ଭିକ୍ଷୁକ ଅନ୍ବେଷଣ

ସରସ ରସ - ସୁଭାଷ ପଟ୍ଟନାୟକ

ପକେଟ୍‌ରେ ଟଙ୍କାଟିଏ ଧରି ଭିକାରିଟିଏ ଖୋଜୁଛି। ମିଳିଗଲେ ଦେଇ ଦିଅନ୍ତି। ଆପଣ ଭାବୁଥିବେ ଯେ ଏବେ ପୁଣି ଭିକାରି ଅଭାବ! ଆପଣଙ୍କ କଥା ମାନି ଶନି ମନ୍ଦିର ଯାଇଥିଲି। ଅନେକ ଭିକାରି ସେଠି। ଯିଏ ଟଙ୍କାଟିଏ ଦେଉଛି ଭିକାରିଟି ମୁଣ୍ଡରେ ଲଗାଇ କହୁଛି ‘ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ’। ମାନେ, ଆମଠାରୁ ଟଙ୍କାଟିଏ ପାରିଶ୍ରମିକ ପାଇ ସେ ଆମ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛି, ଯାହା ସେ ନିଜ ପାଇଁ ମଧ୍ୟ କରି ପାରନ୍ତା। ତା’ ହେଲେ ସେ ଭିକାରି ହେଲା କେମିତି? ତେବେ, ଭିକାରି କାହାକୁ କହିବା? ବିନା ମୂଲ୍ୟରେ ଜଣେ ଯଦି କିଛି ମାଗେ ଏବଂ ତାହା ଦ୍ବାରା ବିନା ମୂଲ୍ୟରେ କିଛି ସ୍ବାର୍ଥ ତ୍ୟାଗ କରିବାକୁ ଦାତାକୁ ଅନୁରୋଧ କରେ, ସିଏ ହିଁ ଭିକାରି।

ଏବେ ଆମ ଅଞ୍ଚଳରେ ରହୁଥିବା ଜଣେ ସମ୍ଭ୍ରାନ୍ତ ବ୍ୟକ୍ତିଙ୍କ ସହିତ ପେଟ୍ରୋଲ ପମ୍ପ୍‌ରେ ଦେଖାହେଲା। ଗାଡ଼ି ପୋଛା କନା କିଛି ଧରି ବିକ୍ରି ଉଦ୍ଦେଶ୍ୟରେ ଛୋଟ ଝିଅଟି ତାଙ୍କ ପାଖକୁ ଚାଲି ଆସିବାରୁ ଜୋତାରେ ମଇଳା ଲାଗିବା ପରି ଅଙ୍ଗଭଙ୍ଗୀ କରି ମହାଶୟ ଝିଅଟିକୁ ଯେମିତି ମାର ନ ମାର ହେଲେ, ମୋତେ ଆଶ୍ଚର୍ଯ୍ୟ ଲାଗିଲା। ଭଦ୍ରବ୍ୟକ୍ତିଙ୍କୁ କହିଲି, ‘ଆଜ୍ଞା, ସିଏ ତ ଭିକ ମାଗୁନି, ଗାଡ଼ି ପୋଛା କନା ଖଣ୍ଡିଏ ମାତ୍ର ଏକ ଟଙ୍କାରେ ବିକ୍ରି କରିବାକୁ ଚାହୁଁଛି!’ ଭଦ୍ରଲୋକ ଚିହିଁକି ଉଠି କହିଲେ, ‘ଆପଣ ଜାଣନ୍ତିନି ଆଜ୍ଞା, ଏମାନେ ଦିନରେ ଏପରି ବାହାନା କରି ଭିକ ମାଗନ୍ତି ଆଉ ରାତି ହେଲେ ଚୋରି କରନ୍ତି। ଭିକ୍ଷା ବୃତ୍ତି ଏବେ କିଛି ରାକେଟ୍‌ ଦ୍ବାରା ପରିଚାଳିତ ହେଉଛି। ଏମାନେ ସବୁ ସେ ରାକେଟ୍‌ ଅଧୀନରେ। ଆପଣ ‘ସ୍ଲମ୍‌ ଡଗ୍ ମିଲିଏନର୍’ ସିନେମା ଦେଖି ନାହାନ୍ତି? ଛୋଟ ବେଳୁ ଚାମଚ ପୂରାଇ ଛୁଆର ଆଖି ତାଡ଼ି ଦିଆଯାଏ, ଗୋଡ଼ ଛୋଟା କରି ଦିଆଯାଏ। ଟିକିଏ ବଡ଼ ହୋଇଗଲେ ସେମାନେ ଭିକ ମାଗି ଦଳପତିକୁ ଦିଅନ୍ତି। ଖୁବ୍ ଭଲ ରୋଜଗାର।’ ମୁଁ କହିଲି, ‘ସେଇ ସିନେମାରେ ତ ପୁଣି ଭିକାରି ଜମାଲ ମାଲିକ୍ କରୋଡ଼ପତି ପ୍ରତିଯୋଗିତା ଜିଣିଛି ନା! ଭଦ୍ରଲୋକ ସମର୍ଥନ ନ କରି କହିଲେ, ‘ଜାଣନ୍ତି? ଦେଶରେ ଏବେ ପାଞ୍ଚ ଲକ୍ଷ ଭିକାରି। ଓଡ଼ିଶାରେ ସରକାରୀ ହିସାବରେ ସାତ ହଜାର। ସବୁର ପଛରେ ଗୋଟେ ଗୋଟେ ରାକେଟ୍‌। ଏମାନେ କେହି ଖଟିବାକୁ ଚାହାଁନ୍ତିନି। ଆଇନ ପ୍ରଣୟନ କରି ଏମାନଙ୍କୁ ରାସ୍ତା କଡ଼ରୁ ହଟାଇବା ଆବଶ୍ୟକ।’ ମୁଁ କହିଲି, ‘ସେମାନେ ଯଦି ରାକେଟ୍‌ର ଶିକାର ହୋଇ ନ ଥା’ନ୍ତେ, ତଥାପି ବି ବଞ୍ଚିବା ପାଇଁ ଭିକ ମାଗୁଥା’ନ୍ତେ। ଦାରିଦ୍ର୍ୟ, ବେକାରି, ଶାରୀରିକ ଅକ୍ଷମତା, ମହାମାରୀ, ମରୁଡ଼ି, ବାତ୍ୟା ଓ ବନ୍ୟା ପରି ବିପର୍ଯ୍ୟୟ ଯେଉଁ ଭିକାରି ସୃଷ୍ଟି କରେ, ସେମାନେ ମଧ୍ୟ ଆପଣଙ୍କ ଏଇ ତାଲିକାରେ ଅଛନ୍ତି। ଇଚ୍ଛା ହୁଏ ବୋଲି କିଏ ଭିକ ମାଗେନି, ଆବଶ୍ୟକତା ଅଛି ବୋଲି ମାଗିଥାଏ। ଆଇନ କରି ଭିକ୍ଷା ବୃତ୍ତି ବନ୍ଦ କରିବାର ଚେଷ୍ଟା କ’ଣ ହୋଇନି? ମାତ୍ର ନ୍ୟାୟାଳୟ କହିଛନ୍ତି, ଏପରି ଏକ ଆଇନ ଦେଶରେ ସାମନ୍ତବାଦର ମୂଳଦୁଆ ପକେଇବ। ସେମାନଙ୍କର ମୌଳିକ ଅଧିକାର କ୍ଷୁଣ୍ଣ ହେବ। ଆମ ସଂବିଧାନର ଧାରା ୨୧ ଓ ୪୬କୁ ଦେଶ କ’ଣ ପୂରଣ କରିପାରିଛି?’ ଭଦ୍ରଲୋକ ତାଙ୍କ ଦାମୀ ଗାଡ଼ି ଚଳାଇ ଚାଲି ଯାଇଥିଲେ। ଦେଖିଲେ ତ? ଦାରିଦ୍ର୍ୟ ଜଣେ ଦରିଦ୍ରର ଭିକ୍ଷା ଥାଳରେ ଯେତିକି ଥାଏ, ତା’ଠାରୁ ଅଧିକ ଥାଏ ଆମ ମନ ଭିତରେ।

ଭିକ୍ଷା ବୃତ୍ତି ଓ ଅର୍ଥ ଦାନ ପରସ୍ପର ସଂପର୍କିତ। ଭିକ୍ଷା ମାଗିଲେ ହିଁ ଦାନ ମିଳେ। ସେ ଦୃଷ୍ଟିରୁ ରାସ୍ତାର ଭିକାରି ଏକା ନୁହନ୍ତି, ରାଜନୈତିକ ଦଳ, ଲାଞ୍ଚୁଆ କର୍ମଚାରୀ ଓ ରାଜନେତା ସମସ୍ତେ ଭିକ୍ଷା ମାଗନ୍ତି, ତେଣୁ ସେ ସମସ୍ତେ ମଧ୍ୟ ଭିକାରି। ପଇସା ମାଗିଲେ ପଇସାର, ସମ୍ମାନ ମାଗିଲେ ସମ୍ମାନର, ପ୍ରତିଷ୍ଠା ମାଗିଲେ ପ୍ରତିଷ୍ଠାର ଓ ଭୋଟ ମାଗିଲେ ଭୋଟ୍‌ର ଭିକାରି।

ପିଲା ଦିନର କଥା ମନେ ପଡ଼େ। ବୈଶାଖ ମାସର ଉଦୁଉଦିଆ ଖରାବେଳଟାରେ ଦୂରରୁ ଶୁଭେ, ‘ବୈଶାଖ ମାସରେ ଦାନ ପୁଣ୍ୟ କରୁଥିବ, ମାଆ ମାଉସୀମାନେ କୁଣ୍ଠିତ ନୋହିବ/ ଦେଇଥିଲେ ପାଇ, ବୁଣିଥିଲେ ଦାଇ, ପଡ଼ିଆ ବାରିରେ ଗୋଧନ ଚରାଇ।’ ଏ ଗୀତ ଚକୁଳିଆ ପଣ୍ଡାଙ୍କର। ମୁଣ୍ଡ ଉପରେ ତାଳପତ୍ରର ଛତା, ଅଣ୍ଟାରେ ଚଦରଟେ ଭିଡ଼ା ହୋଇଥିବ, ଚିତା, ଚୈତନ୍ୟ ସମନ୍ବିତ ହାତରେ ଥିବ ଗୋଟିଏ କଟରା। କାହାରିକୁ କିଛି ନ ମାଗି ଗାଁ ଦାଣ୍ଡରେ ଚାଲି ଯାଉଥିବେ। ତାଙ୍କ ସ୍ବର ଶୁଣିଲା ମାତ୍ରେ ମହିଳାମାନେ ଭିକ୍ଷା ଧରି ଦାଣ୍ଡକୁ ଚାଲି ଆସିବେ। ଚକୁଳିଆ ପଣ୍ଡା ରିକ୍ତ ହସ୍ତରେ ଦୁଆର ଡେଇଁ ଚାଲିଯିବା ଅଶୁଭ। ପଇସା କି ରନ୍ଧା ଖାଦ୍ୟ କିଛି ଗ୍ରହଣ କରନ୍ତିନି ସେ। କାହାରିକୁ କିଛି ମାଗନ୍ତିନି। ପରିବାର ପାଇଁ ଗୋଟିଏ ଦିନର ଖାଦ୍ୟ ମିଳିଗଲେ ଫେରି ଯାଆନ୍ତି। ପାଖ ଗାଁରେ ପରିବାର ନେଇ ରହନ୍ତି। ସିଏ ମଧ୍ୟ ଭିକାରି ନ ଥିଲେ। ସତ୍ ବଚନ, ଦାନ ଧର୍ମ ଓ ପୁରାଣ କଥା ଶୁଣାଇ ଧର୍ମ ବାଣ୍ଟୁଥିଲେ, ବଦଳରେ ପାଉଥିଲେ କିଛି ତଣ୍ଡୁଳ। ଇତିହାସର ଆଉ ଜଣେ ପ୍ରସିଦ୍ଧ ଭିକାରି ହେଲେ ଏଥେନ୍‌ସ୍‌ର ରାସ୍ତା କଡ଼ରେ ଏକ କାଠ ପିମ୍ପା ମଧ୍ୟରେ ରହୁଥିବା ଭିକ୍ଷୁକ ଡାଇଓଜିନସ୍। ଭିକ ମାଗି ବଞ୍ଚୁଥିଲେ, ମାତ୍ର ମୁହଁରୁ କଥା ବାହାରିଲେ ହୋଇ ଯାଉଥିଲା ଦର୍ଶନର ଏକ ଏକ ନୂତନ ତତ୍ତ୍ବ।

ଆଲେକ୍‌ଜାଣ୍ଡର ଓ ପ୍ଲାଟୋଙ୍କ ପରି ବ୍ୟକ୍ତି ତାଙ୍କୁ ସମ୍ମାନ ଓ ଶ୍ରଦ୍ଧା କରୁଥିଲେ। ଜ୍ଞାନର ଉଦ୍‌ଗୀରଣ ଯାହା ପାଖରେ, ତାକୁ କ’ଣ ଭିକାରି କହିବା? ଏବେ କର୍ଣ୍ଣାଟକର ବଲାରି ସହରରେ ଜଣେ ଲୋକପ୍ରିୟ ଭିକାରିଙ୍କ ମୃତ୍ୟୁ ହେବାରୁ ସାରା ସହର ଦୁଃଖରେ ବନ୍ଦ ହୋଇଗଲା। ସ୍ନେହ ବାଣ୍ଟୁଥିବା ସେ ବ୍ୟକ୍ତି କ’ଣ ଭିକାରି ପଦବାଚ୍ୟ? ଆମେ ନିଜକୁ ସମ୍ଭ୍ରାନ୍ତ କହୁଥିବା ମଣିଷମାନେ ଜଣେ ଭିକ୍ଷୁକ ଠାରୁ ଅଲଗା ଏଇଥି ପାଇଁ ଯେ, ଆମ ପଛରେ କେବେ ଦୁର୍ଭାଗ୍ୟ ପିଛା କରିନି ଏବଂ ଆମ ପାଇଁ କେହି ଜଣେ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି ବୋଲି ଆମେ ଭିକ୍ଷୁକ ହେବା ପରି ଦୁର୍ଯୋଗ ମଧ୍ୟକୁ ଠେଲି ହୋଇ ଯାଇନାହୁଁ। ଜଣେ ଭିକାରି ପାଖରେ ଏ ସୌଭାଗ୍ୟ କାହିଁ? ଗୋଟିଏ ଧନବାନ ହୃଦୟ ନ ଥିଲେ, ଆମେ ସମସ୍ତେ ଭିକାରି ଠାରୁ କମ୍ ନୁହନ୍ତି।

ପର ଦିନ ସେ ଭଦ୍ରଲୋକ ଦେଖାହେଲେ। ପରିଚୟ ପଚାରି ଜାଣିଲି, ସେ ଆମ ଗାଁ ପାଖର। ଏକ ଉଚ୍ଚ ପଦବିରୁ ସଦ୍ୟ ଅବସର ନେଇଛନ୍ତି। ପିତାଙ୍କ ନାଆଁ ପଚାରିବାରୁ ଟିକିଏ ଅପ୍ରସ୍ତୁତ ହୋଇ କହିଦେଇ ଚାଲିଗଲେ। ସେ ଗଲା ପରେ ପକେଟ୍‌ରୁ ଟଙ୍କାଟିଏ କାଢ଼ି ତଳେ ପକାଇ ଦେଲି। ପ୍ରକୃତ ଭିକାରି ଏବେ ମିଳିଗଲା। ଭଦ୍ରଲୋକ ଥିଲେ ସେଇ ଚକୁଳିଆ ପଣ୍ଡାଙ୍କର ଏକମାତ୍ର ପୁଅ।

ମୋ- ୯୩୩୭୬୪୮୬୩୮

ସମ୍ବନ୍ଧିତ ଖବର