରକୁ ଆସୁନାହିଁ। ଅଥଚ ଭାରତରେ ଆଲୋଚନା ହେଉଛି କି ବିଶ୍ୱର ବିକଶିତ ଦେଶମାନଙ୍କର ମୁଣ୍ଡ ପିଛା ଅଙ୍ଗାରକାମ୍ଳ ନିର୍ଗମନ ହେଉଛି ଅନେକ କମ୍। ମୁଣ୍ଡପିଛା ନିର୍ଗମନ କମ୍ ହୋଇଥିଲେ ମଧ୍ୟ ଭାରତର ଜନସଂଖ୍ୟା ବିକଶିତ ଦେଶମାନଙ୍କ ଜନସଂଖ୍ୟା ଠାରୁ ବହୁ ଅଧିକ ହୋଇଥିବାରୁ ଏଠାକାର ମୋଟ ପ୍ରଦୂଷଣ ଅନେକ ବେଶି। ତା’ଉପରେ ଯଥେଷ୍ଟ ଆଲୋଚନା ଏଠାରେ ହେଉନାହିଁ।

କିନ୍ତୁ ଭାରତରେ ଅଙ୍ଗାରକାମ୍ଳ ନିର୍ଗମନ କରୁ ନ ଥିବା ବିଦ୍ୟୁତ୍‌ ଉତ୍ପାଦନ ସ୍ୱଳ୍ପ ମୂଲ୍ୟରେ ହୋଇପାରନ୍ତା। କାରଣ ଦୁଇ ଦଶନ୍ଧି ହେଲା ଭାରତରେ ସୌର ଶକ୍ତିର ବିଦ୍ୟୁତ୍‌, ପବନଚାଳିତ ବିଦ୍ୟୁତ୍‌ ଉତ୍ପାଦନର ଖର୍ଚ୍ଚ ଯେତେ ଥିଲା ଏବେ ତାହା ଅନେକ କମିଗଲାଣି। ତାହାରି ଉପରେ ଅଧିକ ଧ୍ୟାନ ଦିଆଯିବାର ଆବଶ୍ୟକତା ଅଛି। କୋଇଲା ପୋଡ଼ି, ଅଙ୍ଗାରକାମ୍ଳ ବାହାର କରି ପୃଥିବୀ ଓ ଭାରତକୁ ନଷ୍ଟ କରୁଥିବା ବିଦ୍ୟୁତ୍‌କୁ ମାଗଣା ବାଣ୍ଟିବାରେ କେବଳ କ୍ଷତି ଅଛି, ଭବିଷ୍ୟତ୍‌ ପାଇଁ କିଛି ଲାଭ ନାହିଁ। ଆମର ପିଲାମାନଙ୍କ ପାଇଁ ଆମେ ଏକ ବୀଭତ୍ସ ଓ କାଙ୍ଗାଳ ଭାରତବର୍ଷକୁ ଛାଡ଼ି ଦେବା ଉଚିତ ନୁହେଁ। ନିଜ ଶକ୍ତିରେ ମୁଣ୍ଡ ଟେକିବାକୁ ଶିକ୍ଷା ନ ଦେଇ ଅନ୍ୟର ଦୟାରେ ମାଗଣା ଖାଇ ଉଠିବାକୁ ଆମେ ସେମାନଙ୍କୁ ଶିକ୍ଷା ଦେବା ଉଚିତ ନୁହେଁ। ମାଗଣା ଖାଇବା ଦ୍ୱାରା ହୁଏ’ତ ସାମୟିକ ଲାଭ ହୋଇପାରେ, କିନ୍ତୁ ଦୀର୍ଘକାଳିକ ଭଲ ଏଥିରେ କିଛି ନାହିଁ। ଏଥିରେ ସ୍ୱାଭିମାନ ନାହିଁ। ଜଣେ ସ୍ୱାଭିମାନୀ ନିଜେ ଉଠିପାରେ ଓ ଦେଶକୁ ଉଠାଇପାରେ। ଚୀନ ସେପରି କିଛି ବାଣ୍ଟୁନାହିଁ। କିନ୍ତୁ ନିଜ ଶକ୍ତି ବଳରେ କାମରେ ଲାଗିଥିବାରୁ ଆମେରିକାକୁ ଅତିକ୍ରମ କରିବା ପ୍ରୟାସରେ ଏବେ ଅଛି।

ମୋ: ୯୪୩୭୦୨୦୨୯୦
[email protected]

ସମ୍ବନ୍ଧିତ ଖବର